Unknown

 

 

 

 

 

 

 

 

ରୁଡ଼ିନ୍

ଇଭାନ୍ ତୁର୍ଗେନିଭ୍

 

 

ଓଡ଼ିଆ ଅନୁବାଦ

ଚିତ୍ତରଞ୍ଜନ ଦାସ

 

—ଷାଠିଏ ବର୍ଷ ତଳେ ବିଶ୍ଵଭାରତୀ ଶାନ୍ତିନିକେତନରେ ଅଧ୍ୟୟନ କରୁଥିବା ସମୟରେ ଜଣେ ସହାଧ୍ୟାୟୀ ବନ୍ଧୁ ଇଭାନ୍ ତୁର୍ଗେନିଭ୍‌ଙ୍କର ଏହି ସାନ ଉପନ୍ୟାସଟିକୁ ପାଠ କରିଥିଲେ । ତା’ପରେ ସିଏ କ’ଣ ସବୁ ଭାବି ଆମ କେତେଜଣଙ୍କୁ ମଧ୍ୟ ତାହା ପଢ଼ିବାପାଇଁ ଦେଲେ ଏବଂ ଏହିପରି ଆମର ଏହି ସାନମେଳଟିରେ ବସି ଆମେ କେତେ କ’ଣ ଯେ ଆଲୋଚନା କରି ସେଠା ମୁକ୍ତ ପ୍ରାନ୍ତରଟି ଉପରେ ଘଣ୍ଟା ଘଣ୍ଟା ରାତି କଟାଇ ଦେଇଛୁ, ତାହା ଏବେ ମଧ୍ୟ ଖୁବ୍ ସ୍ମରଣରେ ରହିଛି । କହିବା ବାହୁଲ୍ୟ, ସେତେବେଳେ ଦେଶ ସ୍ଵାଧୀନ ହେବାର ଆଗାମୀ ଏହି ଅନ୍ୟ କାଳଟି ଆଖିକୁ ଖୁବ୍ ଦୃଶ୍ୟ ହୋଇ ଆସୁଥିଲା ଏବଂ ଆମର ସେହି ମେଳଟିରେ ଆମେ କେହି ପଚିଶି ବି ଅତିକ୍ରମ କରିନଥିଲୁ । ଦେହରେ, ଆଖିରେ ଏବଂ ଆମର ଏବଂ ଆମର ସତ ମମତା ଗୁଡ଼ିକରେ ପୂରା ତରୁଣ ଏବଂ… ଗୋଟା ସୁଦ୍ଧା ପ୍ରସ୍ତୁତ ।

 

ମୂଳ ଉପନ୍ୟାସର ଇଂରାଜୀ ଅନୁବାଦଟିରୁ ହିଁ ଓଡ଼ିଆ ଅନୁବାଦଟି ପ୍ରସ୍ତୁତ ହୋଇଛି । ପ୍ରକାଶକ ଶ୍ରୀଯୁକ୍ତ ଶ୍ରୀକାନ୍ତ ରାଉତରାୟ ପୂର୍ଣ୍ଣ ଆଗ୍ରହ ସହିତ ପରବର୍ତ୍ତୀ ଯାବତୀୟ କାର୍ଯ୍ୟ କରିଛନ୍ତି, ସେଥିଲାଗି ତାଙ୍କୁ ଗଭୀର କୃତଜ୍ଞାତା ଜ୍ଞାପନ କରୁଛି—

Image

 

ଅବତରଣିକା

 

ତୁର୍ଗେନିଭ୍‌ଙ୍କୁ ଜଣେ ରୁଷଦେଶୀୟ ଲେଖକ ବୋଲି କହିହେବ ସିନା, କିନ୍ତୁ ସିଏ କେବଳ ସେହି ରୁଷିଆର ଜଣେ ଲେଖକ ବୋଲି ଆଦୌ କୁହାଯାଇ ପାରିବ ନାହିଁ । ଆପାଣା ଜୀବନକାଳରେ ଶେଷ ପନ୍ଦର ବର୍ଷର ଅବଧି ମଧ୍ୟରେ ତାଙ୍କ ବାହାରର ବହୁ ବହୁ ଦେଶରେ ମଧ୍ୟ ଏକ ପାଠକଶ୍ରେଣୀ ସୃଷ୍ଟି ହୋଇ ଯାଇଥିଲେ : ସର୍ବପ୍ରଥମେ ଫ୍ରାନ୍‌ସରେ ତାପରେ ଜର୍ମାନୀ ଓ ଆମେରିକାରେ ଏବଂ ଶେଷରେ ଇଂଲଣ୍ଡରେ ।

 

ତାଙ୍କର ମର ଦେହକୁ ସମାଧିସ୍ଥ କରାଯାଇଥିବା ସମୟରେ ତାଙ୍କୁ ସ୍ମରଣ କରି ଯେଉଁ ବାଗ୍ମୀମାନେ ଆପଣା ଆପଣାର ମନ୍ତବ୍ୟ ପ୍ରକାଶ କରିଥିଲେ ସେମାନଙ୍କ ମଧ୍ୟରେ ତତ୍କାଳୀନ ଇଉରୋପର ସମ୍ଭବତଃ ସବୁଠାରୁ ଅଧିକ କଳାନୁରାଗୀ ତଥା ସମୀକ୍ଷା ଶକ୍ତିସମ୍ପନ୍ନ ବ୍ୟକ୍ତି ଶ୍ରୀଯୁକ୍ତ ଅର୍ନେଷ୍ଟ୍‍ ରେନାନ୍‍ ତୁର୍ଗେନିଭ୍‌ଙ୍କୁ ଆମ ସମୟର ଜଣେ ସର୍ବାପେକ୍ଷା ମହାନ୍ ଲେଖକ ବୋଲି ବର୍ଣ୍ଣନା କରିଥିଲେ; “ସେହି ସିଦ୍ଧବିଦ୍ୟ ଲେଖକଙ୍କର ସୁପ୍ରସିଦ୍ଧ କୃତିଗୁଡ଼ିକ ଆମର ଏହି ଶତାବ୍ଦୀଟିକୁ ବସ୍ତୁତଃ ମୁଗ୍ଧ କରି ପାରିଛି ଏବଂ ଯେକୌଣସି ଅନ୍ୟ ବ୍ୟକ୍ତିର ତୁଳନାରେ ହିଁ ଆମର ଏହି ସମଗ୍ର ସମୂହଟିର ପ୍ରତିନିଧିତ୍ଵ ମଧ୍ୟ କରିପାରିଛି ।” କାରଣ, “ତାଙ୍କ ମଧ୍ୟରେ ଏକ ସମଗ୍ର ପୃଥିବୀ ହିଁ ପ୍ରତିଭାତ ହୋଇପାରିଥିଲା ଏବଂ ତାଙ୍କରି ମୁଖକୁ ମାଧ୍ୟମରୂପେ ବ୍ୟବାହର କରି ଆପଣାକୁ ପ୍ରକଟ କରିପାରିଥିଲା ।” କେବଳ ସେହି ଗୋଟିଏ ରୁଷିଆ ଦେଶର ନୁହେଁ, ସ୍ଲାଭେନିକ୍ ସେହି ସମଗ୍ର ପୃଥିବୀଟି ବୋଲି ନିଃସନ୍ଦେହ ଭାବରେ କୁହାଯାଇ ପାରିବ । ଏବଂ “ଏତେ ଅଧିକ ଦକ୍ଷତାସମ୍ପନ୍ନ ଜଣେ ମହାନ୍ ବ୍ୟକ୍ତିଙ୍କର ଲେଖନୀ ଦ୍ଵାରା ହିଁ ସେହି ପୃଥିବୀଟିକୁ ଏଡ଼େ ବଡ଼ ସେହି ସମ୍ମାନଟି ପ୍ରାପ୍ତ ହୋଇ ପାରିଥିଲା ।”

 

ଏହି ଏତେ ବଡ଼ ସ୍ଵୀକୃତି ଅବଶ୍ୟ ଏକ କ୍ରମ-ଉତ୍ତରଣର ପ୍ରକ୍ରିୟାରେ ହିଁ ଉପଲବ୍ଧ ହୋଇଥିଲା । ସେହି ରୁଷିଆର ଆଉଜଣେ ମହାନ୍ ଲେଖକ କାଉଣ୍ଟ୍ ଟଲ୍‌ଷ୍ଟୟ ଯେପରି ନିଜର ଲେଖକ-ଜୀବନ ଆରମ୍ଭ କରୁ କରୁ ହିଁ ସେହି ଭୂମିରେ ଯେଉଁଭଳି ଉତ୍କଣ୍ଠା ତଥା ଉତ୍ସାହର ପ୍ଲାବନ ସୃଷ୍ଟି କରିଥିଲେ, ସେପରି ଆଦୌ ନୁହେଁ । ପୁନଶ୍ଚ, ଜନଗଣଙ୍କର କଳ୍ପନାରାଜ୍ୟଟିକୁ ଆସି ପହଞ୍ଚିବା ମାତ୍ରକେ ହିଁ ସ୍ୱପରାକ୍ରମ ଦ୍ଵାରା ଅଧିକାର କରିନେବାରେ ବ୍ୟକ୍ତିତ୍ୱ କିମ୍ବା ପ୍ରତିଭା ମଧ୍ୟ ତର୍ଗେନିଭ୍‌ଙ୍କ ଠାରେ ଆଦୌ ନଥିଲା ।

 

ତୁର୍ଗେନିଭ୍‌ଙ୍କ ମଧ୍ୟରେ ଥିବା ସୃଜନଶୀଳ ପ୍ରତିଭାର ପ୍ରଭବସାମର୍ଥ୍ୟକୁ ସକଳ ସମୟର ପ୍ରଖ୍ୟାତତମ ଲେଖକମାନଙ୍କ ସହିତ ସମପଂକ୍ତିରେ ହିଁ ଅବଶ୍ୟ ଛିଡ଼ା କରାଯାଇ ପାରିବ । ତାଙ୍କର ଚରିତ୍ରମାନଙ୍କ ମଧ୍ୟରେ ବହୁ ମନୁଷ୍ୟ-ପୁରୁଷ ତଥା ବିଶେଷତଃ ନାରୀଚରିତ୍ରମାନେ ଏବଂ ସେମାନଙ୍କର ଭଳି ଭଳି ତଥ୍ୟର ପ୍ରକୃତରେ ଅନନ୍ୟ ନାନା ପରିଚିତ ସର୍ବଦାର ରହିଥିଲେ ମଧ୍ୟ ତଥାପି ? ସେମାନେ ସେହି ବାସ୍ତବ ଜୀବନଟି ମଧ୍ୟରୁ ହିଁ କୃତିଗୁଡ଼ିକ ମଧ୍ୟକୁ ସଂଗୃହୀତ ହୋଇ ଆସିଥିଲେ; —ତୁର୍ଗେନିଭ୍ ସେହିମାନଙ୍କୁ ଆଣି ହିଁ ଆମ ସମସ୍ତଙ୍କର ସମକ୍ଷରେ ଉପସ୍ଥାପିତ କରି ପାରିଛନ୍ତି । କେତେ କେତେ ଆୟତନର ମନଃସତ୍ୟ ଗୁଡ଼ିକୁ ଆବିଷ୍କାର କରିଛନ୍ତି, ମାନବ-ଅନୁଭୂତିର କେତେ କେତେ ସୂକ୍ଷ୍ମ ଛାୟା ଓ ଅନୁଛାୟାକୁ ଆମପାଇଁ ଆଣି ଥାପି ଦେଇଛନ୍ତି । ଏତେ ସିଦ୍ଧି ଆମ ପୃଥିବୀର କେବଳ ବିରଳ ମହତ୍ତମମାନେ ହିଁ ସମ୍ଭବ କରିଛନ୍ତି ଏବଂ ସେମାନେ ତଦ୍ଦ୍ଵାରା ଆପଣାର ଦେଶ ତଥା ପୃଥିବୀ ନିମନ୍ତେ ସ୍ଵ-ଉତ୍ତରାଧିକାରର ଗୋଟିଏ ଗୋଟିଏ କଳାତ୍ମକ ନମୁନା ହିଁ ରଖି ଯାଇଛନ୍ତି ।

 

ଏବଂ ଆପଣାର ସାମଗ୍ରୀଗୁଡ଼ିକୁ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଆକାର ମଧ୍ୟକୁ ସମ୍ପାଦି ଆଣି ସେ ଯେଉଁ ଶୈଳୀର ଅନୁସରଣ କରିଛନ୍ତି, ସେହି ଦୃଷ୍ଟିରୁ ଶ୍ରୀଯୁକ୍ତ ତୁର୍ଗେନିଭ୍‌ଙ୍କୁ ଜଣେ କେବଳ ଶୁଦ୍ଧ କଳାକାରଠାରୁ ଅନେକ ଅଧିକ ଉଚ୍ଚସ୍ଥାନର ବୋଲି ନିଶ୍ଚୟ କୁହାଯିବ । ଟଲ୍‌ଷ୍ଟୟ ଅଧିକ ସ୍ଥିତିସ୍ଥାପକ ଅର୍ଥାତ୍ ସୁନମ୍ୟ ଏବଂ ତୁର୍ଗେନିଭ୍‌ଙ୍କ ଭଳି ସୁନିଶ୍ଚିତ ଭାବରେ ପ୍ରାୟ ସମାନ ଦକ୍ଷ ଭାବରେ ଗଭୀର, ମୌଳିକ ଏବଂ ସୃଜନାତ୍ମକ ଶକ୍ତିରେ ସମୃଦ୍ଧିବାନ୍ । ଏବଂ ଶ୍ରୀଯୁକ୍ତ ଦସ୍ତୋଏଭ୍‌ସ୍କି ଅଧିକ ସାନ୍ଦ୍ରତାଯୁକ୍ତ ଆବେଶପୂର୍ଣ୍ଣ ଓ ନାଟକୀୟ । କିନ୍ତୁ ଜଣେ ପ୍ରକୃତ କଳା-ସୃଜନକାରୀ ହିସାବରେ, ବିଶଦ ଭାବରେ ସକଳ ଟିକିନିଖିର ବର୍ଣ୍ଣନା ଦେବାରେ ଓ ତଥାପି ସୌଷମ୍ୟଯୁକ୍ତ ସମଗ୍ରର ଅବଧାରଣା ଆଣି ଦେବାରେ, କଳ୍ପନାଶକ୍ତିର କ୍ରିୟାଶୀଳତା ଜଣେ ସ୍ଥପତିରୂପେ ତୁର୍ଗେନିଭ୍ ତାଙ୍କ ଦେଶର ସକଳ ଗଦ୍ୟଲେଖକଙ୍କ ମଧ୍ୟରେ ସର୍ବଦା ନିଶ୍ଚୟ ସମସ୍ତଙ୍କର ଆଗରେ ହିଁ ରହିଥିବେ ତଥା ଅନ୍ୟାନ୍ୟ ଦେଶର ପ୍ରଖ୍ୟାତ ଅନେକ ଉପନ୍ୟାସ-ଲେଖକଙ୍କ ତୁଳନାରେ ମଧ୍ୟ ଆଗରେ ସ୍ଥାନ ପାଇବେ । ପଚିଶି ବର୍ଷ ପୂର୍ବେ, ତାଙ୍କ ଦ୍ଵାରା ଲିଖିତ ଗୋଟିଏ କ୍ଷୁଦ୍ରଗଳ୍ପର ଅନୁବାଦକୁ ପଢ଼ି ଆପଣା ଖ୍ୟାତିର ଶୀର୍ଷବିନ୍ଦୁରେ ରହିଥିବା ଜର୍ଜ୍ ସାଣ୍ଡ୍ ତାଙ୍କ ପାଖକୁ ଏକ ପତ୍ର ଲେଖି ଜଣାଇଥିଲେ, “ମହାଭାଗ, ଆମେ ପ୍ରାୟ ସକଳେ ହିଁ ଆପଣଙ୍କ ବିଦ୍ୟାଳୟର ଜଣେ ଜଣେ ଛାତ୍ର ହେବାର ଅବଶ୍ୟ ଯୋଗ୍ୟ ହେବୁ ।” ଏହି ପ୍ରଶଂସାସୂଚକ କଥାଟି ଏକ ଉଦାରଭାବରେ ପ୍ରକଟ କରାଯାଇଥିବ—କାରଣ ଏତେ ଅଧିକ ପରିମାଣରେ ଏକ ନିପୁଣ କଳାସମ୍ପନ୍ନତାର ଗାରକୁ ସ୍ପର୍ଶ କରିଥିବା ଫରାସୀ ସାହିତ୍ୟର ଜଣେ ପ୍ରତିନିଧି ହିଁ ଏହି କଥାଟିକୁ ବ୍ୟକ୍ତ କରିଥିଲେ । କିନ୍ତୁ ତାହାକୁ ଆମେ ଏକ ଅତିରଞ୍ଜିତ ତୋଷାମଦୀ କଥା ବୋଲି ମୋଟେ କହି ପାରିବା ନାହିଁ । ଜଣେ କଳାକାରିତାପୂର୍ଣ୍ଣ ଲେଖକରୂପେ ଶ୍ରୀ ତୁର୍ଗେନିଭ୍ ବସ୍ତୁତଃ ସେହି ଶାସ୍ତ୍ରୀୟ ସର୍ବାଗ୍ରମାନଙ୍କର ପଂକ୍ତିରେ ହିଁ ସର୍ବଦା ଗଣା ହେବେ, ଯେଉଁମାନଙ୍କୁ ବି ଆମେ ସେମାନଙ୍କର ଅବଦାନଗୁଡ଼ିକ ଅତ୍ୟନ୍ତ ପୁରୁଣା ହୋଇଯିବା କାରଣରୁ ସେମାନଙ୍କ ପ୍ରତି ଆମର ଆଗ୍ରହଗୁଡ଼ିକ ହ୍ରାସ ହୋଇଯିବା ପରେ ମଧ୍ୟ ତଥାପି ସେମାନଙ୍କୁ ସେମାନଙ୍କର ନିଖୁଣ ଆଙ୍ଗିକଗୁଡ଼ିକ ସକାଶେ ଅବଶ୍ୟ ଅଧ୍ୟୟନ କରୁଥିବା ଏବଂ ଖୁବ୍ ପ୍ରଶଂସା ମଧ୍ୟ କରୁଥିବା । କିନ୍ତୁ, ସମ୍ଭବତ ଏଭଳି ମଧ୍ୟ ଘଟିଛି ଯେ, କଳା ଏବଂ ସୁନ୍ଦରତା ଦିଗରେ ଖାସ୍ ଏତେ ବେଶି ଆନୁଗତ୍ୟ ଦେଖାଇଥିବା ହେତୁ ହିଁ ସେ ଜାଣିଶୁଣି ଆପଣାର କଳାକୃତି ଗୁଡ଼ିକୁ ଏତେ ଅଳ୍ପସଂଖ୍ୟକ କରି ରଖିବା ନିମନ୍ତେ ବି ମନସ୍ଥ କରିଥିଲେ ।

 

ତୁର୍ଗେନିଭ୍‌ଙ୍କର ରଚନାଗୁଡ଼ିକ ସହିତ ପରିଚିତ ଜଣେ ବ୍ୟକ୍ତି ଲାଗି ଅବଶ୍ୟ ସ୍ପଷ୍ଟ ହୋଇଯିବ ଯେ, ମନୁଷ୍ୟମାନଙ୍କର ସକଳ ଭାବାବେଗର ରହସ୍ୟଗୁଡ଼ିକୁ ସେ ଅତ୍ୟନ୍ତ ଭଲଭାବରେ ହିଁ ଜାଣିଥିଲେ—ଉଭୟ ଉଚ୍ଚତମ ଏବଂ ନିମ୍ନତମ ଭାବାବେଗମାନଙ୍କୁ, —ଉଚ୍ଚସ୍ତରୀୟ ତଥା ନ୍ୟୂନସ୍ତରୀୟ ଦୁଇଟିଯାକକୁ । ଆପେ ଅବସ୍ଥିତ ରହିଥିବା ତୁଙ୍ଗ ଉଚ୍ଚତାରେ ଅବସ୍ଥିତ ରହି ହିଁ ସେଗୁଡ଼ିକ ଉପରେ ଦୃଷ୍ଟିପାତ କରୁଥିଲେ, —ଏବଂ ସବୁଗୁଡ଼ିକୁ ହିଁ ଉତ୍ତମ ଭାବରେ ବୁଝୁଥିଲେ । ବାହାରର ପ୍ରକୃତିକୁ ତଥା ତାହାରି ମଧ୍ୟରେ ବଞ୍ଚୁଥିବା ମନୁଷ୍ୟଟିକୁ ବି । ତାଙ୍କର ଥିର ଆଖିଗୁଡ଼ିକ ପ୍ରକୃତରେ ଏହି ସବୁକିଛି ଭିତରକୁ ଅତ୍ୟନ୍ତ ଗଭୀର ଭାବରେ ଭେଦିଯାଇ ପାରୁଥିଲା । ଜୀବନର ଅପେକ୍ଷାକୃତ ପରବର୍ତ୍ତୀ ପର୍ଯ୍ୟାୟରେ ସିଏ ଯାହାସବୁ ରଚନା କରିଛନ୍ତି, ସେଗୁଡ଼ିକରେ ମଧ୍ୟ ଶ୍ରୀ ତୁର୍ଗେନିଭ୍ ଆମକୁ ଦର୍ଶାଇ ଦେଇଛନ୍ତି ଯେ, ସିଏ ତୁଚ୍ଛା କାଳ୍ପନିକ, ଭୟଙ୍କର ଛବିକୁ ରହସ୍ୟଦ୍ଵାରା ଆବୃତ ତଥା ଅବୋଧ୍ୟଗୁଡ଼ିକ ଉପରେ ପୂର୍ଣ୍ଣ କୁଶଳତା ଦେଖାଇବାରେ ମଧ୍ୟ ଏଡ଼୍‌ଗାର ପୋ, ହଫମାନ୍ ଓ ଦସ୍ତୋଏଭ୍‌ସ୍କି ପ୍ରଭୃତି ସୁଦକ୍ଷଙ୍କର ଅବଶ୍ୟ ସମକକ୍ଷ ହୋଇପାରିବେ । ଏହି ଯାବତୀୟ ଉପାଦାନ ବସ୍ତୁତଃ ଆମ ମନୁଷ୍ୟମାନଙ୍କର ସ୍ନାୟୁଗୁଡ଼ିକ ମଧ୍ୟରେ ହିଁ କୌଣସି ନା କୌଣସି କ୍ଷେତ୍ରରେ ଅବସ୍ଥାନ କରୁଛନ୍ତି ଏବଂ ସେଗୁଡ଼ିକୁ କେବଳ ଆମ ମଥାର ଅଭ୍ୟସ୍ତ ବୁଦ୍ଧି ସଙ୍ଗତିଟି ଦ୍ଵାରା ବୁଝାଇଦେଇ ହେବନାହିଁ ।

 

ମାତ୍ର, ଶ୍ରୀଯୁକ୍ତ ତୁର୍ଗେନିଭ୍ ଆପଣାର ଅନ୍ତର ଭିତରେ ଅନ୍ତର ଭିତରେ ଆଲୋକ, ସୂର୍ଯ୍ୟରଶ୍ମି, ତଥା ଜୀବନାବେଗ ଦ୍ଵାରା ସଦା ସଚଳ ହୋଇ ରହିଥିବା ଏହି ମନୁଷ୍ୟର କାବ୍ୟମୟ ସ୍ଵାଭାବିକତା ଇତ୍ୟାଦି ପ୍ରତି ତାଙ୍କର ଶ୍ରଦ୍ଧାର ଭାବଟିକୁ ମଧ୍ୟ ସାଇତି ରଖି ପାରିଥିଲେ ଏବଂ ଅନ୍ୟ ପକ୍ଷରେ ଯାହାକିଛି ଅସୁନ୍ଦର, ସ୍ଥୂଳତାଯୁକ୍ତ ଏବଂ ବିସଂଗତ, ସେଗୁଡ଼ିକୁ ସତେଅବା ହାଡ଼େ ହାଡ଼େ ଘୃଣା ମଧ୍ୟ କରୁଥିଲେ ଏବଂ ସେହି କାରଣରୁ ହିଁ ସେ ଏହି ମନୁଷ୍ୟ-ପ୍ରକୃତିର କୋମଳ ଦିଗଟିର ପ୍ରାୟ ଜଣେ ପ୍ରକାଶ୍ୟ କବି ସଦୃଶ ମଧ୍ୟ ଆପଣାକୁ ଗଠନ କରି ନେଇ ପାରିଥିଲେ । ସିଏ ଉପସ୍ଥାପିତ କରିଥିବା ଚିତ୍ରଣମାନଙ୍କର ସୀମାନ୍ତ ଅର୍ଥାତ୍ ପୃଷ୍ଠଭୂମି ଗୁଡ଼ିକରେ, ସତେଅବା କୌଣସି ବିରୋଧ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଦେଇ ସିଏ ଏହି ଜୀବନର ପାପ, ହୃଦୟହୀନତା ଏବଂ ଏପରିକି କର୍ଦ୍ଦମଗୁଡ଼ିକୁ ଆଣି ଦେଖାଇ ଦେବାକୁ ମଧ୍ୟ ଇଚ୍ଛା କରିଛନ୍ତି, ତଥାପି, ସେହି ଅନ୍ଧାକାରମୟ ଭାଗଗୁଡ଼ିକରେ ହିଁ କଦାପି ରହିଯିବାକୁ ଇଚ୍ଛା କରିନାହାନ୍ତି ଏବଂ ସର୍ବଦା ତ୍ଵରାର ସହିତ ପୁନର୍ବାର ସୂର୍ଯ୍ୟାଲୋକ ଏବଂ ଫୁଲଗୁଡ଼ିକ ପାଖକୁ ଲେଉଟି ଆସିଛନ୍ତି; ଅଥବା, ଏକ ବିଷାଦମୟତାର କବିସୁଲଭ ଚନ୍ଦ୍ରାଲୋକ ମଧ୍ୟକୁ, ଯେଉଁଟିକୁ ସେ ସବୁଠାରୁ ଅଧିକ ଭଲ ପାଉଥିଲେ । କାରଣ ସେଇଟି ମଧ୍ୟରେ ହିଁ ତୁର୍ଗେନିଭ୍ ଆପଣାର ସେହି ବିଶାଳ ଦୁଃଖାନୁଭବୀ ହୃଦୟଟିର ଭାବରାଶିକୁ ଏକ ଅଭିବ୍ୟକ୍ତି ଆଣି ଦେଇ ପାରୁଥିଲେ ।

 

ଏପରିକି, ଈର୍ଷା ଏବଂ ଦ୍ଵେଷ ଯାହାକୁ କି ମନୁଷ୍ୟର ଚିତ୍ତବୃତ୍ତି-କ୍ଷେତ୍ରରେ ସବୁଠାରୁ ଅଧିକ କବିସୁଲଭ ବୋଲି କହିହେବ, ସେହି ଉପାଦାନଟିର ଏକ କଳା-ଛାଇ ବୋଲି କହିହେବ, ଜଣେ କୋମଳଚିତ୍ତ କଳାକାର ସାଧାରଣତଃ ସେଇଟିରୁ ଆପଣାକୁ ଯଥାସମ୍ଭବ ଦୂରରେ ହିଁ ନେଇ ରଖିଥାଏ । ସିଏ ପ୍ରକୃତରେ ସେଇଟିର କୌଣସି ବର୍ଣ୍ଣନା ଆଡ଼େ ଇଚ୍ଛା କରେନାହିଁ ଏବଂ ତେଣୁ କେବଳ ତରତର ଭାବରେ ଅଳ୍ପ କିଛି କାର୍ଯ୍ୟ ସାରିଦିଏ । ମାତ୍ର, ଏପରି କୌଣସି ଉପନ୍ୟାସଲେଖକ ନାହାନ୍ତି, ଯିଏକି ପ୍ରେମ ନାମକ ସେହି ଶୁଦ୍ଧ, ସ୍ଵଚ୍ଛ ତଥା ଶାଶ୍ଵତ ତାରୁଣ୍ୟପୂର୍ଣ୍ଣ ଅନୁଭବଟିକୁ ପ୍ରକୃତରେ ଏତେ ଅଧିକ ସ୍ଥାନ ଦେଇ ପାରିଥିବେ । ଆମେ ତ ବସ୍ତୁତଃ ସେହି ପ୍ରେମର ବର୍ଣ୍ଣନାକୁ ହିଁ ତୁର୍ଗେନିଭ୍‌ଙ୍କ ରଚନାଗୁଡ଼ିକର ଏକ ସବାବଡ଼ ବିଶେଷତ୍ଵ ବୋଲି କହିପାରିବା । ଶ୍ରୀ ଫ୍ରାନ୍ସେସ୍କୋ ପେଟ୍ରୋର୍କା ରୋମାଞ୍ଚରେ ପରିପୂର୍ଣ୍ଣ, କୃତ୍ରିମ ତଥା ଉତ୍ତାପଯୁକ୍ତ ପ୍ରକାରର ଉତ୍ସାହ ଖାସ୍ ପ୍ରେମର କ୍ଷେତ୍ରରେ ଯାହା କରି ପାରିଲେ, ତୁର୍ଗେନିଭ୍ ସତକୁ ସତ ସ୍ଵଭାବପ୍ରେରିତ, ସ୍ଵତଃସ୍ଫୁର୍ତ୍ତ ତଥା ଆଧୁନିକ ପ୍ରକାରର ପ୍ରେମର କ୍ଷେତ୍ରରେ ଅନେକତଃ ତାହାହିଁ କରିଛନ୍ତି; —ହଁ, ଯାବତୀୟ ସକଳ ପ୍ରକାରର, ଆଙ୍ଗିକର ତଥା ଅଭିବ୍ୟକ୍ତିର—ଧୀର ଏବଂ କ୍ରମଶଃ ଏବଂ ସତ୍ଵର ଓ ସହସା ଗତିସମ୍ପନ୍ନ, ଅନ୍ତରକୁ ଆଲୋଡ଼ିତ କରି ପାରୁଥିବା ପ୍ରେମ, ଉଲ୍ଲାସକାରୀ ତଥା ପ୍ରେରଣାରେ ପରିପୂର୍ଣ୍ଣ । ପୁଣି, ଯୁଗପତ୍ ଭାବରେ ଜୀବନକୁ ବିଷରେ ଭରି ଦେଉଥିବା ପ୍ରେମ ଏବଂ ଭୟାନକ ପ୍ରେମ, ଯାହାକି ସତେଅବା କୌଣସି ଅନାରୋଗ୍ୟ ବ୍ୟାଧି ପରି ଜଣେ ବ୍ୟକ୍ତିକୁ ଆକ୍ରାନ୍ତ କରି ରଖିବାକୁ ଆସିଥାଏ । ଶ୍ରୀଯୁକ୍ତ ତୁର୍ଗେନିଭ୍ ଯେ ସେହି ଭାବାବେଗ ଗୁଡ଼ିକୁ କେତେ ନା କେତେ କଦାପି କ୍ଷୟ ହେଉନଥିବା ସମୃଦ୍ଧତା, ନିଷ୍କପଟତା ତଥା ସଦାସତେଜତା ସହିତ ଅଭିବ୍ୟକ୍ତି କରି ଆଣି ପାରିଛନ୍ତି, ସେଥିରେ କେତେକ ପରିମାଣରେ ଏକ ଅସାଧାରଣତା ମଧ୍ୟ ବିଦ୍ୟମାନ ରହିଥାଏ—ଏବଂ ବସ୍ତୁତଃ ସେହି ଉପାଦାନଟି ତ ଦୀର୍ଘ ଦୁଇହଜାର ବର୍ଷ କାଳ ସବୁ କବି ଓ ଉପନ୍ୟାସକାରଙ୍କର ଅସଲ ପ୍ରୟାସ ଏବଂ ପ୍ରସଙ୍ଗ ମଧ୍ୟ ହୋଇ ଆସିଛି ।

 

ଶ୍ରୀମତୀ କାରୋଲିନ୍ ବାଉଅରଙ୍କର ସୁପରିଚିତ ସଂସ୍କରଣ ଗୁଡ଼ିକରେ ଆମକୁ ପାଗାନିନିଙ୍କ ସମ୍ବନ୍ଧରେ ଏକ ବିଚିତ୍ର କାହାଣୀ ପାଠ କରିବାକୁ ମିଳିବ । ଲେଖିକା ପ୍ରକାଶ କରିଛନ୍ତି, ଯେ, ଉକ୍ତ ସୁବିଖ୍ୟାତ ଜାଦୁଗର ତାଙ୍କର ଦେଖଣାହାରୀମାନଙ୍କର ଭାବାବେଗ ଗୁଡ଼ିକ ଉପରେ ଯେ ଏକ ଅସାମାନ୍ୟ ନିୟନ୍ତ୍ରଣ ରଖି ପାରିଥିଲେ, ସେଥିରେ ସେ ଖିଏ ତନ୍ତୁକୁ ହିଁ ଆପଣାର ଏକମାତ୍ର ବିଶେଷ ସାଧନରୂପେ ବ୍ୟବହାର କରୁଥିଲେ, —ସେହି ତନ୍ତୁଟି ଗୀତ ଗାଇ ପାରୁଥିଲା, କାନପାଖରେ ଫୁସ୍‌ଫୁସ୍ ହୋଇ ପାରୁଥିଲା, କାନ୍ଦି ପାରୁଥିଲା ଏବଂ ଗର୍ଜନ ବି କରି ପାରୁଥିଲା, —ତାଙ୍କର ଚମତ୍କାର ଶକ୍ତି ରହିଥିବା ଧନୁଟିକୁ ସ୍ପର୍ଶ କରିବା ମାତ୍ରକେ ତନ୍ତୁଟି ସବୁକିଛି କରୁଥିଲା ।

 

ପ୍ରେମର ବର୍ଣ୍ଣନା କରିବାରେ ତୁର୍ଗେନିଭ୍‌ଙ୍କର ସତକୁ ସତ ଏହିପରି କୌଣସି ସାମର୍ଥ୍ୟ ରହିଥିଲା ପରି ହିଁ ଲାଗେ । ତାଙ୍କର ବାଦ୍ୟଯନ୍ତ୍ରଟିରେ ପ୍ରକୃତରେ ଏକାଧିକ ଅନ୍ୟ ତନ୍ତୁ ବି ଅବଶ୍ୟ ଥିଲା, କିନ୍ତୁ ଏହି ବିଶେଷଟିକୁ ସ୍ପର୍ଶ କରି ହିଁ ସେ ପାଠକମାନଙ୍କୁ ସର୍ବାଧିକ ପରିମାଣରେ ପ୍ରଭାବିତ ଏବଂ ଅଭିଭୂତ କରି ପାରୁଥିଲେ । ହଁ, ତାଙ୍କ କାହାଣୀଗୁଡ଼ିକୁ ଆଦୌ ଗୋଟିଏ ଗୋଟିଏ ପ୍ରେମକବିତା ବୋଲି କୁହାଯାଇ ପାରିବ ନାହିଁ । ଆପଣାର ଉଚ୍ଚତମ ସାମର୍ଥ୍ୟର ସ୍ତରରେ ଜଣେ ମନୁଷ୍ୟର ଆତ୍ମା ବସ୍ତୁତଃ ଯେଉଁ ଅନୁଭବଗୁଡ଼ିକର ପରିଚୟ ଆଣି ଦେଇଥାଏ, ଶ୍ରୀ ତୁର୍ଗେନିଭ୍ ନିଜର ପାଠକମାନଙ୍କୁ କେବଳ ସେତିକି ଆଣି ବାଢ଼ିଦେବାକୁ ହିଁ ନିଜର କାମ୍ୟ ବୋଲି ଜାଣିଥାଆନ୍ତି-। ସେହି ଅନୁଭବ ଗୁଡ଼ିକ ସତେଅବା କୌଣସି କଡ଼େଇ ଭିତରେ ଆସି ପଡ଼ିଥିବା ପରି ବିଗଳିତ ହୋଇଯାଏ ଏବଂ ସେହି ପ୍ରକ୍ରିୟାଟି ଦ୍ଵାରା ଆପଣାର ଖାଦକୁ ଆପଣାର ଶୁଦ୍ଧ ଧାତୁଅଂଶଟି ଠାରୁ ଅଲଗା କରି ଦେଖାଇ ଦେଉଥାଏ ।

 

ରୁଷିଆ ଦେଶର ସ୍ଵକାଳୀନ କୃଷକଜୀବନର ଚିତ୍ରଗୁଡ଼ିକୁ ବର୍ଣ୍ଣନା କରି ତୁର୍ଗେନିଭ୍ ଆପଣାର ଲେଖକଜୀବନ ଆରମ୍ଭ କରିଥିଲେ ଓ ବହୁତ ଲୋକପ୍ରିୟତା ଲାଭ କରିଥିଲେ । ‘ଜଣେ କ୍ରୀଡ଼ାବିତର ଡାଏରୀ’ ନାମକ ବହିଟିରେ ତାଙ୍କର କେତେକ ସର୍ବୋତ୍ତମ ଗଳ୍ପକୁ ଅନ୍ତର୍ଗତ କାରାଯାଇଛି ତଥା ‘ଗାଆଁର ଏକ ସରାଇଘର’—କିଛି ବର୍ଷ ପରେ ତାଙ୍କର ପ୍ରତିଭା ପରିପକ୍ଵତା ଲାଭ କରିବାପରେ ଯାହା ପ୍ରକାଶିତ ହୋଇଥିଲା—ସଂକଳନଟିକୁ ନିଶ୍ଚିତ ଭାବରେ ହିଁ ଟଲ୍‌ଷ୍ଟୟଙ୍କର ସର୍ବପ୍ରସିଦ୍ଧ ସାନ ପୁସ୍ତକ ‘ପୋଲିକୁଗ୍‌କା’ ସହିତ ଏକ ସମାନ କୃତିତ୍ଵର ରଚନା ବୋଲି ଅବଶ୍ୟ କୁହାଯିବ ।

 

ସବୁ ଶ୍ରେଣୀର ରୁଷୀୟ ଜନଗଣଙ୍କର ବହୁ ଅବସ୍ଥାର ଜୀବନର ଚିତ୍ରଣ କରିବାରେ ତାଙ୍କର ବସ୍ତୁତଃ ସାମର୍ଥ୍ୟ ମଧ୍ୟ ରହିଥିଲା । ତଥାପି, ନିଜର ବୃହତ୍ତର ରଚନା ଗୁଡ଼ିକରେ ତୁର୍ଗେନିଭ୍ ନିଜ ଦେଶର ଏକ ବିଶେଷ ଶ୍ରେଣୀର ଲୋକଙ୍କର ଜୀବନଚିତ୍ରଣମାନ ପ୍ରଦାନ କରିବାରେ ସର୍ବାଧିକ ମନୋନିବେଶ ହିଁ କରିଥିଲେ । ତାଙ୍କର ଚିତ୍ରଣପଟଟି କାଉଣ୍ଟ ଟଲଷ୍ଟୟଙ୍କର ଭୂମିଟି ତୁଳନାରେ ସେତେ ପ୍ରକାଣ୍ଡ ନଥିଲା—ସେଗୁଡ଼ିକରେ ତ ପାଠକମାନଙ୍କୁ ତମାମ ରୁଷିଆ ଦେଶଟିର ହିଁ ବର୍ଣ୍ଣନାର ଏକ ଉପସ୍ଥାପନା କରାହୋଇଛି । ଅପର ପକ୍ଷରେ ତୁର୍ଗେନିଭ୍‌ଙ୍କର ଉପନ୍ୟାସ ମାନଙ୍କରେ ଆମେ କେବଳ ଶିକ୍ଷିତ ବର୍ଗଙ୍କର ସମ୍ପର୍କରେ ହିଁ ଆସୁ; ବରଂ ଅଧିକ ପ୍ରାସଙ୍ଗିକତା ସହିତ କୁହାଯିବ ଯେ, ଅପେକ୍ଷାକୃତ ଅଧିକ ଅଗ୍ରସରତା ହାସଲ କରିଥିବା ଶିକ୍ଷିତମାନଙ୍କର ସମ୍ପର୍କରେ । ତୁର୍ଗେନିଭ ସେହି ବର୍ଗଟିକୁ ହିଁ ସର୍ବୋତ୍ତମ ଭାବରେ ଜାଣିଥିଲେ, କାରଣ ସିଏ ନିଜେ ମଧ୍ୟ ତ ସେହି ଶ୍ରେଣୀର ଅନ୍ତର୍ଗତ ଜଣେ ବ୍ୟକ୍ତି ଥିଲେ ।

 

ଏପରି ଗୋଟିଏ ବିଶେଷ ସୀମା ରହିଥିଲା ବୋଲି କହି ଆମେ ଆଦୌ କୌଣସି ପ୍ରକାରେ ମୋଟେ ଦୁଃଖ ପ୍ରକାଶ କରିବା ନାହିଁ । ବହୁତ ସମୟରେ ଗୁଣାତ୍ମକତା ମଧ୍ୟ ପରିମାଣ ସମ୍ମୁଖରେ ଆପଣାର ସ୍ଵତନ୍ତ୍ରତାଟିକୁ ଅବଶ୍ୟ ଅବଶ୍ୟ ଅତୁଟ କରି ରଖିଥାଏ । ସଂଖ୍ୟାରେ ଅଳ୍ପ ହୋଇଥିଲେ ମଧ୍ୟ ତୁର୍ଗେନିଭ୍ ବର୍ଣ୍ଣନା କରିଥିବା ରୁଷିଆ ସମାଜର ସେହି ବର୍ଗଟି ମଧ୍ୟ ଖୁବ୍ ଉଲ୍ଲେଖଯୋଗ୍ୟ ଭାବରେ ଆମର ଆଗ୍ରହଗୁଡ଼ିକୁ ଆକର୍ଷିତ କରି ଆଣିଥାଏ, କାରଣ ସମଗ୍ର ରୁଷିଆର ମଥାଟିର ତ ସେହି ବର୍ଗଟି ହିଁ ପ୍ରତିନିଧିତ୍ଵ କରୁଥିଲା; —ଏକ ଜୀବନ୍ତ ଆଲୋଡ଼ନକୁ ସୃଜି ଆଣୁଥିଲା, ଯାହାକି ଦେଶର ପ୍ରକାଣ୍ଡ ଅଗଠିତ ସାଧାରଣ ମନୁଷ୍ୟ ଶ୍ରେଣୀଟିକୁ ମଧ୍ୟ ସଚଳ କରି ଆଣିବାର ସାମର୍ଥ୍ୟଟିକୁ ମଧ୍ୟ ଅବଶ୍ୟ ଧାରଣ କରୁଥିଲା । ସେମାନଙ୍କ ଦେଶର ଭବିଷ୍ୟଗତି ବସ୍ତୁତଃ ସେହିମାନଙ୍କ ଉପରେ ନିର୍ଭର କରୁଥିଲା । ପୁନଶ୍ଚ ଶ୍ରୀ ତୁର୍ଗେନିଭ୍ ଯେଉଁ ବର୍ଗଟିର ଜୀବନ ସହିତ ଆପେ ଉତ୍ତମରୂପେ ପରିଚିତ ଥିଲେ, ସେହିମାନଙ୍କ ଉପରେ ନିଜ ପ୍ରତିଭାକୁ ସଂକେନ୍ଦ୍ରିତ କରି ରଖିବା ଦ୍ୱାରା ହିଁ ତ ତାଙ୍କ ରଚନାଗୁଡ଼ିକର କଳାତ୍ମକ ମୂଲ୍ୟର ଅଭିବୃଦ୍ଧି ମଧ୍ୟ ହୋଇଥାଆନ୍ତା । ତାହା ହିଁ ତାଙ୍କର ମାନସ ତଥା ସମ୍ବେଦନାଗୁଡ଼ିକୁ ହିଁ ସର୍ବୋତ୍ତମ ଭାବରେ ସଂପୃକ୍ତ କରି ରଖିଥାନ୍ତା-। ତେଣୁ, ପ୍ରସ୍ଥଗୁଡ଼ିକର କ୍ଷେତ୍ରରେ ତୁର୍ଗେନିଭ୍ ଯେଉଁଟିକୁ ହରାଇଥିଲେ ବୋଲି ସମ୍ଭବତଃ କୁହାଯିବ, ସିଏ ନିଜର ବାଟଟିକୁ ଗ୍ରହଣ କରିନେଇ ଯଥାଯଥତା ଗଭୀରତା, ବିସ୍ମୟ ଉତ୍ପାଦନକାରୀ ବହୁ ସୂକ୍ଷ୍ମତା ଏବଂ ଟିକିନିଖି ଦିଗଗୁଡ଼ିକର ବର୍ଣ୍ଣନା କରି ଅର୍ଜନ କରାଯାଉଥିବା ସେହି ପ୍ରଭାବଶାଳିତା ଏବଂ ଏହି ସବୁକିଛିକୁ ମାଧ୍ୟମ କରି ଏକ ଅନନ୍ୟ ସୌନ୍ଦର୍ଯ୍ୟଶାଳିତା ହାସଲ କରିପାରି; ସିଏ ତାହାର ଅବଶ୍ୟ ଏକ କ୍ଷତିପୂରଣ ମଧ୍ୟ କରି ପାରିଲେ । ଏବଂ କଳାତ୍ମକ ସୃଜନର ଯେଉଁ ରତ୍ନଗୁଡ଼ିକୁ ଆମଲାଗି ରଖି ଦେଇଗଲେ, ସେଗୁଡ଼ିକ ତ ବର୍ତ୍ତମାନ କେତେ କେତେ ଜାତିର ସଂଗ୍ରହାଳୟ ମାନଙ୍କଠାରେ ହିଁ ସାଇତା ହୋଇ ରହିଲା । ସେଗୁଡ଼ିକର ଯେତେ ଅଧ୍ୟୟନ ହେଉଛି, ପାଠକମାନେ ତାହାରି ଅଧିକରୁ ଅଧିକ ପ୍ରଶଂସା ହିଁ କରିବାରେ ଲାଗିଛନ୍ତି ।

 

.....ଶ୍ରୀଯୁକ୍ତ ତୁର୍ଗେନିଭ୍ ସାଧାରଣ ସ୍ତରର ମନୁଷ୍ୟମାନଙ୍କ ପାଇଁ କେବଳ କିଛି ଲେଖିନାହାଁନ୍ତି; ସେ ସମାଜରେ ବାସ କରୁଥିବା ଶିଷ୍ଟବର୍ଗଙ୍କ ନିମନ୍ତେ ହିଁ ଯାହାକିଛି ଲେଖିଛନ୍ତି । ବିଦେଶରେ ଯେ ସିଏ ଅଧିକ ଖ୍ୟାତି ଅର୍ଜନ କରିଛନ୍ତି ଓ ତାଙ୍କର ପାଠକମାନଙ୍କର ସଂଖ୍ୟା ଯେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ତାହା ହିଁ ପ୍ରମାଣ କରି ଦେଉଛି, ସତକୁ ସତ ମହାନ୍ କଳାକୃତି ଗୁଡ଼ିକର କଦାପି କୌଣସି ଜାତିଗତ ସୀମା ନଥାଏ ଏବଂ ମୁଁ ଏପରି ମଧ୍ୟ ହୁଏତ କହିପାରିବି ଯେ ଆମର ଏହି ସାଂପ୍ରତିକ କାଳଟିରେ କଳାତ୍ମକ ରୁଚି ତଥା କଳାତ୍ମକ ବୋଧ ପୃଥିବୀଯାକ ସର୍ବତ୍ର ହିଁ ବୃଦ୍ଧି ପାଇବାରେ ଲାଗିଛି ।

 

 

ଗ୍ରନ୍ଥମାନଙ୍କରେ ଲେଖା ହୋଇ ରହିଛି ଯେ, ଜଣେ ଦୂରଦ୍ରଷ୍ଟା କବିକୁ ତା’ନିଜ ଦେଶରେ କେବେ କେହିହେଲେ ଚିହ୍ନନ୍ତି ନାହିଁ ଏବଂ ପ୍ରାୟ ସେହି ଆବହମାନ କାଳରୁ ହିଁ ଏହି ପୃଥ୍ଵୀଜୀବନର ତଥାକଥିତ ସବୁ ବିଫଳ ପଥଚାରୀ ସେହି ଅପବାଦ ସଦୃଶ ଭକ୍ତିଟିରୁ ହୁଏତ ଯାହାକିଛି ସାନ୍ତ୍ଵନା ମଧ୍ୟ ଲାଭ କରି ଆସିଛନ୍ତି । କିନ୍ତୁ ତଥାପି ଆମ ସମସ୍ତଙ୍କୁ ଏକଥାଟି ମଧ୍ୟ ଜଣାଅଛି ଯେ, ଏହି କଠୋର ଉକ୍ତିଟି କଳାସୃଜନର ମହାନ୍ ବ୍ୟକ୍ତିମାନଙ୍କର କ୍ଷେତ୍ରରେ କେବେହେଲେ ପ୍ରଯୁଜ୍ୟ ହୋଇପାରିବ ନାହିଁ । ତେଣୁ, ଏକାନ୍ତ ନିରର୍ଥକ ବୋଲି ମଧ୍ୟ ମନେ ହୋଇଥାଏ ଯେ, ଜଣେ କଳା-ସୃଜନକାରୀର ଦେଶବାସୀ, ଯେଉଁମାନଙ୍କ ନିମନ୍ତେ ତଥା ଯେଉଁମାନଙ୍କ ବିଷୟରେ ସିଏ ଯେତେ ଯାହାକିଛି ଲେଖିଛି—ସେମାନେ ବାହାରର ଜନଗଣଙ୍କର ତୁଳନାରେ ତାକୁ ଉପଯୁକ୍ତ ଏକ ସ୍ଵୀକୃତି ଦେବାରେ କେବେ ଅଳପ ଯୋଗ୍ୟ ବୋଲି ପ୍ରତିପାଦିତ ମଧ୍ୟ ହେବେ । ତଥାପି, ଏପରି କେତେକ ବିଶେଷ ଓ ବିଚିତ୍ର ସ୍ଥିତି ବି ରହିଥାଏ, ଯେତେବେଳେ ଅଘଟଣା ପରି କିଛି ଘଟେ । ଏବଂ ତୁର୍ଗେନିଭ୍‌ଙ୍କ କ୍ଷେତ୍ରରେ ପ୍ରକୃତରେ ସେହିଭଳି ହିଁ କିଛି ଘଟିଥିଲା ।

 

ବସ୍ତୁତଃ ସର୍ବପ୍ରଥମେ ବିଦେଶୀୟମାନେ ତାଙ୍କୁ ଜଣେ କଳାସ୍ରଷ୍ଟା ହିସାବରେ ତାଙ୍କର ପୂର୍ଣ୍ଣ ମୂଲ୍ୟ ପ୍ରଦାନ କରି ତାଙ୍କୁ ସ୍ଵୀକୃତି ଦେଇଥିଲେ । ଏବଂ ରୁଷ୍ ଦେଶର ଲୋକେ ସମ୍ଭବତଃ ଏବେ ଯାଇ ତାଙ୍କୁ ବୁଝିବାକୁ ଆରମ୍ଭ କଲେ ଓ ତାଙ୍କୁ ତାଙ୍କର ଯଥୋଚିତ ସ୍ଥାନରେ ନେଇ ଆସୀନ କରାଇ ପାରିଲେ । ତାଙ୍କର ତିରୋଧାନ ହୋଇଯିବା ପରେ । ଏବଂ ତାଙ୍କର ଜୀବଦ୍ଦଶାରେ ତାଙ୍କର କଳାତ୍ମକ ପ୍ରତିଭା ପ୍ରତି ସେମାନଙ୍କର ଦୃଷ୍ଟି ଅପେକ୍ଷାକୃତ କମ୍ ହିଁ ପଡ଼ିପାରିଥିଲା, ମାତ୍ର ତାଙ୍କର ବ୍ୟକ୍ତିଗତ ବନ୍ଧୁ ମୁଷ୍ଟିମେୟ କେତେଜଣ ହିଁ ତାଙ୍କର ଯଥାର୍ଥ ଅବଦାନଟିକୁ ପ୍ରକୃତ ମୂଲ୍ୟ ଦେଇ ବୁଝି ପାରୁଥିଲେ ।

 

ତାଙ୍କ କୃତିଗୁଡ଼ିକର ସର୍ବୋତ୍ତମ କଳାତ୍ମକ ଆବେଦନ ଗୁଡ଼ିକ ସମ୍ଭବତଃ ସମ୍ପୂର୍ଣ୍ଣ ଅଚେତନ ଭାବରେ ରୁଷିଆର ସାଧାରଣ ଜନସମୂହକୁ ପ୍ରଭାବିତ କରୁଥିଲା; କାରଣ ରୁଷିଆ ପରି ଏକ ସହଜାତ ପ୍ରବୃତ୍ତି ପରି କଳାତ୍ମକ ଆକର୍ଷଣ ରହିଥିବା ଏକ ଜାତିର କ୍ଷେତ୍ରରେ ବସ୍ତୁତଃ କେବଳ ସେହିପରି ହିଁ ଘଟି ଥାଆନ୍ତା । ରୁଷିଆର ସମକାଳୀନ ଲେଖକମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ତୁର୍ଗେନିଭ୍‌ଙ୍କର ସର୍ବାଧିକ ସଂଖ୍ୟାର ପାଠକ ରହିଥିଲେ, କେବଳ ଟଲ୍‌ଷ୍ଟୟଙ୍କୁ ଛାଡ଼ିଦେଲେ । ତଥାପି ତାଙ୍କୁ ପ୍ରକୃତରେ ସମ୍ପୂର୍ଣ୍ଣ ସ୍ଵୀକୃତି ମିଳିନଥିଲା, କାରଣ ଦେଶର ରାଜନୀତିକ ତଥା ସାମାଜିକ ଏକ ଅତ୍ୟନ୍ତ ବିକ୍ଷୁବ୍ଧ ସମୟରେ ହିଁ ସେ ଆପଣାର ରଚନାଗୁଡ଼ିକୁ ଲୋକଗୋଚରକୁ ଆଣିଥିଲେ । ସେତେବେଳେ ଦେଶର ଶ୍ରେଷ୍ଠତମ ପୁରୁଷବୃନ୍ଦ ଅନ୍ୟାନ୍ୟ ଏକାଧିକ ଆଗ୍ରହ ତଥା ଅନୁଧାବନରେ ନିଜକୁ ବ୍ୟସ୍ତ କରି ରଖିଥିଲେ ଏବଂ ତେଣୁ ଶୁଦ୍ଧ କଳାର ମର୍ଯ୍ୟାଦାକୁ ସେତେ ବେଶି ହୃଦୟଙ୍ଗମ କରି ପାରୁନଥିଲେ । ତେଣୁ, ଜଣେ କଳାକାର ନିମନ୍ତେ ଏକ ଦୁର୍ଦ୍ଦିନ ହିଁ ପଡ଼ିଥିଲା । ତାହାହିଁ ପ୍ରକୃତରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ପୂରା ସମୟଟି ହିଁ କଳା ନିମନ୍ତେ ପ୍ରତିକୂଳ ହୋଇ ରହିଥିଲା । ଜଣେ କଳାକାର ସିନା ତା’ ଦେଶବାସୀଙ୍କ ନିମନ୍ତେ ନିଜକୁ ଉତ୍ସର୍ଗୀକୃତ କରି ରଖିଥିଲା ଏବଂ ସେହିମାନଙ୍କର ପରିଚର୍ଯ୍ୟା ପାଇଁ ସେ ଆପଣାର କ୍ଷେତ୍ରଟିରେ ଯାହାକିଛି କରୁଥିଲା, ମାତ୍ର ତା’ ଲାଗି ସତେଅବା କୌଣସି ଅନୁକୂଳତା ନଥିବା ପରି ଉପଲବ୍ଧି କରି ଆପଣାକୁ ଅତ୍ୟନ୍ତ ଆହତ ଏବଂ କ୍ଷୁବ୍ଧ ପ୍ରାୟ ଅନୁଭବ କରୁଥିଲା ।

 

ସେହି ସଂଘର୍ଷର ଅନୁଭବଟି ଶ୍ରୀତୁର୍ଗେନିଭ୍‌ଙ୍କର ଜୀବନକୁ କ୍ଷୁବ୍ଧ କରି ହିଁ ରଖିଥିଲା ।

 

ଆପଣା ଲେଖକ-ଜୀବନର ଏକ ବିଶେଷ ଅଶ୍ଵସ୍ତିକର କ୍ଷଣରେ ସଂଘର୍ଷଟି ଅତ୍ୟନ୍ତ ତୀବ୍ର ହୋଇ ଉଠିଥିଲା ଏବଂ କଳାତ୍ମକ ସୃଜନର କ୍ଷେତ୍ରରେ ତାଙ୍କର ନିଷ୍ଠା ତଥା ମୋହମୁକ୍ତତା ଦ୍ଵାରା ପ୍ରେରିତ ହୋଇ ତାଙ୍କ ବିରୋଧରେ କୁହୁଳିବାରେ ଲାଗିଥିବା ଚିତ୍କାରଟା ଏପରି ସୋଚ୍ଚାର ଓ ପ୍ରାୟ ପରିବ୍ୟାପ୍ତ ହୋଇ ବି ଉଠିଥିଲା ଯେ, ସେ ଜଣେ ଲେଖକର ନିଜର ସେହି ଧର୍ମଟିକୁ ପରିତ୍ୟାଗ କରି ବାହାରି ଆସିବା ନିମନ୍ତେ ମଧ୍ୟ ବିଚାର କରୁଥିଲେ । ଅବଶ୍ୟ ଆପଣାର ଉକ୍ତ ସଂକଳ୍ପଟିକୁ ସେ ଆଦୌ ରକ୍ଷା କରି ପାରିନଥାନ୍ତେ । ତଥାପି, ତାଙ୍କର ସ୍ଵଭାବଟି ପ୍ରକୃତରେ ଯେପରି ସଲ୍ଲଜ ତଥା ସମ୍ବେଦନଶୀଳ ମଧ୍ୟ ଥିଲା ଏବଂ ଅଳପ ଘଟଣାରେ ସେ ଯେଉଁପରି ନିରାଶ ଓ ଶଙ୍କାଶୀଳ ବି ହୋଇ ପଡ଼ୁଥିଲେ, ବହୁସଂଖ୍ୟକ ବିଖ୍ୟାତ ଦେଶ ବାହାରର ଉପନ୍ୟାସକାରଙ୍କର ପୂର୍ଣ୍ଣ ପ୍ରୋତ୍ସାହନ ପାଇନଥିଲେ । ତୁର୍ଗେନିଭ୍ ନିଜ ଦେଶର ସାହିତ୍ୟ ନିମନ୍ତେ ପ୍ରକୃତରେ ଗୁଡ଼ାଏ କିଛି ଯେ କରିପାରିଥାନ୍ତେ, ସେହି ବିଷୟରେ ସୁନିଶ୍ଚିତ କରି ହୁଏତ ସେପରି କିଛି ଆଦୌ କୁହାଯାଇ ପାରିବ ନାହିଁ । ଫ୍ରାନ୍ସର ଜର୍ଜ ସାଣ୍ଡ୍, ଗୁସ୍ତାଭ୍, ଫ୍ଲୋବେଆର୍, ଜର୍ମାନୀର ଆଉଆର୍‌ବାଖ, ଆମେରିକାର ଡବ୍ଲିଉ ଡି, ହାୱେଲ୍‍ସ ଏବଂ ଇଂଲଣ୍ଡର ଜର୍ଜ ଇଲିଆର୍ଡ—ସେମାନେ ସମସ୍ତେ ତାଙ୍କର ଜଣେ ଜଣେ ମିତ୍ର ଥିଲେ ଓ ତାଙ୍କ କୃତିଗୁଡ଼ିକର ଉଚ୍ଚ ପ୍ରଶଂସା କରୁଥିଲେ ।

 

ଆମକୁ ଯେତିକି ସ୍ଥାନ ମିଳିବ ଆମେ ସେତିକି ଦୀର୍ଘତା ଦେଇ ବର୍ତ୍ତମାନ ଶ୍ରୀତୁର୍ଗେନିଭ୍‌ଙ୍କର ବିକ୍ଷୁବ୍ଧ ଜୀବନ କାହାଣୀଟି ଅଳ୍ପ ଅଳ୍ପ କ୍ରମରେ ବର୍ତ୍ତମାନ କିଛି ଆଲୋଚନା କରିବା । ତାଙ୍କ କୃତିଗୁଡ଼ିକର ମଧ୍ୟ ସେହିପରି ଗୋଟିଏ କ୍ରମରେ । ପ୍ରଥମେ ତାଙ୍କ ଜୀବନରୁ କିଛି କିଛି ମଧ୍ୟ କହିବା, ଯାହାକି ଆମର ସମ୍ମୁଖସ୍ଥ ଏହି ଉପନ୍ୟାସଟି ବିଷୟରେ ମଧ୍ୟ କିଛି ଆଲୋକପାତ କରିବ । ଏବଂ ଯୁଗପତ୍ ଭାବରେ ନିଜ ଦେଶବାସୀଙ୍କର ମାନସଭୂମିଟି ଉପରେ ତାଙ୍କର ବିଶେଷ ଯେଉଁ ପ୍ରଭାବ ରହିଥିଲା, ସେଇଟି ବିଷୟରେ ମଧ୍ୟ ।

 

ତୁର୍ଗେନିଭ୍‌ଙ୍କର ଜନ୍ମ ୧୮୧୮ ମସିହାରେ ଏବଂ ସେହି ସମୟର ଯେଉଁ ସ୍ୱଳ୍ପ ସଂଖ୍ୟାର ରୁଷୀୟ ବିଦେଶକୁ ଯାଇ ଏକ ଯଥାର୍ଥ ଶିକ୍ଷା ଲାଭ କରିଥିଲେ, ସିଏ ମଧ୍ୟ ସେମାନଙ୍କ ମଧ୍ୟରେ ଜଣେ ଥିଲେ । ସେହି କ୍ଷେତ୍ରରେ ସେ ସେହି କାଳର ଜଣେ ପୂର୍ଣ୍ଣ ଶିକ୍ଷିତ ଜର୍ମାନ୍ ଏବଂ ଇଂରାଜ ବ୍ୟକ୍ତିର ସମକକ୍ଷତା ଅବଶ୍ୟ ଲାଭ କରିଥିଲେ ଏବଂ ସଂଯୋଗତଃ, ଏପରି ମଧ୍ୟ ଘଟିଥିଲା ଯେ, ତାଙ୍କର କକା ନିକୋଲାସ୍ ତୁର୍ଗେନିଭ୍ ରୁଷିଆରେ ଗୋଟିଏ ସମ୍ବିଧାନ ବଳରେ ଗଠିତ ହୋଇଥିବା ସରକାରର ପ୍ରତିଷ୍ଠା ନିମନ୍ତେ କରାଯାଇଥିବା ସେହି ପ୍ରଥମ ସହିଂସ ବିଫଳ ଉଦ୍ୟମ (ଡିସେମ୍ବର ୧୪, ୧୮୨୫) ରେ ଭାଗ ନେଇଥିଲେ ଓ ଜାର୍ ସରକାରର ପ୍ରତିଶୋଧମୂଳକ ପରବର୍ତ୍ତୀ ଶାସ୍ତି ବିଧାନରୁ ଆପଣାକୁ ବଞ୍ଚାଇ ରଖିବା ସକାଶେ ଦେଶର ବାହାରକୁ ଚାଲିଯାଇ ପାରିଥିଲେ । ସିଏ ଫ୍ରାନ୍ସରେ ଯାଇ ବସବାସ କରୁଥିଲେ ଏବଂ ଫରାସୀ ଭାଷାରେ ନିଜ ଦେଶର ସେହି ବିଳ୍ପବଟିର ଯୁକ୍ତିଯୁକ୍ତତା ଦର୍ଶାଇ ପ୍ରଥମ ପୁସ୍ତକଟିର ରଚନା କରିଥିଲେ ।

 

ବର୍ଲିନ୍ ବିଶ୍ଵବିଦ୍ୟାଳୟରେ ଦର୍ଶନଶାସ୍ତ୍ର ଅଧ୍ୟୟନ କରୁଥିବା ସମୟରେ ତୁର୍ଗେନିଭ୍ ମଝିରେ ମଝିରେ ନିଜର ସେହି କଳାକାରଙ୍କ ପାଖକୁ ଯାଇ କିଛି କିଛି ଦିନ ରହି ଆସୁଥିଲେ । କକା ହିଁ ତାଙ୍କୁ ସ୍ଵାଧୀନତା ବିଷୟରେ ପ୍ରଥମ ବିଚାରଗୁଡ଼ିକୁ ପ୍ରଦାନ କରିଥିଲେ ଏବଂ ତୁର୍ଗେନିଭ୍ ଆପଣାର ବେଶ୍ ଦୀର୍ଘ ଜୀବନକାଳଟିରେ କେବେହେଲେ ସେହି ବିଚାରଚୟକୁ ପରିହାର ମଧ୍ୟ କରିନଥିଲେ ।

 

ଉକ୍ତ ଶତାବ୍ଦୀର ଷଷ୍ଠ ଦଶକରେ ଆମ ଦେଶର ଜଣେ ଉଚ୍ଚତମ କୋଟୀର ପ୍ରତିଭାଶାଳୀ ଲେଖକ ଆଲେକ୍‌ଜାଣ୍ଡର ହେଆର୍ଡଜେନ୍ ଲଣ୍ଡନ ସହରରେ ଆପଣାର ବୈପ୍ଲବିକ ‘କୋଲକୋଲ୍’ ପତ୍ରିକାର ପ୍ରକାଶ ଆରମ୍ଭ କରିଥିଲେ । ଜଣେ ଉଜ୍ଜଳ ତୀକ୍ଷ୍ଣ ପ୍ରଜ୍ଞାଯୁକ୍ତ, ସମ୍ବେଦନାରେ ପରିପୂର୍ଣ୍ଣ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରତିଭାସମ୍ପନ୍ନ ଲେଖକ ଏବଂ ସିଏ ଚମତ୍କାର ପ୍ରବନ୍ଧମାନ ମଧ୍ୟ ଲେଖୁଥିଲେ । ପତ୍ରିକାଟିର ଏକ ସମ୍ମୁଖମୁଖୀ ଭବିଷ୍ୟକାମୀ ଆବେଦନ ସ୍ପଷ୍ଟ ଭାବରେ ରହିଥିଲା ଏବଂ ରୁଷିଆ ଦେଶରେ ମଧ୍ୟ ତାହା ଖୁବ୍ ପ୍ରଭାବ ପକାଇ ପାରିଥିଲା । ତୁର୍ଗେନିଭ୍ ମଧ୍ୟ ଅତୀବ କ୍ରିୟାଶୀଳ ଭାବରେ ସେଥିରେ ଲେଖାମାନ ଲେଖୁଥିଲେ—ପତ୍ରିକାଟିର ଜଣେ ପରାମର୍ଶଦାତା ମଧ୍ୟ ଥିଲେ । ସମ୍ପାଦନାମଣ୍ଡଳୀର ଜଣେ ସଦସ୍ୟ ପ୍ରାୟ ଥିଲେ ବୋଲି ମଧ୍ୟ କୁହାଯାଇ ପାରିବ ।

 

ତୁର୍ଗେନିଭ୍ ଏବଂ ହେଆର୍ଡଜେନ୍‌ଙ୍କ ମଧ୍ୟରେ ହୋଇଥିବା ଏକ ପତ୍ରାଳାପରୁ ହିଁ ଏବେ ଯାଇ ସେହି ଘଟଣାଟି ଆମ ଗୋଚରକୁ ଆସିଛି । ସେହି ପତ୍ରାବଳୀ ହିଁ ତୁର୍ଗେନିଭ୍‌ଙ୍କର ଜୀବନ ବିଷୟରେ ବହୁ ବହୁ କଥାର ଉଦ୍‌ଘାଟନ କରି ପାରିଛି । ସେଥିରୁ ଏକ ସ୍ପଷ୍ଟ ଧାରଣା କରିହେଉଛି ଯେ, ଆମର ଏହି ପ୍ରଖ୍ୟାତ ଉପନ୍ୟାସଲେଖକ ସେହି କାଳଟିର ଜଣେ ଉଚ୍ଚକୋଟୀର, ଏପରିକି ସର୍ବୋଚ୍ଚ କୋଟୀର ଜଣେ ରାଜନୀତି-କ୍ଷେତ୍ରୀୟ ଚିନ୍ତାନାୟକ ମଧ୍ୟ ଥିଲେ ଏବଂ ସେହି କ୍ଷେତ୍ରରେ ତାଙ୍କର ଦୃଷ୍ଟି ସର୍ବଦା ସମ୍ପୂର୍ଣ୍ଣ ଭାବରେ ସୁସ୍ପଷ୍ଟ ହୋଇ ରହିଥିଲା । ତୁର୍ଗେନିଭ୍ ଏଭଳି ଜଣେ ବହୁ ପ୍ରତିଭାଯୁକ୍ତ ବ୍ୟକ୍ତି ଥିଲେ ବୋଲି ଆମକୁ ଯେତେ ଆଶ୍ଚର୍ଯ୍ୟଜନକ ଲାଗୁଥିଲେ ମଧ୍ୟ ଏହି ସତ୍ୟଟିର ଏକ ପୂର୍ଣ୍ଣ ପ୍ରମାଣ ମଧ୍ୟ ହୋଇଯାଉଛି ଯେ ଆଲେକ୍‌ଜାଣ୍ଡର ହେଆର୍ଡସେନ୍‌ଙ୍କ ସମେତ ସେହି କାଳର ଏକାଧିକ ରାଜନୀତିକ ଦଳର ସ୍ଵୀକୃତ ନେତା ତଥା ମୁଖପାତ୍ର ମାନଙ୍କର ତୁଳନାରେ ତୁର୍ଗେନିଭ୍‌ଙ୍କର ବିଚାର ତଥା କଳ୍ପନାଗୁଡ଼ିକ ହିଁ ସର୍ବଦା ସର୍ବାଧିକ ପରିମାଣରେ ପ୍ରମାଦମୁକ୍ତ ଥିଲେ । ତାଙ୍କର ଚିନ୍ତାଗତ ନିଷ୍କର୍ଷଗୁଡ଼ିକ ସର୍ବଦା ସବୁଠାରୁ ଅଧିକ ଦୂରକୁ ଦେଖି ପାରୁଥିଲେ ଏବଂ ପରବର୍ତ୍ତୀ ଇତିହାସଟି ମଧ୍ୟ ତାହା ପ୍ରମାଣ କରି ଦେଇଥିଲା ।

 

ଏଡ଼େ ଉଦ୍ଦୀପ୍ତ ଭାବରେ ସ୍ଵାଧୀନତାକୁ ଶ୍ରଦ୍ଧା କରୁଥିବା ଜଣେ ବ୍ୟକ୍ତି ଏବଂ ଆପଣାର ବିଚାରଦୃଷ୍ଟିରେ ଏତେ ଏତେ ସମ୍ମୁଖକୁ ଦୃଷ୍ଟିପାତ କରି ପାରୁଥିବା ଜଣେ ପୁରୁଷ, —ଆପଣା ସାହିତ୍ୟ ସୃଷ୍ଟିର କ୍ଷେତ୍ରରେ ମଧ୍ୟ ତୁର୍ଗେନିଭ୍ ସେଗୁଡ଼ିକୁ କଦାପି ବାଦ୍ ଦେଇ ପାରିନଥାନ୍ତେ । ଯେତେ ବିଶୁଦ୍ଧ କଳାତ୍ମକ ସୃଜନ ଆଡ଼କୁ ଯେତେ ଅଧିକ ଆନୁଗତ୍ୟ ସହିତ ମନୋନିବେଶ କରିଥିଲେ ମଧ୍ୟ ସେ କଦାପି ତାହା କରି ପାରିନଥାନ୍ତେ । ନିଜର ଜୀବନଦୃଷ୍ଟିରେ ଏଭଳି ଏକ ଅଙ୍ଗଚ୍ଛେଦ ଘଟାଇଥିଲେ ଆମେ ତାଙ୍କୁ କେବଳ ଜଣେ ନିକୃଷ୍ଟ ସ୍ତରର କଳା ଉପାସକ ବୋଲି ହିଁ କହି ଥାଆନ୍ତେ । କାରଣ, ଯାବତୀୟ ସୀମାବଦ୍ଧତାରୁ ଆପଣାକୁ ମୁକ୍ତ କରିପାରିଥିବ ଏବଂ ପୂର୍ଣ୍ଣମୁକ୍ତ ମନୋନିଷ୍ଠାରେ ଆପଣାର ବ୍ୟକ୍ତିତ୍ଵଟିକୁ ଅଭିବ୍ୟକ୍ତ କରି ପାରୁଥିବ, ଆମେ ତାହାକୁ ସିନା ସକଳ ଯଥାର୍ଥ କଳାତ୍ମକତାର ପ୍ରାଣ ତଥା ଆତ୍ମା ବୋଲି କହି ପାରିବା ।

 

ଶ୍ରୀଯୁକ୍ତ ତୁର୍ଗେନିଭ୍ ଆପଣାର ବୋଲି କହି ହେଉଥିବାର ସବୁକିଛିକୁ ହିଁ ଦେଶଲାଗି ସମର୍ପଣ କରି ପାରିଥିଲେ । ଆପଣା ମନୋମୟ ଚେତନାର ତଥା କଳାସମ୍ପଦର କଳ୍ପନାଗତ ସବୁକିଛିକୁ । ଏବଂ ଯୁଗପତ୍ ଭାବରେ ଜଣେ ଶିକ୍ଷକରୂପେ ମଧ୍ୟ ନିଜକୁ ପରିଚିତ କରାଇଥିଲେ ବହୁ ନୂତନ ବିଚାରଦୃଷ୍ଟିର ପ୍ରବାଚକ ଥିଲେ ଏବଂ ଜଣେ କବି ତଥା କଳାସ୍ରଷ୍ଟା ମଧ୍ୟ ଥିଲେ । ମାତ୍ର ତାଙ୍କ ଦେଶବାସୀ ତାଙ୍କୁ ପ୍ରଥମ ପରିଚୟରେ ହିଁ ସବାଆଗ ଚିହ୍ନିଲେ ଏବଂ ତାଙ୍କର ସେହି ପରବର୍ତ୍ତୀ ତଥା ବୃହତ୍ତର ପରିଚୟଟି ପ୍ରତି ଦୀର୍ଘକାଳ ସକାଶେ ସତେ ଯେପରି କୁଣ୍ଠାଗ୍ରସ୍ତ ହୋଇ ମଧ୍ୟ ରହିଥିଲେ ।

 

ଏହି କାରଣରୁ, ଆମ ଜାତି-ଇତିହାସର ଗୋଟିଏ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ଆଗ୍ରହ ଉଦ୍ଦୀପକ ପର୍ଯ୍ୟାୟରେ ତୁର୍ଗେନିଭ୍ ହିଁ ଉଦାରତାବାଦୀ ଏବଂ ଚିନ୍ତାଶୀଳ ରୁଷିଆ ଦେଶର ଜଣେ ପତାକାଧାରୀ ଏବଂ ପ୍ରେରଣାଦାତା ହେବାର ଭୂମିକାଟିଏ ମଧ୍ୟ ଗ୍ରହଣ କରିଥିଲେ । ହଁ, ଏହି କ୍ଷେତ୍ରରେ ଦୁଇଜଣ ବ୍ୟକ୍ତି ସତେଅବା ପରସ୍ପରର ସମ୍ପୂର୍ଣ୍ଣ ଦୁଇ ବିପରୀତ ମେରୁରୂପେ ଅବସ୍ଥିତ ରହିଥିଲେ ମଧ୍ୟ ବର୍ତ୍ତମାନ ଆମର ଏହି ଯୁଗରେ ଆମେ ତୁର୍ଗେନିଭ୍‍ଙ୍କୁ କାଉଣ୍ଟ ଟଲ୍‌ଷ୍ଟୟଙ୍କ ସହିତ ତଥାପି ଖୁବ୍ ତୁଳନା କରିପାରିବା । ଏହି କ୍ଷେତ୍ରରେ ଅବଶ୍ୟ ଏପରି ପାର୍ଥକ୍ୟଟିଏ ରହିବ ଯେ, ଡିମିଟ୍ରି ରୁଡ଼ିନ୍ ପୁସ୍ତକର ସ୍ରଷ୍ଟା ହିଁ ଆମ ନିମନ୍ତେ ଅଧିକ ମହତ୍ତ୍ଵପୂର୍ଣ୍ଣ ହୋଇ ନିଶ୍ଚୟ ରହିବେ । ତୁର୍ଗେନିଭ୍‌ଙ୍କର ଜୀବନରେ ଜଣେ ଚିନ୍ତାନାୟକ ଏବଂ ଜଣେ କଳାତ୍ମକ ସ୍ରଷ୍ଟା ମଧ୍ୟରେ କୌଣସି ଦ୍ଵନ୍ଦ୍ଵ ଓ କଳହ ଆଦୌ ଦୃଷ୍ଟିଗୋଚର ହେବନାହିଁ, —ଗୋଟିଏ ଭୂମିକା ଆରଟିର ମହିମା ହାନି କରିଦେଉଥିବା ପରି ଏବଂ ଏପରିକି ବିରୋଧୀ ହୋଇ ରହିଥିବା ପରି ଅନୁଭବ ହିଁ ହେବନାହିଁ । ଉଭୟେ ଯୁଗପତ୍ ଭାବରେ ପରସ୍ପରର ପାଖାପାଖି ହୋଇ ରହିଥିବେ, କାରଣ ତୁର୍ଗେନିଭ୍ ଐକାନ୍ତିକ ଭାବରେ କେବେ କୌଣସି ଖାସ୍ ସିଦ୍ଧାନ୍ତର ପ୍ରଚାର କରିନାହାନ୍ତି ଏବଂ ଅନ୍ୟ ପକ୍ଷରେ ସମ୍ପୂର୍ଣ୍ଣ ଭାବରେ ଏକ ସମ୍ପୂର୍ଣ୍ଣ ଦୋଷରହିତ ଏବଂ କଳାଧର୍ମୀ ନିରପେକ୍ଷତା ସହିତ ସେ ଆମ ଆଗରେ ପ୍ରକୃତ ଜୀବନମାନଙ୍କୁ ବଞ୍ଚୁଥିବା ଏପରି କେତେଜଣ ପୁରୁଷ ତଥା ନାରୀଙ୍କୁ ଆଣି ଉପସ୍ଥାପିତ ହିଁ କରିଛନ୍ତି, ଯେଉଁମାନେ କି ପ୍ରକୃତରେ କେତେକ ନିର୍ଦ୍ଦିଷ୍ଟ ବିଚାର, ସିଦ୍ଧାନ୍ତ ତଥା ଆଦର୍ଶଗତ ଆସ୍ପୃହାର ନିଷ୍ଠାପର ପ୍ରତିନିଧିତ୍ଵ ହିଁ କରୁଥିଲେ ଏବଂ ଶ୍ରୀଯୁକ୍ତ ତୁର୍ଗେନିଭ୍‍ ନିଜ ଭିତରୁ କୌଣସି ଚେତନାରୁ ସେଗୁଡ଼ିକୁ ଆକାରମାନ ଦେଇ ଆଦୌ ସୃଜି ଆଣୁନଥିଲେ, ମାତ୍ର ପ୍ରକୃତ ଜୀବନରୁ ହିଁ ସେଗୁଡ଼ିକର ଚୟନ କରୁଥିଲେ ଏବଂ ଆପଣାର ଏକ ଅବ୍ୟର୍ଥ କଳାତ୍ମକ ସହଜ ସାମର୍ଥ୍ୟ ଦ୍ଵାରା ସେଗୁଡ଼ିକୁ ଏକ ମୌଲିକ ଗତିଶୀଳତା ମଧ୍ୟ ପ୍ରଦାନ କରି ପାରୁଥିଲେ, —ଏପରି ଗୋଟିଏ ମୁହୂର୍ତ୍ତରେ, ଯେତେବେଳେ କି ତାହା ଆମର ସେହି ସମୟଟିର ମଞ୍ଚଟି ଉପରେ ଏକ ଐତିହାସିକ ଘଟଣାରେ ପରିଣତ ହେବା ପାଇଁ ସତେଅବା ନିର୍ଦ୍ଦେଶିତ ହୋଇ ରହିଥିଲା । ଏଣୁ, ତାଙ୍କର ରଚିତ ଉପନ୍ୟାସଗୁଡ଼ିକୁ ଏହି ଆଧୁନିକ ରୁଷିଆର ବୌଦ୍ଧିକ ଇତିହାସରେ ଗୋଟିଏ ଗୋଟିଏ ପ୍ରକାରର କଳାଗତ ସୂକ୍ଷ୍ମତା ପ୍ରଦାନ କରାଯାଇଥିବା ମୂର୍ତ୍ତ ରୂପ ବୋଲି ମଧ୍ୟ କୁହାଯାଇ ପାରିବ । ରୁଷିଆର ବୌଦ୍ଧିକ ପ୍ରଗତିର କ୍ଷେତ୍ରରେ ଗୋଟିଏ ଗୋଟିଏ ଶକ୍ତିମନ୍ତ୍ର ସାଧନ ବୋଲି ବେଶ୍ କୁହାଯିବ ।

 

 

‘ରୁଡ଼ିନ୍’ ହେଉଛି ତୁର୍ଗେନିଭ୍‌ଙ୍କର ସର୍ବପ୍ରଥମ ସାମାଜିକ ଉପନ୍ୟାସ ଏବଂ ତାଙ୍କର ପରବର୍ତ୍ତୀ ସେହି କାଟର ରଚନାଗୁଡ଼ିକ ଲାଗି ସେଇଟିକୁ ଗୋଟିଏ କଳାତ୍ମକତାପୂର୍ଣ୍ଣ ଆମୁଖ ପରି ଗଣନା ମଧ୍ୟ କରିହେବ । କାରଣ, ସେଇଟି ଏପରି ଏକ ସମୟରେ ରଚିତ ହୋଇଥିଲା ଯେତେବେଳେ କି ଆମର ବର୍ତ୍ତମାନ ସାମାଜିକ ତଥା ରାଜନୀତିକ ଆନ୍ଦୋଳନଗୁଡ଼ିକ ଆରମ୍ଭ ହେବାକୁ ଯାଉଥିଲା । ସେହି କାଳପର୍ଯ୍ୟାୟଟିକୁ ଏବେ ସମସ୍ତେ ସମ୍ଭବତଃ ଖୁବ୍ ଶୀଘ୍ର ହିଁ ପାସୋରି ପକାଉଛନ୍ତି, ଏବଂ ତେଣୁ, ତାଙ୍କର ଏହି ଉପନ୍ୟାସଟି ବ୍ୟତୀତ ଆମ ପାଇଁ ସେହି ପର୍ଯ୍ୟାୟଟିକୁ ଯଥାର୍ଥ ଭାବରେ ବୁଝିପାରିବା ପ୍ରକୃତରେ ବେଶ୍ କଷ୍ଟକର ହିଁ ହେବ । ମାତ୍ର ଏହାର ଅଧିକ ବିସ୍ତାରଯୁକ୍ତ ଏକ ଅଧ୍ୟୟନ ମଧ୍ୟ ଖୁବ୍ ଆବଶ୍ୟକ, କାରଣ ଏଥିରେ ଆମକୁ ଭବିଷ୍ୟତରେ ଆମଲାଗି ଅପେକ୍ଷା କରି ରହିଥିବା ବହୁ ପରବର୍ତ୍ତୀ ବିକାଶର ଏକାଧିକ ଉତ୍ସ ବିଷୟରେ ଅନେକ ପରିଚୟ ମଧ୍ୟ ମିଳି ପାରିବ ।

 

ସେଇଟି ବସ୍ତୁତ ଏକ ଅନ୍ଧକାରପୂର୍ଣ୍ଣ ପର୍ଯ୍ୟାୟ ଥିଲା ସମ୍ରାଟ ନିକୋଲାସ ପ୍ରଥମଙ୍କର ଭୟାବହ ଏକଛତ୍ର ଦେଶଶାସନ ଗୋଟିଏ ଶବାଧାରର ପଥର ଢାଙ୍କୁଣି ପରି ଦେଶବାସୀଙ୍କ ଉପରେ ଏକ ବିଷମ ବୋଝ ପରି ହୋଇ ରହିଥିଲା । ସକଳ ଅଭିଯୋଗ, ସକଳ ବିଚାରକୁ କେବଳ ପେଷି ହିଁ ଦେଉଥିଲା, କାରଣ ସେଗୁଡ଼ିକ ସେହି ଶାସନର ଅତିସଙ୍କୁଚିତ ଖିଆଲ ଗୁଡ଼ିକ ସହିତ ଖାପ ଖାଉନଥିଲା । ମାତ୍ର, ତାହାଠାରୁ ଆହୁରି ଅଧିକ ଦୁର୍ଭାଗ୍ୟଜନକ ଆଉକିଛି ମଧ୍ୟ ଘଟିବାରେ ଲାଗିଥିଲା । ସର୍ବାପେକ୍ଷା ଏହି କଥାଟି ଅଧିକ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା ଯେ, ରୁଷିଆର ପ୍ରତିନିଧିତ୍ଵ ସେତେବେଳେ ମୁଷ୍ଟିମେୟ ମାତ୍ର ଅଳ୍ପ କେତେଜଣ ହିଁ କରୁଥିଲେ, ଯେଉଁମାନେ ଆପଣାକୁ ଆପଣାର ପରିପାର୍ଶ୍ଵଗୁଡ଼ିକର ତୁଳନାରେ ଏତେ ଅଧିକ ପରିମାଣରେ ଜଣେ ଜଣେ ଅଗ୍ରାଧିକାରୀ ସଦୃଶ ବିଚାର କରୁଥିଲେ ଯେ, ସେମାନେ ନିଜର ସେହି ଦେଶରେ ଅଧିକତର ପରିମାଣରେ ଏକାକୀ, ସାମର୍ଥ୍ୟହୀନ ପ୍ରାୟ ମନେ କରୁଥିଲେ; ଜୀବନର ବାସ୍ତବତାଗୁଡ଼ିକ ଠାରୁ ବହୁଦୂର ହୋଇ ରହିଥିଲେ । ସତେଅବା ଦେଶବାସୀଙ୍କୁ ସମ୍ପୂର୍ଣ୍ଣ ଅଚିହ୍ନା ଲୋକମାନଙ୍କ ଅପେକ୍ଷା ଅଧିକ ଦୂରବର୍ତ୍ତୀ ପ୍ରାୟ ଅନୁଭବ କରୁଥିଲେ ।

 

ମାତ୍ର, ଆପଣାର ଆତ୍ମିକ ନାନାବିଧ ଶକ୍ତିର ଆଦୌ କୌଣସି ବହିଃପ୍ରକାଶ ଲାଗି ତ କିଛି ନା କିଛି ପଥ ଅବଶ୍ୟ ରହିଥିବା ଦରକାର ଏବଂ ସେହି କାରଣରୁ ଏହି ବ୍ୟକ୍ତିମାନେ ଚତୁର୍ଦ୍ଦିଗସ୍ଥ ଜନଗଣଙ୍କର ନାନାପ୍ରକାର ଘୃଣାର ଯୋଗ୍ୟ କ୍ଷୁଦ୍ର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ନିମନ୍ତେ ଅସମର୍ଥ ହୋଇ ଆପଣା ସକାଶେ ଏକ ନିତାନ୍ତ କୃତ୍ରିମ ଜୀବନାୟତନ ଗୁଡ଼ିକୁ ଭିଆଣ କରି ହିଁ ରଖିଥିଲେ, —ନିଜ ନିଜ ଆଗ୍ରହ ତଥା ତୃପ୍ତିସାଧନରେ ଭୟଙ୍କର ଭାବରେ କୃତ୍ରିମ ଥିଲେ ।

 

ଏପରି ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇ ରହିବା ଫଳରେ ସେମାନେ ସ୍ଵଭାବତଃ ନିଜ ଭିତରେ ହିଁ ପରସ୍ପର ମଧ୍ୟରେ ଏକ ନୈକଟ୍ୟର ରଚନା ମଧ୍ୟ କରୁଥିଲେ । ସେହି ‘ମେଳ’ ଟିକୁ ହୁଏତ ଗୋଟିଏ ଅନୌପଚାରିକ କ୍ଲବ୍ ତଥା ଗୋଟିଏ ବିତର୍କ ସଭାର ମଧ୍ୟବର୍ତ୍ତୀ ଏକ ଉଦ୍‌ଭାବନ ବୋଲି କଳ୍ପନା କରାଯାଇ ପାରିବ ଏବଂ ସେହିଗୁଡ଼ିକୁ ମାଧ୍ୟମ କରି ସେମାନେ ଆପଣାର ମନ ଓ ହୃଦୟର ଅଭିଳାଷଗୁଡ଼ିକୁ କିଞ୍ଚିତ୍ ତୃପ୍ତି ପ୍ରଦାନ କରି ପାରୁଥିଲେ । ହଁ, ସେମାନେ ଏକତ୍ର ହୋଇ କେବଳ କଥାବାର୍ତ୍ତା ଦ୍ଵାରା ହିଁ ଆନନ୍ଦ ଲାଭ କରୁଥିଲେ । ଏତିକି ବ୍ୟତୀତ ଆଉକିଛି ନିମନ୍ତେ ସେମାନଙ୍କର କୌଣସି ସାମର୍ଥ୍ୟ ମଧ୍ୟ ନଥିଲା ।

 

ଏହି ପୁସ୍ତକଟିର ଗୋଟିଏ ପରିଚ୍ଛେଦରେ, ଯେଉଁଠାରେ ଏହାର ଜଣେ ମୁଖ୍ୟ ଚରିତ୍ର ଲେଜ୍‌ଝନିଓଭ୍‌ ସିଏ ଭଲ ପାଉଥିବା ଜଣେ ମହିଳାଙ୍କୁ ସିଏ ଏବଂ ଡିମିଟ୍ରି ରୁଡ଼ିନ୍ ଏକଦା ସଦସ୍ୟ ଥିବା ଗୋଷ୍ଠୀଟି ସମ୍ବନ୍ଧରେ କିଛି କହୁଛନ୍ତି, ଇତିହାସ ଦୃଷ୍ଟିରୁ ସେଇଟିର ଏକ ସର୍ବାଧିକ ମହତ୍ତ୍ଵ ରହିଛି । ହଁ, ତରୁଣ ଛାତ୍ରମାନଙ୍କର ଏକ ଗୋଷ୍ଠୀ ବିଷୟରେ ସେଥିରେ କେତେକ କଥା କୁହାଯାଇଛି-। ମାତ୍ର ସେହି ପ୍ରସଙ୍ଗଗୁଡ଼ିକର ଏକ ବୃହତ୍ତର ତାତ୍ପର୍ଯ୍ୟ ମଧ୍ୟ ଅଛି । ସେହି କାଳଟିର ପ୍ରତ୍ୟେକ ପ୍ରଧାନ ଓ ପ୍ରଖ୍ୟାତ ବ୍ୟକ୍ତିଙ୍କର ନିଜର ବୋଲି କହିପାରିବା ଭଳି ଏହିପରି ଗୋଟିଏ ଗୋଟିଏ ଗୋଷ୍ଠୀ ରହିଥିଲା । ଷ୍ଟାଙ୍କେଭିଚ୍, ଯାହାଙ୍କୁ ପୋକୋର୍‌ସ୍କିଙ୍କ ପରି ଜଣେ କବି ତଥା ଅତ୍ୟନ୍ତ ଆକର୍ଷକ ବ୍ୟକ୍ତିଙ୍କର ମଡେଲ୍ ବୋଲି କୁହା ଯାଉଥିଲା, ଆଲେକ୍‌ଜାଣ୍ଡର୍ ହେୟାରତଜେନ୍ ଏବଂ ମହାନ୍ ସମୀକ୍ଷକ ବେଲିନ୍‌ସ୍କି—ଏମାନଙ୍କର ପ୍ରତ୍ୟେକଙ୍କର ଗୋଷ୍ଠୀ ରହିଥିଲା । ସେଗୁଡ଼ିକୁ ଗୋଟିଏ ଗୋଟିଏ ସାନ ମିଳନ-ମନ୍ଦିର ବୋଲି ମଧ୍ୟ କୁହାଯାଇ ପାରିବ, ଯେଉଁଠାରେ ଉତ୍ସାହୀ ତରୁଣମାନେ ଆସି ଏକତ୍ର ହେଉଥିଲେ ଏବଂ ‘ସତ୍ୟ, କଳା-ଉପାସନା ତଥା ନୈତିକତା’ର ଦେବୀଙ୍କର ଆରାଧନା କରୁଥିଲେ ।

 

ସେମାନେ ପ୍ରତ୍ୟେକେ ନିଜ ସମୟର ଜଣେ ଜଣେ ସର୍ବୋତ୍ତମ ବ୍ୟକ୍ତି ହିଁ ଥିଲେ, ଆସ୍ପୃହା ଏବଂ ଜ୍ଞାନବତ୍ତାରେ ପ୍ରବୀଣତା ଅର୍ଜନ କରିଥିଲେ ଏବଂ ପ୍ରତ୍ୟେକେ ପୂର୍ଣ୍ଣ କାମନାମୁକ୍ତ ଭାବରେ ସତ୍ୟରେ ସନ୍ଧାନରେ ଆପଣାକୁ ସମର୍ପିତ କରି ରଖିଥିଲେ ଏବଂ ଆପଣାର ପ୍ରତିବେଶୀମାନଙ୍କୁ ନ୍ୟୂନ ଦୃଷ୍ଟିରେ ଦେଖିବା ସେମାନଙ୍କ ସକାଶେ ସମ୍ପୂର୍ଣ୍ଣ ସ୍ଵାଭାବିକ ହିଁ ଥିଲା, କାରଣ ସେହି ପ୍ରତିବେଶୀମାନେ ସର୍ବଦା ନାନା ଘୃଣ୍ୟ ଏବଂ ସ୍ଵାର୍ଥ ଦ୍ଵାରା ପ୍ରଣୋଦିତ, ଏକ ବସ୍ତୁବାଦର କାଦୁଅଗୁଡ଼ାକ ଭିତରେ ଯାଇ ବୁଡ଼ି ରହିଥିଲେ । କିନ୍ତୁ, ଏହିପରି ଭାବରେ ଆପଣାର ଯାବତୀୟ ସ୍ଵପ୍ନ, ଆକାଶଉଡ଼ା ଦାର୍ଶନିକ ଚର୍ଚ୍ଚା ତଥା ଶୂନ୍ୟ-ରୋମନ୍ଥନର ସୁରକ୍ଷିତ ଛିନ୍ନାୟତନ ଗୁଡ଼ିକରେ ମଜ୍ଜି ରହି ଏହି ବ୍ୟକ୍ତିମାନେ ସର୍ବବିଧ ବାସ୍ତବ ଜୀବନରୁ ନିଜକୁ କେଡ଼େ ନିକ ଏବଂ ସୁସମ୍ପୂର୍ଣ୍ଣ ଭାବରେ ଅସଂଲଗ୍ନ ବି କରି ରଖିଥିଲେ ଏବଂ ଏପରି ବହୁ ଧନ୍ଦା ଓ ପ୍ରସଙ୍ଗରେ ଆପଣାକୁ ଆଗ୍ରହଯୁକ୍ତ କରି ରଖିଥିଲେ ଯେ, ନିଜ ଦେଶଟି ପାଇଁ ମଧ୍ୟ ପ୍ରକୃତରେ କିଛି କରିବାକୁ ରହିଛି ବୋଲି ସେମାନେ କେବେହେଲେ ହୃଦୟଙ୍ଗମ କରି ପାରୁନଥିଲେ । ସେମାନେ ସେହି ଦେଶଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରଛଡ଼ା ହୋଇ ହିଁ ରହିଥିଲେ । ସେମାନଙ୍କର ଭିତରଟିରୁ କେତେ ନା କେତେ ଆବେଗମୟତା କଥାର ପ୍ରଖରତାମାନ ଧାରଣ କରି ଭସଭସ ହୋଇ ବାହାରି ସିନା ଯାଉଥିଲା ମାତ୍ର, କେବଳ ସେହିଗୁଡ଼ିକର ବିଶ୍ଳେଷଣରେ ହିଁ ନିତାନ୍ତ ନିକିମାମାନଙ୍କ ପରି ବ୍ୟସ୍ତ ରହି ସେମାନେ ବସ୍ତୁତଃ ନିଜର ପ୍ରାୟ ସକଳ ସଂବେଦନଶୀଳତାର ଶକ୍ତିକୁ ପୂରା ହରାଇ ପକାଇଥିଲେ ।

 

ଡିମିଟ୍ରି ରୁଡ଼ିନ୍‌ଙ୍କୁ ଆମେ ସେହି ପୁରୁଷଟିର ଏପରି ଜଣେ ଖାସ୍ ପ୍ରତିନିଧି ବୋଲି କହିବା, ଯିଏକି ନିଜର ସେହି ସମୟଟିର ଏକ ଶିକାର ହୋଇଥିଲେ ଏବଂ ଯୁଗପତ୍ ଭାବରେ ଏକ ବୀରର ଭୂମିକାରେ ବି ଅବସ୍ଥିତ ରହିଥିଲେ । ଏପରି ଜଣେ ବ୍ୟକ୍ତି ଥିଲେ, ଯିଏକି ଶବ୍ଦୋଚ୍ଚାରଣରେ ଅତ୍ୟନ୍ତ ଅସାମାନ୍ୟ ଥିଲେ ଏବଂ କର୍ମରେ ବାମନଟିଏ ହୋଇ ରହିଥିଲେ । ଜଣେ ତରୁଣ ଡିମୋସ୍ଥିନିସ୍କଙ୍କ ସଦୃଶ ଆପଣାର ଭାବକୁ ଅନର୍ଗଳ ଭାବରେ ବ୍ୟକ୍ତ କରି ପାରୁଥିଲେ । ବିଷୟଗୁଡ଼ିକର ଚର୍ଚ୍ଚାରେ କେହିହେଲେ ତାଙ୍କୁ ପରାଭୂତ କରି ପାରୁନଥିଲେ ଏବଂ ଯେତେବେଳେ ସେ ଯେଉଁଠାରେ ଯାଇ ଉପସ୍ଥିତ ହେଉଥିଲେ, ସେଠାରେ ସମ୍ମୁଖସ୍ଥ ସବୁକିଛି ଉପରେ ବିଜୟୀ ବୋଲି ଘୋଷିତ ବି ହେଉଥିଲେ । ମାତ୍ର, କାର୍ଯ୍ୟରେ କରି ଦେଖାଇ ଦେବାର କ୍ଷେତ୍ରରେ ଅତ୍ୟନ୍ତ ଶୋଚନୀୟ ପ୍ରକାରେ ବିଫଳ ହିଁ ସାବ୍ୟସ୍ତ ହେଉଥିଲେ । ମାତ୍ର, ସେ ଆଦୌ ଜଣେ କପଟୀ ଅଥବା ଛଦ୍ମବେଶୀ ନଥିଲେ । ତାଙ୍କ ଭିତରର ଉତ୍ସାହଟି ନିକଟସ୍ଥ ଆଉ ସଭିଙ୍କ ଭିତରକୁ ମଧ୍ୟ ଖୁବ୍ ସହଜରେ ସଂକ୍ରମିତ ହୋଇ ଯାଉଥିଲା, କାରଣ ସେଥିରେ ସର୍ବଦା ଏକ ପୂର୍ଣ୍ଣ ନିଷ୍ଠା ରହିଥିଲା ଏବଂ ତାଙ୍କର ବାଗ୍ମିତା ମଧ୍ୟ ସମସ୍ତଙ୍କ ଚିତ୍ତରେ ସର୍ବଦା ଏକ ଯଥାର୍ଥ ପ୍ରତ୍ୟୟ ଜାଗ୍ରତ କରି ଆଣି ପାରୁଥିଲା । ରୁଡ଼ିନ୍ ଆପଣାର ଆଦର୍ଶମାନଙ୍କ ଠାରେ ଉତ୍ସର୍ଗୀକୃତ ହୋଇ ରହିଥିଲେ ଏବଂ ତାହାହିଁ ତାଙ୍କୁ ସର୍ବଦା ଏତେ ପ୍ରାଣବନ୍ତ କରି ରଖିଥିଲା । ସେହି ଆଦର୍ଶମାନଙ୍କ ନିମନ୍ତେ ସେ ନିଜର ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ ଏବଂ ଏକ ଆହୁରି ଅଧିକ ବିରଳ କଥାଟି ହେଉଛି ଯେ, କୌଣସି ଇହଲାଭର ଆକର୍ଷଣରେ ସେ ସେଗୁଡ଼ିକରୁ ଗୋଟିଏ ସୂତା ପରିମାଣେ ମଧ୍ୟ କଦାପି ବିଚ୍ୟୁତ ହେଉ ନଥିଲେ । କୌଣସି କଠିନ ବାଧାର ସମ୍ମୁଖୀନ ହେବାକୁ ହେବ ବୋଲି ଜାଣିବାକୁ ପାଇଲେ ମଧ୍ୟ ସେ ଆଦର୍ଶଗୁଡ଼ିକୁ ତ୍ୟାଗ କରୁନଥିଲେ । ମାତ୍ର, ଏହି ପ୍ରଖର ଆସ୍ପୃହା ଏବଂ ଏହି ପ୍ରଚଣ୍ଡ ଉତ୍ସାହ, ଏଗୁଡ଼ିକ ସତେଅବା ସମ୍ପୂର୍ଣ୍ଣ ଭାବରେ ତାଙ୍କର ମସ୍ତିଷ୍କଟିରୁ ଉଦ୍‌ଗତ ହୋଇଥିଲେ ଏବଂ ମାତ୍ର ତେଣେ ହୃଦୟଟି, ମନୁଷ୍ୟକୁ ଭଲ ପାଇବାର ତଥା ତା’ ପ୍ରତି ସମ୍ବେଦନାଯୁକ୍ତ ହୋଇ ରହିବାର ସେହି ଗଭୀର ଆବେଗନାମକ ଅନ୍ୟ ଶକ୍ତିଟି ସତେଅବା କେଉଁ ଭିତରେ ଯାଇ ସୁପ୍ତ ହୋଇ ରହିଥିଲା । ମନୁଷ୍ୟର ଏହି ସମୂହଟି, ଯାହାର ସେବା ସିଏ ଆପଣାର ଶେଷ ରକ୍ତବିନ୍ଦୁଟିକୁ ଦେଇ ନିଶ୍ଚୟ କରିବେ ବୋଲି ଇଚ୍ଛା କରୁଥିଲେ, —ତାହାକୁ ରୁଡ଼ିନ୍ ଇଂରାଜୀ, ଫରାସୀ, ଜର୍ମାନ୍ ଭଳି ବିଦେଶୀମାନଙ୍କର କେବଳ ଗୋଟିଏ ସମଷ୍ଟି ବୋଲି ବୁଝୁଥିଲେ, —ସିଏ ବହିମାନଙ୍କରୁ ହିଁ ସେମାନଙ୍କର ଅଧ୍ୟୟନ କରିଥିଲେ ଏବଂ କେବଳ ନିଜର ବିଦେଶଭ୍ରମଣ କାଳରେ ଜଣେ ଛାତ୍ର ଅଥବା ଟୁରିଷ୍ଟ୍ ହିସାବରେ ଯେଉଁମାନଙ୍କ ସହିତ ହୋଟେଲ ଅଥବା ଶୌଚାଳୟ ମାନଙ୍କରେ ତାଙ୍କର ଭେଟ ହୋଇଥିଲା ।

 

ଆପଣାଠାରୁ ଏପରି ଦୂର ତଥା ଅମୂର୍ତ୍ତ ଭାବରେ ଅଲଗା କରି ରଖିଥିବା ମନୁଷ୍ୟମାନଙ୍କୁ କୌଣସି ବ୍ୟକ୍ତି କଦାପି ପ୍ରକୃତ ଆତ୍ମୀୟତା ସହିତ ଅନୁଭବ କରି ପାରନ୍ତା ନାହିଁ । ସୁତରାଂ, ବାହାରକୁ ଏତେ ଏତେ ଖାସ୍ ଉତ୍ସାହ ରହିଥିଲେ ମଧ୍ୟ ରୁଡ଼ିନ୍ ନିଜ ହୃଦୟର ଅନ୍ତଃତଳରେ ସତେ ଯେପରି ଖଣ୍ଡେ ବରଫ ପରି ବଡ଼ କାଲୁଆ ହୋଇ ରହିଥିଲେ । ତାଙ୍କର ଏଡ଼େ ଉଜ୍ଜ୍ଵଳ ବୋଲି ଲାଗୁଥିବା ଉତ୍ସାହ ମଧ୍ୟରେ କୌଣସି ଉଷ୍ମତା ନଥିଲା । ସମ୍ଭବତଃ ସେଇଟିକୁ ଆମେ ସୁଦୂର ମେରୁପ୍ରଦେଶରୁ ଉତ୍ସାରିତ ହୋଇ ଆସୁଥିବା ସେହି ବିଶେଷ ଆଲୋକଟି ସହିତ ତୁଳନା କରିପାରିବା । ଆକାଶମାର୍ଗର ସଦା-ବଦାନ୍ୟ ଏବଂ ସଦା-ଅକୃପଣ ସୂର୍ଯ୍ୟଙ୍କର ଏକ ବିକଳ୍ପରୂପେ ସେହି ମେରୁଆଲୋକର ପ୍ରକୃତରେ କେତେ କମ୍ ମୂଲ୍ୟ ରହିଛି । କିନ୍ତୁ, ତଥାପି ଉତ୍ତରମେରୁ ଅଞ୍ଚଳର ରାତ୍ରିମାନେ ଯଦି ସେତିକି ବିକଳ୍ପରୁ ମଧ୍ୟ ବଞ୍ଚିତ ହୋଇ ରହିଥାନ୍ତେ, ତେବେ ଯେକୌଣସି ଈଶ୍ଵର-ପରିତ୍ୟକ୍ତ ଭୂଭାଗର ମଧ୍ୟ କି ଦୁର୍ଦ୍ଦଶା ନହୁଅନ୍ତା ! ତେଣୁ, ଯେତେ ଯେତେ ଅପାରଗତା ରହିଥିଲେ ମଧ୍ୟ ରୁଡ଼ିନ୍ ଏବଂ ତାଙ୍କରି କାଟର ସେହି ଅନ୍ୟ ବ୍ୟକ୍ତିମାନେ, ଅର୍ଥାତ୍, କିଞ୍ଚିତ୍‍ ଅନ୍ୟ ଭାଷାରେ କହିଲେ ୧୮୪୦ ବେଳର ସେହି ପୀଢ଼ିଟିର ବ୍ୟକ୍ତିମାନେ ନିଜ ଦେଶ ନିମନ୍ତେ ତଥାପି ଜଣେ ଜଣେ ବୀରର ହିଁ ଭୂମିକା ଗ୍ରହଣ କରିଛନ୍ତି ଓ ବହୁତ କିଛି କରି ଯାଇଛନ୍ତି । ସେମାନେ ନିଜ ଦେଶରେ ଏକ ଆଦର୍ଶ ଧର୍ମକୁ ଉନ୍ମେଷିତ କରି ଆଣିଛନ୍ତି; —ଏପରି ଗୋଟିଏ ବୀଜର ବାହକ ହୋଇଛନ୍ତି, ଯାହାକୁ କି କେବଳ ସେମାନଙ୍କର ଏହି ନିଜର ଭୂଇଁଟିରେ ଆବଶ୍ୟକ ଉଷ୍ମତା ରହିଥିବା ମାଟିରେ ନେଇ ବୁଣି ଦିଆଯାଇ ପାରିବ ଏବଂ ତାହାରିଦ୍ଵାରା ହିଁ ଭବିଷ୍ୟତ ନାମକ ବିପୁଳ ଶସ୍ୟସମ୍ଭାରଟି ଅବଶ୍ୟ ସମ୍ଭବ ହୋଇ ଆସିବ ।

 

ସେହି ପୀଢ଼ିର ବ୍ୟକ୍ତିମାନଙ୍କ ଭିତରେ ଯେଉଁ ଅଭାବ ତଥା ଅପାରଗତାମାନ ଥିଲା, ତାହାର ଏକ ଅସଲ କାରଣ ହେଉଛି ଯେ ନିଜର ଦେଶ ସହିତ ସଚଳ ଭାବରେ ସେମାନଙ୍କର କୌଣସି ଖିଅ ହିଁ ଲାଗିନଥିଲା, ରୁଷିଆର ମାଟିଟି ଭିତରେ ସେମାନଙ୍କର କୌଣସି ଚେର ନଥିଲା । ସେମାନେ ରୁଷିଆର ଜନଗଣଙ୍କୁ କ୍ଵଚିତ୍ ଜାଣିଥିଲେ । ଏମାନେ ସେହି ମନୁଷ୍ୟମାନଙ୍କୁ ଖୁବ୍ ସମ୍ଭବ ଗୋଟିଏ ଇତିହାସ ଦ୍ଵାରା କଳ୍ପିତ ଏକ ସମଷ୍ଟି ବୋଲି ହିଁ ବୁଝୁଥିଲେ । ଆପଣାର ଦୃଷ୍ଟିରେ ସେମାନେ ତଥାକଥିତ ସମଗ୍ର ବିଶ୍ଵକୁ ଦେଖୁଥିଲେ, —ଆଉକିଛି ଅଧିକ ଯୁକ୍ତିଯୁକ୍ତ ଅର୍ଥାତ୍ ସତ୍ୟରୂପେ ଦେଖିବା ଲାଗି ସମର୍ଥ ହେଉନଥିଲେ ବୋଲି ବିଚରାମାନେ ହୁଏତ କେବଳ ସେତିକି ଦେଖୁଥିଲେ ଏବଂ ତୁର୍ଗେନିଭ୍ ତାଙ୍କ ରଚନାର ମୁଖ୍ୟ ପାତ୍ରଟିକୁ ଫ୍ରାନ୍ସଦେଶର ନିଷେଧକାରୀ ପ୍ରାଚୀର ଉପରେ ମୃତ୍ୟୁବରଣ କରିବାକୁ ଦେଇ ଆପଣାର ସମୁଚିତ ଜୀବନ ଦୃଷ୍ଟି ତଥା କଳାକ୍ଷେତ୍ରର ଆନୁଗତ୍ୟ, ଉଭୟଟି ପ୍ରତି ଆପଣାର କର୍ତ୍ତବ୍ୟ ଅବଶ୍ୟ ସମ୍ପାଦନ କରିଥିଲେ ।

 

ପରବର୍ତ୍ତୀ ତିନି ପୀଢ଼ିର ଅବଧିଟି ମଧ୍ୟରେ ଦେଶର ଅନ୍ତର୍ଜୀବନରେ ଯେଉଁ ଅଭିବୃଦ୍ଧି ଘଟିଲା ତାହାରିଦ୍ଵାରା ହିଁ ଭକ୍ତ ଅଭାବଟିର ପ୍ରତିକାର ସମ୍ଭବ ହେଲା । ମାତ୍ର ପ୍ରତିକାରଟି ସମ୍ପୂର୍ଣ୍ଣ ଭାବରେ ଫଳବତୀ ହୋଇ ପାରିଛି କି ? ନା, ଆଦୌ ହୋଇନାହିଁ, —ଏବଂ ତାହା ପ୍ରକୃତରେ ଏକ ଖୁବ୍ ଦୁର୍ଭାଗ୍ୟର ବିଷୟ । ବର୍ତ୍ତମାନ ମଧ୍ୟ ହଜାର ହଜାର ବାଧାମାନ ଠିଆ କରି ରଖିଥିବା ପ୍ରାଚୀରମାନେ ମହଜୁଦ ରହିଛନ୍ତି, ଯାହାପାଇଁ ରୁଷିଆର ଅଧିବାସୀମାନେ ନିଜ ଦେଶର ମନୁଷ୍ୟମାନଙ୍କର ଯଥାର୍ଥ କାର୍ଯ୍ୟରେ ଲାଗିବା ଭଳି ସେପରି କିଛି କରି ପାରୁନାହାନ୍ତି ଏବଂ ସେମାନଙ୍କ ସହିତ ମୁକ୍ତ ଭାବରେ ସମ୍ମିଳିତ ହୋଇ ପାରୁନାହାନ୍ତି । ସର୍ବାଧିକ ଉତ୍ସାହ ଥିବା ବ୍ୟକ୍ତିମାନଙ୍କର ଆତ୍ମିକ ସମର୍ଥତାଗୁଡ଼ିକୁ ଏବେ ମଧ୍ୟ, —ଅନ୍ତତଃ ଆଂଶିକ ଭାବରେ ତୁର୍ଗେନିଭ୍‌ଙ୍କର ଏହି ଉପନ୍ୟାସଟିରେ ବର୍ଣ୍ଣିତ ନାନା କୃତ୍ରିମ ମାର୍ଗରେ ପରିଚାଳିତ ହେବା ଲାଗି ବାଧ୍ୟ କରାଯାଉଛି ।

 

ସେହି କାରଣରୁ ହିଁ, ରୁଡ଼ିନ୍‌ଙ୍କ ସଦୃଶ ଉତ୍ସାହୀମାନେ ଅବଶ୍ୟ ଚିରଞ୍ଜୀବୀ ହୋଇ ରହିଥାଆନ୍ତୁ—କେବଳ ଏକ ଇତିହାସଗତ ଯଥାର୍ଥତା ଠାରୁ ତାହାର ଅନେକ ଅଧିକ ମହତ୍ତ୍ଵ ରହିଛି-

 

ଆପଣାର ରଚିତ ମିଳନାତ୍ମକ ଗ୍ରନ୍ଥର ନାୟକ ହ୍ଳେଷ୍ଟାକୋଭ୍‌ଙ୍କର ଚରିତ୍ରଟିର ବର୍ଣ୍ଣନା କରି ଗୋଗାଲ୍ ଏକଦା ଘୋଷଣା କରିଥିଲେ ଯେ, ଏହି ଧରଣର ଚରିତ୍ର ପୃଥିବୀରେ ପ୍ରାୟ ସର୍ବତ୍ର ହିଁ ଦେଖିବାକୁ ମିଳିବେ କାରଣ, ତାଙ୍କରି ଭାଷାରେ କହିଲେ, “ରୁଷୀୟ ପ୍ରତ୍ୟେକ ବ୍ୟକ୍ତି ଭିତରେ ଯେତେ କମ୍ ହେଉ ପଛକେ, ଚେନାଏ ହ୍ଳେଷ୍ଟାକୋଭ୍ ନିଶ୍ଚୟ ରହିଛି । ଆଦୌ ଅତିରିକ୍ତ ପରିମାଣରେ ଏକ ପ୍ରଶଂସାବାକ୍ୟ ରୂପେ କରାଯାଇ ନଥିବା ମନ୍ତବ୍ୟଟିକୁ ଆହୁରି ବହୁତ ବ୍ୟକ୍ତି ବିନମ୍ର ଭାବରେ ସମର୍ଥନ କରିଛନ୍ତି ଏବଂ ବାରମ୍ବାର ବ୍ୟକ୍ତ କରିଛନ୍ତି । କାରଣ ଗୋଗୋଲ୍‍ଙ୍କର ସେହି ଅନନ୍ୟ ଦକ୍ଷତାକୁ ପୂର୍ଣ୍ଣ ସମ୍ମାନ ପ୍ରଦର୍ଶନ କରି କଥାଟି ବସ୍ତୁତଃ ସତ୍ୟ ନହୋଇଥିଲେ ମଧ୍ୟ ସେମାନେ ସେହିପରି କରିଛନ୍ତି । କାରଣ, ହ୍ଳେଷ୍ଟାକୋଭ୍‌ଙ୍କୁ ଜଣେ ରୁଷବାସୀ ସଦୃଶ ପରିଧାନଟିଏ ସିନା ପିନ୍ଧାଇ ଦିଆଯାଇଛି, ମାତ୍ର ତାଙ୍କୁ ପ୍ରକୃତରେ ଗୋଟିଏ ପ୍ରକାରର ଜଣେ କ୍ରୋଧୀ ତାତାର ବୋଲି ହିଁ କୁହାଯାଇ ପାରିବ । କାରଣ, ସହଜତା ତଥା ସରଳ ନିଷ୍ଠା, —ଏହିଗୁଡ଼ିକ ହେଉଛନ୍ତି ରୁଷୀୟ ଚରିତ୍ରର ତଥା ଆଚରଣ କଳା ଏବଂ ସାହିତ୍ୟର ସର୍ବମୂଳ କେତୋଟି ଲକ୍ଷଣ । ତଥାପି, ବେଶ୍ ଯୁକ୍ତିର ସହିତ କୁହାଯାଇପାରିବ ଯେ ଆମର ଏହି ସମୟର ଶିକ୍ଷିତ ପ୍ରତ୍ୟେକ ରୁଷ୍‌ବାସୀ ଭିତରେ ଡିମିଟ୍ରି ରୁଡ଼ିନ୍‌ଙ୍କର କିଛି ନା କିଛି ଲକ୍ଷଣ ନିଶ୍ଚୟ ରହିଛି ।

 

ଲେଖକ ତୁର୍ଗେନିଭ୍ ଆପଣାର ରଚନାମାନଙ୍କରେ ଯେତେ ଯେତେ ଚରିତ୍ରର ସର୍ଜନା କରିଛନ୍ତି ସେଗୁଡ଼ିକର ତୁଳନାରେ ରୁଡ଼ିନ୍ ଚରିତ୍ରଟିକୁ ସଂଶୟରହିତ ଭାବରେ ଏକ ଶ୍ରେଷ୍ଠତମ ଚରିତ୍ର ବୋଲି କୁହାଯିବ ଏବଂ ଯୁଗପତ୍ ଭାବରେ ସେଇଟି ହିଁ ତାଙ୍କର କଳାତ୍ମକ ଶୈଳୀର ଏକ ସର୍ବାଧିକ ଉଜ୍ଜ୍ଵଳତା ବହନ କରୁଥିବା ଦୃଷ୍ଟାନ୍ତରୂପେ ମଧ୍ୟ ବିଚାର କରାଯାଇ ପାରିବ ।

 

ଗୋଟିକିଆ କୌଣସି ଏକ ପଥରମୁଣ୍ଡାରୁ ନିହାଣଟିଏ ପ୍ରୟୋଗ କରି ମୂର୍ତ୍ତିଗୁଡ଼ିକୁ ବନାଇ ବାହାର କରିଦେବାର ସ୍ଥାପତ୍ୟ କାର୍ଯ୍ୟଟିଏ ଶ୍ରୀଯୁକ୍ତ ତୁର୍ଗେନିଭ୍ ଆଦୌ କରିନାହାନ୍ତି । ଠିକ୍ ଯେପରି ଟଲ୍‌ଷ୍ଟୟଙ୍କର ରଚନାଗୁଡ଼ିକର ପୃଷ୍ଠାରୁ ସୂଚିତ ହୋଇଥାଏ, ସେଭଳି ଆଦୌ ନୁହେଁ । ତାଙ୍କର କୃତିଗୁଡ଼ିକୁ ବରଂ ଜଣେ ଚିତ୍ରଶିଳ୍ପୀ ଅଥବା ସଂଗୀତ ସ୍ରଷ୍ଟାର କୃତିଗୁଡ଼ିକ ସହିତ ଅଧିକ ସଂଗତ ଭାବରେ ତୁଳନା କରିହେବ । ସେଥିରେ ଏକାଧିକ ରଙ୍ଗର ପ୍ରୟୋଗ ହୋଇଛି, ଏକ ଅଧିକ ଗଭୀର ଦୃଶ୍ୟପଟ୍ଟ ଉପରେ ସେଗୁଡ଼ିକୁ ସୃଜି ଅଣାହୋଇଛି ଏବଂ ସେଗୁଡ଼ିକରେ ଆଲୁଅ ତଥା ଛାଇର ବହୁ ବୈଚିତ୍ର୍ୟ ମଧ୍ୟ ରହିଛି । ଅନ୍ତର୍ଗତ ମନୁଷ୍ୟଟିର ଏକ ପୂର୍ଣ୍ଣତର ଆକୃତିକୁ ହିଁ ଉପସ୍ଥାପିତ କରାଯାଇଛି । ଟଲ୍‌ଷ୍ଟୟଙ୍କ ପାତ୍ରମାନେ ଆମ ସମ୍ମୁଖରେ ଏପରି ଜୀବନ୍ତ ଓ ମୂର୍ତ୍ତ ଭାବରେ ଦଣ୍ଡାୟମାନ ରହିଥିବା ପରି ବୋଧ ହୁଅନ୍ତି ଯେ, ସେମାନଙ୍କୁ ଦେଖିଲାମାତ୍ରକେ ତୁମେ ସତେଅବା ରାସ୍ତାରେ ଯାଉଥିବା କୌଣସି ମନୁଷ୍ୟ ବୋଲି ଚିହ୍ନି ବି ପାରୁଥିବ । ଅନ୍ୟ ପକ୍ଷରେ ତୁର୍ଗେନିଭ୍‌ଙ୍କ ପାତ୍ରମାନେ ସେମାନଙ୍କର ସର୍ବବିଧ ଅନ୍ତରଙ୍ଗ ସ୍ଵୀକାରୋକ୍ତି ତଥା ବ୍ୟକ୍ତିସ୍ତରୀୟ ଅନୁରୂପତା ସହିତ ଆପଣା ଆପଣାର ଆତ୍ମଗତ ଜୀବନର ସକଳ ଗୋପ୍ୟ କାହାଣୀଗୁଡ଼ିକୁ ଆସି କହି ଦେଉଥିବା ପରି ସର୍ବଦା ଦୃଶ୍ୟମାନ୍ ହୁଅନ୍ତି ।

 

ପ୍ରତ୍ୟେକଟି ଦୃଶ୍ୟ ଓ ଏପରିକି ପ୍ରତ୍ୟେକ ଧାଡ଼ିଟି ମଧ୍ୟ ସତେଅବା ନାନା ନୂତନ ଏବଂ ଗଭୀର ଦିଗ୍‌ବଳୟକୁ ପାଠକ ସମ୍ମୁଖରେ ଉଦ୍‌ଘାଟିତ ହିଁ କରେ ଏବଂ ସେଥିରେ ବର୍ଣ୍ଣିତ ପାତ୍ରମାନଙ୍କର ବର୍ଣ୍ଣନା ଉପରେ ନିତାନ୍ତ ଅପ୍ରତ୍ୟାଶିତ ନୂତନ କୌଣସି ଆଲୋକକୁ ପ୍ରତିଫଳିତ କରି ଦେଉଥାଏ ।

 

ଏହି କାହାଣୀର ମୁଖ୍ୟ ନାୟକର ଅତ୍ୟନ୍ତ ଜଟିଳ ତଥା କଷ୍ଟାବୋଧ୍ୟ ଚରିତ୍ରଟି ବର୍ଣ୍ଣନାର ସର୍ବୋଚ୍ଚ ଶିଖରରେ ପହଞ୍ଚି ଏହି ସୂକ୍ଷ୍ମ ମନଃସ୍ତରୀୟ ଅନେକ ପ୍ରସ୍ଥତାକୁ ବହୁ ପ୍ରକାରେ ଦର୍ଶାଇ ମଧ୍ୟ ଦିଏ । ହଁ, ନାୟକ ଡିମିଟ୍ରି ରୁଡ଼ିନ୍ ପ୍ରକୃତରେ କେତେ ନା କେତେ ବିରୋଧ ଦେଇ ତିଆରି ହୋଇଛନ୍ତି, ତଥାପି ବସ୍ତୁତଃ ସକଳ ମୂହୁର୍ତ୍ତରେ ହିଁ ସେ ଆମ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରକୃତ ବୋଲି ପ୍ରତୀତ ହେଉଛନ୍ତି, —ଜୀବନ୍ତ ଏବଂ ମୂର୍ତ୍ତି ବୋଲି ଆପଣାକୁ ପ୍ରତିପାଦିତ କରି ପାରୁଛନ୍ତି ।

 

ନାୟିକା ନାତାଲିଆଙ୍କ ଚରିତ୍ରଟିର ଯେପରି ଭାବରେ ଚିତ୍ରଣ କରାଯାଇଛି, ତାହାକୁ ମଧ୍ୟ ଆଦୌ କମ୍ ଉଲ୍ଲେଖନୀୟ ବୋଲି କଦାପି କୁହାଯିବନାହିଁ । ବାଳିକାଟି କେଡ଼େ ଧୀର, ବିବେକ ସମ୍ପନ୍ନ ଏବଂ ତାଙ୍କର ଏକ ବାସ୍ତବବୁଦ୍ଧି ଅବଶ୍ୟ ରହିଛି । ନିଜର ଅନ୍ତର୍ଗତ କ୍ଷେତ୍ରରେ ପୂର୍ଣ୍ଣ ସ୍ଵଭାବଟିରେ ହିଁ ଉତ୍ସାହ ଓ ସାହସିକ ଭାବନା ମଧ୍ୟ ବିଦ୍ୟମାନ ଅଛି । ତଥାପି, ଏବେ ମଧ୍ୟ ବେଶ୍ ପିଲାଟିଏ ଏବଂ ଜୀବନର ଯାବତୀୟ ଅନୁଭବ ଅତ୍ୟନ୍ତ ନୂଆ ନୂଆ ପରି ଲାଗୁଛି । ସମଗ୍ର ଭାବରେ କହିଲେ, ଏବେ ମଧ୍ୟ ପରିପକ୍ଵତା ଆସିନାହିଁ । ତାଙ୍କ ଜୀବନର ଚିତ୍ରଣ କରିବାରେ ଯଦି ତୁର୍ଗେନିଭ୍ ଗୁଡ଼ାଏ ଖୋଳତାଡ଼ ତଥା ବିଶ୍ଳେଷଣ କରିବାର ଶୈଳୀଟିଏ ବ୍ୟବହାର କରିଥାଆନ୍ତେ, ତେବେ ତଦ୍ଦ୍ଵାରା ସୃଜନ କ୍ଷେତ୍ରରେ ବହୁତ ସୌନ୍ଦର୍ଯ୍ୟ ପ୍ରକୃତରେ ନଷ୍ଟ ହୋଇଯାଇଥାନ୍ତା । ସେଥିପାଇଁ ସିଏ ଏକ ସମନ୍ୱୟାତ୍ମକ ବର୍ଣ୍ଣନାର ହିଁ ସାହାଯ୍ୟ ନେଇଛନ୍ତି; ଅତ୍ୟନ୍ତ ବିଚକ୍ଷଣ ଭାବରେ କେବଳ କେତୋଟି ରେଖା ଟାଣିଦେଇ ହିଁ ସବୁକିଛି କହି ଦେଇଛନ୍ତି ଏବଂ ସେତିକିରେ ହିଁ ବାଳିକାଟିର ଅନ୍ତର୍ଗଭୀରର ପରୋକ୍ଷ ସତ୍ୟଗୁଡ଼ିକର ମଧ୍ୟ ବେଶ୍ ପରିଚୟ ମିଳିଯାଇ ପାରୁଛି; —ସିଏ ପ୍ରକୃତରେ କିଭଳି ଏବଂ ଅନ୍ୟଭଳି ପରିବେଶଗୁଡ଼ିକୁ ପାଇଥିଲେ ହୁଏତ କିଭଳି ହୋଇ ପାରିଥାନ୍ତା, ଇତ୍ୟାଦି ଇତ୍ୟାଦି ।

 

ଏହି ଚରିତ୍ରଟି ଲାଗି ଆମକୁ ପ୍ରକୃତରେ ଆହୁରି ଅଧିକ ମନୋଯୋଗ ଦେବାକୁ ହୋଇଥାନ୍ତା, ମାତ୍ର ଏଠାରେ ତାହା ସମ୍ଭବ ହୋଇ ପାରିନାହିଁ । ଜର୍ଜ ମେରିଡ଼ିଥ୍‌ଙ୍କ ପରି ଶ୍ରୀଯୁକ୍ତ ତୁର୍ଗେନିଭ୍ ହେଉଛନ୍ତି ନାରୀମାନଙ୍କର ଚରିତ୍ରକୁ ଚିତ୍ରଣ କରିବାରେ ଜଣେ ଅତ୍ୟନ୍ତ ପ୍ରବୀଣ ଲଖେକ-। ଏବଂ ତାଙ୍କର ଏହି ନାୟିକା ନାତାଲିଆ ହେଉଛନ୍ତି ଆଧୁନିକ ରୁଷଦେଶୀୟ ଇତିହାସରେ ଜଣେ ଅତ୍ୟନ୍ତ ସ୍ଵତନ୍ତ୍ରତା ରହିଥିବା ଏକ ସତ୍ୟର ଅତ୍ୟନ୍ତ କାବ୍ୟିକତାପୂର୍ଣ୍ଣ ପ୍ରକାଶରୂପ । ଏପରି ଜଣେ ନାରୀର ନମୁନା, ସମସାମୟିକ ବହୁ ପୁରୁଷଙ୍କର ତୁଳନାରେ ଯିଏ କି ଅଧିକ ମଞ୍ଜୁଳ ଭାବରେ ଏକ ପୁରୁଷସୁଲଭ ମନୋବଳର ଅଧିକାରିଣୀ ହୋଇ ପାରିଛନ୍ତି । ଅତ୍ୟନ୍ତ ଦୁର୍ବଳମନା, ଆଦୌ କୌଣସି ଦୃଢ଼ତା ନଥିବା ଏବଂ ତଥାପି ବେଶ୍ ଅତ୍ୟନ୍ତ ଅଧିକ ବୁଦ୍ଧିମତାର ପରିଚୟ ଦେଉଥିବା ପୁରୁଷମାନଙ୍କ ପାଶ୍ଵବର୍ତ୍ତୀ ଭାବରେ ଆମେ ତାଙ୍କର ପ୍ରଥମ ତିନୋଟି ଉପନ୍ୟାସରେ ଶକ୍ତିମତ୍ତା, ଆନ୍ତରିକତା ତଥା ଭରପୂର ଉତ୍ସାହର ପରିଚୟ ଦେଉଥିବା ନାରୀମାନଙ୍କୁ ଭେଟୁ, ଯେଉଁମାନେ କି ଯାବତୀୟ କ୍ରିୟାଶୀଳ କ୍ଷେତ୍ରରେ ଆଗରେ ରହିଥାନ୍ତି ଏବଂ ଅଥଚ ବିଚାର ଏବଂ ଭାବନାମାନଙ୍କର କ୍ଷେତ୍ରରେ ସେହି ପୁରୁଷର ହିଁ ସତେଅବା ଜଣେ ଜଣେ ଅନୁଗତା ଛାତ୍ରୀରୂପେ ହିଁ ଅବସ୍ଥାନ କରୁଥାଆନ୍ତି । କେବଳ ଏକ ପରବର୍ତ୍ତୀ ପର୍ଯ୍ୟାୟର ଗୋଟିଏ ଉପନ୍ୟାସରେ ଯାଇ ତୁର୍ଗେନିଭ୍ ଆମ ପାଇଁ ଏପରି ଜଣେ ପୁରୁଷ ବ୍ରାଦାନୋଭ୍‌ଙ୍କର ଉପସ୍ଥାପନା କରିଛନ୍ତି, ଯାହାଙ୍କୁ ମୂଳତଃ ପୁରୁଷ ବୋଲି କୁହାଯିବ । ମାତ୍ର, ୧୮୪୦ରୁ ୧୮୬୦ ପର୍ଯ୍ୟନ୍ତ ସେହି କାଳଟିର ରୁଷୀୟ ବୌଦ୍ଧିକ ଜୀବନର ସେହି ଆଗ୍ରହୋଦ୍ଦୀପକ ବୈଚିତ୍ର୍ୟଟି ବିଷୟରେ ମୁଁ ତୁର୍ଗେନିଭ୍‌ଙ୍କର ଆଉଗୋଟିଏ ଉପନ୍ୟାସର ଆଲୋଚନା କରିବା ସମୟରେ ସମ୍ଭବତଃ ଅଧିକ ସମ୍ପୂର୍ଣ୍ଣ ଭାବରେ ପ୍ରକୃତରେ କିଛି କହିପାରିବି । କାରଣ ସେଇଟିରେ ହିଁ ଉକ୍ତ ବିରୋଧଟି ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ପରିସ୍ଫୁଟ ହୋଇଛି ।

 

ଉପନ୍ୟାସର ଗୌଣ ଚରିତ୍ରଗୁଡ଼ିକ, —ଲେଜ୍‌ଝନିଓଭ୍, ପିଗୋସୋଭ୍, ଶ୍ରୀମତୀ ଲାସୁନ୍‌ସ୍କି, ପାଣ୍ଡାଲେଭ୍‌ସ୍କି ଇତ୍ୟାଦିଙ୍କ ବିଷୟରେ ମୁଁ ଏଠାରେ କହିବିନାହିଁ, ଯେଉଁମାନଙ୍କୁ କି ସତେଅବା କୌଣସି ଏକ ଲଘୁଚିତ୍ରର ଖୁବ୍ ଚମତ୍କାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ ବୋଲି କୁହାଯିବ-। ଏବଂ ସମଗ୍ର ଉପନ୍ୟାସଟି ବିଷୟରେ କିଛି କହିବାକୁ ଯାଇ ଏଠାରେ ମୁଁ କେବଳ ଗୋଟିଏ ମନ୍ତବ୍ୟ ହିଁ ଦେବି ଏବଂ ପୁସ୍ତକଟିକୁ ପାଠ କରି ପାଠକର ସ୍ଵୟଂ ଯେଉଁପରି ଧାରଣାଟିଏ ହେବ, ସେଥିରେ ପୂର୍ବରୁ ହିଁ କୌଣସି ହସ୍ତକ୍ଷେପ କରିବାକୁ ଆଦୌ ଇଚ୍ଛା କରିବିନାହିଁ ।

 

ଶ୍ରୀଯୁକ୍ତ ତୁର୍ଗେନିଭ୍‌ଙ୍କୁ ଏହି ଅର୍ଥରେ ଜଣେ ବାସ୍ତବବାଦୀ ଲେଖକ ବୋଲି କୁହାଯିବ ଯେ, ସିଏ ବାସ୍ତବତାଠାରୁ ଦୂରକୁ ଚାଲିଯିବା ପାଇଁ ଆଦୌ ଇଚ୍ଛା କରିନାହାନ୍ତି, —ପ୍ରକୃତ ସତ୍ୟ ଏବଂ ସ୍ଵାଭାବିକତାର ନିକଟବର୍ତ୍ତୀ ହୋଇ ରହିଛନ୍ତି । କିନ୍ତୁ, ସତେଅବା ଦୃଷ୍ଟ ଜୀବନର ଗୋଟିଏ ଫଟୋ ନେଉଥିବା ପରି ପୂର୍ଣ୍ଣ ନିଷ୍ଠା ରଖି ସିଏ କଦାପି କୌଣସି ନୀରସତା କିମ୍ବା ସ୍ଫୂର୍ତ୍ତିହୀନତା ମଧ୍ୟ ସୃଷ୍ଟି କରିନାହାନ୍ତି । ସେହି ବର୍ଗର ପ୍ରତିନିଧିସ୍ଥାନୀୟ କେତେ ଉତ୍ତମମାନେ ଯେପରି ସେପରି କରିବାକୁ ପ୍ରାୟ ବାଧ୍ୟ ଅନୁଭବ କରିଛନ୍ତି, ତୁର୍ଗେନିଭ୍ ତାହା କରିନାହାନ୍ତି, ତାଙ୍କର ବର୍ଣ୍ଣନାଗୁଡ଼ିକରେ ଆଦୌ କୌଣସି କ୍ଳାନ୍ତିକାରୀ ଟିକିନିଖିର କେବେ ସାମନା କରିବାକୁ ପଡ଼ିନଥାଏ । ଘଟଣାକ୍ରମଟି ପୂର୍ଣ୍ଣ ବେଗରେ ଅଗ୍ରସର ହେଉଥିବା ପରି ବି ଲାଗୁଥାଏ । ଘଟଣାଗୁଡ଼ିକ ଆଗକୁ କିପରି କ’ଣ ଘଟିବାକୁ ଯାଉଛି, ସେହି ବିଷୟରେ ଶହେପୃଷ୍ଠା ପୂର୍ବରୁ ମୋଟେ ଘ୍ରାଣ କରି ହୁଏନାହିଁ । ତୁର୍ଗେନିଭ୍ ଆପଣାର ପାଠକମାନଙ୍କୁ ସବୁବେଳେ ହିଁ ପୂର୍ଣ୍ଣ ଉତ୍‌କଣ୍ଠା ଏବଂ ଅନିଶ୍ଚୟତା ମଧ୍ୟରେ ରଖିଥାଆନ୍ତି ଏବଂ ମୁଁ ଅନୁମାନ କରୁଛି ଯେ ଏପରି କରିବା ଦ୍ଵାରା ସିଏ ଆପଣାକୁ ଫ୍ରାନ୍‌ସ, ଇଂଲଣ୍ଡ ଓ ଆମେରିକାର ସେହି ବେଶ୍ ଖୁବ୍ ନିକିଟା ବାସ୍ତବବାଦର ପ୍ରତିଭାବାନ୍ ପ୍ରତିନିଧି ମାନଙ୍କର ତୁଳନାରେ ନିଜକୁ ଜଣେ ଅଧିକ ଉତ୍କୃଷ୍ଟ ବାସ୍ତବବାଦୀ ବୋଲି ପ୍ରତିପାଦିତ କରିଥାନ୍ତି । ଜୀବନଟା ଆଦୌ ନୀରସ ଓ ପ୍ରଭାହୀନ ନୁହେଁ, ଜୀବନ ତ ନିରନ୍ତର ହିଁ ନାନା ଅନିଶ୍ଚୟତାରେ ଭରି ରହିଥାଏ, ଯେଉଁଗୁଡ଼ିକର ଆମେ ଆଗରୁ କୌଣସି ଆଭାସ ମଧ୍ୟ ପାଇ ନଥାଉ ଏବଂ ଜଣେ ଉପନ୍ୟାସକାର ଯେତେ ଅଧିକ ପରିମାଣରେ ପୂର୍ଣ୍ଣ ଯୁକ୍ତିଯୁକ୍ତ ଭାବରେ ପ୍ରକୃତ ଘଟଣାଗୁଡ଼ିକୁ ଠିକ୍ ଯେଉଁଭଳି ସେହିଭଳି ରୂପ ଦେଇ ଆଣି ଥୋଇ ଦେବାକୁ ସ୍ପୃହା ରଖିଥିଲେ ମଧ୍ୟ ନିଜେ ଲେଖୁଥିବା ଏକ ଉପନ୍ୟାସରେ ଆପେ ମଧ୍ୟ ସେଇଟିରେ ନିଜର ମଧ୍ୟ ବହୁତ କିଛି ସର୍ଜନା କରି ଅବଶ୍ୟ ରଖିଦେବ; କାରଣ, ତା’ ନହେଲେ ପୂର୍ଣ୍ଣ ବିଶ୍ଵସନୀୟତା ରକ୍ଷା କରିବାକୁ ଯାଇ ତାକୁ କଳାତ୍ମକତାର ଅସଲ ଆତ୍ମାଟିକୁ ସେଥିରୁ ବାଦ୍ ଦେବାକୁ ପଡ଼ିବ ।

 

ଡିମିଟ୍ରି ରୁଡ଼ିନ୍‌ଙ୍କର କାହାଣୀଟି ବସ୍ତୁତଃ ଏଡ଼େ ଅଧିକ ପରିମାଣରେ ସରଳ ଯେ, ସେଥିରେ ଆଦୌ କୌଣସି ଘଟଣା କ’ଣ ବା ଅଛି ବୋଲି ଇଂଲଣ୍ଡର ଜଣେ ଉପନ୍ୟାସପାଠକ ହୁଏତ ପ୍ରଶ୍ନ ମଧ୍ୟ କରିବ ।

 

ଯେଉଁ ଉପନ୍ୟାସକାରମାନେ ଉପନ୍ୟାସଟିଏ ଲେଖି ଆମର ଗ୍ରହଣେନ୍ଦ୍ରିୟ ଗୁଡ଼ିକୁ ଚକିତ କରି ଦିଅନ୍ତି, ତୁର୍ଗେନିଭ୍ ସେମାନଙ୍କର କୌଶଳଟିକୁ ଘୃଣା ହିଁ କରୁଥିଲେ-। ତଥାପି, ଅନ୍ତତଃ ରୁଷିଆର ଜଣେ ବ୍ୟକ୍ତି ଆଗରେ ଡିମିଟ୍ରି ରୁଡ଼ିନ୍‌ଙ୍କର କାହାଣୀଟି ଉପେକ୍ଷା ଭିକ୍ଟର ହୁଗୋ କିମ୍ବା ଆଲେକଜାଣ୍ଡର୍ ଡୁମାଙ୍କ ଦ୍ଵାରା ଲିଖିତ ଆଖର ଗୋଟିଏ ଉପନ୍ୟାସକୁ ନେଇ ପହଞ୍ଚାଇ ଦେବା ସମ୍ଭବତଃ ଅଧିକ ସହଜ ହେବ । ହଁ, ଶ୍ରୀ ତୁର୍ଗେନିଭ୍‌ଙ୍କର ଯେକୌଣସି ପ୍ରସିଦ୍ଧ ଉପନ୍ୟାସ ବେଳକୁ ମଧ୍ୟ ହୁଏତ ତାହା ହିଁ କୁହାଯାଇ ପାରିବ । ଅପ୍ରତ୍ୟାଶିତ ବହୁ ଦୁଃସାହସିକତା ଓ ଶରୀର ରୋମାଞ୍ଚକାରୀ ଘଟଣା ଗୁଡ଼ିକର ଉପସ୍ଥାପନା ଦ୍ଵାରା ପାଠକମାନଙ୍କୁ ମୁଗ୍ଧ କରି ରୋମାଣ୍ଟିକ୍ ଗୋଷ୍ଠୀର ଔପନ୍ୟାସିକମାନେ ପ୍ରକୃତରେ ଯାହାକିଛି ପାଆନ୍ତି, ଆପଣାର କୃତିମାନଙ୍କର କେଡ଼େ ସ୍ଫୂର୍ତ୍ତିମନ୍ତ ତଥା ପ୍ରଶଂସାର୍ହ ଭାବରେ ପାଠକର ଧ୍ୟାନ ଆକର୍ଷିତ କରାଇ ପାରୁଥିବା ଏକ କର୍ମସଚଳତା ଦ୍ଵାରା ମଧ୍ୟ ତୁର୍ଗେନିଭ୍ ବେଶ୍ ସଫଳତା ସହିତ ତାହା କରି ପାରିଛନ୍ତି ଏବଂ ସର୍ବୋପରି ଜଣେ ଉପନ୍ୟାସକାରର ଅତ୍ୟନ୍ତ ସରଳ ତଥା ସବୁଠାରୁ ଅଧିକ ମୂଲ୍ୟବାନ୍ ସମର୍ଥତାଟି ଦ୍ଵାରା ତାହା କରିଛନ୍ତି: ଆପଣା ପାଠକମାନଙ୍କର ସହାନୁଭୂତି ଏବଂ ଭାବାବେଗମାନଙ୍କୁ ସେ ଉତ୍ତମ ରୂପେ ଠଉରାଇ ପାରିଛନ୍ତି ଏବଂ ଏହି ଦୃଷ୍ଟିରୁ ଆମେ ଜଣେ କୁଶଳୀ ସଙ୍ଗୀତକାରଙ୍କ ସହିତ ମଧ୍ୟ ତାଙ୍କର ତୁଳନା କରିପାରିବା, ଯିଏ କି ନିଜ ଶ୍ରୋତାମାନଙ୍କର ଯାବତୀୟ ଭାବାବେଗର ସ୍ନାୟବିକ କ୍ଷେତ୍ର ଓ ଆତ୍ମଗୁଡ଼ିକୁ ମଧ୍ୟ ପ୍ରଭାବିତ କରିପାରେ, ଅଥଚ ମନ ନାମକ ସେହି ମଧ୍ୟବର୍ତ୍ତୀ ଦ୍ଵାରଟିର ଆଦୌ କୌଣସି ସାହାଯ୍ୟ ନେଉନଥାନ୍ତି; କିମ୍ବା ତାଙ୍କୁ ଜଣେ ଏପରି କରି ବୋଲି କଳ୍ପନା କରିବା, ଯିଏକି କେତେ ଅବଲୀଳା ସହିତ ଶବ୍ଦର ଶକ୍ତିମତ୍ତା ଏବଂ ଏକ ସୌଷମ୍ୟର ସମ୍ମୋହନକାରୀ ଜାଦୁ ମଧ୍ୟରେ ଏକ ସମ୍ମିଳନ ସମ୍ଭବ କରିଥାଆନ୍ତି । ଆମେ ଶ୍ରୀଯୁକ୍ତ ତୁର୍ଗେନିଭ୍ ଲେଖୁଥିବା ଉପନ୍ୟାସଗୁଡ଼ିକୁ କେବଳ ମୋଟେ ପାଠ କରୁନାହିଁ, ଆମେ ସେଗୁଡ଼ିକ ଭିତରେ ଆପଣାର ଜୀବନଟିକୁ ବି ବଞ୍ଚୁଥାଉ ।

 

ଏହିସବୁ ଅସାଧାରଣ ଆକର୍ଷଣତାର ଅବଶ୍ୟମ୍ଭାବୀ କାରଣଟି ହେଉଛି ଯେ, ଆମର ଏହି ଏଡ଼େ ଅଧିକ ପରିମାଣରେ ସମୃଦ୍ଧ, ଅତ୍ୟନ୍ତ ସ୍ଥିତିସ୍ଥାପକ ଏବଂ ସାଙ୍ଗୀତିକ ଛନ୍ଦସମ୍ପନ୍ନ ଭାଷାଟିର ପୂର୍ଣ୍ଣ ସମ୍ପଦଟି ଉପରେ ତୁର୍ଗେନିଭ୍‌ଙ୍କର ସର୍ବଦା ନୈପୁଣ୍ୟ ମଧ୍ୟ ରହିଥିଲା । କେବଳ କବି ଲର୍ମୋଣ୍ଟୋଭ୍ ହିଁ ଦୁର୍ଗେନିଭ୍‌ଙ୍କ ପରି ଏତେ ସୁନ୍ଦର ଗଦ୍ୟ ଲେଖି ପାରୁଥିଲେ । ଏଥିରେ ସନ୍ଦେହର ଅବକାଶ ନାହିଁ ଯେ ଅନୁବାଦ ହେଲେ ସେହି ଆକର୍ଷକତାଟି ଅନେକ ପରିମାଣରେ ଅବଶ୍ୟ ହିଁ ନଷ୍ଟ ହେବ ।

 

କିନ୍ତୁ, ମୁଁ ନିଶ୍ଚୟ ଖୁସି ହୋଇ କହିବି ଯେ, ପ୍ରସ୍ତୁତ ଅନୁବାଦଟି ମୂଳ ରଚନାଟିର ସୌନ୍ଦର୍ଯ୍ୟ ଏବଂ କାବ୍ୟମୟତାକୁ ମୋ’ ଜାଣିବାରେ ସର୍ବାଧିକ ପରିମାଣରେ ସୁରକ୍ଷିତ କରି ରଖିଛି ।

 

ଏସ୍. ଷ୍ଟୋପ୍‍ନିଆକ୍

ବେଡ୍‍‍ଫୋର୍ଡ୍‍ ପାର୍କ, ଏପ୍ରିଲ ୨୦, ୧୮୯୪

 

ଉପନ୍ୟାସରେ ଥିବା ଚରିତ୍ରମାନଙ୍କର ନାମ

 

ଡିମିଟ୍ରି ନିକୋଲାଇଟିଚ୍ ରୁଡ଼ିନ୍

ଦରିଆ ମିହାଇଲୋଭ୍‌ନା ଲାସୁନ୍‌ସ୍କି

ନାତାଲିଆ ଆଲେକ୍‌ସିଏଭ୍‌ନା

ମିହାଇଲୋ ମିହାଇଲିଚ୍ ଲେଜ୍‌ଝନିଓଭ୍ (ମିଶା)

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଲିପିନ୍ (ସାଶା)

ସେର୍ଗେ ପା’ ଭ୍‌ଲିଚ୍ ଭୋଲିନ୍ତଶେଭ୍ (ସେରେଝା)

କନ୍‌ଷ୍ଟାଣ୍ଟିନ୍ ଡାୟୋମେଡିଚ୍ ପାଣ୍ଡାଲେଭ୍‌ସ୍କି

ଆଫ୍ରିକାନ୍ ସେମେନିଚ୍ ପିଗାସୋଭ୍

ବାସିସ୍ଟୋଫ୍

କୁମାରୀ ବନକୋର୍ଟ୍‍

 

—୧—

 

ଗ୍ରୀଷ୍ମ ସମୟର ଥିର ସକାଳଟିଏ । ଆକାଶ ନିର୍ମଳ । ସୂର୍ଯ୍ୟଦେବ ବେଶ୍ ଉପରକୁ ଉଠି ଗଲେଣି । ତଥାପି କାକରବିନ୍ଦୁମାନେ ଶୁଖି ଯାଇନଥାନ୍ତି । ବିଲପ୍ରାନ୍ତରମାନଙ୍କୁ ଚକଚକ କରି ରଖିଥାନ୍ତି । ଉପତ୍ୟକାମାନେ ସତେଅବା ପୂରା ନିଦରୁ ଉଠି ନଥାନ୍ତି । ଏକ ସଦ୍ୟ ପବନ ସୁଲୁସୁଲୁ ହୋଇ ବହି ଯାଉଥାଏ ଏବଂ ବଣଟା ବି ତଥାପି ଆର୍ଦ୍ର ଏବଂ ନିସ୍ତବ୍ଧ ହୋଇ ରହିଥାଏ । ଚେଢ଼ଇମାନେ କେଡ଼େ ଖୁସି ହୋଇ ଗୀତ ଗାଇବା ଆରମ୍ଭ କରି ଦେଇଥିଲେ । ତଳୁ ପ୍ରାୟ ତୀଖ ହୋଇ ଉପରକୁ ଉଠି ଯାଇଥିବା ଗୋଟିଏ ମାଣ୍ଡିଆ କିଆରୀରେ ଫୁଲମାନେ ବଡ଼ ଉଜ୍ଜ୍ଵଳ ହୋଇ ଦେଖାଗଲେଣି । ହଁ, ସେଇଠି ସାନ ଗାଆଁଟିଏ ବି ଦୃଷ୍ଟିଗୋଚର ହୋଇ ଆସିଲାଣି । ସାନ ଅଣପ୍ରଶସ୍ତ ରାସ୍ତା, ଯେଉଁଟିକି ଏହି ସାନ ଗାଆଁକୁ ପଡ଼ିଥିଲା, ଯୁବତୀ ଝିଅଟିଏ ସେଇଟିକୁ ଧରି ଚାଲି ଯାଉଥିବା ଦେଖାଗଲା । ଧଳା ଲମ୍ବା ସେମିଜ୍‌ଟିଏ ପିନ୍ଧିଛି, ମୁଣ୍ଡରେ ତୃଣରେ ତିଆରି ଗୋଲିଆ ଟୋପିଟିଏ ଲଗାଇ । ହଁ, ହାତରେ ଛତାଟିଏ ମଧ୍ୟ ଧରିଥାଏ । ଏବଂ ପଛେ ପଛେ କିଛି ଦୂରରେ ପିଲାଟିଏ ପରିକର ଭାବେ ।

 

ଝିଅଟି ମୋଟେ ତରତର ନହୋଇ ଧୀରେ ସୁସ୍ଥେ ଚାଲିଛି । ସତେଅବା ଭାରି ଭଲ ଲାଗୁଛି ତାକୁ ଏହିପରି ଯିବାକୁ । ମାଣ୍ଡିଆ ଫସଲର ଅଗମାନେ ବେଶ୍ ସାଇଁ ସାଇଁ ଶବ୍ଦ କରି ଢେଉଢେଉକା ଖେଳିବାରେ ଲାଗିଛନ୍ତି । ସେମାନଙ୍କର ଭଳି ଭଳି ରଙ୍ଗର ଚମକରେ କୋଉଠି ରୂପେଲି ସବୁଜ ତ ପୁଣି ଆଉ କେଉଁଠି ନାଲିଆ ରଙ୍ଗମାନେ ବି ଝଟକି ଉଠୁଛନ୍ତି । ମୁଣ୍ଡ ଉପରେ ପୁଣି ମେଳା ମେଳା ଚାତକ ଚଢ଼େଇଙ୍କର ଉତ୍ସବ ଚାଲିଛି । ଯୁବତୀ ଝିଅଟିର ନିଜ ସ୍ଥାନଟି ଏଠାରୁ ମାଇଲିଏ ବାଟ ହେବ ଏବଂ ସିଏ କୌଣସି କାର୍ଯ୍ୟରେ ଏଠାରେ ଥିବା ଏଇ ଗାଆଁଟିକୁ ଯାଉଛି । ନାଆଁ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଲିପିନ୍ । ବିଧବା ଝିଅଟି, ସନ୍ତାନ ସନ୍ତତି କେହି ନାହାନ୍ତି । ଅବସ୍ଥା ଆଦୌ ମନ୍ଦ ନୁହେଁ । ନିଜର ଭାଇ ସହିତ ସେଇ ଆର ଗାଆଁରେ ରହେ । ଭାଇ, ଅଶ୍ଵାରୋହୀ ବାହିନୀରେ ଅଫିସର ଥିଲେ, ଏବେ ଅବସର ଗ୍ରହଣ କରିଛନ୍ତି । ସେହି ଭାଇଙ୍କର ନାମ ହେଉଛି ସେରଗେଇ ପାଭ୍‌ଲିଚ୍ ଭୋଲିନ୍ତସେଭ୍ । ସେ ବିବାହ କରିନଥିଲେ ଏବଂ ବର୍ତ୍ତମାନ ନିଜର ସମ୍ପତ୍ତିବାଡ଼ି ଦେଖା ଚାହାଁ କରୁଥିଲେ ।

 

ଇତି ମଧ୍ୟରେ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଆସି ଗାଆଁଟିରେ ପହଞ୍ଚି ଯାଇଥିଲେ ଏବଂ ଗାଆଁର ସବାଶେଷ ଘରଟି ପାଖରେ—ଖୁବ୍ ପୁରୁଣା ଏବଂ ନୁଆଁଣିଆଛାତ ଥିବା ସେହି ଘରଟି । ସିଏ ପଛେ ପଛେ ଆସୁଥିବା ପିଲାଟିକୁ ଡାକିଲେ ଏବଂ ଭିତରକୁ ଯାଇ ଗୃହିଣୀ କେମିତି ଅଛନ୍ତି ବୋଲି ପଚାରି ଆସିବାକୁ କହିଲେ । ପିଲାଟି ଭିତରକୁ ଯାଇ ଦଣ୍ଡକ ଭିତରେ ପେରି ଆସିଥିଲା । ତା’ ସହିତ ଜଣେ ବୃଦ୍ଧ କୃଷକ ମଧ୍ୟ ବାହାରକୁ ଆସିଥିଲେ । ଶରୀର ସମ୍ପୂର୍ଣ୍ଣ ଭାବରେ ଜୀର୍ଣ୍ଣ । ମୁହଁରେ ଧଳା ଦାଢ଼ି ।

 

“ସିଏ କିପରି ଅଛନ୍ତି ?” —ଆଲେକ୍‌ଜାଣ୍ଡ୍ରା ପାଭଲୋନା ପଚାରିଥିଲେ ।

 

“ହଁ, ତଥାପି ବଞ୍ଚିଛନ୍ତି,” —ବୃଦ୍ଧ ଉତ୍ତର ଦେଇ କହିଥିଲେ ।

 

“ଭିତରକୁ ଯିବି ?”

 

“ହଁ, ହଁ, ଅବଶ୍ୟ ଯିବେ ।”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଭିତରକୁ ଗଲେ । ଭାରି ଅଣଓସାରିଆ, —ପଶିଲେ ନିଃଶ୍ଵାସ ବନ୍ଦ ହୋଇଯିବା ପରି ଲାଗିବ । ଧୂଆଁରେ ହିଁ ପୂରି ରହିଥାଏ । ତା’ରି ଭିତରେ ଜଣେ କିଏ କଡ଼ ଲେଉଟାଇ ବିକଳରେ କ’ଣ ଶବ୍ଦଟିଏ କରିବାକୁ ଆରମ୍ଭ କଲା । ଘର ଭିତରେ ଥିବା ଚୁଲିର ପଖା ଉପରେ ହିଁ ତାଙ୍କପାଇଁ ଶଯ୍ୟା ପ୍ରସ୍ତୁତ କରାଯାଇଥିଲା । ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଘରର ଚାରିଆଡ଼କୁ ଆଖି ବୁଲାଇ ନେଇଥିଲେ ଓ ସେହି ଅଧା ଅନ୍ଧାର ଭିତରେ ବୃଦ୍ଧାଙ୍କୁ ତଥାପି ଆବିଷ୍କାର କରି ପାରିଥିଲେ; ମୁହଁ ଉପରଟା ହଳଦିଆ ଦିଶୁଛି, ଶିରା ପଡ଼ିଯାଇଛି ଏବଂ ତା’ ଉପରେ ଛକି ଛକି ଗାର ପଡ଼ିଥିବା ରୁମାଲଟିଏ ମେଲି ହୋଇ ରହିଛି । ପୂରା ଗଳାଯାଏ ଚିପା ହୋଇଥିବା ଏକ ମୋଟା ଓଭରକୋଟ୍ ତଳେ ସେହି ବୃଦ୍ଧା ଭାରି କଷ୍ଟ ସହିତ ହିଁ ନିଃଶ୍ଵାସ ନେଇ ପାରୁଛନ୍ତି । ତାଙ୍କର ଅତି କୃଶ ହାତଦୁଇଟି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ବୃଦ୍ଧାଙ୍କର ଆଉଟିକିଏ ପାଖକୁ ଗଲେ । ନିଜ ହାତର ଅଙ୍ଗୁଳିଗୁଡ଼ିକୁ ତାଙ୍କର କପାଳ ଉପରେ ରଖିଲେ । ଦେହଟା ତାତିରେ ଖଇ ଫୁଟୁଥାଏ ।

 

“କେମିତି ଲାଗୁଛି !” ବୃଦ୍ଧାଙ୍କର ଶଯ୍ୟା ଉପରେ ସିଏ ନଇଁ ପଡ଼ି ପଚାରିଲେ ।

 

ବୃଦ୍ଧା ସେହିପରି ଓ ହୋ ହି ହେଉଥାଆନ୍ତି । କିଏ ତାଙ୍କୁ କ’ଣ ପଚାରିଲା ବୋଲି ଠଉରାଇବାକୁ ଚେଷ୍ଟା କରୁଥାନ୍ତି । “ହଁ, ଝିଅ—ଭାରି ଖରାପ, ଭାରି ଖରାପ । ମୋ’ର ଏକାବେଳେକେ ଶେଷ ବେଳ ଆସି ହିଁ ପହଞ୍ଚିଗଲା !”

 

“ନାଇଁ, ନାଇଁ ମାଆ । ଭଗବାନଙ୍କର ଦୟା ସର୍ବଦା ରହିଛି । ହୁଏତ ଆପଣଙ୍କର ଦେହ ଅଚିରେ ହିଁ ଭଲ ହୋଇଯିବ । ଆପଣଙ୍କ ସକାଶେ ଔଷଧ ପଠାଇଥିଲି । ଆପଣ ଖାଇଲେ ତ ?

 

ବୃଦ୍ଧା ପୁଣି ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ ଏବଂ କୌଣସି ଉତ୍ତର ଦେଇ ନଥିଲେ । ପ୍ରଶ୍ନଟିକୁ ମଧ୍ୟ ସିଏ ଭଲ କରି ଶୁଣି ପାରିଥିଲେ କି ନାହିଁ କେଜାଣି !

 

“ହଁ, ଔଷଧ ଦିଆ ହୋଇଛି ।” —ବୁଢ଼ା ଦରଜା ପାଖରେ ଛିଡ଼ା ହୋଇଥିଲେ, —ଉତ୍ତର ଦେଲେ ।

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ତାଙ୍କ ଆଡ଼କୁ ଅନାଇଲେ । ପଚାରିଲେ:

 

“ଆପଣଙ୍କ ବ୍ୟତୀତ ଘରେ ଆଉ କେହି ନାହାନ୍ତି ?”

 

“ହଁ, ନାତୁଣୀଟି ଅଛି । କିନ୍ତୁ ସିଏ ସବୁବେଳେ କୁଆଡ଼େ ମନ କୁଆଡ଼େ ଯାଇ ବୁଲୁଥାଏ-। କେବେହେଲେ ରୋଗିଣୀ ଆଈ ପାଖରେ ଆସି ବସେ ନାହିଁ । ଖାଲି ବୁଲିବା ଛଡ଼ା କିଛି ଜାଣିନାହିଁ-। ଏଠି ବୁଢ଼ୀକୁ ଗିଲାସେ ପାଣି ଆଣି ଦେବାକୁ ମଧ୍ୟ ତା’ର ମନ ହୁଏନାହିଁ ଏବଂ ମୁଁ ତ ବୁଢ଼ା ବି ହୋଇ ଗଲିଣି, ମୁଁ ବା କେଉଁ କାମକୁ ହୋଇ ପାରନ୍ତି ।”

 

“ବୁଢ଼ା ମୋ’ ପାଖକୁ ଯାଆନ୍ତେ ନାହିଁ, —ଡାକ୍ତରଖାନାକୁ ।”

 

“ନାଇଁ, ଡାକ୍ତରଖାନାକୁ ନେଲେ ବା କ’ଣ ହେବ ? ସେଠାରେ ମଧ୍ୟ ସେଇ ମରିବାକୁ ତ ହେବ ! ସିଏ ନିଜ ପୂରା ଆୟୁଷଟାକୁ ମଧ୍ୟ ବଞ୍ଚି ସାରିଲାଣି । ମନେ ହେଉଛି, ଭଗବାନ ତାକୁ ନେଇ ଯିବାକୁ ହିଁ ଇଚ୍ଛା କରୁଛନ୍ତି । ତେଣୁ ଆଉ ଆଦୌ ଭଲ ହେବା ହିଁ ନୁହେଁ । ଏବଂ ସିଏ ଡାକ୍ତରଖାନାକୁ ମଧ୍ୟ କିପରି ଯିବ ! ଲୋକେ ଟେକିବାକୁ ଚେଷ୍ଟା କରିବା ମାତ୍ରକେ ତ ତା’ର ପ୍ରାଣ ଚାଲିଯିବ ।

 

“ଓଃ”, —ପୀଡ଼ିତା ବୃଦ୍ଧା କହିଥିଲେ, ମୋ’ର ଏହି ଛେଉଣ୍ଡ ପିଲାଟିକୁ ନାରଖାର ହେବାକୁ ମୋଟେ ଛାଡ଼ିଦେବ ନାହିଁ ଟି ! ଆମ କର୍ତ୍ତା ତ କେତେ ନା କେତେ ଦୂରକୁ ଯାଇଛନ୍ତି, ମାତ୍ର ତୁମେ....”

 

ସିଏ ଆଉ ଅଧିକ କହି ପାରିଲେ ନାହିଁ । ଏତିକି କହିବା ନିମନ୍ତେ ତ ତାଙ୍କୁ ଆପଣାର ସବୁଯାକ ଶକ୍ତିକୁ ଖରଚ କରିବାକୁ ପଡ଼ିଥିଲା ।

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଉତ୍ତର ଦେଇଥିଲେ, “ଆପଣ ଆଦୌ କିଛି ଚିନ୍ତା କରନ୍ତୁ ନାହିଁ । ସବୁକିଛି ନିଶ୍ଚୟ କରାଯିବ । ହଁ ମୁଁ କିଛି ଚାହା ଆଉ ଚିନି ଆଣିଥିଲି । ଆପଣଙ୍କ ସକାଶେ । ଯଦି ମନ ହେବ, ଅବଶ୍ୟ କିଛି ପିଇବେ । ଘରେ କେଟ୍‌ଲି ଅଛି ତ !” ପାଭଲୋଭ୍‌ନା ବୁଢ଼ାଙ୍କ ଆଡ଼କୁ ଅନାଇଲେ ।

 

“କେଟ୍‌ଲି ? ନାଇଁ, ଆମ ଘରେ ନାହିଁ । କିନ୍ତୁ ମାଗି ଆଣିହେବ ।”

 

“ତେବେ, ଆଣିବେ, —ନ ହେଲେ ମୁଁ କେଟ୍‌ଲିଟିଏ ପଠାଇଦେଇ ପାରିବି । ହଁ, ନିଜ ଆଈ ମାଆକୁ ଏପରି ଛାଡ଼ି ନଯିବା ପାଇଁ ଆପଣଙ୍କର ନାତୁଣୀକୁ ମଧ୍ୟ ଆପଣ ଅବଶ୍ୟ କହିବେ । ଭାରି ଲଜ୍ଜାର କଥା ସେଇଟା ବୋଲି ତାକୁ କହିବେ ।”

 

ବୃଦ୍ଧା କୌଣସି ଉତ୍ତର ଦେଇ ନଥିଲେ । ମାତ୍ର ଦୁଇ ହାତରେ ଚାହାର ବଣ୍ଡଲ ଓ ଚିନିକୁ ଗ୍ରହଣ କରିଥିଲେ ।

 

“ତା’ ହେଲେ ମୁଁ ଉଠୁଛି ।” —ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା କହିଥିଲେ । “ହଁ, ମୁଁ ଆଉଥରେ ଆସି ଆପଣଙ୍କୁ ଦେଖି ବି ଯିବି । କିନ୍ତୁ ଆପଣ ଆଦୌ ହତାଶ ହେବେ ନାହିଁ ଏବଂ ଔଷଧ ମଧ୍ୟ ନିୟମିତ ଭାବରେ ଖାଇବେ ।”

 

ବୃଦ୍ଧା ଆପଣା ମସ୍ତକଟିକୁ ଈଷତ୍ ଉପରକୁ ଉଠାଇ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କ ଆଡ଼କୁ ଟିକିଏ ଝୁଙ୍କି ପଡ଼ିଥିଲେ ।

 

“ଆପଣଙ୍କ ସାନ ହାତଟିକୁ ଏଣେ ଟିକିଏ ଆଣିବେ, ମାଆ” —ଖୁବ୍ କ୍ଷୀଣ ସ୍ଵରରେ ବୃଦ୍ଧା କହିଲେ ।

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା କିନ୍ତୁ ହାତ ବଢ଼ାଇ ନଥିଲେ ଓ ବୁଢ଼ୀଙ୍କ ଆଡ଼କୁ ନଇଁ ପଡ଼ି ତାଙ୍କ କପୋଳ ଉପରେ ଏକ ଚୁମ୍ବନ ଦେଲେ ।

 

ଯିବାବେଳେ ସିଏ ବୃଦ୍ଧଙ୍କୁ ମଧ୍ୟ କହିଦେଇ ଗଲେ, “ରୋଗିଣୀଙ୍କର ଅବଶ୍ୟ ତତ୍ତ୍ଵ ନେଉଥିବେ । ତାଙ୍କୁ ଔଷଧ ଦେବାକୁ ଆଦୌ ଭୁଲିଯିବେ ନାହିଁ । ଯେପରି ଲେଖା ହୋଇଛି, ଠିକ୍ ସେହିପରି ଭାବରେ । ହଁ, କିଛି ଚାହା ବି ପିଇବାକୁ ଦେବେ ।”

 

ଏଥର ମଧ୍ୟ ବୃଦ୍ଧ କୌଣସି ଉତ୍ତର ଦେଇ ନଥିଲେ, କେବଳ ମୁଣ୍ଡ ହଲାଇ ସମ୍ମତି ଦେଇଥିଲେ ।

 

ମୁକ୍ତ ପବନର ଖୋଲା ବାହାରକୁ ଆସି ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଏତେବେଳେ ଯାଇ କିଛି ଅଧିକ ଉଶ୍ଵାସ ଭାବରେ ନିଃଶ୍ଵାସ ନେଇ ପାରିଲେ । ଛତାଟିକୁ ଖୋଲି ଘରକୁ ଯିବେ ବୋଲି ବାହାରୁଛନ୍ତି, ହଠାତ୍ ଏକ କ୍ଷୁଦ୍ର କୁଟୀର ନିକଟରେ ଜଣେ ପୁରୁଷବ୍ୟକ୍ତିକୁ ସେ ଦେଖିବାକୁ ପାଇଥିଲେ । ବୟସ ତିରିଶ ପାଖାପାଖି ହୋଇଥିବ : ସେହି ବ୍ୟକ୍ତିଜଣକ ଗୋଟିଏ ନୁଆଣିଆ ଚାରିଚକିଆ ଗାଡ଼ିକୁ ଅଡ଼ାଇ ବେଶ୍ ବେଗର ସହିତ ଚାଲି ଯାଉଥିଲେ । ଧୂସର ରଙ୍ଗର ଏକ ପୁରୁଣା ଓଭରକୋଟ୍ ପରିଧାନ କରିଥିଲେ, ମୁଣ୍ଡରେ ମଧ୍ୟ ସେହି ରଙ୍ଗର ଗୋଟିଏ ଟୋପି । ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କୁ ଦେଖି ସିଏ ତତ୍‌କ୍ଷଣାତ୍ ଘୋଡ଼ାକୁ ଅଟକାଇଲେ ଏବଂ ମୁହଁ ଫେରାଇ ତାଙ୍କ ଆଡ଼କୁ ଅନାଇ ଥିଲେ । ଏଡ଼େ ବଡ଼ ଚେପେଟା ମୁହଁଟା, ବେଶ୍ ବିବର୍ଣ୍ଣ ଦେଖା ଯାଉଥାଏ । ସାନ ଧୂସର ବର୍ଣ୍ଣର ଚିଲା ଆଖି ଦିଓଟି ଓ ପ୍ରାୟ ଧଳା ହୋଇ ଆସୁଥିବା ନିଶଟି ମଧ୍ୟ ତାଙ୍କ ପୋଷାକଟି ପରି ଦିଶୁଥାଏ, ଅର୍ଥାତ୍ ସେଗୁଡ଼ିକରେ ମଧ୍ୟ କୌଣସି ଚକଚକ ନଥାଏ ।

 

ଅଳସୁଆ ହସଟିଏ ହସି ଲୋକଟି ‘ସୁପ୍ରଭାତ’ ବୋଲି କହିଥିଲା । “ଆପଣ ଏଣେ କ’ଣ ସବୁ କରିବାପାଇଁ ଆସିଥିଲେ କହିଲେ !”

 

“ଜଣେ ପୀଡ଼ିତ ମହିଳାଙ୍କୁ ଦେଖି ଆସିଥିଲି ଏବଂ ମିହାଇଲୋ ମିହାଇଲିଚ୍ ଆପଣ ବର୍ତ୍ତମାନ କୋଉଠୁ ଆସୁଛନ୍ତି ?”

 

ମିହାଇଲୋ ମିହାଇଲିଚ୍ ବୋଲି ସମ୍ବୋଧିତ ଉକ୍ତ ବ୍ୟକ୍ତିଜଣକ ମହିଳାଙ୍କ ଆଖିଗୁଡ଼ିକ ଆଡ଼କୁ ଗଭୀର ଭାବେ ଅନାଇ ପୁନର୍ବାର ଈଷତ୍ ହସିଥିଲେ ।

 

କହିଥିଲେ, “ଜଣେ ରୋଗୀ ବ୍ୟକ୍ତିଙ୍କୁ ଦେଖିବାକୁ ଆସି ଆପଣ ଖୁବ୍ ଭଲ ହିଁ କରୁଛନ୍ତି; ମାତ୍ର ତାଙ୍କୁ ଡାକ୍ତରଖାନା ନେଇଗଲେ ଅଧିକ ଭଲ ହୁଅନ୍ତା ନାହିଁ ।”

 

“ରୋଗୀ ଖୁବ୍ ଦୁର୍ବଳ, କୁଆଡ଼େ ନେଇ ହେବ ନାହିଁ ।”

 

“କିନ୍ତୁ ଆପଣ ନିଜ ହସପିଟାଲ୍‌କୁ କ’ଣ ଛାଡ଼ି ଦେବାକୁ ଇଚ୍ଛା କରୁଛନ୍ତି ।”

 

“ଛାଡ଼ି ଦେବାକୁ ? କାହିଁକି ?”

 

“ମୋ’ର ସେଭଳି ଭାବନାଟିଏ କାହିଁକି ଆସିଲା କେଜାଣି !”

 

“ବେଶ୍ ବିଚିତ୍ର ଭାବନାଟିଏ ତ ! କିନ୍ତୁ ସେଇଟି କ’ଣ ପାଇଁ ମୁଣ୍ଡକୁ ଆସିଲା ?”

 

“ଆପଣ ତ ଏବେ ସବୁ ସମୟରେ ହିଁ ମାଡ଼ାମ୍ ଲାସୁନ୍‌ସ୍କିଙ୍କ ପାଖକୁ ଆସୁଚନ୍ତି; ଏବଂ ତାଙ୍କର ପ୍ରଭାବରେ ଆସି ପଡ଼ି ଯାଇଛନ୍ତି । ଏବଂ ସିଏ ବି କହୁଥିଲେ, ଡାକ୍ତରଖାନା, ଇସ୍କୁଲ୍ ଏବଂ ସେହି ଜାତିର ଯାବତୀୟ କଥା, —ଏସବୁରେ ସମୟ ଖାଲି ନଷ୍ଟ ହିଁ ହୁଏ । ଗୋଟିଏ ଗୋଟିଏ ଖାଲି ବେକାର ଖିଆଲ । ହଁ, ଲୋକମାନଙ୍କର କିଛି ହିତ କରିବି ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଭାବରେ । ଶିକ୍ଷା ବେଳକୁ ମଧ୍ୟ ଠିକ୍ ସେହିପରି । ସେହି ସବୁକିଛି ହେଲା ଆତ୍ମା ସ୍ତରର ଗୋଟିଏ କାମ । ସିଏ ତ ଏହିପରି ଭାବରେ କହୁଥିଲେ । ଏସବୁ ଧାରଣା ସିଏ କାହା ପାଖରୁ ଆଣିଛନ୍ତି କେଜାଣି-।”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଈଷତ୍ ହସିଲେ ।

 

“ଦରିଆ ମିହାଇଲୋଭ୍‌ନା ହେଉଛନ୍ତି ଖୁବ୍ ବୁଦ୍ଧିମତୀ ଜଣେ ମହିଳା । ମୁଁ ତାଙ୍କୁ ଭଲ ପାଏ, ସମ୍ମାନ ମଧ୍ୟ କରେ । କିନ୍ତୁ ସିଏ ମଧ୍ୟ ନିଶ୍ଚୟ ଭୁଲସବୁ କରୁଥିବେ ଏବଂ ତାଙ୍କର ସବୁକିଛି କଥାକୁ ମୁଁ ମୋଟେ ବିଶ୍ଵାସ କରେ ନାହିଁ ।

 

ସମ୍ମତି ଜ୍ଞାପନ କରି ମିହାଇଲୋ ମିହାଇଲିଚ୍ ତା’ପରେ କହିଥିଲେ, “ଆପଣ ତାଙ୍କର ସବୁକଥାକୁ ବିଶ୍ଵାସ କରନ୍ତି ନାହିଁ, ତାହା ଖୁବ୍ ଭଲ କଥାଟିଏ ।” ଏପର୍ଯ୍ୟନ୍ତ ସିଏ ନିଜର ଚାରିଚକିଆ ଗାଡ଼ିଟି ଉପରେ ହିଁ ବସି ରହିଥିଲେ । “କାରଣ, ସିଏ ନିଜେ ଯାହାସବୁ କହନ୍ତି, ସେଗୁଡ଼ିକ ସବୁଗୁଡ଼ିକ ଉପରେ ଆପେ ମଧ୍ୟ ଗୁଡ଼ାଏ ବିଶ୍ଵାସ ରଖିନଥାନ୍ତି । ମୁଁ ପ୍ରକୃତରେ ଖୁବ୍ ଖୁସି ଯେ ଆଜି ଏଠାରେ ଆପଣଙ୍କ ସହିତ ସାକ୍ଷାତ ହେଲା ।

 

“କ’ଣ ପାଇଁ ?”

 

“ଆପଣ ଗୋଟିଏ ଭଲ ପ୍ରଶ୍ନଟିଏ ହିଁ କରିଛନ୍ତି । ସତେ ଯେପରି, ଆପଣଙ୍କ ସହିତ ଦେଖା ହେଲେ ମୋତେ ସବୁବେଳେ ଖୁସି ଲାଗେ ନାହିଁ ଏବଂ ଆଜି ଖୁସି ଲାଗିଲା ! ଆଜି ଆପଣ ପ୍ରକୃତରେ ବେଶ୍ ପ୍ରସନ୍ନ ଏବଂ ଉଜ୍ଜ୍ଵଳ ଦେଖା ଯାଉଛନ୍ତି, —ଆଜିର ଏଇ ସକାଳଟି ପରି ।”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ପୁନର୍ବାର ହସିଥିଲେ ।

 

“ଆପଣ କ’ଣ ପାଇଁ ହସିଲେ ?”

 

“ହଁ, ସତେ ତ, କ’ଣ ପାଇଁ ହସିଲି ! ମୋତେ ଏପରି ତାରିଫ କରି ଏସବୁ କଥା କହୁଥିବା ବେଳେ ଯଦି ତୁମର ନିତାନ୍ତ ନୀରସ ଏବଂ ଉଦାସୀନ ମୁହଁଟିକୁ ଆପେ ଦେଖି ପାରି ଥାଆନ୍ତ, ତେବେ ମୁଁ ଭାବୁଛି, ଏହି ଶେଷ କଥାଟିକୁ ଆଦୌ କହିନଥାନ୍ତ !”

 

“ହଁ, ନୀରସ ମୁହଁଟିଏ....ଆପଣ ସବୁବେଳେ ନିଆଁ ଭଳି ମୁହଁଟା ଜଳୁଥିବା ପରି ଦେଖିବାକୁ ଇଚ୍ଛା କରୁଥାନ୍ତି । କିନ୍ତୁ, —ସେହି ଚକଚକ ନିଆଁଟା ଦ୍ଵାରା ଆଦୌ କିଛି ହିଁ ହୁଏ ନାହିଁ । ନିଆଁ ତ ହୁତୁହୁତୁ ହୋଇ ଆଗ ଜଳି ଉଠେ, ତା’ପରେ ସେଥିରୁ ଧୂଆଁ ହିଁ ବାହାରେ ଓ ତାହା ନିଭିଯାଏ ।”

 

“ଏବଂ ନିଆଁ ଉଷୁମ ଦାନ କରେ !” ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା କହିଥିଲେ ।

 

“ହଁ, ହଁ,.... ଏବଂ ଜାଳି ବି ପକାଏ ।”

 

“ହଉ, ଅବଶ୍ୟ ଜାଳି ଦେଇଥାଏ । ସେଥିରେ ଏଡ଼େ ବଡ଼ କ୍ଷତିଟା ମଧ୍ୟ କ’ଣ ହୁଏ । ତଥାପି ଅଧିକ ଭଲ ସେଇଟି ଠାରୁ—”

 

“ତେବେ, ଯେଉଁଦିନ ଆପଣ ଦିନେ ବେଶ୍ ଉତ୍ତମ ରୂପେ ପୋଡ଼ି ହୋଇଯିବେ, ଦେଖିବା ସେଦିନ ଆପଣ କ’ଣ ସବୁ କହିବେ ।” —ପ୍ରାୟ କିଞ୍ଚିତ୍ ବିରକ୍ତି ମିଶା ଗଳାରେ ମିହାଇଲୋ ମିହାଇଲିଚ୍ ତତ୍‌କ୍ଷଣାତ୍ କହିଥିଲେ ଏବଂ ଘୋଡ଼ାର ଲଗାମଗୁଡ଼ିକୁ ଫିଟାଇ ପକାଇଲେ “ହଉ, ମୁଁ ଯାଉଛି” —କେବଳ ସେତିକିମାତ୍ର କହିଥିଲେ ।

 

ଆଲେକ୍‌ଜାଣ୍ଡ୍ରା ପାଭାଲୋଭ୍‌ନା ସଙ୍ଗେ ସଙ୍ଗେ ବଡ଼ ପାଟିରେ ତତ୍‌କ୍ଷଣାତ୍ ତାଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, “ମିହାଇଲୋ ମିହାଇଲିଚ୍, ଟିକିଏ ରହ, ତୁମେ ଆମଆଡ଼େ ପୁଣି କେବେ ଆସିବ ?”

 

“କାଲି ଆସିବି । ଆପଣଙ୍କର ଭାଇଙ୍କୁ ମୋ’ର ପ୍ରଣାମ କହିବେ ।”

 

ତା’ପରେ ଯାନଟି ଘର ଘର ଶବ୍ଦ କରି ବାହାରି ଯାଇଥିଲା ।

 

ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭାଲୋଭ୍‌ନା ମିହାଇଲୋ ମିହାଇଲିଚ୍‍ଙ୍କ ଆଡ଼କୁ ପଛରୁ ଅନାଇ ରହିଥିଲେ ।

 

ଭାବୁଥିଲେ, “କୋଟଟା ବି ପଛଆଡ଼ୁ କେଡ଼େ ବାଗିଆ ନ ଦେଖା ଯାଉଛି ।” ମେଞ୍ଚାଟିଏ ହୋଇ ବସିଛନ୍ତି, ଦେହଟା ଯାକ ଧୂଳି, ମୁଣ୍ଡର ଟୋପିଟା, ପଛଆଡ଼କୁ ବହକି ପଡ଼ିଛି ଓ ସେଇଟି ପଛରୁ ଝୋଟପରି ଟାଆଁସିଆ ବାଳକେରାଟା ଅଲରା ହୋଇ ଦେଖାଯାଉଛି । ଏହି ସବୁକିଛି ଏକାଠି ମିଶି ପୂରା ମଣିଷଟାର ଚେହେରାଟା ବି ଗୋଟାଏ ବିଶାଳ ଅଟାବସ୍ତା ପରି ଦିଶୁଥାଏ ।

 

ଧୀର ମୁଦ୍ରାରେ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ବିପରୀତ ଆଡ଼କୁ ମୁହଁ ବୁଲାଇ ଘରଆଡ଼କୁ ପାଦ ପକାଇଲେ । ଗୋଟି ଗୋଟି ପାଦ ପକାଉଥିବା ସମୟରେ ନଜରଟା ପୂରା ଭୂଇଁ ଆଡ଼କୁ ହୋଇ ରହିଥିଲା । ଗୋଟିଏ ଘୋଡ଼ାର ଟାପୁ ଶବ୍ଦ ଶୁଣିବା ପରେ ଯାଇ ତାଙ୍କର ଧ୍ୟାନଭଙ୍ଗ ହେଲା ଏବଂ ସିଏ ନିଜ ମୁଣ୍ଡଟିକୁ ଉପରକୁ ଆଣିଥିଲେ । ...ତାଙ୍କର ଭାଇ ଘୋଡ଼ା ସବାର ହୋଇ ତାଙ୍କୁ ଭେଟିବା ସକାଶେ ସେଠାରେ ଆସି ପହଞ୍ଚ ଯାଇଥିଲେ । ହଁ, କଡ଼କୁ ଆଉଗୋଟିଏ ଯୁବକ, ମଧ୍ୟମ ଉଚ୍ଚତାର, ହାଲୁକା ଖୋଲା କୋଟ୍‌ଟିଏ ପିନ୍ଧିଥାଏ । ତା’ ସହିତ ହାଲୁକା ଗଳାବନ୍ଧା ଗୋଟିଏ ଟାଇ ଏବଂ ମୁଣ୍ଡରେ ମଧ୍ୟ ସେହିପରି ହାଲୁକା ଧୂସର ବର୍ଣ୍ଣର ଟୋପି ଲଗାଇଛି ଏବଂ ହାତରେ ବେତଟିଏ ବି ଧରିଛି । ବେଶ୍ କିଛିକ୍ଷଣ ଧରି ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କ ଆଡ଼େ ଅନାଇ ମୁରୁକି ମୁରୁକି ହସୁଥିଲା । ଅବଶ୍ୟ ଖୁବ୍ ଦେଖି ପାରୁଥିଲା ଯେ ସିଏ କ’ଣ ସବୁ ନାନା ଭାବନାରେ ନିମଗ୍ନ ହୋଇ ରହିଥିଲେ ଓ ତେଣୁ ସତେଅବା ଅନ୍ୟ କିଛି ହେଲେ ମଧ୍ୟ ତାଙ୍କର ଆଖିରେ ପଡ଼ୁନଥିଲା ଏବଂ ସିଏ ଯେମିତି ଅଟକି ଠିଆ ହୋଇଗଲେ ଯୁବକଟି ତତ୍‌କ୍ଷଣାତ୍ ଯାଇ ତାଙ୍କ ପାଖରେ ପହଞ୍ଚିଗଲା ଓ ଆନନ୍ଦ ଗଦ୍‌ଗଦ ସ୍ଵରରେ ବେଶ୍ ଭାବପ୍ରବଣ ପରି ହୋଇ ଏଡ଼େବଡ଼ ପାଟିରେ କହିଥିଲା ।

 

“ନମସ୍କାର, ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା, ଆପଣଙ୍କୁ ନମସ୍କାର ।”

 

“ଆରେ, କନ୍‌ଷ୍ଟାଣ୍ଟିନ୍ ଡାଇଓମିଡ଼ିଚ୍—ତୁମେ ବି ଏଠି ! ସୁପ୍ରଭାତ, ସୁପ୍ରଭାତ !” କହି ସିଏ ପ୍ରତିନମସ୍କାର ଜ୍ଞାପନ କଲେ । “ତୁମେ ତା’ ହେଲେ ଦରିଆ ମିହାଇଲୋଭ୍‌ନାଙ୍କ ପାଖରୁ ଆସିଛ ?”

 

“ହଁ, ସମ୍ପୂର୍ଣ୍ଣ ଭାବରେ ଠିକ୍ ।” —ଯୁବକଟି ଉତ୍ତର ଦେଲା । ତା’ ମୁହଁଟା ପ୍ରକୃତରେ ଭାରି ଉଜ୍ଜ୍ଵଳ ଦେଖା ଯାଉଥିଲା । “ଦରିଆ ମିହାଇଲୋଭ୍‌ନାଙ୍କ ପାଖରୁ । ଦରିଆ ମିହାଇଲୋଭ୍‍ନା ମୋତେ ଆପଣଙ୍କ ପାଖକୁ ପଠାଇଲେ । ଭାବିଲି, ମୁଁ ବରଂ ପାଦରେ ଚାଲି ହିଁ, ଆସିବି । ... ଆଜି ଏହି ସକାଳଟା ମଧ୍ୟ ପ୍ରକୃତରେ କେଡ଼େ ଉଜ୍ଜ୍ଵଳ ଓ ଚକଚକ ଦିଶୁଛି ! ଏବଂ ମୋଟେ ତିନି ମାଇଲ୍ ବାଟ । ଆପଣଙ୍କ ଘରେ ପହଞ୍ଚିବା ବେଳକୁ ଆପଣ ଘରେ ନଥିଲେ । ଆପଣ ସେମେନୋଭ୍‌କାଙ୍କ ପାଖକୁ ଯାଇଛନ୍ତି ବୋଲି ଆପଣଙ୍କର ଭାଇ କହିଲେ । ଏବଂ ସିଏ ବି ସେତିକିବେଳେ ବିଲଆଡ଼େ ବାହାରୁ ଥିବାରୁ ମୁଁ ମଧ୍ୟ ତାଙ୍କ ସହିତ ମିଶି ଚାଲି ଚାଲି ବାହାରି ଆସିଲି । ଏହିପରି ଭାବରେ ଏଠି ଆପଣଙ୍କ ସହିତ ଭେଟ ହୋଇଗଲା । ସତରେ କହିଲେ, କେଡ଼େ ଖୁସିର ଘଟଣାଟିଏ ନୁହେଁ ?”

 

ଯୁବକଟି କେଡ଼େ ସମ୍ପୂର୍ଣ୍ଣ ଅର୍ଥସଙ୍ଗତି ସହିତ ରୁଷ୍‌ଭାଷା କହି ପାରୁଥିଲା ଏବଂ ସେଥିରେ ବ୍ୟାକରଣରେ ମଧ୍ୟ କୌଣସି ଭୁଲ୍ ରହୁନଥିଲା । ଅବଶ୍ୟ, ଜଣେ ବିଦେଶୀ ହିଁ କହୁଛି ବୋଲି ସ୍ଵରାଘାତଗୁଡ଼ିକରୁ ବେଶ୍ ଜାଣି ହେଉଥିଲା; ତଥାପି, ସିଏ ଯେ ସତକୁ ସତ କେଉଁ ଅଞ୍ଚଳର ହୋଇଥିବାରୁ ସ୍ଵରାଘାତଟା ଏପରି ହେଉଛି, ସେ କଥା ଜାଣିବା ମଧ୍ୟ ସହଜ ହେଉନଥିଲା । ଚେହେରାରୁ ସିଏ ସମ୍ଭବତଃ ଏସିଆ ଆଡ଼ର ମନୁଷ୍ୟଟିଏ ବୋଲି ଅନୁମାନ କରାଯାଇ ପାରୁଥିଲା । ସିଧା ଉଚ୍ଚା ନାକ, ଏଡ଼େ ଡିମା ଡିମା ବଡ଼ ଆଖି, ଅଥଚ ସେଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ ଭାବ ବ୍ୟକ୍ତ କରୁନଥିଲେ । ନାଲିଆ ବର୍ଣ୍ଣର ମୋଟା ଓଠମାନେ ଏବଂ ଗଛକୁ ଝୁଙ୍କି ପଡ଼ିଥିବା କପୋଳଟା ଏବଂ ତା’ ସହିତ ଚକ ଚକ କଳା ରଙ୍ଗର ମୁଣ୍ଡର ବାଳମାନେ । ଏହି ସବୁକିଛି ଏକାଠି ମିଶି ବେଶ୍ ଧାରଣାଟିଏ ଦେଇ ଯାଉଥିଲେ ଯେ, ସିଏ ନିଶ୍ଚୟ ସେହି ପୂର୍ବସ୍ଥ କୌଣସି ଭୂମିର ହିଁ ହୋଇଥିବ । ମାତ୍ର, ଯୁବକଟିର କଥାରୁ ତା’ ଘରର ସାଙ୍ଗିଆଟି ପାଣ୍ଡାଲେଭ୍‌ସ୍କି ବୋଲି ଜାଣି ହେଲା । ଅର୍ଥାତ୍ ଜନ୍ମସ୍ଥାନ ହେଉଛି ଓଡ଼େସା ଓ ଶ୍ଵେତ ରୁଷିଆ ଅଞ୍ଚଳରେ ତା’ର ପାରିବାରିକ ଆଦ୍ୟ ଲାଳନପାଳନ ମଧ୍ୟ ହୋଇଥିଲା । ତା’ ମାଆ ବିଧବା ଥିଲେ, ଅତୁଳ ସମ୍ପତ୍ତିର ଅଧିକାରିଣୀ ଥିଲେ ଏବଂ ହୃଦୟଟା ମଧ୍ୟ ଅତ୍ୟନ୍ତ ଉଦାର ଥିଲା ।

 

ଏବଂ ଆଉ ଜଣେ ବିଧବାଙ୍କର ସହାୟତାରେ ଏହି ଯୁବକକୁ ଗୋଟିଏ ସରକାରୀ ଚାକିରି ମଧ୍ୟ ମିଳିଥିଲା । ବହୁତ ମଧ୍ୟବୟସ୍କା ମହିଳା ସାଧାରଣତଃ ଏକ କନ୍‌ଷ୍ଟାଣ୍ଟିନ୍ ଡାଇଓ ମିଡ଼ିଚର ନିକଟ ପରିଚୟରେ ଆସିବା ପାଇଁ ଇଚ୍ଛା କରୁଥିଲେ । ସେମାନଙ୍କୁ ଆକର୍ଷିତ କରି ପାରିବାର କଳାଟିଏ ତାକୁ ଉତ୍ତମରୂପେ ଜଣା ଥିଲା ଓ ସିଏ ସେହି କାରଣରୁ ବହୁତ ସହଜରେ ହିଁ ସେମାନଙ୍କର ନିକଟବର୍ତ୍ତୀ ହୋଇପାରୁଥିଲା । ବର୍ତ୍ତମାନ ମଧ୍ୟ ଯୁବକଟି ଜଣେ ବହୁ ସମ୍ପଦର ଅଧିକାରିଣୀ ମହିଳାଙ୍କର ଗୃହରେ ବାସ କରୁଥିଲା । ଦରିଆ ମିହାଇଲୋଭ୍‌ନା ଲାସୁନ୍‌ସ୍କି ନାମ୍ନୀ ଏହି ରମଣୀ ବହୁ ଭୂସମ୍ପତ୍ତିର ମାଲିକ ଥିଲେ । ଯୁବକଟି ତାଙ୍କ ଗୃହରେ ଅଂଶତଃ ଜଣେ ଅତିଥି ଭାବରେ ରହୁଥିଲା ଏବଂ ଅଂଶତଃ ସେହି ମହିଳାଙ୍କ ଉପରେ ନିର୍ଭରଶୀଳ ହୋଇ ଭାରି ଭଦ୍ର ଓ ବାଧ୍ୟ । ଭାରି ସମ୍ବେଦଶୀଳ, ତଥାପି ଏକ ବିଷୟାସକ୍ତି ମଧ୍ୟ ପ୍ରଚ୍ଛନ୍ନ ହୋଇ ରହିଥିଲା । ଗଳାରେ ମଧୁର ସ୍ଵରଟିଏ, ପିଆନୋ ବଜାଇବାରେ ଖୁବ୍ ନିଖୁଣତା ରହିଥିଲା ଏବଂ ଯେତେବେଳେ ଯାହା ସହିତ କଥା ହେଉଥିବ, ସର୍ବଦା ହିଁ ସେହି ବ୍ୟକ୍ତିର ଆଖିଗୁଡ଼ିକ ଆଡ଼କୁ ପୂରା ପିଛୁଳା ନପକାଇ ହିଁ ଅବଶ୍ୟ ଅନାଇ ରହିଥିବ । ପୋଷାକ ପରିଧାନରେ କୌଣସି ଖୁଣ ବାହାର କରି ହେବ ନାହିଁ । ଦିର୍ଘ ବହୁ ସମୟ ହିଁ ପୋଷାକ ପରିହିତ ହୋଇ ରହିଥାଏ । ନିଜ ଓସାରିଆ ଚିବୁକଟିକୁ ଖୁବ୍ ଯତ୍ନର ସହିତ ଚିକ୍କଣ କରି ଖିଅର ହୁଏ ଏବଂ କୁଞ୍ଚକୁଞ୍ଚିକା ମୁଣ୍ଡର ବାଳଗୁଡ଼ିକୁ ନିକ କରି ହିଁ ସୁନ୍ଥା ପକାଇ ରଖିଥାଏ କଥାଗୁଡ଼ିକୁ ଏପର୍ଯ୍ୟନ୍ତ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଯୁବକଟିର କଥାଗୁଡ଼ିକୁ ଶୁଣୁଥିଲେ ଏବଂ ତା’ପରେ ଦୃଷ୍ଟି ଫେରାଇ ନିଜର ଭାଇଙ୍କୁ କହିଥିଲେ, “ଆଜି ମୁଁ ଲୋକମାନଙ୍କୁ ଭେଟିବି ବୋଲି ଘରୁ ବାହାରି ଆସିଥିଲି । ବର୍ତ୍ତମାନ ଲେଜ୍‌ଝନିଓଭ୍‌ଙ୍କ ସହିତ କଥା ହୋଇ ଫେରୁଥିଲି ।”

 

“ଆଚ୍ଛା ଲେଜ୍‌ଝନିଓଭ୍ ? ଆଜି ଗାଡ଼ି ନେଇ ତାଙ୍କର କୁଆଡ଼େ ଯିବାକୁ ଅଛି କି ?”

 

“ହଁ ଅଛି । ପୁଣି ଭାବିଲି, ସିଏ ଆଜି ଚାରିଚକିଆ ଗାଡ଼ି ଦୌଡ଼ରେ ଅଂଶ ବି ଗ୍ରହଣ କରିବାକୁ ବାହାରିଥିଲେ । ଗୋଟାଏ ହୁଗୁଳା ସୂତା କୋଟ୍ ଦେହରେ ଗଳାଇ ପୂରା ଅଖାଟାଏ ପରି ଦେଖାଯାଉଥିଲେ । ଦେହଟାଯାକ ଧୂଳିସରସର ହୋଇ ରହିଥିଲା ।...କେଡ଼େ ବିଚିତ୍ର ମନୁଷ୍ୟପ୍ରାଣୀଟିଏ କହିଲ ।”

 

“ହଁ ହୁଏତ ପୂରା ସତ । କିନ୍ତୁ ଜଣେ ଭାରି ଗୁଣୀ ମଣିଷ ମଧ୍ୟ ।”

 

“ଲେଜ୍‌ଝନିଓଭ୍‌ଙ୍କ କଥା ପଡ଼ିଛି ।” —ପାଣ୍ଡାଲେଭ୍‌ସ୍କି ପ୍ରଶ୍ନ କରିଥିଲେ । କଥାଟିକୁ ଶୁଣି ସତେ ଯେପରି ସେ ଭାରି ଆଶ୍ଚର୍ଯ୍ୟ ହୋଇ ବି ଯାଇଥିଲେ ।

 

“ହଁ, ମିହାଇଲୋ ମିହାଇଲିଚ୍ ଲେଜ୍‌ଝନିଓଭ୍” —ଭଲିଣ୍ଟାସେଭ୍ ଉତ୍ତର ଦେଇ କହିଲେ, “ବର୍ତ୍ତମାନ ମୁଁ ଚାଲିଲି । ବିଲ ଆଡ଼େ ଯିବାର ଅଛି । ସେମାନେ ଆଜି ଗୋ ଦାନା ବୁଣୁଥିଲେ । ଶ୍ରୀ ପାଣ୍ଡାଲେଭ୍‌ସ୍କି ତୁମକୁ ଘରଯାଏ ନେଇଯିବେ ।” —କହି ଭଲିଣ୍ଟସେଭ୍ ଗାଡ଼ି ଚଳାଇ ଆଗକୁ ବାହାରିଗଲେ ।

 

କନ୍‌ଷ୍ଟାଣ୍ଟିନ୍ ଡାଇଓମିଡ଼ିଚ୍ ପଛରୁ ବେଶ୍ ଉଚ୍ଚ କଣ୍ଠରେ, “ମୁଁ ଖୁବ୍ ଖୁସିରେ ହିଁ ସେହି କାର୍ଯ୍ୟଟିକୁ କରିବି ।” ବୋଲି କହିଲେ ଏବଂ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କ ଉଦ୍ଦେଶ୍ୟରେ ନିଜ ହାତଟିକୁ ବଢ଼ାଇ ଦେଇଥିଲେ ।

 

ଆଲେକ୍‌ଜାଣ୍ଡ୍ରା ମଧ୍ୟ ତାଙ୍କର ହାତଟିକୁ ଧରିଲେ ଏବଂ ତା’ପରେ ଦୁହେଁ ତାଙ୍କ ଘର ଆଡ଼କୁ ଅଗ୍ରସର ହେଲେ ।

 

ଆଲେକ୍‌ଜାଣ୍ଡ୍ରା ପାଭାଲୋଭ୍‌ନାଙ୍କ ସହିତ ଏପରି ସାଙ୍ଗ ହୋଇ ଯିବା, ପୁଣି ନିଜର ହାତଟି ଦେଇ ତାଙ୍କର ହାତକୁ ଧରି, —ତେଣୁ କନ୍‌ଷ୍ଟାଣ୍ଟିନ୍ ଡାୟୋମିଡ଼ିଚ୍‌ଙ୍କ ମନରେ ସେଦିନ ଆନନ୍ଦର ସତେ ଅବା କୋଣସି ସୀମା ନଥାଏ । ସିଏ ଧୀରେ ଧୀରେ ନିଜର ପାଦଟିମାନ ପକାଇ ଅଗ୍ରସର ହେଉଥାଏ ଓଠ ଉପରେ ଅଳପ ଅଳପ ହସ ଏବଂ ତା’ର ସେହି ପୂର୍ବଦେଶୀ ଆଖିଦୁଇଟି ମଧ୍ୟ କିଞ୍ଚିତ୍ ପରିମାଣରେ ଅଶ୍ରୁପୂର୍ଣ୍ଣ ହୋଇ ଝାଲ୍‌ସା ଝାଲ୍‌ସା କରି ଦେଖୁଥିବା ପରି ଅନୁଭବ କରୁଥାନ୍ତି । ଅବଶ୍ୟ ଏପରି ଅନୁଭୂତିଟିଏ ସେହି ଆଖିମାନଙ୍କ ସକାଶେ ଆଦୌ ବିରଳ ନଥିଲା ସିନା; ତଥାପି ଯୁବକଟି ଆଦୌ ଏତେ ବେଶି ଭାବପ୍ରବଣ ମଧ୍ୟ ହେଉନଥିଲା, ଯାହା ଫଳରେ କି ସେଗୁଡ଼ିକରୁ ପ୍ରକୃତରେ କୌଣସି ଲୋତକଧାର ଅବଶ୍ୟ ବୋହି ଆସି ଥାଆନ୍ତେ । ଏବଂ ପାଭଲୋଭ୍‌ନାଙ୍କ ପରି ଏମିତି ଜଣେ ରୂପବତୀ ଓ ସୁନ୍ଦରୀ ଯୁବତୀଙ୍କର ହାତକୁ ନିଜ ହାତରେ ଧରି କିଏ ବା ପୁଲକିତ ହୋଇ ନଥାନ୍ତା ! ସେହି ଅଞ୍ଚଳଟା ଯାକ ତ ଗୋଟି ଗୋଟି ସମସ୍ତେ ମୁକ୍ତ କଣ୍ଠରେ ସ୍ଵୀକାର କରୁଥିଲେ ଯେ, ଏହି ଅପରୂପ ସୌନ୍ଦର୍ଯ୍ୟକୁ ଦେହରେ ଧାରଣ କରିଥିବା ମହିଳାଜଣକ ସତକୁ ସତ ଏଡ଼େ ସୁନ୍ଦରୀ ଥିଲେ ! ଏବଂ ସେମାନଙ୍କର ସେହି କଥାରେ କୌଣସି ଭୁଲ୍‍ ମଧ୍ୟ ନଥିଲା । ନାକଟି କେଡ଼େ ସିଧା, —ତଥାପି କେଡ଼େ ଆକର୍ଷଣୀୟ ଭାବରେ କିଞ୍ଚିତ୍ ତଥାପି ଢଳି ହୋଇ ରହିଥିଲା; ତାଙ୍କର ସେହି ଗୋଟିଏ ବିଶେଷତ୍ଵ ବି ତ ଯେକୌଣସି ପୁରୁଷ ମନୁଷ୍ୟକୁ ବେଶ୍ ଚହଳାଇ ଦେଇଥାନ୍ତା । ଏବଂ ତାଙ୍କର କଳା ରେଶମ ପରି ସୁନ୍ଦର ଉଜ୍ଜ୍ଵଳ ଆଖିଦୁଇଟି, ସୁନେଲି ମାଟିଆ ବର୍ଣ୍ଣର କେଶ ଗୁଚ୍ଛ, କେଡ଼େ ଚିକ୍କଣ ଭାବରେ ବକ୍ର ହୋଇ ଆସିଥିବା ଦୁଇ ଗାଲ ଉପରେ ରହିଥିବା ଖାଲୁଆ ଖାଲୁଆ ଗୋଲ୍‌ଗୁଡ଼ିକ ଏବଂ ଏହିପରି କେତେ ଭଳି ସୌନ୍ଦର୍ଯ୍ୟର ନମୁନାମାନ । ସର୍ବୋପରି ସମ୍ପୂର୍ଣ୍ଣ ମୁହଁଟିର ସେହି ମଧୁର ସମଗ୍ର ପ୍ରକାଶଟିକୁ ହିଁ ସର୍ବୋତ୍ତମ ବୋଲି ନିଶ୍ଚୟ କୁହାଯିବ । ହଁ, ସବୁଟିଠାରୁ ଅଧିକ ନିଶ୍ଚିତ ଭାବରେ ତାଙ୍କୁ ଦେଖୁଥିବା ଆଉଜଣକୁ ଭରସା ଦେଇ ପାରୁଥିବା ଉତ୍ତମ ତଥା କେଡ଼େ ଥିର ତାଙ୍କର ସେହି ମୁହଁଟି । ସତେ ଅବା ଏକାଧାରାରେ ମୁଗ୍ଧ ଏବଂ ଆତ୍କୃଷ୍ଟ କରୁଥିବା ପରି ଠିକ୍ ଗୋଟିଏ ପିଲାର ହିଁ ଚାହାଣି ଏବଂ ଈଷତ୍‍ ହସ ହସ ମୁଦ୍ରାଟି । ଅନ୍ୟ ନାରୀମାନଙ୍କର ଆଖିରୁ ସେ କିଛି ମାତ୍ରାରେ ବେଶ୍ ସରଳ ଓ ସାଦା ଦେଖା ଯାଉଥିଲେ ସିନା, କିନ୍ତୁ ଜଣେ ନାରୀର ରୂପଠାରେ ଜଣେ ମନୁଷ୍ୟ ପୁଣି ଆଉ କ’ଣ ସବୁ ଅଧିକ ଦେଖିବାକୁ ଆଶା କରୁଥିବ ?

 

ଆଲେକ୍‌ଜାଣ୍ଡ୍ରା ଯୁବକ ପଣ୍ଡାଲେଭ୍‌ସ୍କିକୁ ପ୍ରଶ୍ନ କଲେ, “ଦରିଆ ମିହାଇଲୋଭ୍‌ନା ତୁମକୁ ମୋ’ ପାଖକୁ ପଠାଇଥିଲେ ବୋଲି ତୁମେ କହୁଥିଲ ନା !”

 

ଯୁବକ ଉତ୍ତର ଦେଲେ, “ହିଁ, ସେଇ ପଠାଇଥିଲେ । ତା’ର ‘ସ’ ଉଚ୍ଚାରଣଟି କିଛି ପରିଣାମରେ ‘ଦ’ ପରି ଶୁଣା ଯାଉଥିଲା । ସିଏ ଭାରି ଆଶା କରିଛନ୍ତି ଏବଂ ସେହି ବିଷୟରେ ଆପଣାକୁ ଅନୁରୋଧ କରିବାକୁ କହିଛନ୍ତି ଯେ, ଆଜି ଆପଣ ତାଙ୍କ ଘରେ ତାଙ୍କ ସହିତ ରାତ୍ରିଭୋଜନ କରିବେ । ଆଉ ଜଣେ ନୂଆ ଅତିଥି ମଧ୍ୟ ସମ୍ଭବତଃ ଆସୁଛନ୍ତି ଏବଂ ଆପଣାଙ୍କର ମଧ୍ୟ ତାଙ୍କ ସହିତ ସାକ୍ଷାତ ହେବା ଉଚିତ୍ ବୋଲି ସେ ଇଚ୍ଛା କରୁଛନ୍ତି ।”

 

“କିଏ ସେହି ଅତିଥି ଜଣକ ?”

 

“ତାଙ୍କର ନାଆଁ ମୁଫେଲ, —ଜଣେ ସାମନ୍ତ ବଂଶୀୟ, —ପିଟ୍‌ର୍ସବର୍ଗର ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ଜଣେ । ଶ୍ରୀମତୀ ଦରିଆ ମିହାଇଲୋଭ‌୍‌ନାଙ୍କର ମାତ୍ର ଅଳ୍ପଦିନ ପୂର୍ବେ ରାଜକୁମାର ଗାରିନ୍‌ଙ୍କ ଘରେ ତାଙ୍କ ସହିତ ଦେଖା ହୋଇଛି । ସିଏ ତାଙ୍କୁ ଖୁବ୍ ପ୍ରଶଂସା କରି ଅନେକ କଥା କହୁଛନ୍ତି, —କୁଆଡ଼େ ଅତ୍ୟନ୍ତ ମେଳାପୀ ଏବଂ ଶିକ୍ଷାପ୍ରାପ୍ତ ଯୁବକ ଜଣେ । ହଁ, ଉକ୍ତ ସାମନ୍ତଙ୍କର ସାହିତ୍ୟରେ ମଧ୍ୟ ଆଗ୍ରହ ଅଛି, —ଅଥବା, ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ—ଆହା, ହେଇ ଅନାଇଲେ କେଡ଼େ ସୁନ୍ଦର ପ୍ରଜାପତିଟିଏ—, ହଁ, ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ ରାଜନୀତି-ସମ୍ପର୍କିତ ଆର୍ଥିକ ତତ୍ତ୍ଵଗୁଡ଼ିକ ବିଷୟରେ ବିଶେଷ ଆଗ୍ରହ ଅଛି । ସିଏ ଗୋଟିଏ ଅତ୍ୟନ୍ତ ଆଗ୍ରହୋହୋଦ୍ଦୀପକ ସମସ୍ୟା ସମ୍ପର୍କରେ ଗୋଟିଏ ପ୍ରବନ୍ଧ ରଚନା କରିଛନ୍ତି ଏବଂ ସେହି ବିଷୟରେ ଶ୍ରୀମତୀ ଦରିଆଙ୍କର ମତଟିକୁ ଜାଣିବେ ବୋଲି ତାହାକୁ ତାଙ୍କୁ ଦେବା ପାଇଁ ଆସୁଛନ୍ତି-।”

 

“ରାଜନୀତି-ସମ୍ପର୍କିତ ଅର୍ଥନୀତି ବିଷୟରେ ଗୋଟିଏ ପ୍ରବନ୍ଧ ?”

 

“ହଁ, ମାତ୍ର ସିଏ ସାହିତ୍ୟର ଦୃଷ୍ଟି କୋଣରୁ ହିଁ ପ୍ରବନ୍ଧଟି ବିଷୟରେ ନଜର ମତାମତ ଦେବେ ବୋଲି । ମୁଁ ଭାବୁଛି, ଆପଣ ତ ଭଲ ଭାବରେ ଜାଣନ୍ତି ଯେ ସେହି କ୍ଷେତ୍ରରେ ଶ୍ରୀମତୀ ଦରିଆଙ୍କର ବିଶେଷ ଦଖଲ ରହିଛି । ଏପରିକି ଶ୍ରୀ ଦ୍ରୁକୋଭ୍‌ସ୍କି ମଧ୍ୟ ବହୁବାର ଏସବୁ ବିଷୟରେ ତାଙ୍କର ପରାମର୍ଶ ମଧ୍ୟ ମାଗୁଥିଲେ ଏବଂ ମୋ’ ନିଜର ଅଭିଭାବକ ଓଡ଼େସାବାସୀ ସେହି ବୃଦ୍ଧ ରୋକସୋଲାନ ମେଡ଼ିଆରୋଭିଚ୍ କ୍ଷାନ୍ଦ୍ରିକା ମଧ୍ୟ ପରାମର୍ଶ ନେବାପାଇଁ ତାଙ୍କ ପାଖକୁ ଆସୁଥିଲେ-। ସେହି ଅତ୍ୟନ୍ତ ପ୍ରସିଦ୍ଧ ବ୍ୟକ୍ତି ଜଣକୁ ତ ଆପଣା ଅବଶ୍ୟ ଜାଣିଛନ୍ତି ।”

 

“ନାଇଁ, ମୁଁ କେବେହେଲେ ତାଙ୍କ ବିଷୟରେ କିଛି ଶୁଣିନାହିଁ ।

 

“ଆପଣ କିଛି ଶୁଣିନାହାନ୍ତି ଜଣେ ଏଡ଼େ ବଡ଼ ବ୍ୟକ୍ତିଙ୍କ ବିଷୟରେ । ମୁଁ କହିବାକୁ ଯାଉଥିଲି ଯେ ରୋକସୋଲାନ୍ ମେଡ଼ିଆରୋଭିଚ୍‌ଙ୍କର ଶ୍ରୀମତୀ ଦରିଆଙ୍କର ରୁଷ୍‍ ଭାଷାରେ ରହିଥିବା ଜ୍ଞାନ ବିଷୟରେ ସର୍ବଦା, ଏକ ଉଚ୍ଚତମ ମତ ରହିଆସିଛି ।”

 

“ତେବେ ଏହି ସାମନ୍ତ ଜଣକ ବେଶ୍ ଜଣେ ଖୁବ୍ ପାଣ୍ଡିତ୍ୟ ଅର୍ଜନ କରିଥିବା ବ୍ୟକ୍ତି ନିଶ୍ଚୟ ହୋଇଥିବେ ।” —ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ଜାଣିବାକୁ ଇଚ୍ଛା କରିଥିଲେ ।

 

“ନାଇଁ, ନାଇଁ, ଆଦୌ ସେକଥା ନୁହେଁ ।” ଶ୍ରୀମତୀ ଦରିଆ କହୁଥିଲେ, “ସିଏ ବସ୍ତୁତଃ ସର୍ବୋତ୍ତମ ସାମାଜିକତାପୂର୍ଣ୍ଣ ଗୋଷ୍ଠୀମାନଙ୍କ ଭିତରେ ଆପଣାକୁ ଅନ୍ତର୍ଭୁକ୍ତ କରି ମଧ୍ୟ ରଖିଥାଆନ୍ତି-। ଥରେ ସିଏ ସଙ୍ଗୀତଜ୍ଞ ବିଥୋଫେନ୍‌ଙ୍କ ବିଷୟରେ ଏଡ଼େ ଚମତ୍କାର ଭାବରେ ଗୋଟିଏ ଭାଷଣ ଦେଲେ ଯେ, ସେଠାରେ ଉପସ୍ଥିତ ଜ୍ୟେଷ୍ଠ ରାଜକୁମାର ବି ଶୁଣି ଅତ୍ୟନ୍ତ ମୁଗ୍ଧ ହୋଇଯାଇଥିଲେ । ମୁଁ ମଧ୍ୟ ଭାବୁଛି ସେହି କାର୍ଯ୍ୟକ୍ରମଟିକୁ ଶୁଣିବାର ସୁଯୋଗ ଲାଭ କରିଥିଲେ ମୁଁ ମଧ୍ୟ ନିଜକୁ କେଡ଼େ ଭାଗ୍ୟଶାଳୀ ବୋଲି ନିଶ୍ଚୟ ଭବିଥାନ୍ତି । କାରଣ, ସେହି ଦିଗରେ ମୋ’ର ମଧ୍ୟ ବହୁତ ରୁଚି ରହିଛି-। ମହାଶୟା ମୋ’ ହାତରୁ ଏହି ଏଡ଼େ ସୁନ୍ଦର ବଣର ଫୁଲଟିକୁ ଗ୍ରହଣ କରନ୍ତେ ନାହିଁ-।”

 

ଆଲେକ୍‌ଜାଣ୍ଡ୍ରା ପାଭାଲୋଭ୍‌ନ ଯୁବକଟିର ହାତରୁ ଫୁଲଟିକୁ ଗ୍ରହଣ କଲେ ଏବଂ ଦୁହେଁଯାକ ପାଦ ପକାଇ ଅଳ୍ପ କେତେ ପହୁଣ୍ଡ ଅଗ୍ରସର ହୋଇଯିବା ପରେ, ସିଏ ଫୁଲଟିକୁ ସେଇ ରାସ୍ତା ଉପରେ ହିଁ ପକାଇ ଦେଇଥିଲେ । ତାଙ୍କର ନିଜ ଘରେ ଯାଇ ପହଞ୍ଚିବାକୁ ଆଉ ପ୍ରାୟ ଦୁଇ ଶହ ପାହୁଣ୍ଡ ବାଟ ବାକି ରହିଥାଏ । ଘରଟି ଏବେ ତିଆରି ହୋଇଛି, ଚୂନ ବି ଦିଆ ହୋଇଛି; ଏବଂ ସବୁଜବର୍ଣ୍ଣର ଦ୍ରୂମରାଜିଗୁଡ଼ିକର ଅନ୍ତରାଳରୁ ସତେ ଅବା ଅତିଥିମାନଙ୍କୁ ସ୍ଵଗାତ ଜଣାଇବାରେ ଲାଗିଛି ।

 

“ତେବେ ମୁଁ ଶ୍ରୀମତୀ ଦରିଆଙ୍କୁ ଯାଇ କ’ଣ କହିବି ?” —ଯୁବକ ପାଣ୍ଡାଲେଭ୍‌ସ୍କି ତାଙ୍କୁ ତା’ପରେ ପଚାରିଥିଲା । ସିଏ ଦେଇଥିବା ଫୁଲଟିକୁ ଯେ ଆଲେକ୍‌ଜାଣ୍ଡ୍ରା ହାତରୁ ନେଇ ତଳେ ଫିଙ୍ଗି ଦେଇଥିଲେ, ସେଥିପାଇଁ ସିଏ ଅବଶ୍ୟ କିଞ୍ଚିତ୍ ପରିଣାମରେ ଆହତପ୍ରାୟ ଅନୁଭବ କରିଥିବ । “ଆପଣ ଆଜି ରାତ୍ରିଭୋଜନ ତାଙ୍କ ଘରକୁ ଆସୁଛନ୍ତି ତ ? ସିଏ ଆପଣାର ଭାଇଙ୍କୁ ମଧ୍ୟ ନିମନ୍ତ୍ରଣ ଜଣାଇଛନ୍ତି ।”

 

“ହଁ, ଆମେ ଦୁହେଁ ହିଁ ଆସିବୁ—ନିଶ୍ଚୟ ଆସିବୁ । ହଁ, ନାତାଲିଆଙ୍କର ଖବର କ’ଣ ?”

 

“ନାତାଲିଆ ଆଲେକ୍ସିଏଭ୍‌ନା ଭଲ ଅଛନ୍ତି । ଅତ୍ୟନ୍ତ ସୌଭାଗ୍ୟର କଥା ମାତ୍ର, ଛକରେ ଯେଉଁଠାରୁ ଭାଙ୍ଗି ଶ୍ରୀମତୀ ଦରିଆଙ୍କ ଘରକୁ ଯିବା କଥା, ସେଇଟି ଯାଇ ପଛରେ ରହିଲାଣି, ତେଣୁ ମୋତେ ବର୍ତ୍ତମାନ ବିଦାୟ ଦିଅନ୍ତୁ ।”

 

ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ଠିଆ ହେଲେ । ତଥାପି କହିଲେ, “ତେବେ ଆମ ଘରଆଡ଼େ ଆସିବ ନାହିଁ ?” —ଅବଶ୍ୟ କିଞ୍ଚିତ୍ କୁଣ୍ଠାମିଶ୍ରିତ ସ୍ଵରରେ ।

 

“ଯାଇଥିଲେ ଅବଶ୍ୟ ବେଶ୍ ଖୁସିର କଥା ହୋଇଥାନ୍ତା । କିନ୍ତୁ ଭାରି ବିଳମ୍ବ ହୋଇ ଗଲାଣି । ପୁନଶ୍ଚ, ଶ୍ରୀମତୀ ଦରିଆ ବି ଆଗ୍ରହ ପ୍ରକାଶ କରିଛନ୍ତି ଯେ ସିଏ ଆଜି ସଂଗୀତଜ୍ଞ ଥାଲ୍‌ବେଆର୍ଗଙ୍କର ନୂଆ ସ୍ଵର ରଚନାଟିଏ ମଧ୍ୟ ଶୁଣିବେ । ତେଣୁ, ମୋତେ ଚଞ୍ଚଳ ଘରେ ପହଞ୍ଚି ସେଇଟିକୁ ଅଭ୍ୟାସ କରିବାକୁ ହେବ ଏବଂ ମୁଁ ଆପଣଙ୍କର ଘରକୁ ଗଲେ ଆପଣଙ୍କୁ ପ୍ରକୃତରେ ଖୁସି ଲାଗିବ ତ, —ସେହି ବିଷୟରେ ମୋ’ ଭିତରେ ଏକ ସନ୍ଦେହ ମଧ୍ୟ ରହିଛି । ଏକଥାଟି କହିଲି ବୋଲି ଆପଣ ଆଦୌ କିଛି ମନେ କରିବେ ନାହିଁ ।’’

 

“ନାଇଁ, ନାଇଁ, ମୁଁ କାହିଁକି ସେଭଳି ମନେ କରିବି ?”

 

ପାଣ୍ଡାଲେଭ୍‌ସ୍କି ଦୀର୍ଘନିଃଶ୍ଵାସ ତ୍ୟାଗ କଲା ଏବଂ ଯେପରି ଭାବରେ ନିଜର ଆଖିର ଡୋଳାଗୁଡ଼ିକୁ ତଳକୁ ଭୂଇଁଆଡ଼କୁ ବୁଲାଇ ଆଣିଲା, ସେଥିରୁ ତା’ର ମନୋଭାବଟି ମଧ୍ୟ ବେଶ୍ ବ୍ୟକ୍ତ ହୋଇଯାଉଥିଲା ।

 

ଏବଂ କିଛି ସମୟ ପରେ ପୁଣି କହିଲା, ‘‘ମୁଁ ବର୍ତ୍ତମାନ ଯାଉଛି ଶ୍ରୀମତୀ ପାଭଲୋଭ୍‌ନା-।” ତା’ପରେ ବୁଲିପଡ଼ି ପଛର ନିଜ ଛକଟି ଆଡ଼େ ମୁହଁ କରି ଚାଲିଗଲେ ।

 

ଶ୍ରୀମତୀ ପାଭଲୋଭ୍‌ନା ମଧ୍ୟ ଦୃଷ୍ଟି ଫେରାଇ ନିଜ ଘରଆଡ଼େ ପାଦ ପକାଇଥିଲେ ।

 

ହଁ, କନ୍‌ଷ୍ଟାଣ୍ଟିନ୍ ଡାୟୋମିଡ଼ିଚ ମଧ୍ୟ ଆପଣା ଗନ୍ତବ୍ୟ ସ୍ଥାନଟି ଆଡ଼କୁ ଅଗ୍ରସର ହୋଇଯାଉଥିଲେ । ତାଙ୍କର ମୁଖମଣ୍ଡଳ ଉପରୁ ସତେଅବା ସକଳ କୋମଳ ଭାବ ସହସା ସମ୍ପୂର୍ଣ୍ଣ ଭାବରେ ଅନ୍ତର୍ହିତ ହୋଇଯାଇଥାଏ । ମୁହଁଟା ବେଶ୍ କଠୋର ଦେଖାଯାଉଥାଏ, —ଏକ ସମ୍ପୂର୍ଣ୍ଣ ଆତ୍ମବିଶ୍ଵାସର ମୁଖମୁଦ୍ରା, ଯାହାକି ଏହି ପୃଥିବୀରେ ଆଦୌ କାହାରି ଉପରେ ହିଁ ନିର୍ଭରଶୀଳ ହୋଇ ରହିବାକୁ ଆବଶ୍ୟକତା କରୁନାହିଁ । ଏପରିକି ତା'ର ଚାଲିବାର ଭଙ୍ଗୀଟି ମଧ୍ୟ ପୂରା ବଦଳି ଯାଇଥାଏ; ପାଦଗୁଡ଼ିକୁ ଡଗଡ଼ଗ ହୋଇ ଅଧିକ ଲମ୍ବ ଲମ୍ବ ହୋଇ ପଡ଼ୁଥାଆନ୍ତି ଓ ସିଏ ଅଧିକ ଗାମ୍ଭୀର୍ଯ୍ୟ ସହିତ ଅଗ୍ରସର ହୋଇ ଯାଉଥାଏ । ସତେ ଅବା ପୂରା ବେଖାତିର ଭାବରେ ହାତରେ ଧରିଥିବା ବେତବାଡ଼ିଟିକୁ ହଲାଇ ସିଏ ଇତି ମଧ୍ୟରେ ପ୍ରାୟ ଦୁଇ ମାଲଇ୍ ବାଟ ଅତିକ୍ରମ କରି ସାରିଥାଏ । ସେତେବେଳେ ଯାଇ ହଠାତ୍ କ’ଣ ଗୋଟିଏ ଅନ୍ୟ ଭାବନା ଆସି ତା' ଭିତରେ ପ୍ରବେଶ କରିଥିବା ପରି ସିଏ ପୁନର୍ବାର ମନେ ମନେ ସତେ ଅବା ଟିକିଏ ହସିବା ପରି ଅନୁଭବ କଲା । ରାସ୍ତାକଡ଼ରେ ଗୋଟିଏ ଅଳ୍ପ ବୟସର ବେଶ୍ ସୁନ୍ଦର ଝିଅ ଉପରେ ତ'ର ଆଖି ପଡ଼ି ଯାଇଥିଲା । ଝିଅଟି ପୁଳାଏ ବାଛୁରୀଙ୍କୁ ଗୋଟିଏ ଯଅ କ୍ଷେତରୁ ବାହାରକୁ ଅଡ଼ାଇ ଆଣୁଥାଏ । ବେଶ୍ ସତର୍କ ଭାବରେ ସତେ ଅବା ଗୋଟିଏ ବିଲେଇ ପରି କନ୍‌ଷ୍ଟାଣ୍ଟିନ୍ ଝିଅଟିର ସମୀପବର୍ତ୍ତୀ ହୋଇ ଆସିଥିଲା ଏବଂ ତା’ ସହିତ କଥା ହେବା ଆରମ୍ଭ କରିଦେଲା । ଝିଅଟି ତ ଆଗ ଆଗ ମୋଟେ କିଛି ବି କହୁନଥିଲା, ଖାଲି ସରମ କରିବାରେ ଲାଗିଥିଲା ଓ ମୁରୁକି ମୁରୁକି ହସୁଥିଲା । ଏବଂ ତା’ପରେ ନିଜର ମୁହିଁଟାକୁ ନିଜ ପୋଷାକର କାନିଟା ତଳେ ଲୁଚାଇ ରଖି ଭାରି ସଙ୍କୋଚର ସହିତ ତେଣିକି ମୁହଁ ବୁଲାଇ କହିବାକୁ ଚେଷ୍ଟା କଲା :

Unknown

 

“ବାବୁ ଆଜ୍ଞା, ତୁମେ ଯାଅ—, ମୋ’ ରାଣଟି, ତୁମେ ଗଲ” ।

 

କିନ୍ତୁ ବାବୁ କନ୍‌ଷ୍ଟାଣ୍ଟିନ୍ ତାକୁ ନାହିଁ କଲାପରି ଆପଣାର ଆଙ୍ଗୁଠି ହଲାଇବାରେ ଲାଗିଲେ । କହିଲେ “ତୁ ମତେ ସେହି କ୍ଷେତରୁ ଅନାବନା ସାନ ଫୁଲ କିଛି ଆଣି ଦିଅନ୍ତି ନାହିଁ ।”

 

“କ୍ଷେତ୍ରର ଅନାବନା ଫୁଲକୁ ନେଇ ତୁମେ କ’ଣ କରିବ ? ଫୁଲହାର ବନାଇବ ?” —ଝିଅଟି ଶୁଣି ଉତ୍ତର ଦେଇଥିଲା । “ହଉ, ଶୁଣିଲି, ତୁମେ ନିଜ ବାଟେ ବାଟେ ଗଲ ।”

 

“ଦଣ୍ଡେ ରହି ଥା, —ତୁ ସୁନ୍ଦର ସାନ ଝିଅଟା” —କନ୍‌ଷ୍ଟାଣ୍ଟିନ୍ ଡାୟୋମିଡ଼ିଚ୍‍ ସମ୍ଭବତଃ ଆହୁରି କିଛି ଆରମ୍ଭ କରିବାକୁ ଯାଉଥିଲେ ।

 

କିନ୍ତୁ ବାଳିକାଟି ମଝିରୁ ବାଧା ଦେଇ ପୁଣି କହିଲା, “ତୁମେ ଏଥର ବାଟେ ବାଟେ ଯାଅ ତ ବାବୁ ! ଦେଖ, ତେଣୁ ଆଉ ଟୋକାମାନେ ବି ଏଣେ ଆସୁଛନ୍ତି ।”

 

କନ୍‌ଷ୍ଟାଣ୍ଟିନ୍ ଡାୟୋମିଡ଼ିଚ ସେ କଥାଟି ଶୁଣି ଚାରିଆଡ଼କୁ ଚାହିଁ ଦେଖିଲେ । ହଁ, ସତକୁ ସତ ଦୁଇଜଣ ସେଇ ଆଡ଼କୁ ଆସୁଥିଲେ । ସେମାନେ ହେଉଛନ୍ତି ଦରିଆ ମିହାଇଲୋଭ୍‌ନାଙ୍କର ଦୁଇ ପୁଅ—ଭାନ୍ୟା ଓ ପେତ୍ୟା । ସେମାନେ ଦଉଡ଼ି ଦଉଡ଼ି ରାସ୍ତା ଉପରେ ହିଁ ଯାଉଥିଲେ । ଏବଂ ସେମାନେଙ୍କ ପଛେ ପଛେ ସେମାନଙ୍କର ଶିକ୍ଷକ, ବାସିଷ୍ଟୋଫ୍ । ତାଜା ବୟସରେ ପ୍ରାୟ ବାଇଶି ଯାଏ ହେବ । ଏବେ ଅଳ୍ପଦିନ ହେବ କଲେଜ ଛାଡ଼ିଛନ୍ତି । ବେଶ୍ ହୃଷ୍ଟପୁଷ୍ଟ ଓ ସୁଗଠିତ ଦେହଟି, ଆଦୌ କୌଣସି ଜଟିଳତା ନଥିବା ମୁହଁଟିଏ ନାକଟା ବେଶ୍ ବୃହତ୍, ମୋଟା ମୋଟା ଓଠ । ସାନ ଆଖିଦିଓଟି ସତେ ଅବା ଏକ ଘୁଷୁରିର ଆଖି ପରି ଜୁଳୁଜୁଳୁ ଦେଖାଯାଉଥାଆନ୍ତି । ଭାରି ସାଧାରଣ ତଥାପି ବେଶ୍‍ ବିଚିତ୍ର ବସ୍ତୁଦିଓଟି । ଲୋକଟି ଦୟାଦ୍ଵାରା ପରିପୂର୍ଣ୍ଣ ଉତ୍ତମ ପ୍ରକୃତିର ତଥା ସଚ୍ଚୋଟ । ଭାରି ଅବିନ୍ୟସ୍ତ ଦିଶୁଥିବା ବେଶପୋଷାକଗୁଡ଼ିକୁ, ମୁଣ୍ଡର ବାଳମାନେ ବେଶ୍ ଲମ୍ବ ଲମ୍ବ । କୌଣସି ବିଶେଷ ସଉକରେ ଯେ ଲମ୍ବା ବାଳ ରଖିଛନ୍ତି । ମୋଟେ ନୁହେଁ, ତୁଚ୍ଛା ଆଳସ୍ୟ ହେତୁ । ଖାଇବାରେ ସବୁବେଳେ ବଡ଼ ଶ୍ରଦ୍ଧା, ଶୋଇବାରେ ମଧ୍ୟ ତଦ୍ରୂପ । ତଥାପି, କୌଣସି ଭଲ ବହି ଦେଖିଲେ ସିଏ ଅବଶ୍ୟ ତାକୁ ପଢ଼ିବେ । ଅନ୍ୟମାନଙ୍କ ସହିତ କଥୋପକଥନ ବେଳେ ମଧ୍ୟ ପ୍ରବଳ ଭାବରେ ଆଗ୍ରହୀ ଏବଂ ଏହି ଅନ୍ୟ ଯୁବକ ପାଣ୍ଡାଲେଭ୍‌ସ୍କିଙ୍କ ପ୍ରତି ତାଙ୍କର ଅନ୍ତର ଭିତରେ କେବଳ ଘୃଣା ହିଁ ଭରି ରହିଥିଲା । ବାସିଷ୍ଟୋଫ୍‌ଙ୍କୁ ବସ୍ତୁତଃ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନଙ୍କର ଏହି ପିଲାମାନେ ପୂଜା ହିଁ କରିଥିଲେ, ମାତ୍ର ତାଙ୍କୁ ଏତେ ଟିକିଏ ହେଲେ ଭୟ କରୁନଥିଲେ ଏବଂ ସେହି ପରିବାରର ସମସ୍ତଙ୍କ ସହିତ ତାଙ୍କର ଏକ ବନ୍ଧୁତାର ସମ୍ପର୍କ ମଧ୍ୟ ରହିଥିଲା । ଅବଶ୍ୟ ଗୃହକର୍ତ୍ତ୍ରୀଙ୍କର ନଜରରେ ତାହା ସର୍ବଦା ଆଦୌ ଉଚିତ ବୋଲି ଲାଗୁନଥିଲା । ମାତ୍ର, ସିଏ ପ୍ରାୟ ସର୍ବଦା ହିଁ କେତେ ଖୁସି ଭାବରେ ଘୋଷଣା କରିଥିଲେ ଯେ, ତାଙ୍କ ମନରେ ସାମାଜିକ ପାତର ଅନ୍ତର କରିବା ବିଷୟରେ ଆଦୌ କୌଣସି ରକ୍ଷଣଶୀଳ ଧାରଣା ନଥିଲା ।

 

“ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର । ମୋ’ର ପ୍ରିୟଜନମାନେ”, —କନ୍‌ଷ୍ଟାଣ୍ଟିନ୍ ଡାୟୋମିଡ଼ିଚ୍ ପ୍ରଥମେ କହିଥିଲେ—“ଆଜି ଆପଣମାନେ ତ ପ୍ରକୃତରେ କେତେ ଶୀଘ୍ର ବୁଲିବା ପାଇଁ ବାହାରି ଆସିଛନ୍ତି ।” ତା’ପରେ ବାସିଷ୍ଟୋଫ୍‌ଙ୍କ ଆଡ଼କୁ ଦୃଷ୍ଟି ବୁଲାଇ ସେ କହିଥିଲେ, “ଅବଶ୍ୟ ମୁଁ ମଧ୍ୟ ବେଶ୍ କେତେ ସମୟ ହେଲା ଘରୁ ବାହାରି ପଡ଼ିଥିଲି । ହଁ, ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ହେଉଛି ମୋ’ର ଗୋଟିଏ ଖାସ୍ ଆସକ୍ତି ।”

 

ଶ୍ରୀ ବାସିଷ୍ଟୋଫ୍ ବେଶ୍ ଧୀର କଣ୍ଠରେ ଉତ୍ତର ଦେଲେ, “ହଁ, ଆପଣ କିପରି ପ୍ରକୃତିର ଉପଭୋଗ କରୁଥିଲେ, ସେକଥା ତ ଆମ୍ଭେମାନେ ଟିକିଏ ଆଗକୁ ଦେଖିଲୁ ।”

 

“ତୁମେ ହେଉଛ ଜଣେ ଭାରି ଜଡ଼ବାଦୀ ମନୁଷ୍ୟ । କ’ଣ ସବୁ ଯେ କଳ୍ପନା କରିଯାଉଛ ତାହା କେବଳ ଭଗବାନଙ୍କୁ ଜଣା । ମୁଁ କ’ଣ ତୁମକୁ ଜାଣିନାହିଁ ।” ହଁ, ଯେତେବେଳେ ପାଣ୍ଡାଲୋଭ୍‌ସ୍କି ବାସିଷ୍ଟୋଫ୍ ଅଥବା ତାଙ୍କରି ପରି ବ୍ୟକ୍ତିମାନଙ୍କ ସହିତ କିଛି କଥାବାର୍ତ୍ତା କରୁଥିଲେ, ସିଏ ବେଶ୍ କଟୁ ହୋଇ ଉଠୁଥିଲେ ଏବଂ ତାଙ୍କର ବାକ୍ୟ ଉଚ୍ଚାରଣ ଗୁଡ଼ିକ ମଧ୍ୟ ସେହି ଅନୁସାରେ ବଦଳି ଯାଉଥିଲା ।

 

“କହିଲ, ମୁଁ କ’ଣ ପ୍ରକୃତରେ ବୁଝିବି ଯେ ତୁମେ ସେହି ଝିଅଟିକୁ ବାଟ କୁଆଡ଼େ ବୋଲି ପଚାରୁଥିଲ ?” —ବାସିଷ୍ଟୋଫ୍ ତା’ପରେ କହିଥିଲେ । ଆପଣାର ଆଖିଗୁଡ଼ିକୁ ସିଏ ଏପାଖକୁ ସେପାଖକୁ ବୁଲାଇବାରେ ଲାଗିଥାନ୍ତି ।

 

ସେ ଅନୁଭବ କଲେ ଯେ ପାଣ୍ଡାଲୋଭ୍‌ସ୍କି ତାଙ୍କର ମୁହଁ ଆଡ଼କୁ ସିଧା କଟମଟ କରି ଚାହିଁ ରହିଥିଲେ ଏବଂ ସେହି କଥାଟିକୁ ତାଙ୍କୁ ମୋଟେ ସୁଖକର ମନେ ହେଉନଥାଏ । “ହଁ ମୁଁ ପୁନର୍ବାର ମଧ୍ୟ କହିବି, ତୁମେ ଜଣେ ବସ୍ତୁବାଦୀ, ବସ୍ତୁବାଦୀ ବ୍ୟତୀତ ଆଉ କିଛି ନୁହଁ ।”

 

“ତୁମେ ସବୁବେଳେ ସବୁ କଥାର କେବଳ ଶୁଷ୍କ ଏବଂ ନୀରସ ଦିଗଟାକୁ ହିଁ ଦେଖ ।”

 

ଶ୍ରୀ ବାସିଷ୍ଟୋଫ୍ ହଠାତ୍ ପିଲାମାନଙ୍କୁ ଉଦ୍ଦେଶ୍ୟ କରି କହିଲେ, “ପିଲାଏ, ସେହି ସେଠି କୋଣ ଆଡ଼କୁ ଥିବା ଉଇଲୋ ଗଛଟିକୁ ତୁମେମାନେ ଦେଖି ପାରୁଛ ? ଦେଖିବା ସେହି ଗଛଟି ପାଖରେ କିଏ ସବାଆଗ ପହଞ୍ଚି ପାରିବ । ଏକ-ଦୁଇ-ତିନି—ଏଥର ଦଉଡ଼ !”

 

ପିଲା ଦୁହେଁ ତତ୍‌କ୍ଷଣାତ୍ ପୂରା ବେଗରେ ଗଛଟି ଆଡ଼କୁ ଦଉଡ଼ିବାକୁ ଆରମ୍ଭ କରିଥିଲେ-। ଏବଂ ବାସିଷ୍ଟୋଫ୍ ମଧ୍ୟ ସେମାନଙ୍କର ପଛେ ପଛେ ।

 

ପାଣ୍ଡାଲୋଭ୍‌ସ୍କି ଭାବୁଥାନ୍ତି, “ପୂରାପୂରି ଜଣେ ଗଁୱାର ମଣିଷଟିଏ । ପିଲା ଦୁଇଟିକୁ ମଧ୍ୟ ଖରାପ କରି ଦେଉଥିବ । ପୂରା ମଫସଲ ଗୋଟିଏ ଚଷା ପରି” ।

 

ଏବଂ ଆପଣାର ଅତ୍ୟନ୍ତ ସୁଗଠିତ ଓ ସୁନ୍ଦର କଳେବରଟି ଆଡ଼କୁ ଖୁବ୍ ତୃପ୍ତ ଭାବରେ ଚାହିଁ କନ୍‌ଷ୍ଟାଣ୍ଟିନ୍ ଡାୟୋମିଡ଼ିଚ୍ ନିଜର ଖୋଲା ହାତଟି ସାହାଯ୍ୟରେ ପିନ୍ଧିଥିବା କୋଟ୍‌ଟିକୁ ବେଶ୍ କେତେ ଥର ଝାଡ଼ି ଦେଇଥିଲେ—କମିଜ୍‌ର କଲାରଟିକୁ ଟାଣି ଉପରକୁ କରିଦେଲେ ଏବଂ ଆଗକୁ ପାଦ ପକାଇଲେ । ନିଜ କୋଠରୀଟିରେ ପହଞ୍ଚି ଗୋଟିଏ ପୁରୁଣା ପୋଷାକ ପରିବର୍ତ୍ତନ କରିବାର ପୋଷାକ ପରିଧାନ କରି ପିଆନୋଟି ଆଡ଼େ ସତେଅବା ଟିକିଏ ଚିନ୍ତିତ ଦୃଷ୍ଟିରେ ଆନାଉ ଅନାଉ ବସି ପଡ଼ିଲେ ।

 

—୨—

 

ସାରା ପ୍ରଦେଶରେ ହିଁ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କ ଘରକୁ ପ୍ରାୟ ଏକ ନମ୍ବର ଘର ବୋଲି କୁହାଯାଇପାରିବ । ପଥରରେ ନିର୍ମିତ ଏକ ବିଶାଳ ଆକୃତିରେ ଗୃହ, ଗତ ଶତାବ୍ଦୀର ଏକ ବିଶେଷ ନିର୍ମାଣଶୈଳୀ ଅନୁସାରେ ତିଆରି ହୋଇଥିଲା । ଗୋଟିଏ ଅନୁଚ୍ଚ ପାହାଡ଼ ଉପରେ ଦଣ୍ଡାୟମାନ ହୋଇଥିବା ଏହି ହର୍ମ୍ୟବତ୍ ସଦନଟି ବେଶ୍ କେତେ ଦୂରରୁ ହିଁ ଦୃଷ୍ଟିକୁ ଆସି ପାରୁଥିଲା ଏବଂ ସେହି ପାହାଡ଼ର ପାଦଦେଶ ଦେଇ ମଧ୍ୟଭାଗୀୟ ଋଷିଆର ଏକ ପ୍ରଧାନ ନଦୀ ମଧ୍ୟ ପ୍ରବାହିତ ହେଉଥିଲା । ଦରିଆ ମିହାଇଲୋଭ୍‌ନା ନିଜେ ବି ଜଣେ ଧନାଢ଼୍ୟା ମହିଳା ଥିଲେ ଏବଂ ଜଣେ ବିଶିଷ୍ଟ ବ୍ୟକ୍ତିରୂପେ ସୁପରିଚିତ ଥିଲେ । ତାଙ୍କର ଦିବଙ୍ଗତ ସ୍ଵାମୀ ପ୍ରିଭି କାଉନ୍‌ସିଲର ଜଣେ ସଦସ୍ୟ ଥିଲେ । ତାଙ୍କ ସମ୍ବନ୍ଧରେ ଶ୍ରୀ ପାଣ୍ଡାଲୋଭ୍‌ସ୍କି ବହୁତ ସମୟରେ କହୁଥିଲେ ଯେ ଶ୍ରୀମତୀ ଦରିଆ ସମ୍ପୂର୍ଣ୍ଣ ଇଉରୋପକୁ ଜାଣିଥିଲେ ଏବଂ ସମ୍ପୂର୍ଣ୍ଣ ଇଉରୋପ ମଧ୍ୟ ତାଙ୍କୁ ଖୁବ୍ ଭଲ ଭାବରେ ଜାଣିଥିଲେ । ଅବଶ୍ୟ, ଇଉରୋପ ପ୍ରକୃତରେ ତାଙ୍କୁ ବହୁତ ଅଳପ ହିଁ ଜାଣିଥିଲା; ଏପରିକି ସେ ପିଟର୍ସ୍‌ବର୍ଗରେ ଥିବା ସମୟରେ ମଧ୍ୟ ସେ ସେପରି କୌଣସି ଉଲ୍ଲେଖଯୋଗ୍ୟ ଭୂମିକା କେବେ ଗ୍ରହଣ କରିନଥିଲେ । ମାତ୍ର, ଅପର ପକ୍ଷରେ, ମସ୍କୋ ସହରରେ ବରଂ ତାଙ୍କୁ ସବୁଲୋକ ଜାଣିଥିଲେ ଏବଂ ତାଙ୍କର ସାକ୍ଷାତ ନିମନ୍ତେ ତାଙ୍କ ଘରକୁ ବି ଆସୁଥିଲେ । ସେଠା ଉଚ୍ଚତମ ସାମାଜିକ ମହଲରେ ସେ ଅନ୍ତର୍ଭୁକ୍ତ ହୋଇ ରହିଥିଲେ ଏବଂ ସମସ୍ତେ ସାଧାରଣତଃ ତାଙ୍କୁ ନାନା ବିଚିତ୍ର ଖିଆଲ ରହିଥିବା ଜଣେ ଭଦ୍ର ମହିଳା ବୋଲି କହୁଥିଲେ । କେତେବେଳେ କ’ଣ ସବୁ ଖିଆଲ ଯେ କରୁଥିଲେ ତାହାର କୌଣସି ଠିକଣା ହିଁ ନଥିଲା । ତାଙ୍କର ସ୍ଵଭାବଟିକୁ ମଧ୍ୟ ମୋଟେ ପୂରା ଭଲ ବୋଲି କୁହାଯିବ ନାହିଁ; ମାତ୍ର ଅତିମାତ୍ରାରେ ଚତୁରୀ ଥିଲେ । ଆପଣାର ଯୌବନ ବୟସରେ ସିଏ କେଡ଼େ ରୂପବତୀ ଥିଲେ । ତାଙ୍କ ରୂପର ପ୍ରଶଂସା ଗାନ କରି କବିମାନେ କବିତା ଲେଖିଥିଲେ, ଏକାଧିକ ଯୁବାବ୍ୟକ୍ତି ପ୍ରଣୟପାଶରେ ଆବଦ୍ଧ ହୋଇ ତାଙ୍କ ଆଡ଼କୁ ଆକୃଷ୍ଟ ବି ହୋଇ ଆସୁଥିଲେ । ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ବହୁ ସମ୍ମାନ ପ୍ରଦର୍ଶନ କରୁଥିଲେ । କିନ୍ତୁ, ବସ୍ତୁତଃ ଏହି ସବୁକିଛି ହେଉଛି ପ୍ରାୟ ପଚିଶ ବା ତିରିଶ ବର୍ଷ ପୂର୍ବର ଘଟଣା । ସେକାଳର କୌଣସି ଗୋଟିଏ ଆକର୍ଷଣକାରୀ ବିଶେଷତାରୁ ବର୍ତ୍ତମାନ ଗୋଟିଏ ମଧ୍ୟ ଦୃଷ୍ଟିଗୋଚର ହେବ ନାହିଁ । ବର୍ତ୍ତମାନ ତ ପ୍ରକୃତରେ ଯିଏ ତାଙ୍କୁ ପ୍ରଥମଥର ପାଇଁ ଦେଖିବ, ସିଏ ନିଜକୁ ମନେ ମନେ ଏପରି ଗୋଟିଏ ପ୍ରଶ୍ନ ଅବଶ୍ୟ ପଚାରିବ, ଏହି ଧୋକଲା ଚମ, ମୁନିଆଁ ନାକ ଏବଂ ହଳଦିଆ ଶୀର୍ଣ୍ଣ ମୁଖକୁ ବହନ କରୁଥିବା ମହିଳା ସତକୁ ସତ ଏକଦା ଆଦୌ କୌଣସି ସୌନ୍ଦର୍ଯ୍ୟର ଅଧିକାରିଣୀ ଥିଲେ ଏବଂ ନିଜର ସେହି ରୂପଦ୍ଵାରା ମୁଗ୍ଧ କେତେ କେତେ କବିଙ୍କୁ କବିତା ଲେଖିବା ପାଇଁ ପ୍ରେରଣା ଦେଇ ପାରୁଥିଲେ । ....ଏବଂ ମନେ ମନେ ହୁଏତ ଏକ ବିସ୍ମୟ ପ୍ରକାଶ କରି ଆମର ଏହି ପୃଥିବୀର ଯାବତୀୟ ବସ୍ତୁର କ୍ଷଣ ଭଙ୍ଗୁରତା ବିଷୟରେ ସେମାନେ ବେଶ୍ ସଚେତନା ହୋଇ ପଡ଼ୁଥିଲେ । ଏକଥା ସମ୍ପୂର୍ଣ୍ଣ ଭାବରେ ସତ୍ୟ ଯେ, ଦରିଆ ମିହାଇଲୋଭ୍‌ନା ଯେ ବୟସମାନେ ଅତିବାହିତ ହୋଇ ଚାଲିଯିବା ସତ୍ତ୍ୱେ ଆପଣାର ସେହି ଆଖି ଦିଓଟିକୁ ଏପରି ଭବ୍ୟ ଭାବରେ ସୁରକ୍ଷିତ କରି ରଖିଛନ୍ତି, ପାଣ୍ଡାଲେଭ୍‌ସ୍କି ହିଁ ସେହି କଥାଟିକୁ ଆବିଷ୍କାର କରିପାରିଲେ । ମାତ୍ର, ଆମେ ତ ଏପରି କଥାଟିଏ ମଧ୍ୟ ଇତି ମଧ୍ୟରେ ଜାଣି ପାରିଛୁ ଯେ ସାରା ଇଉରୋପଟାଯାକ ସମସ୍ତେ ଶ୍ରୀମତୀଙ୍କୁ ଜାଣିଥିଲେ ବୋଲି ପାଣ୍ଡାଲେଭ୍‌ସ୍କି କେତେ ଦୃଢ଼ ଭାବରେ ଦାବି କରୁଥିଲେ ।

 

ପ୍ରତିବର୍ଷ ଖରାଦିନେ ଦରିଆ ମିହାଇଲୋଭ୍‌ନା ନିଜ ପିଲାମାନଙ୍କୁ ନେଇ ଗ୍ରାମଆଡ଼େ ଅବସ୍ଥିତ ଆପଣାର ଖାସ୍ ସ୍ଥାନଟିକୁ ଯାଇ କିଛିଦିନ ରହି ଆସୁଥିଲେ । (ପିଲା ବୋଇଲେ ତିନିଜଣ : ସତର ବର୍ଷର ଗୋଟିଏ ଝିଅ ତା’ ନାଆଁ ନାତାଲିଆ, ଏବଂ ନାଅ ଓ ଦଶ ବର୍ଷର ଦୁଇଜଣ ପୁଅ) ସେଠାରେ ନିଜର ସେହି ଘରଟିକୁ ସେ ସମସ୍ତଙ୍କ ନିମନ୍ତେ ହିଁ ଉନ୍ମୁକ୍ତ କରି ରଖୁଥିଲେ, —ଅର୍ଥାତ୍ ସିଏ ସେଠାରେ ପୁରୁଷମାନଙ୍କୁ ଆସି ରହିବା ପାଇଁ ଦେଉଥିଲେ—ବିଶେଷ ଭାବରେ ବିବାହ ନକରିଥିବା ପୁରୁଷମାନଙ୍କୁ । ମାତ୍ର, ଗ୍ରାମାଞ୍ଚଳର ମହିଳାମାନଙ୍କୁ ସିଏ ମୋଟେ ସହ୍ୟ କରି ପାରୁ ନଥିଲେ । ଏବଂ ସେହି ମହିଳାମାନେ ମଧ୍ୟ ପ୍ରତିବଦଳରେ ତାଙ୍କ ସହିତ କିପରି ବ୍ୟବହାର କରୁଥିଲେ ?

 

ସେମାନଙ୍କ ମତରେ, ଦରିଆ ମିହାଇଲୋଭ୍‌ନା ଜଣେ ଏଭଳି ନାରୀ ଥିଲେ, ଯିଏ କି ବଡ଼ ଅଭିମାନୀ ଥିଲେ ଏବଂ ନିଜର ଅହଙ୍କାରଗୁଡ଼ାକୁ ଦେଖାଇ ହେଉଥିଲେ । ନୈତିକ ଚରିତ୍ର ବୋଲି ତାଙ୍କଠାରେ ଆଦୌ କିଛି ହିଁ ନଥିଲା । ଅନ୍ୟମାନଙ୍କୁ ଅସହ୍ୟ ଉତ୍ପୀଡ଼ନମାନ ଦେଉଥିଲେ ଏବଂ ସର୍ବୋପରି କାହା ସହିତ କଥା କହୁଥିବା ସମୟରେ ଏପରି ଅତିରିକ୍ତ ଭାବରେ ଲଗାମ ଛଡ଼ା ହୋଇଯାଉଥିଲେ ଯେ, ସେଥିରେ ଲୋକେ ବହୁସମୟରେ ଆତଙ୍କିତ ହୋଇ ଉଠୁଥିଲେ । ହଁ ଦରିଆ ମିହାଇଲୋଭ୍‌ନା ଗ୍ରାମାଞ୍ଚଳରେ ରହୁଥିବା ବେଳେ କୌଣସି ଭଦ୍ରତା ଅଥବା ସମ୍ମାନ ପ୍ରଦର୍ଶନ କରିବା ବିଷୟରେ ଟିକିଏ ହେଲେ ଭାବୁନଥିଲେ ଏବଂ ସେଠି ତାଙ୍କର ଯାବତୀୟ ଆଚରଣରେ ଏତେ ସଙ୍କୋଚ ହୀନ ଭାବରେ ଯାହା ତାହାର ପରିଚୟ ଦେଉଥିଲେ ଯେ ସେଠାରେ ତାଙ୍କ ଗହଣରେ ଥିବା ନିତାନ୍ତ କ୍ଷୁଦ୍ର ଏବଂ ନାମହୀନ ମନୁଷ୍ୟପ୍ରାଣୀମାନଙ୍କ ପ୍ରତି ନିଜକୁ ରାଜଧାନୀର ସତେ ଅବା ଜଣେ ସିଂହିନୀ ସଦୃଶ ବିଚାରୁଥିବା ତାଙ୍କ ଚିତ୍ତରେ ପ୍ରାୟ କିଞ୍ଚିତ୍ ଅବଜ୍ଞା ଅବଶ୍ୟ ରହିଥିବାର ଖୁବ୍ ପ୍ରକଟ ମଧ୍ୟ ହୋଇଯାଉଥିଲା । ପୁନଶ୍ଚ ନିଜ ମଣ୍ଡଳୀଟି ପ୍ରତି ମଧ୍ୟ ତାଙ୍କର ପ୍ରାୟ ସେହିଭଳି ଗୋଟିଏ ବେଖାତିର ଭାବ ରହିଥିଲା, ତଥାପି ସେହି ଅବସରମାନଙ୍କରେ କୌଣସି ଅବଜ୍ଞାଭାବ ସେପରି ପ୍ରକଟ ହେଉନଥିଲା ।

 

ଏବଂ ହେ ପାଠକ ମହାଶୟ, ଆପଣ ଏପରି କେବେ ଲକ୍ଷ୍ୟ କରିଛନ୍ତି କି, ଜଣେ ମନୁଷ୍ୟ, ଯିଏ କି ଆପଣା ତୁଳନାରେ ନିମ୍ନସ୍ଥ ଲୋକମାନଙ୍କୁ ନିତାନ୍ତ ବେଖାତିର ଭାବ ଦେଖାଉଥାଏ, ସିଏ ନିଜଠାରୁ ଅଧିକ ଉଚ୍ଚ ଗୋଟିଏ ସ୍ତରର ବ୍ୟକ୍ତିମାନଙ୍କ ପାଖରେ କେବେହେଲେ ସେପରି କୌଣସି ଭାବ କଦାପି ପ୍ରକଟ ହିଁ କରେ ନାହିଁ ଏବଂ ସେପରି କାହିଁକି ହୁଏ ? କିନ୍ତୁ, ଏସବୁ ପ୍ରଶ୍ନମାନ ଯେତେ ପଚାରିଲେ ମଧ୍ୟ ସେଗୁଡ଼ିକର ଆଦୌ କୌଣସି ସମୀଚୀନ ଉତ୍ତର ମିଳେ ନାହିଁ ।

 

ସଙ୍ଗୀତକାର ଥାଲ୍‌ବେଆର୍ଗଙ୍କର ସେହି ରଚନାଟିକୁ ପଇଟାଇ ରଖିସାରି କନ୍‌ଷ୍ଟାଣ୍ଟିନ୍ ଡାୟୋମିଡ଼ିଚ୍ ଯେତେବେଳେ ନିଜର ଉଜ୍ଜ୍ଵଳ ତଥା କେଡ଼େ ସରସ ନିଜେ ରହିଥିବା କୋଠରୀଟିରୁ ବାହାରି ବୌଠକଖାନା ଘରକୁ ଓହ୍ଲାଇ ଆସିଲେ, ସେତେବେଳେ ସମ୍ପୂର୍ଣ୍ଣ କୁଟୁମ୍ବଟା ହିଁ ସେଠାରେ ଆସି ପହଞ୍ଚି ଯାଇଥିବାର ଦେଖିବାକୁ ପାଇଥିଲେ । ଗୋଷ୍ଠୀଟି ଠିକ୍ ସେତିକିବେଳେ ହିଁ ଆରମ୍ଭ ହୋଇଯାଇଥିଲା । ଗୃହର ଅଧିକାରିଣୀ ଗୋଟିଏ ଓସାରିଆ ସୋଫା ଉପରେ ଆଉଜି ବସିଥିଲେ, ଏବଂ ତାଙ୍କର ପାଦଦୁଇଟି ଠିକ୍ ତଳେ ଯୋଡ଼ି ହୋଇ ଆସିଥିଲେ । ହାତରେ ଗୋଟିଏ କ୍ଷୁଦ୍ର ପୁସ୍ତିକା ଏବଂ ସେଥିରେ ଫରାସୀ ଭାଷାରେ କ’ଣ ସବୁ ଲିଖିତ ହୋଇ ରହିଥିଲା । ଗୋଟିଏ କ’ଣ ଗୋଲାକାର ଗଢ଼ଣ ପଛରେ ରହିଥିବା ଝରକା ଆଡ଼କୁ ଏକପାଖରେ ଶ୍ରୀମତୀ ଦରିଆଙ୍କର ଝିଅ ଯାଇ ବସିଥିଲା ଏବଂ ଅପର ପାଖରେ ମାଷ୍ଟରାଣୀ କୁମାରୀ ବନ୍‌ବୋର୍ଟ୍ ଆସୀନ ଥିଲେ । ତାଙ୍କର ବୟସ ଷାଠିଏ ପର୍ଯ୍ୟନ୍ତ ହେବ, ଶୁଷ୍କ ମୁଖମଣ୍ଡଳ, ମୁଣ୍ଡ ଉପରୁ କେରାଏ କୃତ୍ରିମ କୁଞ୍ଚୁ କୁଞ୍ଚୁ ବାଳ ଆଗକୁ ଝୁଲି ହୋଇ ଆସିଛି; ମୁଣ୍ଡରେ ରଙ୍ଗ ବେରଙ୍ଗର ଟୋପିଟିଏ ଏବଂ ଦୁଇ କାନରେ ସୂତାଳିଆ ପଶମ । ତା’ପରେ କବାଟ ନିକଟରେ ଜାକି ଜୁକି ହୋଇ ବସିଥିବା ବାସିଷ୍ଟୋଫ୍‍ ଗୋଟିଏ ଖବରକାଗଜ ପାଠ କରିଛନ୍ତି । ତାଙ୍କ ପାଖକୁ ପେତ୍ୟା ଏବଂ ଭାନ୍ୟା—ସେମାନେ ପାଲି ପକାଇ ଗୋଟି ଖେଳୁଛନ୍ତି ଏବଂ ଉହ୍ନେଇ ଆଡ଼କୁ ଉହୁଙ୍କି ପଡ଼ି ଗେଡ଼ା ଅକୃଟିର ଆହୁରି ଜଣେ ପୁରୁଷ ବ୍ୟକ୍ତି–, ସିଏ ହାତ ଦୁଇଟିକୁ ପିଠି ପଛକୁ ପକାଇ ଯୋଡ଼ି ଦେଇଛନ୍ତି—ତାଙ୍କର ସାବନା ବର୍ଣ୍ଣନା ମୁହଁଟା ଉପରେ ଧଳା ଓ ଧୂସର ଗୁଡ଼ାଏ ରୂଢ଼ ବେଶ୍ ବୋଳି ହୋଇ ରହିଛି । କଳା କଳା ଆଖିମାନେ ରଡ଼ ନିଆଁ ପରି ସତେଅବା ହୁତୁହୁତୁ ହୋଇ ଜଳିବାରେ ଲାଗିଛନ୍ତି । ତାଙ୍କର ନାଆଁ ହେଉଛି ଆଫ୍ରିକାନ୍ ସେମେନିଚ୍ ପିଗାସୋଭ୍ ।

 

ଏହି ପିଗାସୋଭ୍ ହେଉଛନ୍ତି ଜଣେ ବିଚିତ୍ର ବ୍ୟକ୍ତି । ସବୁକିଛିରେ ଖାଲି କାଟି ଖଣ୍ଡ ଖଣ୍ଡ କରି ପକାଇବାର ଉତ୍ସାହ । ମନୁଷ୍ୟମାନଙ୍କ ପ୍ରତି ମଧ୍ୟ ସେହିପରି ମନୋଭାବ । ବିଶେଷ କରି ନାରୀମାନଙ୍କ ବିଷୟରେ । କେବଳ ଉପହାସ, ବିଦ୍ରୂପ—ସକାଳୁ ରାତି ପର୍ଯ୍ୟନ୍ତ—ବେଳେ ବେଳେ ଅତ୍ୟନ୍ତ କୁଶଳତା ସହିତ ଏବଂ ପୁଣି ବେଳେବେଳେ ଅତ୍ୟନ୍ତ ନିର୍ବୋଧ ଭାବରେ । କିନ୍ତୁ, କେବେହେଲେ ଉତ୍ସାହର କୌଣସି ଅଭାବ ଦେଖାଯାଏ ନାହିଁ । ଏହିସବୁ ହାସ୍ୟକରତା ଅନେକ ସମୟରେ ପ୍ରାୟ ପୂରା ପିଲାଳିଆ ହୋଇଯାଏ, —ତାଙ୍କ ହସ, କଣ୍ଠର ସ୍ଵରଟା ଏବଂ ସମୁଦାୟ ଉପସ୍ଥିତିଟା ହିଁ ସତେ ଅବା ଖୁବ୍ କଟୁତାପୂର୍ଣ୍ଣ ବିଦ୍ଵେଷରେ ଭାରି ରହିଥିବା ପରି ହିଁ ବୋଧହୁଏ । ଦରିଆ ମିହାଇଲୋଭ୍‌ନା ପିଗାସୋଭ୍‌ଙ୍କ ଆସିବା ସମୟରେ ତାଙ୍କୁ ଅବଶ୍ୟ ହାର୍ଦ୍ଦିକ ଅଭ୍ୟର୍ଥନା ଜ୍ଞାପନ କରିଥିଲେ, ମାତ୍ର ପିଗାସୋଭ୍‌ଙ୍କର ତେଢ଼ା କୌତୁକପୂର୍ଣ୍ଣ କଥାଗୁଡ଼ାକୁ ମଧ୍ୟ ତାଙ୍କୁ ବେଶ୍ ମଜାଳିଆ ଲାଗୁଥିଲା ସେହି କଥାଗୁଡ଼ିକରେ ଖାଲି ନାନା ଉଦ୍‌ଭଟତା ହିଁ ଭରି ରହିଥିଲା । ସେଗୁଡ଼ିକରେ ରହିଥିବା ଅତିରଞ୍ଜନ ପରେ ଅତିରଞ୍ଜନ—ଶ୍ରୀମତୀ ଦରିଆଙ୍କୁ ତାହା ଖୁବ୍‍ ଆନନ୍ଦଦାୟକ ଲାଗୁଥିଲା । ଉଦାହରଣ ସ୍ୱରୂପ, କେଉଁଠାରେ କ’ଣ ଦୁର୍ଘଟଣା ଘଟୁଥିଲା—ଅର୍ଥାତ୍, କୌଣସି ଗାଆଁ ଉପରେ ବଜ୍ରପାତ ହୋଇ ଗାଆଁଟି ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଛି କିମ୍ବା ନଦୀରେ ଅଚାନକ ବନ୍ୟାଜଳ ମାଡ଼ି ଆସି ଗୋଟିଏ ଅଟା ପେଷା ଘରକୁ ସମ୍ପୂର୍ଣ୍ଣ ଭାବରେ ଭସାଇ ନେଇଯାଇଛି ବା କୁରାଢ଼ି ଚୋଟ ବାଜି ଜଣେ କୃଷକର ହାତ କଟିଯାଇଛି ବୋଲି ଯଦି କେହି ତାଙ୍କୁ ଆସି କହୁଥିଲା, ତେବେ ପିଗାସୋଭ୍ ନିଜର ମୁହଁଟାକୁ ଅବର୍ଜିଆ କରି ପକାଉଥିଲେ ଏବଂ କହୁଥିଲେ “ଆରେ, ତା’ର ନାଆଁ କ’ଣ ମୋତେ କହିଲ ।” ଅର୍ଥାତ୍ ଯାହା ହେତୁ ଏହି ବିପତ୍ତିଟି ଘଟିଲା, ସେହି ସ୍ତ୍ରୀ ଲୋକଟିର ନାମ କ’ଣ ? କାରଣ, ପିଗାସୋଭ୍ ସବୁବେଳେ ବିଶ୍ଵାସ କରୁଥିଲେ ଯେ, ଯାବତୀୟ ବିପତ୍ତିର ମୂଳ କାରଣ ରୂପେ ସର୍ବଦା ଜଣେ ସ୍ତ୍ରୀ ଲୋକ ହିଁ ସର୍ବମୂଳ କାରଣ ହୋଇ ରହିଥିବ । ହୁଏତ ଉପରୁ କିଛି ଜଣାପଡ଼ୁନଥିବ, ମାତ୍ର ଖୋଳତାଡ଼ କରି ଭିତରକୁ ଯାଇପାରିଲେ ସର୍ବଦା ସେଇଟିରେ ହିଁ ପ୍ରମାଣ ଅବଶ୍ୟ ମିଳିଯିବ । ଏକଦା, ପିଗାସୋଭ୍ ଜଣେ ମହିଳାଙ୍କ ଆଗରେ ଯାଇ ନତଜାନୁ ହୋଇ ବସି ପଡ଼ିଥିଲେ, ସେହି ମହିଳାଙ୍କୁ ସିଏ ପ୍ରାୟେ ଆଦୌ ଜାଣି ନଥିଲେ । ତାଙ୍କର କହିବା ଅନୁସାରେ ଉକ୍ତ ମହିଳା ତାଙ୍କୁ କେଡ଼େ ଉଦାର ହୋଇ ସକଳ ଆତିଥେୟତା ଦେଖାଇଥିଲେ । ମହିଳାଙ୍କୁ ଉଦ୍ଦେଶ୍ୟ କରି ଅଶ୍ରୁପୂର୍ଣ୍ଣ ନୟନରେ ପିଗାସୋଭ୍ ତାଙ୍କୁ କହିବାକୁ ଆରମ୍ଭ କଲେ ଯେ ସିଏ ତାଙ୍କ ପ୍ରତି ଆପଣାର କରୁଣାକୁ ଯେପରି କଦାପି ଊଣା କରି ଦେବେ ନାହିଁ । କେଡ଼େ ଆବେଗପୂର୍ଣ୍ଣ ଭାବରେ ତାଙ୍କୁ କହୁଥାନ୍ତି ଯେ, ସିଏ ସେହି ମହିଳାଙ୍କର କେବେହେଲେ କିଛି ଅନିଷ୍ଟ କରିନାହାନ୍ତି ଓ ସିଏ ଆଉ କେବେ ମଧ୍ୟ ତାଙ୍କୁ ଦେଖିବା ନିମନ୍ତେ ତାଙ୍କ ପାଖକୁ ଆସିବେ ନାହିଁ । ସିଏ ଏତେସବୁ କଥା କହୁଥାନ୍ତି ସିନା, କିନ୍ତୁ ତାଙ୍କର ମୁହଁ ଉପରେ ଗୋଟିଏ ରୋଷଭାବ ଅତ୍ୟନ୍ତ ସ୍ପଷ୍ଟ ଭାବରେ ହିଁ ଫୁଟି ଉଠୁଥାଏ । ହଁ, ଆଉଥରେ ଗୋଟିଏ ଘୋଡ଼ା ପଘା ଛିଣ୍ଡାଇ ଶ୍ରୀମତୀ ଦରିଆଙ୍କର ଜଣେ ପରିଚାରିକାଙ୍କ ସହିତ ଆୟତ୍ତରୁ ବାହାରି ପଳାଇ ଯାଇଥିଲା, ଦଉଡ଼ି ପଳାଉ ପଳାଉ ତାଙ୍କୁ ଗୋଟିଏ ଖମାରେ ନେଇ ପକାଇଦେଲା ଏବଂ ଫଳରେ ସେ ପ୍ରାୟ ଏକ ମରଣାନ୍ତ୍ରକ ଆଘାତ ମଧ୍ୟ ପାଇଥିଲେ । ଏହି ଘଟଣାଟି ଘଟିବା ପରେ ପିଗାସୋଭ୍ ଯେତେବେଳେ ସେହି ଘୋଡ଼ାଟି ବିଷୟରେ ଆଦୌ କିଛି କଥା ପଡ଼ୁଥିଲା, ସେତେବେଳେ ତାହାକୁ “ଭଲ, ଅତ୍ୟନ୍ତ ଭଲ ଘୋଡ଼ାଟିଏ” ବୋଲି ସର୍ବଦା କହୁଥିଲେ । ଏବଂ ଏପରିକି, ସେହି ପାହାଡ଼ ଓ ସେହି ଖମାଟିକୁ ମଧୁ ବିଶେଷ ଭାବରେ ଗୋଟିଏ ଗୋଟିଏ ବିଶେଷ ରମଣୀୟ ସ୍ଥାନ ବୋଲି ମଧ୍ୟ ବର୍ଣ୍ଣନା କରୁଥିଲେ । ଶ୍ରୀ ପିଗାସୋଭ୍ ଆପଣାର ଜୀବନରେ ବିଫଳ ହୋଇଯାଇଥିଲେ ଓ ତାହାରି ପ୍ରକୋପ ହେତୁ ହିଁ ଏହି ନିତାନ୍ତ ଖିଆଲ ପରିପୂର୍ଣ୍ଣ ବାତୁଳପଣମାନଙ୍କୁ ଆଦରି ନେଇଥିଲେ । ତାଙ୍କର ପିତାମାତା ଦରିଦ୍ର ଥିଲେ । ତାଙ୍କ ପିତା ଆପଣା ଜୀବନରେ ନାନାବିଧ ସାନ ସାନ ଚାକିରିମାନ କରି ଜୀବିକା ନିର୍ବାହ କରିଥିଲେ । ପଢ଼ାଲେଖା ପ୍ରାୟ କିଛି ନଥିଲା । ସିଏ ନିଜ ପୁଅର ଶିକ୍ଷାଲାଭ ଦିଗରେ ମଧ୍ୟ ବିଶେଷ ଚିନ୍ତା କରିନଥିଲେ । ହଁ, ପୁଅପାଇଁ ଅନ୍ନ ଓ ବସନ ହିଁ ଯୋଗାଇ ଦେଇଥିଲେ; —ସେତିକି ବ୍ୟତୀତ ଅଧିକ କିଛି ହେଲେ କରିପାରିନଥିଲେ । ଅନ୍ୟ ପକ୍ଷରେ, ମାଆ ମଧ୍ୟ ଗେହ୍ଲା ଦେଖାଇ ଦେଖାଇ ନିଜ ପୁଅକୁ ପ୍ରାୟ ନଷ୍ଟ କରି ଦେଇଥିଲେ । ଏହି ପୃଥିବୀରୁ ବେଶ୍ ଶୀଘ୍ର ହିଁ ବିଦାୟ ନେଇ ନେଇ ଚାଲିଗଲେ । ପିଗାସୋଭ୍ ତେଣୁ ପ୍ରାୟ ନିଜ ଚେଷ୍ଟାରେ ହିଁ ଯାହାକିଛି ପଢ଼ି ପାରିଲେ; ପ୍ରଥମେ ସେହି ଅଞ୍ଚଳର ବିଦ୍ୟାଳୟରେ ଓ ତା’ପରେ ହାଇସ୍କୁଲରେ ଯାଇ ପଢ଼ିଥିଲେ । ଫରାସୀ ଓ ଜର୍ମାନ ଭାଷା ଶିକ୍ଷା କରିଥିଲେ, ଏପରିକି ଲାଟିନ୍ ମଧ୍ୟ ଆରମ୍ଭ କରି ଦେଇଥିଲେ । ହାଇସ୍କୁଲର ଶେଷ ପରୀକ୍ଷାରେ ଅବଶ୍ୟ ଅତି ଉତ୍ତମ ପ୍ରକାରେ ଉତ୍ତୀର୍ଣ୍ଣ ହୋଇପାରିଲେ ଏବଂ ତା’ପରେ ଡୋରପାଟ୍ ନାମକ ଗୋଟିଏ ସ୍ଥାନକୁ ଯାତ୍ରା କରିଥିଲେ । ସେଠାରେ ସିଏ ଆପଣାର ଦାରିଦ୍ର୍ୟ ସହିତ ଏକ କଠୋର ସଂଗ୍ରାମ ହିଁ ଆରମ୍ଭ କରିଦେଲେ । ତଥାପି, ନିଜର ତିନିବର୍ଷିଆ ପାଠ୍ୟକ୍ରମଟିକୁ ସମାପ୍ତ ମଧ୍ୟ କଲେ । ମାତ୍ର, ଯେତେ ଯାହା ଚେଷ୍ଟା କଲେ ମଧ୍ୟ ପିଗାସୋଭ୍ ତଥାପି ସେହି ମଧ୍ୟମ ମାମୁଲି ସାମର୍ଥ୍ୟର ଜଣେ ବ୍ୟକ୍ତି ହୋଇ ରହିଗଲେ-। ଖୁବ୍ ଧୈର୍ଯ୍ୟବାନ୍ ଏବଂ ଅତ୍ୟନ୍ତ ଅଧ୍ୟବସାୟୀ ହୋଇଥିଲେ ମଧ୍ୟ ତାଙ୍କ ଭିତରେ ସତେଅବା ସର୍ବପ୍ରଧାନ ହୋଇରହିଥିବା ଉଚ୍ଚ ଉଚ୍ଚ ଆକାଙ୍‌କ୍ଷାମାନେ ହିଁ ତାଙ୍କ ଜୀବନରେ ପ୍ରତିବନ୍ଧକ ହୋଇ ରହିଯାଇଥିଲେ । କିପରି ଭାବରେ କ’ଣ ସବୁ କରି ସିଏ ଆପଣାକୁ ସାମାଜିକ ଅତ୍ୟୁତ୍ତମ ସ୍ତରମାନଙ୍କରେ ଯାଇ ଗୋଟିଏ ପଂକ୍ତିରେ ସାମିଲ କରିପାରିବେ ଏବଂ ଭାଗ୍ୟ ତାଙ୍କୁ କମ୍ ବା ବହୁତ ଯାହା ଦେଇଥାଉ ଅଥବା ନଥାଉ ପଛକେ, ସିଏ ଯେପରି ଅନ୍ୟମାନଙ୍କର ତୁଳନାରେ କୌଣସିମତେ ନ୍ୟୂନ ନ ଦିଶିବେ, ସେହି ବାସନାଟି ହିଁ ତାଙ୍କୁ ସର୍ବଦା ବାଇ କରି ରଖିଥିଲା । ଅତୀବ ପ୍ରୟାସମାନ କରି ବିଦ୍ୟାଳୟରେ ଅଧ୍ୟୟନ ସମାପ୍ତ କରି ସେ ଡୋରପାଟ୍ ବିଶ୍ଵବିଦ୍ୟାଳୟକୁ ଯେ ଯାଇଥିଲେ, ସେଇଟିର ପଶ୍ଚାତରେ ତାଙ୍କର ଉକ୍ତ ଖାସ୍ ଇଚ୍ଛାଟି ହିଁ ରହିଥିଲା । ଦାରିଦ୍ର୍ୟ ହିଁ ତାଙ୍କୁ ସତେଅବା ନିଜ ଲକ୍ଷ୍ୟକୁ ହାସଲ କରିବାରେ ବିଶେଷ ଜିଦ୍‌ଟିଏ ଆଣିଦେଇଥିଲା । ସଦାସତର୍କ ତଥା ବହୁତ ଚତୁର କରି ମଧ୍ୟ ରଖିଥିଲା । ସବୁବେଳେ ସିଏ ବେଶ୍‍ ମୌଳିକତା ସହିତ ଆପଣାକୁ ବ୍ୟକ୍ତ କରି ପାରୁଥିଲେ ଏବଂ ସେହି ତରୁଣ ବୟସରୁ ସିଏ ଏପରି ଏକ ବିଶେଷ ପ୍ରକାରର ବାଗ୍ମିତାକୁ ଅର୍ଜନ ବି କରିଥିଲେ ଯାହା କି ଶ୍ରୋତାଗଣଙ୍କୁ ସତେ ଅବା କେହି ସେମାନଙ୍କୁ ଆସି ଦଂଶନ କରୁଥିବା ଏବଂ ଅକର୍ତ୍ତବ୍ୟ କରି ପକାଉଥିବା ପରି ବୋଧ ହେଉଥିଲେ । ତାଙ୍କର ବିଚାରଗୁଡ଼ିକ କେବେହେଲେ ମଧ୍ୟ ଏକ ମାମୁଲି ସ୍ତରରୁ ଉପରକୁ ଉଠି ପାରୁନଥିଲା ସିନା, ମାତ୍ର ସିଏ ଯେପରି ଭାବରେ ଆପଣାର କଥାଗୁଡ଼ିକୁ କହୁଥିଲେ ତଦ୍ଦ୍ଵାରା ସେଗୁଡ଼ିକୁ ଶୁଣୁଥିବା ଲୋକମାନେ ତାଙ୍କୁ ଜଣେ ସତକୁ ସତ ବେଶ୍ ବୁଦ୍ଧିମାନ ଓ ଏପରିକି ଖୁବ୍ ବୁଦ୍ଧିମାନ ବ୍ୟକ୍ତି ବୋଲି ଅନୁମାନ କରୁଥିଲେ । ବିଶ୍ଵବିଦ୍ୟାଳୟର ଡିଗ୍ରୀଟିଏ ହାସଲ କରିବା ପରେ ପିଗାସୋଭ୍ ଆପଣାକୁ ଅଧ୍ୟାପନାର ବିଶେଷ ବୃତ୍ତିଟି ନିମନ୍ତେ ଯୋଗ୍ୟ କରିନେବାର ଏକ ନିଷ୍ପତ୍ତି ଗ୍ରହଣ କରି ନେଇଥିଲେ-। ସିଏ ବେଶ୍ ବୁଝି ପଡ଼ିଥିଲେ ଯେ ଏଇଟି ବ୍ୟତୀତ ଅନ୍ୟ କୌଣସି ବୃତ୍ତି ଗ୍ରହଣ କଲେ ସେ କଦାପି ଆପଣା ଗୋଷ୍ଠୀର ଅନ୍ୟମାନଙ୍କ ସହିତ ସମକକ୍ଷ ହୋଇ ପାରିବେ ନାହିଁ । ଆପଣା ପର କିଞ୍ଚିତ୍ ଉଚ୍ଚତର ସ୍ତରର ସିଏ ସେହି ସତୀର୍ଥଗଣଙ୍କୁ ବାଛିବା ନିମନ୍ତେ ଚେଷ୍ଟା କଲେ ଏବଂ ସେମାନଙ୍କ ସହାନୁଭୂତିର ପାତ୍ର ହେବା ସକାଶେ ଉଦ୍ୟମ କଲେ ଏବଂ ଅବଶ୍ୟକ ବୋଲି ମନେ କଲେ ସେମାନଙ୍କୁ ଖୋସାମଦମାନ ବି କରୁଥିଲେ, —ଏବଂ ଅପର ପକ୍ଷରେ ସେମାନଙ୍କ ପ୍ରତି ସର୍ବଦା ନାନା ଭର୍ତ୍ସନାବାକ୍ୟ ମଧ୍ୟ ପ୍ରୟୋଗ କରୁଥିଲେ; କିନ୍ତୁ ସିଧା କଥା କହିବାକୁ ଗଲେ, ତାଙ୍କ ପାଖରେ କେତେବେଳେ ହେଲେ ଯଥେଷ୍ଟ ପରିଣାମର ମାଲମସଲା ମଧ୍ୟ ନଥିଲା । କାରଣ, ଅଧ୍ୟୟନ ଲାଗି କୌଣସି ପ୍ରକୃତ ଭଲ ପାଇବା ନଥାଇ ହିଁ ସିଏ ଆପଣାକୁ ଅଧ୍ୟୟନରତ କରି ରଖି ଆସିଥିବାରୁ ପିଗାସୋଭ୍ ପ୍ରାୟ କୌଣସି ବିଦ୍ୟାକୁ ଏକ ସମ୍ପୂର୍ଣ୍ଣତା ଦେଇ ଅର୍ଜନ କରି ନଥିଲେ । ସାଧାରଣ ବିଦ୍ୟା ପରୀକ୍ଷାର ଅବସର ଗୁଡ଼ିକରେ ତେଣୁ ଅତ୍ୟନ୍ତ ଶୋଚନୀୟ ଭାବରେ ବିଫଳ ହିଁ ହେଉଥିଲେ-। ଅଥଚ, ତାଙ୍କରି ସହିତ ସେହି ଗୋଟିଏ କୋଠରୀରେ ରହି ଅଧ୍ୟୟନ କରୁଥିବା ଆଉ ଜଣେ ଛାତ୍ର, ଯାହାକୁ ସିଏ ସର୍ବଦା ହିଁ ପରିହାସ କରି ଉଡ଼ାଇ ଦେଉଥିଲେ, ଅତ୍ୟନ୍ତ ଅଳପ ସାମର୍ଥ୍ୟର ଅଧିକାରୀ ହୋଇଥିଲେ ମଧ୍ୟ ଯିଏ ସବୁବେଳେ ଉଚିତ ପ୍ରକାରେ ଯତ୍ନବାନ ରହିଥିବାରୁ ପ୍ରକୃତରେ ଏକ ପୂର୍ଣ୍ଣ ବିଜୟ ହାସଲ କରିଥିଲେ । ନିଜର ଏହି ବିଫଳତା ହେତୁ ରୁଷ୍ଟ ହୋଇପଡ଼ି ପିଗାସୋଭ୍ ନିଜର ସବୁଯାକ ବହି ଏବଂ ପାଣ୍ଡୁଲିପିକୁ ନେଇ ନିଆଁରେ ପକାଇଦେଲେ । ତା’ପରେ ସିଏ ଗୋଟିଏ ସରକାରୀ ଚାକିରୀ ଗ୍ରହଣ କରିଥିଲେ । ପ୍ରଥମେ ପ୍ରଥମେ ତ ମନ୍ଦ ବୋଲି କିଛି କହି ହେଉନଥିଲା, ସିଏ ଜଣେ ଉତ୍ତମ କର୍ମଚାରୀ ହୋଇ ତିଆରି ହୋଇ ଆସୁଥିଲା ପରି ବେଶ୍‍ ମନେ ହେଉଥିଲେ । ଅବଶ୍ୟ ଖୁବ୍ ବେଶୀ ମୋତେ କର୍ମଠ ନଥିଲେ, —ଆପଣା ଉପରେ ସବୁବେଳେ ଅତିରିକ୍ତ ପରିଣାମରେ ବିଶ୍ଵାସ କରୁଥିଲେ । ବହୁତ ଦୁଃସାହସର ମଧ୍ୟ ପରିଚୟ ଦେଉଥିଲେ । ମାତ୍ର ଅତ୍ୟନ୍ତ ସତ୍ଵରତା ସହିତ ଖାଲି ଉପରକୁ ଉପରକୁ ଉଠି ଚାଲିଯିବା ପାଇଁ ଇଚ୍ଛା କରିଥିଲେ । ସେହି କାରଣରୁ ଗୋଟିଏ ଭୁଲ୍ ପଦକ୍ଷେପ ଗ୍ରହଣ କଲେ ଏବଂ ଅଡ଼ୁଆରେ ପଡ଼ି ଯାଇଥିଲେ । ଚାକିରିଟିକୁ ଛାଡ଼ି ଆସିବାକୁ ହିଁ ପଡ଼ିଲା । ତା’ପରେ ନିଜେ ଖରିଦ କରିଥିବା ସମ୍ପତ୍ତି ଉପରେ ହିଁ ତିନୋଟି ବର୍ଷ ନିର୍ଭର କରିବାକୁ ପଡ଼ିଥିଲା ଏବଂ ତା’ପରେ ଅଚାନକ ଅତୁଳ ସମ୍ପତ୍ତି ଥିବା ଜଣେ ଅର୍ଦ୍ଧଶିକ୍ଷିତା ମହିଳାଙ୍କ ସହିତ ତାଙ୍କର ବିବାହ ସମ୍ପନ୍ନ ହୋଇଯାଇଥିଲା । କାରଣ, ସେହି ରମଣୀ ପିଗାସୋଭ୍‌ଙ୍କର ଅନୌପଚାରିକ ଏବଂ ବ୍ୟଙ୍ଗ ଦ୍ଵାରା ପରିପୂର୍ଣ୍ଣ ଆଚରଣ ରୀତିରେ ଅତ୍ୟନ୍ତ ମୋହତି ହୋଇଯାଇଥିଲେ । ମାତ୍ର, ଏହା ଭିତରେ ଶ୍ରୀ ପିଗାସୋଭ୍‌ଙ୍କର ଚରିତ୍ର ତଥା ଆଚରଣଗୁଡ଼ିକୁ ଏତେ ଅଧିକ ପରିଣାମର କଟୁତାଯୁକ୍ତ ଏବଂ ଚିଡ଼ା ହୋଇଯାଇଥିଲେ ଯେ, ତାଙ୍କ ଲାଗି ଏହି ପାରିବାରିକ ଜୀବନ ଅତ୍ୟନ୍ତ ଅସହ୍ୟ ହୋଇପଡ଼ିଥିଲା । ତାଙ୍କ ସହିତ କିଛି ବର୍ଷ ଏକତ୍ର ବସ କରିବା ପରେ ତାଙ୍କର ପତ୍ନୀ ଦିନେ ଗୋପନରେ ମସ୍କୋ ଚାଲି ଯାଇଥିଲେ ଏବଂ ନିଜର ସ୍ଥାବର ସମ୍ପତ୍ତିକୁ ଜଣେ ଉତ୍ସାହୀ ମଧ୍ୟସ୍ଥବ୍ୟକ୍ତିକୁ ବିକ୍ରି କରି ଦେଇଥିଲେ ଏବଂ ସେହି ଜମି ଉପରେ ପିଗାସୋଭ୍ ନିଜର ବି ଗୋଟିଏ ଘର ନିର୍ମାଣ କରିବା ଆରମ୍ଭ କରି ଦେଇଥିଲେ ଏବଂ ସେଇଟି ମାତ୍ର ଏବେ ହିଁ ପୂରା ନିର୍ମାଣ ହୋଇଯାଇଥିଲା । ତେଣୁ, ସେଇଟି ବିକ୍ରି ହୋଇଯିବା ଦ୍ଵାରା ପିଗାସୋଭ୍ ଅତିଶୟ ଆଘାତ ପାଇଲେ ଏବଂ ପତ୍ନୀଙ୍କ ନାମରେ ଏକ ମୋକଦ୍ଦମା ଦାଏର ବି କରିଦେଇଥିଲେ । କିନ୍ତୁ ତଦ୍ଦ୍ୱାରା ତାଙ୍କର ମୋଟେ କିଛି ଲାଭ ହେଲା ନାହିଁ । ତା’ପରେ ସେ ଏକ ଏକାକୀ ଜୀବନ ଅତିବାହିତ କଲେ ଏବଂ ସେତେବେଳେ ଆପଣାର ଏଭଳି ପ୍ରତିବେଶୀମାନଙ୍କୁ ଲୋଡ଼ି ବାହାରିଥିଲେ । ଯେଉଁମାନଙ୍କର କି ଆଗରୁ ସିଏ ସେମାନଙ୍କ ପଛରେ କେତେ ନା କେତେ ବଦନାମ କରିଆସିଥିଲେ । କେତେଥର ସେମାନଙ୍କ ଆଗରେ ମଧ୍ୟ ସେମାନଙ୍କୁ ଗାଳି ଦେବାକୁ ଛାଡ଼ୁ ନଥିଲେ । ସେହି ପ୍ରତିବେଶୀମାନେ ମଧ୍ୟ ପିଗାସୋଭ୍‌ଙ୍କର ଏହି ପରିବର୍ତ୍ତନ ଲକ୍ଷ୍ୟ କରି ନିଶ୍ଚୟ ଆଚମ୍ବିତ ହୋଇଥିବେ—ତଥାପି ବେଶ୍ ଚାପା ଦରହାସମାନ ହସି ସେମାନେ ତାଙ୍କର ବେଶ୍ ସ୍ଵାଗତ କରିଥିଲେ । ପୁନର୍ବାର ତାଙ୍କର ମୁଖଦର୍ଶନ ହେବାର ଦେଖି ସେମାନେ ଯେ ଖୁବ୍ ଶଙ୍କିତ ହୋଇପଡ଼ିଥିଲେ, ସେକଥା ଆଦୌ ସତ ନୁହେଁ । ବର୍ତ୍ତମାନ ତାଙ୍କ ହାତରେ ଆଉ କେବେହେଲେ ବି ବହିଟିଏ ଧରିଥିବାର ଦେଖାଯାଉନଥିଲା । ଘରେ ପ୍ରାୟ ଶହେ ପର୍ଯ୍ୟନ୍ତ ଭୃତ୍ୟ ଓ ପରିଜନ ରହିଥିଲେ ଏବଂ ତାଙ୍କ ଚାଷୀମାନେ ମୋତେ କୌଣସି ଅଭାବରେ ରହିନଥିଲେ ।

 

“ଆରେ, କନ୍‌ଷ୍ଟାଣ୍ଟିନ୍ !” —ପାଣ୍ଡାଲେଭ୍‌ସ୍କି ବୈଠକଖାନା ଭିତରେ ଆସି ପ୍ରଦେଶ କରୁଥିବା ସମୟରେ ଶ୍ରୀମତୀ ଦରିଆ ତାଙ୍କୁ ପଚାରିଥିଲେ, —“ଶ୍ରୀମତୀ ଆଲେକଜାଣ୍ଡ୍ରା ଆସିବେ ତ !”

 

କନ୍‌ଷ୍ଟାଣ୍ଟିନ୍ ଉତ୍ତରଦେଲେ, “ଆଲେଜାଣ୍ଡ୍ରା ପାଭଲୋଭନା ଆପଣଙ୍କୁ କୃତଜ୍ଞତା କହି ପଠାଇଛନ୍ତି, ହିଁ ସେମାନେ ଆସିବେ । ଆପଣଙ୍କର ନିମନ୍ତ୍ରଣ ପାଇଛନ୍ତି ବୋଲି ସେମାନେ ଅତ୍ୟନ୍ତ ଖୁସି ହୋଇଛନ୍ତି ।” —କନ୍‌ଷ୍ଟାଣ୍ଟିନ୍ ଡାୟୋମିଡ଼ିନ୍ ସୌଜନ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ଆଡ଼କୁ ଆଖିକୁ ବୁଲାଇ ମୁଣ୍ଡ ନୁଆଁଇ ଅଭିବାଦନ ଜଣାଇଥିଲେ । ତିନିକୋଣିଆ ବାଗରେ କଟା ହୋଇଥିବା ନଖଗୁଡ଼ିକ ରହିଥିବା ଗୋଲଗାଲିଆ ନିଜ ହାତଟିକୁ ସିଏ ସେତେବେଳେ କେଡ଼େ ଯତ୍ନ ସହକାରେ ପ୍ରସାଧନ କରାଯାଇଥିବା, ନିଜର ମୁଣ୍ଡ ବାଳ ଭିତରେ ବୁଲାଇ ବୁଲାଇ ଆଣୁଥାନ୍ତି ।

 

“ଏବଂ ଭୋଲିଣ୍ଟସେଭ୍ ମଧ୍ୟ ଆସିବେ ?”

 

“ହଁ ।”

 

“ଅର୍ଥାତ୍, ତୁମ କଥାଟି ଅନୁସାରେ, ଯେତେ ତରୁଣୀ ମହିଳା, ସେମାନେ ସମସ୍ତେ ଆସିବେ ବୋଲି ହିଁ କହିଛନ୍ତି ।” —ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଆଫ୍ରିକାନ୍ ସେମେନିଚ୍‌ଙ୍କୁ ଲକ୍ଷ୍ୟ କରି ଏହି ମନ୍ତବ୍ୟଟିକୁ ଦେଇଥିଲେ ।

 

କଥାଟିକୁ ଶୁଣି ପିଗସୋଭ୍‌ଙ୍କର ଅଧରଦେଶଟା କ’ଣ ପାଇଁ ସତେଅବା କିଞ୍ଚିତ୍ ପରିମାଣରେ ଥରି ଉଠିଥିଲା ଏବଂ ସିଏ ହଠାତ୍ ଘାବରେଇ ଯାଇଥିବା ପରି ନିଜର କହୁଣୀଟାକୁ ଶିହରାଇ ବି ଉଠାଇଥିଲେ ।

 

ସତେଅବା ଖୁବ୍ ମାପି ଚୁପି ଉଚ୍ଚାରିତ ହେଉଥିବା କଣ୍ଠରେ ସିଏ କହିବାକୁ ଆରମ୍ଭ କଲେ, —ଯେତେବେଳ ଅତୀବ ଉତ୍ତେଜିତ ରହିବାର ଏକ ମୁଦ୍ରାରେ ସିଏ ଅବସ୍ଥାନ କରୁଥାନ୍ତି, ସେତେବେଳେ ପ୍ରାୟ ନିୟମତଃ ଆପଣାର କଥାମାନଙ୍କୁ ଅତ୍ୟନ୍ତ ଧୀର ଭାବରେ ତଥା ପୂର୍ଣ୍ଣ ଅନୁପାତ ରକ୍ଷା କରି ହିଁ କହନ୍ତି, —‘‘ହଁ, ମୁଁ ସର୍ବଦା ନିତାନ୍ତ ସାଧାରଣ ଅର୍ଥରେ ହିଁ ‘ମହିଳାମାନେ’ ବୋଲି କହେ । ଅର୍ଥାତ୍ ବର୍ତ୍ତମାନ ଯେଉଁ ତରୁଣୀମାନେ ଏଠରେ ଏକତ୍ରିତ ହେଉଛନ୍ତି, ଖାସ୍ ସେମାନଙ୍କ ବିଷୟରେ ଆଦୌ କହେ ନାହିଁ ।”

 

“ମାତ୍ର, ସେଥିପାଇଁ କ’ଣ ତୁମେ ସେମାନଙ୍କର କଥା ମଧ୍ୟ ଭାବ ନାହିଁ ?” —ଦରିଆ ମିହାଇଲୋଭ୍‌ନା କଥାଟିର ଜବାବ ଦେଇଥିଲେ ।

 

“ନାଇଁ-ନାଇଁ—ମୁଁ ସେମାନଙ୍କ ବିଷୟରେ ଆଦୌ କିଛି କହେ ନାହିଁ,” —ପିଗାସୋଭ୍ ତଥାପି କହିଲେ । “ସାଧାରଣତଃ ତରୁଣୀ ମହିଳା ମାତ୍ରେ ସମସ୍ତେ ନିଜ ନିଜର ଅନୁଭବ ଗୁଡ଼ିକ ବ୍ୟକ୍ତ କରୁଥିବା ସମୟରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଆନ୍ତି । କୌଣସି ତରୁଣୀଙ୍କର ମନରେ ଯଦି କୌଣସି କାରଣରୁ କୌଣସି କଥା ଲାଗି ଏକ ଭୟ ରହିଥାଏ, ଅଥବା ଯଦି କିଛି ତାଙ୍କୁ ଅତ୍ୟନ୍ତ ଭଲ ବି ଲାଗୁଥାଏ କିମ୍ବା ଯଦି ସେ କୌଣସି କାରଣରୁ ବ୍ୟଥିତ ଅନୁଭବ କରୁଥାଆନ୍ତି, ତେବେ ସିଏ ସମ୍ପୂର୍ଣ୍ଣ ସୁନିଶ୍ଚିତ ଭାବରେ ଏହିଭଳି ଏକ ଲାଳିତ୍ୟପୂର୍ଣ୍ଣ ଅଙ୍ଗାମୁଦ୍ରା ମଧ୍ୟ ପ୍ରଦର୍ଶନ କରନ୍ତି ।” (ଏବଂ ପିଗାସୋଭ୍ ସତେଅବା ସେହି କଥାଟିର ଏକ ପ୍ରତ୍ୟକ୍ଷ ଚିତ୍ର ଦେଇପାରିବାର ଅଭିପ୍ରାୟରେ ନିଜର ଶରୀରଟି ଉପରେ ମଧ୍ୟ ଏକ ଅସ୍ଵାଭାବିକ ଭଙ୍ଗୀ ଉକୁଟାଇ ଆଣିଥିଲେ ଓ ଆପଣାର ହାତ ଦୁଇଟିକୁ ପ୍ରସାରିତ କରି ଦେଇଥିଲେ) ଏବଂ ତା’ପରେ ହଠାତ୍ ଚିତ୍କାର କରି ଉଠନ୍ତି, —“ହଁ ଅଥବା ହସନ୍ତି କିମ୍ବା କାନ୍ଦି ଉଠନ୍ତି । ଏବଂ ଥରେ ଅବଶ୍ୟ, ମୁଁ ଏହି କ୍ଷେତ୍ରରେ ବେଶ୍ ଏହା ସଫଳତା ମଧ୍ୟ ଲାଭ କରିଥିଲି (ସତେଅବା କୌଣସି ଆତ୍ମପ୍ରସାଦ ଲାଭ କରି ସେତେବେଳେ ପିଗାସୋଭ୍ ମୁରୁକି ମୁରୁକି ହସୁଥିଲେ)—ଜଣେ ସେହି ସ୍ଥତିରେ ନିଜର ଭାବପ୍ରବଣତାଗୁଡ଼ିକୁ ନିର୍ଭୁଲ ଭାବରେ ବ୍ୟକ୍ତ କରିପାରୁଥିବା ତରୁଣୀଙ୍କର ଅନୁଭବ ଇତ୍ୟାଦିର ନିର୍ଭୁଲ ନକଲଟିଏ ଅବଶ୍ୟ କରିଥିଲି, କିନ୍ତୁ ତାହା କରିପାରିଥିଲେ ମଧ୍ୟ ତଦ୍ଦ୍ଵାରା ସ୍ଵୟଂ ମୋଟେ ଭାବପ୍ରବଣ ହୋଇ ପଡ଼ିନଥିଲି-।”

 

“ତୁମେ କିପରି ସେକଥା କରିପାରିଲ ?”

 

ପିଗାସୋଭ୍‌ଙ୍କର ଆଖିମାନେ ଉଜ୍ଜ୍ଵଳ ହୋଇ ଉଠିଥିଲେ, ଏକାବେଳେକେ କୌଣସି ଏକ ତାରାପରି ଚକ୍ ଚକ୍ ହୋଇ । ସେହି ତରୁଣୀଙ୍କୁ ଗୋଟିଏ ମୋଟା କାଠ ଡାଙ୍ଗରେ ମାରି ପଛରୁ କେଞ୍ଚିଦେଲା ପରି ଛୁଇଁ ଦେଇଥିଲି ଏବଂ ସିଏ ଚିତ୍କାର ବି କରି ଉଠିଥିଲେ । ସେଉଠୁ ମୁଁ ତାଙ୍କୁ କହିଥିଲି, “ସାବାସ, ପୂରା ସାବାସ, ଆପଣ ନିଜର ସ୍ଵାଭାବିକ କଣ୍ଠସ୍ଵରଟିକୁ ହିଁ ବ୍ୟକ୍ତ କରିପାରିଲେ–ପ୍ରକୃତରେ ଏକ ପ୍ରକୃତ ଚିତ୍କାରର ଦୃଷ୍ଟାନ୍ତ ଦେଖାଇଛନ୍ତି । ଭବିଷ୍ୟତରେ ଆପଣ ସବୁବେଳେ ଠିକ୍ ସେହିପରି ହିଁ କରିବେ ।”

 

ପୂରା ପ୍ରକୋଷ୍ଠଟିରେ ଉପସ୍ଥିତ ସମସ୍ତେ ଏକାସାଙ୍ଗେ ହସି ଉଠିଥିଲେ ।

 

ସେଇଠି ବ୍ୟାଘାତଟିଏ ଆଣି ଶ୍ରୀମତୀ ଦରିଆ କହି ଉଠିଲେ, “ଆଫ୍ରିକାର ସେମେନିଚ୍, ତୁମେ ପ୍ରକୃତରେ କେଡ଼େ ନିର୍ବୋଧ ଓ ନିରର୍ଥକ କଥାଟାଏ ନକହୁଛ ! କେବେ କେବେ ମଧ୍ୟ ବିଶ୍ଵାସ କରିବି ଯେ ତୁମେ ଜଣେ ବାଳିକାର ଦେହକୁ ପଛଆଡ଼ୁ ଗୋଟିଏ କାଠଡାଙ୍ଗ ଦେଇ ଭୁଷି ଦେଇ ପାରିବ ?”

 

“ହଁ, ହଁ ଗୋଟିଏ ଡାଙ୍ଗ ଦ୍ଵାରା । ବଡ଼ ଓ ମୋଟା ଡାଙ୍ଗ ସାହାଯ୍ୟରେ ଆମର ଦେଶର ଦୁର୍ଗଗୁଡ଼ିକୁ ରକ୍ଷା ଦେବାରେ ଯେଉଁ ମୋଟା ମୋଟା କାଠର ଲାଠି ବ୍ୟବହାର ହୋଇଥାଏ, ପ୍ରାୟ ସେହିପରି କିଛି ପଦାର୍ଥ ଦ୍ଵାରା ।

 

ଏକଥା ଶୁଣି କୁମାରୀ ବନକୋର୍ଟ୍‍ ଅତ୍ୟନ୍ତ ରୋଷ ବ୍ୟକ୍ତ କଲେ । ପ୍ରାୟ ଏକ କୋପଯୁକ୍ତ ଚାହାଣିରେ ସିଏ ବାଳକ ଦୁହିଁଙ୍କ ଆଡ଼କୁ ଅନାଇଲେ, ଯେଉଁମାନେ ଆଗରେ କଥାଟିକୁ ଶୁଣି ବେଶ୍ କିରିକିରି ହୋଇ ହସୁଥିଲେ ।

 

“ନାଇଁ, ନାହିଁ, —ତାଙ୍କ କଥାରେ ତୁମେ ଜମା ବିଶ୍ଵାସ କରିବ ନାହିଁ, —ତୁମେ ତ ତାଙ୍କୁ ଅବଶ୍ୟ ଭଲକରି ହିଁ ଜାଣିଥିବ !” —ଦରିଆ ମିହାଇଲୋଭ୍‌ନା ଏକ ମନ୍ତବ୍ୟ ଦେଇଥିଲେ ।

 

ତଥାପି, ସେହି ଫରାସୀ ତରୁଣୀ ମହିଳା ସେତେବେଳକୁ ଏତେ ଅଧିକ ଅପମାନିତ ବୋଧ କରୁଥିଲେ ଯେ, ପୁନର୍ବାର ଶାନ୍ତ ହେବାକୁ ତାଙ୍କୁ ବେଶ୍ ବହୁତ ସମୟ ହିଁ ଲାଗିଥିଲା । ସିଏ ବହୁ ସମୟ ପର୍ଯ୍ୟନ୍ତ ନିଜ ଭିତରେ କ’ଣ ଗୁଡ଼ୁ ଗୁଡ଼ୁ ହେବାରେ ଲାଗିଥିଲେ ।

 

ବେଶ୍ ଶୀତଳ ଭାବରେ ପିଗାସୋଭ୍ ତା’ପରେ କହିଲେ, “ମୋ’ କଥାରେ ବିଶ୍ଵାସ କରିବାକୁ ଆପଣ ଆଦୌ ବାଧ୍ୟ ନୁହନ୍ତି । ମୁଁ ତେବେ ବି କହିବି ଯେ ମୁଁ ସମ୍ପୂର୍ଣ୍ଣ ଭାବରେ ସତ ଘଟଣାଟିଏ ହିଁ ଆପଣମାନଙ୍କୁ କହିଛି ଏବଂ ମୋତେ ଛାଡ଼ିଦେଲେ ଘଟଣାଟି ଆଉ କାହାକୁ କିପରି ଜଣାଥିବ ? ଏବଂ ଏହାପରେ ଆପଣ ମୋ’ର ଏହି ଅନ୍ୟ କଥାଟିରେ ମଧ୍ୟ ବିଶ୍ଵାସ ଯିବେ ନାହିଁ ଯେ ଆମେ ପଡ଼ିଶାର ଜଣେ ମହିଳା, କୁମାରୀ ଚେପୁଜ୍—ଏଡ଼େନା ଆଣ୍ଟୋନୋଭ୍‌ନା ସ୍ଵୟଂ ମୋତେ ଥରେ କହିଛନ୍ତି ଯେ, ସିଏ ମଧ୍ୟ ନିଜର ପୁତୁରାକୁ ନିଜ ହାତରେ ହତ୍ୟା କରିଛନ୍ତି ।”

 

“କଥାଟିକୁ କି ଚତ୍ମକାର ଭାବରେ ଭାବରେ ଫନ୍ଦା ନଯାଇଥିବ !”

 

“ଟିକିଏ ରହିଥା, ହିଁ ଟିକିଏ ରହ ! ଆପଣମାନେ ଶୁଣନ୍ତୁ ଏବଂ ନିଜେ ବିଚାର କରନ୍ତୁ । ମୋଟେ ସନ୍ଦେହ କରନ୍ତୁ ନାହିଁ ଯେ ମୁଁ ତଙ୍କର କୌଣସି ବଦନାମ କରିବା ପାଇଁ ଇଚ୍ଛା କରୁଛି । କାରଣ, ଜଣେ ମହିଳାଙ୍କୁ ଯେପରି ଭଲ ପାଇବା କଥା, ମୁଁ ତାଙ୍କୁ ସେହିପରି ହିଁ ଅବଶ୍ୟ ଭଲ ପାଏ-। ହଁ, କେବଳ ଗୋଟିଏ କ୍ୟାଲେଣ୍ଡର ଛଡ଼ା ତାଙ୍କ ଘରେ କୌଣସି ଗୋଟିଏ ହେଲେ ଅନ୍ୟ ବହି ନାହିଁ । ପୁଣି, ବଡ଼ ପାଟିରେ ନ ପଢ଼ିଲେ ସେ କୌଣସି ବହିକୁ ମୋଟେ ପଢ଼ି ପାରନ୍ତି ନାହିଁ ଏବଂ ସେତେବେଳେ ମଧ୍ୟ ଏଡ଼େ ହାଲିଆ ହୋଇପଡ଼ନ୍ତି ଯେ ତାଙ୍କ ଦେହରୁ ଗମ୍ ଗମ୍ ଝାଳ ବୋହିବା ଆରମ୍ଭ ହୋଇଯାଏ .....ଏବଂ ତାଙ୍କ ଆଖିମାନେ ସେତେବେଳେ ମୁଣ୍ଡ ଭିତରୁ ବାହାରକୁ ବାହାରି ଆସିବା ଭଳି ତାଙ୍କୁ ଅନୁଭବ ହୁଏ ବୋଲି ସେ ଅଭିଯୋଗ କରିଥାନ୍ତି । ......ସଂକ୍ଷେପରେ କହିଲେ, ତାଙ୍କ ସଦୃଶ ଜଣେ ଦ୍ଵିତୀୟ ମହିଳା ଗୋଟା ପୃଥିବୀରେ ମଧ୍ୟ କେଉଁଠି ଦେଖିବାକୁ ମିଳିବ ନାହିଁ । ଏବଂ ତାଙ୍କର ପରିଚାରିକାମାନେ ମଧ୍ୟ ଖାଲି ନିଜର ଚର୍ବି ବୃଦ୍ଧି କରିବାରେ ଲାଗିଥାନ୍ତି । ହଁ, ମୁଁ କ’ଣ ପାଇଁ ବା ସେହି ମହିଳାଙ୍କର କୁତ୍ସା କରିବାକୁ ମନ କରିବି ?”

 

ସେତିକିବେଳେ ଶ୍ରୀମତୀ ଦରିଆ ମନ୍ତବ୍ୟଟାଏ ଦେଇ ବି କହିଲେ, “ବାସ୍‍ ବର୍ତ୍ତମାନ ଆଫ୍ରିକାନ୍ ସେମେନିଚ୍‌ଙ୍କୁ ସତେଅବା ତାଙ୍କର ମନଲାଖି ପ୍ରିୟ କଥାବସ୍ତୁଟିଏ ମିଳିଗଲା । ବର୍ତ୍ତମାନ ତ ରାତି ପାହି ସକାଳ ହୋଇଯିବ ପଛକେ, ତଥାପି ତାଙ୍କର ଯୋଶ୍ କମିବ ନାହିଁ ।”

 

“ମୋ’ର ପ୍ରିୟ ଏକ ବସ୍ତୁ ବିଷୟରେ ଆପଣ କହୁଛନ୍ତି; କିନ୍ତୁ ନାରୀମାନଙ୍କର ତ ଏହି କ୍ଷେତ୍ରରେ ଅନ୍ତତଃ ତିନୋଟି ମାହାଲ ରହିଥାଏ । ସେମାନେ ସେହି ତିନୋଟିକୁ କେବେ ମଧ୍ୟ ଛାଡ଼ି ପାରନ୍ତି ନାହିଁ । ହଁ, କେବଳ ସେମାନେ ଶୋଇଥିବା ସମୟରେ ସେଥିରେ କାହା ଏକ ବ୍ୟତିକ୍ରମ ଘଟିଥାଏ !”

 

“କ’ଣ ସବୁ ସେହି ତିନୋଟିଯାକ ବିଶେଷ ପ୍ରସଙ୍ଗମାନ ।”

 

“କାହାର ନିନ୍ଦା ଗାନ କରିବା, କୁତ୍ସା ରଟନା କରିବା ଏବଂ କାହା ଉପରେ ଦେଷମାନ ଢାଳିଦେବା ।”

 

ଶ୍ରୀମତୀ ମିହାଇଲୋଭ୍‌ନା ପୁଣି କହିଥିଲେ’ “ଆପଣ ଜାଣନ୍ତି ତ, ଶ୍ରୀମାନ୍ ଆଫ୍ରିକାନ୍ ସେମେନିଚ୍, କୌଣସି କାରଣ ନଥାଇ ଆପଣ ନାରୀମାନଙ୍କ ସମ୍ବନ୍ଧରେ କଦାପି ଏତେ କଟୁତାପୂର୍ଣ୍ଣ ଅଭିଯୋଗମାନ ଆଣିପାରିବେ ନାହିଁ । କେତେ ନାରୀ ବା କେହିଜଣେ ନାରୀ ହୁଏତ ଵ ଆପଣଙ୍କ ଜୀବନରେ.....”

 

“କ୍ଷତି ପହୁଞ୍ଚାଇଛନ୍ତି ଓ ମୋତେ ଆଘାତ ଦେଇଛନ୍ତି ବୋଲି ଆପଣ କହିବାକୁ ଇଚ୍ଛା କରୁଛନ୍ତି ତ !” —ପିଗାସୋଭ୍ କଥାର ମଝିଟାରେ ହିଁ କହି ପକାଇଥିଲେ ।

 

ଶ୍ରୀମତୀ ଦରିଆ ସେତେବେଳେ ବେଶ୍ କିଞ୍ଚିତ୍ ଅପ୍ରସ୍ତୁତ ହୋଇଯାଇଥିଲେ । ନିଜ ବୈବାହିକ ଜୀବନରେ ପିଗାସୋଭ୍ ସମ୍ମୁଖୀନ ହୋଇଥିବା ଦୁର୍ଭାଗ୍ୟର ଘଟଣାଟି ତାଙ୍କର ମନେ ପଡ଼ିଯାଇଥିଲା । ତେଣୁ, କୌଣସି କଥା ନକହି ସିଏ କେବଳ ମୁଣ୍ଡଟିକୁ ହଲାଇ ଦେଲେ ।

 

ପିଗାସୋଭ୍ କହିଲେ, ହଁ, ଜଣେ ନାରୀ ମୋତେ ଅବଶ୍ୟ ଆଘାତଟିଏ ଦେଇଛନ୍ତି । କିନ୍ତୁ ସିଏ ଜଣେ ଖୁବ୍ ଉତ୍ତମ ବ୍ୟକ୍ତି ଥିଲେ—, ଅତ୍ୟନ୍ତ ଉତ୍ତମ ବ୍ୟକ୍ତି ।”

 

“କିଏ ?”

 

ଆପଣାର କଣ୍ଠର ସ୍ଵରକୁ ନିମ୍ନ କରି ଆଣି ପିଗାସୋଭ୍ ଉତ୍ତମ ଦେଇଥିଲେ “ମୋ’ ମାଆ !”

 

“ଆପଣଙ୍କର ମାଆ, ସିଏ ପୁଣି ଆପଣଙ୍କୁ କିପରି ଏଡ଼େ ବଡ଼ ଆଘାତଟିଏ ଦେଲେ ?”

 

“ହଁ, ସିଏ ମତେ ଜନ୍ମ ଦେଇଥିଲେ !”

 

ଦରିଆ ମିହାଇଲୋଭ୍‌ନାଙ୍କ ଚକ୍ଷୁଉପରେ ଏକ ଭ୍ରୂକୁଟିର ଭାବ ପ୍ରକଟ ହୋଇ ଆସୁଥିଲା-

 

ସିଏ ପୁଣି କହିଲେ, “ଆମେ କଥୋପକଥନଟି କ୍ରମେ ଗୋଟିଏ ବିଷାଦପୂର୍ଣ୍ଣ ଦିଗକୁ ହିଁ ଗତି କରିବାକୁ ଆରମ୍ଭ କଲାଣି । ଶ୍ରୀ କନ୍‌ଷ୍ଟାଣ୍ଟିନ୍, ତୁମେ ଆସ, ଶ୍ରୀଯୁକ୍ତ ଥାଲବେଆର୍ଗଙ୍କର ସେହି ନୂତନ ସଙ୍ଗୀତ ରଚନାଟିକୁ ଆମକୁ ବଜାଇ ବର୍ତ୍ତମାନ ଶୁଣାଅ । ସେଇଟି ଶୁଣିବାକୁ ଆରମ୍ଭ କଲେ ଶ୍ରୀ ସେମେନିଜ୍‍ ପୁନର୍ବାର ଶାନ୍ତ ହୋଇ ଆସିବେ । ପ୍ରାଚୀନ ଗ୍ରୀସଦେଶର ଅର୍‌ଫିଉସ୍ ତ ବନ୍ୟଜନ୍ତୁ ମାନଙ୍କୁ ମଧ୍ୟ ଶାନ୍ତ କରିଦେଇ ପାରୁଥିଲେ ।”

 

ଏହାପରେ କନ୍‌ଷ୍ଟାଣ୍ଟିନ୍ ଡାୟୋମିଡ଼ିଚ୍ ଯାଇ ପିଆନୋ ନିକଟରେ ଉପବିଷ୍ଟ ହେଲେ ଏବଂ ରଚନାଟିକୁ ବେଶ୍ ଅତ୍ୟୁତ୍ତମ ଭାବରେ ବଜାଇଥିଲେ । ଶ୍ରୀମତୀ ନାତାଲିଆ ଅଲେକ୍ସିଏଭ୍‌ନା ପ୍ରଥମେ ଚମତ୍କାର ମନୋଯୋଗ ସହିତ ବେଶ୍ ଶୁଣୁ ଥିଲେ, ମାତ୍ର ତା’ପରେ ପୁଣି ଆପଣାର କାର୍ଯ୍ୟଟିରେ ହିଁ ମନ ଦେଲେ ।

 

ଶ୍ରୀମଦୀ ଦରିଆ ପରମ ହରଷିତ ହୋଇ ତତ୍‌କ୍ଷଣାତ୍ ଏଡ଼େ ପାଟିରେ କହି ଉଠିଥିଲେ “ବହୁତ ଧନ୍ୟବାଦ, ପ୍ରକୃତରେ ବହୁତ ବହୁତ । ଆଲବେଆର୍ଗ୍‍ଙ୍କର ସକଳ ରଚନା ହିଁ ମୋତେ ଖୁବ୍ ଭଲ ଲାଗେ । ପ୍ରକୃତରେ ସମ୍ପୂର୍ଣ୍ଣ ଅନନ୍ୟ । ଏଇଟି ବିଷୟରେ ଆପଣଙ୍କର ମତ, ଶ୍ରୀଯୁକ୍ତ ଆଫ୍ରିକାନ୍ ସେମେନିଚ୍ ?”

 

ଉତ୍ତରଟିଏ ଦେଇ ଶ୍ରୀ ସେମେନିଚ୍ ଆସ୍ତେ ଆସ୍ତେ କହିଥିଲେ, “ମୋର ଧାରଣ ରହିଥିଲା ଯେ ଏହି ପୃଥିବୀରେ ତିନି କିସମର ଅହଂବାଦୀ ଅଛନ୍ତି; ପ୍ରଥମ ପ୍ରକାରର ଅହଂବାଦୀ, ନିଜେ ବଞ୍ଚନ୍ତି ଓ ଅନ୍ୟମାନଙ୍କୁ ବଞ୍ଚିବାକୁ ଦିଅନ୍ତି, ଦ୍ୱିତୀୟରେ ଆଉ ପ୍ରକାରର ଅହଂବାଦୀ, ଯେଉଁମାନେ କି ଆପେ ବଞ୍ଚୁଥାଆନ୍ତି, ଏବଂ ଅନ୍ୟମାନଙ୍କୁ ବଞ୍ଚିବା ନିମନ୍ତେ ବାଟ ଛାଡ଼ନ୍ତି ନାହିଁ ଏବଂ ତୃତୀୟ ପ୍ରକାରର ଅହଂବାଦୀ ହେଉଛନ୍ତି, ଯେଉଁମାନେ ନିଜେ ବଞ୍ଚନ୍ତି ନାହିଁ ଅନ୍ୟମାନଙ୍କୁ ମଧ୍ୟ ବଞ୍ଚିବା ଲାଗି ବାଟ ଛାଡ଼ୁ ନଥାନ୍ତି । ଅଧିକାଂଶତଃ ନାରୀମାନେ ହିଁ ଏହି ତୃତୀୟ କିସମର ବୋଲି କୁହାଯିବ ।”

 

“ଆପଣା ଖୁବ୍ ଭଦ୍ରତା ରକ୍ଷା କରି ଏକଥା କହୁଛନ୍ତି । ଶ୍ରୀ ଆଫ୍ରିକାନ୍ ସେମେନିଚ୍ ମୋତେ ଗୋଟିଏ କଥା ଅତ୍ୟନ୍ତ ଆଚମ୍ବିତ ଲାଗୁଛି ଯେ, ଆପଣ ଯେତେବଳେ ଯାହା କହିବେ ବ କରିବେ, ସେଥିରେ ଭୁଲ ବୋଲି ମୋଟେ କିଛି ହିଁ ନଥିବ, —ଏହି କଥାଟି ବିଷୟରେ ଆପଣଙ୍କର ସର୍ବଦା ଏକ ଅଦମ୍ୟ ବିଶ୍ଵାସ ସର୍ବଦା ରହିଆସିଛି ।”

 

“କିଏ କହିଲା ? ମୁଁ ମଧ୍ୟ ଭୁଲ୍ କରୁଛି । ଯେକୌଣସି ମନୁଷ୍ୟ, ସେ ଯିଏ ବି ହୋଇଥାଉ ପଛକେ, ଭୁଲ କରିବ ହିଁ କରିବ । ମାତ୍ର, ଜଣେ ପୁରୁଷର ଭୁଲ୍ କରିବା ଏବଂ ଜଣେ ନାରୀର ଭୁଲ୍ କରିବା ମଧ୍ୟରେ ସର୍ବଦା ଯେଉଁ ପାର୍ଥକ୍ୟ ରହିଥାଏ, ସେକଥା ଆପଣ ଜାଣିଛନ୍ତି କି ? ଜାଣି ନାହାନ୍ତି ? ତେବେ ଶୁଣନ୍ତୁ, ଉଦାହରଣ ସ୍ୱରୂପ, ଜଣେ ପୁରୁଷ ହୁଏତ କହିବ, ଦୁଇ ଆଉ ଦୁଇ ଗୁଣିଲେ ଚାରି ନୁହେଁ, ନିଶ୍ଚୟ ପାଞ୍ଚ ହିଁ ହେବ ଅଥବା ସାଢ଼େ ତିନି ମଧ୍ୟ ହୋଇପାରିବ, ମାତ୍ର, ଜଣେ ନାରୀ ଅନ୍ୟ ପକ୍ଷରେ ହୁଏତ କହିବ ଯେ, ଦୁଇର ଦୁଇ ଗୁଣରେ ଗୋଟିଏ ମହମବତୀ ତିଆରି ହୋଇଯିବ ।

 

“ମୋର ମନେ ହେଉଛି, ଆପଣ ଏକଥାଟିକୁ ବି କହିଥିବାର ମୁଁ ଆଗରୁ ଶୁଣିଛି । କିନ୍ତୁ, ମୁଁ ବର୍ତ୍ତମାନ ଆପଣଙ୍କୁ ପଚାରୁଛି, ତିନି ପ୍ରକାରର ଅହଂବାଦ ବିଷୟରେ ଆପଣ ଯାହା ଧାରଣା କରନ୍ତି, ଏବେ ଆପଣ ଶୁଣିଥିବା ସଙ୍ଗୀତ ରଚନାଟିର ତାହା ସହିତ ପୁଣି କି ସମ୍ପର୍କ ରହିଛି ?”

 

“ଆଦୌ ସମ୍ପର୍କ ନାହିଁ । କିନ୍ତୁ, ମୁଁ ସେହି ସଙ୍ଗୀତ-ସ୍ଵରବନ୍ଧଟିକୁ ମଧ୍ୟ ଶୁଣୁ ନଥିଲି ।”

 

“ହଁ, ଆପଣଙ୍କୁ ପ୍ରକୃତରେ ଆଦୌ ପାରି ହେବ ନାହିଁ । ବାସ୍ ସେତିକି ହେଉଛି ଆପଣଙ୍କ ସମ୍ବନ୍ଧରେ କୁହାଯାଇ ପାରିବା ଭଳି ସମୁଦାୟ କଥାଟି ।” —ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା କହିଥିଲେ, “ତେବେ, ଯଦି ସଙ୍ଗୀତ ଭଲ ଲାଗେ ନାହିଁ, ତେବେ ଆଉ କ’ଣ ଭଲ ଲାଗେ ? ସାହିତ୍ୟ ?”

 

“ହଁ, ମୋତେ ସାହିତ୍ୟ ଭଲ ଲାଗେ—କିନ୍ତୁ ଆମ ବର୍ତ୍ତମାନ କାଳର ସାହିତ୍ୟ ଭଲ ଲାଗେନାହିଁ ।”

 

“କାରଣ ?”

 

“କାରଣ ? ତେବେ ଶୁଣନ୍ତୁ । ଏବେ ଅଳ୍ପଦିନ ତଳେ ମୁଁ ଜଣେ ଭଦ୍ରଲୋକଙ୍କ ସହିତ ନଉକାରେ ବସି ଜଳଭାଗଟିଏ ପାରି ହେଉଥିଲି ଗୋଟିଏ ଅଣଓସାରିଆ ଜାଗାରେ ନଉକାଟି ଅଟକି ଯାଇଥିଲେ । ତେଣୁ, ଲୋକମାନଙ୍କୁ ଡବାଗୁଡ଼ିକୁ ହାତରେ ଗୁଣି କୂଳରେ ଆଣି ଲଗାଇବାକୁ ହେଲା । ଉକ୍ତ ଭଦ୍ରଲୋକ ଜଣକ ଗୋଟିଏ ଅତ୍ୟନ୍ତ ଭାରି ଡବାରେ ବସିଥିଲେ । ନାଉରୀମାନେ ଖୁବ୍ କଷ୍ଟରେ ହିଁ ଡବାଟିକୁ ଟାଣି ଟାଣି କୂଳଯାଏ ଆଣି ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ । ବିଚରା ଭଦ୍ରଲୋକ ଜଣକ ଯେଉଁଠି ସେଇଠି ବସି ଖାଲି ଆର୍ତ୍ତନାଦ କରୁଥାଆନ୍ତି । ସେତେବେଳେ ତାଙ୍କ ଆଡ଼କୁ ଅନାଇ ବେଶ୍ ଦୟା ମଧ୍ୟ ଜାତ ହେଉଥାଏ । .......ହଁ, ସେତେବେଳେ ମୁଁ ଏହିପରି ବ୍ୟକ୍ତି ଅନୁସାରେ ଶ୍ରମବଭାଜନର ସେହି ନୂତନ ଦୃଷ୍ଟାନ୍ତଟି ବିଷୟରେ ହିଁ ଚିନ୍ତା କରୁଥିଲି । ଆମ ଆଧୁନିକ ସାହିତ୍ୟ ହେଉଛି ଅବିକଳ ସେହିପରି । ଅନ୍ୟ ମନୁଷ୍ୟମାନେ କାର୍ଯ୍ୟଗୁଡ଼ିକୁ କରନ୍ତି ଏବଂ ଏହି ସାହିତ୍ୟ ଆର୍ତ୍ତନାଦ କରିବାରେ ଲାଗିଥାଏ ।”

 

ଦରିଆ ମିହାଇଲୋଭ୍‌ନା ଈଷତ୍‍ ହସିଲେ ।

 

“ଏବଂ ଏବେ ସାମ୍ପ୍ରତିକ ଜୀବନକୁ ସାହିତ୍ୟର ମାଧ୍ୟମରେ ଅଭିବ୍ୟକ୍ତ କରିବା କହିଲେ ତାହାକୁ ହିଁ ବୁଝାଉଛି ।” ଆଦୌ ରୁକି ନଯାଇ ଶ୍ରୀଯୁକ୍ତ ପିଗାସୋଭ୍ ତା’ପରେ କହିଲେ, “ସାମାଜିକ ପ୍ରଶ୍ନଟି ବିଷୟରେ ଗଭୀର ସହାନୁଭୂତି ବ୍ୟକ୍ତ କରିବା : ସତରେ ମୁଁ ସେହି ବାହାଦୁରିଆ ଶବ୍ଦମାନଙ୍କୁ କେତେ ଘୃଣା ନକରେ ।”

 

“କିନ୍ତୁ, —ଯେଉଁ ନାରୀମାନଙ୍କୁ ଲକ୍ଷ୍ୟ କରି ଆପଣ ଏପରି ଆକ୍ରମଣାତ୍ମକ ଭାବରେ କାଥାମାନ କହୁଛନ୍ତି, ଅନ୍ତତଃ ସେମାନେ ତ କେବେହେଲେ ବାହାଦୁରିଆ ଶବ୍ଦ ପ୍ରୟୋଗ କରି କିଛି କହନ୍ତି ନାହିଁ !”

 

ଶ୍ରୀ ପିଗାସୋଭ୍ ନିଜର କାନ୍ଧ ଦୁଇଟିରେ କ’ଣ ଏକ କମ୍ପନ ସୃଷ୍ଟି କରିଥିଲେ ।

 

“ସେମାନେ ସେଗୁଡ଼ିକୁ ପ୍ରୟୋଗ କରନ୍ତି ନାହିଁ, କାରଣ ସେଗୁଡ଼ିକୁ ବୁଝନ୍ତି ବି ନାହିଁ ।”

 

ଦରିଆ ମିହାଇଲୋଭ୍‌ନାଙ୍କର ଗାଲଦୁଇଟି କିଞ୍ଚିତ୍ ଲାଲ୍ ହୋଇଯାଇଥିଲା ।

 

“ବର୍ତ୍ତମାନ ଆପଣ କିନ୍ତୁ ବେଶ୍ ଅଶାଳୀନ ହୋଇଯାଉଛନ୍ତି—ଆଫ୍ରିକାନ୍ ସେମେନିଚ୍-।” —ସିଏ ସତେ ଯେପରି ବାଧ୍ୟ ହେଲାପରି ଈଷତ୍‍ ହସଟିଏ ହସି ମନ୍ତବ୍ୟ ଦେଲେ ।

 

ପ୍ରକୋଷ୍ଠଟିରେ ଏକ ସମ୍ପୂର୍ଣ୍ଣ ନୀରବତା ବିରାଜମାନ କରିବାକୁ ଲାଗିଲା ।

 

ଦରିଆଙ୍କର ଗୋଟିଏ ପୁଅ ହଠାତ୍ ବାସିଷ୍ଟୋଫ୍‌ଙ୍କୁ ପଚାରିଥିଲା, “ଜୋଲୋତୋନୋଶା କେଉଁଠାରେ ଅବସ୍ଥିତ ?”

 

ଶ୍ରୀଯୁକ୍ତ ପିଗାସୋଭ୍ ଉତ୍ତର ଦେଇ କହିଲେ, “ବାବୁରେ, ସେହି ସ୍ଥାନଟି ପୋଲ୍‌ଟଭା ପ୍ରଦେଶରେ । ସାନ ଋଷିଆର ମଧ୍ୟଭାଗୀୟ ଅଞ୍ଚଳରେ ।” (ଯାହା ହେଉ, ଏପରି ଘଟିବ ଦ୍ଵାରା କଥାବାର୍ତ୍ତାର ସ୍ରୋତଟିକୁ ବଦଳାଇ ପାରିବାର ସୁଯୋଗ ମିଳି ଯାଇଥିଲା ବୋଲି ପିଗାସୋଭ୍ ବେଶ୍ ଖୁସି ମଧ୍ୟ ହେଉଥିଲେ ।) ଏବଂ ତା’ପରେ କହିଲେ “ଆମେ ସାହିତ୍ୟ ବିଷୟରେ କଥା ହେଉଥିଲେ ନା । ମୋ’ ପାଖରେ ଯଦି ସେତେ ପଇସା ଥାଆନ୍ତା, ତେବେ ମୁଁ ମଧ୍ୟ ଅଚିରେ ଜଣେ ସାନ ଋଷୀୟ କବି ହୋଇଯାଇପାରନ୍ତି ।”

 

ଓଲଟ ଉତ୍ତରଟିଏ ଦେଇ ଶ୍ରୀମତୀ ଦରିଆ କହିଥିଲେ, ହଁ, ତା’ପରେ ତ ଆପଣ ଜଣେ କେଡ଼େ ଭଲ କବିରେ ପରିଣତ ବି ହୋଇ ଯାଆନ୍ତେ ! ଆପଣା କିଛି ଋଷୀୟ ଭାଷା ଜାଣନ୍ତି ?”

 

“ନାଇଁ, ମୁଁ ଆଦୌ ଜାଣିନାହିଁ, ମାତ୍ର ଜାଣିବାର ଆବଶ୍ୟକତା ମଧ୍ୟ ନାହିଁ ।”

 

‘‘ଆବଶ୍ୟକତା ନାହିଁ ?”

 

“ନାଇଁ, କୌଣସି ଆବଶ୍ୟକତା ନାହିଁ । ବେଶ୍, ଖଣ୍ଡେ କାଗଜ ନେଇ ହାତରେ ଧରିବେ ଓ ଉପରେ ‘ଏକ ଗାଥା କବିତା ‘ବୋଲି ଶୀର୍ଷକ ଲେଖିଦେବେ, ଏବଂ ତା’ପରେ ଏହିପରି ଆରମ୍ଭ କରିଦେବେ: ‘ହାୟରେ ହାୟ, ମୋର ଏହି ଅଦୃଷ୍ଟା’ ଅଥବା “କୋସାକ୍ ନାଲିଭାଇକେ ଗୋଟିଏ ଡଙ୍ଗାର ଉପରେ ବସିଥିଲା ଏବଂ ସେତେକିବେଳେ, ପର୍ବତ ଉପରେ ସବୁଜ ବର୍ଣ୍ଣର ବୃକ୍ଷମାନଙ୍କ ତଳେ ଚଢ଼େଇମାନେ ସଙ୍ଗୀତ ମଧ୍ୟ ଗାଁ କରୁଥିଲେ—ନାନା ଚିଚିରି ମିଚିରି ଶବ୍ଦୋଚ୍ଚାରଣ ସହିତ ।’ ଅଥବା, ସେହିପରି ଆଉ ଗୋଟିଏ କିଛି ପ୍ରକାରେ ବି । ବାସ୍, ଆପଣଙ୍କର କବିତାଟି ଅବଶ୍ୟ ହୋଇଗଲା । ତା’ପରେ ନିଜର ଲେଖାଟିକୁ ଛପା ବହିଟିଏ କରି ବାହାର କରିଦେବ । ସାଧାରଣ ସାନ ଋଷୀୟ ମନୁଷ୍ୟଟି ତାହାକୁ ନିଶ୍ଚୟ ପାଠ କରିବ, —ହାତର ମୁଷ୍ଟିବନ୍ଧନ ମଧ୍ୟକୁ ଆପଣାର ମସ୍ତକଟିକୁ ଆନତ କରି ଆଣିବ ଏବଂ ଅତ୍ୟନ୍ତ ସୁନିଶ୍ଚିତ ଭାବରେ ଫସ୍ କରି କାନ୍ଦି ଉଠିବ । ସିଏ ସତକୁ ସତ କେତେ ସମ୍ବେଦନଶୀଳ ହୋଇ ବି ନଥିବ !”

 

“ହେ ଭଗବାନ୍ !” ଶ୍ରୀ ବାସିଷ୍ଟୋଫ୍ ଏଡ଼େ ପାଟିରେ କହି ଉଠିଥିଲେ । “ଆପଣ ସତେ କେତେ କ’ଣ କହି ନପକାଉଛନ୍ତି ! ବଡ଼ ଉଦ୍‌ଭଟ ତ ଲାଗିବା ହିଁ ଲାଗିବ । ମୁଁ ସାନ ଏହି ଋଷିଆ ଦେଶରେ ବାସ ମଧ୍ୟ କରିଛି । ମୁଁ ଦେଶକୁ ଭଲ ହିଁ ପାଉଛି ଏବଂ ଏହାର ଭାଷାଟିକୁ ଜାଣିଛି ! .....ଯେଉଁ ୟାଡ଼ୁସାଡ଼ୁ ଶବ୍ଦଗୁଡ଼ିକୁ ଆପଣ କହିଲେ, ସେଗୁଡ଼ିକ ତ ପୂରା ନିରର୍ଥକ ।”

 

“ହଁ, ହୋଇପାରେ; ମାତ୍ର କ୍ଷୁଦ୍ର ରୁଷବାସୀଟି ତଥାପି କାନ୍ଦିବ ହିଁ କାନ୍ଦିବ । ଆପଣ ତ ପୁଣି ‘ଭାଷା’ର କଥା କହୁଛନ୍ତି । ମାତ୍ର, କ୍ଷୁଦ୍ର ରୁଷୀୟ ଭାଷା ବୋଲି ପ୍ରକୃତରେ କିଛି ଅଛି କି ? ଆପଣ କ’ଣ ତାହାକୁ ଆଦୌ ଗୋଟିଏ ଭାଷା ବୋଲି କହିବେ ? ଏକ ନିଜ ଗୋଡ଼ରେ ଛିଡ଼ା ହୋଇଥିବା ଭାଷା ବୋଲି ? ସେହି କଥାଟିକୁ ସମର୍ଥନ କରିବା ପୂର୍ବରୁ ହିଁ ତ ମୁଁ ମୋ’ର ସର୍ବୋତ୍ତମ ବନ୍ଧୁଙ୍କର ମୁଣ୍ଡକୁ ଗୋଟିଏ ପଥରରେ ଚୂନା ମଧ୍ୟ କରିଦେବି ।”

 

ତାହାର ଜବାବରେ ବାସିଷ୍ଟୋଫ୍ ମଧ୍ୟ ସିଧା ଆଉ କ’ଣ କହିବାକୁ ଉଦ୍ୟତ ହେଉଥିଲେ-

 

କିନ୍ତୁ, ତା’ପୂର୍ବରୁ ଦରିଆ ମିହାଇଲୋଭ୍‌ନା କହିଥିଲେ, “ଥାଉ, ତାଙ୍କୁ ଆଉ ଜବାବ ଦିଅ ନାହିଁ । ତୁମେ ତ ଜାଣିଛ, କେବଳ ଗୋଟିଏ ପରେ ଗୋଟିଏ ବିରୋଧାଭାସୀ କଥା ବ୍ୟତୀତ ତୁମେ ତାଙ୍କଠାରୁ ଆଉ କିଛି ହିଁ ଶୁଣିବ ନାହିଁ ।’’

 

ପିଗାସୋଭ୍ କେବଳ ବ୍ୟଙ୍ଗପୂର୍ଣ୍ଣ ଭାବରେ ମୁରୁକିହସା ଦେଉଥାଆନ୍ତି । ଜଣେ ପରିକର କୋଠରୀ ଭିତରକୁ ଆସି ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭନ୍ ତାଙ୍କ ଭାଇଙ୍କୁ ସାଙ୍ଗରେ ଧରି ଇହାଦେ ଆସି ପହଞ୍ଚିଲେ ବୋଲି ସମ୍ବାଦ ଦେଇଥିଲା ।

 

ଆପଣାର ସେହି ଅତିଥିମାନଙ୍କୁ ସଙ୍ଖୋଳିବା ନିମନ୍ତେ ଶ୍ରୀମତୀ ଦରିଆ ଆସନରୁ ଉଠି ଚାଲିଯାଇଥିଲେ ।

 

ପ୍ରଥମେ ହିଁ “ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରିଆନ୍, ଆପଣା କିପରି ଅଛନ୍ତି ?” ବୋଲି କହିଥିଲେ ।

 

ତାଙ୍କ ସନ୍ନିକଟକୁ ଯାଇ କହିଲେ, “କେଡ଼େ ଭଲ ହେଲା ଆପଣ ଏଠାକୁ ଆସିଲେ ! ଏବଂ ଶ୍ରୀଯୁକ୍ତ ସେର୍ଗେ ପାଭ୍‌ଲିଚ୍, ଆପଣା କିପରି ଅଛନ୍ତି ?”

 

ଭୋଳିନ୍ତସେଭ୍ ଶ୍ରୀମତୀ ମିହାଇଲୋଭ୍‌ନାଙ୍କ ସହିତ କରମର୍ଦ୍ଦନ କଲେ ଏବଂ ନାତାଲିଆ ଆଲେକ୍ସିଏଭ୍‌ନାଙ୍କ ଆଡ଼କୁ ଆଗେଇ ଯାଇଥିଲେ ।

 

“କିନ୍ତୁ ଆପଣଙ୍କର ନୂତନ ଭାବେ ପରିଚିତ ସେହି ସାମନ୍ତ ବ୍ୟକ୍ତିଙ୍କର ମଧ୍ୟ ସମ୍ବାଦ କ’ଣ-? ଆଜି ସିଏ ଆସୁଛନ୍ତି କି-? —ପିଗାସୋଭ୍ ପ୍ରଶ୍ନ କଲେ ।

 

‘‘ହଁ, ଆସୁଛନ୍ତି ।”

 

“ସିଏ ଜଣେ ବିରାଟ ଦାର୍ଶନିକ ବୋଲି ସମସ୍ତେ କହନ୍ତି । ମୋର ଅନୁମାନ, ବର୍ତ୍ତମାନ ସିଏ କୌଣସି ଖାସ୍ ଦାର୍ଶନିକଙ୍କୁ ନେଇ ବହି ଘାଣ୍ଟୁଛନ୍ତି ।”

 

ଦରିଆ ମିହାଇଲୋଭ୍‌ନା କୌଣସି ଜବାବ ଦେଲେ ନାହିଁ ଏବଂ ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ଯାଇ ସୋଫାରେ ଆସୀନ ହେବା ପରେ ଆପେ ମଧ୍ୟ ଯାଇ ତାଙ୍କ ନିକଟରେ ଉପବେଶନ କରିଥିଲେ ।

 

ପିଗାସୋଭ୍ ତା’ପରେ କହିଲେ, “ଦର୍ଶନଶାସ୍ତ୍ରରେ କେତେ କେତେ ଉଚ୍ଚ କଥାର ଅବତାରଣା କରାଯାଏ । ହଁ, ଏଇଟି ମଧ୍ୟ ଆଉ ଗୋଟିଏ କ୍ଷେତ୍ର, ଯାହା ପ୍ରତି ମୋର ଏକ ଘୃଣାଭାବ ରହିଛି, ଏହି ସବୁକିଛି ପ୍ରସଙ୍ଗରେ ଉପରକୁ ଉଠିଯାଇ ଉତ୍ତୁଙ୍ଗ କଥାମାନ କହିବା । ଏବଂ ଏତେ ଉପରକୁ ଚାଲିଗଲେ, ସେଠାରେ ଥାଇ ପ୍ରକୃତରେ କ’ଣ ବା ଦେଖିହେବ । ମୁଁ ତ ସବୁବେଳେ କେଡ଼େ ସରଳ ଭାବରେ ନିଶ୍ଚୟ କହିବି ଯେ, ଯଦି ତୁମେ ଗୋଟିଏ ଘୋଡ଼ା କିଣିବ ବୋଲି ଇଚ୍ଛା କରିବ, ତେବେ କ’ଣ ଗୋଟାଏ ଉଚ୍ଚ ମୀନାର ଉପରକୁ ଉଠିଯାଇ ଘୋଡ଼ାଟିକୁ ସେହିଠାରୁ ହିଁ ପରଖି ଦେଖିବା ଲାଗି ମନ କରିବ ?”

 

“ସେହି ସାମନ୍ତ ଜଣକ ନିଜେ ଲେଖିଥିବା ପ୍ରବନ୍ଧଟିଏ ଆପଣଙ୍କୁ ଦେଖାଇବାକୁ ଆଣିବା ସକାଶେ ଇଚ୍ଛା କରୁଥିଲେ,” ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା କହିଥିଲେ ।

 

ବେଶ୍ ଉତ୍ତମ ପ୍ରକାରେ ଆପଣାକୁ ଧରା ପକାଇ ଦେଉଥିବା ଏକ ଉଦାସୀନତା ସହିତ ଦରିଆ ମିହାଇଲୋଭ୍‌ନା ଉତ୍ତର ଦେଲେ, “ହଁ, ରୁଷିଆ ଦେଶରେ ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡ଼ିକ ସହିତ ବାଣିଜ୍ୟର ସମ୍ପର୍କ ବିଷୟରେ ପ୍ରବନ୍ଧଟି ଲେଖା ହୋଇଛି । ...କିନ୍ତୁ ଭୟର କୌଣସି କାରଣ ନାହିଁ, ସେହି ପ୍ରବନ୍ଧଟିକୁ ଏଠାରେ ଆମେ ଆଦୌ ପାଠ କରିବା ନାହିଁ । ମୁଁ ସେଥିପାଇଁ ଆପଣଙ୍କୁ ଏଠାକୁ ଆଦୌ ଆମନ୍ତ୍ରିତ କରି ଆଣିନାହିଁ । ସେହି ସାମନ୍ତ ମଧ୍ୟ ଜଣେ ଖୁବ୍ ମେଳାପୀ ମନୁଷ୍ୟ ଏବଂ ଖୁବ୍ ସୁନ୍ଦର ରୁଷ୍ ଭାଷା କହିପାରନ୍ତି । ତାଙ୍କର କଥା ଶୁଣି ଆମେ ସମସ୍ତେ ନିଶ୍ଚୟ ଅତ୍ୟନ୍ତ ଆପ୍ୟାୟିତ ହୋଇପାରିବା ।”

 

“ହଁ, ସିଏ ଏଡ଼େ ସୁନ୍ଦର ରୁଷ୍‍ ଭାଷା କହନ୍ତି ଯେ, ସେଥିପାଇଁ ଶୁଦ୍ଧ ଫରାସୀ ଭାଷାରେ ହିଁ ତାଙ୍କର ପ୍ରଶସ୍ତିଗାନ କରିବାକୁ ପଡ଼ିବ ।” —ପିଗାସୋଭ୍ ଗଡ଼ଗଡ଼ ହୋଇ କହିଥିଲେ ।

 

“ଆପଣ ଯେତେ ପାରୁଛନ୍ତି ଗଣଗଣ ହେଉଥାନ୍ତୁ ଆଫ୍ରିକାନ୍ ସେମେନିଚ ମହାଶୟ—ସେଇଟି ଆପଣଙ୍କ ମୁଣ୍ଡର ସେହି କୁଞ୍ଚୁକୁଞ୍ଚିଆ ଲମ୍ବା ବାଳଗୁଡ଼ିକୁ ନିଶ୍ଚୟ ଖୁବ୍ ଶୋଭା ପାଉଛି...ମୁଁ ତ ବର୍ତ୍ତମାନ ଭାବୁଛି ଯେ ସିଏ ଏପର୍ଯ୍ୟନ୍ତ ମଧ୍ୟ କାହିଁକି ଆସି ପହଞ୍ଚି ନାହାନ୍ତି ! ଆପଣମାନେ କେହି ଜାଣନ୍ତି ମୋର ମହାଶୟ ଏବଂ ମହାଶୟାମାନେ ।” ଶ୍ରୀମତୀ ମିହାଇଲୋଭ୍‌ନା କହିଥିଲେ, ତା’ପରେ ଚତୁର୍ଦ୍ଦିଗକୁ ଚାହିଁ ସେ କହିଲେ, “ଏଥର ଆମେ ଉଦ୍ୟାନ ଭିତରକୁ ଯିବା, —ଭୋଜନ ସମୟ ତଥାପି ଆହୁରି ଗୋଟିଏ ଘଣ୍ଟା ବାକି ବି ଅଛି । ପାଗଟା ମଧ୍ୟ ଖୁବ୍ ଚମତ୍କାର ହୋଇଛି !”

 

ଏହାପରେ ସମସ୍ତେ ଉଠି ବଗିଚା ଭିତରକୁ ଯାଇଥିଲେ ।

 

ଶ୍ରୀମତୀ ମିହାଇଲୋଭ୍‌ନାଙ୍କର ଏହି ବଗିଚାଟି କ୍ରମଶଃ ଢାଲୁ ହୋଇ ହୋଇ ନଈ ପର୍ଯ୍ୟନ୍ତ ଲମ୍ବି ରହିଥିଲା । କେଉଁ କାଳର ପୁରୁଣା ଗଛଗୁଡ଼ିକର ବହୁସଂଖ୍ୟକ ଧାଡ଼ି । ଚିକ୍‌ଚିକ୍ ଖରା ସାଙ୍ଗକୁ ଗାଢ଼ ଛାଇମାନ । ଫୁଲମାନଙ୍କର ମହକ ଏବଂ ଚଲାବାଟ ଗୁଡ଼ିକର ଶେଷରେ ଉଜ୍ଜ୍ଵଳ ସବୁଜ ରଙ୍ଗର କେତେ କେତେ ଝଲକ । ଆକାଶିଆ ଓ ହାଇଲାକର ସୁରମ୍ୟ କୁଞ୍ଜଗୁଡ଼ିକ ।

 

ଶ୍ରୀ ଭୋଲିନ୍ତସେଭ୍ ଏକାବେଳେକେ ବଗିଚାଟିର ପୂରା ଗହଳିଆ ଅଞ୍ଚଳଟି ଆଡ଼କୁ ଆଗେଇ ଯାଇଥିଲେ । ତାଙ୍କ ସାଙ୍ଗରେ ନାତାଲିଆ ଓ କୁମାରୀ ବନକୋର୍ଡ଼ । ନାତାଲିଆଙ୍କୁ ପାର୍ଶ୍ଵବର୍ତ୍ତୀ କରି ରଖି ସମ୍ପୂର୍ଣ୍ଣ ନୀରବ ଭାବରେ ହିଁ ଚାଲିଯାଉଥିଲେ । ସେମାନଙ୍କ ପଛରେ ଖଣ୍ଡେଦୂର ହୋଇ କୁମାରୀ ବନକୋର୍ଡ଼,

 

“ଆଜି ଦିନଯାକ ତୁମେ କ’ଣ ସବୁ କରିଛ ?” —ଭୋଲିନ୍ତସେଭ୍ ଅବଶେଷରେ ନାତାଲିଆଙ୍କୁ ପ୍ରଶ୍ନ କରିଥିଲେ । ହିଁ, ନିଜର ଗାଢ଼ା ବାଦାମୀ ରଙ୍ଗର ସୁନ୍ଦର ନିଶଟିର ଦୁଇ ଅଗକୁ ମଝିରେ ମଝିରେ ବି ସାଉଁଳେଇ ଦେଉଥିଲେ ।

 

ତାଙ୍କ ଦେହଟାର ଚେହେରା ତାଙ୍କ ନିଜ ଭଉଣୀଙ୍କର ଚେହେରାଟି ସହିତ ପ୍ରକୃତରେ ବଡ଼ ଅଦ୍‌ଭୂତ ଭାବରେ ମିଶି ଯାଉଥିଲା ସତ, କିନ୍ତୁ ତାଙ୍କ ନିଜର ଅଭିବ୍ୟକ୍ତିଟିରେ ଅପେକ୍ଷାକୃତ କମ୍ ସଚଳତା ତଥା ପ୍ରାଣଦୀପ୍ତି ରହିଥିଲା । ତାଙ୍କ ଆଖିଗୁଡ଼ିକ କେଡ଼େ ସୁକୋମଳ ଓ ସୁନ୍ଦର ମଧ୍ୟ ଥିଲେ ଏବଂ କ’ଣ ପାଇଁ ସେଗୁଡ଼ିକରୁ ସର୍ବଦା ଏକ ବିଷାଦର ଭାବ ବେଶ୍ ବ୍ୟକ୍ତ ହୋଇ ଆସୁଥିଲା-

 

ନାତାଲିଆ ଉତ୍ତର ଦେଇଥିଲେ, “ନା—ମୋଟେ କିଛି କରିନାହିଁ । ହଁ, ଶ୍ରୀ ପିଗାସୋଭ୍‌ଙ୍କର ବ୍ୟଙ୍ଗପୂର୍ଣ୍ଣ କଥାମାନଙ୍କୁ ଶୁଣିଛି । ହଁ, କାନ୍‌ଭାସ୍ ଉପରେ କିଛି ସୂତାକାମ କରିଛି ଏବଂ ପଢ଼ିଛି ।"

 

‘‘କ’ଣ ସବୁ ପଢ଼ିଛ ?"

“କ’ଣ ପଢ଼ିଛି ? ହଁ, କ୍ରୁଜେଡ଼ ଯୁଦ୍ଧର ଇତିହାସରୁ କିଛି ପଢ଼ିଛି ।” ନାତାଲିଆ ଉତ୍ତର ଦେଇଥିଲେ । ବେଶ୍ କୁଣ୍ଠିତ ଭାବରେ ଏହି ଉତ୍ତରଟି ଦେଇଥିଲେ ।

ଭୋଲିନସେଭ୍ ତାଙ୍କ ଆଡ଼କୁ ଅନାଇଲେ ।

“ହଁ, ଭାରି ଭଲ ଲାଗିଥିବ ତ ।” —କିଛି ସମୟ ପରେ ଏପରି କହିଥିଲେ ।

ଭୋଲିନ୍ତସେଭ୍ ତା’ପରେ ଭୂଇଁ ଉପରୁ ଖଣ୍ଡେ ଡାଙ୍ଗ ଉଠାଇନେଇ ହାତରେ ବୁଲାଇବାକୁ ଲାଗିଲେ । ଦୁହେଁ ଏକତ୍ର ଆହୁରି କୋଡ଼ିଏ ପାଦ ଯାଏ ଆଗକୁ ଯାଇଥିଲେ ।

“ଏହି ସାମନ୍ତ ବୃହତ୍ ବ୍ୟକ୍ତିଟି ପ୍ରକୃତରେ କିଏ କହିଲ, ତୁମର ମାଆ ଯାହାଙ୍କ ସମ୍ପର୍କରେ ଆସିଛନ୍ତି ?” —ତା’ପରେ ପୁନର୍ବାର ନାତାଲିଆଙ୍କୁ ସେହି ପ୍ରଶ୍ନଟିକୁ ପଚାରିଥିଲେ ।

“ସିଏ ଏବେ ଆମ ସହରକୁ ଆସିଛନ୍ତି—ମାମେନ୍ ତାଙ୍କର ପ୍ରଶଂସା କରି ପ୍ରକୃତରେ ବହୁତ କଥା କହନ୍ତି ।

“ତୁମର ମାଆ କିନ୍ତୁ ଅତି ଅଳ୍ପ ସମୟରେ ହିଁ ଲୋକମାନଙ୍କ ବିଷୟରେ ବେଶ୍ ମୋହରେ ପଡ଼ିଯାନ୍ତି ।”

“ସେଥିରୁ ତାଙ୍କର ହୃଦୟ ଏବେ ମଧ୍ୟ ସବୁଜ ଓ ସତେଜ ରହିଥିବାର ପ୍ରମାଣ ମିଳୁଛି ।” ନାତାଲିଆ ମନ୍ତବ୍ୟ କଲେ ।

“ହଁ, ଠିକ୍ କଥା । ନାତାଲିଆ, ତୁମେ ଚାହିଁଥିବା ଘୋଡ଼ାଟିକୁ ମୁଁ ଅଳ୍ପଦିନରେ ହିଁ ଆଣି ତୁମକୁ ଦେବି । ବର୍ତ୍ତମାନ ବିଚରା ସେଇଟି ପ୍ରାୟ କିଛି ହେଲେ କରିବାକୁ ସମର୍ଥ ହେଉନାହିଁ । ମୁଁ ପ୍ରଥମେ ତାକୁ ଲମ୍ଫ ପ୍ରଦାନ କରିବାକୁ ଶିଖାଇବି । ହଁ, ଅଳ୍ପଦିନରେ କରି ପାରିବି ।”

“ଅନେକ ଧନ୍ୟବାଦ ! କିନ୍ତୁ, ଆପଣ ଯେ ନିଜେ ତାକୁ ମଣ କରୁଛନ୍ତି, ସେହି କଥାଟି ପାଇଁ ମୁଁ ଅତ୍ୟନ୍ତ ଲଜ୍ଜିତ । ଏବଂ ଘୋଡ଼ାକୁ ମଣ କରିବା ଗୋଟିଏ ବଡ଼ କଠିନ କାର୍ଯ୍ୟ ବୋଲି ସମସ୍ତେ କହନ୍ତି ।”

“ଏଥିରେ ମୁଁ ତୁମର କ’ଣ ବା ଏତେ ବଡ଼ କାମଟିଏ କରି ପକାଇଲି ! ସେଥିପାଇଁ ମୁଁ ତ ଆପେ ରାଜି ଅଛି । ...ମୁଁ...ଏସବୁ ସାମାନ୍ୟ ବ୍ୟାପାରରେ... ।”

ଭୋଲିନ୍ତସେଭ୍ କ’ଣ କହିବେ, ଠିକ୍ କରି ପାରୁନଥିଲେ ।

ନାତାଲିଆ ତାଙ୍କ ଆଡ଼କୁ ବେଶ୍ ବନ୍ଧୁତାପୂର୍ଣ୍ଣ ଏକ ସମର୍ଥନଭାବ ସହିତ ଚାହିଁଲେ ଏବଂ ଆଉଥରେ ‘ଧନ୍ୟବାଦ’ ବୋଲି କହିଥିଲେ ।

ବେଶ୍ କେତେ ଦଣ୍ଡ ନୀରବ ରହିବା ପରେ ସେର୍ଗେ ପାଇଲିଚ୍ ପୁଣି କଥା ଆରମ୍ଭ କଲେ, “ତୁମକୁ ତ ଜଣାଅଛି ଯେ ଏସବୁ ବ୍ୟାପାରରେ..., କିନ୍ତୁ ମୁଁ ମଧ୍ୟ କାହିଁକି ଏପରି ଭାବରେ କଥା କହୁଛି ? ତୁମକୁ ତ ସବୁ ଜଣା ବି ଅଛି ।”

ଠିକ୍ ସେହି ସମୟରେ ଘର ଭିତରୁ ଗୋଟିଏ ଘଣ୍ଟା ବାଜିବାର ଶବ୍ଦ ଶୁଣା ଯାଇଥିଲା ।

“ଶୁଣ ! ତେଣେ ଖାଇବାର ଡାକରା ଆସିଲାଣି—ଏଥର ଫେରିବା,’’—କୁମାରୀ ବନକୋର୍ଡ଼ ଆବାଜ ଦେଇ କହୁଥିଲେ ।

ଭୋଲିନ୍ତସେଭ୍ ଏବଂ ନାତାଲିଆଙ୍କ ପଛରେ ବାଲକୋନିଭ ପାହାଚ ସବୁ ଉଠୁ ଉଠୁ ସେହି ବୟସ୍କା ଫରାସୀ ମହିଳା ଭାବୁଥିଲେ : ‘‘କେଡ଼େ ଦୁଃଖର କଥା ଯେ ଏଡ଼େ ସୁନ୍ଦର ଚେହେରାର, ଏହି ପୁଅଟି କଥାବାର୍ତ୍ତା କରୁଥିବା ସମୟରେ ଏଭଳି ଅସଜମାନଙ୍କ ଭିତରେ ଆସି ପଡ଼ିଯାଉଛି !” କଥାଟିର ମୋଟାମୋଟି ଏହିପରି ତର୍ଜମା କରାଯାଇ ପାରିବ : ଆରେ ବାବୁ, ତୁ ପ୍ରକୃତରେ ଗୋଟିଏ ବେଶ୍ ଭଲ ମନୁଷ୍ୟ ସିନା, ତଥାପି ବେଶ୍ ବୋକା !

ଭୋଜନ ବେଳକୁ ସାମନ୍ତ ମହାଶୟ ତଥାପି ଆସି ପହଞ୍ଚି ନଥିଲେ । ସମସ୍ତେ ପ୍ରାୟ ଅଧଘଣ୍ଟା କାଳ ତାଙ୍କ ପାଇଁ ଅପେକ୍ଷା କଲେ । ସେହି ଅବସରରେ ଖାଇବା ଟେବୁଲରେ ଯାହା ଯେତେ କଥୋପକଥନ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ସେର୍ଗେ ପାଭ୍‌ଲିଚ୍ କେବଳ ନାତାଲିଆ ଆଡ଼କୁ ଚାହିଁ ରହିଥାନ୍ତି । ଆଉ କିଛି ହିଁ କରୁନଥାନ୍ତି । ସିଏ ସେହି ନାତାଲିଆଙ୍କ ପାଖରେ ଯାଇ ହିଁ ବସିଥିଲେ । ପୁନଶ୍ଚ କେଡ଼େ ଉତ୍ସାହର ସହିତ ସିଏ ନାତାଲିଆଙ୍କର ଗିଲାସରେ ପାଣି ମଧ୍ୟ ଭରିଦେଲେ । ପାଣ୍ଡାଲେଭ୍‌ସ୍କି ତାଙ୍କ ପଡ଼ିଶାରେ ବସିଥିବା ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‍ନାଙ୍କର ଆପ୍ୟାୟନ କରିବାକୁ କିଛି ବୃଥା ଉଦ୍ୟମ ସିନା କଲେ, କିନ୍ତୁ, ଶ୍ରୀମତୀ ପାଭଲେଭ୍‌ନା ତ କେବଳ ହାଇ ପରେ ହାଇ ହିଁ ମାରୁଥିଲେ ।

ବାସିସ୍ଟୋଫ୍ କେବଳ ପାଉଁରୁଟିର ଖଣ୍ଡଗୁଡ଼ିକୁ ଗୋଲ୍ କରି ବଳି ନେବାରେ ଲାଗିଥିଲେ ଏବଂ ଆଉ ଅନ୍ୟ କିଛି ହେଲେ ଚିନ୍ତା କରୁନଥିଲେ । ଏପରିକି ପିଗାସୋଭ୍ ମଧ୍ୟ କିଛି କହୁନଥିଲେ ଏବଂ ସିଏ ଆଜି ଖୁବ୍ ବେଶି ଭଦ୍ରତାର ପରିଚୟ ଦେଇନାହାନ୍ତି ବୋଲି ଯେତେବେଳେ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ତାଙ୍କୁ ଉଦ୍ଦେଶ୍ୟ କରି ଏକ ମନ୍ତବ୍ୟ ଦେଲେ ସିଏ ତାହା ଶୁଣି ଖୁବ୍ ରୁଷ୍ଟ ଭାବରେ କହିଥିଲେ, “ଆପଣ ଦେଖିଛନ୍ତି ମୁଁ ଆଦୌ କେବେହେଲେ ବି ନିଜ ଆଚରଣକୁ ଭଦ୍ର ବୋଲି ଦର୍ଶାଇବାକୁ ଚେଷ୍ଟା କରିଥାଏ ? ସେଇଟା ତ ମୋର ଆଦତ୍ ହିଁ ନୁହେଁ !” ଏବଂ ପୁଣି ତା’ପରେ ବେଶ୍ ଗୋଟିଏ ଅସୁନ୍ଦର ମୁଦ୍ରାରେ ଈଷତ୍‍ ହସି ସିଏ କହିଥିଲେ, “ଆପଣ ସବୁବେଳେ ନିଶ୍ଚୟ କିଛି ଧୈର୍ଯ୍ୟ ମଧ୍ୟ ରଖିଥିବେ । ମୁଁ ପ୍ରକୃତରେ କିଞ୍ଚିତ୍ ପରିମାଣରେ ଏକ ପ୍ରକାରର ଶସ୍ୟଦାନାରୁ ପ୍ରସ୍ତୁତ କରାଯାଇଥିବା ସେହି ମଦଟା ପରି, ପୂରା ରୁଷ୍‍ ଦେଶୀ ମାର୍ଗରେ ତିଆରି ସେହି ମଦଟି ପରି । କିନ୍ତୁ ଆପଣଙ୍କର ସେହି ସାମନ୍ତ ଜଣକ—”

“ଚମତ୍କାର” —ଦରିଆ ମିହାଇଲୋଭ୍‌ନା ଚିତ୍କାର କଲାପରି କହି ଉଠିଲେ, “ଶ୍ରୀ ପିଗାସୋଭ୍ ବର୍ତ୍ତମାନ ଈର୍ଷାନ୍ଵିତ ହୋଇ ଯାଇଛନ୍ତି, ପୂରା ଈର୍ଷାନ୍ଵିତ ।”

ମାତ୍ର ପିଗାସୋଭ୍ ଆଗକୁ ଅଧିକା କିଛି କହିଲେ ନାହିଁ, କେବଳ ଦରିଆଙ୍କ ଆଡ଼କୁ ଏକ ତୀବ୍ର କଟାକ୍ଷ ପୂର୍ଣ୍ଣ ଦୃଷ୍ଟିରେ ଅନାଇ ରହିଥିଲେ ।

ସାତଟା ବାଜିଲା ଓ ସମସ୍ତେ ପୁନର୍ବାର ବୈଠକଖାନା ଘରେ ଆସି ବସିଲେ ।

“ନାଇଁ, ସିଏ ଯେ ଆଉ ଆସିବେ ନାହିଁ । ସେଥିରେ କୌଣସି ସନ୍ଦେହ ନାହିଁ ।” ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଘୋଷଣା କଲେ ।

କିନ୍ତୁ, କି ବିଚିତ୍ର ! ଗୋଟିଏ ଘୋଡ଼ାଗାଡ଼ିର ଘରଘର ଶବ୍ଦ ଶୁଣାଗଲା ଏବଂ ସାନ ଗାଡ଼ିଟିଏ ପ୍ରକୃତରେ ହତା ଭିତରକୁ ପ୍ରବେଶ କଲା । କେତେ ଦଣ୍ଡ ଉତ୍ତାରେ ଜଣେ ପରିଚାରକ ଆସି ଶ୍ରୀମତୀ ଦରିଆଙ୍କୁ ଖଣ୍ଡେ ଟିପା କାଗଜ ଆଣି ବଢ଼ାଇ ଦେଇଥିଲା । ଦରିଆ ଟିପାଟି ପାଠ କଲେ ଓ ପରିଚାରକଟି ଆଡ଼କୁ ଅନାଇ ପଚାରିଲେ :

“କିନ୍ତୁ ଏହି ଟିପାଟିକୁ ଦେଇଥିବା ବ୍ୟକ୍ତିଜଣକ କୁଆଡ଼େ ଗଲେ ?”

“ସିଏ ଗାଡ଼ିଭିତରେ ବସିଛନ୍ତି । ମୁଁ ତାଙ୍କୁ ଆସିବା ପାଇଁ କହିବି ?”

“ହଁ, ତାଙ୍କୁ ଆସିବାଲାଗି କହ ।”

ପରିକର ପ୍ରସ୍ଥାନ କରିଥିଲା ।

ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ତା’ପରେ କହିଲେ, “କଳ୍ପନା କଲ, କେଡ଼େ କଷ୍ଟଦାୟକ ଘଟଣାଟିଏ । ସାମନ୍ତ ମହାଶୟ ତୁରନ୍ତ ପିଟର୍ସ୍‌ବର୍ଗକୁ ଫେରିଯିବା ପାଇଁ ନିର୍ଦ୍ଦେଶ ପାଇଛନ୍ତି । ନିଜ ଲେଖା ପ୍ରବନ୍ଧଟିକୁ ସେ ନିଜର ଜଣେ ବନ୍ଧୁ ଶ୍ରୀଯୁକ୍ତ ରୁଡ଼ିନଙ୍କ ହାତରେ ପଠାଇ ଦେଇଛନ୍ତି । ଶ୍ରୀ ରୁଡ଼ିନ୍‌ଙ୍କୁ ସିଏ ସ୍ଵୟଂ ଆଜି ମୋ ସହିତ ପରିଚିତ କରାଇଦେବେ ବୋଲି ଚାହିଥିଲେ । ସିଏ ରୁଡ଼ିନ୍‌ଙ୍କର ବହୁତ ବହୁତ ପ୍ରଶଂସା କରିଛନ୍ତି । ମାତ୍ର, ସମସ୍ତ ଘଟଣାଟି ପ୍ରକୃତରେ କେଡ଼େ କ୍ଳେଶଦାୟକ । ସାମନ୍ତ ଆଜି ଆସିବେ ଓ ଏଠାରେ କିଛି ସମୟ ରହିବେ ବୋଲି ମୁଁ ବହୁତ ଆଶା କରିଥିଲି ।”

“ଡିମିଟ୍ରି ନିକୋଲାଇଚ୍ ରୁଡ଼ିନ୍ !” —ଭୃତ୍ୟଟି ଆସି ଘୋଷଣା କଲା ।

 

—୩—

 

ଗୃହଭିତରେ ଆସି ପ୍ରବେଶ କରିଥିବା ବ୍ୟକ୍ତିଙ୍କର ବୟସ ପ୍ରାୟ ପଇଁତିରିଶ ହିଁ ହୋଇଥିବ । ବେଶ୍ ଡେଙ୍ଗା, କାନ୍ଧଟା କିଞ୍ଚିତ୍ କୁଜା ହୋଇ ଦେଖାଯାଉଛି । ମୁଣ୍ଡରେ କିଞ୍ଚିତ୍‍ କୁଞ୍ଚୁ କୁଞ୍ଚୁ ଥିବା କେରାଏ ଚକ୍ ଚକ୍ ବାଳ । ଦେହର ରଙ୍ଗକୁ ସାବନା ବୋଲି କୁହାଯିବ । ତାଙ୍କର ମୁହଁଟି ଆଦୌ କୌଣସି ଜ୍ୟାମିତିକ ସମାନୁପାତିକତା ସହିତ ତିଆରି ହୋଇନଥିବ, ତଥାପି ସର୍ବଦା ହିଁ କେତେ କେତେ ଅଭିବ୍ୟକ୍ତିରେ ସମ୍ପୂର୍ଣ୍ଣ ଢଳ ଢଳ ଏବଂ ବୁଦ୍ଧିଦୀପ୍ତ । ସଦା ଚଞ୍ଚଳ କୃଷ୍ଣ ଓ ନୀଳବର୍ଣ୍ଣ ଆଖି ଦୁଇଟି, ସିଧା ଏବଂ ଓସାରିଆ ନାସିକାଟି ଏବଂ ଓଠ ଦୁଇଟି ବେଶ୍ ସୁଠାମ ଭାବରେ ଉପରୁ ତଳୁ ଆସି ଯୋଡ଼ିହୋଇ ଯାଇଛନ୍ତି । ପରିହିତ ବସ୍ତ୍ରଗୁଡ଼ିକ ମୋଟେ ନୂଆ ନୁହନ୍ତି । ସତେଅବା ଅଙ୍ଗଟି ତୁଳନାରେ ବେଶ୍ ସାନ ମଧ୍ୟ ମନେ ହେଉଛି । ସମ୍ଭବତଃ, କୋଉ କେବେ ଯାଇ ତିଆରି ହୋଇଥିଲେ । କ୍ରମେ ସାନ ହୋଇଗଲେଣି । ଯୁବକ ସିଧା ଶ୍ରୀମତୀ ଦରିଆ ମିହାଇଲୋଭ୍‍ନାଙ୍କ ପାଖକୁ ସବେଗ ଅଗ୍ରସର ହୋଇଯାଇଥିଲେ । ଈଷତ୍ ମସ୍ତକ ନୁଆଁଇ ପ୍ରଣାମ ଜଣାଇଲେ ଏବଂ କହିଥିଲେ ଯେ, ତାଙ୍କ ସହିତ ପରିଚିତ ହେବା ଲାଗି ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲେ । ସ୍ଵୟଂ ବ୍ୟାରନ୍ ମହୋଦୟ ନିଜେ ଆସି ତାଙ୍କଠାରୁ ବିଦାୟ ନେଇ ପାରି ନଥିବାରୁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ବୋଲି ରୁଡ଼ିନ୍ ଶ୍ରୀମତୀ ଦରିଆଙ୍କୁ ଜଣାଇ ଦେଲେ ।

 

ଶ୍ରୀଯୁକ୍ତ ରୁଡ଼ିନ୍ ଅତ୍ୟନ୍ତ ଅନୁଚ୍ଚ କଣ୍ଠରେ ଏହି ବାକ୍ୟଗୁଡ଼ିକୁ ଉଚ୍ଚାରଣ କରୁଥିବାରୁ ତାହା ସତେ ଅବା ତାଙ୍କର ଲମ୍ବା ଚେହେରା ଏବଂ କେଡ଼େ ଓସାରିଆ ଛାତିଟା ସହିତ ସତେଅବା ଅତ୍ୟନ୍ତ ବେଖାପ ହିଁ ଲାଗୁଥିଲା ।

 

“ଏଥର ଉପବିଷ୍ଟ ହୁଅନ୍ତୁ.....ଆପଣ ଆସିଛନ୍ତି ବୋଲି ମୁଁ ପ୍ରକୃତରେ ଖୁବ୍ ଖୁସି”, —ଶ୍ରୀମତୀ ଦରିଆ ମିହାଇଲୋଭ୍‍ନା କଥାରେ ଉତ୍ତର ଦେଇ କହିଥିଲେ । ତା’ପରେ ସେ ଉପସ୍ଥିତ ଅନ୍ୟ ବ୍ୟକ୍ତିମାନଙ୍କ ସହିତ ତାଙ୍କର ପରିଚୟ କରାଇ ଦେଇଥିଲେ ଏବଂ ରୁଡ଼ିନ୍‌ଙ୍କ ନିଜ ଘର ମଧ୍ୟ ସେହି ଅଞ୍ଚଳର ଅଥବା ସେ ସେଠାକୁ ଅନ୍ୟ କୌଣସି ଅଞ୍ଚଳରୁ ବୁଲି ଆସିଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ ।

 

“ମୋର ନିଜ ଘର ହେଉଛି—ପ୍ରଦେଶରେ,” —ରୁଡ଼ିନ୍ ଉତ୍ତର ଦେଲେ । ନିଜ ମୁଣ୍ଡର ଟୋପିଟିକୁ ସିଏ ନିଜ ଆଣ୍ଠୁଗୁଡ଼ିକ ଉପରେ ରଖି ଦେଇଥାନ୍ତି । “ଏଠାକୁ ମୁଁ ଆଦୌ ଗୁଡ଼ାଏ ଦିନ ହେଲା ଆସିନାହିଁ । ଏକ ବ୍ୟବସାୟ ସଂକ୍ରାନ୍ତରେ ଆସିଥିଲି ଏବଂ ଆପଣଙ୍କର ଏହି ସ୍ଥାନୀୟ ମହକୁମାଟିରେ କିଛିଦିନ ପାଇଁ ଅଟକି ଯାଇଛି ।”

 

“କାହା ସହିତ ରହୁଛନ୍ତି ?”

 

“ମୁଁ ଏଠା ଡାକ୍ତରଙ୍କ ସହିତ ରହୁଛି । ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟର ମୋ’ର ଜଣେ ପୁରୁଣା ବନ୍ଧୁ ।”

 

“ଆଚ୍ଛା, ଏଠା ଡାକ୍ତରଙ୍କ ସହିତ ! ଏଠାରେ ତ ସମସ୍ତେ ତାଙ୍କର ଉଚ୍ଚ ପ୍ରଶଂସା କରୁଛନ୍ତି-। ସମସ୍ତେ କହନ୍ତି ଯେ, ସିଏ ଆପଣାର ବେଉସାରେ ଖୁବ୍ ନିପୁଣ । କିନ୍ତୁ, ଏଠାରେ ସେହି ବ୍ୟାରନ୍‌ଙ୍କୁ ମଧ୍ୟ ଆପଣ ବେଶ୍ ଢେର ଦିନରୁ ଜାଣିଲେଣି କି ?”

 

“ଗତ ଶୀତଋତୁରେ ତାଙ୍କ ସହିତ ମସ୍କୋରେ ପ୍ରଥମ ସାକ୍ଷାତ ହୋଇଥିଲା । ଏଠାରେ ପ୍ରାୟ ଗୋଟିଏ ସପ୍ତାହ ହେଲା ତାଙ୍କ ସହିତ ବହୁତ ସମୟ ଏକତ୍ର କଟିଲାଣି ।”

 

“ଭାରି ଗୁଣୀ ଏବଂ ସମର୍ଥ ଜଣେ ବ୍ୟକ୍ତି ।”

 

“ହଁ ।”

 

ଅ-ଡ଼ି-କଲୋନ୍ ଲଗା ହୋଇଥିବା ନିଜର ଭଙ୍ଗାଭଙ୍ଗା ରୁମାଲଟି ଦ୍ଵାରା ଦରିଆ ମିହାଇଲୋଭ୍‌ନା ନାକ ପୋଛିଲେ ।

 

ରୁଡ଼ିନ୍‌ଙ୍କୁ ପଚାରିଲେ, ସରକାରଙ୍କ ଅଧୀନରେ ଚାକିରି କରୁଛନ୍ତି କି ?”

 

“କିଏ ?, ମୁଁ”

 

“ହଁ ।”

 

“ନାହିଁ, କରୁନାହିଁ । ମୁଁ ଅବସର ଗ୍ରହଣ କରିଛି ।”

 

ତା’ପରେ କେତୋଟି ମୁହୂର୍ତ୍ତ ନିମନ୍ତେ ଗୋଟିଏ ବିରତି । ବିରତି ପରେ ପୁନର୍ବାର କଥାମାନ ଆରମ୍ଭ ହେଲା ।

 

“ଯଦି ଆପଣ ମୋତେ ଆଉକିଛି ପଚାରିବା ଲାଗି ଅନୁମତି ଦେବେ,” ରୁଡ଼ିନ୍‌ଙ୍କ ଆଡ଼କୁ ଦୃଷ୍ଟି ଫେରାଇ ଶ୍ରୀଯୁକ୍ତ ପିଗାସୋଭ୍ କହିଥିଲେ, “ବ୍ୟାରନ୍ ମହାଶୟ ଯେଉଁ ପ୍ରବନ୍ଧଟିକୁ ଲେଖି ଆପଣଙ୍କ ହାତରେ ପଠାଇଛନ୍ତି, ସେଥିରେ କ’ଣ ସବୁ କଥା ଲେଖା ହୋଇଛି, ଆପଣ ଜାଣନ୍ତି କି-?”

 

“ହଁ, ଜାଣିଛି ।”

 

“ଆମ ଦେଶରେ ବାଣିଜ୍ୟ ସହିତ, —ନାଇଁ, ନାଇଁ, ଉତ୍ପାଦିତ ସାମଗ୍ରୀଗୁଡ଼ିକର ବାଣିଜ୍ୟ ସହିତ କିଭଳି ସମ୍ପର୍କମାନ ରହିଛି, ପ୍ରବନ୍ଧଟିରେ ତାହାରି ଉପରେ ଆଲୋକପାତ କରାଯାଇଛି । ମୁଁ ଭାବୁଛି, ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା, ଆପଣ ମଧ୍ୟ ଶୀର୍ଷକଟିର ଏହିପରି ନାମକରଣ କରିଥିଲେ ।”

 

“ହଁ, ପ୍ରବନ୍ଧଟିରେ ସେହି ବିଷୟଟି...”, ନିଜର ଗୋଟିଏ ହାତକୁ ନିଜ କପାଳ ଉପରେ ଥାପି ଦରିଆ ମିହାଇଲୋଭ୍‍ନା ଆରମ୍ଭ କରିଥିଲେ ।

 

ଶ୍ରୀମାନ୍ ପିଗାସୋଭ୍ ପୁଣି କହିଲେ, “ଅବଶ୍ୟ ଏସବୁ ବିଷୟର କ୍ଷେତ୍ରରେ କିଛି ମତବ୍ୟକ୍ତ କରିବା ଲାଗି ମୋର ଯୋଗ୍ୟତା ହିଁ ନାହିଁ; କିନ୍ତୁ ମୁଁ ତଥାପି ଅବଶ୍ୟ କହିବି ଯେ, ପ୍ରବନ୍ଧଟିର ସେହି ଶୀର୍ଷକଟି ମଧ୍ୟ ବେଶ୍ ଅତିରିକ୍ତ ପରିମାଣରେ (କଥାଟିକୁ ମୁଁ ଆଉ କିପରି କିଞ୍ଚିତ ଅଧିକ କୋମଳ କରି କହିପାରିଥାନ୍ତି ?) ଅସ୍ପଷ୍ଟ ଓ ଜଟିଳ ହୋଇଯାଇଛି ।”

 

“ଜଟିଳ ଓ ଅସ୍ପଷ୍ଟ ବୋଲି ଆପଣଙ୍କୁ କାହିଁକି ମନେ ହେଉଛି ?”

 

ଶ୍ରୀଯୁକ୍ତ ପିଗାସୋଭ୍ ମୁରୁକି ହସାଟିଏ ହସି ଦୃଷ୍ଟି ପ୍ରସାରିତ କରି ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କ ଆଡ଼କୁ ଅନାଇଥିଲେ ଏବଂ ରୁଡ଼ିନ୍‌ଙ୍କ ଆଡ଼କୁ ଅନାଇ ନିଜର କୋକିଶିଆଳୀ ଆଖିଗୁଡ଼ିକୁ ଜୁଳୁ ଜୁଳୁ କରି ମଧ୍ୟ ପଚାରିଥିଲେ, “ଆଜ୍ଞା କହିଲେ, ଆପଣଙ୍କୁ ସ୍ପଷ୍ଟ ଲାଗୁଛି କି ?”

 

“ମୋତେ ? ମୋତେ ସ୍ପଷ୍ଟ ଲାଗୁଛି ।”

 

“ଆଚ୍ଛା ! ମାତ୍ର ଆପଣଙ୍କୁ ତ ସବୁ ଅଧିକ ଭଲ ଭାବରେ ଜଣା ବି ଥିବ ।”

 

“ଆପଣଙ୍କର ମୁଣ୍ଡ ବଥାଇଲା ପରି ଲାଗୁଛି କି ?—ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଶ୍ରୀମତୀ ଦରିଆଙ୍କୁ ପ୍ରଶ୍ନ କରିଥିଲେ ।

 

“ନାଇଁ, କେବଳ ମୋ’ ସ୍ନାୟୁଗୁଡ଼ାକ ।”

 

“ଆଜ୍ଞା, ମୁଁ ତେବେ ପଚାରୁଛି—“ପିଗାସୋଭ୍ ପ୍ରାୟ ଏକ ନାସିକା ପ୍ରଧାନ ସ୍ଵରରେ ପୁନର୍ବାର ଆରମ୍ଭ କରିଦେଲେ, “ଆପଣଙ୍କର ସେହି ବନ୍ଧୁ ସାମନ୍ତ—ମହାଭାଗ ଶ୍ରୀଯୁକ୍ତ ମୁଫେଲ୍—ତାଙ୍କର ନାଆଁଟା ପ୍ରକୃତରେ ତାହା ନା ।”

 

“ହଁ, ଠିକ୍ ସେହିପରି !’’

 

“ମହାଭାଗ ବ୍ୟାରନ୍, ମୁଫେଲ କ’ଣ ପ୍ରକୃତରେ ରାଜନୀତିମୂଳକ ଅର୍ଥ ବ୍ୟବସ୍ଥାର ସେପରି କୌଣସି ବିଶେଷ ଅଧ୍ୟୟନ ବି କରୁଛନ୍ତି ଅଥବା ନିଜର ସାମାଜିକ ସମ୍ପର୍କଗତ ସର୍ବବିଧ ମନୋରଞ୍ଜନ ଓ ସରକାରୀ ସକଳ ଅବଶ୍ୟ କର୍ତ୍ତବ୍ୟଗୁଡ଼ିକୁ କରି ସାରିବା ପରେ ତଥାପି ହାତରେ ରହି ପାରୁଥିବା କିଞ୍ଚିତ୍ ସମୟର ଏକ ଅତିରିକ୍ତ ଆପ୍ୟାୟନ ରୂପେ ଏହି ଆଗ୍ରହର ଉଦ୍ଦୀପକ ବିଷୟଟିକୁ ନେଇ କିଛି ପୁଲକ ହିଁ ଆହରଣ କରୁଛନ୍ତି ?”

 

ରୁଡ଼ିନ୍ ବେଶ୍ କଟମଟ ଆଖିରେ ପିଗାସୋଭ୍‌ଙ୍କ ଆଡ଼କୁ ଅନାଇ ରହିଥିଲେ । ତାଙ୍କର ମୁହଁଟି ବେଶ୍ ଲାଲ୍ ପଡ଼ିଯାଇଥିବା ପରି ହିଁ ଦିଶୁଥାଏ । କହିଲେ, “ବ୍ୟାରନ୍ ମହାଶୟ ପ୍ରଧାନତଃ ଏକ ସଉକ ହିସାବରେ ବିଷୟଟିର ଚର୍ଚ୍ଚା କରୁଛନ୍ତି । ମାତ୍ର, ତାଙ୍କର ସେହି ପ୍ରବନ୍ଧଟିରେ ବେଶ୍ ଅନେକ ଉପାଦାନ ରହିଛି, ଯାହାକି ଖୁବ୍ ଆଗ୍ରହ ମଧ୍ୟ ନିଶ୍ଚୟ ସୃଷ୍ଟି କରିବ । ସେଥିରେ କେତେ ସମୁଚିତ କଥା ମଧ୍ୟ କୁହାଯାଇଛି ।”

 

“ବିଷୟଟିକୁ ନେଇ ମୁଁ ଆପଣଙ୍କ ସହିତ ଆଦୌ କୌଣସି ବିତର୍କର ଉତ୍‌ଥାପନ କରିପାରି ନାହିଁ । ମୁଁ ପ୍ରବନ୍ଧଟିକୁ ପଢ଼ିନାହିଁ । ତଥାପି, ଏତିକି ପଚାରୁଛି, —ଆପଣଙ୍କର ବନ୍ଧୁ ବ୍ୟାରନ୍ ଶ୍ରୀ ମୁଫେଲ୍ ଯେଉଁ ରଚନାଟିକୁ ଲେଖିଛନ୍ତି, ଏଥର କୌଣସି ସନ୍ଦେହ ନାହିଁ ଯେ ସିଏ ସେଇଟିକୁ କେତୋଟି ସାଧାରଣ ଧାରଣା ଉପରେ ହିଁ ପ୍ରତିଷ୍ଠିତ କରାଇଛନ୍ତି ଏବଂ ସେଥିରେ ସେପରି କିଛି ସତ୍ୟ ନାହିଁ ।”

 

“ପ୍ରବନ୍ଧଟିରେ ସତ୍ୟ ରହିଛି ଏବଂ ସତ୍ୟମାନଙ୍କୁ ଆଧାର କରି ଅନୁମାନମାନେ ମଧ୍ୟ ରହିଛନ୍ତି ।”

 

“ଥିବ, ଅବଶ୍ୟ ଥିବ; ତଥାପି ମୁଁ ଆପଣଙ୍କୁ ନିଶ୍ଚୟ କହିବି ଯେ, ମୋର ନିଜ ମତଟି ଅନୁସାରେ, ଆପଣାର ଏକ ମତ ପ୍ରଦାନ କରିବାକୁ ମୋର ମଧ୍ୟ ଅଧିକାର ରହିଛି । ଏକଦା ମୁଁ ଡୋରପାଟ୍ ବିଶ୍ୱବିଦ୍ୟାଳୟରେ ଦୀର୍ଘ ତିନିବର୍ଷ ଅଧ୍ୟୟନ କରିଛି; —ଏସବୁ ସର୍ବ ପ୍ରକାରର ସାଧାରଣ ପ୍ରସ୍ତାବ, ଅନୁମାନ, ଏହି ଖାସ୍ ନିର୍ଯ୍ୟାସ ତଥା ସିଦ୍ଧାନ୍ତମାନ—ଆଜ୍ଞା, ମୋତେ ଆପଣ ମାଫ୍ କରିବେ, ଗ୍ରାମାଞ୍ଚଳରେ ହିଁ ମୋର ଜନ୍ମ, ତେଣୁ ସତକଥା କହୁଥିବା ସମୟରେ ମୁଁ ତାହାକୁ ଖୁବ୍ ସିଧା ଏବଂ ତୀଖ ଭାବରେ ହିଁ କହିଥାଏ—ସେଗୁଡ଼ିକର ପ୍ରକୃତରେ ମୂଲ୍ୟ ହିଁ ନଥାଏ । କେବଳ ଜିରାରୁ ଶିରା କଢ଼ାଯାଇଥିବା ବାଗିର୍‍ଗୁଡ଼ିଏ ସିଦ୍ଧାନ୍ତ ଏବଂ ତତ୍ତ୍ଵ ପ୍ରଧାନତଃ ସାଧାରଣ ମନୁଷ୍ୟମାନଙ୍କୁ ଭୁଲ ବାଟରେ ଉସ୍‍କାଇ ନେବା ନିମନ୍ତେ ଉଦ୍ଦିଷ୍ଟ । ତେଣୁ ମହାଶୟ, ଆମକୁ ସତ୍ୟ ହିଁ ଦିଅନ୍ତୁ, ପ୍ରକୃତ ସ୍ଥିତିଗୁଡ଼ିକ ଉପରେ ଆଧାରିତ ସତ୍ୟଗୁଡ଼ିକୁ ଦିଅନ୍ତୁ । ଏବଂ ପ୍ରକୃତରେ ସେତିକି ଯଥେଷ୍ଟ ।”

 

ରୁଡ଼ିନ୍ ବେଶ୍ କର୍କଶ ଭାବରେ ପ୍ରତିକ୍ରିୟାଟିଏ ବ୍ୟକ୍ତ କରିଥିଲେ : “ହଁ, ଅବଶ୍ୟ ଏକ ସତ୍ୟ କଥା । ମାତ୍ର, ତଥାପି ପ୍ରାପ୍ତ ସତ୍ୟଗୁଡ଼ିକର ତାତ୍ପର୍ଯ୍ୟଟିକୁ ମଧ୍ୟ ଦର୍ଶାଇ ଦେବାକୁ ତ ହେବ !”

 

ପିଗାସୋଭ୍ ପୁଣି କହିଲେ, “ଏହି ସାଧାରଣ ମତ ଏବଂ ସିଦ୍ଧାନ୍ତଗୁଡ଼ାକୁ ମୋର ବହୁତ ଘୃଣା । ସିଦ୍ଧାନ୍ତ ଏବଂ ନିଷ୍କର୍ଷମାନଙ୍କୁ । ଏହି ସକଳ କିଛି ନିଜର ଏକାନ୍ତ ପ୍ରତ୍ୟୟ ଓ ବିଶ୍ଵାସମାନଙ୍କୁ ଆଣି ଲଦି ଦେବାର ଗୋଟିଏ ଗୋଟିଏ ମାର୍ଗ । ଏମାନେ ପ୍ରତ୍ୟେକେ କେବଳ ନିଜ ନିଜର ପ୍ରତ୍ୟୟଗୁଡ଼ିକୁ ଆଣି ଉପସ୍ଥାପିତ କରି ଦିଅନ୍ତି । ସେହିଗୁଡ଼ିକୁ ହିଁ ସବୁଠାରୁ ଅଧିକ ମହତ୍ତ୍ଵ ବିଶିଷ୍ଟ ବୋଲି କହନ୍ତି ଏବଂ ସେପରି କରି ଗୁର୍ଦ୍ଦୁ ଗର୍ବ ବି ଅନୁଭବ କରନ୍ତି । ନୁହେଁ... !”

 

ଏବଂ ଶ୍ରୀ ପିଗାସୋଭ୍ ନିଜର ବଦ୍ଧମୁଷ୍ଟି ଦ୍ଵାରା ସତେ ଅବା ଶୂନ୍ୟକୁ ଚାପୁଡ଼ାଟାଏ ମାରିଦେଲେ । ସମ୍ଭବତଃ ସେଥିରେ ଆମୋଦିତ ହୋଇ ପାଣ୍ଡାଲେଭ୍‌ସ୍କି ହସି ପକାଇଥିଲେ ।

 

“ଅତ୍ୟନ୍ତ ଚମତ୍କାର !” —ରୁଡ଼ିନ୍ ମନ୍ତବ୍ୟ ଦେଲେ । “ତେବେ, ଏଥିରୁ ହୁଏତ ଜଣାଯାଉଛି ଯେ ଆପଣଙ୍କର ମତରେ ଜଣେ ବ୍ୟକ୍ତିର ସ୍ଵପ୍ରତ୍ୟୟ ବୋଲି ଏହି ପୃଥିବୀରେ ଆଦୌ କିଛି ନାହିଁ ।”

 

“ନାହିଁ, ମୋଟେ ନାହିଁ ।”

 

“ଏଇଟି ହେଉଛି ଆପଣଙ୍କର ବିଶ୍ଵାସ—ସ୍ଵପ୍ରତ୍ୟୟ !”

 

“ହଁ ।”

 

“ତେବେ, ଜଣେ ବ୍ୟକ୍ତିର ନିଜ ପ୍ରତ୍ୟୟ ନାହିଁ ବୋଲି ଆପଣ ପୁଣି କିପରି କହୁଛନ୍ତି ? ଆପଣଙ୍କର ତ ନିଜର ଏକ ପ୍ରତ୍ୟୟ ବୋଲି କିଛି ରହିଛି ବୋଲି ପ୍ରଥମରୁ ହିଁ ଜଣା ପଡ଼ିଗଲା ।”

 

ସେଠାରେ ଉପସ୍ଥିତ ସମସ୍ତେ ହିଁ ଥିରି ଥିରି ହସୁଥିଲେ ଓ ପରସ୍ପର ଆଡ଼କୁ ଅନାଇବାରେ ବି ଲାଗିଥିଲେ ।

 

“ଆପଣମାନେ ମୁହୂର୍ତ୍ତେ ଅପେକ୍ଷା କରନ୍ତୁ; ହଁ ମୁହୂର୍ତ୍ତେ । ମାତ୍ର—” ପିଗାସୋଭ୍‍ ପୁଣି କିଛି କହିବାକୁ ଇଚ୍ଛା କରୁଥିଲେ । କିନ୍ତୁ ଦରିଆ ମିହାଇଲୋଭ୍‌ନା ଖୁବ୍ ଜୋରରେ ତାଳି ମାରିଲେ ଏବଂ ବଡ଼ ପାଟିରେ କହିଲେ, “ଖୁବ୍ ଚମତ୍କାର, ଅତ୍ୟନ୍ତ ଚମତ୍କାର । ଶ୍ରୀ ପିଗାସୋଭ୍‌ଙ୍କର ପରାଜୟ ହେଲା ।” ତା’ପରେ ସିଏ ଅତ୍ୟନ୍ତ ଧୀର ଭାବରେ ରୁଡ଼ିନ୍‌ଙ୍କର ଟୋପିଟିଙ୍କୁ ତାଙ୍କ ହାତରୁ କାଢ଼ି ବାହାର କରିନେଲେ ।

 

Unknown

ପିଗାସୋଭ୍‌ ବର୍ତ୍ତମାନ ଅତ୍ୟନ୍ତ ରୁଷ୍ଟି ହୋଇ କହିଲେ, “ମହାଶୟା, ଆପଣ ନିଜ ଆନନ୍ଦଟିକୁ ବର୍ତ୍ତମାନ କିଛି ସମୟ ନିମନ୍ତେ ପ୍ରତ୍ୟାହୃତ କରି ନିଅନ୍ତୁ । ସେଥିପାଇଁ ଆପଣଙ୍କୁ ପରେ ମଧ୍ୟ ଅନେକ ସମୟ ମିଳିବ । ......କେବଳ କିଛି ଚାତୁରୀ ଦେଖାଇ କଥାଟାଏ କହିଦେଲେ ସବୁକିଛି ହୋଇଯାଏ ନାହିଁ । ତୁମେ ଆପଣାକୁ ଅନ୍ୟମାନଙ୍କ ତୁଳନାରେ ଅଧିକ ବୁଦ୍ଧିସମ୍ପନ୍ନ ବୋଲି ଦେଖାଇଲେ ମଧ୍ୟ ତଥାପି ସମାଧାନ ହୋଇଯିବ ନାହିଁ । ପ୍ରକୃତ ପ୍ରଣାମ ବି ଦେବାକୁ ପଡ଼ିବ, —ଅନ୍ୟ ମତଗୁଡ଼ିକର ଖଣ୍ଡନ କରିବାକୁ ହେବ । ଆମ ଅସଲ ଆଲୋଚନାର ବିଷୟଟିରୁ ଆମେ ବହୁତ ଦୂରକୁ ହିଁ ଆସିଗଲୁଣି ।”

 

ବେଶ୍ ଥଣ୍ଡା ମିଜାଜରେ ରୁଡ଼ିନ୍ ତା’ପରେ କହିଥିଲେ, “ଆପଣଙ୍କର ଅନୁମତି ନେଇ ମୁଁ ଏତିକି ମାତ୍ର କହୁଛି ଯେ, କଥାଟି ଆଦୌ ସେତେ ଜଟିଳ ନୁହେଁ । ବରଂ ଖୁବ୍‍ ସରଳ ବୋଲି କୁହାଯାଇପାରିବ । ସାଧାରଣ ସିଦ୍ଧାନ୍ତ ଗୁଡ଼ିକରେ ଆପଣ ବିଶ୍ଵାସ କରୁନାହାନ୍ତି, —ପ୍ରତ୍ୟେକ ବ୍ୟକ୍ତିର ସ୍ଵପ୍ରତ୍ୟୟମାନ ରହିଛି ବୋଲାଇ ଆପଣ ବିଶ୍ଵାସ କରୁନାହାନ୍ତି ?”

 

“ସେଗୁଡ଼ିକ ଉପରେ ମୋର ବିଶ୍ଵାସ ନାହିଁ—ଆଦୌ କିଛି ଉପରେ ହିଁ ବିଶ୍ଵାସ ନାହିଁ ।”

 

“ବୁଝିଲି । ଆପଣ ଜଣେ ସଂଶୟବାଦୀ ।”

 

“ଏପରି ପାଣ୍ଡିତ୍ୟପୂର୍ଣ୍ଣ ଖାସ୍ ଶବ୍ଦଟିଏ ବ୍ୟବହାର କରିବାର ଆଦୌ ପ୍ରୟୋଜନ ନାହିଁ । ତଥାପି—”

 

“କଥାରେ ମୋଟେ ବାଧା ଦିଅନାହିଁ ।” —ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ସତର୍କ କରିଦେଲେ ।

 

“ତାଙ୍କୁ ବୃଥା କାହିଁକି କହୁଛନ୍ତି କେଜାଣି ।” —ପାଣ୍ଡାଲେଭ୍‌ସ୍କି ମନକୁ ମନ କହିପକାଇଥିଲେ । ଏବଂ ଖାଲି ମୁରୁକି ହସିବାରେ ଲାଗିଥିଲେ ।

 

ରୁଡ଼ିନ୍ ବୁଝାଇ ଦେଉଥିବା ପରି ତା’ପରେ ପୁଣି କହିଲେ, “ସେହି ଶବ୍ଦଟି ଦ୍ଵାରା ମୋ’ କଥାର ଅର୍ଥଟି ସମ୍ପୂର୍ଣ୍ଣ ଭାବରେ ହିଁ ସ୍ପଷ୍ଟ ହୋଇଯାଉଛି । ଆପଣ ବି ତ ଶବ୍ଦଟିର ଅର୍ଥକୁ ଜାଣିଛନ୍ତି, ତେଣୁ କ’ଣ ପାଇଁ ବ୍ୟବାହର ନ କରିଛନ୍ତି । ଆପଣ ତ ଆଦୌ କୌଣସିଟିରେ ବିଶ୍ଵାସ କରୁନାହାନ୍ତି, ତେବେ ପ୍ରକୃତ ତଥ୍ୟଗୁଡ଼ାକ ଉପରେ ମଧ୍ୟ କାହିଁକି ଏତେ ଆସ୍ଥା ରଖୁଛନ୍ତି ?”

 

“କାହିଁକି ? ତାହା ଠିକ୍ ବୋଲି । ତଥ୍ୟ ଅର୍ଥାତ୍ ମୁଁ ଯାହାକୁ ପ୍ରତ୍ୟକ୍ଷ ଅଭିଜ୍ଞାତାରୁ ଜାଣିଛି-। ଏହି ତଥ୍ୟରୂପକ ସତ୍ୟଟି ପ୍ରକୃତରେ କ’ଣ । ସେକଥା ତ ସମସ୍ତେ ଜାଣିଛନ୍ତି । ସେହି ତଥ୍ୟଗୁଡ଼ିକୁ ମୁଁ ଆପଣା ପ୍ରତ୍ୟକ୍ଷ ଅଭିଜ୍ଞତାମାନଙ୍କରୁ/ଜାଣିଛି—ମୋର ଇନ୍ଦ୍ରିୟଗୁଡ଼ିକର ପ୍ରତ୍ୟକ୍ଷ ଅଭିଜ୍ଞାତାରୁ ।”

 

“କିନ୍ତୁ, ଆପଣଙ୍କର ଇନ୍ଦ୍ରିୟମାନେ ଆପଣଙ୍କୁ ବେଳେ ବେଳେ ଧୋକାରେ ମଧ୍ୟ ପକାଇ ଦେଉନଥିବେ କି ? ଏହି ଆଖି ନାମକ ଇନ୍ଦ୍ରିୟ ତ କହୁଛି ଯେ ସୂର୍ଯ୍ୟ ପୃଥିବୀର ଚାରିପାଖେ ବୁଲୁଛନ୍ତି । ....ତେବେ ଆପଣ କ’ଣ ସେହି କାରଣରୁ ସମ୍ଭବତଃ କୋପରନିକ୍‌ସଙ୍କ କଥାରେ ବିଶ୍ଵାସ କରିବେ ନାହିଁ ? ଅର୍ଥାତ୍ ତାଙ୍କୁ ଆପଣ ବିଶ୍ୱାସ କରିବେ ନାହିଁ ?”

 

ପୁନର୍ବାର ଉପସ୍ଥିତ ସବୁରି ମୁଖ ଉପରେ ଈଷତ୍ ହସ ଫୁଟି ଉଠିଲା ଏବଂ ସମସ୍ତଙ୍କର ଦୃଷ୍ଟ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କ ସଂକେନ୍ଦ୍ରିତ ହେବାରେ ଲାଗିଥିଲା । “ସିଏ କଦାପି ଜଣେ ନିର୍ବୋଧ ବ୍ୟକ୍ତି ନୁହନ୍ତି, —ସମସ୍ତେ ନିଶ୍ଚୟ ସେହି କଥାଟିକୁ ଭାବୁଥିଲେ ।”

 

“ଆପଣ ଇଚ୍ଛା କଲେ ଅବଶ୍ୟ ବ୍ୟଙ୍ଗ କରିପାରିବେ” —ପିଗାସୋଭ୍‌ କହିଥିଲେ “ହଁ, ସେଇଟି ମଧ୍ୟ ଅବଶ୍ୟ ମୂଳଭୂତ କଥାଟିଏ—ମାତ୍ର ଆଦୌ ପ୍ରାସଙ୍ଗିକ ନୁହେଁ ।”

 

ଶ୍ରୀଯୁକ୍ତ ରୁଡ଼ିନ୍ ତା’ପରେ କହିଥିଲେ, “ଏ ପର୍ଯ୍ୟନ୍ତ ମୁଁ ଯାହା କିଛି କହିଛି, ଦୁଃଖର କଥା ଯେ ସେ ସବୁଥିରେ ମୂଳଭୂତ ବୋଲି ସେପରି ବିଶେଷ କିଛି ନାହିଁ । ସବୁ ମନୁଷ୍ୟ ବେଶ୍ ଏକ ଦୀର୍ଘ କାଳ ହୋଇ ଉତ୍ତମ ରୂପେ ଜାଣି ଆସିଛନ୍ତି—ଏବଂ ଯାହା ହଜାର ହଜାର ବାର କୁହାହୋଇଆସିଛି-। ସେଇଟି ଆଦୌ ଅସଲ ସାରକଥାଟି ନୁହେଁ ।”

 

“ତେବେ ସାରକଥାଟି ପୁଣି କ’ଣ ? —ପିଗାସୋଭ୍‌ ପଚାରିଥିଲେ । ସେଥିରେ କୌଣସି ଉଦ୍ଧତଭାବ ନଥିଲା ବୋଲି ଆଦୌ କୁହାଯିବ ନାହିଁ ।

 

ସର୍ବବିଧ ଆଲୋଚନାରେ ସେ ପ୍ରଥମେ ନିଜ ବିରୋଧୀମାନଙ୍କୁ ପରିହାସ କରି ଘବରାଇ ଦେଉଥିଲେ, ତା’ପରେ ତାଙ୍କ ପ୍ରତି ରୁଷ୍ଟ ଭାବରେ ପ୍ରଦର୍ଶନ କରୁଥିଲେ ଏବଂ ପରିଶେଷରେ ଖୁବ୍ ଅପ୍ରସନ୍ନ ହୋଇ ତୁନି ମଧ୍ୟ ପଡ଼ିଯାଉଥିଲେ । ରୁଡ଼ିନ୍ କହିଲେ, “ତେଣୁ ବେଶ୍ ପ୍ରମାଣିତ ହେଉଛି ଯେ, ମୁଁ ଜିତିଲି, ନିତାନ୍ତ ଭଲ ଓ ସାଷ୍ଟାମ ମଣିଷମାନେ ଏପରି ଆକ୍ରମଣ କରିବା ଲାଗି ଉଦ୍ୟତ ହୁଅନ୍ତି ବୋଲି ଶୁଣିଲେ ମୋର ମନରେ ବସ୍ତୁତଃ କ୍ଷୋଭ ହିଁ ଜନ୍ମିଥାଏ—”

 

“ସିଦ୍ଧାନ୍ତଗୁଡ଼ିକ ଉପରେ ଆକ୍ରମଣ କରୁଥିବାର ଶୁଣିଲେ ?” —ପିଗାସୋଭ୍‌ ବାଧା ଦେଇ କହିଥିଲେ ।

 

“ହଁ, —ଆପଣଙ୍କର ଅନୁମତି ନେଇ କହିବି, ସିଦ୍ଧାନ୍ତଗୁଡ଼ିକ ଉପରେ ବି । ସେହି ଶବ୍ଦଟିକୁ ଶୁଣି ଆପଣ ଏତେ ଭୟଭୀତ କାହିଁକି ହୋଇ ପଡ଼ୁଛନ୍ତି ? ପ୍ରତ୍ୟେକ ସାଧାରଣ ସିଦ୍ଧାନ୍ତ ମୂଳଭୂତ କେତୋଟି ନିୟମର ଜ୍ଞାନ ଉପରେ ଆଧାର କରି ହିଁ ଛାଡ଼ି ହୋଇଥାଏ, ଜୀବନର ନୀତିଗୁଡ଼ିକ ଉପରେ ।”

 

“ମାତ୍ର, ସେମାନଙ୍କୁ ଜାଣିବା ଉପରେ କିମ୍ବା ଆବିଷ୍କାର କରିବା ଉପରେ ନିର୍ଭର କରି ଆଦୌ ନୁହେଁ ।”

 

“ଟିକିଏ ରହନ୍ତୁ ଆପଣ ! ମଣିଷମାତ୍ରେ ସମସ୍ତେ ଯେ ତାହାର ଆବିଷ୍କାର କରିବେ, ସେ କଥା କଦାପି ସହଜ ନୁହେଁ । ତେଣୁ, ସ୍ଵଭାବତଃ ବହୁତ ଭୁଲ ମଧ୍ୟ କରିବେ । ତଥାପି, ଆପଣ ନିଶ୍ଚୟ ମୋ ସହିତ ଏ କଥାରେ ସମ୍ମତ ହେବେ ଯେ, ଉଦାହରଣ ସ୍ୱରୂପ ଅନ୍ତତଃ ନିଉଟନ୍ ଏହିପରି ଅନ୍ତତଃ କେତୋଟି ମୌଳିକ ନିୟମର ନିଶ୍ଚୟ ଆବିଷ୍କାର କରିଛନ୍ତି । ତାଙ୍କର ନାହିଁ ନଥିବା ପ୍ରତିଭା ରହିଥିଲା । ମାତ୍ର, ବିଶେଷ ପ୍ରତିଭାମାନେ କରୁଥିବା ଆବିଷ୍କାରଗୁଡ଼ିକର ସର୍ବଦା ଏହି ଐଶ୍ଵର୍ଯ୍ୟଟିଏ ଅବଶ୍ୟ ରହିଥାଏ ଯେ, ସେମାନେ ଆମ ସମସ୍ତଙ୍କର ସମ୍ପଦ ତଥା ଉତ୍ତରାଧିକାରରେ ସଚରାଚର ପରିଣତ ହୋଇଯାଆନ୍ତି । ଆମର ଚତୁର୍ଦ୍ଦିଗରେ ସର୍ବଦା ଏତେ ଏତେ ବସ୍ତୁ ଓ ଏତେ ଏତେ ଘଟଣା, —ତଥାପି, ସେଗୁଡ଼ିକର ପ୍ରତ୍ୟକ୍ଷ କରି ମୂଳସ୍ଥ ବିଶ୍ଵବିଧାନଗୁଡ଼ିକୁ ଆବିଷ୍କାର କରିବା, —ଆମେ ସେଇଟିକୁ ହିଁ ମନୁଷ୍ୟ ଭାବନା ତଥା ଆମର ଏହି ସମୁଦାୟ ସଭ୍ୟତାର ଗୋଟିଏ ଗୋଟିଏ ମୂଳଭୂତ ବୈଶିଷ୍ଟ୍ୟ ବୋଲି କହିବା ।”

 

“ବର୍ତ୍ତମାନ ବୁଝିଲି । ତେବେ ଆପଣ ଏହି କଥାଟିକୁ କହିବା ଲାଗି ଇଚ୍ଛା କରୁଥିଲେ” ପିଗାସୋଭ୍‌ ମାନି ଯାଉଥିଲା ପରି ବେଶ ଥଙ୍ଗେଇ ଥଙ୍ଗେଇ କହିବାକୁ ଆରମ୍ଭ କଲେ, “ହଁ, ମୁଁ ହେଉଛି ଜଣେ ବାସ୍ତବ ବିଶ୍ଵାସୀ ସିଧା ମଣିଷ ଏବଂ ସେହି କାରଣରୁ ବଡ଼ ବଡ଼ ତତ୍ତ୍ଵ କାଥାମାନଙ୍କ ଭିତରେ ଆଦୌ ପ୍ରବେଶ କରିବାକୁ ଯାଏ ନାହିଁ । ଇଚ୍ଛା ମଧ୍ୟ କରେ ନାହିଁ ।”

 

“ବଡ଼ ଉତ୍ତମ କଥା । ଆପଣଙ୍କର ରୁଚି ଯେପରି, ଆପଣ ସେହିପରି ଅବଶ୍ୟ ହେବେ । କିନ୍ତୁ କଦାପି ଭୁଲିବେ ନାହିଁ ଯେ, ସମ୍ପୂର୍ଣ୍ଣ ଭାବରେ ଜଣେ ବାସ୍ତବ ବିଶ୍ଵାସୀ ହେବାର ଏହି ବାସନାଟି, ସେଇଟି ହେଉଛି ଆପଣଙ୍କ ଦ୍ଵାରା ଗୃହୀତ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ—ଆପଣଙ୍କର ତତ୍ତ୍ଵ ।”

 

“ଆପଣ ସଭ୍ୟତା ବିଷୟରେ କହୁଥିଲେ ନା !” —ପିଗାସୋଭ୍‌ଙ୍କର ପାଟିରୁ ବାହାରି ପଡ଼ିଥିଲା, —“ସେଇଟି ମଧ୍ୟ ଆପଣଙ୍କର ଆଉ ଗୋଟିଏ ପ୍ରଶଂସନୀୟ ନିଜ ଧାରଣ । ଏହି ସଭ୍ୟତା ଦ୍ଵାରା ଆମର ପ୍ରକୃତରେ ବହୁତ ବହୁତ କାର୍ଯ୍ୟ ମଧ୍ୟ ସାଧିତ ହେଉଛି । ସେହି କାରଣରୁ ସିନା ଆମେ ତାହାକୁ ନେଇ ଏତେ ଏତେ ଗର୍ବ କରିପାରୁଛୁ । ମୁଁ କିନ୍ତୁ ଅପାଣମାନଙ୍କର ସେହି ସଭ୍ୟତା ପାଇଁ କଣି କଉଡ଼ିଟାଏ ମଧ୍ୟ ଦେବି ନାହିଁ ।

 

ଏକଥା ଶୁଣି ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା । ବାଧା ଦେବା ପରି କହିଥିଲେ “ଶ୍ରୀଯୁକ୍ତ ଆଫ୍ରିକାନ୍ ସେମେନିଚ୍—ଆପଣଙ୍କର ଏହି ଯୁକ୍ତିଟିରେ କିନ୍ତୁ ଆଦୌ କୌଣସି ଜୀଅ ନାହିଁ-।” ନୂତନ ଭାବେ ପରିଚିତ ଶ୍ରୀ ରୁଡ଼ିନ୍‌ଙ୍କର କଥାମାନଙ୍କର ତାଙ୍କର ଧୀର ସ୍ଵଭାବ ଏବଂ ଗୋଟାପଣେ ଉତ୍ତମ ସଂସ୍କାରର ଆଭାସମାନ ପାଇ ସେ ମନକୁ ମନ ବହୁତ ଖୁସି ହୋଇଯାଇଥାନ୍ତି-। “ସିଏ ଜଣେ କେଡ଼େ ପୂର୍ଣ୍ଣ ଔଚିତ୍ୟସମ୍ପନ୍ନ ମଣିଷ—” ସେ ନିଜ ମନେ ମନେ ଭାବୁଥିଲେ ଏବଂ କେତେ ନା କେତେ ଜିଜ୍ଞାସୁତାପୂର୍ଣ୍ଣ ଆଖିରେ ସେ ରୁଡ଼ିନ୍‌ଙ୍କ ଆଡ଼କୁ ବାରମ୍ବାର ଅନାଇବାରେ ମଧ୍ୟ ଲାଗିଥାନ୍ତି । ତେଣୁ କହିଲେ ବି, “ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କ ପ୍ରତି ଆମେ ସମସ୍ତେ ଅବଶ୍ୟ ଉତ୍ତମ ବ୍ୟବାହର ଦେଖାଇବା ।” ସେହି ଶେଷ କେତୋଟି ଶବ୍ଦକୁ ଶ୍ରୀମତୀ ଦରିଆ ମନେ ମନେ ରୁଷ୍‍ ଭାଷାରେ ଉଚ୍ଚାରଣ କରିଥିଲେ ।

 

କେତେ ମୁହୂର୍ତ୍ତ ନୀରବ ରହିବା ପରେ ରୁଡ଼ିନ୍ କହିଲେ, “ମୁଁ ମୋଟେ ସଭ୍ୟତାର ପକ୍ଷସମର୍ଥନ କରି କିଛି ବଢ଼ାଇ ବଢ଼ାଇ କହିବି ନାହିଁ । ସଭ୍ୟତା ମଧ୍ୟ ମୋର ସେହି ପ୍ରଶଂସା ବାକ୍ୟ ଉପରେ ଆଦୌ ନିର୍ଭରଶୀଳ ହୋଇ ରହିନାହିଁ । ଆପଣ ସଭ୍ୟତାକୁ ଭଲ ବୋଲି ଭାବୁନାହାନ୍ତି । ସେଇଟି ଆପଣଙ୍କର ନିଜ ରୁଚିର ହିଁ ବିଷୟ । ପୁନଶ୍ଚ, ଏହିପରି କହିବାରେ ଲାଗିଥିଲେ କଥା ମଧ୍ୟ ସରିବ ନାହିଁ । ଏଠାରେ ମୁଁ ଆପଣଙ୍କୁ କେବଳ ସେଇ ପୁରାତନ ଲୋକୋକ୍ତିଟି ବିଷୟରେ ହିଁ ସ୍ମରଣ କରାଇ ଦେବି । ‘ଆଜ୍ଞା, ଆପଣ ରାଗିଗଲେଣି, ତେଣୁ ଆପଣଙ୍କର କଥା ଠିକ୍ ବୋଲି କୁହାଯାଇ ପାରିବ ନାହିଁ ।’ ମୁଁ ମୂଳତଃ କହିବାକୁ ଚାହୁଁଥିଲି ଯେ, ସିଦ୍ଧାନ୍ତ ଅର୍ଥାତ୍ ସାଧାରଣ ସତ୍ୟମାନଙ୍କ ଉପରେ ଯେଉଁସବୁ ନାନା ଆକ୍ରମଣ ହୋଇଥାଏ, ସେଗୁଡ଼ିକୁ ବସ୍ତୁତଃ ବିଶେଷ ଭାବରେ ବହୁ କ୍ଷୋଭର ହିଁ କାରଣ ହୁଏ । କାରଣ, ସିଦ୍ଧାନ୍ତଗୁଡ଼ିକର ବିରୋଧ କରିବା ସହିତ ଲୋକମାନେ ଅଧିକାଂଶତଃ ଯାବତୀୟ ସତ୍ୟଜ୍ଞାନର ହିଁ ବିରୋଧ କରୁଥାଆନ୍ତି । ସେଥିରେ ନିହିତ ସର୍ବବିଧ ବିଜ୍ଞାନ ତଥା ବିଶ୍ଵାସ ପ୍ରତ୍ୟୟମାନଙ୍କର ବିରୋଧ ମଧ୍ୟ କରନ୍ତି । ଅର୍ଥାତ୍ ସେମାନେ ସେମାନଙ୍କର ନିଜ ଉପରେ ଥିବା ବିଶ୍ଵାସଟିକୁ ମଧ୍ୟ ହରାଇ ବସନ୍ତି, —ସେମାନଙ୍କ ନିଜଠାରେ ରହିଥିବା ଶକ୍ତି ହରାଇ ଦେଇଥାନ୍ତି । ମାତ୍ର, ମନୁଷ୍ୟମାନଙ୍କର ସକାଶେ ତ ସେହି ବିଶ୍ଵାସଟି ହେଉଛି ଅସଲ କଥା । କାରଣ ଆଦୌ କୌଣସି ସ୍ଥାୟୀ ବିଶ୍ଵାସର ପୋଷଣ କରୁନଥିଲେ ସେମାନେ କେବଳ ନିଜର କ୍ଷଣ କ୍ଷଣର ପ୍ରତ୍ୟକ୍ଷଗୁଡ଼ିକ ବଳରେ କଦାପି ବଞ୍ଚି ରହିପାରନ୍ତେ ନାହିଁ । ସେମାନେ ଯେ ସତ୍ୟକୁ ଭୟ କରୁଥାନ୍ତି ଏବଂ ସେଗୁଡ଼ିକ ଉପରୁ ବିଶ୍ୱାସ ମଧ୍ୟ ହରାଇ ବସନ୍ତି—ତଦ୍ଦ୍ୱାରା ବସ୍ତୁତଃ କେବଳ ଭୁଲ୍‍ ହିଁ କରନ୍ତି । ଅର୍ଥାତ୍‍ ସଂଶୟବାଦ ସକଳ କ୍ଷେତ୍ରରେ ଆମକୁ ଯାବତୀୟ ସମ୍ଭାବନାର ପୂର୍ତ୍ତି ନିମନ୍ତେ ଅଯୋଗ୍ୟ କରିଦିଏ—ବଳହୀନ କରି ପକାଏ ।”

 

“ସବୁକିଛି ତୁଚ୍ଛା ଗୁଡ଼ାଏ ଶବ୍ଦ ।” —ପିଗାସୋଭ୍‍ ପ୍ରତିକ୍ରିୟା ପ୍ରକାଶ କଲେ ।

 

“ହଁ, ହୁଏତ ଶବ୍ଦ । ମାତ୍ର, ଗୋଟିଏ କଥା କହିବାକୁ ଆପଣ ମୋତେ ଅନୁମତି ଦିଅନ୍ତୁ ଯେ, ଯେତେବେଳେ ଆମେ ‘ଏହି ସବୁକିଛି କେବଳ ଶବ୍ଦ’ ବୋଲି କହୁ, ସେତେବେଳେ ଆମେ ସେହି ଶବ୍ଦଗୁଡ଼ିକଠାରୁ କିଞ୍ଚିତ୍ ପରିମାଣରେ ବି ଅଧିକ ମହତ୍ତ୍ଵପୂର୍ଣ୍ଣ ଆଦୌ କିଛି କହିବାର ଆବଶ୍ୟକତାଠାରୁ ଏଡ଼ି ରହିଯିବା ନିମନ୍ତେ ମଧ୍ୟ ଅନେକ ସମୟରେ ବେଶ୍ ବାଟ ଛାଡ଼ି ଦେଉ ।”

 

“କ’ଣ କହିଲେ !” —ସବେଗ ପଲକମାନ ପକାଇ ପିଗାସୋଭ୍ କହିଲେ ।

 

ଶ୍ରୀ ରୁଡ଼ିନ୍ ଜବାବ ଦେଲେ “ମୋ କଥାର ଅର୍ଥକୁ ଆପଣ ଖୁବ୍ ବୁଝି ପାରୁଛନ୍ତି ।” —ଇଚ୍ଛା କରୁନଥିଲେ ମଧ୍ୟ ତଥାପି ରୁଡ଼ିନ୍ ଆପଣାର ପ୍ରାୟ ଏକ ଧୈର୍ଯ୍ୟଚ୍ୟୁତିକୁ ଚାପି ରଖି ହିଁ କହିବାକୁ ଲାଗିଲେ, “ତେବେ ମୁଁ ଦୋହାରାଇ କହୁଛି, ଯଦି ଜଣେ ମନୁଷ୍ୟ ବ୍ୟକ୍ତି ସିଏ ବିଶ୍ଵାସ ସ୍ଥାପନ କରିପାରିଥିବା କୌଣସି ଦୃଢ଼ ନୀତି ନିର୍ଭରତା ନଥାଏ, ମଜବୁତ ଭାବରେ ଠିଆ ହୋଇ ପାରିବା ଲାଗି ଗୋଡ଼ ତଳେ କୌଣସି ଭୂମି ନଥାଏ । ତେବେ ସିଏ ନିଜର ଆବଶ୍ୟକତାଗୁଡ଼ିକର କିପରି କୌଣସି ସମୁଚିତ ଆକଳନ କରି ବି ପାରିବ, —ତା’ ନିଜ ଦେଶର ନାନାଭଳି ପ୍ରବୃତ୍ତି ତଥା ତାହାର ଭବିଷ୍ୟତଟିକୁ ମଧ୍ୟ କିପରି ବୁଝିବାରେ ସମର୍ଥ ହେବ ? ଏବଂ ଆପଣାର କର୍ତ୍ତବ୍ୟଗୁଡ଼ିକୁ ମଧ୍ୟ କିଭଳି ଜାଣିବ ଯଦି— ?”

 

“ହଁ, ଆପଣ କହିଯାଆନ୍ତୁ । ମୁଁ ଆଦୌ କୌଣସି ବାଧା ଦେବି ନାହିଁ ।” —ପିଗାସୋଭ୍ ବେଶ୍ ତେଢ଼ା ହୋଇ ଉତ୍ତରଟିଏ ଦେଇଥିଲେ ଏବଂ ତା’ପରେ ନିଜର ମୁଣ୍ଡଟିକୁ ନୁଆଇଁ ଆଣି ଆଦୌ କାହାଆଡ଼କୁ ନ ଅନାଇ କକ୍ଷଟି ମଧ୍ୟରୁ ବାହାରି ଚାଲିଯାଇଥିଲେ ।

 

ଶ୍ରୀଯୁକ୍ତ ରୁଡ଼ିନ୍ ଆଖି କଟମଟ କରି ତାଙ୍କ ଆଡ଼କୁ ଅନାଇଥିଲେ; ଏବଂ ଗୋଟିଏ ହେଲେ ଶବ୍ଦ ବି ଉଚ୍ଚାରଣ ନ କରି କେବଳ ମୁରୁକି ମୁରୁକି ହସୁଥିଲେ ।

 

“ସିଏ ପଳାୟନ ହିଁ କଲେ ।” —ଶ୍ରୀମତୀ ଦରିଆ ମିହାଇଲୋଭ୍‌ନ ମନ୍ତବ୍ୟ ଦେଲେ । “ଶ୍ରୀଯୁକ୍ତ ଡିମିଟ୍ରି, ଆପଣ ଆଦୌ କିଛିହେଲେ ମନେ କରିବେ ନାହିଁ । ଆପଣ ମୋତେ କ୍ଷମା କରିବେ ।” —ଏକ ବନ୍ଧୁତାପୂର୍ଣ୍ଣ ହସ ହସି ତା’ପରେ ସେ କହିଥିଲେ । “ହଁ, ଆପଣଙ୍କର ପରିବାରର ସାଙ୍ଗିଆଟି କ’ଣ ଯେ ।”

 

“ନିକୋଲାଇଚ୍ ।”

 

“ଆପଣ ଆଦୌ କିଛି ହେଲେ ଭାବିବେ ନାହିଁ । ଡିମିଟ୍ରି ନିକୋଲାଇଚ୍ ! ସିଏ ଆମକୁ କାହାରିକୁ ମଧ୍ୟ କୌଣସି ଧୋକା ଦେଇନାହାନ୍ତି । ତାଙ୍କର ଯେ ଆଉ ଆଗକୁ କିଛି ତର୍କ କରିବାର ନଥିଲା, ଏହି ଅଭିନୟଟି ଦ୍ଵାରା ସେ ସେହି କଥାଟିକୁ ହିଁ ସୂଚାଇ ଦେଲେ । ବେଶ୍ ସଚେତନ ହୋଇଗଲେ ଯେ ସିଏ ଆପଣଙ୍କ ସହିତ ଆଉ କୌଣସି ଯୁକ୍ତି କରିପାରିବେ ନାହିଁ । ଆପଣା ବରଂ ଏଣେ ଆମ ସମସ୍ତଙ୍କର ଅଧିକ ପାଖକୁ ଆସି ବସନ୍ତୁ ଏବଂ ତେବେ କିଛି ସମୟ ପାଇଁ ଆମେ ଆଉ କିଛି କଥା ମଧ୍ୟ ପକାଇପାରିବା ।”

 

ରୁଡ଼ିନ୍ ନିଜ ଚେୟାର୍‌ଟିକୁ ଉଠାଇ ସମସ୍ତଙ୍କର ଅଧିକ କତିକୁ ଚାଲି ଆସିଥିଲେ ।

 

ଦରିଆ ମିହାଇଲୋଭ୍‌ନା ପ୍ରଶ୍ନ କରିଥିଲେ, “ଏପରି କିଭଳି ସମ୍ଭବ ହୋଇପାରିଲା ଯେ ଏଯାଏ ଆମ ଭିତରେ କୌଣସି ଭେଟ ହୋଇ ନଥିଲା ? ମୋତେ ପ୍ରକୃତରେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । ଆପଣ ଏହି ବହିଟିକୁ ପଢ଼ିଛନ୍ତି ? ଶ୍ରୀ ତକ୍‌ଭିଲ୍‌ଙ୍କର ଏହି ବହିଟି ?”

 

ଶ୍ରୀମତୀ ଦରିଆ ଫରାସୀ ଭାଷାରେ ସେହି ପୁସ୍ତକାଟିକୁ ରୁଡ଼ିନ୍‌ଙ୍କୁ ଦେଖାଇଥିଲେ ।

 

ଶ୍ରୀ ରୁଡ଼ିନ୍ ତାହାକୁ ନିଜ ହାତକୁ ନେଲେ—ମାତ୍ର ଅଳ୍ପ କେତେ ପୃଷ୍ଠାର ପତଳା ପୁସ୍ତିକାଟିଏ । ସେଥିରୁ କେତୋଟି ପୃଷ୍ଠା ଓଲଟାଇ ଓଲଟାଇ ଦେଖିଲେ ଓ ତା’ପରେ ତାହାକୁ ସାମନାରେ ଥିବା ଟେବୁଲ ଉପରେ ନେଇ ଥୋଇ ଦେଇଥିଲେ ଏବଂ ଉତ୍ତର ଦେଇ କହିଲେ ଯେ, ନାଇଁ ଶ୍ରୀ ତକ୍‌ଭିଲ୍‌ଙ୍କ ଦ୍ଵାରା ଲିଖିତ ଏହି ନିର୍ଦ୍ଦିଷ୍ଟ ବହିଟିକୁ ସିଏ ଆଗରୁ ପଡ଼ିନାହାନ୍ତି; ମାତ୍ର ଏହି ପୁସ୍ତକଟିରେ ଲେଖକ ଚର୍ଚ୍ଚା କରିଥିବା ବିଷୟଟି ଉପରେ ସେ ଆଗରୁ ବହୁତ ଚିନ୍ତା ନିଶ୍ଚୟ କରିଛନ୍ତି-। ତା’ପରେ ଗୋଟିଏ ବେଶ୍ କଥୋପକଥନ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ପ୍ରଥମେ ପ୍ରଥମେ ରୁଡ଼ିନ୍ କିଞ୍ଚିତ୍ ନିଶ୍ଚୟ ନଥିବା ପରି ମନେ ହେଉଥିଲେ ଏବଂ ତେଣୁ ସେପରି ଖୋଲା ଭାବରେ ବେଶ୍‍ କିଛି କହି ପାରୁନଥିଲେ । ତାଙ୍କ ମୁଖନିଃସୃତ ଶବ୍ଦଗୁଡ଼ିକ ସାବଲୀଳ ଭାବରେ ଆପଣାକୁ ବ୍ୟକ୍ତ ବି କରିପାରୁନଥିଲେ । ମାତ୍ର, ତା’ପରେ ଠିକ୍ ଦିଗଟିକୁ ପାଇଗଲେ ଏବଂ ପୂର୍ଣ୍ଣ ଉତ୍ସାହର ସହିତ ସବୁକିଛି କହି ପାରିଲେ । ପ୍ରାୟ ପନ୍ଦର ମିନିଟ୍ ପରେ ପ୍ରକୃତରେ ସେହି କକ୍ଷଟି ମଧ୍ୟରେ ସେଇ ଜଣେ ହିଁ ଯାହାକିଛି କହୁଥିଲେ । ବାକି ସମସ୍ତେ ପ୍ରାୟ ମୁଣ୍ଡଳାଟିଏ ବୁଲାଇ ତାଙ୍କୁ ଘେରି ରହିଥିଲେ ।

 

ସେତେବେଳକୁ ବେଶ୍ ଦେଖି ହେଉଥିଲା ଯେ, କେବଳ ପିଗାସୋଭ୍ ନିଜକୁ ଅଲଗା କରି ରଖିଥିବା ପରି ଉହ୍ନେଇ ପାଖରେ ଗୋଟିଏ କୋଣ ଜାଗାରେ ଯାଇବସିଥିଲେ । ରୁଡ଼ିନ୍ ଅତ୍ୟନ୍ତ ବୁଦ୍ଧିଦୀପ୍ତ ଭାବରେ ହିଁ କହିବାରେ ଲାଗିଥାନ୍ତି—ପରିପୂର୍ଣ୍ଣ ଜୋସ୍ ସହିତ ସିଏ ପୂର୍ଣ୍ଣ ବିଚାରଶୀଳ ଭାବରେ ଆପଣାର କଥାଗୁଡ଼ିକୁ କହୁଥିଲେ । କଥାଗୁଡ଼ିକ ଦ୍ଵାରା ଆପଣା ପାଣ୍ଡିତ୍ୟର ପରିଚୟ ଦେଇ ପାରୁଥିଲେ । କେତେ କେତେ ବହିକୁ ଯେ ଅଧ୍ୟନୟ କରିଛନ୍ତି, ତାହା ଅତ୍ୟନ୍ତ ସହଜରେ ଜଣାପଡ଼ି ଯାଉଥାଏ । ସିଏ ଜଣେ ଏପରି ଚମତ୍କାର ବ୍ୟକ୍ତି ବୋଲି ଆଗରୁ କାହାରି ହେଲେ ପ୍ରତ୍ୟାଶା ନଥିଲା । ପିନ୍ଧିଥିବା ବସ୍ତ୍ର ପୋଷାକ ନିହାତି ଅବିନ୍ୟସ୍ତ, —ତାଙ୍କ ବିଷୟରେ ସମସ୍ତେ ଖୁବ୍ କମ୍ ହିଁ ଜାଣିଥିଲେ । ତେଣୁ ସେଠାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ବିଚିତ୍ର ତଥା ଅବୋଧ୍ୟ ପ୍ରାୟ ବି ଲାଗୁଥାଏ ଯେ, ଏପରି ଗୁଣସମ୍ପନ୍ନ ଜଣେ ବ୍ୟକ୍ତି ଏଭଳି ଆକସ୍ମିକ ଭାବରେ ଆସି ସେଠାରେ ପହଞ୍ଚିଯିବେ । ସିଏ ସମସ୍ତଙ୍କୁ ଅଧିକରୁ ଅଧିକ ଅନନ୍ୟ ତଥା ସମ୍ଭବତଃ ଆକର୍ଷକ ବୋଲି ମନେ ହେବାରେ ଲାଗୁଥିଲେ । ସବା ଆଗ ତ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କୁ । ସିଏ ତ ପ୍ରକୃତରେ ଆପଣାକୁ କେଡ଼େ ଗୌରବାନ୍ଵିତ ମନେ କରୁଥିଲେ, ବିଳମ୍ବରେ ହେଲେ ମଧ୍ୟ ସେ ଏଭଳି ଜଣେ ବ୍ୟକ୍ତିଙ୍କୁ ଆବିଷ୍କାର କରି ପାରିଛନ୍ତି—ଏବଂ ଏହି ପ୍ରଥମ କ୍ଷଣଟିରୁ ସେ ସ୍ଵପ୍ନ ଦେଖିବାକୁ ଆରମ୍ଭ କରି ଦେଇଥିଲେ, ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କୁ ସେ କିପରି ବୃହତ୍ତର ପୃଥିବୀଟି ମଧ୍ୟକୁ ପରିଚିତ କରାଇ ନେଇଯାଇ ପାରିବେ । ତାଙ୍କ ବୟସ ଏତେ ଅଧିକ ହୋଇସାରିଥିଲେ ମଧ୍ୟ ଶ୍ରୀମତୀ ଦରିଆ ଆପଣାର ସେହି କଳ୍ପନା ବିଚରଣଗୁଡ଼ିକରେ ଅଧିକାଂଶତଃ ସତେଅବା ଗୋଟିଏ ନିତାନ୍ତ ପିଲାଟିଏ ପରି ନକ୍ସା ପରେ ନକ୍ସା ଆଙ୍କିଯିବାରେ ଲାଗିଥିଲେ ଏବଂ ପ୍ରକୃତ ସତ୍ୟକଥାଟି କହିବାକୁ ଗଲେ, ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ରୁଡ଼ିନ୍ କହି ଚାଲିଥିବା କଥାଗୁଡ଼ିକର ପ୍ରାୟ ସେପରି କିଛି ବୁଝିବାକୁ ସମର୍ଥ ସିନା ହେଉ ନଥିଲେ, କିନ୍ତୁ ତାଙ୍କର ହୃଦୟଟା ମଧ୍ୟ ସେଗୁଡ଼ିକୁ ଶୁଣି ବିସ୍ମୟ ଓ ଆନନ୍ଦରେ ଭରି ଉଠୁଥିବା ପରି ଖୁବ୍ ବୋଧ ହେଉଥିଲା । ତାଙ୍କର ଭାଇ ମଧ୍ୟ ରୁଡ଼ିନ୍‌ଙ୍କର ପ୍ରଶଂସା କରିବାରେ ମୋଟେ ପଛରେ ପଡ଼ି ଯାଉନଥିଲେ । ପଣ୍ଡାଲେଭ୍‌ସ୍କି ଶ୍ରୀମତୀ ଦରିଆଙ୍କ ଆଡ଼କୁ କେବଳ ବାରବାର ଅନାଇବାରେ ଲାଗିଥାନ୍ତି ଓ ଈର୍ଷାଦ୍ଵେଷରେ ପୂରି ଯାଉଥାନ୍ତି । ବିଚାର ବି କରିବାକୁ ଆରମ୍ଭ କଲେ : “ମୋତେ ଯଦି ପାଞ୍ଚଶହ ମୁଦ୍ରା ଦେବାକୁ ପଡ଼ନ୍ତା ତେବେ ମୁଁ ସେଥିରେ ଗୋଟିଏ ବୁଲ୍‌ବୁଲ୍ ଚଢ଼େଇ କିଣି ଆଣନ୍ତି ଏବଂ ଚଢ଼େଇଟି ନିଶ୍ଚୟ ତାହାଠାରୁ ଅଧିକ ଭଲ ସଙ୍ଗୀତ ଗାଁ କରି ପାରନ୍ତା ।” ମାତ୍ର ସେଠାରେ ଉପସ୍ଥିତ ଥିବା ସବୁ ବ୍ୟକ୍ତିଙ୍କ ମଧ୍ୟରୁ ନିଃସନ୍ଦେହ ଭାବରେ ଅଧିକ ପ୍ରଭାବିତ ହୋଇଯାଇଥିଲେ ଶ୍ରୀ ବାସିଷ୍ଟୋଫ୍ ଓ ନାତାଲିଆ । ବାସିଷ୍ଟୋଫ୍‌ଙ୍କର ସମ୍ଭବତଃ ଗୋଟିଏ ମୂହୁର୍ତ୍ତ ମଧ୍ୟ ଅନବଧାନ ଭାବରେ ଚାଲି ଯାଉନଥିଲା । ପାଟିଟିକୁ ଆଁ କରିଦେଇ ସିଏ ଦୀର୍ଘ ସମୟ ଗୋଟିଏ ଜାଗାରେ ହିଁ ବସିଥିଲେ । ଆଖି ଦିଓଟି ବେଶ୍ ଉଜ୍ଜ୍ଵଳ ଓ ଡିମା ଡିମା ହୋଇ ଦେଖାଯାଉଥିଲା ଏବଂ ସିଏ ମନୋଯୋଗ ସହିତ ଆଉ କେବେହେଲେ ହିଁ କିଛି ଶୁଣିନଥିଲେ । ନାତାଲିଆଙ୍କର ମୁଖମଣ୍ଡଳଟି ଅସ୍ତକାଳୀନ ସୂର୍ଯ୍ୟଙ୍କ ପରି ରକ୍ତିମ ଦେଖାଯାଉଥିଲା ଏବଂ ଶ୍ରୀ ରୁଡ଼ିନ୍‌ଙ୍କଠାରେ ଯାଇ ଆଖିଗୁଡ଼ିକୁ ଲାଖି ରହିଥିଲା । ଯୁଗପତ୍ ଭାବରେ ଅସ୍ପଷ୍ଟ ଏବଂ ଉଜ୍ଜ୍ଵଳ ।

 

ନାତାଲିଆଙ୍କର କାନ ପାଖରେ ମୁହଁଟାକୁ ଲଗାଇ ଆଣି ଭୋଲିନ୍ତସେଭ୍ ଥିରି ଥିରି ଆବାଜରେ କହିଲେ,” ତାଙ୍କର ଆଖି ଦିଓଟି ପ୍ରକୃତରେ କେଡ଼େ ସୁନ୍ଦର ।”

 

“ହଁ, ଖୁବ୍ ସୁନ୍ଦର ।”

 

“କେବଳ ଗୋଟିଏ ଖୁଣ ରହିଛି ଯେ, ହାତଦୁଇଟି ଏତେ ବେଶି ଲମ୍ବ ଏବଂ ଦେଖିବାକୁ ମଧ୍ୟ ଲାଲ୍ ରଙ୍ଗର ।”

 

ନାତାଲିଆ କୌଣସି ଉତ୍ତର ଦେଇ ନଥିଲେ ।

 

ହଁ, ଚାହା ଆସି ପହଞ୍ଚିଲା । କଥାବାର୍ତ୍ତାଗୁଡ଼ିକ କ୍ରମେ ଅଧିକ ପରିଣାମରେ ସାଧାରଣ ହୋଇ ଆସିଲେ; କିନ୍ତୁ ସମସ୍ତେ ଯେ ସମ୍ପୂର୍ଣ୍ଣ ଭାବରେ ନୀରବ ହିଁ ରହିଥିଲେ, ହଠାତ୍ ସେହି କଥାଟିକୁ ଲକ୍ଷ୍ୟ କରିଥିଲା ପରି ସ୍ଵୟଂ ରୁଡ଼ିନ୍ ହିଁ ସିଧା ମୁହଁ ଫିଟାଇ ପୁଣି କଥା ଆରମ୍ଭ କରିବାକୁ ଇଚ୍ଛା କରିଥିଲେ । ସିଏ ଯେ ଇତି ମଧ୍ୟରେ ସମସ୍ତଙ୍କୁ କେଡ଼େ ପ୍ରଭାବିତ କରିପାରିଛନ୍ତି, ସେହି କଥାଟି ଖୁବ୍ ଧରା ପଡ଼ିଯାଉଥାଏ । ହଠାତ୍ ଶ୍ରୀଯୁକ୍ତ ପିଗାସୋଭ୍‌ଙ୍କୁ ଆହୁରି କିଛି ଚିଡ଼ାଇବା ପାଇଁ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କର ଭାରି ମନ ହେଲା । ତେଣୁ ସିଏ ନିଜର ଆସନରୁ ଉଠି ତାଙ୍କ ଆଡ଼କୁ ଚାଲିଗଲେ ଏବଂ ତାଙ୍କୁ ବେଶ୍ ଫୁସ୍‌ଫୁସ୍ ଭାବରେ କହିଥିଲେ, “ଆପଣ ତ ଆଦୌ କିଛି ହିଁ କରୁନାହାନ୍ତି ଓ କେବଳ ବ୍ୟଙ୍ଗାତ୍ମକ ଭାବରେ ମୁରୁକି ମୁରୁକି ହସୁଛନ୍ତି—ତେବେ କିଛି ନା କିଛି କହୁନାହାନ୍ତି କାହିଁକି ? ହଁ, ପୁନର୍ବାର ଏକ ଉଦ୍ୟମ କରନ୍ତୁ ଓ ତାଙ୍କୁ ଚୁନୌତି ଦିଅନ୍ତୁ ଏବଂ ପିଗାସୋଭ୍ କୌଣସି ଉତ୍ତର ଦେବା ପୂର୍ବରୁ ସେ ରୁଡ଼ିନ୍‌ଙ୍କୁ ଉଦ୍ଦେଶ୍ୟ କରି କହିଲେ:

 

“ଏପରି ଗୋଟିଏ କଥା ତାଙ୍କ ସମ୍ବନ୍ଧରେ ରହିଛି, ଆପଣ ଯେଉଁଟିର ପରିଚୟ ପାଇନାହାନ୍ତି ।” —ଦରିଆ ପିଗାସୋଭ୍‌ଙ୍କ ଆଡ଼କୁ ନିଜର ଆଙ୍ଗୁଳି ନିର୍ଦ୍ଦେଶ କରି ଦେଇଥିଲେ । “ସିଏ ନାରୀମାନଙ୍କୁ ଅତ୍ୟନ୍ତ ଭୟଙ୍କର ଭାବରେ ଘୃଣା କରନ୍ତି । ସିଏ ସବୁ କଥାରେ ନାରୀମାନଙ୍କୁ ଆକ୍ରମଣ କରି ବହୁ କଥା କହନ୍ତି । ତେଣୁ, ମୋର ଆପଣଙ୍କୁ ଏକାନ୍ତ ଏକ ଅନୁରୋଧ, ଆପଣ ତାଙ୍କୁ ଉଚିତ ମାର୍ଗଟିକୁ ଦେଖାଇ ଦିଅନ୍ତୁ ।”

 

ରୁଡ଼ିନ୍ ବହୁତ ଅନିଚ୍ଛା ସତ୍ତ୍ୱେ ପିଗାସୋଭ୍‌ଙ୍କ ଆଡ଼କୁ ପୁନର୍ବାର ଚାହିଁଲେ । ସତେ ଅବା ପୂରା କାନ୍ଧେ କିମ୍ବା ମୁଣ୍ଡେ ଉଚ୍ଚରୁ ସେ ତାଙ୍କ ଉପରେ ଦୃଷ୍ଟିପାତ କରୁଥିଲେ ଏବଂ ତା’ପରେ ଆଉ କିଏ ଦେଖେ ପିଗାସୋଭ୍‌ଙ୍କର କ୍ରୋଧକୁ ! ତାଙ୍କର ଆମ୍ବିଳା ମୁହଁଟା ଅତ୍ୟନ୍ତ କଠୋର ଭାବରେ ସତେ ଅବା ଫିକା ହିଁ ହୋଇଗଲା !

 

ନିଜର କଥା ଉପରେ ସତେଅବା ପୂରା ନିୟନ୍ତ୍ରଣ ନଥିବା ପରି ଗଳାରେ ସିଏ ପ୍ରତିକ୍ରିୟା ବ୍ୟକ୍ତ କଲେ “ଦରିଆ ମିହାଇଲୋଭ୍‌ନା ପୂରା ଭୁଲ୍ କଥା ହିଁ କହୁଛନ୍ତି । ....ମୁଁ ଯେ ନାରୀମାନଙ୍କୁ ପ୍ରାୟ ଏକ ଆକ୍ରମଣାତ୍ମକ ଦୃଷ୍ଟିରେ ଦେଖେ, କେବଳ ତା’ ନୁହେଁ, ମୁଁ ସମଗ୍ର ଭାବରେ ଏହି ମନୁଷ୍ୟ ନାମକ ପ୍ରାଣୀଟିର ମଧ୍ୟ ସେତେ ବେଶି ପ୍ରଶଂସା କରିନଥାଏ ।”

 

“ତେବେ, ମନୁଷ୍ୟମାନଙ୍କୁ ଏପରି ତୁଚ୍ଛ ଦୃଷ୍ଟିରେ ଦେଖିବା, —ଆପଣଙ୍କର ଏଇଟି କିପରି ହେଲା ?” —ରୁଡ଼ିନ୍ ପ୍ରଶ୍ନ କଲେ ।

 

ପିଗାସୋଭ୍ ରୁଡ଼ିନ୍‌ଙ୍କ ଆଡ଼କୁ ସିଧା କଟକଟ କରି ଅନାଇଲେ ।

 

“ନିଃସନ୍ଦେହ ଭାବରେ ମୁଁ ନିଜ ହୃଦୟଟିର ଅଧ୍ୟୟନ କଲି ଏବଂ ଏବେ ମଧ୍ୟ ସେଇଟି ପ୍ରକୃତରେ ନିତାନ୍ତ ଅଶୁଦ୍ଧ ବୋଲି ଅଧିକରୁ ଅଧିକ ପରିଣାମରେ ଆବିଷ୍କାର କରିବାରେ ଲାଗିଛି । ମୁଁ ନିଜକୁ ଯେପରି ଦେଖେ, ଅନ୍ୟମାନଙ୍କର ମଧ୍ୟ ତାହାରି ଅନୁସାରେ ବିଚାର କରିଥାଏ । ସମ୍ଭବତଃ ଏହି ପଦ୍ଧତିଟିରେ ମଧ୍ୟ ଅବଶ୍ୟ ଭୁଲ ରହିଛି । ମୁଁ ତ ଦେଖୁଛି ଯେ ମୁଁ ଅନ୍ୟମାନଙ୍କ ତୁଳନାରେ ବସ୍ତୁତଃ ଅଧିକ ଅଧିକ ଏବଂ ଅଶୁଦ୍ଧ । କିନ୍ତୁ ମୁଁ ସେହି କ୍ଷେତ୍ରରେ ଆଉ କ’ଣ ବା କରିବି-? ଏଇଟି ପ୍ରକୃତରେ ମୋର ଏକ ଅଭ୍ୟାସ ।” କଥାଟିର ଉତ୍ତର ଦେବାକୁ ଯାଇ ରୁଡ଼ିନ୍ କହିଥିଲେ, “ହଁ, ମୁଁ ବେଶ୍ ବୁଝିପାରୁଛି ଓ ଆପଣଙ୍କ ଲାଗି ସହାନୁଭୂତି ପ୍ରକାଶ କରୁଛି । ଏପରି କେଉଁ ମଣିଷ ଅଛି, ଯିଏ କି ଆପଣାକୁ ନେଇ ଏକ ଅନ୍ତର୍କ୍ଷୋଭ ମଧ୍ୟ ଅନୁଭବ ନ କରୁଛି । ଅବଶ୍ୟ ଜଣେ ନିତାନ୍ତ ଅନୁବାଦ ବ୍ୟକ୍ତିର କ୍ଷେତ୍ରରେ ତାହା ଅନ୍ୟ ପ୍ରକାରର ହୋଇପାରେ । ତଥାପି, ସେହି ସ୍ଥିତି ଭିତରୁ ବାହାରି ଆସିବାର କୌଣସି ଉପାୟ ଅର୍ଥାତ୍ ବାଟ ଦେଖା ନଯାଉଥିଲେ ମଧ୍ୟ କାହାର ହେଲେ ସେହି ସ୍ଥିତିଟାରେ ରହିଯିବା ଆଦୌ ଉଚିତ୍ ହେବ ନାହିଁ ।”

 

“ମୋ’ ଗଭୀର ଅନ୍ତର ଯାଏ ସ୍ପର୍ଶ କରି ପାରିବା ଭଳି ମୋତେ ଆପଣ କେଡ଼େ ଉଦାର ଭାବରେ ପ୍ରକାଶ ପାଉଥିବା ଏହି ପ୍ରମାଣପତ୍ରଟିକୁ ଦେଇଥିବାରୁ ମୁଁ ପ୍ରକୃତରେ ବହୁତ କୃତଜ୍ଞ ।” —ପିଗାସୋଭ୍ ଜବାବ ଦେଇ କହିଥିଲେ । “ମୋ’ ସ୍ଥିତିଟି ବିଷୟରେ ମୁଁ ସର୍ବଦା ଏତିକି ମାତ୍ର କହିବି ଯେ, ମୁଁ ସେହି ସ୍ଥିତିରେ ମୋତେ ଅତିରିକ୍ତ ଭାବରେ କିଛି ହେଲେ ପଥ ହୁଡ଼ି ଯାଇନାହିଁ, ଯାହା ସକାଶେ କି ପଥଟିଏ ଦିଶିବା ମାତ୍ରକେ ତାହା ହୁଏତ କେଉଁ ଶଇତାନର କବଳରେ ଯାଇ ପଡ଼ିଯିବ, ଏବଂ ତେଣୁ ମୁଁ ସେହି ବିଷୟରେ ଆଦୌ କୌଣସି ଚିନ୍ତା କରୁନାହିଁ ।”

 

“ମାତ୍ର, ତାହାର ଅର୍ଥ ହେବ, —ମୁଁ ଏପରି କହୁଛି ବୋଲି ମୋତେ କ୍ଷମା କରିବେ, ଆପଣା ଯାହା ହେବା କଥା ତାହା ହିଁ ହେବା ତଥା ସତ୍ୟରେ ଜୀବନ ବଞ୍ଚିବା ଅପେକ୍ଷା ସମ୍ଭବତଃ ନିଜର ଅହଙ୍କାରଟାର ତୃପ୍ତିବିଧାନ ଉପରେ ଅଧିକ ମହତ୍ତ୍ଵ ଦେଉଛନ୍ତି ।”

 

ପିଗାସୋଭ୍ ବେଶ୍ ଚିଡ଼ିଗଲା ମୁଦ୍ରାରେ ଏଡ଼େ ବଡ଼ ପାଟିରେ ଉତ୍ତର ଦେଇଥିଲେ, “ହଁ, ନିଶ୍ଚୟ ଅହଙ୍କାର । ମୁଁ ସେହି ଅହଙ୍କାରଟିକୁ ହିଁ ବୁଝିଛି । ଏବଂ ମୁଁ ଭାବୁଛି, ଆପଣ ନିଜେ ଓ ପ୍ରତ୍ୟେକ ମନୁଷ୍ୟ ବ୍ୟକ୍ତି ମଧ୍ୟ ପ୍ରକୃତରେ ସେଇଟିକୁ ହିଁ ବୁଝନ୍ତି; ମାତ୍ର ସତ୍ୟ—ସତ୍ୟ କହିଲେ ପ୍ରକୃତରେ କ’ଣ ବୁଝାଏ ? ଏହି ସତ୍ୟ, —ତେବେ କେଉଁଠାରେ ଅଛି ସେହି ସତ୍ୟ ?”

 

“ଆପଣ ସେହି ପୁରୁଣା କଥାଟିକୁ ହିଁ ପୁନର୍ବାର କହୁଛନ୍ତି । ମୁଁ ମନେ ପକାଇ ଦେଉଛି”—ଏକ ମନ୍ତବ୍ୟ ଦେଇ ଦରିଆ ମିହାଇଲୋଭ୍‌ନା ତାଙ୍କୁ କହିଥିଲେ ।

 

ପିଗାସୋଭ୍‌ଙ୍କର ସ୍କନ୍ଧଗୁଡ଼ିକ ଉପରେ ଗୋଟିଏ କୁଞ୍ଚନ ବେଶ୍ ଦୃଷ୍ଟିଗୋଚର ହୋଇଥିଲା । “ପୁନର୍ବାର କହିଲି ବୋଲି କ’ଣ କ୍ଷତିଟାଏ ହୋଇଗଲା ? ମୁଁ ପୁଣି ପଚାରୁଛି, କେଉଁଠି ଅଛି ଏହି ସତ୍ୟ ? ବଡ଼ ବଡ଼ ଦାର୍ଶନିକମାନେ ମଧ୍ୟ ସେକଥା ଜାଣି ନାହାନ୍ତି । କାଣ୍ଟ୍ କହନ୍ତି, ସତ୍ୟ ହେଉଛି ଏପରି ଏବଂ ହେଗେଲ୍ କହନ୍ତି, ନାଇଁ ନାହିଁ—ସେପରି ନୁହେଁ, ତାହା ଏକାବେଳେକେ ଅନ୍ୟ ପରି ।”

 

“ଏ ବିଷୟରେ ଦାର୍ଶନିକ ହେଗେଲ୍ ଯାହା କହିଛନ୍ତି, ଆପଣ ଜାଣିଛନ୍ତି ?” କିଞ୍ଚିତ୍ ଉଚ୍ଚ ଗଳାରେ ରୁଡ଼ିନ୍ ପଚାରିଥିଲେ । ଏବଂ ପିଗାସୋଭ୍ ଉତ୍ତର ଦେଲେ, “ମୁଁ ପୁନର୍ବାର କହୁଛି, ସତ୍ୟର ଯେ ପ୍ରକୃତ ଅର୍ଥ କ’ଣ, ମୁଁ ସେଇ କଥାଟିକୁ ଆଦୌ ବୁଝିପାରେ ନାହିଁ ।” ଅତ୍ୟନ୍ତ ସଂବେଗ ସନ୍ତାପତି ଭାବରେ ସିଏ କଥାଗୁଡ଼ିକୁ କହୁଥିଲେ । ମୋ’ ନିଜର ଧାରଣା ଯେ, ଏହି ପୃଥିବୀରେ ସତ୍ୟ ମୋଟେ କେଉଁଠି ହେଲେ ନାହିଁ । ଅର୍ଥାତ୍, ସତ୍ୟ ବୋଲି ଶବ୍ଦଟିଏ ଅଛି, ମାତ୍ର ତାହାର କୌଣସି ଅସ୍ତିତ୍ଵ ନାହିଁ ।”

 

ଦରିଆ ମିହାଇଲୋଭ୍‌ନା ମଧ୍ୟ ପ୍ରାୟ ସମାନ ଭାବରେ ଉଚ୍ଚ ଚିତ୍କାର କରି କହିଥିଲେ, “କେଡ଼େ ଅଦ୍‌ଭୁତ କଥା ଯେ, ଏପରି କହୁଥିବାରୁ ଆପଣଙ୍କୁ କୌଣସି ଲାଜ ମଧ୍ୟ ମାଡ଼ୁନାହିଁ । ଘୋର ପାପୀ ଆପଣ । ସତ୍ୟ ବୋଲି କେଉଁଠାରେ କିଛି ନାହିଁ ? ତେବେ, ଏଠି ଆମେ ମନୁଷ୍ୟମାନେ ପୁଣି ଆଗରେ କ’ଣଟିଏ ରଖି ନିଜର ଜୀବନଗୁଡ଼ିକୁ ବଞ୍ଚିବା ?”

 

ପିଗାସୋଭ୍ ଆଦୌ ଦବିଗଲେ ନାହିଁ ଏବଂ ଉତ୍ତର ଦେଲେ, “ତେବେ ଶୁଣନ୍ତୁ, ଦରିଆ ମିହାଇଲୋଭ୍‌ନା,” —ସେତେବେଳେ ତାଙ୍କର ଗଳାଟି ସମ୍ପୂର୍ଣ୍ଣ ଭାବରେ ରୋଷକଷାୟତି ହୋଇଯାଇଥାଏ—“ମୁଁ ତ ତଥାପି ଆଗକୁ ଯାଇ ଆହୁରି କହିବି ଯେ, ଆପଣଙ୍କ ସକାଶେ ସର୍ବବିଧି ସ୍ଥିତିରେ ନିଶ୍ଚୟ ଅଧିକ ସହଜ ହେବ ଯେ ଆପଣ ଆଦୌ କୌଣସି ସତ୍ୟକୁ ନମାନି ନିଜର ଜୀବନଟିକୁ ବଞ୍ଚିବେ । ସାହାଯ୍ୟକାରୀ ଜଣେ ରାନ୍ଧୁଣିଆ ପାଖରେ ନଥିଲେ ସିନା ଅବଶ୍ୟ କିଛି ନା କିଛି ଅସୁବିଧା ହେବ, ମାତ୍ର ସତ୍ୟ ବୋଲି ଆଦୌ କିଛି ନଥିଲେ କୌଣସି ଅସୁବିଧା ହେବ ନାହିଁ । କାରଣ, ଆପଣଙ୍କର ରାନ୍ଧୁଣିଆ ଷ୍ଟୋଫାନ୍ ନଥିଲେ ଆଉ କିଏ ଆପଣଙ୍କୁ ଏଭଳି ସୁସ୍ଵାଦୁ ସୁପ୍ ରାନ୍ଧି ପରଷି ଦେଇ ପାରିବ ଏବଂ ଆପଣ ମୋଟେ ଦୟା କରି କହିଲେ ଏହି ସତ୍ୟଟି ରହିଲେ ଆପଣ ପ୍ରକୃତରେ କ’ଣ ସବୁ କରିପାରିବେ, ଯାହା ବର୍ତ୍ତମାନ କରି ପାରୁନାହାନ୍ତି ! ସତ୍ୟର ସାହାଯ୍ୟରେ ତ ଆପଣ ମୁଣ୍ଡର ଟୋପିଟିକୁ ମଧ୍ୟ ଠିକ୍ ବାଗରେ ପିନ୍ଧି ମଧ୍ୟ ପାରିବେ ନାହିଁ ।

 

“ପରିହାସ କିମ୍ବା ବ୍ୟଙ୍ଗଟିଏ ସୃଷ୍ଟି କରି ଆପଣ ତାହାକୁ କଦାପି କୌଣସି ଯୁକ୍ତି ବୋଲି ଚଳାଇଦେଇ ପାରିବେ ନାହିଁ । ଶ୍ରୀମତୀ ମିହାଇଲୋଭ୍‌ନା ମନ୍ତବ୍ୟ ଦେଲେ । “ବିଶେଷତଃ ଆପଣ ଯେତେବେଳେ ନିଜକୁ ଏକ ବ୍ୟକ୍ତି ଅପମାନିତ କରିବାର ସ୍ତରକୁ ନିଜକୁ ଖସାଇ ଆଣିଥିବେ ।”

 

“ମୁଁ ପୁନର୍ବାର କହିବି, ମୁଁ ସତ୍ୟ ବିଷୟରେ କିଛି ହିଁ ଜାଣେ ନାହିଁ ଏବଂ ବେଶ୍ ଦାବି କରି ବି କହିବି ଯେ, ସତ୍ୟ ବିଷୟରେ କେତେଗୁଡ଼ିଏ କଥା କହି ହିଁ ତାହା ଅଛି ବୋଲି ଆଦୌ ପ୍ରମାଣିତ କରାଯାଇପାରିବ ନାହିଁ ।” —ପିଗାସୋଭ୍ ବେଶ୍ ଏକ ଧୀର ସ୍ଵରରେ କହିଲେ ।

 

ଏବଂ ଏହାପରେ ରୁଡ଼ିନ୍ ଅହଙ୍କାର ବିଷୟରେ କିଛି କହିଥିଲେ : ବେଶ ଉତ୍ତମ ଭାବରେ ବୁଝାଇ ବି ଦଳେ । ସିଏ ଦର୍ଶାଇ ଦେଇଥିଲେ ଯେ, ଯାହାର ଅହଂଟିଏ ନାହିଁ, ଜଣେ ମନୁଷ୍ୟ ହିସାବରେ ତା’ର କୌଣସି ମୂଲ୍ୟ ମଧ୍ୟ ନାହିଁ । ସେହି ଅହଂଟି ନ୍ୟାୟତଃ ହେଉଛି ଏକ ଅଧାରଶିଳା ଭଳି, ଯାହା ସାହାଯ୍ୟରେ କି ଏହି ପୂରା ପୃଥିବୀକୁ ମଧ୍ୟ ଦୋହଲାଇ ଦେଇ ହେବ । ମାତ୍ର ତଥାପି, ଆମେ କେବଳ ସେହି ବ୍ୟକ୍ତିକୁ ହିଁ ଜଣେ ମନୁଷ୍ୟ ବୋଲି କହିବା ଯାହାକୁ କି ଆପଣାର ସେହି ଅହଂଟିକୁ ନିଜ ନିୟନ୍ତ୍ରଣରେ ରଖିପାରିବାର ବାଟଟି ମଧ୍ୟ ଜଣାଅଛି । ଯିଏ ଘୋଡ଼ା ପିଠିରେ ଚଢ଼ିବ, ଘୋଡ଼ାଟିକୁ ନିଜର ଆୟତ୍ତରେ ରଖିବାର ମାର୍ଗଟିକୁ ଅବଶ୍ୟ ହିଁ ଜାଣିବ । ଏବଂ ସେହି ମନୁଷ୍ୟଟି ହିଁ ସବୁ ମନୁଷ୍ୟଙ୍କର ହିତ ହୋଇପାରିବା ସକାଶେ ଆପଣାର ବ୍ୟକ୍ତି ଜୀବନଟିକୁ ଉତ୍ସର୍ଗ କରିପାରିବ ।

 

ରୁଡ଼ିନ୍ ତା’ପରେ ଉପସଂହାର କରି କହିଥିଲେ, “ଅହଂକାରଟାକୁ ତେଣୁ କେବଳ ଗୋଟିଏ ଆତ୍ମହତ୍ୟା ବୋଲି କହିବା ଉଚିତ । ଏକୁଟିଆ ହୋଇ କୌଣସି ଜାଗାରେ ଠିଆ ହୋଇଥିବା ଗୋଟିଏ ଗଛ ଶୁଖି ମରିଗଲା ପରି ଜଣେ ଅହଙ୍କାରୀ କେବଳ ଶୁଖି ଶୁଖି ହିଁ ଯାଉଥିବ-। କିନ୍ତୁ ଅନ୍ୟ ପକ୍ଷରେ, ଗୌରବବୋଧ, କିଛି ଅଧିକ ଲାଗି ଆସ୍ପୃହା ଏବଂ ପରିପୂର୍ଣ୍ଣତା ଲାଭ ପାଇଁ କରିଯାଉଥିବା ସତେ ଏକ କ୍ରିୟାଶୀଳ ପ୍ରୟାସ, —ତାହା ହେଉଛି ଯାବତୀୟ ବୃହତ ପ୍ରାପ୍ତିର ପ୍ରକୃତ ଉତ୍ସ । ...ହଁ, ଜଣେ ଜଣେ ମନୁଷ୍ୟ ହିସାବରେ ଆମକୁ ନିଜର ବ୍ୟକ୍ତିତ୍ଵ ମଧ୍ୟରୁ ସକଳ ଅନମନୀୟ ଅହଙ୍କାରିତା ଭାବରେ କାଟି ଫିଙ୍ଗି ଦେବାକୁ ହେବ । ଆମେ ତେବେ ଯାଇ ଆପଣାକୁ ଅଭିବ୍ୟକ୍ତ କରି ଆଣିବାର ଅସଲ ଅଧିକାରଟିଏ ଲାଭ କରି ପାରିବା ।”

 

“ମୋତେ ପେନ୍‌ସିଲ୍‌ ଟିଏ ଦେବ ?” —ପିଗାସୋଭ୍ ବାସିଷ୍ଟୋଫ୍‌ଙ୍କୁ ପଚାରିଥିଲେ ।

 

ପିଗାସୋଭ୍ କ’ଣ ମାଗୁଛନ୍ତି ବୋଲି ବସିଷ୍ଟୋଫ୍ ପ୍ରଥମେ ବୁଝି ପାରିଲେ ନାହିଁ । ଶେଷକୁ ପଚାରିଥିଲେ “ଗୋଟିଏ ପେନ୍‌ସିଲ୍ କ’ଣ ପାଇଁ ଦରକାର ?”

 

ଶ୍ରୀଯୁକ୍ତ ରୁଡ଼ିନ୍, ଯେଉଁସବୁ କଥା ଶେଷଆଡ଼କୁ କହିଲେ, ସେଗୁଡ଼ିକୁ ମୁଁ ଲେଖି ରଖିବାକୁ ଇଚ୍ଛା କରୁଛି । କାରଣ, ଭୁଲି ହୋଇଯିବାର ଏକ ଆଶଙ୍କା ମଧ୍ୟ ସର୍ବଦା ରହିଥାଏ । ମାତ୍ର, ତୁମେ ମଧ୍ୟ ଅବଶ୍ୟ ସ୍ଵୀକାର କରିବ ଯେ, ସେହିଭଳି ଗୋଟିଏ ବାକ୍ୟ ହେଉଛି ଏକାବେଳେକେ ବାଜିମାତ୍ କରି ପାରିବାର ପୁଳାଏ ତାଆସ !”

 

ବାସିଷ୍ଟୋଫ୍ ମଧ୍ୟ ଆଦୌ ନିରସ୍ତ ହୋଇ ନଯାଇ କହିଲେ, “ଏପରି ଅନେକ କଥା ରହିଥାଏ, ଯେଉଁଗୁଡ଼ିକୁ କି ଉପହାସରେ ଉଡ଼ାଇ ଦେବାର ଚେଷ୍ଟା କରିବାକୁ ସର୍ବଦା ଏକ ଲଜ୍ଜାର କଥା ବୋଲି ଅବଶ୍ୟ କୁହାଯିବ ।” —ପିଗାସୋଭ୍‌ଙ୍କ ଆଡ଼ୁ ସେ ନିଜର ମୁହଁକୁ ଅନ୍ୟଆଡ଼େ ବୁଲାଇ ନେଲେ ।

 

ଇତି ମଧ୍ୟରେ ରୁଡ଼ିନ୍ ନାତାଲିଆଙ୍କ ପାଖକୁ ଚାଲିଯାଇଥାନ୍ତି । ନାତାଲିଆ ବସିବା ଥାନରୁ ଉଠି ଠିଆ ହୋଇଯାଇଥିଲେ । ତାଙ୍କ ମୁହଁରୁ ସିଏ ବେଶ୍‍ ଘାବରାଇ ଯାଇଥିବା ଭଳି ଖୁବ୍ ଜଣାପଡ଼ି ଯାଉଥାଏ । ତାଙ୍କ ପାଖକୁ ଉପବେଶନ କରିଥିବା ଭୋଲିନ୍ତସେଭ୍ ମଧ୍ୟ ଉଠି ଛିଡ଼ା ହୋଇଯାଇଥିଲେ ।

 

ରୁଡ଼ିନ୍ କହିଲେ, —ସତେ ଅବା ଜଣେ କେଉଁ ପ୍ରବାସରେ ବାହାରିଥିବା ରାଜପୁତ୍ରଙ୍କ ସଦୃଶ, —‘‘ଏଠି ଗୋଟିଏ ପିଆନୋ ଅଛି ଯେ ତୁମେ ବଜାଉଥିବା ନା !”

 

“ହଁ, ବଜାଏ !” —ନାତାଲିଆ ଉତ୍ତର ଦେଇଥିଲେ । “କିନ୍ତୁ ଆଦୌ ଭଲ ଭାବରେ ନୁହେଁ । ସେଥି କନ୍‌ଷ୍ଟାଣ୍ଟିନ୍, ବାୟୋମିଡ଼ିଚ୍ ବସିଛନ୍ତି । ମୋ ଠାରୁ ସିଏ ବହୁତ ଭଲ ବଜାନ୍ତି ।”

 

ଦାନ୍ତକୁ ନିକୁଟି ହସୁଥିବା ପରି ମୁହଁଟାଏ କରି ପାଣ୍ଡାଲେଭ୍‌ସ୍କି ଆଗକୁ ବାହାରି ଆସିଥିଲେ । “କିନ୍ତୁ ନାତାଲିଆ ଆଲେକ୍‌ସିଏଭ୍‍ନା; ତୁମେ ମୋଟେ ସେକଥା କହିବ ନାହିଁ । ତୁମେ ପିଆନୋ ବଜାଇବାରେ ମୋଠାରୁ ଆଦୌ କମ୍ କୁଶଳ ନୁହଁ ।”

 

“ତୁମେ ଶୁବର୍ଟ୍‍ଙ୍କର ଅମୁକ ରଚାନଟିକୁ ବଜାଇ ଜାଣିଛ କି ?”—ରୁଡ଼ିନ୍ ପଚାରିଥିଲେ ।

 

ଖଣ୍ଡେ ଦୂରରୁ ଶ୍ରୀମତୀ ଦରିଆ ଉତ୍ତର ଦେଇ କହିଲେ, “ହିଁ ଜାଣନ୍ତି । ସେ ସେଇଟିକୁ ବଜାଇ ଜାଣିଛନ୍ତି । .....ସେ କନ୍‌ଷ୍ଟାଣ୍ଟିନ୍ ଶ୍ରୀଯୁକ୍ତ ଡିମିଟ୍ରି ନିକୋଲାଇଚ୍, ଆପାଣ ତ ସଂଗୀତକୁ ଖୁବ୍ ଭଲ ପାଆନ୍ତି ।”

 

ରୁଡ଼ିନ୍ କେବଳ ମୁଣ୍ଡଟିକୁ ହାଲଇ ହଁ ବୋଲି ସୂଚନା ଦେଲେ ଏବଂ ହାତରେ ଆଙ୍ଗୁଠିଗୁଡ଼ିକୁ ଦେଇ ମୁଣ୍ଡର ବାଳକୁ ସାଉଁଳେଇ ଆଣିଥିଲେ । ସତେ ଯେପରି ସିଏ କିଛି ସଂଗୀତ ବାଦନ ଶୁଣିବାକୁ ଇଚ୍ଛା କରୁଛନ୍ତି ବୋଲି ସଙ୍କେତ ଦେଉଥିଲେ । ପାଣ୍ଡାଲେଭ୍‌ସ୍କି ବଜାଇବାକୁ ଆରମ୍ଭ କଲେ । ଝିଆ ନାତାଲିଆ ପିଆନୋ ପାଖରେ ଛିଡ଼ା ହୋଇଥିଲେ—ରୁଡ଼ିନ୍‌ଙ୍କ ଆଡ଼କୁ ସିଧା ମୁହଁ କରି । ପ୍ରଥମ ଧ୍ୱନିଟି ଉଚ୍ଚାରିତ ହେବା ମାତ୍ରକେ ରୁଡ଼ିନ୍‌ଙ୍କର ମୁଖର ଭାବଟି ହିଁ ରୂପାନ୍ତରିତ ହୋଇଯାଇଥିଲା । ତାଙ୍କର ଖୁବ୍ ଉଜ୍ଜ୍ଵଳ ନୀଳବର୍ଣ୍ଣର ଦୁଇଟିଯାକ ଚକ୍ଷୁ କେଡ଼େ ଧୀର ଭାବରେ ସଚଳ ହୋଇଯାଉଥିବା ପରି ଦେଖାଯାଉଥିଲେ ଏବଂ ନାତାଲିଆ ଉପରେ ଯାଇ ବାରମ୍ବାର ହୋଇ ରହୁଥିଲେ । ଶ୍ରୀଯୁକ୍ତ ପାଣ୍ଡାଲେଭ୍‌ସ୍କିଙ୍କର ପିଆନୋ ବଜାଇବା ଶେଷ ହେଲା ।

 

ରୁଡ଼ିନ୍ ମୋଟେ କୌଣସି କଥା କହୁନଥିଲେ । ଖୋଲା ରହିଥିବା ଗବାକ୍ଷଟି ଆଡ଼କୁ କିଛି ପାଦ ଆଗେଇ ଚାଲି ଯାଇଥିଲେ । କୁହୁଡ଼ିର ସୁବାସିତ ପରସ୍ତଟିଏ ବଗିଚା ଉପରେ ସତେ ଅବା କୋମଳ ଚାଦରଟିଏ ପରି ବ୍ୟାପ୍ତ ହୋଇ ରହିଥିଲା ଏବଂ ନିକଟବର୍ତ୍ତୀ ବୃକ୍ଷମାନଙ୍କରୁ ଏକ ନିଦ୍ରାସକ୍ତ ମିଷ୍ଟ ଗନ୍ଧ ମଧ୍ୟ ନିର୍ଗତ ହୋଇ ଆସୁଥିଲା । ତାରାଗଣ ମିଞ୍ଜି ମିଞ୍ଜି ହୋଇ ଆଲୋକ ପ୍ରଦାନ କରୁଥିଲେ । ଗ୍ରୀଷ୍ମକାଳର ସେହି ରାତ୍ରିଟି ସତକୁ ସତ କେଡ଼େ କୋମଳ ମଧ୍ୟ ଲାଗୁଥିଲା ଏବଂ ଦଶଦିଶକୁ କୋମଳ କରି ରଖିଥିଲା । ରୁଡ଼ିନ୍ ସେହି ଅନ୍ଧାରଦ୍ଵାରା ଆବୃତ ଉଦ୍ୟାନଟି ମଧ୍ୟକୁ ଚାହିଁ ରହିଥିଲେ ଓ ଚତୁର୍ଦ୍ଦିଗକୁ ଆଖି ବୁଲାଇ ନେଉଥିଲେ ।

 

“ସେଠାରେ ସେହି ସଂଗୀତ ଏବଂ ଏଣେ ଏହି ରାତ୍ରିଟି’’—ରୁଡ଼ିନ୍ କହିବାକୁ ଆରମ୍ଭ କରିଥିଲେ, “ଜର୍ମାନୀରେ କଟିଥିବା ମୋ ଛାତ୍ରାବସ୍ଥାର ସେହି ଦିନଗୁଡ଼ିକୁ ହିଁ ମନେପକାଇ ଦେଉଛି । ଆମର ସେହି ନାନା ଏକତ୍ର ମେଳଗୁଡ଼ିକୁ ଏବଂ ସେହି ସନ୍ଧ୍ୟାକାଳୀନ ସଙ୍ଗୀତ ଆସର ଗୁଡ଼ିକୁ ।”

 

ଦରିଆ ମିହାଇଲୋଭ୍‌ନା ତାଙ୍କୁ ତେଣୁ ପ୍ରଶ୍ନଟିଏ କଲେ : “ତେବେ ଆପଣ ଜର୍ମାନୀ ମଧ୍ୟ ଯାଇଛନ୍ତି ?”

 

“ହଁ, ହାଇଡେଲବେଆର୍ଗରେ ମୋର ଗୋଟିଏ ବର୍ଷ କଟିଥିଲା ଏବଂ ବର୍ଲିନରେ ମଧ୍ୟ ପ୍ରାୟ ବର୍ଷଟିଏ ।”

 

“ସେଠାରେ ଆପଣ ମଧ୍ୟ ଜଣେ ବିଶ୍ଵବିଦ୍ୟାଳୟର ଛାତ୍ର ପରି ପୋଷାକ ପରିଧାନ କରୁଥିଲେ କି ? ସମସ୍ତେ କହନ୍ତି ଯେ ସେଠାରେ ଛାତ୍ରମାନଙ୍କୁ ଏକ ବିଶେଷ ପରିଧାନ ବ୍ୟବାହର କରିବାକୁ ହୋଇଥାଏ ।”

 

“ହାଇଡେଲବେଆର୍ଗଠାରେ ମୁଁ ଉଚ୍ଚ ବୁଟଜୋତା ପିନ୍ଧୁଥିଲି, ସେହି ଜୋତାରେ ଜଣେ ଅଶ୍ଵାରୋହୀର ଜୋତା ପରି ସାଜଟିଏ ମଧ୍ୟ ଲାଗିଥିଲା । ଦେହରେ ଅଶ୍ଵାରୋହୀଙ୍କ ପରି ଜ୍ୟାକେଟ୍–ସେଠାରେ ପୁଣି ଫିତା ବି ଲାଗିଥିଲା । ମୁଣ୍ଡର ବାଳଗୁଡ଼ିକୁ ଲମ୍ବା ହୋଇ ବଢ଼ି କାନ୍ଧ ଉପରେ ଆସି ପଡ଼ିଥିଲେ କିନ୍ତୁ ବର୍ଲିନରେ ବିଶ୍ଵବିଦ୍ୟାଳୟର ଛାତ୍ରମାନେ ସାଧାରଣ ସମସ୍ତଙ୍କ ପରି ପୋଷାକପତ୍ର ପିନ୍ଧୁଥିଲେ ।”

 

“ତେବେ ଆପଣଙ୍କର ଛାତ୍ରବେଳର କିଛି କଥା ଆମକୁ କହନ୍ତୁ”—ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ତା’ପରେ କହିଲେ ।

 

ଏବଂ ରୁଡ଼ିନ୍ ମଧ୍ୟ ସେହି ଅନୁସାରେ ଉତ୍ତର ଦେଲେ । ବର୍ଣ୍ଣନା କରି କିଛି କହିବାର କ୍ଷେତ୍ରରେ ସେ ପ୍ରକୃତରେ କୌଣସି ସିଦ୍ଧତା ଅର୍ଜ୍ଜନ କରି ପାରିନଥିଲେ । ତାଙ୍କର ବର୍ଣ୍ଣନାମାନଙ୍କରେ ପ୍ରାୟ ସେପରି କୌଣସି ରଙ୍ଗପୂର୍ଣ୍ଣତାର ଖାସ୍ ସ୍ଵଭାବ ମଧ୍ୟ ରହୁନଥିଲା । ଚିତ୍ତବିନୋଦନ କରାଇ କିଛି କହିବାର କଳା ତାଙ୍କୁ ଆଦୌ ଜଣାନଥିଲା । ତଥାପି, ବିଦେଶରେ ତାଙ୍କୁ ନିଜର ଖାସ୍ ଅନୁଭୂତିଗୁଡ଼ିକୁ ବର୍ଣ୍ଣନା କରୁଥିବା ସମୟରେ ରୁଡ଼ିନ୍ ବେଶ୍ ଅଳ୍ପ ସମୟ ମଧ୍ୟରେ ହିଁ ସାଧାରଣ ବିଷୟଗୁଡ଼ିକରେ ପ୍ରବିଷ୍ଟ ହୋଇ ଯାଉଥିଲେ, ଶିକ୍ଷାଲାଭ ତଥା ବିଜ୍ଞାନଟି ବିଶେଷ ବିଶେଷ ସକଳ ମୂଲ୍ୟ, ବିଶ୍ଵବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ଜୀବନଟି ସମ୍ବନ୍ଧରେ କହିବାକୁ ଆରମ୍ଭ କରି ଦେଉଥିଲେ । ବେଶ୍ ପ୍ରଶସ୍ତ୍ର ଏବଂ ଉଲ୍ଲେଖଯୋଗ୍ୟ ଭାବରେ ସିଏ ଯଥାସମ୍ଭବ ଏକ ବୃହତ୍ ତଥା ସମ୍ପୂର୍ଣ୍ଣ ନକ୍ସାଚିତ୍ରଟିଏ ପ୍ରଦାନ କରିବାକୁ ହିଁ ଚେଷ୍ଟା କରୁଥିଲେ । ଶ୍ରୋତାମାନେ ସମସ୍ତେ ଗଭୀର ମନୋଯୋଗ ସହିତ ତାଙ୍କର କଥାଗୁଡ଼ିକୁ ଶ୍ରବଣ କରୁଥିଲେ । ତାଙ୍କର ବାଗ୍ମିତା ସମ୍ପୂର୍ଣ୍ଣ ଭାବରେ ପ୍ରଥମ ସ୍ତରରେ ଥିଲା ଅତ୍ୟନ୍ତ ଆକର୍ଷକ ମଧ୍ୟ ହେଉଥିଲା । ହଁ, ସମ୍ପୂର୍ଣ୍ଣ ଭାବରେ ହୁଏତ ସ୍ପଷ୍ଟ ହେଉନଥିଲା, କିନ୍ତୁ ସ୍ପଷ୍ଟ ନହୋଇ ପାରିବାର ସେହି ଅଭାବଟି ମଧ୍ୟ ତାଙ୍କର କହୁଥିବା ଶବ୍ଦଗୁଡ଼ିକରେ ପ୍ରକୃତରେ ଏକ ସ୍ଵତନ୍ତ୍ର ସୌମ୍ୟତା ଆଣି ଦେଇପାରୁଥିଲା ।

 

ତାଙ୍କର ବିଚାର ମଧ୍ୟରେ ସର୍ବଦା ଏତେ ଅଧିକ ପରିଣାମ ପ୍ରାଚୁର୍ଯ୍ୟ ମଧ୍ୟ ରହିଥିଲା ଯେ, ସେଇଟି ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କ ଜୀବନରେ ପୂରା ନିର୍ଦ୍ଦିଷ୍ଟ ଏବଂ ଯଥାର୍ଥ ଭାବରେ ନିଜର କଥାଗୁଡ଼ିକୁ ବ୍ୟକ୍ତ କରିବାରେ ପ୍ରାୟ ଏକ ବାଧା ସଦୃଶ କାର୍ଯ୍ୟ ମଧ୍ୟ କରୁଥିଲା । କଳ୍ପନାର ଚିତ୍ରମାନେ ପଛକୁ ପଛ ସତେଅବା ଅଜାଡ଼ି ହୋଇ ଆସୁଥିଲେ, ତୁଳନାଗୁଡ଼ିକୁ ପ୍ରାୟ ଏକ ଥାଟ ଆକାରରେ ଆସି ଭର୍ତ୍ତି ହୋଇ ଯାଉଥିଲେ—ସର୍ବଦା ହିଁ ନାନା ସାହସିକତାରେ ପୂର୍ଣ୍ଣ ଏବଂ କେଡ଼େ ଆଶ୍ଚର୍ଯ୍ୟଜନକ ଭାବରେ ବି ସତ୍ୟ । ସେଗୁଡ଼ିକ କେବେହେଲେ ବି ଜଣେ କହିବାର ଖାସ୍ କ୍ଷେତ୍ରଟିରେ ଅଭ୍ୟସ୍ତତା ଲାଭ କରିଥିବା ଆପଣାକୁ ପୂରା ସୁନିଶ୍ଚିତ ବୋଲି ଗ୍ରହଣ କରି ନେଇଥିବା ଆତ୍ମସନ୍ତୁଷ୍ଟ ବ୍ୟକ୍ତିର ଉଦ୍ୟମ ପରି ଆଦୌ ହେଉନଥିଲା । କାରଣ ଆଦୌ କୌଣସି ପୂର୍ବଶ୍ରମ ଦ୍ଵାରା କରାଯାଇଥିବା ପ୍ରସ୍ତୁତି ନଥାଇ ସେ ଯାହାକିଛି କେଡ଼େ ଉତ୍ସକତା ସହିତ କହିଯାଉଥିଲେ, ତାହା ସମ୍ପୃକ୍ତ ସମସ୍ତଙ୍କୁ ଏକ ଅନନ୍ୟ ପ୍ରେରଣା ଆଣି ଦେଇପାରୁଥିଲା । କହିବା ବେଳେ ରୁଡ଼ିନ୍ କେବେହେଲେ ଶବ୍ଦମାନଙ୍କୁ ଖୋଜି ଯାଉନଥିଲେ, ସେମାନେ ଅତ୍ୟନ୍ତ ପୂର୍ଣ୍ଣ ସମ୍ମତ ଭବାରେ ଅବଲୀଳା କ୍ରମେ ଆସି ତାଙ୍କର ଓଠଗୁଡ଼ିକୁ ଉପରେ ପହଞ୍ଚି ହିଁ ଯାଉଥିଲେ । ସତେ ଅବା ସିଧା ତାଙ୍କ ଆତ୍ମାର ଗଭୀର ସ୍ତରରୁ ଆସୁଥିଲେ ଏବଂ ଏକ ସମ୍ପୂର୍ଣ୍ଣ ପ୍ରତ୍ୟୟ ଦୀପ୍ତି ଦ୍ଵାରା ହୋଇ ରହିଥିଲେ । ଯାବତୀୟ ଯଥାର୍ଥ ବାଗ୍ମିତାରେ ସର୍ବଦା ଯେଉଁ ଖାସ୍ ଛନ୍ଦୋମୟତା ଅବଶ୍ୟ ରହିଥାଏ, ରୁଡ଼ିନ୍ ପ୍ରକୃତରେ ସେହି ସର୍ବବୃହତ୍ ରହସ୍ୟଟିର ଅଧିକାରୀ ହୋଇପାରିଥିଲେ । ହୃଦୟର ଗୋଟିଏ ତନ୍ତ୍ରୀରେ ଅଙ୍ଗୁଳିଟିଏ ସ୍ପର୍ଶ କରାଇଦେବା ମାତ୍ରକେ କିଭଳି ଅନ୍ୟ ସବୁଯାକ ତନ୍ତ୍ରୀରେ ମଧ୍ୟ ଏକ ଅସ୍ପଷ୍ଟ କମ୍ପନ୍ନ ସଞ୍ଚାରି କରି ଅଣାଯାଇଥାଏ, ସିଏ ସେହି କୌଶଳଟିକୁ ଅତ୍ୟନ୍ତ ଉତ୍ତମ ରୂପେ ହିଁ ଜାଣିଥିଲେ ଏବଂ ତା’ପରେ ସବୁଯାକ ତନ୍ତ୍ରୀ ପ୍ରକୃତରେ ଅନୁସ୍ପନ୍ଦିତ ହୋଇ ଉଠୁଥିଲେ । ଶ୍ରୀଯୁକ୍ତ ରୁଡ଼ିନ୍ ଖାସ୍ କେଉଁ ବିଷୟରେ ଏହି ବାଗ୍ମିତାପୂର୍ଣ୍ଣ କଥାଗୁଡ଼ିକୁ ଯେ କହୁଛନ୍ତି, ତାଙ୍କର ଶ୍ରେତାମାନେ ଠିକ୍ ନିର୍ଦ୍ଦିଷ୍ଟ ଭାବରେ ସମ୍ଭବତଃ ଖୁବ୍ ବେଶି ବୁଝୁ ବି ନଥିଲେ, କିନ୍ତୁ ସେମାନଙ୍କର ବକ୍ଷ ତଳଗୁଡ଼ିକ ତଥାପି ଉତ୍‌ଫୁଲ୍ଲ ଓ ଚଞ୍ଚଳ ହୋଇ ଉଠୁଥିଲା । ସତେ ଅବା କେଉଁଠାରେ ପର୍ଦ୍ଦାମାନେ ସେମାନଙ୍କର ଆଖିଆଗରେ ହିଁ ଉପରକୁ ଉଠି ଯାଉଥିଲେ ଏବଂ ଦୂରରେ ଥିବା ଏକ ଦିଗ୍‌ବଳୟ ଉପରେ ଦୀପ୍ତି ଦ୍ଵାରା ଅତ୍ୟୁଜ୍ଜ୍ଵଳ ହୋଇ ଝଟକି ଉଠୁଥିବା ପରି ବୋଧ ହେଉଥିଲା ।

 

ଶ୍ରୀ ରୁଡ଼ିନ୍‌ଙ୍କର ସବୁ କିଛି ଭାବନା ବସ୍ତୁତଃ ଭବିଷ୍ୟତକୁ ଠୁଳ କରି ରହିଥିବା ପରି ମନେ ହେଉଥିଲା ଏବଂ ସେହି କାରଣରୁ ସେ ଅନୁକ୍ଷଣ ହିଁ ଆପଣା ଭିତରୁ ତାରୁଣ୍ୟର ହିଁ ଏକ ସଦାଚଞ୍ଚଳ ଗତିଶୀଳତ ଅନୁଭବ ମଧ୍ୟ କରୁଥିଲେ । ....ଝରକା ପାଖରେ ଛିଡ଼ା ହୋଇ ସିଏ ଯେ ଖାସ୍ କୌଣସି ଗୋଟିଏ ବସ୍ତୁ ଆଡ଼କୁ ଅନାଇ ଦେଖୁଥିଲେ ସେକଥା ଆଦୌ ନୁହେଁ । ସେ ଯୁଗପତ୍ ଭବନରେ ନାନା କଥା କହିବାରେ ବି ଲାଗିଥିଲେ । ସେଠାରେ ଥିବା ସମସ୍ତଙ୍କର ସେହି ସହାନୁଭୂତି ତଥା ମନୋନିବେଶ ତାଙ୍କ ଖୁବ୍ ଉତ୍ସାହିତ ମଧ୍ୟ କରୁଥିଲା । ଏତେ ଏତେ ତରୁଣୀ ବି ସେଠାରେ ବସି ତାଙ୍କର କଥାଗୁଡ଼ିକୁ ଶୁଣୁଥିଲେ । ସେହି ରାତ୍ରିବେଳଟି ମଧ୍ୟ କେତେ ନା କେତେ ସୌନ୍ଦର୍ଯ୍ୟ ଓ ଶୋଭାକୁ ବହନ କରୁଥିଲା ଏବଂ ନିଜ ଭିତରୁ କେତେ ନା କେତେ ଭାବ ଏବଂ ଭାବନା ଉଚ୍ଛାସକୁ ବହନ କରି ସିଏ ବାଗ୍ମିତାର ଏକ ଖୁବ୍ ଲକ୍ଷଣୀୟ ଉଚ୍ଚତାକୁ ଉନ୍ନୀତ ହୋଇଯାଇଥିଲେ, —ସତେ ଅବା କୌଣସି କବିତାର ରାଜ୍ୟ ମଧ୍ୟକୁ । ....ତାଙ୍କର କଥା କହୁଥିବାର ସ୍ଵରଟିରେ ଏକ ଘନତା ରହିଥିଲା, ଏବଂ ଏକ କୋମଳତା ମଧ୍ୟ ରହିଥିଲା; ସେଗୁଡ଼ିକ ମଧ୍ୟରେ ଥିବା ଆକର୍ଷଣକାରୀ ସାମର୍ଥ୍ୟକୁ ପ୍ରକୃତରେ ଆହୁରି ଅଧିକ ହିଁ ବଢ଼ାଇ ଦେଉଥିଲା । ଏବଂ ଖୁବ୍ ବୋଧ ମଧ୍ୟ ହେଉଥିଲା, ଯେପରି ସତକୁ ସତ କୌଣସି ଉଚ୍ଚତମ ଶକ୍ତିମତ୍ତାଟିଏ ହିଁ ତାଙ୍କ ଓଠଗୁଡ଼ିକୁ ମଧ୍ୟମ କରି ଅଭିବ୍ୟକ୍ତ ହେବାରେ ଲାଗିଛି ଏବଂ ତାହା ତାଙ୍କୁ ନିଜକୁ ମଧ୍ୟ ଅଭିଭୂତ କରି ରଖିଛି । ......ଆମ ମନୁଷ୍ୟମାନଙ୍କର ଏହି ମାତ୍ର ଅଳ୍ପ ଅବଧିର ଜୀବନଟିକୁ ଯାହା ପ୍ରକୃତରେ ଏକ ଶାଶ୍ଵତ ତାତ୍ପର୍ଯ୍ୟ ତଥା ମହିମାଦ୍ଵାରା ସମୃଦ୍ଧି କରି ରଖିଛି, ରୁଡ଼ିନ୍ ସେହିଗୁଡ଼ିକୁ ଆଲୋଚନା କରୁଥିଲେ ।

 

ଆପଣାର କଥାଗୁଡ଼ିକୁ ଶେଷ କରିବାକୁ ଯାଇ ରୁଡ଼ିନ୍ ତା’ପରେ କହିଲେ “ଏଠାରେ ମୋର ସ୍କାଣ୍ଡିନେଭିଆର ଏକ ପୁରାତନ କାହାଣୀ ମନେ ପଡ଼ୁଛି, ଯେଉଁଥିରେ କି ଜଣେ ରାଜା ଏକଦା ଆପଣାର ଯୋଦ୍ଧୃବର୍ଗଙ୍କ ସହିତ ଉପବିଷ୍ଟ ହୋଇ ରହିଥିଲେ । ସେଠାରେ ଏକ ପ୍ରଶସ୍ତ୍ର ଶସ୍ୟଭଣ୍ଡାର ଅନ୍ଧକାର ଦ୍ଵାରା ଆବୃତ ହୋଇ ରହିଥିଲା ଏବଂ ମଝିରେ ନିଆଁ ଜଳୁଥିଲା । ଶୀତକାଳରେ ଏକ କାଲୁଆ ରାତିରେ । ମେଲା ହୋଇ ରହିଥିବା କବାଟ ବାଟେ ହଠାତ୍ ସାନ ଚଢ଼େଇଟିଏ ବାହାରୁ ଘର ମଧ୍ୟକୁ ଉଡ଼ି ଆସିଲା ଏବଂ ସିଧା ଅନ୍ୟପଟର କବାଟ ଦେଇ ପୁଣି ବାହାରକୁ ଉଡ଼ି ଚାଲିଯାଇଥିଲା । ଏହି ଘଟଣାଟିକୁ ପ୍ରସଙ୍ଗ କରି ରାଜା ତା’ପରେ ସେଠାରେ ଉପସ୍ଥିତ ଲୋକମାନଙ୍କୁ କହିଥିଲେ ଯେ, ଆମ ପୃଥିବୀରେ ବାସ କରୁଥିବା ସବୁ ମନୁଷ୍ୟଙ୍କର ସ୍ଥିତିଟି ମଧ୍ୟ ପ୍ରାୟ ଏହି ଚଢ଼େଇର ସ୍ଥିତି ପରି; ପ୍ରତ୍ୟେକ ମନୁଷ୍ୟ ବାହାରୁ କେଉଁ ଅନ୍ଧକାର ମଧ୍ୟରୁ ଏଠାକୁ ଉଡ଼ି ଆସିଛନ୍ତି ଏବଂ ଏଠାରୁ ପୁନର୍ବାର ଦିନେ ନା ଦିନେ ଏଠାରୁ ସେହି ଅନ୍ଧକାର ମଧ୍ୟକୁ ହିଁ ଉଡ଼ି ଚାଲିଯିବେ । ତେଣୁ, ଏଠରେ ଏହି ଉତ୍ତାପ ଏବଂ ଆଲୋକର ଯେଉଁ ଜୀବନଟି, ସେଇଟି ମୋଟେ ଦୀର୍ଘସ୍ଥାୟୀ ନୁହେଁ ।”

 

“କିନ୍ତୁ ମଣିମା !” ସବୁଠାରୁ ଅଧିକ ବୟସର ଜଣେ ଯୋଦ୍ଧା ତା’ପରେ ଉତ୍ତର ଦେଇଥିଲେ, “ଏହି ଅନ୍ଧାରଟାରେ ମଧ୍ୟ ଚଢ଼େଇଟି ଆଦୌ ଆପଣାର ବାଟକୁ ଭୁଲି ଯାଉନାହିଁ ଏବଂ ବସାକୁ ବାଟ ପାଇଯାଉଛି ।” ଠିକ୍ ସେହିପରି ଆମ ସମସ୍ତଙ୍କର ଜୀବନ ଏଠାରେ ମାତ୍ର ଅଳ୍ପ କେତୋଟି ମାତ୍ର ବର୍ଷର ଏବଂ ତାହାର ସେପରି ଗୁଡ଼ାଏ ମୂଲ୍ୟ ମଧ୍ୟ ପ୍ରକୃତରେ ନାହିଁ, —ତଥାପି ଏଠାରେ ଯାହାକିଛି ମହାନ୍ ଓ ତାତ୍ପର୍ଯ୍ୟପୂର୍ଣ୍ଣ, ସବୁକିଛିକୁ ତ ଏହି ମନୁଷ୍ୟ ହିଁ ସମ୍ଭବ କରିଛି । ଏବଂ ଯେଉଁ ଚେତନାକୁ ଅସ୍ତ୍ରରୂପେ ବ୍ୟବାହର କରି ଏହି ଉଚ୍ଚତର ସାମର୍ଥ୍ୟ ହୋଇଥିବା, ମନୁଷ୍ୟପ୍ରାଣୀମାନେ ଏତେ କଥାକୁ ପ୍ରକୃତରେ ସାଧ୍ୟ କରି ପାରୁଛନ୍ତି, ମନୁଷ୍ୟର ଆଉ ଯାବତୀୟ ଆନନ୍ଦ-ଅନୁଭବଠାରୁ ତାହାକୁ ହିଁ ଏକ ଉଚ୍ଚତର ମହତ୍ତ୍ୱ ଦେବାକୁ ହିଁ ପଡ଼ିବ ।

 

ରୁଡ଼ିନ୍ ତାଙ୍କର କଥାକୁ ଏଇଠି ବନ୍ଦ କଲେ । ହୁଏ ତ ଅନିଚ୍ଛାକୃତ କ’ଣ ସବୁ କାରଣରୁ ନିଜକୁ କିଞ୍ଚିତ୍ ଅପ୍ରସ୍ତୁତ ହୋଇଯିବା ପରି ଅନୁଭବ କରୁଥିଲେ ମଧ୍ୟ ଈଷତ୍ ହସି ନିଜ ଆଖିଗୁଡ଼ିକୁ ବନ୍ଦ କରିଦେଇଥିଲେ ।

 

ସିଧା ପ୍ରଶଂସା ଅଜାଡ଼ି ଦେଇ ଫରାସୀ ଭାଷାରେ ହିଁ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଅନୁଚ୍ଚ ସ୍ଵରରେ କହି ପକାଇଥିଲେ “ପ୍ରକୃତରେ, ପ୍ରକୃତରେ ଆପଣ ଜଣେ କବି ।” ଏବଂ ଉପସ୍ଥିତ ସମସ୍ତେ ମଧ୍ୟ ତାଙ୍କର ସେହି କଥାଟି ସହିତ ପୂର୍ଣ୍ଣ ଏକମତ ହିଁ ଥିଲେ । —ହଁ, କେବଳ ଶ୍ରୀ ପିଗାସୋଭ୍‌ଙ୍କୁ ଛାଡ଼ି ଅନ୍ୟ ସମସ୍ତେ । ରୁଡ଼ିନ୍ ତାଙ୍କର ସେହି ଦୀର୍ଘ ବକ୍ତବ୍ୟଟିକୁ ଶେଷ କରିବା ପୂର୍ବରୁ ହିଁ ପିଗାସୋଭ୍ କାହାକୁ ଆଦୌ କିଛି ନ କହି ଆପଣାର ଟୋପିଟିକୁ ଉଠାଇ ହାତରେ ଧରିଥିଲେ ଏବଂ ଚାଲିଯାଉଥିବା ସମୟରେ କବାଟ ପାଖରେ ଠିଆ ହୋଇଥିବା ପାଣ୍ଡାଲେଭ୍‌ସ୍କିଙ୍କ କ’ଣ ଭାରି ଉତ୍ତେଜିତ ଭାବରେ ଧୀର ସ୍ଵରରେ ଫୁସ୍ ଫୁସ୍ କରି କହିଥିଲେ;

 

“ନାଇଁ, ବାସ୍ ଏତିକି ! ଏମିତି ନିର୍ବୋଧ ବ୍ୟକ୍ତିଙ୍କୁ ମୁଁ ମୋଟେ ଗ୍ରହଣ କରିପାରେ ନାହିଁ-।”

 

ତାଙ୍କୁ ଅଟକାଇବା ସକାଶେ କେହି କୌଣସି ଚେଷ୍ଟା କରି ନଥିଲେ ଏବଂ ତାଙ୍କର ଅନୁପସ୍ଥିତି ଲକ୍ଷ୍ୟ ବି କରିନଥିଲେ ।

 

ପରିଚାରକମାନେ ରାତ୍ରିଭୋଜନ ନେଇ ପ୍ରବେଶ କଲେ ଏବଂ ତାହାର ଅଧଘଣ୍ଟାଏ ପରେ ସେଠାରେ ସମସ୍ତେ ପ୍ରସ୍ଥାନ କରି ସାରିଥିଲେ ଯେଝା ଯେଝା ବାଟରେ ଚାଲି ଯାଇଥିଲେ । ଶ୍ରୀଯୁକ୍ତ ରୁଡ଼ିନ୍ ସେଠାରେ ରାତିରେ ରହିଯାଆନ୍ତୁ ବୋଲି ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ତାଙ୍କୁ ଅନୁରୋଧ କରିଥିଲେ । ନିଜ ଘୋଡ଼ାଗାଡ଼ିରେ ବସି ଶ୍ରୀଯୁକ୍ତ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନ ତାଙ୍କ ଭାଇଙ୍କ ସହିତ ଘରକୁ ବାହାରୁଥିବା ସମୟରେ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କର ଅସାଧାରଣ ଯାବତୀୟ ବିଚକ୍ଷଣତା ବିଷୟରେ ବାରମ୍ବାର ପ୍ରଶଂସା କରୁଥିଲେ ଓ ବିସ୍ମୟ ପ୍ରକାଶ ମଧ୍ୟ କରୁଥିଲେ । ଶ୍ରୀ ଭୋଲିନ୍ତସେଭ୍ ମଧ୍ୟ ତାଙ୍କ ସହିତ ପୂର୍ଣ୍ଣ ଏକତମ ଥିଲେ । ସେ ଅବଶ୍ୟ ଏପରି ଏକ ମନ୍ତବ୍ୟ ମଧ୍ୟ ବ୍ୟକ୍ତ କରିଥିଲେ ଯେ, ରୁଡ଼ିନ୍ ଯାହାସବୁ କହୁଥିଲେ, ସେଗୁଡ଼ିକରେ ବେଳେବେଳେ ବେଶ୍ ଅସ୍ପଷ୍ଟତା ମଧ୍ୟ ରହି ଯାଉଥିଲା ଅବଶ୍ୟ ଏଠାରେ କୌଣସି ସନ୍ଦେହ ନାହିଁ ଯେ, ସେ ଆପଣାର ଭାବନାଗୁଡ଼ିକୁ ସର୍ବଦା ଯଥାସମ୍ଭବ ସ୍ପଷ୍ଟ କରି କହିବା ନିମନ୍ତେ ଚେଷ୍ଟା କରୁଥିଲେ, ତଥାପି ତାଙ୍କ ମୁଖମଣ୍ଡଳଟି ଉପରେ ଅସ୍ପଷ୍ଟତାର ଚିହ୍ନଟିଏ ସର୍ବଦା ହିଁ ରହୁଥିଲା ଏବଂ ତାଙ୍କର ଆଖିଗୁଡ଼ିକୁ ସତେ ଅବା ଆଉ କେଉଁଠି ଯାଇ ଗଣ୍ଠି ପଡ଼ି ରହିଥିଲେ ଏବଂ ସିଏ ବେଶ୍ କିଛି ଅତ୍ୟଧିକ ପରିଣାମରେ ବିଷାଦଗ୍ରସ୍ତ ହୋଇ ବି ରହିଥିଲେ ।

 

ପାଣ୍ଡାଲେଭ୍‌ସ୍କି ଶୋଇବାକୁ ଗଲେ ଏବଂ ନିଜେ କେଡ଼େ ଚମତ୍କାର ଭାବରେ ସିଲାଇ ପକାଯାଇଥିବା ମୋଜା ଇତ୍ୟାଦିକୁ କାଢ଼ି ବାହାର କରୁଥିବା ସମୟରେ ବେଶ୍ ବଡ଼ପାଟି କରି ବି କହିଲେ, “ପ୍ରକୃତରେ ଖୁବ୍ ଚତୁର ଜଣେ ବ୍ୟକ୍ତି” ଏବଂ ସେତିକିବେଳେ ହଠାତ୍ ଆପଣାର ପରିଚାରକ ବାଳକଟିକୁ ଦେଖିବାକୁ ପାଇ ବେଶ୍ କଠୋର ଗଳାରେ ତାକୁ ସେହି କୋଠରୀଟି ମଧ୍ୟରୁ ବାହାରି ଚାଲିଯିବା ସକାଶେ ନିର୍ଦ୍ଦେଶ ଦେଲେ । ଶ୍ରୀଯୁକ୍ତ ବାସିସ୍ଟୋଫ୍ ରାତିଯାକ ଆଦୌ ଶୋଇ ପାରିଲେ ନାହିଁ, ଦିନମାନ ପରିଧାନ କରିଥିବା କପଡ଼ାକୁ ମଧ୍ୟ ଦେହରୁ କାଢ଼ି ପାରିନଥିଲେ; ରାତିଯାକ ଉଜାଗର ରହି ସକଳ ଯାଏ ମସ୍କୋ ସହରରେ ବାସ କରୁଥିବା ଜଣେ ବନ୍ଧୁଙ୍କ ନିକଟକୁ ପତ୍ର ଲେଖୁଥିଲେ । ଏବଂ ନାତାଲିଆ ଅବଶ୍ୟ ଦେହର ଦିନପୋଷକ ଗୁଡ଼ିକୁ କାଢ଼ି ଦେଇ ନିଜର ବିଛଣା ଉପରକୁ ଯାଇ ଶୋଇଥିଲେ ସତ, କିନ୍ତୁ କ୍ଷଣକ ପାଇଁ ମଧ୍ୟ ତାଙ୍କ ଆଖିରୁ ନିଦ ଆସିଲା ନାହିଁ । ନିଜ ବାହୁର ମୁଣ୍ଡଳାଟିଏ ଭିତରର ମୁଣ୍ଡଟିକୁ ଥାପି ରଖି ସିଏ ସେହି ଅନ୍ଧକାର ଭିତରକୁ ଚାହିଁ ରହିଥିଲେ, —ସମ୍ପୂର୍ଣ୍ଣ ନିର୍ନିମେଷ ଭାବରେ । ତାଙ୍କ ଦେହର ସ୍ନାୟୁଗୁଡ଼ିକ ବେଶ୍ ଉତ୍ତେଜିତ ହୋଇଥିବା ଭଳି ଦପ୍ ଦପ୍ ହେଉଥିଲେ ଏବଂ ତାଙ୍କର ଛାତିଟି ଅନେକ ସମୟରେ ଗୋଟିଏ ଗୋଟିଏ ଦୀର୍ଘଶ୍ଵାସ ଦ୍ଵାରା ପ୍ରପୀଡ଼ିତ ହୋଇ ଉଠୁଥିଲା ।

 

—୪—

 

ତହିଁ ଆରଦିନ ସକାଳେ । ରୁଡ଼ିନ୍ ରାତିପିନ୍ଧାକୁ ବଦଳାଇ ଦିନର ପୋଷାକ ଠିକ୍ ପରିଧାନ କରି ସାରିଥାଆନ୍ତି; ଏହି ସମୟରେ ଜଣେ ପରିକର ଆସି ଖବର ଦେଇଥିଲା ଯେ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଚାହା ପିଇବା ନିମନ୍ତେ ତାଙ୍କୁ ଖାସ୍ ପ୍ରକୋଷ୍ଠକୁ ଯିବା ପାଇଁ ନିମନ୍ତ୍ରଣ କରିଛନ୍ତି । ରୁଡ଼ିନ୍ ସେଠାରେ ଯାଇ ଦେଖିଲେ, ଶ୍ରୀମତୀ ଦରିଆ ଏକୁଟିଆ ହୋଇ ବସିଛନ୍ତି । ସିଏ ରୁଡ଼ିନ୍‌ଙ୍କୁ ଅତ୍ୟନ୍ତ ହାର୍ଦ୍ଦିକ ଭାବରେ ସ୍ଵାଗତ କଲେ, ରାତିରେ କେମିତି ନିଦ ହେଲା ବୋଲି ତାଙ୍କୁ ପଚାରିଲେ । ତା’ପରେ ନିଜ ହାତରେ ଚାହା ଢାଳି କପ୍‍ଟିକୁ ତାଙ୍କ ଆଡ଼କୁ ବଢ଼ାଇ ଦେଇଥିଲେ । ଖଣ୍ଡେ ସିଗାରେଟ୍ ମଧ୍ୟ ଯାଚିଥିଲେ ଏବଂ ପୁନର୍ବାର କହିଥିଲେ ତାଙ୍କ ସହିତ ଆଗରୁ ସାକ୍ଷାତ ହୋଇନାହିଁ ବୋଲି ଭାବି ତାଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । କିଛି ଦୂରରେ ପଡ଼ିଥିବା ଗୋଟିଏ ଚଉକୀରେ ରୁଡ଼ିନ୍ ଆସନ ଗ୍ରହଣ କରିବାକୁ ଯାଉଛନ୍ତି ସେତିକିବେଳେ ଶ୍ରୀମତୀ ଦରିଆ ତାଙ୍କୁ ନିଜର ପ୍ରାୟ ପାର୍ଶ୍ଵବର୍ତ୍ତୀ ହୋଇ ରହିଥିବା ଗୋଟିଏ ଆରାମଚୌକୀ ଉପରେ ବରଂ ବସିବା ସକାଶେ ଅନୁରୋଧ କରିଥିଲେ । ତା’ପରେ ସିଏ ଶ୍ରୀ ରୁଡ଼ିନ୍‌ଙ୍କ ଆଡ଼କୁ ଈଷତ୍‍ ଝୁଙ୍କି ପଡ଼ି ତାଙ୍କର ନିଜର ପରିବାର, ଜୀବନରେ ସିଏ କରିଥିବା ଯାବତୀୟ ଯୋଜନା ତଥା ଇଚ୍ଛାମାନଙ୍କ ବିଷୟରେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଥିଲେ । ଅବଶ୍ୟ ଉଦ୍ରମହିଳା ପ୍ରାୟ ସେପରି କୌଣସି ଗାମ୍ଭୀର୍ଯ୍ୟ ନରଖି ପ୍ରଶ୍ନଗୁଡ଼ିକୁ କରୁଥାନ୍ତି ଓ ବେଶ୍ ଗୋଟିଏ ପୂର୍ଣ୍ଣ ଉଦାସୀନତାର ମୁଦ୍ରାରେ ରୁଡ଼ିନ୍ ଦେଉଥିବା ଉତ୍ତରଗୁଡ଼ିକୁ ଶୁଣୁ ବି ଥାଆନ୍ତି । ତଥାପି ରୁଡ଼ିନ୍ ତେଣେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବୁଝି ପରୁଥାନ୍ତି ଯେ, ଶ୍ରୀମତୀ ଦରିଆ ତାଙ୍କୁ ସତେଅବା ଖୁସି କରିବା ପାଇଁ ଏସବୁ କରୁଛନ୍ତି, ଏପରିକି ତାଙ୍କୁ ଖୋସାମତ ବି କରୁଥିବା ପରି । ପୁନଶ୍ଚ, ସକାଳର ଏହି ଦେଖା ହେବାର ପଶ୍ଚାତରେ ମଧ୍ୟ ତାଙ୍କର ଅବଶ୍ୟ କିଛି କାରଣ ମଧ୍ୟ ରହିଥିଲା ଏବଂ ସମ୍ଭବତଃ ସେହି କାରଣରୁ ସେ ଅଳପ ପରିଧାନ ପିନ୍ଧିଥିଲେ ଏବଂ ତଥାପି ସେଥିରେ ଏକ ଉତ୍ତମ ପରିପାଟୀ ମଧ୍ୟ ରହିଥିଲା । କିନ୍ତୁ କ’ଣ ପାଇଁ ତାଙ୍କର ପ୍ରଶ୍ନ ପଚାରିବା ମଧ୍ୟ ଖୁବ୍ ଶୀଘ୍ର ବନ୍ଦ ହୋଇଗଲା । ଏଥର ସିଏ ନିଜ ବିଷୟରେ ହିଁ କହିବାକୁ ଆରମ୍ଭ କଲେ, —ତାଙ୍କ ଯୌବନ କାଳର ନାନା କଥା ଏବଂ ସେତେବେଳେ ଯେଉଁସବୁ ନାନା ବ୍ୟକ୍ତିଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା, ଇତ୍ୟାଦି ଇତ୍ୟାଦି । ରୁଡ଼ିନ୍ ପୂର୍ଣ୍ଣ ସହାନୁଭୂତି ତଥା ମନୋଯୋଗ ସହିତ ତାଙ୍କର ସେହି ସୁଗମ୍ଭୀର କଥାଗୁଡ଼ିକୁ ଶୁଣିବାରେ ଲାଗିଥିଲେ ସିନା, ମାତ୍ର ତାଙ୍କୁ ଏହି କଥାଟା ବେଶ୍ ବିଡ଼ାମ୍ବନାପୂର୍ଣ୍ଣ ଭଳି ବି ଲାଗୁଥିଲା ଯେ, ଶ୍ରୀମତୀ ମିହାଇଲୋଭ୍‌ନା ତାଙ୍କ ଆଗରେ ଯେତେ ଯେତେ ବ୍ୟକ୍ତିଙ୍କ ବିଷୟରେ କହୁଥିଲେ, ସେହି ସବୁଯାକ କ୍ଷେତ୍ରରେ ସିଏ ନିଜେ ହିଁ ସବୁବେଳେ ସବା ଆଗରେ ରହିଥିଲେ । ହଁ, କେବଳ ସେଇ ଯାହାକିଛି ସ୍ଥାୟୀ ମହତ୍ତ୍ଵର ସହିତ ଦୃଶ୍ୟମାନ୍‍ ହେଉଥିଲେ ଓ ଅପର ଅନ୍ୟମାନେ ଦଣ୍ଡକ ନିମନ୍ତେ ଆସି ଶେଷରେ କୁଆଡ଼େ ଅଦୃଶ୍ୟ ହୋଇ ଯିବାପରି ହିଁ ଅନ୍ତର୍ହିତ ହୋଇ ଯାଉଥିଲେ । କୁଆଡ଼େ ପଶ୍ଚାଦ୍‌ଭୂମିରେ ହିଁ ଅନ୍ତରାଳ ହୋଇ ରହୁଥିଲେ । ତଥାପି, ସତେଅବା ସେହି ଅଭାବଟିର ଏକ କ୍ଷତିପୂରଣ କରି ପାରୁଥିବା ପରି ରୁଡ଼ିନ୍ ଶ୍ରୀମତୀ ଦରିଆ ମିହାଇଲୋଭ‌୍‌ନା ଜଣେ ଅତ୍ୟନ୍ତ ବିଶିଷ୍ଟ ରାଜନେତାଙ୍କୁ ଏକଦା ଯାହା କହିଥିଲେ ଏବଂ ଆଉ ଜଣେ ଅମୁକ ସୁବିଖ୍ୟାତ କବିଙ୍କ ଉପରେ ମଧ୍ୟ ତାଙ୍କର କେତେ ନା କେତେ ପ୍ରଭାବ ଯେ ଥିଲା, ସେହି ବିଷୟରେ ବିଶଦ ଭାବରେ ସବୁଯାକ କଥା ଜାଣିବାକୁ ମଧ୍ୟ ସମର୍ଥ ହେଲେ । ଶ୍ରୀମତୀ ଦରିଆଙ୍କ କଥାରୁ ହିଁ ସତ ଅଥବା ଅତିରଞ୍ଜନର ଏକ ଅବଧାରଣା କରିବାର ପ୍ରୟାସ କଲେ ଜଣେ ବ୍ୟକ୍ତି ତ ଏପରି ଭାବି ବିସ୍ମିତ ହୋଇଯିବ ଯେ, ବିଗତ ପଚିଶ ବର୍ଷର ଏହି ଅବଧିଟି ମଧ୍ୟରେ ଦେଶର ସବୁ ବିଶିଷ୍ଟ ବ୍ୟକ୍ତି ଖାସ୍ ଏହି ଭଦ୍ରମହିଳାଙ୍କ ସହିତ ଏକ ପରିଚୟ ଲାଭ କରିବା ବ୍ୟତୀତ ସତେଅବା ଆଉ କିଛି ହେଲେ ଚିନ୍ତା ହିଁ କରୁନଥିଲେ । ହଁ, ତାଙ୍କଠାରୁ ପଦେ ପ୍ରଶଂସା ବାକ୍ୟ ଶୁଣିବା ବ୍ୟତୀତ । ଶ୍ରୀମତୀ ଦରିଆ ବସ୍ତୁତଃ କେଡ଼େ ସହଜ ଓ ମାମୁଲି ଭାବରେ ନିଜ କଥାଗୁଡ଼ିକୁ କହି ଯାଉଥାଆନ୍ତି । ତାଙ୍କ କଥାରେ ସେପରି କୌଣସି ଖାସ୍ ପୁଲକ ବା ବିସ୍ମୟ ପ୍ରକାଶ ପାଉନଥାଏ । ସତେଯେପରି ସେହି ସୁବିଖ୍ୟାତ ବ୍ୟକ୍ତିମାନେ ପ୍ରତ୍ୟହ ହିଁ ତାଙ୍କ ପାଖରେ କାରବାର ହେଉଥିଲେ, ପ୍ରାୟ ସେହିପରି । ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ସେ ବେଶ୍ ବିଚିତ୍ର ବୋଲି ବି କହୁଥିଲେ । ସେହି ବ୍ୟକ୍ତିମାନଙ୍କ ବିଷୟରେ ଭଳି ଭଳି ବର୍ଣ୍ଣନା ଦେଇ କହିଲା ବେଳେ, ସତେ ଅବା ଏକ କେତେ ଆଡ଼ମ୍ବରମୟ ଏକ ପୃଷ୍ଠଭୂମି ଉପରେ ଗୋଟିଏ ନିତାନ୍ତ ମୂଲ୍ୟହୀନ ସାମାନ୍ୟ ପ୍ରସ୍ତରଟିଏ ପରି—ସେମାନଙ୍କର ନାମଗୁଡ଼ିକ ସେହି ଗୋଟିଏ ମାତ୍ର ପ୍ରଧାନ ନାମ—ଦରିଆ ମିହାଇଲୋଭ୍‌ନା—ର ଚତୁପାର୍ଶ୍ଵରେ କେଡ଼େ ଚମତ୍କାର ଓ ଚକଚକ ମୁଣ୍ଡଳାର ଆକାରରେ ଘୂରିବାରେ ଲାଗିଥିଲେ ।

 

ଶ୍ରୀଯୁକ୍ତ ରୁଡ଼ିନ୍ ଶ୍ରୀମତୀ ଦରିଆଙ୍କର କଥାଗୁଡ଼ିକୁ ଶୁଣୁଥାନ୍ତି ଓ ସିଗାରେଟ୍ ପିଇବାରେ ଲାଗିଥାନ୍ତି । ନିଜେ ଖୁବ୍ କ୍ଵଚିତ୍ କିଛି କହୁ ଥାଆନ୍ତି । ସିଏ ତ କେଡ଼େ ଚମତ୍କାର ଭାବରେ ନିଜର କଥାଗୁଡ଼ିକ କହିପାରନ୍ତି; କଥା କହିବାକୁ ଭଲ ମଧ୍ୟ ପାଆନ୍ତି । ଏହିପରି ଭାବରେ ସକଳ କଥୋପକଥନକୁ ସେ ସର୍ବଦା ହିଁ ସଚଳ କରି ରଖିଥାନ୍ତି । କିନ୍ତୁ, ଜଣେ ଅତି ଉତ୍ତମ ଶ୍ରୋତା ମଧ୍ୟ ହୋଇ ପାରନ୍ତି । ସକଳ ବ୍ୟକ୍ତି, —ଯଦି ସିଏ ସେମାନଙ୍କୁ ମୂଳରୁ ହିଁ ସାବଧାନ କରିଦେଇ ନଥାନ୍ତି–ତାଙ୍କର ଉପସ୍ଥିତିରେ ନିଜର ହୃଦୟଗୁଡ଼ିକୁ ସବୁବେଳେ ଖୋଲି ରଖିଥାନ୍ତି, —ପରିପୂର୍ଣ୍ଣ ବିଶ୍ଵାସର ସହିତ ହିଁ ଖୋଲି ରଖିଥାଆନ୍ତି ଏବଂ ରୁଡ଼ିନ୍ ମଧ୍ୟ କେଡ଼େ ସ୍ଵେଚ୍ଛାରେ ତଥା ସହାନୁଭୂତି ସହିତ ଆଉ ଜଣକର କଥାରୁ ଖିଅଟିକୁ ନେଇ ସେହି ଆଳାପଟିରେ ସାମିଲ୍ ହୋଇ ଯାଆନ୍ତି । ତାଙ୍କ ଭିତରେ ଏକ ଅତି ଉଦାର ଉତ୍ତମ ସ୍ଵଭାବଟିଏ ବିଦ୍ୟମାନ୍ ରହିଥିଲା, —ସେହି ବିଶେଷ କାଟର ଉତ୍ତମ ସ୍ଵଭାବଟିଏ, ଯେଉଁଟିରେ ପୂର୍ଣ୍ଣ ହୋଇ ରହିଥିଲେ ମନୁଷ୍ୟମାନେ ନିଜକୁ ଅନ୍ୟମାନଙ୍କ ତୁଳନାରେ କିଞ୍ଚିତ୍ ଭିନ୍ନ ଊର୍ଦ୍ଧ୍ଵତର ସ୍ତରର ବୋଲି ଅନୁଭବ କରନ୍ତି । ଅନ୍ୟମାନଙ୍କ ସହିତ କୌଣସି ବିତର୍କରେ ବସିଥିଲେ ସେ ବିରୋଧୀ ପକ୍ଷଟିକୁ ଆପଣାର ମତଟିକୁ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତ କରି ପାରିବା ଲାଗି କ୍ଵଚିତ୍ ଅବସର ମଧ୍ୟ ଦିଅନ୍ତି; ଆପଣର ପୂର୍ଣ୍ଣୋତ୍ସାହ ତଥା ପ୍ରଭାବଶାଳୀ ଭାବସମୃଦ୍ଧ ବିତର୍କଟି ଦ୍ଵାରା ତାହାକୁ ପରାଭୂତ କରି ଦେଇଥାନ୍ତି ।

 

ଶ୍ରୀମତୀ ମିହାଇଲୋଭ୍‌ନା ରୁଷୀୟ ଭାଷାରେ ଆପଣାର କଥାଗୁଡ଼ିକୁ କହୁଥିଲେ । ନିଜର ଭାଷାଟିକୁ ଏଡ଼େ ଉତ୍ତମ ରୂପେ ଜାଣିଛନ୍ତି ବୋଲି ବେଶ୍ ଗର୍ବ ବି ଅନୁଭବ କରୁଥିଲେ । ଅବଶ୍ୟ ଫରାସୀ ଭାଷାରେ କେତେ କେତେ ଶବ୍ଦ ମଧ୍ୟ ତାଙ୍କ ମୁହଁରୁ ସର୍ବଦା ବାହାରି ଯାଉଥାଏ । ପୂର୍ଣ୍ଣ ଭାବରେ ଜାଣିଶୁଣି ସେ ନିତାନ୍ତ ସରଳ ଲୋକ ମୁଖର ଭାଷା ବ୍ୟବହାର କରୁଥିଲେ । ଅବଶ୍ୟ ସବୁବେଳେ ଆଦୌ ସଫଳ ହେଉନଥିଲେ । ଶ୍ରୀମତୀ ଦରିଆ ଯେ ଏପରି ଦୁଇଟି ଭାଷାକୁ ମିଶାଇ ଏପରି ଭାବରେ କଥା କହୁଛନ୍ତି, ସେଥିରେ ରୁଡ଼ିନ୍ ମଧ୍ୟ ବେଶ୍ ଉତକ୍ଷିପ୍ତ ହୋଇ ଯାଉଥାନ୍ତି । ବସ୍ତୁତଃ ସେ ତାଙ୍କର କଥାଗୁଡ଼ିକୁ କ୍ଵଚିତ୍ ପୂର୍ଣ୍ଣ ମନୋନିବେଶ ସହିତ ଶୁଣୁ ଥାଆନ୍ତି ।

 

ଶେଷକୁ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ନିଜେ ହିଁ ବେଶ୍ କ୍ଳାନ୍ତ ଅନୁଭବ କରିଥିଲେ ଓ ନିଜେ ବସିଥିବା ଆରାମଚଉକିଟି ଉପରେ ମୁଣ୍ଡଟାକୁ ପଛକୁ କିଞ୍ଚିତ୍ ଢଳାଇ ସତେ ଅବା ବିଶ୍ରାମ କରିବାକୁ ଲାଗିଲେ ଓ ତା’ପରେ ଥିର ଭାବରେ ଅପଲକ ଆଖିରେ ଶ୍ରୀ ରୁଡ଼ିନ୍‌ଙ୍କ ଆଡ଼କୁ ଅନାଇ ନୀରବ ହୋଇଗଲେ ।

 

“ମୁଁ ବର୍ତ୍ତମାନ ବୁଝିପାରୁଛି,” ରୁଡ଼ିନ୍ ଥିର କଣ୍ଠରେ କହିବାକୁ ଆରମ୍ଭ କଲେ, “ମୁଁ ଏବେ ବୁଝି ପାରୁଛି, ଆପଣ ପ୍ରତିବର୍ଷ ଗ୍ରୀଷ୍ମଋତୁରେ କ’ଣ ପାଇଁ ଏହି ଗ୍ରାମାଞ୍ଚଳ ଆଡ଼େ ଚାଲି ଆସୁଛନ୍ତି । ଏହି ସମୟଟିରେ ଟିକିଏ ବିଶ୍ରାମ ଲାଭ କରିବା ଆପଣଙ୍କ ପାଇଁ ପ୍ରକୃତରେ ବେଶ୍ ଜରୁରୀ ହେଉଛି-। ରାଜଧାନୀରେ ନାନା ବ୍ୟସ୍ତତା ମଧ୍ୟରେ ଏତେ ସମୟ ରହିବା ପରେ ଗ୍ରାମାଞ୍ଚଳର ଶାନ୍ତିପୂର୍ଣ୍ଣ ପରିବେଶଟି ଆପଣଙ୍କୁ ପ୍ରକୃତର ଏକ ନୂତନ ଜୀବନ ଆଣି ଦେଉଛି ଓ ଆପଣଙ୍କୁ ପୁନର୍ବାର ଶକ୍ତି ଆଣି ଦେଉଛି । ମୋ’ର ପୂର୍ଣ୍ଣ ବିଶ୍ଵାସ ହେଉଛି, ଯେ ପ୍ରକୃତିର ସୌନ୍ଦର୍ଯ୍ୟ ବିଷୟରେ ଆପଣଙ୍କର ଏକ ଗଭୀର ଆକର୍ଷଣ ମଧ୍ୟ ରହିଛି ।”

 

ଦରିଆ ମିହାଇଲୋଭ୍‌ନା ରୁଡ଼ିନ୍‌ଙ୍କ ଆଡ଼କୁ ବେଶ୍ କଣେଇ କରି ଅନାଇ ରହିଲେ ।

 

“ପ୍ରକୃତିର ସୌନ୍ଦର୍ଯ୍ୟ—ହଁ—ହଁ—, ସମ୍ପୂର୍ଣ୍ଣ ସତ କଥା । ପ୍ରକୃତି ମୋ’ର ଅତ୍ୟନ୍ତ ପ୍ରିୟ; ମାତ୍ର, ଆପଣ ତ ଜାଣନ୍ତି, ଏହି ଗ୍ରାମାଞ୍ଚଳକୁ ଚାଲି ଆସିଲେ ମଧ୍ୟ ତଥାପି ଏକ ସମାଜକୁ ବାଦ୍ ଦେଇ ଆଦୌ ରହି ହେବ ନାହିଁ ଏବଂ ଏଠାରେ ତ ବସ୍ତୁତଃ ନିଜର ସମାଜ ବୋଲି କିଛି ହିଁ ନାହିଁ । ଏଠାରେ ପିଗାସୋଭ୍ ହେଉଛନ୍ତି ସବୁଠାରୁ ଅଧିକ ବୁଦ୍ଧିମାନ୍ ବ୍ୟକ୍ତି ।”

 

“କାଲି ରାତିରେ ଯେଉଁ ବୟସ୍କ ଭଦ୍ରବ୍ୟକ୍ତି କ୍ରୋଧ କରି ଏତେ ଏତେ କଥା କହୁଥିଲେ-?” ରୁଡ଼ିନ୍ ପ୍ରଶ୍ନ କଲେ ।

 

“ହଁ,…..ଏହି ଗ୍ରାମାଞ୍ଚଳରେ ହେଲେ ସିଏ ତଥାପି କାମ ଦେଇ ପାରିବେ—ବେଳେ ବେଳେ ଅନ୍ତତଃ ବେଶ୍ ହସାଇ ପାରୁଛନ୍ତି ।”

 

“ମାତ୍ର ତାଙ୍କୁ ମୁଁ ଜଣେ ନିର୍ବୋଧ ବ୍ୟକ୍ତି ବୋଲି କହିବି ନାହିଁ—” ରୁଡ଼ିନ୍ ତା’ପରେ କହିଲେ । “କିନ୍ତୁ ସେ ଏକ ଭୁଲ୍ ମାର୍ଗରେ ରହିଛନ୍ତି । ମୁଁ ଜାଣିନାହିଁ ମୋ’ ସହିତ କେତେଦୂର ଏକମତ ହେବେ କି ନାହିଁ, —ସିଏ ସବୁକଥାରେ କେବଳ ନାହିଁ ନାହିଁ ପଟେ ରହିଛନ୍ତି, ସମ୍ପୂର୍ଣ୍ଣ ଭାବରେ ସକଳ ପ୍ରସଙ୍ଗରେ କେବଳ ନାହିଁ ଏବଂ ନାହିଁ । ମାତ୍ର, ନାହିଁ ନାହିଁରେ କ’ଣ ଆଦୌ କେବେ କୌଣସି ସମାଧାନ ମିଳିବ ? ହଁ, ତୁମେ ସବୁକଥାକୁ କେବଳ କାଟି ଦେଉଥିବ ଏବଂ ତୁମକୁ ଲୋକେ ଜଣେ କେଡ଼େ ଦକ୍ଷ ଓ ସମର୍ଥ ବ୍ୟକ୍ତି ବୋଲି ଭାବିବେ । ଏଇଠି ହେଉଛି ଗୋଟିଏ ଅତ୍ୟନ୍ତ ସୁପରିଚିତ କୌଶଳ । ସରଳହୃଦୟ ବ୍ୟକ୍ତିମାନେ ତୁମ କଥା ଶୁଣି ବେଶ୍ ସିଦ୍ଧାନ୍ତଟିଏ କରିନେବେ ଯେ, ତୁମେ ଯେତେ ଯେତେ କଥାକୁ ନାହିଁ ନାହିଁ ବୋଲି କହି କାଟି କାଟି ପକାଉଛ, ସେଗୁଡ଼ିକ ଅପେକ୍ଷା ତୁମ ଭିତରେ ନିଶ୍ଚୟ ଏକ ଅଧିକ ଯୋଗ୍ୟତା ରହିଛି ଏବଂ ଏଇଟି ହେଉଛି ଅଧିକାଂଶ ସମୟରେ ଗୋଟିଏ ଭୁଲ୍ କଥା । କାରଣ, ପ୍ରଥମତଃ ଗୋଟିଏ ବିଷୟ ଯେଉଁପରି ହୋଇଥାଉ ବା ନହୋଇ ଥାଉ ପଛକେ, କୌଣସି ବ୍ୟକ୍ତି ସେଥିରେ ନିଶ୍ଚୟ କିଛି ନା କିଛି ଖୁଣ ବା ଦୋଷ ସର୍ବଦା ବାହାର କରିପାରିବ ଏବଂ ଦ୍ୱିତୀୟତଃ, ତୁମ କଥାଟା ଯଦି ପ୍ରକୃତରେ ଠିକ୍ ହୋଇଥିବ, ତୁମର ସେହିଭଳି ଖୁଣ ବାହାର କରୁଥିବା ଦ୍ୱାରା ତୁମର ହିଁ ଅଧିକ କ୍ଷତି ହେବ; କାରଣ ତୁମର ବୁଦ୍ଧିଟି ତୁଚ୍ଛା ନାହିଁ ନାହିଁ ଗୁଡ଼ାକ ହିଁ ଖୋଜୁଥିବ, କ୍ରମଶଃ ବର୍ଣ୍ଣହୀନ ହେବାରେ ଲାଗିଥିବ ଏବଂ ଶେଷକୁ ବିନଷ୍ଟ ମଧ୍ୟ ହୋଇଯିବ । ହଁ, ତୁମର ଗର୍ବଟାକୁ ଏହାଦ୍ୱାରା ଖୁବ୍ ସନ୍ତୋଷ ମିଳି ଯାଉଥିବ ସିନା, କିନ୍ତୁ ତୁମର ବିଚାର କ୍ଷେତ୍ରରେ ତୁମକୁ ଆଦୌ କୌଣସି ସାନ୍ତ୍ୱନା କେବେହେଲେ ପ୍ରାପ୍ତ ହେଉନଥିବ; ଜୀବନର ଅସଲ ସାରଟି ତୁମର ସେହି ତୁଚ୍ଛା ନିତାନ୍ତ କ୍ଷୁଦ୍ର ଏବଂ କାମଳତାପୂର୍ଣ୍ଣ ନକାରାତ୍ମକ ମନ୍ତବ୍ୟଗୁଡ଼ିକ ଠାରୁ ସର୍ବଦା ଦୂରକୁ ଓ ଅଧିକ ଦୂରକୁ ଚାଲି ଯାଉଥିବ । ତୁମେ ତା’ ପରେ ସମସ୍ତଙ୍କୁ କେବଳ ଗାଳି ହିଁ ଦେଉଥିବ ଏବଂ ଏକ ସମ୍ପୂର୍ଣ୍ଣ ହାସ୍ୟକରତାର ଦୃଷ୍ଟାନ୍ତ ହୋଇ ରହିବ । କେବଳ କିଛି ନା କିଛିକୁ ଭଲ ପାଉଥିବା ଜଣେ ମନୁଷ୍ୟର ହିଁ ଭର୍ତ୍ସନା କରିବାର ଓ ଦୋଷ ବାହାର କରିବାର ଆଦୌ କୌଣସି ଯଥାର୍ଥ ଅଧିକାର ରହିଥାଏ ।”

 

“ହଁ, ସମ୍ପୂର୍ଣ୍ଣ ଭାବରେ ଗୋଟିଏ ପ୍ରକୃତ କଥା, ଶ୍ରୀଯୁକ୍ତ ପିଗାସୋଭ୍‌ଙ୍କ ଲାଗି ସମ୍ପୂର୍ଣ୍ଣ ଭାବରେ ପ୍ରଯୁଜ୍ୟ—” ଶ୍ରୀମତୀ ମିହାଇଲୋଭ୍‌ନା ନିଜର ମତଟିକୁ ଦେଇ କହିଥିଲେ । “ଜଣେ ମନୁଷ୍ୟର ନିର୍ଭୁଲ୍ ସଂଜ୍ଞାଟିଏ ପ୍ରଦାନ କରିବାରେ ଆପଣଙ୍କର ପ୍ରକୃତରେ ଏକ ବିଚକ୍ଷଣ କ୍ଷମତା ହିଁ ଅଛି । କିନ୍ତୁ ଶ୍ରୀ ପିଗାସୋଭ୍ ଆପଣଙ୍କୁ କଦାପି ବୁଝି ନଥାନ୍ତେ । କେବଳ ନିଜର ବ୍ୟକ୍ତିସତ୍ତାଟି ବ୍ୟତୀତ ସିଏ ଆଉ ମୋଟେ କିଛିକୁ ହିଁ ଭଲ ପାଆନ୍ତି ନାହିଁ ।”

 

“ଏବଂ ଅନ୍ୟମାନଙ୍କର ଦୋଷ ବାହାର କରିବାକୁ ସେ ସେହିଟିରେ ମଧ୍ୟ ଦୋଷ ହିଁ ଦେଖନ୍ତି ।” —ରୁଡ଼ିନ୍ ଉତ୍ତର ଦେଲେ ।

 

ଦରିଆ ମିହାଇଲୋଭ୍‌ନା କଥାଟାକୁ ଶୁଣି ମୃଦୁ ହସଟିଏ ହସୁଥାନ୍ତି ।

 

“ଆଚ୍ଛା, ସେହି ସାମନ୍ତ ବ୍ୟକ୍ତିଙ୍କ ବିଷୟରେ ଆପଣଙ୍କର ମତ କ’ଣ ?”

 

“ସେହି ସାମନ୍ତଙ୍କ ବିଷୟରେ ? ଅତି ଚମତ୍କାର ଜଣେ ବ୍ୟକ୍ତି । ହୃଦୟଟି ଅତ୍ୟନ୍ତ ଉତ୍ତମ, ବହୁତ ଜ୍ଞାନ ମଧ୍ୟ ଅର୍ଜନ କରିଛନ୍ତି ।……କିନ୍ତୁ ଚରିତ୍ର ବୋଲି କିଛି ନାହିଁ । …..ଏବଂ ନିଜର ଜୀବନକାଳଟା ସିଏ ଏହିପରି ଅଧେ ପରିମାଣରେ ଜଣେ ବିଦ୍ୱାନ୍, ଆଉ ଅଧକ ଅଂଶରେ ଏହି ଇହ ଜଗତଟି ନିମନ୍ତେ ସତେ ଅବା ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରି ଦେଇଥିବା ଜଣେ ମନୁଷ୍ୟ, ଅର୍ଥାତ୍ ଜଣେ ପଲ୍ଲବଗ୍ରାହୀ ଭୋଗାନୁରାଗୀ ହୋଇ ରହିଥିବେ ! ପୁନଶ୍ଚ, କିଞ୍ଚିତ୍ ଅଧିକ ସିଧା କରି କହିଲେ, ଏଇଟି ଅଥବା ସେଇଟି କୌଣସି ଗୋଟିଏ ବି ହୋଇ ପାରୁନଥିବେ । ବଡ଼ ଶୋଚନୀୟ ଏକ ଅବସ୍ଥା ।”

 

“ମୋ’ର ମଧ୍ୟ ତାଙ୍କ ବିଷୟରେ ଏକ ଅନୁରୂପ ଧାରଣା ରହିଥିଲା—ଶ୍ରୀମତୀ ମିହାଇଲୋଭ୍‌ନା ପ୍ରକାଶ କଲେ । ହଁ, ମୁଁ ତାଙ୍କ ଲେଖାଟି ମଧ୍ୟ ପାଠ କରିଛି ।”

 

“ଏଠାରେ ଆଉସବୁ କେଉଁମାନେ ରହନ୍ତି ?”—କିଛିକ୍ଷଣ ପରେ ରୁଡ଼ିନ୍ ପଚାରିଥିଲେ ।

 

ଆପଣାର କାଣି ଆଙ୍ଗୁଠିଟି ଦେଇ ଶ୍ରୀମତୀ ଦରିଆ ତାଙ୍କ ସିଗାରେଟ୍‌ରୁ ପାଉଁଶ ଝାଡ଼ି ଦେଇଥିଲେ ।

 

“ଏଠାରେ ? ଏଠି ସେପରି କେହି ଅନ୍ୟମାନେ ରହନ୍ତି ନାହିଁ । ଶ୍ରୀମତୀ ଲିପିନ୍ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା, —ଆପଣଙ୍କର ତାଙ୍କ ସହିତ କାଲି ସାକ୍ଷାତ ହୋଇଥିଲା, —ଭାରି ମଧୁର ସ୍ୱଭାବର ମହିଳା ଜଣେ, —ମାତ୍ର କେବଳ ସେତିକି ବ୍ୟତୀତ ଅଧିକ କିଛି ନୁହନ୍ତି । ତାଙ୍କର ଭାଇ ମଧ୍ୟ ଜଣେ ଚମତ୍କାର ମଣିଷ—ଜଣେ ପୂରା ଭଲ ମନୁଷ୍ୟ । ରାଜକୁମାର ଗାରିନ୍‌ଙ୍କୁ ତ ଆପଣ ଜାଣିଛନ୍ତି । ବାସ୍ ମାତ୍ର ଏହି କେତେ ଜଣ ! ଏମାନଙ୍କୁ ଛାଡ଼ିଦେଲେ ଅଳ୍ପ କେତେଜଣ ପଡ଼ିଶା ଲୋକ ବି ଅଛନ୍ତି । ମାତ୍ର ସେମାନେ କୌଣସି କାମର ନୁହନ୍ତି । ହୁଏତ ବେଳେ ବେଳେ ଗୋଟାଏ ଗୋଟାଏ ମୁଖା ଲଗାଇଥାନ୍ତି ଅଥବା ମୋଟେ କାହାସାଙ୍ଗରେ ମିଶି ପାରନ୍ତି ନାହିଁ ବା ତା’ ନହେଲେ ବଡ଼ ଅପ୍ରୀତିକର ଭାବରେ ସ୍ୱାଧୀନ ଏବଂ ସହଜ ମଣିଷଙ୍କ ପରି ବ୍ୟବହାର କରନ୍ତି । ଆପଣ ତ ଜାଣିଛନ୍ତି, ମହିଳାମାନଙ୍କ ସହିତ ମୋ’ର ପ୍ରାୟ କୌଣସି ସମ୍ପର୍କ ନଥାଏ । ହଁ, ଆଉଜଣେ ପଡ଼ିଶାଲୋକ ମଧ୍ୟ ଅଛନ୍ତି, ଅତ୍ୟନ୍ତ ମାର୍ଜିତ ବୋଲି ସମସ୍ତେ କହନ୍ତି, —ଏପରିକି ତାଙ୍କୁ ଜଣେ ବିଦ୍ୱାନ୍‌ ଲୋକ ବୋଲି କୁହାଯାଇ ପାରିବ; କିନ୍ତୁ ଭୟଙ୍କର ଭାବରେ ଜଣେ ବିଚିତ୍ର ବ୍ୟକ୍ତି, —ଭାରି ଖିଆଲୀ ସ୍ୱଭାବର । ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ତାଙ୍କୁ ଜାଣିଛନ୍ତି ଏବଂ ମୁଁ ଭାବୁଛି, ସେ ତାଙ୍କ ପ୍ରତି ଆଦୌ ଉଦାସୀନ ନୁହନ୍ତି । ଶ୍ରୀଯୁକ୍ତ ଡିମିଟ୍ରି, ଚାଲନ୍ତୁ ଆପଣ ବି ତାଙ୍କ ସହିତ କଥାବାର୍ତ୍ତା କରି ଆସିବେ । ସିଏ ଜଣେ ଅତ୍ୟନ୍ତ ମଧୁର ସ୍ୱଭାବର ଜଣେ ମହିଳା । କେବଳ କିଞ୍ଚିତ୍ ଅଧିକ ପରିପକ୍ୱତା ହିଁ ଦରକାର ।”

 

“ହଁ, ସେ ମୋତେ ଖୁବ୍ ଭଲ ଲାଗୁଥିଲେ,” —ରୁଡ଼ିନ୍ ଏକ ମନ୍ତବ୍ୟ ଦେଲେ ।

 

“ସମ୍ପୂର୍ଣ୍ଣ ପ୍ରକାରେ ଗୋଟିଏ ପିଲା, ପୂରା ଶିଶୁଟିଏ ବୋଲି କୁହାଯାଇ ପାରିବ । ହଁ, ବିବାହ କରିଛନ୍ତି, ମାତ୍ର ଗୋଟା ସୁଦ୍ଧା ଯେଉଁପରି ସେହିପରି । ଯଦି ମୁଁ ଜଣେ ପୁରୁଷ ହୋଇଥାନ୍ତି, ତେବେ ତାଙ୍କ ପରି ଜଣେ ନାରୀଙ୍କୁ ନିଶ୍ଚୟ ଭଲ ପାଇ ପକାନ୍ତି ।”

 

“ପ୍ରକୃତରେ ?”

 

“ନିଶ୍ଚୟ ! ତାଙ୍କ ପରି ଜଣେ ନାରୀ ସର୍ବଦା ହଁ ଅନ୍ତତଃ ଜୀବନ୍ତ ହୋଇ ରହିଥାନ୍ତି ଏବଂ ମୁଖାଟାଏ ପିନ୍ଧି କେହି କେବେ ହେଲେ ମୋଟେ ଜୀବନ୍ତ ବୋଲି ଦେଖା ଯିବ ନାହିଁ ।”

 

“ଆଉ ଯାହାକିଛି ବି ଦେଖାଯାଇ ପାରିବ କି ?” —ରୁଡ଼ିନ୍ ପ୍ରଶ୍ନ କରିଥିଲେ ଏବଂ ହସିବାରରେ ଲାଗିଥିଲେ । ରୁଡ଼ିନ୍‌ଙ୍କର ଜୀବନରେ ଏପରି କ୍ୱଚିତ୍ ଦୃଷ୍ଟିଗୋଚର ହେଉଥିଲା । ବର୍ତ୍ତମାନ ହସୁଥିବା ସମୟରେ ତାଙ୍କର ମୁହଁ ଉପରଟା ସତେଅବା ବଡ଼ ବିଚିତ୍ର, ପ୍ରାୟ ଜଣେ ନିତ୍ୟାନ୍ତ ବୟସ୍କ ଲୋକର ମୁଦ୍ରାଟିଏ ବହନ କରୁଥିଲା । ଆଖିଗୁଡ଼ିକ ସତେଅବା ଆଦୌ ଦିଶୁନଥିଲେ ଏବଂ ନାସିକା ଉପରେ କିଞ୍ଚିତ୍ କୁଞ୍ଚନ ମଧ୍ୟ ଦେଖା ଯାଉଥିଲା ।

 

ରୁଡ଼ିନ୍ ପ୍ରଶ୍ନ କଲେ, “ଏବଂ ସେହି ବିଚିତ୍ର ଜୀବଟି ମଧ୍ୟ କିଏ, ଆପଣ ଯାହାଙ୍କ ବିଷୟରେ କହୁଥିଲେ ଏବଂ ଯାହାଙ୍କ ପ୍ରତି ଶ୍ରୀମତୀ ଲିପିନ୍ ଉଦାସୀନ ନଥିଲେ ?”

 

“ସିଏ ଏଠାକାର ଜଣେ ଜମି ମାଲିକ, —ମିହାଇଲୋ ମିହାଇଲିଚ୍ ଲେଜ୍‌ଝନିଓଭ୍ ।”

 

ରୁଡ଼ିନ୍ ସତେଅବା ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମୁଣ୍ଡଟିକୁ ଉପର ଆଡ଼କୁ କରି ନେଇଥିଲେ । ପଚାରିଲେ, “ମିହାଇଲୋ ମିହାଇଲିଚ୍ ଲେଜ୍‌ଝନିଓଭ୍‌—ଏଠାରେ ଆପଣଙ୍କର ଜଣେ ପଡ଼ୋଶୀ ?”

 

“ହଁ, ତାଙ୍କୁ ଆପଣ ଚିହ୍ନିଛନ୍ତି ?”

 

ପ୍ରାୟ ମୁହୂର୍ତ୍ତେ ରୁଡ଼ିନ୍ କୌଣସି ଉତ୍ତର ଦେଇ ନଥିଲେ ।

 

“ତାଙ୍କୁ ମୁଁ ବହୁଦିନ ପୂର୍ବେ ଜାଣିଥିଲି । ଜଣେ ଖୁବ୍ ଧନୀ ବ୍ୟକ୍ତି ବୋଧହୁଏ—” ନିଜେ ବସିଥିବା ଚଉକିଟିର ଦାଢ଼ଟାକୁ ଟାଣି ନେଇ ସିଏ ତା’ ପରେ କହିଲେ ।

 

“ହଁ, ସିଏ ଜଣେ ଖୁବ୍ ଧନୀ ବ୍ୟକ୍ତି । ମାତ୍ର, ଯେପରି ପୋଷାକପତ୍ର ବ୍ୟବହାର କରନ୍ତି, ସେଥିରୁ ଆଦୌ ବିଶ୍ୱାସ ହେବ ନାହିଁ । ସତେ ଅବା କାହାର ଜଣେ ଗୁମାସ୍ତା ପରି ସାଧାରଣ ସାନ ଗାଡ଼ିଟିଏ ଧରି ବୁଲୁଥାନ୍ତି । ସିଏ ଏଠାକୁ ମଧ୍ୟ ଆସନ୍ତୁ ବୋଲି ମୁଁ କେତେ ବ୍ୟସ୍ତ ହୋଇ ଭାବିଛି, —ତାଙ୍କୁ ସମସ୍ତେ ଜଣେ ଚତୁର ବ୍ୟକ୍ତି ବୋଲି କହନ୍ତି । ତାଙ୍କ ସହିତ ମୋ’ର କିଛି କାର୍ଯ୍ୟ ବି ରହିଛି । ମୋ’ ନିଜ ସମ୍ପତ୍ତିର ପରିଚାଳନା ମୁଁ ସ୍ୱୟଂ କରେ ବୋଲି ଆପଣ ତ ଜାଣିଥିବେ ।”

 

ରୁଡ଼ିନ୍ ମୁଣ୍ଡ ହଲାଇ ଜାଣନ୍ତି ବୋଲି ସୂଚିତ କଲେ ।

 

ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ପୁଣି କହିଲେ: “ହଁ, ମୁଁ ସ୍ୱୟଂ ପରିଚାଳନା କରେ । ଏସବୁ ବ୍ୟାପାରରେ ମୁଁ କୌଣସି ବିଦେଶୀ ପାଗଳାମିକୁ ଏସବୁ ଭିତରକୁ ମୋଟେ ପ୍ରବେଶ କରିବାକୁ ଦିଏନାହିଁ । ବରଂ ଆମ ନିଜ ଦେଶର ଚଳଣିଗୁଡ଼ିକୁ ବଜାୟ ରଖିବାକୁ ଇଚ୍ଛା କରେ, ଆମ ଏହି ରୁଷିଆ ଦେଶର ଚଳଣିଗୁଡ଼ିକୁ । ଏବଂ ଆପଣ ତ ବେଶ୍‌ ଦେଖି ପାରୁଥିବେ, ଏଠି ସବୁକିଛି ବିଷୟ ମୋଟେ ସେତେ ମନ୍ଦ ଭାବରେ ଚଳୁନାହିଁ । ଏତିକି କହି ସେ ନୀରବ ରହିଲେ ।

 

ଶ୍ରୀଯୁକ୍ତ ରୁଡ଼ିନ୍ ବେଶ୍‌ ସମ୍ଭ୍ରମ ରକ୍ଷା କରି ମନ୍ତବ୍ୟ କଲେ, “ନାରୀମାନଙ୍କର ସର୍ବଦା ଏକ ବାସ୍ତବ ଜାଗତିକ ବୁଦ୍ଧି ରହିଥାଏ ବୋଲି ଯେଉଁ ପୁରୁଷମାନେ ସ୍ୱୀକାର କରିବାକୁ ମୋଟେ ରାଜି ହୁଅନ୍ତି ନାହିଁ, ସେମାନେ ଯେ ଆଦୌ ଠିକ୍ କଥା କହନ୍ତି ନାହିଁ, ମୁଁ ସବୁବେଳେ ତାହାହିଁ ବିଶ୍ୱାସ କରି ଆସିଛି ।”

 

ପ୍ରାୟ ଏକ ସମାନ ସମ୍ଭ୍ରମ ରକ୍ଷା କରି ଶ୍ରୀମତୀ ମିହାଇଲୋଭ୍‌ନା ଏକ ଈଷତ୍‍ ହାସ୍ୟ ହସିଥିଲେ ।

 

ଆପଣାର ମନ୍ତବ୍ୟଟିଏ ଦେଲାପରି ତା’ପରେ କହିଲେ, “ଆପଣ ଆମମାନଙ୍କ ପ୍ରତି ଅତ୍ୟନ୍ତ ସଦୟତା ପ୍ରକାଶ କରୁଛନ୍ତି । କିନ୍ତୁ, ମୁଁ ପ୍ରକୃତରେ କ’ଣ କହିବାକୁ ଯାଉଥିଲି ଟି ! ହଁ, ହଁ, ଶ୍ରୀ ଲେଜ୍‌ଝନିଓଭ୍‌ଙ୍କ ପାଖରେ ମୋ’ର କିଛି କାମ ଥିଲା । ଗୋଟିଏ ଜମିର ଆୟତନ ବିଷୟରେ । ଏଠାକୁ ଥରେ ଆସିବା ଲାଗି ତାଙ୍କୁ ମୁଁ କେତେଥର ଅନୁରୋଧ କରି ଖବର ଦେଲିଣି । ଏପରିକି ଆଜି ମଧ୍ୟ ସିଏ ହୁଏତ ଆସିପାରନ୍ତି ବୋଲି ଆଶା କରୁଛି । କିନ୍ତୁ ସିଏ ପ୍ରକୃତରେ ଆସି ପହଞ୍ଚିବେ ବୋଲି ମୋଟେ କହି ହେବନାହିଁ । “ବଡ଼ ବିଚିତ୍ର ଜଣେ ମଣିଷ ନିଶ୍ଚୟ ।”

 

ଦୁଆର ପରଦାଟା ବେଶ୍‌ ଧୀର ଭାବରେ ଆଡ଼େଇ ହୋଇ ଯାଇଥିଲା ଏବଂ ଜଣେ ପରିଚାରକ ଘର ଭିତରକୁ ଆସିଲା—ଡେଙ୍ଗା ମନୁଷ୍ୟଟିଏ, ଚନ୍ଦା ମୁଣ୍ଡ ଓ ପାଚିଲା ବାଳ । କଳା କୋଟ୍‌ଟିଏ ପିନ୍ଧିଛି । ଗଳାରେ ଟାଇ ପରିହିତ, —ଧଳାରଙ୍ଗର ଉଏଷ୍ଟକୋଟ୍ ।

 

“ମିହାଇଲୋ ମିହାଇଲିଚ୍ ଲେଜ୍‌ଝନିଓଭ୍ ଆପଣଙ୍କୁ ସାକ୍ଷାତ କରିବାକୁ ଚାହୁଛନ୍ତି,” —ପରିଚାରକ ଜଣାଇଥିଲା । “ଆପଣ ତାଙ୍କୁ ଦେଖା କରିବେ ।”

 

“ହେ ଭଗବାନ୍, ତାଙ୍କ ନାଆଁ ପଡ଼ୁ ପଡ଼ୁ ସିଏ ଆସି ପହଞ୍ଚିଗଲେ ।” —ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା କେଡ଼େ ବଡ଼ ପାଟିରେ କହି ଉଠିଲେ । “ହଁ, ତାଙ୍କୁ ଆସିବାକୁ କହ ।”

 

ପରିଚାରକ ପ୍ରସ୍ଥାନ କଲା ।

 

“ବଡ଼ ବିଚିତ୍ର ମଣିଷ ଜଣେ । ଏବେ ଯାଇ ଆସି ପାରିଲେ, —ଗୋଟାଏ ବଡ଼ ଅବେଳାରେ, —ଏବଂ ଆମର କଥୋପକଥନରେ ବାଧା ହିଁ ସୃଷ୍ଟି କଲେ ।”

 

ଶ୍ରୀ ରୁଡ଼ିନ୍ ନିଜ ଆସନ ତ୍ୟାଗ କରିବାକୁ ଉଦ୍ୟତ ହେଲେ; କିନ୍ତୁ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ତାଙ୍କୁ ରହିବାକୁ କହିଲେ ।

 

“ଆପଣ କୁଆଡ଼େ ଯାଉଛନ୍ତି ? ଆପଣଙ୍କର ଉପସ୍ଥିତିରେ ମଧ୍ୟ ଆମ କଥାଟିକୁ ଆମେ ଆଲୋଚନା କରି ପାରିବୁ ଏବଂ ମୋ’ର ଇଚ୍ଛା ଯେ ଆପଣ ମଧ୍ୟ ଏହି ବ୍ୟକ୍ତିଟିଙ୍କୁ ମଧ୍ୟ ଉତ୍ତମ ରୂପେ ପର୍ଯ୍ୟବେକ୍ଷଣ କରି ଦେଖିବେ, ଠିକ୍ ପିଗାସୋଭ୍‌ଙ୍କୁ ଯେପରି ଭାବରେ ଦେଖିଲେ । ଆପଣ ଦୟା କରି ନିଶ୍ଚୟ ରହନ୍ତୁ ।” ରୁଡ଼ିନ୍ ନାହିଁ କରିବାକୁ ଯାଉଥିଲେ ମଧ୍ୟ ଦଣ୍ଡକ ସକାଶେ ଆଉ କ’ଣ ଭାବି ପୁନର୍ବାର ଆସନ ଗ୍ରହଣ କଲେ ।

 

ଶ୍ରୀ ମିହାଇଲୋ ମିହାଇଲିଚ୍ ଗୃହ ମଧ୍ୟରେ ପ୍ରବେଶ କଲେ । ନିଜର ସେହି ଧୂସର ରଙ୍ଗର ଓଭ୍‌ରକୋଟ୍‌ଟି ପିନ୍ଧିଥିଲେ ଏବଂ ଖରା ତାପରେ ବାଦାମୀ ରଙ୍ଗ ହୋଇଯାଇଥିବା ହାତଦୁଇଟିରେ ନିଜର ଢୋଲା ଟୋପିଟିକୁ ଧରିଥିଲେ । ଶ୍ରୀମତୀ ଦରିଆଙ୍କୁ ଅଭିବାଦନ କରି ସିଏ ନିଜର ମୁଣ୍ଡକୁ ଈଷତ୍ ନୁଆଁଇ ଆଣିଥିଲେ ଏବଂ ନୀରବରେ ଚାହାଟେବୁଲ୍‌ର ନିକଟବର୍ତ୍ତୀ ହୋଇ ଆସିଥିଲେ ।

 

“ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍, ଆପଣ ଏତେଦିନେ ଯାଇ ମୋ’ର ଅନୁରୋଧ ରକ୍ଷା କରି ଏଠାକୁ ଆସିଲେ,” —ଶ୍ରୀମତୀ ଦରିଆ କଥାଟିକୁ ଆରମ୍ଭ କରି କହିଥିଲେ । “ଅନୁଗ୍ରହ କରି ସ୍ଥାନ ଗ୍ରହଣ କରନ୍ତୁ ।” ତା’ପରେ ଶ୍ରୀ ରୁଡ଼ିନ୍‌ଙ୍କ ଆଡ଼କୁ ଦୃଷ୍ଟି ନିର୍ଦ୍ଦେଶ କରି କହିଥିଲେ, “ମୁଁ ଶୁଣିଲି, ଆପଣ ତାଙ୍କୁ ଆଗରୁ ଜାଣିଛନ୍ତି !”

ଲେଜ୍‌ଝନିଓଭ୍‌ ରୁଡ଼ିନ୍‌ଙ୍କ ଆଡ଼କୁ ଅନାଇଲେ ଓ କେମିତିଆ ଈଷତ୍‍ ହସଟିଏ ବି ହସିଥିଲେ ।

ଏବଂ ସମ୍ମତି ଜଣାଇ କହିଲେ, “ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କୁ ମୁଁ ଆଗରୁ ଜାଣିଛି ।”

ରୁଡ଼ିନ୍ ମଧ୍ୟ ସେଥିରେ ସମର୍ଥନ ଜଣାଇ କହିଥିଲେ, “ଆମେ ଏକା ସମୟରେ ବିଶ୍ୱ ବିଦ୍ୟାଳୟ ପାଠ ପଢ଼ୁଥିଲୁ ।”

“ତା’ ପରେ ମଧ୍ୟ ଆମର ଦେଖା ହୋଇଛି ।” —ଲେଜ୍‌ଝନିଓଭ୍ ମନ୍ତବ୍ୟ କରିଥିଲେ ।

ଶ୍ରୀମତୀ ଦରିଆ ମିହାଇଲେଭ୍‌ନା ଉଭୟଙ୍କ ଆଡ଼କୁ ହିଁ ଅନାଇବାରେ ଲାଗିଥାନ୍ତି । ତାଙ୍କ ଭିତରେ ସତେ ଅବା ଅସ୍ପଷ୍ଟ ହୋଇ କିଛି ରହି ଯାଇଥାଏ । ସେ ଲେଜ୍‌ଝନିଓଭ୍‌ଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ । ଲେଜ୍‌ଝନିଓଭ୍ ଆସନ ଗ୍ରହଣ କଲେ ।

ଲେଜ୍‌ଝନିଓଭ୍ କଥା ଆରମ୍ଭ କଲେ : “ମୁଁ ଆପଣଙ୍କ ସହିତ ଦେଖା କରେ ବୋଲି ଆପଣ ଇଚ୍ଛା କରିଥିଲେ ନା ! ଅପାଣଙ୍କର ଗୋଟିଏ ଜମିର ଚଉହଦୀ ବିଷୟରେ ।”

“ହଁ, ଗୋଟିଏ ଜମିର ଚଉହଦୀ ବିଷୟରେ । ମାତ୍ର, ଆପଣଙ୍କ ସହିତ ଯେପରି ହେଲେ ଏକ ଭେଟ ହେଉ ବୋଲି ମଧ୍ୟ ମୋ’ର ଇଚ୍ଛା ଥିଲା । ଆପଣ ତ ଜାଣିଛନ୍ତି, ଆମ ଦୁହିଁଙ୍କର ଏକ ଅତିନିକଟ ପାରିବାରିକ ସମ୍ବନ୍ଧ ମଧ୍ୟ ଅଛି । ଆମେ ପରସ୍ପରର ନିକଟ ପ୍ରତିବେଶୀ ହୋଇ ବି ଏଠାରେ ଅଛୁ ।”

“ମୁଁ ଆପଣଙ୍କ ପାଖରେ ଅତ୍ୟନ୍ତ କୃତଜ୍ଞ,” —ଲେଜ୍‌ଝନିଓଭ୍ ଉତ୍ତର ଦେଇଥିଲେ ଏବଂ ଚଉହଦୀ ବିଷୟରେ ଆମେ ଏପରି ଭାବରେ ଗୋଟିଏ ବ୍ୟବସ୍ଥା କରିଦେଉଛୁ ଯେ, ଆପଣଙ୍କର ଆମକୁ ଯାହାକିଛି କହୁଛନ୍ତି, ଆମେ ସେହି ସବୁଗୁଡ଼ିକରେ ରାଜି ହୋଇ ଯାଇଛୁ ।”

“ହଁ, ମୁଁ ଜାଣିଛି । ମାତ୍ର, ସିଏ ମୋତେ କହୁଥିଲେ ଯେ, ଆପଣଙ୍କ ସହିତ ବ୍ୟକ୍ତିଗତ ଭାବରେ ଥରେ ସାକ୍ଷାତ ହେବା ପୂର୍ବରୁ ରାଜିନାମାଟିରେ ଆଦୌ ଦସ୍ତଖତ କରିବା ସମ୍ଭବ ହେବ ନାହିଁ ।”

ହଁ, ମୁଁ ସେହିପରି ନିୟମଟିଏ ରଖିଛି । ହଁ, ମୁଁ ଆଉ ଗୋଟିଏ କଥା ମଧ୍ୟ ଆପଣଙ୍କୁ ପଚାରିବି, ଆପଣଙ୍କର ପ୍ରତ୍ୟେକ ଭାଗଦାରୀ ଚାଷୀ ଆପଣଙ୍କୁ ଖଜଣା ନିଶ୍ଚୟ ଦେଉଥିବେ ।”

“ହଁ, ଦିଅନ୍ତି ।”

“ଏବଂ ଆପଣ ତଥାପି ଚଉହଦୀଗୁଡ଼ିକୁ ନେଇ ମଥା ଘୂରାନ୍ତି । ଅବଶ୍ୟ ପ୍ରଶଂସା କରିବାର କଥାଟିଏ ।”

ପରବର୍ତ୍ତୀ ପ୍ରାୟ ଗୋଟିଏ ମୁହୂର୍ତ୍ତ ସକାଶେ ଲେଜ୍‌ଝନିଓଭ୍ ଆଦୌ କିଛି କହିନଥିଲେ ।

“ମୁଁ ଏକ ବ୍ୟକ୍ତିଗତ ସାକ୍ଷାତ୍‌କାର ପାଇଁ ଆଜି ଆସିଛି ।”—ସେ ଅବଶେଷରେ ମୁହଁ ଖୋଲିଥିଲେ ।

ଶ୍ରୀମତୀ ମିହାଇଲୋଭ୍‌ନା ସେକଥା ଶୁଣି ମୁରୁକି ହସିଲେ ।

“ଆପଣ ଆସିଛନ୍ତି ବୋଲି ମୁଁ ସ୍ପଷ୍ଟ ଦେଖୁ ପାରୁଛି । କିନ୍ତୁ ଆପଣଙ୍କର କଣ୍ଠରୁ ମୁଁ ସତେଅବା ଏକ ଅନ୍ୟଭଳି ଆଭାସ ମଧ୍ୟ ପାଇପାରୁଛି । …ଆପଣ ନିଜ ଆଡ଼ୁ କଦାପି ମୋ’ ସହିତ ସାକ୍ଷାତ କରିବା ପାଇଁ ଆସିନଥାନ୍ତେ ।”

“ମୁଁ ସତକୁ ସତ କେଉଁଆଡ଼େ ଯାଏ ନାହିଁ,” —ଲେଜ୍‌ଝନିଓଭ୍ ସତେଅବା ଗଳାରେ କିଛି କଫ ଅଟକି ଯାଇଥିବା ପରି ଉତ୍ତର ଦେଲେ ।

 

“କେଉଁଆଡ଼େ ଯାଆନ୍ତି ନାହିଁ ? କିନ୍ତୁ ଆପଣ ଶ୍ରୀମତୀ ଆଲେକଜାଣ୍ଡ୍ରା ପାଭଲୋଭ୍‌ନାଙ୍କୁ ତ ଦେଖିବାକୁ ଯାଆନ୍ତି ।”

 

“ମୁଁ ତାଙ୍କ ଭାଇଙ୍କର ଜଣେ ପୁରାତନ ବନ୍ଧୁ ।”

 

ତାଙ୍କ ଭାଇଙ୍କର ! କିନ୍ତୁ ମୁଁ କାହାକୁ କିଛି ସ୍ୱୀକାର କରିବାକୁ ଆଦୌ ବାଧ୍ୟ କରିବାକୁ ଇଚ୍ଛା କରେ ନାହିଁ । ମାତ୍ର, ଶ୍ରୀ ମିହାଇଲୋ ମିହାଇଲିଚ୍ ଆପଣ ମୋତେ କ୍ଷମା କରିବେ, ମୁଁ ଆପଣଙ୍କ ଠାରୁ ବୟସରେ ବଡ଼ ଏବଂ ତେଣୁ ଆପଣଙ୍କୁ କେବେ କେବେ କିଞ୍ଚିତ୍ ପରାମର୍ଶ ମଧ୍ୟ ଦେଇପାରିବି, ଏପରି ଏକ ଅସାମାଜିକ ଭାବରେ ଜୀବନ ବଞ୍ଚିବାରେ ପ୍ରକୃତରେ ଆପଣ କି ଆନନ୍ଦ ଲାଭ କରନ୍ତି । ବା, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ଘରଟା ଆପଣଙ୍କୁ ଅପ୍ରୀତିକର ଲାଗେ କି ? ଆପଣଙ୍କର ମୋ’ ପ୍ରତି କିଛି ଅଶ୍ରଦ୍ଧା ରହିଛି ?”

 

“ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା, ମୁଁ ଆପଣଙ୍କୁ ଜାଣି ବି ନାହିଁ ତେଣୁ ଆପଣଙ୍କ ପ୍ରତି କୌଣସି ଅଶ୍ରଦ୍ଧା ରଖିବାର କାରଣ ନାହିଁ । ଆପଣଙ୍କର କେଡ଼େ ସୁନ୍ଦର ଗୋଟିଏ ବାସଗୃହ ରହିଛି, ତଥାପି ନିଜ ଭିତରେ କୌଣସି ସଂକୋଚ ନରଖି ମୁଁ ଆପଣଙ୍କୁ କହିବି ଯେ ମୋତେ କୌଣସି ଔପଚାରିକତା ରକ୍ଷା କରିବା ମୋଟେ ଭଲ ଲାଗେ ନାହିଁ । ଏବଂ ମୋ’ ପୋଷାକରେ କେବେ କୌଣସି ସମ୍ଭ୍ରାନ୍ତ ବର୍ଗୀୟ ଖାସ୍‌ ଲକ୍ଷଣର ଔଜ୍ଜ୍ୱଲ୍ୟ ମଧ୍ୟ ନଥାଏ, ହାତରେ ହାତମୋଜା ମଧ୍ୟ ନାହିଁ ଏବଂ ତେଣୁ ଆପଣମାନଙ୍କର ପଂକ୍ତି ମଧ୍ୟକୁ ମୋ’ର ପ୍ରବେଶ ସମ୍ଭବ ହୋଇ ପାରେ ନାହିଁ ।”

 

“କିନ୍ତୁ, ବଂଶ ତଥା ଶିକ୍ଷାରେ ଆପଣ ଅବଶ୍ୟ ଆମ ପଂକ୍ତିରେ ରହିଛନ୍ତି ।”

 

“ଜନ୍ମ ତଥା ଶିକ୍ଷାଲାଭ, —ଏହି ସବୁଗୁଡ଼ିକ ନିଶ୍ଚୟ ଖୁବ୍ ଉତ୍ତମ ଓ ମହତ୍ତ୍ୱପୂର୍ଣ୍ଣ । ମାତ୍ର ଏହି କ୍ଷେତ୍ରରେ ସେଇଟି ଆଦୌ ପ୍ରଶ୍ନ ନୁହେଁ ।”

 

“କିନ୍ତୁ, ମିହାଇଲୋ ମିହାଇଲିଚ୍, —ଜଣେ ବ୍ୟକ୍ତି ତା’ ସମସ୍ତଙ୍କ ସହିତ ସାମିଲ୍ ହୋଇ ଅବଶ୍ୟ ରହିବ । ତେବେ ସେହି ଗ୍ରୀକ୍‌ ଯୁଗର ଡାୟୋଜିନସ୍‌ଙ୍କ ପରି ଆପଣାର ଟବ୍‌ଟି ଭିତରେ ଅଲଗା ହୋଇ ରହିବାରେ ପୁଣି କି ସୁଖ ମିଳେ ?”

 

“ସତ କଥା, କିନ୍ତୁ ଡାୟୋଜିନିସ୍ ସେହିଭଳି ଏକ ସ୍ଥିତିରେ ରହି ଖୁବ୍ ସୁଖ ହିଁ ଅନୁଭବ କରୁଥିଲେ ଏବଂ ତା’ ଛଡ଼ା, ମୁଁ ମୋ’ର ସମଗୋଷ୍ଠୀଟି ସହିତ ନଥାଏ ବୋଲି ଆପଣ କିପରି ଜାଣିଲେ ।”

 

ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ହୁଏତ ଆଉ କିଛି କହି ପାରୁନଥିଲେ ।

 

ସେଇଟି ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଭିନ୍ନ କଥା । ମୁଁ ଦୁଃଖ ପ୍ରକାଶ କରି କେବଳ ଏତିକି କହିବି ଯେ, ଆପଣ ମୋତେ ଆପଣଙ୍କର ବନ୍ଧୁମାନଙ୍କ ସମୂହଟିରେ ଅନ୍ତର୍ଭୁକ୍ତ କରି ରଖିନାହାନ୍ତି । ଏବେ ଯାଇ ରୁଡ଼ିନ୍ ମୁହଁ ଖୋଲି କିଛି କହିଲେ, “ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍‌ଙ୍କ କଥାରୁ ଜଣାପଡ଼ୁଛି ଯେ ସିଏ ଗୋଟିଏ ପ୍ରକୃତରେ ଖୁବ୍ ପ୍ରଶଂସାର ଯୋଗ୍ୟ ଭବ ଦୃଷ୍ଟିକୁ ଗୁଡ଼ାଏ ଅତିରିକ୍ତ ମହତ୍ତ୍ୱ ପ୍ରଦାନ କରୁଛନ୍ତି, —ସ୍ୱାଧୀନ ହୋଇ ରହିବାର ତାଙ୍କର ସେହି ଭାବଟିକୁ ।”

 

ଲେଜ୍‌ଝନିଓଭ୍‌ କିଛି ଉତ୍ତର ଦେଇନଥିଲେ, କେବଳ ରୁଡ଼ିନ୍‌ଙ୍କ ଆଡ଼େ ଅନାଇ ରହିଥିଲେ । ଏବଂ କିଛି ସମୟ ପାଇଁ ଏକ ନୀରବତା ହିଁ ରହିଥିଲା । ତା’ପରେ ଆସନ ତ୍ୟାଗ କରି ଠିଆ ହେଉ ହେଉ ସେ କହିଥିଲେ, “ମୁଁ ଭାବୁଛି, ମୋ’ର ଏଠି କାର୍ଯ୍ୟଟି ସମ୍ପନ୍ନ ହୋଇ ଯାଇଛି । ମୋ’ ପାଖକୁ ସଂପର୍କିତ କାଗଜପତ୍ର ଗୁଡ଼ିକୁ ପଠାଇ ଦେବା ଲାଗି ଆପଣଙ୍କ ମ୍ୟାନେଜରଙ୍କୁ ଆପଣ କହିଦେବେ ।”

 

“ହଁ, ଆପଣ ଅବଶ୍ୟ ସେପରି ଭାବି ପାରିବେ……ତଥାପି ମୁଁ ଏକଥାଟିକୁ ମଧ୍ୟ ନିଶ୍ଚୟ ସ୍ୱୀକାର କରିବି ଯେ, ଆପଣ ଯେପରି ଅଶିଷ୍ଟ ବ୍ୟବହାର ଦେଖାଇଲେ, ସେଥିପାଇଁ ମୋ’ର ସମ୍ଭବତଃ ମନା କରିଦେବାଟା ହିଁ ଅଧିକ ଉଚିତ୍ ହୁଅନ୍ତା ।”

 

“କିନ୍ତୁ, ଆପଣଙ୍କୁ ତ ଭଲଭାବରେ ଜଣା ଅଛି ଯେ, ଜମିର ଚଉହଦୀଟିକୁ ପୁନର୍ବାର କିଞ୍ଚିତ୍ ବଦଳାଇ ଏକ ମୀମାଂସା କରିବାଦ୍ୱାରା ମୋ’ ଅପେକ୍ଷା ପ୍ରକୃତରେ ଆପଣ ହିଁ ଅଧିକ ଲାଭବାନ୍ ହେବେ ।”

 

ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କର ସ୍କନ୍ଧ-ଦେଶରେ ଏକ କୁଞ୍ଚନ ଦୃଷ୍ଟିଗୋଚର ହୋଇଥିଲା ।

 

ସିଏ ପଚାରିଲେ, “ଆପଣ ତେବେ ଏଠାରେ ମଧ୍ୟାହ୍ନ-ଭୋଜନ ବି କରିବେ ନାହିଁ ?”

 

“ନାଇଁ । ଆପଣଙ୍କୁ ବହୁତ ଧନ୍ୟବାଦ । ମୁଁ ମଧ୍ୟାହ୍ନ ସମୟରେ କେବେ କିଛି ଖାଏ ନାହିଁ-। ପୁନଶ୍ଚ, ମୋତେ ଖୁବ୍ ଶୀଘ୍ର ଘରେ ମଧ୍ୟ ଯାଇ ପହଞ୍ଚିବାକୁ ହେବ ।”

 

ଶ୍ରୀମତୀ ମିହାଇଲୋଭ୍‌ନା ଉଠି ଛିଡ଼ା ହେଲେ ।

 

“ତେବେ ମୁଁ ଆଉ ଅଟକାଇ ରଖିବିନାହିଁ ।” —ସେ କହିଥିଲେ ଏବଂ ତା’ପରେ ଖିଡ଼ିକି ଆଡ଼କୁ ଅଗ୍ରସର ହେଉ ହେଉ କହିଲେ, “ଆପଣଙ୍କୁ ଅଟକାଇ ରଖିବାଲାଗି ମୁଁ ସାହସ ହିଁ କରିବି ନାହିଁ ।”

 

ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍‌ ବିଦାୟ ନେବାକୁ ବସିଲେ ।

 

“ଦେବେ ବିଦାୟ, —ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍‌ । ଆପଣଙ୍କୁ ଟିକିଏ ହଇରାଣରେ ପକାଇଲି ବୋଲି ମୋତେ କ୍ଷମା କରିବେ ।”

 

“ନାଇଁ ନାଇଁ, ମୋତେ ଆପଣ କୌଣସି ହଇରାଣରେ ପକାଇ ନାହାନ୍ତି ।” —ଏତକ କହି ଲେଜ୍‌ଝନିଓଭ୍ ସେଠାରୁ ନିଷ୍କ୍ରାନ୍ତ ହେଲେ ।

 

“କୁହନ୍ତୁ ଆପଣ ତାଙ୍କ ବିଷୟରେ କ’ଣ କହୁଛନ୍ତି ।” —ତା’ପରେ ଶ୍ରୀମତୀ ମିହାଇଲୋଭ୍‌ନା ରୁଡ଼ିନ୍‌ଙ୍କୁ ପଚାରିଲେ । “ସିଏ ଜଣେ ଅତ୍ୟନ୍ତ ଅହଙ୍କାରୀ ବ୍ୟକ୍ତି ବୋଲି ମୁଁ ଶୁଣିଥିଲି । ମାତ୍ର, ଆଜି ପ୍ରମାଣ ପାଇଗଲି ଯେ ସେହି ଅହଙ୍କାରର କୌଣସି ସୀମା ହିଁ ନାହିଁ !”

 

ରୁଡ଼ିନ୍ ଉତ୍ତର ଦେଇଥିଲେ, “ତାଙ୍କଠାରେ ମଧ୍ୟ ପିଗାସୋଭ୍‌ଙ୍କ ପରି ସେହି ଏକାଭଳି ରୋଗ । ସବୁବେଳେ ସମ୍ପୂର୍ଣ୍ଣ ଭାବରେ ମୌଳିକ ଓ ଅନନ୍ୟ ହୋଇ ରହିବାର ଏକ ଅତ୍ୟନ୍ତ ପ୍ରବଳ ବାସନା । ଜଣେ ସତେ ଅବା ମେଫିଷ୍ଟୋଫେଲିସ୍‌ଟିଏ ହେବାକୁ ଖୁବ୍ ଉଦ୍ୟମ କରୁଛନ୍ତି ଏବଂ ଆଉ ଜଣେ କେବଳ କାହାର ଦୋଷଗୁଡ଼ିକୁ ଦେଖାଇ ଦେବାରେ ଆନନ୍ଦ ଅନୁଭବ କରୁଛନ୍ତି । ଏବଂ ସେହି ଉଭୟଟିରେ ହିଁ ଗୁଡ଼ିଏ ଅହଂଭାବ ଭରି ରହିଛି, —ଅତିମାତ୍ରାରେ ଏକ ଦାମ୍ଭିକତାର ଭାବ । ଅଥଚ ଅତ୍ୟନ୍ତ କମ୍ ସତ୍ୟ ରହିଛି ଏବଂ ପ୍ରାୟ କୌଣସି ଭଲ ପାଇବା ନାହିଁ । ବସ୍ତୁତଃ, ଏପରିକି ସେଥିରେ ଗୋଟିଏ ପ୍ରକାରର ପ୍ରମାଣ କରି ଦେଖାଇ ଦେବାର ପ୍ରବଳ ଉତ୍ସାହ ମଧ୍ୟ ରହିଛି ।” ଜଣେ ଜଣେ ବ୍ୟକ୍ତି ପୂର୍ଣ୍ଣ ଉଦାସୀନତା ତଥା ନିଷ୍କ୍ରିୟତାର ମୁଖାଟିଏ ପରିଧାନ ହିଁ କରିଥାନ୍ତି, ଯେପରିକି ତାଙ୍କ ସମ୍ପର୍କରେ ଆସି ଜଣେ ମନୁଷ୍ୟ ନିଶ୍ଚୟ ଭାବିବ, “ଥରେ ଦେଖିଲ, ସିଏ ପ୍ରକୃତରେ କେତେ ପ୍ରତିଭାର ପରିଚୟ ନ ଦେଉଛନ୍ତି ।” ମାତ୍ର, ଯଦି କିଞ୍ଚିତ୍‌ ମନୋଯୋଗ ସହକାରେ ତାଙ୍କୁ ଅବଲୋକନ କରିବାକୁ ଆରମ୍ଭ କରିବେ, ତେବେ ଅବଶ୍ୟ ପ୍ରମାଣ ପାଇବେ ଯେ, ତାଙ୍କଠାରେ ପ୍ରତିଭା ବୋଲି ଆଦୌ କିଛି ହେଲେ ନାହିଁ ।”

 

Unknown

“ଏକାବେଳେକେ ଗୋଟିଏ ଖାରା କଥା,” —ଦରିଆ ମିହାଇଲୋଭ୍‌ନା ମନ୍ତବ୍ୟ କଲେ-। “ଲୋକମାନଙ୍କୁ ସେମାନଙ୍କୁ ପୂରା ଟଳାଇ ତଳେ ପକାଇ ଦେବାରେ ଆପଣ ପ୍ରକୃତରେ ନିଶ୍ଚୟ ଜଣେ ସାଂଘାତିକ ବ୍ୟକ୍ତି ଆପଣଙ୍କ ଠାରୁ ପ୍ରକୃତରେ ଆଦୌ କିଛି ଲୁଚାଇ ରଖି ହେବନାହିଁ-!”

 

“ଆପଣ ସତରେ ସେହିଭଳି ବିଚାରୁଛନ୍ତି ?” —ରୁଡ଼ିନ୍ କହିଥିଲେ ଏବଂ ତା’ ପରେ ଲେଜଝ୍‌ନିଓଭ୍‌ଙ୍କ ସଂପର୍କରେ ମୋର ପ୍ରକୃତରେ କିଛି କହିବା ଆଦୌ ଉଚିତ ହେବନାହିଁ । ତାଙ୍କୁ ଖୁବ୍ ଭଲ ପାଉଥିଲି, ଜଣେ ବନ୍ଧୁରୂପେ ଅତ୍ୟନ୍ତ ଭଲ ପାଉଥିଲି ….. ମାତ୍ର, ତା’ ପରେ ଏପରି ନାନା ଭୁଲ ବୁଝାମଣା ଆସି ପହଞ୍ଚିଥିଲା... ।”

 

“ତା’ପରେ, ବିବାଦ ଲାଗିଲା ?”

 

“ନାହିଁ, ଆମେ ପରସ୍ପରଠାରୁ ଦୂର ହୋଇ ଯାଇଥିଲୁ । ବେଶ୍ ଲାଗୁଛି, ଆମେ ସବୁଦିନ ପାଇଁ ଦୂର ହୋଇ ଯାଇଥିଲୁ ।”

 

“ବୁଝିଲି । ମୁଁ ବେଶ୍ ଲକ୍ଷ୍ୟ କରୁଥିଲି ଯେ, ଏଠାରେ ସିଏ ଯେତେ ସମୟ ଯାଏ ଥିଲେ, ଆପଣ ଆଦୌ ଆପଣାର ଠିକ୍ ସ୍ୱାଭାବିକ ଅବସ୍ଥାରେ ନଥିଲେ । କିନ୍ତୁ ମୁଁ ଆପଣଙ୍କ ଠାରେ ବହୁତ ଋଣୀ ଆଜି ସକାଳଟି ପାଇଁ । ମୋ’ର ଏହି ସମୟଟି ଅତ୍ୟନ୍ତ ସୁଖଦାୟକ ଭାବରେ ଅତିବାହିତ ହୋଇଛି । ତଥାପି, କେଉଁଠାରେ ବସ୍ତୁତଃ ଶେଷ କରି ଦେବାକୁ ହୁଏ, ସେହି କଥାଟି ମଧ୍ୟ ଜଣା ଥିବା ଖୁବ୍ ଦରକାର । ବର୍ତ୍ତମାନ ମୁଁ ମଧ୍ୟାହ୍ନ-ଭୋଜନ ପର୍ଯ୍ୟନ୍ତ ଆପଣଙ୍କ ଠାରୁ ବିଦାୟ ନେବି ଏବଂ ନିଜର କିଛି ବାକି ରହିଥିବା କାର୍ଯ୍ୟ ସମ୍ପନ୍ନ କରିବି । ମୋ’ ସେକ୍ରେଟରୀ—ଆପଣ ତାଙ୍କୁ କାଲି ଦେଖିଥିଲେ, କନ୍‌ଷ୍ଟାଣ୍ଟିନ୍—ସିଏ ମୋ’ର ସେକ୍ରେଟେରୀ ପରି କେତେ କାର୍ଯ୍ୟ କରି ଦିଅନ୍ତି—ସିଏ ମୋ’ ଲାଗି ଏବେ ନିଶ୍ଚୟ ଅପେକ୍ଷା କରିଥିବେ । ମୁଁ ଆପଣଙ୍କ ସହିତ ମଧ୍ୟ ତାଙ୍କର ପରିଚୟ କରାଇଦେବି, —ଅତ୍ୟନ୍ତ ଚମତ୍କାର ଜଣେ ମନୁଷ୍ୟ, —ଯୁବକ ଏବଂ ଅତ୍ୟନ୍ତ ବାଧ୍ୟ । ଆପଣଙ୍କ ବିଷୟରେ ତାଙ୍କର ବହୁତ ଉତ୍କଣ୍ଠା ବି ରହିଛି । ତେଣୁ ପୁନର୍ବାର ଦେଖା ହେବ, ଶ୍ରୀଯୁକ୍ତ ଡିମିଟ୍ରି ନିକୋଲାଇଚ୍ ! ଆପଣଙ୍କ ସହିତ ମୋ’ର ପରିଚୟ କରାଇ ଦେଇଥିବାରୁ ମୁଁ ସେହି ସାମନ୍ତଙ୍କ ପାଖରେ ମଧ୍ୟ ଅତ୍ୟନ୍ତ କୃତଜ୍ଞ ରହିବି !”

 

ଏହାପରେ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଆପଣାର ହାତଟିକୁ ପ୍ରସାରି ନେଇଥିଲେ । ରୁଡ଼ିନ୍ ପ୍ରଥମେ ହାତଟିକୁ ମୁଠେଇ ଧରିଲେ ଓ ତା’ପରେ ଆପଣାର ଓଠ ଗୁଡ଼ିକୁ ପାଖକୁ ଉତ୍ତୋଳିତ କରି ନେଇଥିଲେ । ତା’ପରେ ସିଏ ବୈଠକଖାନା ପ୍ରକୋଷ୍ଠଟିକୁ ଗଲେ ଏବଂ ସେଠାରୁ ପୁଣି ଖୋଲା ଛାତଟି ଉପରକୁ ଏବଂ ସେଠାରେ ତାଙ୍କର ନାତାଲିଆଙ୍କ ସହିତ ଭେଟ ହୋଇଥିଲା ।

 

—୫—

 

ଦରିଆ ମିହାଇଲୋଭ୍‌ନାଙ୍କର କନ୍ୟା କୁମାରୀ ନାତାଲିଆ ଆଲେକ୍‌ସିୟେଭ୍‌ନାଙ୍କ ସହିତ ଦେଖା ହେଲେ ସମ୍ଭବତଃ ମୋଟେ ସେପରି ଆକର୍ଷଣ ଲାଗି ନପାରନ୍ତି । ନିଜର ପରିପୂର୍ଣ୍ଣ ଅଭିବୃଦ୍ଧି ଲାଗି ସିଏ ଏପର୍ଯ୍ୟନ୍ତ ସମୟ ପାଇନାହାନ୍ତି । ଦେହଟି ପାତଳା, ଟିକିଏ ଶ୍ୟାମଳବତ୍ ବର୍ଣ୍ଣ, ଏବଂ କାନ୍ଧଟି ମଧ୍ୟ ଆଗ ଆଡ଼କୁ ଟିକିଏ ବକ୍ର । ତଥାପି ଅବୟବ ଗୁଡ଼ିକ ବେଶ୍‌ ଚମତ୍କାର ଏବଂ ସୁଗଠିତ-। ଅବଶ୍ୟ ସତର ବର୍ଷର ଗୋଟିଏ ବାଳିକା ସକାଶେ ଟିକିଏ ଅତି ମାତ୍ରାରେ ବଡ଼ ପରି ଲାଗିବ-। ତାଙ୍କର ଭ୍ରୂଲତା ଗୁଡ଼ିକ ଉପରେ ଥିବା ତାଙ୍କ ନିଖୁଣ ଓ ମସୃଣ କପୋଳଦେଶଟି ନିଶ୍ଚୟ ବିଶେଷ କରି ସୁନ୍ଦର ଦେଖାଯିବ । ସତେ ଅବା ମଝିରେ କରି ଟିକିଏ ଖଣ୍ଡିତ ହୋଇ ରହିଥାଏ । ନାତାଲିଆ ଖୁବ୍ କମ୍ କଥା କହନ୍ତି । କିନ୍ତୁ ଅନ୍ୟମାନଙ୍କର କଥାକୁ ବେଶ୍‌ ଆଗ୍ରହର ସହିତ ଶୁଣୁଥାନ୍ତି-। ସେମାନଙ୍କ ଆଡ଼କୁ ଗୋଟିଏ ଆଖିରେ ଚାହିଁ ଥାଆନ୍ତି, ସତେ ଯେପରି ଯାହାକିଛି ଶୁଣୁଛନ୍ତି, ସେଗୁଡ଼ିକ ବିଷୟରେ ଏକ ନିଜସ୍ୱ ସିଦ୍ଧାନ୍ତରେ ଉପନୀତ ହୋଇ ବି ଯାଉଥାନ୍ତି । ଅନେକ ସମୟରେ ହାତ ଦୁଇଟିକୁ ନିଶ୍ଚଳ ରଖି ଛିଡ଼ା ହୋଇଥାନ୍ତି, ମୋଟେ ହଲଚଲ ହୁଅନ୍ତି ନାହିଁ ଏବଂ ଗଭୀର ଚିନ୍ତା ମଧ୍ୟରେ ନିମଗ୍ନ ରହିଥାନ୍ତି ଏବଂ ସେହିସବୁ ମୁହୂର୍ତ୍ତରେ ତାଙ୍କର ମୁହଁରୁ ବେଶ୍‌ ଜଣା ପଡ଼ିଯାଏ ଯେ ତାଙ୍କର ମନଟି ତାଙ୍କ ଭିତରେ ନିଶ୍ଚୟ ବେଶ୍‌ କ୍ରିୟାଶୀଳ ହୋଇ ରହିଛି । ମୁହଁ ଉପରେ ସବୁ ସମୟରେ ଏକ ଈଷତ୍‌ ହସ, ଯାହାକି ସମସ୍ତଙ୍କର ଆଖିକୁ ମୋଟେ ଧରା ପଡ଼ୁନଥାଏ-। ହଠାତ୍ କୁଆଡ଼ୁ ଆସେ ଓ ପୁଣି ସେହିପରି ଅନ୍ତର୍ହିତ ହୋଇ ବି ଯାଏ । ତା’ପରେ ଯାଇ ଝିଅଟି ନିଜର କଳା ଆଖିଗୁଡ଼ିକୁ ଉପରକୁ କରି ଚଉପାଶକୁ ଅନାଇବାକୁ ଆରମ୍ଭ କରେ-। “ତୁମକୁ କେମିତି ଲାଗୁଛି ?” ବୋଲି କୁମାରୀ ବନକୋର୍ଟ୍‍ ଆସି ବେଳେ ବେଳେ ପଚାରନ୍ତି ଓ ତା’ପରେ ତାକୁ ଗାଳି ଦେବାକୁ ବି ଆରମ୍ଭ କରି ଦିଅନ୍ତି; ତାଙ୍କ ବୟସର ଗୋଟିଏ ବାଳିକା ଏପରି ନିଜର ଭାବନା ମଧ୍ୟରେ ସର୍ବଦା ବୁଡ଼ି ରହିଥିବା ଏବଂ ଅନ୍ୟମାନଙ୍କର ଆଖିକୁ ଖୁବ୍ ଅନ୍ୟମନସ୍କ ବୋଲି ମନେ ହେଉଥିବା, ଏହି କଥାଟା ମୋଟେ ଠିକ୍ ନୁହେଁ ବୋଲି ଆକଟ କରି କହନ୍ତି । ମାତ୍ର ନାତାଲିଆ ଆଦୌ ଅନ୍ୟମନସ୍କ ହୋଇ ରହୁନଥିଲେ, ଓଉଟି ସିଏ ମନୋଯୋଗ ସହିତ ଅଧ୍ୟୟନ କରୁଥିଲେ, ଖୁବ୍ ଆଗ୍ରହର ସହିତ ବହି ପଢ଼ୁଥିଲେ ଓ କର୍ମରତ ହୋଇ ରହୁଥିଲେ । ତାଙ୍କର ଭାଗବତ ଜୀବନଟି ଅତ୍ୟନ୍ତ ସବଳ ଏବଂ ଗଭୀର ଥିଲା । ମାତ୍ର, ସର୍ବଦା ଏକ ଗାମ୍ଭୀର୍ଯ୍ୟ ଅବଶ୍ୟ ରହିଥିଲା । ଯେକୌଣସି ସାନ ପିଲାଙ୍କ ପରି ସେ ଅଳପ କଥାରେ ଆଦୌ କାନ୍ଦି ପକାଉ ନଥିଲେ । ଏବଂ କୌଣସି କିଛିରେ ହୁଏତ ବ୍ୟଥା ପାଇଲେ କ୍ୱଚିତ୍ ଦୀର୍ଘଶ୍ୱାସ ତ୍ୟାଗ କରୁଥିଲେ । ହଁ, କେବଳ କିଞ୍ଚିତ୍‌ ବିବର୍ଣ୍ଣ ହିଁ ଦେଖା ଯାଉଥିଲେ । ତାଙ୍କ ମାଆ ତାଙ୍କୁ ଜଣେ ବେଶ୍‌ ଆତ୍ମସଚେତ ଓ ଉତ୍ତମ ଧରଣର ଝିଅ ବୋଲି ଭାବୁଥିଲେ, ତାଙ୍କୁ ଆଦରରେ “ମୋ ସୁନା ଝିଅ” ବୋଲି ପରିହାସରେ କହୁଥିଲେ । ମାତ୍ର, ନିଜ ଝିଅର ବୌଦ୍ଧିକ ସାମର୍ଥ୍ୟଗୁଡ଼ିକ ବିଷୟରେ ତାଙ୍କର କୌଣସି ଉଚ୍ଚ ଧାରଣା ନ ଥିଲା । ଅନେକ ସମୟରେ, “ଭାରି ଭଲ ହୋଇଛି ଯେ ମୋ’ ଝିଅ ନାତାଲିଆ କୌଣସି କଥାରେ ଆଦୌ ଭାବପ୍ରବଣ ହୋଇ ପଡ଼େ ନାହିଁ ଓ ତେଣୁ ଅବିଚଳିତ ହୋଇ ରହିଥାଏ” ବୋଲି ସିଏ ବହୁତ ସମୟରେ କହିବାର ଶୁଣା ଯାଉଥିଲା । “ମୋ’ ଭଳିଆ ଆଦୌ ନୁହେଁ । ଏବଂ ସେଇଟା ପ୍ରକୃତରେ ଅଧିକ ଭଲ । ସିଏ ଜୀବନରେ ତେଣୁ ବେଶ୍ ସୁଖୀ ରହିବ ।” ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କ ଉକ୍ତ ଧାରଣାଟି ପ୍ରକୃତରେ ମୋଟେ ଠିକ୍ ନଥିଲା । ଏବଂ ପୃଥିବୀରେ ପ୍ରକୃତରେ କେତେଜଣ ମାଆ ଅଛନ୍ତି, ଯେଉଁମାନେ ନିଜ ଝିଅମାନଙ୍କୁ ଠିକ୍ ଠିକ୍ ବୁଝିଥାଆନ୍ତି ।

 

ନାତାଲିଆ ତାଙ୍କ ମାଆଙ୍କୁ ଅବଶ୍ୟ ଭଲ ପାଉଥିଲେ, ମାତ୍ର ନିଜର କଥାଗୁଡ଼ିକୁ ସିଏ ତାଙ୍କ ଆଗରେ କେବେହେଲେ ସମ୍ପୂର୍ଣ୍ଣ ଭାବରେ ଖୋଲି କହୁନଥିଲେ ।

 

“ତୋ’ର ମୋ’ ପାଖରେ ଲୁଚାଇବାର ପୁଣି କାହିଁକି କ’ଣ ରହିବ ?” —ଶ୍ରୀମତୀ ଦରିଆ ଥରେ ନିଜକୁ କହିଥିଲେ; —“ନହେଲେ ଗୋଟିଏ ଗୋଟିଏ ବିଷୟରେ ତୁ ସବୁବେଳେ ଗମ୍ଭୀର ହୋଇ ରହିବାକୁ ବାଧ୍ୟ ହେଉଥିବୁ, —ସତେଅବା ଗୋଟିଏ ମୁଦା କରାଟଟିଏ ହୋଇ ରହିଥିବୁ ।”

 

କଥାଟି ଶୁଣି କୁମାରୀ ନାତାଲିଆ ନିଜ ମାଆଙ୍କ ମୁହଁ ଆଡ଼କୁ କଟକଟ କରି ଅନାଇ ରହିଥିଲେ ଏବଂ “ମୁଁ କ’ଣ ପାଇଁ ଗମ୍ଭୀର ହୋଇ ନରହିବି ?” ବୋଲି ଚିନ୍ତା କରିଥିଲେ ।

 

ଯେତେବେଳେ ଉପର ଛାତରେ ରୁଡ଼ିନ୍‌ଙ୍କର ତାଙ୍କ ସହିତ ସାକ୍ଷାତ ହେଲା, ନାତାଲିଆ ସେତେବେଳେ କୁମାରୀ ବନକୋର୍ଟ୍‍ଙ୍କ ସହିତ ଠିକ୍ ଘର ଭିତରକୁ ଚାଲି ଯାଉଥିଲେ । ଘର ଭିତରକୁ ଯାଇ ସେ ନିଜର ଟୋପିଟିକୁ ପିନ୍ଧିଥାଆନ୍ତେ ଓ ତା’ପରେ ବଗିଚାକୁ ଯାଇଥାନ୍ତେ । ଘର ଭିତରକୁ ଯାଇ ସେ ନିଜର ଟୋପିଟିକୁ ପିନ୍ଧି ଥାଆନ୍ତେ ଓ ତା’ପରେ ବଗିଚାକୁ ଯାଇଥାନ୍ତେ । ତାଙ୍କର ସକାଳ ସମୟଟିର ସବୁ କାମ ଇତି ମଧ୍ୟରେ ସମାପ୍ତ ହୋଇ ଯାଇଥିଲା । ବର୍ତ୍ତମାନ ତ ତାଙ୍କ ସହିତ ସ୍କୁଲ୍‌କୁ ଯାଉଥିବା ଜଣେ ସାନ ଝିଅ ଭଳି ବ୍ୟବହାର କରିବାର କୌଣସି ପ୍ରଶ୍ନ ହିଁ ନଥିଲା । ଦୀର୍ଘ ବହୁଦିନ ହେବ କୁମାରୀ ବନକୋର୍ଟ୍‍ ତାଙ୍କୁ ପୁରାଣ-କାହାଣୀ ଓ ଭୂଗୋଳ ବିଷୟରେ ଆଦୌ କିଛି ହେଲେ ପଢ଼ାଇ ନଥିଲେ । କିନ୍ତୁ ନାତାଲିଆ ପ୍ରତିଦିନ ସକାଳେ ଐତିହାସିକ ନାନାବିଧ ପୁସ୍ତକ ପଢ଼ୁଥିଲେ, ତାଙ୍କ ସହିତ ଏକତ୍ର କିଛି ଭ୍ରମଣକାହାଣୀ ତଥା ଆଉ କେତେକ ଶିକ୍ଷଣୀୟ ରଚନା ମଧ୍ୟ ପାଠ କରୁଥିଲେ । ତାଙ୍କ ମାଆ ହିଁ ବହିଗୁଡ଼ିକୁ ବାଛି ଦେଉଥିଲେ, ନିଜର ଏକ ବିଧିବଦ୍ଧ ରୀତିର ଅନୁସରଣ କରି ନିର୍ବାଚନଟିକୁ କରୁଥିଲେ । ବସ୍ତୁତଃ, ଫରାସୀ ଭାଷାର ପୁସ୍ତକଗୁଡ଼ିକୁ ବିକ୍ରି କରୁଥିବା ଜଣେ ଦୋକାନୀ, ସିଏ ପିଟର୍ସବର୍ଗରେ ଦୋକାନ କରିଥିଲେ, ତାଙ୍କୁ ଯେତେବେଳେ ଯାହା ପରାମର୍ଶ ଦେଉଥିଲେ, ମୋଟାମୋଟି ସେହି ଅନୁସାରେ । ଅବଶ୍ୟ ସେ ପରାମର୍ଶ ଦେଉଥିଲେ ମଧ୍ୟ ଦୁମା ପ୍ରଭୃତି କେତେକ ଲେଖକଙ୍କର ଉପନ୍ୟାସମାନେ କେବେ ଘରକୁ ଆସୁନଥିଲେ । ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଅବଶ୍ୟ ନିଜେ ସେଗୁଡ଼ିକୁ ପାଠ କରୁଥିଲେ । ପୁନଶ୍ଚ, ଯେତେବେଳେ କୁମାରୀ ବନକୋର୍ଟ୍‌ ନାତାଲିଆଙ୍କୁ ଐତିହାସିକ ବିବରଣୀମାନ ରହିଥିବା କିଛି ବହିକୁ ପାଠ କରୁଥିବାର ଦେଖୁଥିଲେ, ସେ ସେତେବେଳେ ବିଶେଷ ଭାବରେ ଅପ୍ରସନ୍ନ ହୋଇ ପଡ଼ୁଥିଲେ ଓ ତାଙ୍କର ଚଷମା ତଳୁ ତାଙ୍କର ସେହି ରୁଷ୍ଟ ଭାବଟିକୁ ବେଶ୍‌ ଦେଖି ବି ହେଉଥିଲା, କାରଣ, ସେହି ପ୍ରୌଢ଼ା ଫରାସୀ ମହିଳାଙ୍କର ଧାରଣାଗୁଡ଼ିକ ଅନୁସାରେ ଇତିହାସ ଗୁଡ଼ାକ କେବଳ ନାନା ଅବାଞ୍ଛିତ ସାମଗ୍ରୀମାନଙ୍କରେ ହିଁ ଭରି ରହିଥାଏ । ଅବଶ୍ୟ କୌଣସି ସେପରି ଗୋଟିଏ କାରଣ ବଶତଃ ପୁରାତନ ସମୟର ବିଖ୍ୟାତ ପୁରୁଷମାନଙ୍କ ମଧ୍ୟରୁ ସିଏ କେବଳ ଜଣକୁ ହିଁ ଜାଣିଥିଲେ ଏବଂ ଆଧୁନିକ କାଳର ଖାଲି ଚତୁର୍ଦ୍ଦଶ ଲୁଇ ଏବଂ ନେପୋଲିଅନଙ୍କ ସହିତ ପରିଚିତ ଥିଲେ । ଅବଶ୍ୟ, ଏମାନଙ୍କୁ ସେ ମୋଟେ ସହ୍ୟ ମଧ୍ୟ କରି ପାରୁନଥିଲେ । କିନ୍ତୁ, ନାତାଲିଆ କେତେକ ଏପରି ପୁସ୍ତକ ମଧ୍ୟ ଅବଶ୍ୟ ପଢ଼ୁଥିଲେ, ଯେଉଁଗୁଡ଼ିକ କି ତାଙ୍କ ପାଖରେ ରହିଛି ବୋଲି କୁମାରୀ ବନକୋର୍ଟ୍‍ କେବେ ହୁଏତ ସନ୍ଦେହ ବି କରୁନଥିଲେ । ପୁଷ୍କିନ୍‌ଙ୍କର ସକଳ ପୁସ୍ତକ ତ ତାଙ୍କର କଣ୍ଠସ୍ଥ ହୋଇ ବି ରହିଥିଲା ।

 

ରୁଡ଼ିନ୍‌ଙ୍କ ସହିତ ସାକ୍ଷାତ୍ ହୋଇଯିବାରୁ ନାତାଲିଆ କିଞ୍ଚିତ୍ ଅପ୍ରସ୍ତୁତ ହୋଇ ପଡ଼ିଥିଲେ-। ରୁଡ଼ିନ୍ ତାଙ୍କୁ ପଚାରିଥିଲେ, “ଆପଣ କୁଆଡ଼େ ବୁଲି ବାହାରିଛନ୍ତି ?”

 

“ହଁ, ଆମେ ବଗିଚାକୁ ଯାଉଛୁ ।”

 

“ମୁଁ ମଧ୍ୟ ଆସି ପାରିବି କି ?”

 

ନାତାଲିଆ କୁମାରୀ ବନକୋର୍ଟ୍‍ଙ୍କ ଆଡ଼କୁ ଚାହିଁଲେ ।

 

“ଖୁବ୍ ଖୁସିର କଥା, —ଆପଣ ଅବଶ୍ୟ ଆସି ପାରିବେ ! —ପ୍ରୌଢ଼ା ମହିଳା ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ ।”

 

ନିଜର ଟୋପିଟିକୁ ଧରି ରୁଡ଼ିନ୍ ସେମାନଙ୍କ ସହିତ ଯାଇଥିଲେ ।

 

ସାନ ଗୋଟିଏ ରାସ୍ତା ଉପରେ ରୁଡ଼ିନ୍‌ଙ୍କ ସହିତ ଏକାଠି ଯାଉଥିବାରୁ ନାତାଲିଆଙ୍କୁ ବେଶ୍ ଭାରି କେମିତି ଲାଗୁଥାଏ । ଅବଶ୍ୟ ଅଳ୍ପକିଛି ସମୟ ପରେ ତାଙ୍କର ସଙ୍କୋଚ ଭାବଟି କ୍ରମେ ଦୂର ହୋଇ ଯାଇଥିଲା । ରୁଡ଼ିନ୍ ତାଙ୍କୁ ତାଙ୍କର କାର୍ଯ୍ୟକଳାପ ବିଷୟରେ କିଛି ପ୍ରଶ୍ନ କରିବାରେ ଲାଗିଥାନ୍ତି । ଏଠି ଏହି ଗ୍ରାମାଞ୍ଚଳଟି କିଭଳି ଲାଗୁଛି, ସେହି ବିଷୟରେ ମଧ୍ୟ । ସିଏ ବେଶ୍ ସଙ୍କୋଚପୂର୍ଣ୍ଣ ଭାବରେ ଉତ୍ତରଗୁଡ଼ିକୁ ଦେଉଥାଆନ୍ତି ଏବଂ ସେହି ଯେଉଁ ତରତର ଲଜ୍ଜାଶୀଳ ଭାବଟାକୁ ଅନେକ ସମୟରେ ନମ୍ରତା ବୋଲି କୁହାଯାଏ, ସେପରି କିଛିର କୌଣସି ଆଶ୍ରୟ ନ ନେଇ । ତାଙ୍କର ଛାତି ଭିତରଟା ବେଶ୍ ବେଗଯୁକ୍ତ ଭାବରେ ଥରଥର ବି ହେଉଥାଏ ।

 

“ଏହି ଗାଉଁଲି ଅଞ୍ଚଳରେ ନୀରସ ଲାଗୁନାହିଁ ତ ।” —ରୁଡ଼ିନ୍ ପଚାରିଲେ, —ସେ ନାତାଲିଆଙ୍କ ଆଡ଼କୁ ନିଜ ଆଖିର ଗୋଟିଏ କୋଣରୁ ଅନାଇ ବି ରହିଥିଲେ ।

 

“ଏହି ଗ୍ରାମାଞ୍ଚଳରେ କିପରି କାହିଁକି କ୍ଳାନ୍ତ ଲାଗିବ ? ଆମେ ଏଠାକୁ ଆସିଛୁ ବୋଲି ମୁଁ ପ୍ରକୃତରେ ଖୁବ୍ ଖୁସି । ଏଠାରେ ମୋତେ ବଡ଼ ଭଲ ଲାଗୁଛି ।”

 

“ଆପଣଙ୍କୁ ଭଲ ଲାଗୁଛି—ପ୍ରକୃତରେ କେତେବଡ଼ କଥାଟିଏ ! ଅବଶ୍ୟ, ସେହି କଥାଟିକୁ ବେଶ୍ ବୁଝି ହେଉଛି । ବୟସଟି ମଧ୍ୟ ସେହି ମୁତାବକ ।”

 

କଥାଟିକୁ ରୁଡ଼ିନ୍ ସତେଅବା ଗୋଟିଏ ଖାସ୍ ସ୍ୱରାଘାତ ସହିତ କହିଥିଲେ । ସିଏ ହୁଏତ ନାତାଲିଆଙ୍କ ପ୍ରତି କିଞ୍ଚିତ୍‍ ଦ୍ୱେଷ ପ୍ରକଟ କରିଥିଲେ ଅଥବା ଏକ ଦୁଃଖ ହିଁ ଅନୁଭବ କରୁଥିଲେ ।

 

ଏବଂ ତାପରେ କହିଲେ, “ହଁ, ଏହି ତାରୁଣ୍ୟଟି ହିଁ ପ୍ରକୃତ କାରଣ । ଏହି ତାରୁଣ୍ୟର କାନ୍ଦରେ ହିଁ ଯାହା ଆମ ମନୁଷ୍ୟମାନଙ୍କୁ ସ୍ୱତଃ ପ୍ରାପ୍ତ ହୋଇଥାଏ, ତାହାକୁ ସଚେତନ ଭାବରେ ବଞ୍ଚିପାରିବା, —ତାହାହିଁ ତ ବିଜ୍ଞାନର ସବୁଯାକ ଲକ୍ଷ୍ୟ !”

 

ନାତାଲିଆ ରୁଡ଼ିନ୍‌ଙ୍କ ଆଡ଼କୁ ଏକ ଗଭୀର ନିର୍ନିମେଷ ଦୃଷ୍ଟିରେ ଅନାଇଥିଲେ, —ତାଙ୍କର କଥାଟିକୁ ସେ ଆଦୌ ବୁଝି ପାରିନଥିଲେ ।

 

“ଆଜି ସକାଳଟା ଯାକ ମୁଁ ଆପଣଙ୍କର ମାଆଙ୍କ ସହିତ କଥା ହେଉଥିଲି”, —ସିଏ ତା’ପରେ କହିଲେ “ସିଏ ପ୍ରକୃତରେ ଜଣେ ଅସାଧାରଣ ମହିଳା । ଆମର କବିମାନେ ସମସ୍ତେ କାହିଁକି ତାଙ୍କ ସହିତ ମିତ୍ରତା ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ, ମୁଁ ସ୍ପଷ୍ଟ ଭାବର୍ ବୁଝିଛି-। ଆପଣଙ୍କୁ ମଧ୍ୟ କବିତା ଭଲ ଲାଗେ କି ?” —କିଛି ସମୟ ଚୁପ୍ ରହିବାପରେ ରୁଡ଼ିନ୍ ପ୍ରଶ୍ନ କରିଥିଲେ ।

 

“ସିଏ ନିଶ୍ଚୟ ମୋର ପରୀକ୍ଷା କରୁଛନ୍ତି”, —ନାତାଲିଆ ମନେ ମନେ ଭାବୁଥିଲେ । ଓ ତା’ ପରେ ବେଶ୍ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ, “ହଁ, ମୋତେ କବିତା ଅତ୍ୟନ୍ତ ଭଲ ଲାଗେ ।”

 

“କବିତା ହେଉଛି ଦେବତାମାନଙ୍କର ଭାଷା । ମୁଁ ନିଜେ କବିତାକୁ ଖୁବ୍ ଭଲ ପାଏ । କିନ୍ତୁ, କବିତା କ’ଣ କେବଳ ପଦ୍ୟମାନଙ୍କରେ ଥାଏ ? ତାହା ସର୍ବତ୍ର ହିଁ ବ୍ୟାପ୍ତ ହୋଇ ରହିଥାଏ । ଆମକୁ ବେଷ୍ଟନ କରି ଚତୁର୍ଦ୍ଦିଗରେ ହିଁ ରହିଥାଏ । ସେହି ବୃକ୍ଷଗୁଡ଼ିକୁ ଅନାଇ ଦେଖନ୍ତୁ—ଚତୁର୍ଦ୍ଦିଗକୁ ବ୍ୟାପ୍ତ ହୋଇ ରହିଥିବା ସେହି ଆକାଶଟିକୁ ମଧ୍ୟ ଚାହାଁନ୍ତୁ । ଆପଣା ସର୍ବତ୍ର ହିଁ କବିତାର ସ୍ପର୍ଶଟିକୁ ପାଇ ପାରିବେ । ଜୀବନର ସ୍ପର୍ଶଟିକୁ ପାଇ ପାରିବେ ଏବଂ ଯେଉଁଠାରେ ଜୀବନ ଅଛି, ସୌନ୍ଦର୍ଯ୍ୟ ଅଛି, ସେଠାରେ କବିତା ମଧ୍ୟ ରହିଛି ।”

 

ତା’ପରେ ରୁଡ଼ିନ୍ ପ୍ରସ୍ତାବଟିଏ ଦେଲେ, “ଚାଲ, ଏହି ବେଞ୍ଚ୍‌ଟି ଉପରେ ଆମେ ଘଡ଼ିକ ପାଇଁ ଟିକିଏ ବସିବା । ଏବଂ ମୋ’ର କଳ୍ପନା ମଧ୍ୟରେ ଏପରି ମୋତେ ଲାଗୁଛି ଯେ, ଯେତେବେଳେ ତୁମର ମୋ ସହିତ ଟିକିଏ ଅଧିକ ଭଲ ଭାବରେ ପରିଚୟ ହୋଇଯିବ, (ଏବଂ ରୁଡ଼ିନ୍ ଏହି କଥା କହୁଥିବା ସମୟରେ କଅଁଳ ହସଟିଏ ହସି ନାତାଲିଆଙ୍କର ମୁଖମଣ୍ଡଳ ଉପରେ ଆପଣାର ଦୃଷ୍ଟିକୁ ନିବଦ୍ଧ କରି ରଖିଥିଲେ) ସେତେବେଳେ ଆମେ ଜଣେ ଆଉଜଣକୁ ବନ୍ଧୁ ସଦୃଶ ହିଁ ଲାଗିବା । ଏ ବିଷୟରେ ଆପଣ କ’ଣ ଭାବୁଛନ୍ତି ?”

 

ନାତାଲିଆ ପୁନର୍ବାର ଭାବୁଥାନ୍ତି, “ବର୍ତ୍ତମାନ ସେ ମୋତେ ସ୍କୁଲରେ ପଢ଼ୁଥିବା ଗୋଟିଏ ସାନ ଝିଅଟି ପରି ହିଁ ଭାବୁଛନ୍ତି” ? କ’ଣ ଯେ ଉତ୍ତର ଦେବେ ଠିକ୍ କରି ନପାରି, ରୁଡ଼ିନ୍ ମଧ୍ୟ ଦୀର୍ଘକାଳ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ରହିବା ପାଇଁ ଇଚ୍ଛା କରିଛନ୍ତି ବୋଲି ତାଙ୍କୁ ପ୍ରଶ୍ନଟିଏ କଲେ ।

 

“ହଁ ବର୍ତ୍ତମାନ ଏହି ପୂରା ଗ୍ରୀଷ୍ମ ଏବଂ ଶରତ ସମୟଟା, ଏବଂ ସମ୍ଭବତଃ ଶୀତ ଋତୁଟା ମଧ୍ୟ । ଆପଣ ତ ଜାଣନ୍ତି, ମୁଁ ଅତି ଦରିଦ୍ର ଜଣେ ମଣିଷ, —ମୋ ସଂସାରଟିରେ ବହୁତ କିଛି ଅଡ଼ୁଆ ମଧ୍ୟ ପଶିଯାଇଛି ଏବଂ ତା ଛଡ଼ା, ଥାନରୁ ଥାନ ବୁଲି ବୁଲି ମୁଁ ଭାରି କ୍ଳାନ୍ତ ବି ହୋଇପଡ଼ିଛି । ତେଣୁ, ବିଶ୍ରାମ ନେବାର ସମୟଟି ଆସି ପହଞ୍ଚିଛି ।”

 

ଶୁଣି ନାତାଲିଆ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

 

“ସମ୍ଭବତଃ ବିଶ୍ରାମ ଗ୍ରହଣ କରିବାର ସମୟ ଆସି ପହଞ୍ଚିଛି ବୋଲି ଆପଣ ଅନୁଭବ କରୁଥିବେ,” —ନାତାଲିଆ ବେଶ୍ ସଙ୍କୋଚ ସହିତ ପଚାରିଥିଲେ ।

 

ରୁଡ଼ିନ୍ ଟିକିଏ ବୁଲିପଡ଼ିଲେ, ନାତାଲିଆଙ୍କ ଆଡ଼ଙ୍କୁ ହୁଏତ ସିଧା ମୁହଁ କରି ପାରିବେ ବୋଲି ।

 

“ଅର୍ଥାତ୍‌ ?”

 

କିଞ୍ଚତ୍‌ ଅପ୍ରସ୍ତୁତ ହୋଇ ଯିବାପରି ନାତାଲିଆ ଉତ୍ତର ଦେଲେ, “ମୁଁ ଭାବୁଛି, ହୁଏତ ଅନ୍ୟମାନେ ଇଚ୍ଛା କଲେ ବିଶ୍ରାମ କରିପାରିବେ….କିନ୍ତୁ ଆପଣଙ୍କୁ କିଛି ନା କିଛି ଅବଶ୍ୟ କରିବାକୁ ପଡ଼ିବ, କାମରେ ଲାଗିପାରିବା ସକାଶେ ଚେଷ୍ଟା କରିବାକୁ ହେବ । …….ଆପଣଙ୍କ ବ୍ୟତୀତ ଆଉ କିଏ—”

 

“ମୋତେ ପ୍ରଶଂଶା କରି ଆପଣ ମନ୍ତବ୍ୟଟିକୁ ଦେଇଛନ୍ତି ବୋଲି ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ।” ରୁଡ଼ିନ୍ ମଝିରୁ ହସ୍ତକ୍ଷେପ କରୁଥିଲା ପରି କହିଥିଲେ । “ହଁ, କାମରେ ହିଁ ଲାଗୁଥିବା…ଭାରି ସହଜରେ ସେହି କଥାଟିକୁ କହିହେବ ।” (ଆପଣାର ହାତକୁ ସେ ନିଜ ମୁହଁ ଉପରେ ବୁଲାଇ ଆଣିଥିଲେ ।) “କାମରେ ହିଁ ଲାଗି ପା୍ରୁଥିବା ଉଚିତ୍” —ସେ କଥାଟିର ଏକ ପୁନରାବୃତ୍ତି କରିଥିଲେ । “ତଥାପି, ସେ ବିଷୟରେ ମୋର ସତକୁ ସତ ଦୃଢ଼ ବିଶ୍ୱାସ ରହିଥିଲେ ମଧ୍ୟ—ମୁଁ ବସ୍ତୁତଃ କିପରି ବି କାମରେ ଲାଗି ପାରିବି ?—ମନେ କରନ୍ତୁ ମୋ ନିଜର ଶକ୍ତି ବିଷୟରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଥିଲେ ମଧ୍ୟ ନିଷ୍ଠାପର ଓ ସହାନୁଭୂତିଶୀଳ ଅନ୍ୟ ମନୁଷ୍ୟାତ୍ମା ମାନେ ମଧ୍ୟ ପୁଣି କେଉଁଠାକୁ ଗଲେ ମିଳି ପାରିବେ ?”

 

କଥାଟିକୁ କହିଁସାରି ରୁଡ଼ିନ୍ ନିଜର ହାତଟିକୁ ସତେଅବା କୁଆଡ଼େ ମଧ୍ୟ କୌଣସି ଆଶା ନଥିବା ପରି ବୁଲାଇ ଆଣିଲେ ଓ ମୁଣ୍ଡଟିକୁ ଏତେ ଉଦାସ ଭାବରେ ତଳକୁ ପୋତି ରଖିଲେ ଯେ, ନାତାଲିଆ ସତେଅବା ବାଧ୍ୟ ହୋଇଗଲା ପରି ଆପଣାକୁ ମନକୁ ମନ ପ୍ରଶ୍ନ ହିଁ କଲେ, ସେହି କଥାଟିକୁ ସିଏ ପ୍ରକୃତରେ ନିଜ ଭିତରୁ ମଧ୍ୟ କହୁଥିଲେ ତ ! —ସିଏ କେତେ ଉତ୍ସାହ ସହିତ କଥାଗୁଡ଼ିକୁ କହିଲେ ଏବଂ ସେଗୁଡ଼ିକ କେତେ କେତେ ଆଶାରେ ପୂରି ରହିଥିଲା, —ହଁ, କାଲି ସନ୍ଧ୍ୟାରେ ଯେଉଁସବୁ କଥା ସେ ତାଙ୍କ ମୁହଁରୁ ଶୁଣିଥିଲେ !

 

ରୁଡ଼ିନ୍ ତା’ପରେ ଆପଣାର ସିଂହସଦୃଶ ଗ୍ରୀବାଦେଶଟିକୁ ହଠାତ୍ ପଛଆଡ଼କୁ ବୁଲାଇ ନେଇଥିଲେ ଏବଂ କହିଲେ, “କିନ୍ତୁ ନାଇଁ, ନାଇଁ, ସେହି ସବୁକିଛି ହେଉଛି କେବଳ ମୂର୍ଖତା ଏବଂ ଆପଣଙ୍କ କଥା ହେଉଛି ପ୍ରକୃତରେ ଠିକ୍ । ଅନେକ ଧନ୍ୟବାଦ୍, ନାତାଲିଆ ଆଲେକ୍‌ସିୟଭ୍‍ନା, ଆପଣଙ୍କୁ ପ୍ରକୃତରେ ଧନ୍ୟବାଦ !” (ରୁଡ଼ିନ୍ ଯେ କ’ଣ ପାଇଁ ଧନ୍ୟବାଦ ଦେଉଛନ୍ତି, ନାତାଲିଆ ସେ ବିଷୟରେ ଆଦୌ କିଛି ବି ଜାଣି ପାରୁନଥାନ୍ତି ।) ଆପଣଙ୍କର ସେହି ପଦେ ବାକ୍ୟ ହିଁ ମୋତେ ମୋ’ର କର୍ତ୍ତବ୍ୟ ବିଷୟରେ ସ୍ମରଣ କରାଇ ଦେଇଛି, ମୋ’ ନିଜର ମାର୍ଗଟିକୁ ମୋତେ ନିର୍ଦ୍ଦେଶିତ କରି ଦେଇଛି । …ହଁ, ମୋତେ କାର୍ଯ୍ୟ ହିଁ କରିବାକୁ ହେବ । ଯଦି ମୋ’ ଠାରେ ଆଦୌ କିଛି ପ୍ରତିଭା ରହିଥାଏ, ତେବେ ତାହାକୁ ମୁଁ କଦାପି ସତେ ଅବା ମାଟିତଳେ ନେଇ ମୋଟେ ପୋତି ରଖିବିନାହିଁ-। ମୁଁ କେବଳ ଗୁଡ଼ିଏ କଥା କହି କହି ମୋ’ର ଶକ୍ତିକୁ ଆଦୌ ବରବାଦ କରି ପକାଇବି ନାହିଁ । ଖାଲି ତୁଚ୍ଛା ଶୂନ୍ୟଗର୍ଭ ଆଦୌ କୌଣସି ଲାଭ ନଥିବା ନାନା ଶବ୍ଦପ୍ରୟୋଗରେ । ହଁ, କେବଳ ଶବ୍ଦରେ ଓ ଶବ୍ଦରେ ।” ଏବଂ ରୁଡ଼ିନ୍‌ଙ୍କର ଏହି ଶବ୍ଦଗୁଡ଼ିକ ମଧ୍ୟ ସତେଅବା ଏକ ସ୍ରୋତର ରୂପ ଧାରଣ କରି ଧାବମାନ ହୋଇ ରହିଥାନ୍ତି । ସିଏ ଖୁବ୍ ଭବ୍ୟ ଭାବରେ କଥାଗୁଡ଼ିକୁ କହୁଥାଆନ୍ତି, ପୂର୍ଣ୍ଣ ଉତ୍ସାହ ସହିତ । ପୂର୍ଣ୍ଣ ବିଶ୍ୱାସ ଆଣି ଦେଇ ପାରିଲା ପରି; —ସର୍ବବିଧ ଭୀରୁତା ଏବଂ ଆଳସ୍ୟରୂପକ ପାପ ବିଷୟରେ । କିଛି ନା କିଛି କାର୍ଯ୍ୟ କରିବାର ଅତ୍ୟାବଶ୍ୟକତା ବିଷୟରେ । ଆପଣା ଉପରେ ଭର୍ତ୍ସନା ଆଶି ଅଜାଡ଼ି ଦେବାରେ ଲାଗିଥାନ୍ତି । ବାରବାର୍ ପ୍ରତିପାଦିତ କରୁଥାନ୍ତି ଯେ, ତୁମେ ପ୍ରକୃତରେ କ’ଣ କରିବାକୁ ଏକ ନିଷ୍ପତ୍ତି ଗ୍ରହଣ କରିଛ, ସେହି ବିଷୟରେ ପୂର୍ବରୁ ହିଁ ଗୁଡ଼ାଏ ଆଲୋଚନା କରି ବାହାରିବ, ସେଥିରେ ମୋଟେ କେତେବେଳେ ହେଲେ କୌଣସି ବିବେକ ନଥାଏ-। କୌଣସି ଫଳ ସମ୍ପୂର୍ଣ୍ଣ ଭାବରେ ପାଚି ଫୁଲିଯିବା ପରେ ସେଇଟି ପ୍ରକୃତରେ ପାଚିଛି କି ନାହିଁ ସେଥିପାଇଁ ଗୋଟିଏ ପିନ୍‌କଣ୍ଟା ଫୋଡ଼ି ତାକୁ ପରୀକ୍ଷା କରି ଦେଖିବା, ତଦ୍ଦ୍ୱାରା କେବଳ ଶକ୍ତିର ଅସଦ୍‌ବ୍ୟବହାର ହିଁ କରାଯାଇଥାଏ, ଫଳର ଶସଟିକୁ ମଧ୍ୟ ନଷ୍ଟ କରି ହିଁ ଦିଆଯାଏ । ରୁଡ଼ିନ୍ ଘୋଷଣା କରିଥିଲେ ଯେ, ଗୋଟିଏ ବିଚାର ଯାହାକିଛି ହୋଇଥାଉ ନା କାହିଁକି ଯଦି ତାହା ସମୁଚିତ ଏବଂ ସଙ୍ଗତିଯୁକ୍ତ ହୋଇଥିବ, ତାହାକୁ ଅବଶ୍ୟ ସହାନୁଭୂତି ମିଳିବ ଏବଂ ପୁନଶ୍ଚ ଯେଉଁ ବ୍ୟକ୍ତିମାନେ ସେମାନେ ପ୍ରକୃତରେ କ’ଣ ଚାହୁଁଛନ୍ତି, ସେହି ବିଷୟରେ ହୁଏତ କିଛି ଜାଣି ନଥିବେ ଅଥବା ତାଙ୍କୁ ଅନ୍ୟମାନେ ବୁଝିବା ବିଷୟରେ ଅଯୋଗ୍ୟ ହୋଇଥିବେ, ବସ୍ତୁତଃ ସେହିମାନଙ୍କୁ ହିଁ କେହି ମୋଟେ ବୁଝି ପାରନ୍ତି ନାହିଁ । ବେଶ୍‌ ଦୀର୍ଘକାଳ ଧରି ରୁଡ଼ିନ୍ ଏହିସବୁ କଥା କହୁଥିଲେ ଏବଂ ପୁନର୍ବାର ନାତାଲିଆ ଆଲେକ୍‌ସିୟେଭନାଙ୍କୁ ଧନ୍ୟବାଦ ଜ୍ଞାପନ କରି କଥା ଶେଷ କଲେ । ଏବଂ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ସେ ତାଙ୍କର ହାତଟିକୁ ଜୋର କରି ଧରି ପକାଇ ଏଡ଼େ ପାଟିରେ କହିଥିଲେ, “ଆପଣ ପ୍ରକୃତରେ ଜଣେ ଖୁବ୍ ଉଦାର ଏବଂ ମହାନ୍‌ ବ୍ୟକ୍ତି ।”

 

ଏହିସବୁ ଉଚ୍ଛ୍ୱସିତ ଏତେକଥା ଶୁଣି କୁମାରୀ ବନକୋର୍ଟ୍‍ ପ୍ରାୟ ଏକ ଆତଙ୍କ ହିଁ ଅନୁଭବ କରିଥିଲେ । ସିଏ ଏହି ରୁଷିଆ ଦେଶରେ ବିଗତ ଚାଳିଶିବର୍ଷ ହେବ ସିନା ରହି ସାରିଥିଲେ, ତଥାପି ରୁଷ ଭାଷାକୁ ଆଦୌ ଭଲଭାବେ ବୁଝି ପାରୁନଥିଲେ । ତଥାପି ଶ୍ରୀ ରୁଡ଼ିନ୍ ଯେପରି ଏଭଳି ମୁଗ୍ଧକର ବେଗ ତଥା ଅନର୍ଗଳତା ସହିତ କଥାମାନ କହି ଯାଉଥିଲେ, ସିଏ ତଦ୍ଦ୍ୱାରା ତାଙ୍କର ମନେମନେ କେବଳ ପ୍ରଶଂସା ହିଁ କରୁଥିଲେ । ତାଙ୍କ ଦୃଷ୍ଟିରେ ସେ ଅବଶ୍ୟ ରୁଡ଼ିନ୍‌ଙ୍କୁ ଜଣେ କଳାସମ୍ପନ୍ନ ପ୍ରବୀଣ ପୁରୁଷ ବୋଲି ଭାବୁଥିଲେ, ଏବଂ ଏପରି ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ଠାରୁ ତାଙ୍କର ଧାରଣା ଅନୁସାରେ କୌଣସି ବିଧି ବିଷୟରେ ବିଶ୍ୱସ୍ତ, ହୋଇ ରହିବା ନିମନ୍ତେ କୌଣସି ପ୍ରୟୋଜନ ମଧ୍ୟ ନଥିଲା । ସିଏ ଉଠି ଠିଆ ହେଲେ, ଆପଣାର ପରିଧାନଟିର ଧାରଗୁଡ଼ିକୁ ଟାଣି ସିଧା କରିଦେଲେ, ଏବଂ ବର୍ତ୍ତମାନ ଘରକୁ ଯିବା ଉଚିତ ବୋଲି ନାତାଲିଆଙ୍କୁ କହିଥିଲେ । କାରଣ, ସେଦିନ ଭୋଲିନସୋଭଙ୍କର ମଧ୍ୟାହ୍ନଭୋଜନ ପାଇଁ ଆସିବାର ଥିଲା (ସେ ଭୋଲିନ୍ତସେଭଙ୍କ ନାଆଁଟିକୁ ସେହିପରି ହିଁ ଉଚ୍ଚାରଣ କରୁଥିଲେ) ।

 

“ହେଇ ପରା, ସେ ଆସି ପହଞ୍ଚି ମଧ୍ୟ ଗଲେଣି,” —ସମ୍ମୁଖସ୍ଥ ଗୃହଟିର ଅଭିମୁଖରେ ପଡ଼ିଥିବା ଗୋଟିଏ ରାସ୍ତା ଆଡ଼େ ଅନାଇ ସେ କହିଥିଲେ ଏବଂ ସତକୁ ସତ ଅନତିଦୂରରେ ଶ୍ରୀ ଭୋଲିନ୍ତସେଭ୍ ମଧ୍ୟ ଘର ଆଡ଼କୁ ଆସୁଥିବାର ଦୃଷ୍ଟିଗୋଚର ବି ହେଲା ।

 

ଭୋଲିନ୍ତସେଭ୍ ପ୍ରାୟ ଏକ ପ୍ରକାର ସଂଙ୍କୁଚିତ ପଦକ୍ଷେପରେ ସେଯାଏ ଆସି ପହଞ୍ଚି ଯାଇଥିଲେ, କିଛି ଦୂରରୁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କଲେ ଏବଂ ସତେ ଅବା କୌଣସି ଯନ୍ତ୍ରଣା ଅନୁଭବ କରୁଥିବା ଭଳି ମୁଖମୁଦ୍ରାରେ ନାତାଲିଆଙ୍କ ଆଡ଼କୁ ଦୃଷ୍ଟି ଫେରାଇ କହିଥିଲେ :

 

“ତୁମେ ଏଣେ ବୁଲି ଆସିଥିଲ !”

 

“ହଁ, —ନାତାଲିଆ ଉତ୍ତର ଦେଲେ, ଏବେ ଆମେ ଘରକୁ ଫେରୁଥିଲୁ ।”

 

“ଜାଣିଲି, —ତେବେ ଚାଲ, ବର୍ତ୍ତମାନ ଘରକୁ ଫେରିବା,” —ଭୋଲିନ୍ତସେଭ୍ କହିଲେ ଏବଂ ତା’ ପରେ ସମସ୍ତେ ବୁଲିପଡ଼ି ଘର ଆଡ଼କୁ ଫେରିବାକୁ ଆରମ୍ଭ କଲେ ।

 

“ଆପଣଙ୍କର ଭଉଣୀ କିପରି ଅଛନ୍ତି ?” —ବେଶ୍ ଗୋଟିଏ ଭଦ୍ର ଗଳାରେ ରୁଡ଼ିନ୍ ପ୍ରଶ୍ନ କରିଥିଲେ । ଗତ କାଲି ସନ୍ଧ୍ୟାରେ ମଧ୍ୟ ସେ ଭୋଲିନ୍ତସେଭ୍‌ଙ୍କ ପ୍ରତି ଖୁବ୍ ଭଦ୍ରତା ସହିତ ବ୍ୟବହାର କରିଥିଲେ ।

 

“ହଁ, ଭଉଣୀ ଭଲ ଅଛନ୍ତି । ସିଏ ଆଜି ଏଠାକୁ ମଧ୍ୟ ଆସିପାରନ୍ତି । …..ମୁଁ ଅନୁମାନ କରିପାରୁଛି ଯେ ମୁଁ ଏଠାରେ ଆସି ପହଞ୍ଚିବା ପୂର୍ବରୁ ଆପଣ କ’ଣ ଗୋଟିଏ ବିଷୟରେ କିଛି ଆଲୋଚନା କରୁଥିଲେ ।”

 

“ହଁ, ମୁଁ ନାତାଲିଆ ଆଲେକସିୟେଭ୍‌ନାଙ୍କ ସହିତ ଗୋଟିଏ ବିଷୟରେ କଥାବାର୍ତ୍ତା ହେଉଥିଲି । ସିଏ ମୋତେ ଗୋଟିଏ କଥା କହିଲେ ଏବଂ ସେହି କଥାଟି ମୋ’ ଭିତରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଦେଲା ।”

 

ସେମାନେ କେଉଁ କଥା ପକାଇଥିଲେ, ଭୋଲିନ୍ତସେଭ୍ ସେହି ବିଷୟରେ କୌଣସି ପ୍ରଶ୍ନ କଲେ ନାହିଁ । ତା’ ପରେ ସମସ୍ତେ ଶ୍ରୀମତୀ ଦରିଆଙ୍କର ବାସଭବନରେ ଆସି ପହଞ୍ଚିଗଲେ । ବାଟରେ କୌଣସି କଥାବାର୍ତ୍ତା ହୋଇ ନଥିଲା ।

 

ଭୋଜନ ପୂର୍ବରୁ ସମସ୍ତେ ପୁନର୍ବାର ବୈଠକଖାନା ଘରଟିରେ ଏକାଠି ହେଲେ । ଅବଶ୍ୟ ସେହି ମେଳରେ ପିଗାସୋଭ୍ ଉପସ୍ଥିତ ନଥିଲେ । ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କ ଭିତରେ ମଧ୍ୟ ସେପରି ବାରି ହୋଇ ପଡ଼ିବା ଭଳି କୌଣସି ସ୍ଫୂର୍ତ୍ତି ନଥିଲା । ସେ ପାଣ୍ଡାଲେଭସ୍କିଙ୍କୁ ବିଥୋଫେନ୍ ବଜାଇବା ନିମନ୍ତେ ପ୍ରବର୍ତ୍ତାଇବା ବ୍ୟତୀତ ସିଏ ବସ୍ତୁତଃ ଆଉ କିଛି ହେଲେ କରୁନଥାନ୍ତି । ଭୋଲିନ୍ତସେଭ୍ ମଧ୍ୟ ଚୁପ୍ ହୋଇ ବସିଥାଆନ୍ତି, ଚଟାଣଟି ଆଡ଼କୁ ତଳମୁହାଁ ହୋଇ ଅନାଇ ରହିଥାନ୍ତି । ନାତାଲିଆ ନିଜ ମାଆଙ୍କ କଡ଼ରୁ ଉଠି କେଉଁଠାକୁ ହେଲେ ଯାଇନଥିଲେ; ଅବଶ୍ୟ ମଝିରେ ମଝିରେ ଭାବନାମଗ୍ନ ହୋଇ ରହି ଯାଉଥିଲେ ଏବଂ ତା’ପରେ ନିଜର କୌଣସି କାର୍ଯ୍ୟରେ ମନୋନିବେଶ କରୁଥିଲେ । ବାସିସ୍ଟୋଫ୍ ରୁଡ଼ିନ୍‌ଙ୍କ ଆଡ଼କୁ ହିଁ ପ୍ରାୟ ଗୋଟିଏ ଆଖିରେ ଚାହିଁ ରହିଥାନ୍ତି । ସିଏ ହୁଏତ କୌଣସି ଚମତ୍କାର ବିଷୟଟିଏ ପକାଇବେ ବୋଲି ଟାକି ରହି ଥାଆନ୍ତି । ଏହିପରି ଭାବରେ ପ୍ରାୟ ରସହୀନ ଭାବରେ ତିନିଘଣ୍ଟା ଅତିବାହିତ ହୋଇ ଯାଇଥିଲା ଆଲେକଜାଣ୍ଡ୍ରା ପାଭଲୋଭ୍‌ନା ଭୋଜନ ନିମନ୍ତେ ସେଦିନ ଆସିନଥିଲେ ଏବଂ ଯେତେବେଳେ ସେମାନେ ଟେବୁଲ୍‌ଟି ପାଖରୁ ଉଠି ଠିଆ ହେଲେ ଭୋଲିନ୍ତସେଭ୍ ତତ୍‌କ୍ଷଣାତ୍ ନିଜର ଗାଡ଼ିଟିକୁ ତିଆରି ହେବାକୁ ଆଦେଶ ଦେଇଥିଲେ ଏବଂ ତା’ ପରେ କାହାକୁ ହେଲେ ‘ଯାଉଛି’ ବୋଲି ନ କହି ସେଠାରୁ ପ୍ରସ୍ଥାନ କରିଥିଲେ ।

 

ତାଙ୍କ ଭିତରଟା ଭାରି ଭାରି ଲାଗୁଥାଏ । ସିଏ ପ୍ରକୃତରେ କେତେ ଦିନୁଁ ହିଁ କୁମାରୀ ନାତାଲିଆଙ୍କୁ ଭଲ ପାଇ ଆସିଛନ୍ତି ଏବଂ ତାଙ୍କୁ ବିବାହ କରିବାର ପ୍ରସ୍ତାବଟିଏ ଦେବା ଲାଗି ମଧ୍ୟ ମନେ ମନେ କେତେଥର ସଂକଳ୍ପ କରିଛନ୍ତି…ନାତାଲିଆ ମଧ୍ୟ ତାଙ୍କ ପ୍ରତି ସର୍ବଦା ସହାନୁଭୂତି ସମ୍ପନ୍ନ ହୋଇ ରହିଥିଲେ,….କିନ୍ତୁ ତାଙ୍କର ହୃଦୟଟା ସତେଅବା ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇ ହିଁ ରହିଯାଇଥିଲା—ଏବଂ ଭୋଲିନ୍ତସେଭ୍ ସେହି କଥାଟିକୁ ଖୁବ୍ ସ୍ପଷ୍ଟ ଭାବରେ ଲକ୍ଷ୍ୟ କରିପାରୁଥିଲେ-। ତାଙ୍କ ଭିତରେ କିଞ୍ଚିତ୍‍ ଅଧିକ କୋମଳ କିଛି ଭାବକୁ କେବେ ଉଦ୍ରେକ କରି ଆଣିପାରିବେ ବୋଲି ଭୋଲିନ୍ତସେଭ୍ କେବେହେଲେ ଆଶା କରି ପାରୁନଥିଲେ ଏବଂ ଏପରି ଏକ ମୁହୂର୍ତ୍ତ ପାଇଁ ଅପେକ୍ଷା କରୁଥିଲେ, ଯେତେବେଳେ କି ନାତାଲିଆ ସମ୍ପୂର୍ଣ୍ଣ ଭାବରେ ତାଙ୍କ ପାଖରେ ସହଜ ହୋଇ ଆସିବେ ଏବଂ ଏକ ଅନ୍ତରଙ୍ଗ ତାର ପ୍ରତ୍ୟୟ ଆଣି ଦେଇପାରିବେ । ତେବେ ଭୋଲିନ୍ତସେଭ୍ କ’ଣ ପାଇଁ ଏପରି ବିକ୍ଷୁବ୍ଧ ବୋଧ କରୁଥିଲେ ? ଏହି ଦୁଇଟା ଦିନରେ ସିଏ ନାତାଲିଆଙ୍କ ଠାରେ ପ୍ରକୃତରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରି ପାରିଲେ କି ? ନାତାଲିଆ ତ ପୂରା ଠିକ୍ ପୂର୍ବପରି ତାଙ୍କ ସହିତ ବ୍ୟବହାର ମଧ୍ୟ କରୁଥିଲେ... ।

 

ହୁଏତ ଏପରି ବି ହୋଇପାରେ ଯେ, ଭୋଲିନ୍ତସେଭ୍‌ଙ୍କ ମନରେ ଏପରି ଗୋଟିଏ ଧାରଣା ଆସିଥିଲା ଯେ, ସିଏ ପ୍ରକୃତରେ ନାତାଲିଆଙ୍କର ସ୍ୱଭାବଟିକୁ ଆଦୌ ଯଥାର୍ଥ ଭାବରେ ଜାଣିନାହାନ୍ତି—ସିଏ ହୁଏତ ତାଙ୍କ ପାଇଁ ଖୁବ୍ ଅପରିଚିତା ଜଣେ ବ୍ୟକ୍ତି ହୋଇ ତଥାପି ରହିଛନ୍ତି । ଅଥବା, ତାଙ୍କ ଭିତରେ ଏକ ଈର୍ଷା ଜନ୍ମଲାଭ କରିଛି ବା ସେ ଏପରି ଏକ ମନ୍ଦର ହିଁ ପୂର୍ବାଭାସ ପାଉଛନ୍ତି । ଏବଂ ଯେଉଁଟି ହେତୁ ହେଉ ପଛକେ, ନିଜ ଭିତରେ ଭୋଲିନ୍ତସେଭ୍ ଏକ ଦୁଃଖ ହିଁ ଅନୁଭବ କରୁଥିଲେ । ଅବଶ୍ୟ, ଯଥାସମ୍ଭବ ଧୈର୍ଯ୍ୟର ପ୍ରୟୋଗ କରି ସେ ସେହି ବ୍ୟାପାରଟିର ପ୍ରକୃତ ପରିଚୟଟିଏ ପାଇବା ଲାଗି ଉଦ୍ୟମ ମଧ୍ୟ କରୁଥିଲେ ।

 

ନିଜ ଭଉଣୀଙ୍କର କୋଠରୀଟି ମଧ୍ୟରେ ପ୍ରବେଶ କରି ସିଏ ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍‌ ମଧ୍ୟ ସେଠାରେ ବସିଥିବାର ଦେଖିବାକୁ ପାଇଥିଲେ ।

 

“ତୁମେ ଏଡ଼େ ଶ୍ରୀଘ୍ର ଚାଲି ଆସିଲ ଯେ !” —ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ତାଙ୍କୁ ପଚାରିଥିଲେ ।

 

“ସେଠାରେ ବଡ଼ ବିରକ୍ତିକର ଲାଗିଥିଲା ।”

 

“ସେଠାରେ ଶ୍ରୀଯୁକ୍ତ ରୁଡ଼ିନ୍ ଥିଲେ ?”

 

“ହଁ ।”

 

ଭୋଲିନ୍ତସେଭ୍ ତାଙ୍କ ଟୋପିକୁ ମୁଣ୍ଡରୁ କାଢ଼ି ନେଇଥିଲେ ଏବଂ ଆସନ ଗ୍ରହଣ କଲେ । ଶ୍ରୀମତୀ ପାଭନଲୋଭ୍‌ନା ବେଶ୍ ଉତ୍କଣ୍ଠିତ ଭାବରେ ତାଙ୍କୁ ଚାହିଁ ଦେଖୁଥିଲେ ।

 

ଲେଜ୍‌ଝନିଓଭ୍‌ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସିଏ ନିଜ ଭାଇଙ୍କୁ କହିଲେ, “ତୋତେ ମୋ’ର ବହୁତ ଅନୁରୋଧ ଯେ ତୁ ଏହି ବ୍ୟକ୍ତିଙ୍କୁ ଭଲ କରି ଥରେ ବୁଝାଇ ଦେ’ ଯେ ରୁଡ଼ିନ୍ ହେଉଛନ୍ତି ଜଣେ ଅସାଧାରଣ ଭାବରେ ବୁଦ୍ଧିମାନ ମନୁଷ୍ୟ ଏବଂ ବହୁତ ବାଗ୍ମିତାର ମଧ୍ୟ ଅଧିକାରୀ-।”

 

ଭୋଲିନ୍ତସେଭ୍ ବେଶ୍‌ ଧୀର କଣ୍ଠରେ ଉତ୍ତରଟିଏ ଦେଲେ ।

 

“କିନ୍ତୁ ମୁଁ ମଧ୍ୟ ସେ ବିଷୟରେ ତୁମ ସହିତ କୌଣସି ବିବାଦ କରିବି ନାହିଁ; ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କର ବୁଦ୍ଧିମତ୍ତା ଓ ବାଗ୍ମିତା ବିଷୟରେ ମୋ’ର ମଧ୍ୟ କୌଣସି ସନ୍ଦେହ ନାହିଁ । କିନ୍ତୁ ମୁଁ ତଥାପି କହିବି ଯେ, ସେ ମୋତେ ସେପରି ଭଲ ଲାଗନ୍ତି ନାହିଁ ।”

 

“ମାତ୍ର, ତୁମର କେବେ ତାଙ୍କ ସହିତ ଭେଟ ହୋଇଛି ?” —ଲେଜ୍‌ଝନିଓଭ୍‌ ପଚାରିଲେ-

 

“ତାଙ୍କ ସହିତ ମୋ’ର ଆଜି ସକାଳେ ଶ୍ରୀମତୀ ଦରିଆଙ୍କ ଘରେ ଦେଖା ହେଲା । ତୁମେ ତ ଜାଣିଛ ଯେ ସିଏ ୟା’ ମଧ୍ୟରେ ତାଙ୍କର ସର୍ବପ୍ରଥମ ପ୍ରିୟ ବ୍ୟକ୍ତିରେ ପରିଣତ ହୋଇ ସାରିଲେଣି-। ଏବଂ ଏପରି ଏକ ସମୟ ନିଶ୍ଚୟ ମଧ୍ୟ ଆସିବ, ଯେତେବେଳେ ନାତାଲିଆ ତାଙ୍କୁ ମଧ୍ୟ ପରିତ୍ୟାଗ କରିବେ । କେବଳ ପାଣ୍ଡାଲେଭ୍‌ସ୍କିଙ୍କୁ ହିଁ କେବେ ଛାଡ଼ିବେ ନାହିଁ କିନ୍ତୁ, ବର୍ତ୍ତମାନ ଶ୍ରୀ ରୁଡ଼ିନ୍ ହିଁ ସର୍ବାଗ୍ରରେ ରହିଛନ୍ତି । ହଁ, ତାଙ୍କ ସହିତ ମୋ’ର ଅବଶ୍ୟ ଭେଟ ହୋଇଛି । ସିଏ ସେଠାରେ ସମସ୍ତଙ୍କ ସହିତ ଏକତ୍ର ବସିଥିଲେ ଏବଂ ଶ୍ରୀମତୀ ଦରିଆ ମୋ’ ସହିତ ତାଙ୍କୁ ପରିଚିତ କରାଇଦେଇ ପ୍ରାୟ କେଡ଼େ ସ୍ୱତନ୍ତ୍ର ଭାବରେ କହିଲେ, “ଦେଖ ଏଣେ, ଜଣେ କେଡ଼େ ଖାସ୍ ବ୍ୟକ୍ତି ଏଠାରେ ଆମ ଗହଣରେ ଉପସ୍ଥିତ ରହିଛନ୍ତି ।” ମାତ୍ର, ମୁଁ ତ ଦଉଡ଼ ପ୍ରତିଯୋଗିତା ଜୟଲାଭ କରିଥିବା ଗୋଟିଏ ଘୋଡ଼ା ନୁହେଁ ଯେ ମୋତେ ଏପରି ଅଲଗା କରି ପ୍ରଦର୍ଶିତ କରି ହେବ । ତେଣୁ ମୁଁ ସେଠାରୁ ଚାଲିଆସିଲି ।”

 

“କିନ୍ତୁ ଆପଣ ସେଠାକୁ କିପରି ଯାଇଥିଲେ ?”

 

“ଗୋଟିଏ ଜମିର ସୀମା ସଂକ୍ରାନ୍ତରେ କଥାବାର୍ତ୍ତା ହେବାକୁ । କିନ୍ତୁ ସେଇଥିରେ ମୋଟେ କୌଣସି ଅର୍ଥ ନଥିଲା । ଶ୍ରୀମତୀ ଦରିଆ ସମ୍ଭବତଃ ମୋ’ ଚେହେରାଟିକୁ ଅଧିକ ଉତ୍ତମ ରୂପେ ଦେଖିବେ ବୋଲି ମୋତେ ଡାକିଥିଲେ । ସିଏ ପ୍ରକୃତରେ ବେଶ୍‌ ଚମତ୍କାର ଜଣେ ମହିଳା ଏବଂ ତାଙ୍କ ସମ୍ପର୍କରେ ସେତିକି କହିବା ହିଁ ଯଥେଷ୍ଟ ।”

 

ତା’ପରେ ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ବେଶ୍‌ ସମ୍ବେଦନଶୀଳ ଭାବରେ ଉତ୍ତର ଦେଇଥିଲେ, “ହଁ, ସିଏ ଯେ ଜଣେ ଏକ ଉଚ୍ଚତର ବିଶିଷ୍ଟ ବ୍ୟକ୍ତିତ୍ୱର ଜଣେ ମନୁଷ୍ୟ, ସମ୍ଭବତଃ ସେହି କଥାଟି ଆପଣଙ୍କୁ ଅସହ୍ୟ ଲାଗୁଥିବ । ସେହି କଥାଟିକୁ ଆପଣ କ୍ଷମା କରିଦେବାକୁ ଇଚ୍ଛା କରୁନାହାନ୍ତି । କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁଛି ଯେ, ତାଙ୍କର ସେହି ଅସାଧାରଣ ବୁଦ୍ଧିମତ୍ତା ସହିତ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କର ଏକ ଅତି ଚମତ୍କାର ହୃଦୟ ମଧ୍ୟ ରହିଛି । ଯେତେବେଳେ ସିଏ କଥା କହୁଥାନ୍ତି, ସେତେବେଳେ ତୁମକୁ ତାଙ୍କର ଆଖିଗୁଡ଼ିକୁ ହିଁ ଦେଖିବାକୁ ହେବ ।”

 

“ଏକ ଶୁଦ୍ଧତାଦ୍ୱାରା ଉଲ୍ଲସିତ ଆଖିଗୁଡ଼ିକ ହିଁ କଥା କହୁଥାନ୍ତି । ଲେଜ୍‌ଝନିଓଭ୍ ଏକ କବିତାର ଧାଡ଼ିକୁ ଉଦ୍ଧାର କରି ଉତ୍ତର ଦେଇଛନ୍ତି ।

 

“ଆପଣ ମୋତେ ଖୁବ୍ ରୁଷ୍ଟ କରି ଦେଉଛନ୍ତି ଏବଂ ନିଜ ଭିତରେ ମୁଁ ରୋଦନ କରି ଉଠିବା ପରି ଅନୁଭବ ମଧ୍ୟ କରୁଛି । ମୁଁ ଆନ୍ତରିକ ଭାବରେ ଅତ୍ୟନ୍ତ ଦୁଃଖିତ ଯେ, ମୁଁ ନିମନ୍ତ୍ରଣ ରକ୍ଷା କରି ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କ ଘରକୁ ଯାଇ ନଥିଲି ଏବଂ ଆପଣଙ୍କ ସହିତ ଅଟକି ରହିଗଲି । ଆପଣ ପ୍ରକୃତରେ ତାହାର ଯୋଗ୍ୟ ନୁହଁନ୍ତି । ଆପଣ ମୋତେ ଆଉ ମୋଟେ ଅଧିକ ଚିଡ଼ାଇବେ ନାହିଁ । ଏକ ଅନୁନୟଭରା କଣ୍ଠସ୍ୱରରେ ଶ୍ରୀମତୀ ପାଭଲୋଭ୍‌ନା ଉତ୍ତର ଦେଲେ । “ଆପଣ ମୋତେ ବରଂ ତାଙ୍କ ଯୁବାବସ୍ଥା ବିଷୟରେ କିଛି କହନ୍ତୁ ।”

 

“ରୁଡ଼ିନ୍‌ଙ୍କର ଯୁବାବସ୍ଥା ବିଷୟରେ ?”

 

“ହଁ, ସେହି ବିଷୟରେ । ଥରେ ମୋତେ କହି ବି ଥିଲେ ଯେ, ଆପଣ ରୁଡ଼ିନ୍‌ଙ୍କୁ ଖୁବ୍ ଭଲ ଭାବରେ ଜାଣିଛନ୍ତି ଏବଂ ବେଶ୍‌ ଦୀର୍ଘ କାଳରୁ ତାଙ୍କୁ ଜାଣି ଆସିଛନ୍ତି ।”

 

ଲେଜ୍‌ଝନିଓଭ୍‌ ଆସନରୁ ଉଠି ଠିଆ ହୋଇଗଲେ ଏବଂ ସେହି କୋଠରୀଟି ଭିତରେ ପଦଚାଳନା କରିବାକୁ ଆରମ୍ଭ କଲେ ।

 

ଏବଂ କହିଲେ, ହଁ, ପ୍ରକୃତ କଥା ଯେ ରୁଡ଼ିନ୍‌ଙ୍କୁ ମୁଁ ସେପରି ଉତ୍ତମ ରୂପେ ଜାଣେ ନାହିଁ-। ତାଙ୍କର ଯୁବାକାଳ ବିଷୟରେ ମୁଁ କିଛି କହିବି ବୋଲି ଆପଣ ଇଚ୍ଛା କରୁଛନ୍ତି ନା ?ତେବେ ସେହି ଅନୁସାରେ କିଛି କହିବା ଲାଗି ଚେଷ୍ଟା କରିବି । ହଁ, ସେଠାରେ ଜନ୍ମ ଗ୍ରହଣ କରିଥିଲେ, ଜଣେ ଦରିଦ୍ର କୃଷକ ଘରେ । ବାପାଙ୍କ ହାତରେ ଖୁବ୍ ଅଳ୍ପ କିଛି ଜମି ଥିଲା । ସିଏ ମଧ୍ୟ ଖୁବ୍ ଶୀଘ୍ର ସଂସାରରୁ ବିଦାୟ ନେଇ ଚାଲିଗଲେ । ଘରେ କେବଳ ତାଙ୍କର ମାଆ—ସେଇ ଜଣେ ମାତ୍ର ଆଶ୍ରୟ । ମାଆ ଜଣେ ଖୁବ୍ ଉତ୍ତମ ମନୁଷ୍ୟ ଥିଲେ । ସିଏ ଆପଣାର ପୁଅଟିକୁ ଲବଣୀପିତୁଳା ଭଳି ଲାଳନପାଳନ କଲେ । ଆପେ ସାମାନ୍ୟ ଜଅ ମାଣ୍ଡିଆ ଖାଇ ବଞ୍ଚିଲେ ଏବଂ ପୁଅ ସକାଶେ ହିଁ ନିଜର ସବୁ ଅର୍ଜନକୁ ଖର୍ଚ୍ଚ କରୁଥିଲେ । ରୁଡ଼ିନ୍ ମସ୍କୋରେ ଶିକ୍ଷା ପାଇଥିଲେ । ପ୍ରଥମେ ତାଙ୍କର ଜଣେ କକା ହିସାବରେ ବ୍ୟକ୍ତି ତାଙ୍କର ପଢ଼ିବା ଖର୍ଚ୍ଚ ବହନ କରୁଥିଲେ ଏବଂ ତା’ପରେ ସେ କିଞ୍ଚିତ୍‍ ବଡ଼ ହୋଇଗଲା ପରେ ଏବଂ ଆପେ କିଛି ସାମର୍ଥ୍ୟ ଲାଭ କରିବା ପରେ ଜଣେ ଧନାଢ଼୍ୟ ରାଜବଂଶୀୟଙ୍କର ସହାୟତାରେ ଅଧ୍ୟୟନ କରି ପାରିଲେ । ରାଜବଂଶୀୟ ସେହି ବ୍ୟକ୍ତିଙ୍କ ସହିତ ତାଙ୍କର ସେତେବେଳେ ପ୍ରାୟ କିଞ୍ଚିତ୍‍ ବନ୍ଧୁତାର ବି ପ୍ରତିଷ୍ଠା ହୋଇ ଯାଇଥିଲା । ତା’ପରେ ରୁଡ଼ିନ୍ ବିଶ୍ଵବିଦ୍ୟାଳୟକୁ ଗଲେ । ମୋର ତାଙ୍କ ସହିତ ସେହି ବିଶ୍ଵବିଦ୍ୟାଳୟରେ ହିଁ ପରିଚୟ ହୋଇଥିଲା ଏବଂ ଆମେ ପରସ୍ପରର ଜଣେ ଜଣେ ଅନ୍ତରଙ୍ଗ ବନ୍ଧୁ ମଧ୍ୟ ହୋଇ ଯାଇଥିଲୁ । ହଁ, ଆଉ କେବେ ମୁଁ ଆପଣମାନଙ୍କୁ ସେଠାରେ ଆମେ ଅତିବାହିତ କରିଥିବା ଜୀବନ ବିଷୟରେ ମଧ୍ୟ ବିସ୍ମୃତ ଭାବରେ ନିଶ୍ଚୟ କହିବି । କିନ୍ତୁ ବର୍ତ୍ତମାନ ଆଦୌ କହିବି ନାହିଁ । ସିଏ ତା’ପରେ ବିଦେଶ ଗଲେ ।”

 

ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍ ସେହିଭଳି ପଦଚାଳନା କରିବାରେ ଲାଗିଥାନ୍ତି । କୋଠରୀଟି ମଧ୍ୟରେ ଏପାଖ ସେପାଖ ହେଉଥାନ୍ତି । ସିଏ ଯେଉଁ ଆଡ଼କୁ ଯାଉଥାନ୍ତି, ଶ୍ରୀମତୀ ପାଭଲୋଭ୍‌ନାଙ୍କର ଆଖି ଦୁଇଟି ମଧ୍ୟ ତାଙ୍କର ଅନୁସରଣ କରୁଥାଆନ୍ତି ।

 

ସିଏ ପୁନର୍ବାର ଆରମ୍ଭ କଲେ, “ସେହି ବିଦେଶରେ ଥିଲାବେଳେ ରୁଡ଼ିନ୍ ନିଜ ମାଆଙ୍କ ପାଖକୁ କ୍ଵିଚିତ୍ କୌଣସି ପତ୍ର ଦେଉଥିଲେ ଏବଂ ମାତ୍ର ଦଶଦିନ ସକାଶେ ବର୍ଷରେ କେବଳ ଥରେ ତାଙ୍କ ପାଖକୁ ଆସୁଥିଲେ । ... ବୃଦ୍ଧା ମାଆଙ୍କର ମୃତ୍ୟୁ ସମୟରେ ମଧ୍ୟ ସିଏ ତାଙ୍କ ପାଖରେ ଉପସ୍ଥିତ ନଥିଲେ । କେବଳ ଅପରିଚିତ କେତେକ ଲୋକ ହିଁ ତାଙ୍କର କିଛି ଶୁଶ୍ରୂଷା କରିଥିଲେ । କିନ୍ତୁ, ଆପଣାର ମୃତ୍ୟୁ ପର୍ଯ୍ୟନ୍ତ ମାଆ ସର୍ବଦା କେବଳ ତାଙ୍କ ପୁଅଟିର ଏକ ଚିତ୍ର ଆଡ଼କୁ ହିଁ ଅନାଇ ରହିଥାନ୍ତି । ହଁ, ସେହି ସ୍ଥାନରେ ଥିଲାବେଳେ ମୁଁ ମଧ୍ୟ ତାଙ୍କୁ ଦେଖିବାକୁ ଯାଇଥିଲି । ତାଙ୍କର ହୃଦୟରେ ଦୟା ଭରି ରହିଥିଲା ଏବଂ କେହି ଅତିଥି ଆସିଲେ ସେମାନଙ୍କର ସେ ସର୍ବବିଧ ଯତ୍ନ ନେଉଥିଲେ । ମୁଁ ଯେତେଥର ଯାଇଛି, ସେ ମୋତେ ସବୁଥର ଚେରିଫଳର ଜାମ୍ ଖାଇବା ପାଇଁ ଦେଇଛନ୍ତି । ଆପଣାର ପୁଅଟିକୁ ସେ କେଡ଼େ ସମର୍ପିତ ଭାବରେ ହିଁ ଭଲ ପାଉଥିଲେ । ଏକ ବିଶେଷ ଧରଣର ବ୍ୟକ୍ତିମାନେ କହି ଥାଆନ୍ତି ଯେ, ଆମେ ସର୍ବଦା ଏପରି ଲୋକମାନଙ୍କୁ ଭଲ ପାଉଥାଉ ଯେଉଁମାନଙ୍କର ଚିତ୍ତରେ ସମ୍ଭବତଃ ଏତେ ଟିକିଏ ମଧ୍ୟ ଭଲ ପାଇବାର ସାମର୍ଥ୍ୟ ନଥାଏ-। କିନ୍ତୁ ମୋ’ର ଧାରଣା ହେଉଛି ଯେ, ମାଆ ମାତ୍ରକେ ସମସ୍ତେ ନିଜର ସନ୍ତାନମାନଙ୍କୁ ଅବଶ୍ୟ ଭଲ ପାଆନ୍ତି :— ବିଶେଷ କରି ସେହି ସନ୍ତାନମାନେ ଯଦି ପାଖରେ ନଥାନ୍ତି । ହଁ, ପରେ ରୁଡ଼ିନ୍‌ଙ୍କ ସହିତ ବିଦେଶରେ ମୋ’ର ଦେଖା ହୋଇଥିଲା । ସେତେବେଳେ ତାଙ୍କର ଜଣେ ମହିଳାଙ୍କ ସହିତ ବେଶ୍ ଏକ ସମ୍ପର୍କ ସ୍ଥାପିତ ହୋଇ ଯାଇଥିଲା । ଆମରି ଦେଶରେ ଜଣେ ମହିଳାଙ୍କ ସହିତ, ଜଣେ ଅତି ମାମୁଲି ମହିଳା, —ଏବଂ ତାଙ୍କର ଯୁବାକାଳ ମଧ୍ୟ ଅତିକ୍ରାନ୍ତ ପ୍ରାୟ ହୋଇ ସାରିଥିଲା । ରୁଡ଼ିନ୍ ସେହି ମହିଳାଙ୍କ ସହିତ ବହୁ ସମୟ ଅତିବାହିତ କରୁଥିଲେ ଏବଂ ତା’ପରେ ତାଙ୍କୁ ଛାଡ଼ି ଦେଲେ । ନାଇଁ, ନାଇଁ, ସେହି ମହିଳା ହିଁ ରୁଡ଼ିନଙ୍କୁ ଛାଡ଼ି ଯାଇଥିଲେ । ଏବଂ ସେତେବେଳେ ରୁଡ଼ିନ୍‌ଙ୍କ ସହିତ ମୁଁ ମଧ୍ୟ ସମ୍ପର୍କ ତୁଟାଇ ଦେଇଥିଲି । ବାସ୍ ଏତିକି ।”

 

ସିଏ ନିଜର କଥା ବନ୍ଦ କଲେ ଓ ନିଜ ଆଖିର ଭ୍ରୂଲତା ଉପରେ ହାତ ବୁଲାଇ ଆଣିଥିଲେ, ଏବଂ ଗୋଟିଏ ଚଉକି ଉପରେ ଯାଇ ନଥ୍ କିନା ବସି ପଡ଼ିଲେ । ସତେଅବା ବେଶ୍ କ୍ଳାନ୍ତ ଅନୁଭବ ହିଁ କରୁଥିଲେ ।

 

“ଶ୍ରୀ ମିହାଇଲୋ ମିହାଇଲିଚ୍, ଆପଣ ଜାଣନ୍ତି କି,’’ “—ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‍ନା ତା’ପରେ ଆରମ୍ଭ କଲେ,” ‘‘ଆପଣ ଜଣେ ଏପରି ମନୁଷ୍ୟ, ଯାହା ଭିତରେ ଖୁବ୍ ଘୃଣାଭାବ ପୂରି ରହିଥାଏ । ମୁଁ ତ ଦେଖୁଛି, ଆପଣ ତ କୌଣସି କଥାରେ ପିଗାସୋଭ୍‍ଙ୍କ ଠାରୁ ଆଦୌ କମ୍ ନୁହନ୍ତି । ମୋ’ର ସମ୍ପୂର୍ଣ୍ଣ ପ୍ରତ୍ୟୟ ଅବଶ୍ୟ ହେଉଛି ଯେ, ଆପଣ ମୋତେ ବର୍ତ୍ତମାନ ଯାହାସବୁ କହିଛନ୍ତି, ସେଗୁଡ଼ିକ ଅବଶ୍ୟ ସତ ଏବଂ ଆପଣ ବନାଇ କରି ପ୍ରକୃତରେ କିଛି କହି ନାହାନ୍ତି । ତଥାପି, ଆପଣ ସେଗୁଡ଼ିକୁ କେତେ ନକାରାତ୍ମକ ଅଭିପ୍ରାୟ ସହିତ ନ କହିଛନ୍ତି ।” ରୁଡ଼ିନ୍‌ଙ୍କର ବିଚାରୀ ବୃଦ୍ଧା ମାଆଟି, ପୁଅ ଲାଗି ତାଙ୍କର ନିଷ୍ଠା, ଏକାକୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଏବଂ ସେହି ଅନ୍ୟ ମହିଳା ଜଣକ, — ଏହି ସବୁକିଛିରୁ ପ୍ରକୃତରେ କେଉଁଭଳି ସଂକେତଟିଏ ମିଳୁଛି-। ଆପଣ ନିଶ୍ଚୟ ଖୁବ୍ ଜାଣିଛନ୍ତି ଯେ, ଅତି ଉତ୍ତମ ବ୍ୟକ୍ତିମାନଙ୍କର ଜୀବନକୁ ମଧ୍ୟ ଏଭଳି ରଙ୍ଗ ଗୁଡ଼ିକୁ ଦେଇ ଉପସ୍ଥାପିତ କରିବା ପ୍ରକୃତରେ ବେଶ୍ କେଡ଼େ ସହଜ । ତା’ପରେ ହୁଏତ ଦେଖି ବି ପାରିବେ, ସମସ୍ତେ ଆପଣଙ୍କର କଥା ଗୁଡ଼ିକୁ ଶୁଣି ପ୍ରକୃତରେ ବଡ଼ ଆତଙ୍କିତ ହୋଇ ଉଠୁଛନ୍ତି-। କିନ୍ତୁ, ସେଇଟି ମଧ୍ୟ ଗୋଟିଏ ପ୍ରକାରର କୁତ୍ସାରଟନା କରିବା ପରି ହେବନାହିଁ କି-?”

 

ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍ ପୁଣି ଉଠି ଠିଆ ହେଲେ ଏବଂ ଗୃହଟି ମଧ୍ୟରେ ପଦଚାଳନା କରିବାକୁ ଲାଗିଲେ ।

 

ଏବଂ ତା’ ପରେ କହିଲେ, “ଶ୍ରୀଯୁକ୍ତ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‍ନା, ଆପଣଙ୍କର ମନରେ ଏକ ଆତଙ୍କ ସୃଷ୍ଟି କରିବାକୁ ମୋ’ର ପ୍ରକୃତରେ କୌଣସି ଉଦ୍ଦେଶ୍ୟ ନଥିଲା । କାହାର କୁତ୍ସାରଟନା କରିବା ପାଇଁ ମୋ’ର କେବେ କୌଣସି ଆଗ୍ରହ ନଥାଏ । ତଥାପି, “—କ୍ଷଣକ ଲାଗି କ’ଣ ଚିନ୍ତା କରି ସେ ପୁନର୍ବାର କହିଥିଲେ, “ତଥାପି, ଆପଣ ଯାହା କହିଲେ, ସେଇଟିର ମଧ୍ୟ ଗୋଟିଏ ଭିତ୍ତି ଅବଶ୍ୟ ରହିଛି । ମୁଁ ରୁଡ଼ିନ୍‌ଙ୍କର କୁତ୍ସା କରିବାକୁ ଭାବି ମୋଟେ ଏସବୁ କଥା କହୁ ନଥିଲି, କିନ୍ତୁ —କିଏ ବା ଜାଣିଛି ଯେ, ଖୁବ୍ ସମ୍ଭବ ପରବର୍ତ୍ତୀ କୌଣସି ସମୟରେ ନିଜ ଜୀବନରେ ଏକ ପରିବର୍ତ୍ତନ ଆଣିବା ସକାଶେ ତାଙ୍କ ପାଇଁ ସୁଯୋଗଟିଏ ହୁଏତ ମିଳିଥିଲା । ତେଣୁ, ମୋ’ର ତାଙ୍କ ବିଷୟରେ ଏସବୁ କହିବା ନିଶ୍ଚୟ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବ ।”

 

“ଆଚ୍ଛା ତେବେ ଶପଥ କରି ଆପଣ କହନ୍ତୁ ଯେ ପୁନର୍ବାର ରୁଡ଼ିନ୍‌ଙ୍କ ସହିତ ନିଜର ପରିଚୟ ବିଷୟରେ ମୋଟେ କିଛି କହିବେ ନାହିଁ । ଆଗ ତାଙ୍କ ବିଷୟରେ ସବୁ କଥା ସମ୍ପୂର୍ଣ୍ଣ ଭାବରେ ଜାଣିବେ ଏବଂ ତା’ପରେ ଯାଇ ମୋତେ ତାଙ୍କ ବିଷୟରେ ଏକ ଚୂଡ଼ାନ୍ତ ମତ ଦେବେ ।”

 

“ଆପଣ ଯେପରି ଇଚ୍ଛା କରୁଛନ୍ତି, ଅବଶ୍ୟ ସେଇପରି ହେବ । ମାତ୍ର ଶ୍ରୀଯୁକ୍ତ ସେର୍ଗେ ପାଭ୍‍ଲିଚ୍, ଆପଣ କାହିଁକି କିଛି ନ କହି ଚୁପ୍ ହୋଇ ବସିଛନ୍ତି ।”

 

ଭୋଲିନ୍ତସେଭ୍ କ’ଣ କହିବେ ବୋଲି ଉପରକୁ ମୁଣ୍ଡଟି ଉଠାଇଲେ । ସତେଅବା ନିଦରେ ଶୋଇଥିଲେ, ହଠାତ୍ ଉଠି ପଡ଼ିଲେ ।

 

“ମୁଁ ଆଉ କ’ଣ କହିବି ? ମୁଁ ରୁଡ଼ିନ୍‌ଙ୍କୁ କେବେ ହେଲେ ଜାଣି ନଥିଲି । ଏବଂ ଆଜି ମୋ’ ମୁଣ୍ଡଟା ଟିକିଏ ବଥାଉଥିଲା ପରି ମଧ୍ୟ ଲାଗୁଛି ।”

 

“ହଁ, ଆଜି ସନ୍ଧ୍ୟାରେ ବେଶ୍ ବିବର୍ଣ୍ଣ ମଧ୍ୟ ଦେଖା ଯାଉଛୁ ।” —ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‍ନା ମଧ୍ୟ କହିଥିଲେ । “କ’ଣ ଦେହ ଭଲ ନାହିଁ ।”

 

“ମୁଣ୍ଡଟା ବଥାଉଛି” —ଭୋଲିନ୍ତଶେଭ୍ ଆଉଥରେ କହିଲେ ଓ ବାହାରକୁ ଚାଲି ଯାଇଥିଲେ ।

 

ଆଲେକ୍‌ଜାଣ୍ଡ୍ରା ଓ ଲେଜ୍‌ଝନିଓଭ୍ ତାଙ୍କ ଆଡ଼କୁ ଅନାଇ ରହି ଥାଆନ୍ତି । ସେମାନଙ୍କର ଏକ ଦୃଷ୍ଟି ବିନିମୟ ବି ହୋଇଥିଲା, କିନ୍ତୁ ସେମାନେ ଆଦୌ କିଛି କହି ନଥିଲେ । ଏବଂ ଶ୍ରୀ ଭୋଲିନ୍ତସେଭ୍‌ଙ୍କର ହୃଦୟ ମଧ୍ୟରେ କ’ଣ ସବୁ ଯେ ଘଟୁଥିଲା, ସେହି କଥାଟି ଉଭୟଙ୍କ ନିମନ୍ତେ ମୋଟେ କୌଣସି ରହସ୍ୟ ହୋଇ ରହି ନଥିଲା ।

 

—୬—

 

ଦୁଇ ମାସରୁ ବରଂ ଅଧିକ ସମୟ ହୋଇଯିବଣି; କିନ୍ତୁ ଏହି ସମ୍ପୂର୍ଣ୍ଣ ସମୟଟି ମଧ୍ୟରେ ଶ୍ରୀଯୁକ୍ତ ଦରିଆ ମିହାଇଲୋଭ୍‌ନାଙ୍କ ନିବାସଟିରୁ କ୍ଵଚିତ୍ କୁଆଡ଼େ ବାହାରକୁ ଯାଇଛନ୍ତି । ରୁଡ଼ିନ୍ ନହେଲେ ସତେଅବା ଶ୍ରୀମତୀ ଦରିଆଙ୍କରେ ପ୍ରକୃତରେ ଦିନ ତ କଟି ପାରୁନଥିଲା । ନିଜ ବିଷୟରେ ତାଙ୍କ ସହିତ ଯାବତୀୟ କଥାବାର୍ତ୍ତା ହେବ ଏବଂ ତାଙ୍କର ବାଗ୍ମିତାଗୁଡ଼ିକୁ ଶ୍ରବଣ କରିବା, ତାଙ୍କ ପାଇଁ ଏକ ନିତାନ୍ତ ପ୍ରୟୋଜନରେ ପରିଣତ ହୋଇ ଯାଇଥିଲା । ହଁ ଥରେ ରୁଡ଼ିନ୍ ଏଠାରୁ ଆଉ ଅନ୍ୟ କେଉଁ ସ୍ଥାନକୁ ଯିବାଲାଗି ଚେଷ୍ଟା ଅବଶ୍ୟ କରିଥିଲେ ଏବଂ ତାଙ୍କ ପାଖରେ ଥିବା ସବୁଯାକ ଅର୍ଥ ଇତି ମଧ୍ୟରେ ନିଃଶେଷିତ ହୋଇଗଲାଣି ବୋଲି କାରଣ ଦର୍ଶାଇ ଦରିଆଙ୍କ ପାଖରୁ ବିଦାୟ ନେବାକୁ ଆସିଥିଲେ ସତ, —ମାତ୍ର ଶ୍ରୀମତୀ ମିହାଇଲୋଭ୍‌ନା ତାଙ୍କୁ ସାଙ୍ଗେ ସାଙ୍ଗେ ପାଞ୍ଚଶହ ରବଲ୍ ମଧ୍ୟ ପ୍ରଦାନ କରିଥିଲେ । ରୁଡ଼ିନ୍ ଭୋଲିନ୍ତସେଭ୍‌ଙ୍କ ଠାରୁ ମଧ୍ୟ ଆଉ ଦୁଇଶହ ରବଲ୍ ଉଧାର ଆଣିଲେ । ଏବେ ପିଗାସୋଭ୍ ଶ୍ରୀମତୀ ଦରିଆଙ୍କ ଘରକୁ ଆଗପରି ସେତେ ଆସୁ ନଥିଲେ । ରୁଡ଼ିନଙ୍କର ଉପସ୍ଥିତି ତାଙ୍କୁ ପ୍ରକୃତରେ ପୂରା ଗେନା ଗେନା କରି ପକାଉଥିଲା । ଏବଂ କେବଳ ପିଗାସଭ୍ ଯେ ସେହି ବିଷୟରେ ସଚେତନ ରହିଥିଲେ, ଆଦୌ ସେପରି ନୁହେଁ ।

“ତାଙ୍କ ପରି ଏତେଗୁଡ଼ାଏ ଦମ୍ଭ ରହିଥିବା ବ୍ୟକ୍ତିମାନେ ମୋତେ ମୋଟେ ଆରେଇ ପାରନ୍ତି ନାହିଁ ।” —ପିଗାସୋଭ୍ ବହୁତ ସମୟରେ କହୁ ବି ଥିଲେ । “ସତେ ଅବା କୌଣସି ଗୋଟିଏ ପ୍ରେମ ପୁସ୍ତକର ଜଣେ ନାୟକ ଭଳି ରୁଡ଼ିନ୍ ନିଜକୁ ଦେଖାଇ ହୁଅନ୍ତି ଏବଂ ସମସ୍ତଙ୍କୁ ଚୁପ୍ କରିଦିଅନ୍ତି ।” “ମୁଁ ଶବ୍ଦଟାକୁ ବ୍ୟବହାର କଲାବେଳେ ସିଏ ସତେଅବା ଆପଣାର ପ୍ରଶଂସା କରୁଥିବା ପରି ଫୁଲି କରି ରହି ଥାଆନ୍ତି । ହଁ, ସେଇ ‘ମୁଁ’—ସବୁ କଥାରେ କେବଳ ‘ମୁଁ’ । ଏବଂ ସିଏ ବ୍ୟବହାର କରୁଥିବା ବାକ୍ୟାଂଶଗୁଡ଼ିକ ମଧ୍ୟ ସର୍ବଦା କେଡ଼େ ଇଚ୍ଛାକୃତ ଭାବରେ ଲମ୍ବ ଲମ୍ବ ହୋଇ ତିଆରି କରା ହୋଇଥାନ୍ତି । ଯଦି ସେତେବେଳେ ଜଣେ କିଏ ଛିଙ୍କି ଦେଲା, ତେବେ ସିଏ ଗୋଟାଏ କ’ଣ କାରଣ ବାହାର କରି ସିଏ କାହିଁକି ନକାଶି ଛିଙ୍କିଲା, ସଙ୍ଗେ ସଙ୍ଗେ ତାହାର ବ୍ୟାଖ୍ୟା କରି ବସିବେ । ଯଦି ତୁମକୁ ପ୍ରଶଂସା କରିବେ, ସତେ ଅବା ତୁମକୁ କୌଣସି ଜଣେ ରାଜକୁମାରଙ୍କର ଆସନରେ ନେଇ ବସାଇ ଦେଉଥିବା ପରି ଅଭିନୟ ବି କରିବେ ଏବଂ ଯଦି ନିଜକୁ ଗାଳି ଦେଇ ବାହାରିବେ, ତେବେ ଏକାବେଳେକେ ଧୂଳି ଭିତରେ ନେଇ ଜୁଡ଼ୁବୁଡ଼ୁ କରି ପକାଇବେ ଏବଂ ମନେ ହେଉଥିବ, ସତେ ଯେପରି ସିଏ ଆଉ କେବେହେଲେ ହିଁ ଆଲୋକର ସମ୍ମୁଖୀନ ହେବାକୁ ସାହସ ହିଁ କରିବେ ନାହିଁ । ସେଗୁଡ଼ିକ ପ୍ରକୃତରେ କୌଣସିଟି ହିଁ ଠିକ୍ ନୁହେଁ, ସବୁକିଛି କେବଳ ନିଜକୁ ହିଁ ଆହୁରି ଅଧିକ ସ୍ପୂର୍ତ୍ତି ଆଣି ଦେବାକୁ, ସତେଅବା ଗିଲାସେ ସୁରାପାନ କରି ଏଠାକୁ ଆସିଥିବା ପରି !”

ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କ ପ୍ରତି ପାଣ୍ଡାଲେଭ୍‌ସ୍କିଙ୍କର ଅବଶ୍ୟ କେତେକ ପରିମାଣରେ ଗୋଟିଏ ଭୟଭାବ ରହିଥିଲା ଏବଂ ତେଣୁ ରୁଡ଼ିନ୍ ଯେପରି ତାଙ୍କ ପ୍ରତି ସବୁବେଳେ ପ୍ରସନ୍ନ ହୋଇ ରହିବେ, ସେଥିପାଇଁ ସେ ପ୍ରାୟ ଏକ ସାବଧାନତା ସହିତ ପ୍ରୟାସ କରୁଥିଲେ । ଭୋଲିନ୍ତସେଭ୍‍ଙ୍କ ସହିତ ମଧ୍ୟ ତାଙ୍କର ଗୋଟିଏ ପ୍ରକାରର ସମ୍ବନ୍ଧ ସ୍ଥାପିତ ହୋଇ ରହିଥିବା ପରି ବୋଧ ହେଉଥିଲା । ରୁଡ଼ିନ୍ ତାଙ୍କୁ ଅନେକ ଶୌର୍ଯ୍ୟର ଅଧିକାରୀ ହୋଇଥିବା ଜଣେ ସାମନ୍ତ ବୋଲି ସମ୍ବୋଧନ କରୁଥିଲେ ଓ ତାଙ୍କର ସାମନାରେ ତଥା ଅବର୍ତ୍ତମାନରେ ମଧ୍ୟ ତାଙ୍କର ଗୁଣଗାନ କରୁଥିଲେ । ମାତ୍ର ଭୋଲିନ୍ତସେଭ୍ ଆଦୌ ରୁଡ଼ିନ୍‌ଙ୍କ ଆଡ଼କୁ ଆକୃଷ୍ଟ ହୋଇ ପାରୁ ନଥିଲେ ଏବଂ ତାଙ୍କର ଉପସ୍ଥିତିରେ ରୁଡ଼ିନ୍ ନିଜର ଅତ୍ୟନ୍ତ ଉତ୍ତମ କଥା ଗୁଡ଼ିକୁ ବିଶଦ ଦୀର୍ଘତା ଦେଇ କହୁଥିବା ସମୟରେ ସେ ସତେ ଯେପରି ଅନିଚ୍ଛାକୃତ ଭାବରେ ଧୈର୍ଯ୍ୟହୀନ ଓ ବିରକ୍ତ ହୋଇ ଯାଉଥିବା ପରି ଅନୁଭବ କରୁଥିଲେ-। ଭାବୁଥିଲେ “ରୁଡ଼ିନ୍ କ’ଣ ମୋତେ ନେଇ କିଛି ତାମସା କରିବା ପାଇଁ ଇଚ୍ଛା କରୁଛନ୍ତି କି ? ହଁ କ’ଣ ପାଇଁ ଏପରି ଭାବୁଥିଲେ ଏବଂ ଆପଣାର ହୃଦୟ ମଧ୍ୟରେ ଏକ ଘୃଣାର ସ୍ପନ୍ଦନ ମଧ୍ୟ ଅନୁଭବ କରୁଥିଲେ । ଅବଶ୍ୟ ଆପଣାର ସେହି ଭାବଗୁଡ଼ିକୁ ସିଏ ଚାପି ରଖିବାକୁ ପ୍ରୟାସ କରୁଥିଲେ, ତଥାପି ପାରୁ ନଥିଲେ । ନାତାଲିଆଙ୍କ ସକାଶେ ସେ ରୁଡ଼ିନ୍‌ଙ୍କୁ ଈର୍ଷା କରୁଥିଲେ ଏବଂ ଅପର ପକ୍ଷରେ, ରୁଡ଼ିନ୍ ଭୋଲିନ୍ତସେଭ୍‌ଙ୍କୁ ସର୍ବଦା ଏକ ଆହ୍ଲାଦର ସହିତ ସ୍ଵାଗତ କରି ନେଉଥିଲେ ମଧ୍ୟ ଏବଂ ତାଙ୍କୁ ଜଣେ ଅତି ବୀର ସାମନ୍ତ ବୋଲି ସମ୍ବୋଧନ କରୁଥିଲେ ମଧ୍ୟ ତଥା ତାଙ୍କଠାରୁ ପ୍ରୟୋଜନ ବେଳେ ଉଧାର କରି ପଇସା ଆଣୁଥିଲେ ମଧ୍ୟ ତାଙ୍କୁ ଜଣେ ସମ୍ପୂର୍ଣ୍ଣ ଭାବରେ ଠିକ୍ ବନ୍ଧୁ ରୂପେ ଗ୍ରହଣ କରି ପାରୁନଥିଲେ । ତେଣୁ, ଏହି ଉଭୟ ବ୍ୟକ୍ତି ପରସ୍ପରର ଜଣେ ଜଣେ ଅନ୍ତରଙ୍ଗ ବନ୍ଧୁ ପରି ଜଣେ ଅନ୍ୟର ହାତଗୁଡ଼ିକୁ ଉଷ୍ମତା ପ୍ରଦର୍ଶନ କରି ଚାପି ଧରୁଥିଲେ ଓ ବେଶ୍ ସ୍ନେହପୂର୍ଣ୍ଣ ଭାବରେ ଜଣେ ଅନ୍ୟର ଆଖି ଭିତରକୁ ଚାହିଁ ରହୁଥିଲେ ମଧ୍ୟ ତଥାପି ଏମାନଙ୍କର ପରସ୍ପର ପ୍ରତି ରହିଥିବା ପ୍ରକୃତ ଭାବ ଗୁଡ଼ିକର ଯଥାର୍ଥ ବ୍ୟାଖ୍ୟା କରିବା ଆଦୌ ସହଜ ନଥିଲା ।

ବାସିଷ୍ଟୋଫ୍‍ଙ୍କ ମନରେ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କ ନିମନ୍ତେ ସର୍ବଦା କେବଳ ପ୍ରଶଂସା ହିଁ ରହିଥିଲା ଏବଂ ସେ ଅତ୍ୟନ୍ତ ଯତ୍ନଶୀଳ ଭାବରେ ରୁଡ଼ିନ୍‌ଙ୍କର ମୁଖରୁ ନିଃସୃତ ହେଉଥିବା ପ୍ରତ୍ୟେକ ଶବ୍ଦକୁ ହିଁ ଅନୁକ୍ଷଣ ଗୁଣି ହେବାରେ ଲାଗିଥିଲେ । ଅବଶ୍ୟ ରୁଡ଼ିନ୍ ତାଙ୍କ ଉପରେ ସେତେ ଉଲ୍ଲେଖଯୋଗ୍ୟ କୌଣସି ଧ୍ୟାନ ଦେଉ ନଥିଲେ । ଦିନେ ପୂରା ସକାଳ ସମୟଟା ତାଙ୍କର ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କ ସହିତ ହିଁ କଟିଥିଲା ଏବଂ ସେମାନେ ପରସ୍ପର ସହିତ ଜୀବନର ବହୁ ବହୁ ଗାମ୍ଭୀର୍ଯ୍ୟ ରହିଥିବା ସମସ୍ୟା ଗୁଡ଼ିକର ଆଲୋଚନା କରିଥିଲେ । ସେତେବେଳେ ତାଙ୍କର ନିବିଡ଼ତମ ଆଗ୍ରହଗୁଡ଼ିକ ପ୍ରକୃତରେ କେତେ ନା କେତେ ଗଭୀରରୁ ଖୁବ୍ ଉତ୍‌ଥିତ ହୋଇ ଆସୁଥାଆନ୍ତି । ମାତ୍ର, ତା’ପରେ ସେ ଆଉ ରୁଡ଼ିନ୍‌ଙ୍କର ଆଦୌ ନିକଟବର୍ତ୍ତୀ ହୋଇନଥିଲେ । ହଁ, ସିଏ ମୁଖ୍ୟତଃ ଶୁଦ୍ଧ ଏବଂ ସମର୍ପିତ ମନୁଷ୍ୟମାନଙ୍କର ସନ୍ଧାନ କରୁଛନ୍ତି ବୋଲି ରୁଡ଼ିନ୍ ସେଦିନ ତାଙ୍କୁ କହିଥିଲେ, ତାହା ଯେ ପ୍ରଧାନତଃ ଏକ ଶାବ୍ଦିକ ଅଭିବ୍ୟକ୍ତି ମାତ୍ର ଥିଲା, ସେଥିରେ ଆଦୌ କୌଣସି ସନ୍ଦେହ ହିଁ ନଥିଲା । ଶ୍ରୀମତୀ ମିହାଇଲୋଭ୍‌ନାଙ୍କର ଗୃହକୁ ଏବେ ବହୁବାର ଆସିବାକୁ ଆରମ୍ଭ କରିଥିବା ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍‌ଙ୍କ ସହିତ ରୁଡ଼ିନ୍ କେବେହେଲେ ସେପରି କିଛି ଆଲୋଚନା କରୁନଥିଲେ, ଏପରିକି ତାଙ୍କୁ ସିଏ ଯଥାସମ୍ଭବ ଅଧିକ ଅବସରରେ ଏଡ଼ି ରହିବାକୁ ବରଂ ଇଚ୍ଛା କରୁଥିବା ଭଳି ମନେ ହେଉଥିଲା । ଏବଂ ଶ୍ରୀ ଲେଜ୍‌ଝନିଓଭ୍ ମଧ୍ୟ ତାଙ୍କ ଆଡ଼ୁ ରୁଡ଼ିନ୍‌ଙ୍କ ସହିତ ବେଶ୍ ଭାବଶୂନ୍ୟ ଭାବରେ ହିଁ ବ୍ୟବହାର କରୁଥିଲେ । ସେ ଅବଶ୍ୟ କେବେହେଲେ ରୁଡ଼ିନ୍‌ଙ୍କ ବିଷୟରେ ନିଜର କୌଣସି ଚୂଡ଼ାନ୍ତ ମତ କଦାପି ବ୍ୟକ୍ତ କରୁନଥିଲେ ଏବଂ ସେହି କଥାଟା ହିଁ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‍ନାଙ୍କୁ ବେଶ୍ ଏକ ଅଡ଼ୁଆରେ ପକାଇ ରଖିଥିଲା । ସିଏ ତ ରୁଡ଼ିନ୍‌ଙ୍କୁ ମଝିରେ ରଖି ସତେଅବା ବିଭୋର ହୋଇ ହିଁ ରହିଥିଲେ ସତ, ମାତ୍ର ଲେଜ୍‌ଝନିଓଭ୍‌ଙ୍କ ଠାରେ ମଧ୍ୟ ତାଙ୍କର ଅବଶ୍ୟ ବିଶ୍ଵାସ ମଧ୍ୟ ଥିଲା । ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କର ଗୃହରେ ଥିବା ପ୍ରତ୍ୟେକ ବ୍ୟକ୍ତି ହିଁ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କର କଳ୍ପନା ଗୁଡ଼ିକୁ ବସ୍ତୁତଃ ପ୍ରୀତ କରି ରଖିବା ସକାଶେ ସର୍ବଦା ଉଦ୍ୟମ କରୁଥିଲେ ଏବଂ ତାଙ୍କର ସାମାନ୍ୟତମ ବିଶେଷ ଇଚ୍ଛା ଗୁଡ଼ିକୁ ମଧ୍ୟ ପ୍ରାୟ ତତ୍‌କ୍ଷଣାତ୍ ପାଳନ କରା ଯାଉଥିଲା । ଦିନମାନର ସବୁ ଯୋଜନା ପ୍ରଧାନତଃ ତାଙ୍କର ଇଚ୍ଛା ଅନୁସାରେ ତିଆରି ହେଉଥିଲା । ତାଙ୍କର ସହମତି ଓ ସହଯୋଗ ବ୍ୟତୀତ ଆଦୌ କୌଣସି ଆନନ୍ଦ ଆପ୍ୟାୟନର ଯୋଜନା କରା ଯାଉନଥିଲା ।

ମାତ୍ର, ସ୍ଵୟଂ ରୁଡ଼ିନ୍ ଅବଶ୍ୟ ସେହିଭଳି ହଠାତ୍ ଆୟୋଜିତ ବହିଃଭ୍ରମଣ କିମ୍ବା ବଣଭୋଜିରେ ବାହାରିବାର ସେତେ ପ୍ରିୟ ନଥିଲେ ଏବଂ ବୟସ୍କମାନେ ଯେପରି ମନୋଭାବ ସହିତ ପିଲାମାନଙ୍କର ଖେଳରେ ଆସି ଯୋଗ ଦିଅନ୍ତି, ସିଏ ପ୍ରାୟ ସେହିପରି ଏକ ଭାବରେ ସେ ସବୁଥିରେ ଭାଗ ନେଉଥିଲେ । ଠିକ୍ ସେହିପରି ଗୋଟିଏ ବନ୍ଧୁତାପୂର୍ଣ୍ଣ ସହାୟତାରେ ଅଥଚ କିଞ୍ଚିତ୍‍ କ୍ଳାନ୍ତି ଅନୁଭବ କରି । ଅବଶ୍ୟ, ଆଉ ସବୁକିଛିର ସିଏ ଅବଶ୍ୟ ପୂର୍ଣ୍ଣ ଆଗ୍ରହ ରଖିଥିଲେ; ନିଜର ଭୂସମ୍ପତ୍ତି ସମ୍ପର୍କରେ ତାଙ୍କର ସକଳ ଯୋଜନା ବିଷୟରେ ସେ ଶ୍ରୀମତୀ ଦରିଆଙ୍କ ସହିତ ଆଗ୍ରହର ସହିତ ଆଲୋଚନା କରୁଥିଲେ, —ପୁଣି ତାଙ୍କ ପିଲାମାନଙ୍କର ଶିକ୍ଷା ବିଷୟରେ ତାଙ୍କ ଗୃହର ଯାବତୀୟ ପରିଚାଳନାଗତ ବ୍ୟବସ୍ଥା ଏବଂ ସାଧାରଣତଃ ତାଙ୍କର ସବୁକିଛି ବ୍ୟାପାରକୁ ନେଇ । ଖୁବ୍ ମନୋଯୋଗ ପୂର୍ବକ ଦରିଆଙ୍କର ଯୋଜନାମାନଙ୍କୁ ଶୁଣୁଥିଲେ ଏବଂ ନିତାନ୍ତ ମାମୁଲି ଓ ଟିକିନିଖି ପ୍ରସଙ୍ଗଗୁଡ଼ିକରେ ମଧ୍ୟ ବିରକ୍ତ ହୋଇ ପଡ଼ୁନଥିଲେ । ପୁନଶ୍ଚ, ନିଜଆଡ଼ୁ ମଧ୍ୟ ସେ ତାଙ୍କ ନାନା ସଂସ୍କାରର ପ୍ରସ୍ତାବମାନ ଦେଉଥିଲେ, ସମାଧାନ ବି ଦେଖାଉ ଥିଲେ । ଶ୍ରୀମତୀ ଦରିଆ ମିହାଇଲୋଭ୍‍ନା ସର୍ବଦା ତାଙ୍କର ଶାଦ୍ଧିକ ଯାବତୀୟ ସବୁକିଛି ଉପରେ ସମ୍ପୂର୍ଣ୍ଣ ରାଜି ହୋଇ ଯାଉଥିଲେ ସତ, କିନ୍ତୁ ମୋଟେ ନିଜର ଗାରଗୁଡ଼ିକୁ ଡେଇଁ କିଛି ସ୍ଵୀକାର କରି ନେଉନଥିଲେ । ନିଜ ବ୍ୟବସାୟଗତ ସକଳ ପ୍ରସଙ୍ଗରେ ସେ କେବଳ ଆପଣା ଗୁମାସ୍ତାଙ୍କ ଦ୍ଵାରା ହିଁ ପରିଚାଳିତ ହେଉଥିଲେ, —ଜଣେ ବେଶ୍ ବୟସ୍କ, ଗୋଟିଏ ଆଖି ନଷ୍ଟ ହୋଇ ଯାଇଥିବା ବେଶ୍ ଖର୍ବକାୟ ରୁଷୀୟ ବ୍ୟକ୍ତିଙ୍କର ପରାମର୍ଶ ଅନୁସାରେ । ସ୍ଵାଭାବଟି ବେଶ୍ ଉତ୍ତମ, କିନ୍ତୁ ଅତ୍ୟନ୍ତ ଚତୁରବୁଦ୍ଧି ରହିଥିବା ଦୁଷ୍ଟା ବ୍ୟକ୍ତିଙ୍କ ଦ୍ଵାରା । ଗୁମାସ୍ତା ଜଣକ ପ୍ରାୟ ସର୍ବଦା ହିଁ କହୁଥିଲେ, ଯାହାକିଛି ପୁରୁଣା, କେବଳ ତାହାହିଁ ନିଦା ଓ ଫଳଦାୟକ, ଏବଂ ଯାହାକିଛି ନୂଆ ସେସବୁ ବଡ଼ ପତଳା କହୁଥିଲେ, ଏବଂ ମୁରୁକି ମୁରୁକି ହସୁଥିଲେ, ଆପଣାର ସେହି ଏକମାତ୍ର ଆଖିଟିର ପତାଟାକୁ ଡିଆଇଁ ଡିଆଇଁ ।

ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କୁ ବାଦ୍ ଦେଲେ, ରୁଡ଼ିନ୍ କୁମାରୀ ନାତାଲିଆଙ୍କ ସହିତ ହିଁ ସର୍ବାଧିକ ସମୟ କଥା ହେଉଥିଲେ ଏବଂ ଖୁବ୍ ଦୀର୍ଘ ସମୟ ଯାଏ । ତାଙ୍କୁ ସେ ଆପଣା ଆଡ଼ୁ ବହି ସବୁ ପଢ଼ିବା ସକାଶେ ଦେଉଥିଲେ, ଆପଣାର ଯୋଜନାଗୁଡ଼ିକୁ ତାଙ୍କୁ ସତେ ଅବା ବହୁତ ବିଶ୍ଵାସର ସହିତ କହୁଥିଲେ ଏବଂ ଯେଉଁସବୁ ପ୍ରବନ୍ଧ ତଥା ଅନ୍ୟାନ୍ୟ ରଚନା ଲେଖିବେ ବୋଲି ମଥାରେ ଚିନ୍ତା କରି ରଖିଥିଲେ, ନାତାଲିଆଙ୍କୁ ସେଗୁଡ଼ିକର ପୃଷ୍ଠାମାନ ତାଙ୍କୁ ପଢ଼ିବି ଶୁଣାଉ ଥିଲେ । ଏବଂ ନାତାଲିଆ ସେଗୁଡ଼ିକର ତାତ୍ପର୍ଯ୍ୟକୁ ସବୁ ସମୟରେ ସମ୍ପୂର୍ଣ୍ଣ ଭାବରେ ଅବଶ୍ୟ ବୁଝି ପାରୁନଥିଲେ ।

କିନ୍ତୁ, ନାତାଲିଆ ତାଙ୍କର କଥାଗୁଡ଼ିକୁ ମନ ଦେଇ ଶୁଣୁଥିବା ପର୍ଯ୍ୟନ୍ତ, ସିଏ ସତକୁ ସତ ତାଙ୍କ କଥାଗୁଡ଼ିକୁ ବୁଝୁଛନ୍ତି କି ନାହିଁ, ସେହି କଥାଟିକୁ ନେଇ ରୁଡ଼ିନ୍ ମୋଟେ ସେତେ ବେଶି ଚିନ୍ତା କେବେ କରୁନଥିଲେ । ସେ ନାତାଲିଆଙ୍କ ସହିତ ଏତେ ଘନିଷ୍ଠ ଭାବରେ ନିଜକୁ ସମ୍ପର୍କିତ କରି ରଖିବାର ଚେଷ୍ଟା ଯେ କରୁଛନ୍ତି, ସେହି କଥାଟି ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କୁ ପୂରା ଆଦୌ ଭଲ ଲାଗୁନଥିଲା । ତଥାପି, ଶ୍ରୀମତୀ ଦରିଆ ଭାବୁଥିଲେ, “ଏଠାରେ ଏହି ଗ୍ରାମାଞ୍ଚଳକୁ ଆସିଥିବା ସମୟରେ ଝିଅ ତାଙ୍କ ସହିତ ସବୁ କଥାବାର୍ତ୍ତା ହେଉ, ସେଥିରେ ଆଶଙ୍କା କରିବାର କୌଣସି କାରଣ ନାହିଁ । ରୁଡ଼ିନ୍ ତ ବର୍ତ୍ତମାନ ତାକୁ ସତେ ଅବା ଗୋଟିଏ ସାନ ଝିଅଟିଏ ପରି ଭାବୁଛନ୍ତି । ସେଥିରେ ଆଦୌ ସେପରି କିଛି କ୍ଷତି ହେବ ନାହିଁ ଏବଂ ତା’ ଛଡ଼ା, ଏଇଟି ଦ୍ଵାରା ଝିଅର ବହୁତ ମାନସିକ ଉନ୍ନତି ମଧ୍ୟ ହୋଇପାରିବ । ପିଟର୍ସବର୍ଗକୁ ଫେରିଯିବା ପରେ ମୁଁ ସାଙ୍ଗେ ସାଙ୍ଗେ ଏହାକୁ ନିଶ୍ଚୟ ବନ୍ଦ କରି ଦେଇପାରିବି ।”

ମାତ୍ର, ଶ୍ରୀମତୀ ମିହାଇଲୋଭ୍‌ନା ଏପରି ଭାବି ପ୍ରକୃତରେ ଭୁଲ୍ କରୁଥିଲେ । କୁମାରୀ ନାତାଲିଆ ସ୍କୁଲରେ ପଢ଼ୁଥିବା କୌଣସି ସାନ ଝିଅଟିଏ ପରି ରୁଡ଼ିନ୍‌ଙ୍କ ସହିତ କଥାବାର୍ତ୍ତା ହେଉ ନଥିଲେ ସିଏ ତ ରୁଡ଼ିନ୍‌ଙ୍କ ମୁହଁରୁ ବାହାରୁଥିବା କଥାଗୁଡ଼ିକୁ ଆଗ୍ରହ ସହକାରେ ପିଇ ହିଁ ଯାଉଥିଲେ, ସିଏ ସେଗୁଡ଼ିକର ସମ୍ପୂର୍ଣ୍ଣ ତାତ୍ପର୍ଯ୍ୟକୁ ଯଥାସମ୍ଭବ ଗଭୀରକୁ ଯାଇ ବୁଝିବାକୁ ଚେଷ୍ଟା କରୁଥିଲେ; ଏବଂ ଆପଣାର ଭାବନାଗୁଡ଼ିକୁ ମଧ୍ୟ ରୁଡ଼ିନ୍‌ଙ୍କ ପାଖରେ ବ୍ୟକ୍ତ କରୁଥିଲେ । ନିଜର ସନ୍ଦେହଗୁଡ଼ିକୁ ପ୍ରକାଶ କରୁଥିଲେ । ଏହିପରି ଭାବରେ ରୁଡ଼ିନ୍ ତାଙ୍କର ଜଣେ ପଥ ପ୍ରଦର୍ଶକ ହେବାକୁ ଲାଗିଥିଲେ, —ତାଙ୍କର ଆଗେ ଆଗେ ଚାଲିଥିଲେ । ଏ ପର୍ଯ୍ୟନ୍ତ କେବଳ ମସ୍ତିଷ୍କର ସୀମାଟି ଭିତରେ ହିଁ ଯାହାକିଛି ଗତିଶୀଳତାର ସୃଷ୍ଟି ହେଉଥିଲା । ମାତ୍ର, ଯେଉଁମାନଙ୍କର ବୟସ କମ୍, ବେଶିଦିନ ଯାଏ ସେମାନଙ୍କର କେବଳ ମସ୍ତିଷ୍କଟି ଆଦୌ କ୍ରିୟାଶୀଳ ହୋଇ ରହେ ନାହିଁ । ହଁ, ଯେତେବେଳେ ବେଳେ ବେଳେ ବଗିଚାରେ ବସିଥିବା ସମୟରେ, —ସେହି ଉଜ୍ଜ୍ଵଳ ଚକଚକ ବଡ଼, ଗଛଟିର ଛାଇରେ ରୁଡ଼ିନ୍ ତାଙ୍କୁ ମହାକବି ଗ୍ୟୁଏଟେଙ୍କର ‘ଫାଉଷ୍ଟ’ କାବ୍ୟଟିକୁ ବଡ଼ପାଟିରେ ପଢ଼ି ଶୁଣାଉଥିଲେ ଅଥବା ହାଫ୍‍ମାନଙ୍କର ରଚନାରୁ ବା ବେଟିନାଙ୍କର ପଦ୍ରାବଳୀରୁ କିମ୍ବା ନୋଭାଲିସ୍‌ଙ୍କର ଗୋଟିଏ କୃତିରୁ ଯେତେବେଳେ ପାଠ କରି ଶୁଣାଉଥିଲେ, ସେତେବେଳେ ନାତାଲିଆଙ୍କ ନିମନ୍ତେ ସେହି ମୁହୂର୍ତ୍ତଗୁଡ଼ିକ କେତେ ମଧୁର ଏବଂ ମସୃଣ ହୋଇ ରହୁନଥିଲା । ରୁଡ଼ିନ୍ ଠାଏ ଠାଏ ଅଟକୁ ଥିଲେ ଏବଂ ତାଙ୍କୁ ହୁଏତ ଯାହାସବୁ ଅସ୍ପଷ୍ଟ ବୋଧ ହେଉଥିଲା, ସେଗୁଡ଼ିକୁ ଅଧିକ ସରଳ କରି ବୁଝାଇ ବି ଦେଉଥିଲେ । ପ୍ରାୟ ଯାବତୀୟ ରୁଷ୍ ଦେଶୀୟ ବାଳିକାମାନଙ୍କ ପରି । ନାତାଲିଆ ମଧ୍ୟ ଅତ୍ୟନ୍ତ ଅଶୁଦ୍ଧ ଭାବରେ ଜର୍ମାନ୍ ଭାଷା କହି ପାରୁଥିଲେ, କିନ୍ତୁ ସେହି ଭାଷାକୁ ଖୁବ୍ ଭଲ ଭାବରେ ବୁଝି ପାରୁଥିଲେ । ଏବଂ ରୁଡ଼ିନ୍ ଜର୍ମାନ୍ କାବ୍ୟ କବିତା ମଧ୍ୟରେ ପରିପୂର୍ଣ୍ଣ ଭାବରେ ଅବଗାହନ ହିଁ କରିଥିଲେ । ଜର୍ମାନ ରୋମାଣ୍ଟିକ୍ ଭାବଚେତନା ତଥା ଦର୍ଶନ ସହିତ ପୂର୍ଣ୍ଣ ପରିଚିତ ଥିଲେ ଏବଂ ତେଣୁ ସେ କେଡ଼େ କୁଶଳ ଭାବରେ ସେହି ନିଷିଦ୍ଧ ଭୂମିଗୁଡ଼ିକ ଆଡ଼କୁ ନାତାଲିଆଙ୍କୁ ପଥ ପ୍ରଦର୍ଶନ ପୂର୍ବକ ନିଜ ସହିତ ଅଗ୍ରସର କରାଇ ନେଇ ଯାଇ ପାରୁଥିଲେ । ଯେଉଁ ପୁସ୍ତକଟିକୁ ନିଜର ଜଙ୍ଘଟି ଉପରେ ରଖି ରୁଡ଼ିନ୍ ତାହାକୁ ପଢ଼ି ଶୁଣାଉ ଥିଲେ, ତାହାର ପୃଷ୍ଠା ଗୁଡ଼ିକ ନାତାଲିଆଙ୍କର ଆଗ୍ରହ ଛଳଛଳ ଚକ୍ଷୁଗୁଡ଼ିକ ଉପରେ ବସ୍ତୁତଃ ବହୁ କଳ୍ପନାତୀତ ଏୗଶ୍ଵର୍ଯ୍ୟକୁ ଆଣି ଉଦ୍‌ଘାଟିତ କରି ଦେଉଥିଲା । ନାନା ଈଶ୍ଵରୀୟ ଚିତ୍ର ସମଷ୍ଟିର ସ୍ରୋତଟିଏ ବହିବାକୁ ଆରମ୍ଭ କରୁଥିଲା । କେତେ ନା କେତେ ସମ୍ପୂର୍ଣ୍ଣ ନୂତନ ତଥା ଆଲୋକନକାରୀ ବିଚାର ସତେଅବା ଏକ ଅନିନ୍ଦ୍ୟ ଛନ୍ଦୋମୟତା ସୃଷ୍ଟି କରି ବହି ଯାଉଥିବା ପରି ହିଁ ଲାଗୁଥିଲା । ସେହି ସ୍ରୋତଟି ତାଙ୍କର ଆତ୍ମାର ରାଜ୍ୟରେ ଏକ ଅପୂର୍ବ ସଙ୍ଗୀତାବେଗକୁ ସର୍ଜନା କରି ଆଣୁଥିଲା ଏବଂ ତାଙ୍କର ହୃଦୟରେ ଏକ ଉଦାତ୍ତ ଅନୁଭୂତ୍ତିର ଉଚ୍ଛଳ ଆନନ୍ଦରେ ଗତି କରିବାରେ ଲାଗି ଯାଉଥିଲା ଏବଂ ପରିଶେଷରେ କେଡ଼େ ଧୀର ଭାବରେ ସେଠାରେ ସତେ ଅବା ଏକ ଅନୁକୂଳ ବାତାବେଗ ସୃଷ୍ଟି କରାଇ ଉତ୍ସାହର ଏକ ପବିତ୍ର ସ୍ଫୁଲିଙ୍ଗକୁ ଗୋଟିଏ ଅଗ୍ନିଶିଖାରେ ପରିଣତ ହିଁ କରି ଦେଉଥିଲା ।

ଦିନେ କୁମାରୀ ନାତାଲିଆ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କୁ ପ୍ରଶ୍ନ କଲେ, “ଆପଣ ମୋତେ କହିଲେ ଡିମିଟ୍ରି ନିକୋଲାଇଚ୍, ଆପଣ ଏହି ଶୀତ ସମୟରେ ପିଟର୍ସ୍‌ବର୍ଗ ଆସିବେ ?” ସେତେବେଳେ ସେ ଝରକା ପାଖରେ ଆପଣାର ସିଲେଇ-ସାଜଟି ନିକଟରେ ଆସୀନ ହୋଇ ରହିଥିଲେ ।

“ମୁଁ କିଛି ହେଲେ ଜାଣିନାହିଁ,” —ରୁଡ଼ିନ୍ ଉତ୍ତର ଦେଇଥିଲେ । ସେତେବେଳେ ସେ ଯେଉଁ ପୁସ୍ତକ ପୃଷ୍ଠାମାନ ଲେଉଟାଇବାରେ ଲାଗିଥିଲେ, ସେଇଟିକୁ ନିଜ ଜଙ୍ଘ ଉପରେ ଆଣି ରଖି ଦେଇଥିଲେ । “ପଇସାପତ୍ର ଯୋଗାଡ଼ କରିପାରିଲେ ଯିବି ।”

ରୁଡ଼ିନ୍ କିଞ୍ଚିତ୍‍ ବିଷର୍ଣ୍ଣ ଭାବରେ କଥା କହୁଥିଲେ । ତାଙ୍କୁ ବେଶ୍ କ୍ଳାନ୍ତ ମଧ୍ୟ ଲାଗୁଥିଲା ଏବଂ ପୂରା ଦିନଟାଯାକ ସିଏ ଆଦୌ କିଛି ହେଲେ କରି ନଥିଲେ ।

“ମୁଁ ଭାବୁଛି ଆପଣଙ୍କ ପଇସାପତ୍ର ନିଶ୍ଚୟ ମିଳିଯାଇ ପାରିବ ।”

“ଆପଣ ଭାବୁଛନ୍ତି ?” —ଏବଂ ରୁଡ଼ିନ୍ ନିଜର ମୁଣ୍ଡ ହଲାଇ ଥିଲେ ।

ତା’ପରେ ଖୁବ୍ ଅର୍ଥପୂର୍ଣ୍ଣ ଭାବରେ ଅନ୍ୟ କେତେ ଆଡ଼କୁ ଅନାଇବାରେ ଲାଗିଲେ ।

କୁମାରୀ ନାତାଲିଆ କ’ଣ ଉତ୍ତର ଦେବାକୁ ଯାଉଥିଲେ, ମାତ୍ର ଆପଣାକୁ ରୋକି ନେଇଥିଲେ ।

ଖିଡ଼ିକି ଆଡ଼କୁ ଚାହିଁ ରୁଡ଼ିନ୍ ତା’ପରେ କହିଲେ, “ଶୁଣନ୍ତୁ, ଆପଣ ସେହି ଆପେଲ୍ ଗଛଟିକୁ ଦେଖି ପାରୁଛନ୍ତି ? ଗଛଟି ଆପଣାର ଏତେ ଏତେ ଫଳଗୁଡ଼ିକର ଭାରରେ ପ୍ରାୟ ଭାଙ୍ଗି ବି ଯାଉଛି । ଏକ ପ୍ରତିଭାର ଯଥାର୍ଥ ପ୍ରତୀକ ହୋଇ ରହିଛି ।”

“ତଳେ କିଛି ଚେର ନଥିବାରୁ ଗଛଟି ଭାଙ୍ଗିଯାଇଛି ।” ନାତାଲିଆ ଉତ୍ତର ଦେଇ କହିଥିଲେ ।

“ଆପଣଙ୍କୁ ମୁଁ ଖୁବ୍ ବୁଝୁଛି, କୁମାରୀ ନାତାଲିଆ ଆଲେକ୍ସିୟେଭନା; ମାତ୍ର ସେଭଳି ଏକ ସବଳ ଅବଲମ୍ବନ ପାଇବା ଆଦୌ ଏତେ ସହଜ ନୁହେଁ ।”

“ହଁ, ଏହି କ୍ଷେତ୍ରରେ ଅନ୍ୟମାନଙ୍କର ସହାନୁଭୂତିର ମଧ୍ୟ ପ୍ରଶ୍ନଟିଏ ରହିଛି.......କିନ୍ତୁ ଯେତେ ଯାହା ହେଉ ପଛକେ, ତଥାପି ସର୍ବଦା ଏକ ଅଲଗା ହୋଇ ରହିଥିବାର ଭାବ ନିଶ୍ଚୟ ରହିବ ।”

ନାତାଲିଆ ପ୍ରକୃତରେ ବେଶ୍ ଅଡ଼ୁଆରେ ହିଁ ପଡ଼ି ଯାଇଥିଲେ ଏବଂ କିଞ୍ଚିତ୍‍ ଅପ୍ରସ୍ତୁତ ମଧ୍ୟ ଅନୁଭବ କଲେ ।

“ତେବେ ଆପଣ ଶୀତ ସମୟରେ ଏହି ଗ୍ରାମ୍ୟ ଅଞ୍ଚଳରେ ରହି କ’ଣ କରିବେ ?” —ସତେଅବା ବେଶ୍ ତରତର ହୋଇ ନାତାଲିଆ ପଚାରିଥିଲେ ।

“କ’ଣ କରିବି ? ମୋ’ ବୃହତ୍ତର ପ୍ରବନ୍ଧଟିର ଲେଖାକୁ ଶେଷ କରିବି । ଆପଣ ତ ଜାଣିଛନ୍ତି ସେହି ପ୍ରବନ୍ଧଟିର ନାମ ହେଉଛି “ଜୀବନ ତଥା କଳାରେ ବିୟୋଗାନ୍ତକତାର ଉପାଦାନ-।” ସେଇଟିର ମୋଟାମୋଟି କ୍ରମଟି ବିଷୟରେ ମୁଁ ପରଦିନ ଆପଣଙ୍କୁ ବୁଝାଇ କହୁଥିଲି-। ଲେଖାଟି ସରିଯିବା ପରେ ଆପଣଙ୍କ ପାଖକୁ ନିଶ୍ଚୟ ପଠାଇ ଦେବି ।”

“ଆପଣ ସେଇଟିକୁ ଛପାଇବେ ?”

“ନାଇଁ ।”

“ଛପାଇବେ ନାହିଁ । ତେବେ ଆଉ କାହା ସକାଶେ ଲେଖୁଛନ୍ତି ?”

“ଏବଂ ଯଦି ଆପଣଙ୍କ ପାଇଁ ଲେଖୁଥାଏ ।”

ନାତାଲିଆ ନିଜର ଆଖିଗୁଡ଼ିକୁ ନତ କରି ଆଣିଥିଲେ ।

“ତାହା ମୋ’ ସକାଶେ କେଡ଼େ ଅବୋଧ୍ୟ ହୋଇ ରହିବ ।”

ତହୁଁ ଶ୍ରୀଯୁକ୍ତ ବାସିସ୍ଟୋଫ୍ ବିନୟ ସହିତ ପଚାରିଥିଲେ, “ସେହି ପ୍ରବନ୍ଧର ବିଷୟ ବସ୍ତୁଟି କ’ଣ ବୋଲି ମୁଁ ପଚାରି ପାରିବି କି ?” ସିଏ ମଧ୍ୟ ଅଳ୍ପ କିଛି ଦୂରରେ ବସିଥାଆନ୍ତି ।

ଶ୍ରୀଯୁକ୍ତ ରୁଡ଼ିନ୍ ପୁନରାବୃତ୍ତି କରି କହିଥିଲେ, “ଏହି ଜୀବନ ତଥା କଳାରେ ବିୟୋଗାନ୍ତକତା ପ୍ରବନ୍ଧଟିକୁ ଶ୍ରୀ ବାସିସ୍ଟୋଫ୍ ମଧ୍ୟ ନିଶ୍ଚୟ ପଢ଼ିବେ । ମାତ୍ର ମୁଁ ଏବେ ମଧ୍ୟ ଲେଖାଟିର ମୂଳ ଉଦ୍ଦେଶ୍ୟଟି ବିଷୟରେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିତ ହୋଇ ପାରିନାହିଁ । ପ୍ରେମରେ ଯେଉଁ ଦୁଃଖାନ୍ତକ ତାତ୍ପର୍ଯ୍ୟ ତଥା ବ୍ୟଞ୍ଜନାଟି ରହିଥାଏ, ମୁଁ ନିଜେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ ଏକ ସ୍ଥିର ଅବୟବ ପ୍ରଦାନ କରିନାହିଁ ।”

ପ୍ରେମ ବିଷୟରେ କହିବା ପାଇଁ ଶ୍ରୀ ରୁଡ଼ିନ୍‌ଙ୍କୁ ସବୁବେଳେ ଭଲ ଲାଗୁଥିଲା ଏବଂ ସିଏ ବହୁତ ବହୁତ ସମୟରେ ତାହା କରୁଥିଲେ ଏବଂ ସେହି ମୂଳରୁ ହିଁ ‘ପ୍ରେମ’ ଶବ୍ଦଟିକୁ ନେଇ କୁମାରୀ ବନକୋଟ୍ ଆପଣାର କଥାଟିକୁ ଆରମ୍ଭ କରିଦେଲେ ଏବଂ କୌଣସି ଯୁଦ୍ଧକ୍ଷେତ୍ରରେ ତୁରୀଟା ବାଜି ଉଠିବା ସଙ୍ଗେ ସଙ୍ଗେ ଗୋଟିଏ ବୁଢ଼ା ହୋଇ ଆସୁଥିବା ଘୋଡ଼ାର ଯେଉଁ ପ୍ରତିକ୍ରିୟାଟିଏ ଜାତ ହୋଇଥାଏ, ପ୍ରାୟ ସେହିଭଳି ହିଁ ଆପଣାର ଆଖି ଦୁଇଟାକୁ ସେ ଉପରକୁ କରିଦେଇ ଚମକି ଉଠିଥିଲେ । ଅବଶ୍ୟ, କାଳକ୍ରମେ ଏସବୁ କଥାରେ ବେଶ୍ ଅଭ୍ୟସ୍ତ ହୋଇ ସାରିଥିବା ପରି ସେ ବର୍ତ୍ତମାନ କେବଳ ନିଜ ଓଠ ଦ୍ଵୟକୁ କୁଞ୍ଚିତ କରି ଆଣିଲେ ଏବଂ ମଝିରେ ମଝିରେ ଆପଣା ନାସଦାନୀରୁ ନାସ ନେବା ବି ଆରମ୍ଭ କରି ଦେଇଥିଲେ ।

“ମୁଁ ଭାବୁଛି, ଯେତେବେଳେ ପ୍ରେମର କୌଣସି ପ୍ରତ୍ୟୁତ୍ତର ମିଳିପାରେ ନାହିଁ, ସେତିକିବେଳେ ହିଁ ପ୍ରେମଦୁଃଖର କାରଣ ହେବାକୁ ଆରମ୍ଭ କରେ,” —ନାତାଲିଆ ବେଶ୍ ସଙ୍କୋଚର ସହିତ ଆପଣାର ଭାବନାକୁ ବ୍ୟକ୍ତ କରିଥିଲେ ।

ରୁଡ଼ିନ୍ ଉତ୍ତର ଦେଲେ, “ନାହିଁ, ସେପରି କେବେ ହୁଏ ନାହିଁ । ବରଂ ସେଇଟିକୁ ପ୍ରେମର ଗୋଟିଏ ହାସ୍ୟଜନକ ଦିଗ ବୋଲି କୁହାଯିବ ।” ....ତେଣୁ, ପ୍ରଶ୍ନଟିକୁ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ପ୍ରକାରେ ହିଁ ପଚାରିବାକୁ ପଡ଼ିବ । .....ଅଧିକ ଗଭୀର ଭାବରେ ସେଇଟିର ସମ୍ମୁଖୀନ ହେବାକୁ ହେବ । ...“ପ୍ରେମ, —ପ୍ରେମରେ ସବୁକିଛି ରହସ୍ୟଦ୍ଵାରା ହିଁ ଆବୃତ ହୋଇ ରହିଥାଏ । ତାହା କିପରି ଆସେ, କିପରି ଗତି କରେ, ପୁଣି ଆଖର କିପରି ଚାଲି ବି ଯାଏ । ବେଳେ ବେଳେ ହଠାତ୍ ଆସେ—ମଳିଧୂଳି କିଛି ନଥାଏ, ଦିନର ଆଲୋକ ପରି ଆନନ୍ଦଟିଏ ହିଁ ବହି ଆଣିଥାଏ; ଆଉ ବେଳେବେଳେ ଗଦାଏ ପାଉଁଶ ତଳେ କୁହୁଳିବାରେ ଲାଗିଥାଏ ଏବଂ ଯେତେବେଳେ ପ୍ରକୃତରେ ସରି ଯାଇଥାଏ, ସେତିକିବେଳେ ହିଁ ହୃଦୟ ଭିତରେ ନିଆଁର ଏକ ଶିଖା ଭଳି ଜଳି ଉଠିବାକୁ ଲାଗେ-। ପୁନଶ୍ଚ, ଆଉ କେତେବେଳେ ପ୍ରେମ ସତେଅବା ଗୋଟାଏ ସାପଭଳି ବଙ୍କା ବଙ୍କା ହୋଇ ହୃଦୟରେ ପ୍ରବେଶ କରିଥାଏ ଏବଂ ପୁନର୍ବାର ସେଠାରୁ ପ୍ରାୟ ସେହି ସାପ ପରି ଖସ୍ ଖସ୍ ହୋଇ ଚାଲିଯାଏ । ହଁ, ହଁ, ସେଇଟି ହିଁ ସବୁଠାରୁ ବୃହତ୍ ସମସ୍ୟା । ମାତ୍ର, ଆମର ଏହି ଚଳନ୍ତି କାଳଟାରେ କିଏ ସତକୁ ସତ ଭଲ ପାଉଛି ? ଭଲ ପାଇବାର ସାହସ ମଧ୍ୟ କେତେ ଲୋକଙ୍କର ଅଛି-?”

ଏସବୁ କହୁ କହୁ ରୁଡ଼ିନ୍ ବେଶ୍ ଭାବନାମଗ୍ନ ହୋଇ ଯାଇଥିଲେ ।

ଏବଂ କିଛି ସମୟ ପରେ ହଠାତ୍ ପ୍ରଶ୍ନ କଲେ, “ଏ ପର୍ଯ୍ୟନ୍ତ ଶ୍ରୀ ସେଗେ ପାଭ୍‍ଲିଚ୍ ଏଠାକୁ ଆସିଲେ ନାହିଁ କାହିଁକି ?”

ନାତାଲିଆ ସେ କଥା ଶୁଣି ଟିକିଏ ଶରମି ଯାଇଥିଲେ ଏବଂ ନିଜ ସିଲାଇସାଜଟି ଉପରେ ମୁଣ୍ଡଟାକୁ କିଞ୍ଚିତ୍‍ ଅଧିକ କରି ମାଡ଼ି ଦେଇଥିଲେ ।

ଏବଂ କ୍ଷୀଣ ସ୍ଵରରେ କହିଲେ, “ମୁଁ ଆଦୌ ଜାଣେ ନାହିଁ ।”

ଏହାପରେ ରୁଡ଼ିନ୍‌ ସମସ୍ତଙ୍କୁ ଶୁଣାଇ କେଡ଼େ ହର୍ଷ ପ୍ରକାଶ କରି କହିଥିଲେ, “ସିଏ ଜଣେ ବସ୍ତୁତଃ କେଡ଼େ ଚମତ୍କାର ଓ ଉଦାରମନା ବ୍ୟକ୍ତି ।” ତା’ପରେ ଆସନରୁ ଉଠି ଛିଡ଼ା ହେଲେ ଏବଂ ପୁନର୍ବାର ମନ୍ତବ୍ୟଟିଏ ଦେଲେ, “ରୁଷିଆର ଭଦ୍ର ସମାଜରେ ଏକ ସର୍ବୋତ୍ତମ ପ୍ରକାରର ବ୍ୟକ୍ତି ।”

 

ଆପଣାର ଫରାସୀ ସାନ ଆଖି ଗୁଡ଼ିକର କୋଣରୁ କୁମାରୀ ବନକୋର୍ଟ୍‍ ରୁଡ଼ିନ୍‌ଙ୍କ ଆଡ଼କୁ କିଞ୍ଚିତ୍ ବକ୍ର ଭାବରେ ଦୃଷ୍ଟିପାତ କରିଥିଲେ ।

 

ରୁଡ଼ିନ୍ ସେହି ପ୍ରକୋଷ୍ଠଟି ମଧ୍ୟରେ ଏଠିକୁ ସେଠିକୁ ପଦଚାଳନା କରୁଥିଲେ ।

 

ଏବଂ ପାଦର ଦୁଇ ଗୋଇଠିକୁ ସହସା ବୁଲାଇ ଆଣି ପୁନର୍ବାର ଆରମ୍ଭ କରିଥିଲେ, “କହିଲେ, ଆପଣମାନେ କେବେ ଲକ୍ଷ୍ୟ କରି ଦେଖିଛନ୍ତି ଯେ, ଓକ୍ ଗଛରେ—ଏବଂ ଓକ୍ କଅଁଳ ହେଉଛି ଗୋଟିଏ ବେଶ୍ ଟାଣୁଆ ଗଛ—ନୂଆ ପତରଗୁଡ଼ିକ କଅଁଳି ଆସିବାକୁ ଆରମ୍ଭ କଲେ ପୁରୁଣାମାନେ ଗଛରୁ ତଳକୁ ଖସିପଡ଼ନ୍ତି ।”

 

“ହଁ, ମୁଁ ଦେଖିଛି” —ନାତାଲିଆ ଧୀର ସ୍ଵରରେ ଉତ୍ତର ଦେଇଥିଲେ ।”

 

“ଏବଂ ଯେକୌଣସି ବଳଯୁକ୍ତ ହୃଦୟର କ୍ଷେତ୍ରରେ ମଧ୍ୟ ଠିକ୍ ସେହିଭଳି ଘଟେ । ସେଇଟି ମରି ସାରିଥାଏ, ତଥାପି ଆପଣାର ସ୍ଥାନଟିକୁ ଛାଡ଼ି ପାରୁନଥାଏ; କେବଳ ଏକ ନୂତନ ପ୍ରେମ ହିଁ ତାହାକୁ ଆସି ନିକାଲି ଦେଇପାରେ ।”

 

ନାତାଲିଆ କୌଣସି ଉତ୍ତର ଦେଉ ନଥାନ୍ତି ।

 

“ଏପରି କହିବାର ଅର୍ଥ ?” ସେ ମନେ ମନେ ଭାବୁଥିଲେ ।

 

ଶ୍ରୀଯୁକ୍ତ ରୁଡ଼ିନ୍ ନିଶ୍ଚଳ ଭାବରେ ଠିଆ ହୋଇ ରହିଥାନ୍ତି । ତା’ପରେ ସେ ନିଜ ମୁଣ୍ଡର ବାଳକୁ ପଛ ଆଡ଼କୁ ସାଉଁଳାଇ ଦେଲେ ଏବଂ ସେଠାରୁ ନିଷ୍କ୍ରାନ୍ତ ହେଲେ ।

 

ନାତାଲିଆ ଆପଣାର କୋଠରୀକୁ ଫେରି ଯାଇଥିଲେ । ଆପଣାର ବିଛଣାଟି ଉପରେ ବେଶ୍ କିଛି କାଳ ବସି ରହିଲେ । ନିଜ ଭିତରେ ସତେଅବା କ’ଣ ସବୁ ଖିଅ ଆଦୌ ପାଇ ପାରୁନାହାନ୍ତି । ରୁଡ଼ିନ୍‌ଙ୍କର ସର୍ବଶେଷ କେତେକ କଥା ତାଙ୍କ ଭିତରଟିକୁ କେତେ କ’ଣ ଚିନ୍ତା କରିବା ପାଇଁ ଆସି ଉସ୍‍କାଇ ଦେବାରେ ଲାଗିଥାଏ । ହଠାତ୍, କ’ଣ ହେଲା କେଜାଣି, ସିଏ ନିଜର ଦୁଇ ହାତକୁ ଗୋଟିକୁ ଅନ୍ୟଟି ମଧ୍ୟରେ ଯାପି ଧରିଲେ ଓ ଅତ୍ୟନ୍ତ ଆକୁଳ ଭାବରେ ରୋଦନ କରିବାକୁ ଲାଗିଲେ । କିଏ ତାଙ୍କୁ କିପରି କହିପାରିବ ସେ ପ୍ରକୃତରେ କ’ଣ ପାଇଁ କାନ୍ଦୁଥିଲେ ! ହଁ, କିଏ ସତକୁ ସତ କହିପାରିବ ! ତାଙ୍କ ଆଖି ଗୁଡ଼ିକରୁ ଲୋତକ ବିନ୍ଦୁମାନ ଅତି ବେଗରେ ବାହାରି ଆସୁଥାଏ । ସେଗୁଡ଼ିକୁ ସିଏ ତୁହାକୁ ତୁହା ପୋଛି ପକାଉ ଥାଆନ୍ତି । ତଥାପି ଲୋତକ ବର୍ଷଣ ମୋଟେ ବନ୍ଦ ହେଲା ନାହିଁ, —ସେଗୁଡ଼ିକ ସତେଅବା ଦୀର୍ଘକାଳରୁ ଅର୍ଗଳ ପଡ଼ି ରହିଥିବା କୌଣସି ଲୋତକ ଭଣ୍ଡାରରୁ ହିଁ ଏପରି ନିର୍ଗତ ହୋଇ ଆସୁଥାଆନ୍ତି ।

 

ସେଦିନ ପରେ କୌଣସି ସମୟରେ ଆଲେକ୍‌ଜାଣ୍ଡ୍ରା ପାଭଲୋଭନା ଲେଜ୍‌ଝନିଓଭ୍‌ଙ୍କ ସହିତ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କ ସମ୍ବନ୍ଧରେ କଥା ହୋଇଥିଲେ । ପ୍ରଥମେ ପ୍ରଥମେ ତ ସେ ତାଙ୍କର ସବୁଯାକ କଟୁ ଭର୍ତ୍ସନାକୁ ନୀରବ ରହି ହିଁ ସହି ନେଲେ କିନ୍ତୁ ତଥାପି ତାଙ୍କର କଟୂକ୍ତିମାନ ତାଙ୍କୁ କଥା କହିବା ନିମନ୍ତେ ବେଶ୍ ପ୍ରେରିତ କରି ଆଣିଲା ।

 

ପାଭଲୋଭ୍‌ନା ତାଙ୍କୁ କହିଥିଲେ, “ତୁମେ ସେହି ଆଗ ପରି ବର୍ତ୍ତମାନ ମଧ୍ୟ ଶ୍ରୀଯୁକ୍ତ ନିକୋଲାଇଡ୍‍ଙ୍କ ପ୍ରତି ବହୁତ ଅଶ୍ରଦ୍ଧା ରଖିଛ । ଏବଂ ସେ ବିଷୟରେ ମୁଁ ଜାଣିଶୁଣି କୌଣସି କଥାବାର୍ତ୍ତା କରିବା ବିଷୟରେ ନିଜକୁ ନିବୃତ୍ତ କରି ରଖିଥିଲି । ମାତ୍ର, ରୁଡ଼ିନ୍‌ଙ୍କ ଭିତରେ ଇତି ମଧ୍ୟରେ କୌଣସି ପରିବର୍ତ୍ତନ ହୋଇଛି କି ନାହିଁ, ସେହି ବିଷୟରେ ଅଧିକ ନିର୍ଭୁଲ ଭାବରେ ଏକ ମତ ପୋଷଣ କରିବା ଲାଗି ତୁମକୁ ଅବଶ୍ୟ ଯଥେଷ୍ଟ ସମୟ ମିଳି ପାରିଛି ଏବଂ ତେଣୁ, ତାଙ୍କ ପ୍ରତି ତୁମେ ତଥାପି କାହିଁକି ଏକ ଅଶ୍ରଦ୍ଧାଭାବ ରଖିଛ, ତୁମଠାରୁ ମୁଁ ଜାଣିବାକୁ ଚାହୁଁଛି ।”

 

ସବୁଦିନର ଅଭ୍ୟାସଟି ଅନୁସାରେ ଗଳାରେ କେଉଁଠି କଫ ଅଟକି ରହିଥିବା ପରି ହାବଭାବ ଦେଖାଇ ଲେଜ୍‍ଝନିଓଭ୍‍ ଉତ୍ତର ଦେଲେ, “ହଁ, ହଁ, ଆପଣଙ୍କର ଯଦି ଏପରି ଏକ ଧୈର୍ଯ୍ୟଚ୍ୟୁତି ମଧ୍ୟ ଘଟିବାକୁ ବସିଲାଣି, ତେବେ ମୁଁ ସବା ଆଗ ଆପଣଙ୍କୁ ଆଦୌ ରାଗି ନଯିବା ପାଇଁ ହିଁ ଅନୁରୋଧ କରିବି ।”

 

“ହଁ, ହେଲା, ବର୍ତ୍ତମାନ କହନ୍ତୁ !”

 

“ହଁ, ମୋତେ ଆପଣ ଶେଷଯାଏ ବି କହିବାକୁ ଅବଶ୍ୟ ଦେବେ !”

 

“ନିଶ୍ଚୟ, —ମୁଁ ନିଶ୍ଚୟ ଆପଣଙ୍କୁ ଶେଷଯାଏ କହିବାକୁ ଦେବି । ତେବେ ଆରମ୍ଭ କରନ୍ତୁ ।”

 

ଏକ ଆଳସ୍ୟପୂର୍ଣ୍ଣ ମୁଦ୍ରାରେ ସୋଫାଟି ଉପରକୁ ଆଉଜି ପଡ଼ି ଲେଜ୍‌ଝନିଓଭ୍ ଆରମ୍ଭ କଲେ, “ହଁ, ମୁଁ ପ୍ରଥମରୁ ହିଁ ଅବଶ୍ୟ ସ୍ଵୀକାର କରିବି ଯେ ରୁଡ଼ିନ୍ ମୋତେ ମୋଟେ ଭଲ ଲାଗନ୍ତି ନାହିଁ । ସିଏ ଜଣେ ଅତ୍ୟନ୍ତ ଚତୁର ବ୍ୟକ୍ତି—ଖୁବ୍ ଚତୁର ।”

 

“ହଁ, ମୁଁ ବୁଝି ପାରୁଛି ।”

 

“ଅତ୍ୟନ୍ତ ଚତୁର—ପୂରା ଉଲ୍ଲେଖଯୋଗ୍ୟ ଭାବରେ ଚତୁର । ମାତ୍ର ଗଭୀରତା ବୋଲି ପ୍ରକୃତରେ ଆଦୌ କିଛି ହେଲେ ନାହିଁ ।”

 

“ସେପରି କହିବା ବଡ଼ ସହଜ ।”

 

ଲେଜ୍‌ଝନିଓଭ୍‍ ପୁନରାବୃତ୍ତି କରି କହିଲେ, “ପ୍ରକୃତରେ ଅଗଭୀର ହେଲେ ମଧ୍ୟ ସେଥିରେ କୌଣସି ବାଧା ନାହିଁ । ଆମେ ତ ସମସ୍ତେ ଠିକ୍ ସେହିପରି ହିଁ ଗଭୀର । ରୁଡ଼ିନ୍ ଆପଣାର ହୃଦୟ ଭିତରେ ଏପରି ଜଣେ ନିତାନ୍ତ ଉତ୍ପୀଡ଼କ, ଆଳସ୍ୟ ପରାୟଣ ଏବଂ ଅଳ୍ପଜ୍ଞ ଜଣେ ବ୍ୟକ୍ତି ବୋଲି ମୁଁ ତାଙ୍କ ସହିତ କୌଣସି କଳହ ମଧ୍ୟ କରିବି ନାହିଁ ।”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଆପଣାର ଗୋଟିଏ ହାତକୁ ଆରଟି ମଧ୍ୟରେ ଚାପି ଧରିଥିଲେ ।

 

“ରୁଡ଼ିନ୍—ଜଣେ ‘ଅଳ୍ପଜ୍ଞ’ ବ୍ୟକ୍ତି !” ସେ ପ୍ରାୟ ଗର୍ଜନ କରି ଉଠିଥିଲେ ।

 

“ହଁ, ଅଳ୍ପଜ୍ଞ !” —ପୂର୍ବପରି ସେହି ସମାନ ଗଳାରେ ଲେଜ୍‌ଝନିଓଭ୍‌ ପୁନରାବୃତ୍ତି କରି କହିଲେ “ଅନ୍ୟମାନଙ୍କ କାନ୍ଧ ଉପରେ ବସି ନିଜର ଜୀବନଟିକୁ ବଞ୍ଚିବା ପାଇଁ ଖୁବ୍ ଭଲ ପାଆନ୍ତି, ନିଜକୁ ଜଣେ ଉତ୍ତମ ବ୍ୟକ୍ତି ବୋଲି ଦେଖାଇ ହୁଅନ୍ତି ଏବଂ ସେହିପରି ଆହୁରି ବହୁତ କଥା । ସେପରି ସବୁକିଛି ହେବା ଅତ୍ୟନ୍ତ ସ୍ଵାଭାବିକ । କିନ୍ତୁ, ତାଙ୍କ ବିଷୟରେ ଅସଲ କଥାଟି ହେଉଛି ଯେ, ତାଙ୍କ ଭିତରଟା ଭାରି ଶୀତଳ । ଆଦୌ କୌଣସି ଉଷ୍ମତା ନଥାଏ, ହଁ, ପ୍ରକୃତରେ ବରଫ ପରି ଶୀତଳ ।”

 

“ସିଏ ଶୀତଳ—ଅଗ୍ନିରେ ପୂର୍ଣ୍ଣ ସେହି ଆତ୍ମାଟି ଭିତରେ ପୁଣି କୌଣସି ଉଷ୍ମତା ବି ନାହିଁ-।” ଶ୍ରୀମତୀ ଆଲେକଜାଣ୍ଡ୍ରା ବାଧା ଦେଲେ ।

 

“ହଁ, ବରଫ ପରି ଶୀତଳ ଏବଂ ସେହି କଥାଟିକୁ ସିଏ ବେଶ୍ ଭଲ ଭାବରେ ଜାଣନ୍ତି । ଏବଂ ଅଗ୍ନି ଦ୍ଵାରା ପରିପୂର୍ଣ୍ଣ ବୋଲି ଛଳନା କରନ୍ତି ।” ଶ୍ରୀ ଲେଜ୍‌ଝନିଓଭ ଆହୁରି କହିଥିଲେ—“ସିଏ ସମ୍ଭବତଃ ନିଜେ ମଧ୍ୟ ଧୀରେ ଧୀରେ ଉଷ୍ମ ହୋଇ ଆସୁଥିଲେ, ଏବଂ ଭାରି ଖରାପ କଥାଟା ହେଉଛି, ସିଏ ବସ୍ତୁତଃ ସର୍ବଦା ଗୋଟାଏ ଅତ୍ୟନ୍ତ ବିପଜ୍ଜନକ ଖେଳ ହିଁ ଖେଳିବାରେ ଲାଗି ଥାଆନ୍ତି, ତାଙ୍କ ପାଇଁ ମୋଟେ ବିପଜ୍ଜନକ ନୁହେଁ, —ସେହି ବିଷୟରେ ସେ ସର୍ବଦା ହିଁ ଖୁବ୍ ସାବଧାନ ରହିଥାନ୍ତି ଏବଂ ଏତେ ଟିକିଏ ହେଲେ ନିଜର ଗୋଡ଼କୁ ଖସାଇ ଦିଅନ୍ତି ନାହିଁ—ମାତ୍ର ଅନ୍ୟମାନଙ୍କୁ ଖୁବ୍ ଧୋକାରେ ପକାଇ ଦିଅନ୍ତି ।”

 

“ମୁଁ ଆପଣଙ୍କର ଏହି କଥାଗୁଡ଼ିକୁ ଆଦୌ ବୁଝି ପାରୁନାହିଁ । ଆପଣ କାହା ବିଷୟରେ କ’ଣ ସବୁ ପ୍ରକୃତରେ କହୁଛନ୍ତି ?” —ଶ୍ରୀମତୀ ପାଭଲୋଭ୍‌ନା କହିଥିଲେ ।

 

“ଖରାପ କଥାଟି ହେଉଛି ଯେ, ତାଙ୍କ ଭିତରେ ସାଧୁତା ବୋଲି ଆଦୌ କିଛି ନାହିଁ । ଏକ ନିଶ୍ଚିତ କଥା ଯେ, ସିଏ ଖୁବ୍ ଚତୁର, ନିଜେ କହୁଥିବା କଥାଗୁଡ଼ିକର ମୂଲ୍ୟକୁ ତାଙ୍କର ଅବଶ୍ୟ ବୁଝିଥିବା ଉଚିତ୍ ଏବଂ ସେହି କଥାଗୁଡ଼ିକୁ ସେ ଏପରି ଭାବରେ କହନ୍ତି, ଯେପରିକି ସେଗୁଡ଼ିକୁ ସେ ଯଥାର୍ଥ ଗୁରୁତ୍ଵ ସର୍ବଦା ହିଁ ଦେଉଛନ୍ତି । ହଁ, ସିଏ ଜଣେ ଅତି ଉତ୍ତମ ବକ୍ତା ବୋଲି ମୁଁ କେବେହେଲେ ଅସ୍ଵୀକାର କରେ ନାହିଁ, —ମାତ୍ର, ଆମ ଦେଶ ରୁଷିଆରେ ଆମେ ଯେଉଁ ମର୍ମରେ କଥାଟିକୁ ବୁଝୁ, ସେଭଳି ଆଦୌ ନୁହେଁ ଏବଂ ବସ୍ତୁତଃ, ସର୍ବୋପରି, ଗୋଟିଏ ସାନ ପିଲା ସିନା ଏକ ଉତ୍ତମ ବକ୍ତିମାର ପ୍ରମାଣ ଦେଲେ ସମସ୍ତେ ତାହାକୁ ମାର୍ଜନା ନିଶ୍ଚୟ କରିବେ, କିନ୍ତୁ ଶ୍ରୀ ରୁଡ଼ିନ୍‌ଙ୍କର ବୟସରେ ନିଜର କହୁଥିବା କଥାଗୁଡ଼ିକୁ ଶ୍ରବଣ କରି ଏପରି ଆନନ୍ଦ ଅନୁଭବ କରିବା ଏବଂ ତଦ୍ଦ୍ଵାରା ବେଶ୍ ଦେଖାଇ ହେବାରେ ଲାଗିଥିବା, ତାହା ପ୍ରକୃତରେ ଅତ୍ୟନ୍ତ ନିନ୍ଦନୀୟ ।”

 

“ଶ୍ରୀ ମିହାଇଲୋ ମିହାଇଲିଚ୍, ରୁଡ଼ିନ୍ ପ୍ରକୃତରେ ଏପରି ଦେଖାଇ ହୁଅନ୍ତି କି ନାହିଁ, ତାଙ୍କର ଶ୍ରୋତାମାନଙ୍କ ପାଇଁ ତାହାର କୌଣସି ଫରକ ନଥାଏ ।”

 

“ଶ୍ରୀମତୀ ପାଭଲୋଭ୍‌ନା ମୋତେ ଆପଣ କ୍ଷମା କରିବେ । ଫରକ୍ ଅବଶ୍ୟ ଥାଏ । ଜଣେ ବ୍ୟକ୍ତି ମୋତେ କ’ଣ କଥାଟିଏ କହିଲେ ଏବଂ ତାହାକୁ ଶୁଣି ମୁଁ ସମ୍ପୂର୍ଣ୍ଣ ମୁଗ୍ଧ ହୋଇଗଲି ଏବଂ ଆଉଜଣେ ବ୍ୟକ୍ତି ମଧ୍ୟ ସେହି କଥାଟିକୁ କହିଲେ, —କିମ୍ବା ଆହୁରି ଅଧିକ ଚମତ୍କାର ଗୋଟିଏ କଥା ବି ହୁଏତ କହିଲେ । ଏବଂ ମୋତେ ଆଦୌ ଫରକ ଲାଗିଲା ନାହିଁ । ସେପରି କ’ଣ ପାଇଁ ହୁଏ ?”

 

“କାରଣ, ତୁମେ ହୁଏତ କୌଣସି ଫରକ ରହିଥିବାର ଦେଖି ପାରନାହିଁ ।” ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ଉତ୍ତର ଦେଇଥିଲେ ।

 

ଲେଜ୍‌ଝନିଓଭ୍ ଗୋଟିଏ ସିଧା ଜବାବ ଦେଇ ସଙ୍ଗେ ସଙ୍ଗେ କହିଲେ, “କିନ୍ତୁ ମୁଁ ଏପରି କେବେ ହେଲେ କରେ ନାହିଁ । ସମ୍ଭବତଃ ମୋ’ କାନଗୁଡ଼ିକ କିଞ୍ଚିତ୍‍, ଯଥେଷ୍ଟ ଲମ୍ବା ହୋଇଥିବ । ହଁ ମୂଳ କଥାଟି ହେଉଛି, ରୁଡ଼ିନ୍ କହୁଥିବା କାଥାମାନ କେବଳ କେତୋଟି ଶବ୍ଦ ହୋଇ ରହି ଥାଆନ୍ତି । କେବେ ମଧ୍ୟ କାର୍ଯ୍ୟରେ ପରିଣତ ହୁଅନ୍ତି ନାହିଁ —ଏବଂ ବସ୍ତୁତଃ ଶବ୍ଦଗୁଡ଼ିକ ମଧ୍ୟ କୌଣସି ଜଣେ ଅପାଳକ ମନୁଷ୍ୟର ହୃଦୟ ଭିତରେ ଅନର୍ଥଟିଏ ବେଶ୍ ସୃଷ୍ଟି କରିପାରନ୍ତି, ଏପରିକି ତାହାକୁ ଛିନ୍ନ ଭିନ୍ନ ବି କରି ଦେଇପାରନ୍ତି ।”

 

“କିନ୍ତୁ ଆପଣ କାହାଙ୍କ କଥା କହୁଛନ୍ତି, ଶ୍ରୀ ମିହାଇଲିଚ୍ ?”

 

ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍ କୌଣସି ଉତ୍ତର ଦେଇ ନଥିଲେ ଏବଂ ତା’ପରେ,

 

“ଆପଣ ମୁଁ କାହା କଥା କହୁଛି ବୋଲି ଜାଣିବାକୁ ଚାହୁଛନ୍ତି ? ମୁଁ ନାତାଲିଆ ଆଲେକ୍‌ସିୟେଭ୍‌ନାଙ୍କ କଥା କହୁଛି ।”

 

ଏହି ଉତ୍ତରଟିକୁ ଶୁଣି ଆଲେକ୍‌ଜାଣ୍ଡ୍ରା ପାଭଲୋଭନା ବେଶ୍ ବ୍ୟସ୍ତ ହୋଇ ପଡ଼ିଥିଲେ । ଅବଶ୍ୟ କେବଳ କ୍ଷଣକ ନିମନ୍ତେ ଏବଂ ତା’ପରେ ମୁହୂର୍ତ୍ତକ ପରେ ମୁରୁକି ହସିବାକୁ ଆରମ୍ଭ କଲେ-

 

“ସତରେ ? ଆପଣ ସର୍ବଦା କ’ଣ ସବୁ ବିଚିତ୍ର କଥା ହିଁ ଭାବନ୍ତି ! ନାତାଲିଆର ବୟସ ବର୍ତ୍ତମାନ ଗୋଟିଏ ପିଲାର ବୟସ ଏବଂ ତା’ଛଡ଼ା, ଯଦି ଆପଣଙ୍କ କଥାର ଆଦୌ କୌଣସି ସତ୍ୟ ଥାଏ, ତେବେ ଆପଣ କ’ଣ ଭାବୁଛନ୍ତି ଯେ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା” —

 

“ସର୍ବପ୍ରଥମ କଥା ହେଉଛି ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଜଣେ ଅହଙ୍କାରୀ ମନୁଷ୍ୟ ଏବଂ ଜୀବନରେ କେବଳ ନିଜର କଥା ହିଁ ଭାବନ୍ତି । ପୁନଶ୍ଚ ନିଜର ପିଲାମାନଙ୍କୁ ଶିକ୍ଷାଦୀକ୍ଷା ଦେବାରେ ସେ ଆପଣାର କୌଶଳ ଓ ପ୍ରଣାଳୀଟି ଉପରେ ଏପରି ଦୃଢ଼ ବିଶ୍ଵାସ ମଧ୍ୟ ସ୍ଥାପନ କରିଥାନ୍ତି ଯେ, ସେମାନଙ୍କ ବିଷୟରେ ଆଦୌ କୌଣସି ଆଶଙ୍କା ଅନୁଭବ କରିବାକୁ ସେ ଭାବି ମଧ୍ୟ ପାରନ୍ତି ନାହିଁ । ତୁଚ୍ଛା ଏକ ଆଦୌ କୌଣସି ଅର୍ଥ ନଥିବାର ଏକ ବ୍ୟାପାର । ଏପରି ପ୍ରକୃତରେ କିଭଳି ସମ୍ଭବ ମଧ୍ୟ ହୁଏ ଯେ, ସିଏ କେବଳ ସମ୍ମତି ସୂଚକ ହଁ ଟାଏ କହି ମୁଣ୍ଡ ହଲାଇ ଦିଅନ୍ତି, —ହୁଏତ ଥରେ ମାତ୍ର ସତେ ଅବା ଗୋଟିଏ ରାଜକୀୟ ମୁଦ୍ରାରେ ଚାହିଁ ଦିଅନ୍ତି—ଏବଂ ତୁଚ୍ଛା ସେତିକିରେ ହିଁ ସବୁକିଛିର ସମାଧାନ ହୋଇଯାଏ । ଏବଂ ତା’ପରେ କଥାଟିକୁ କେବଳ ମାନି ନେବାକୁ ହିଁ ପଡେ । ସେହି ପ୍ରତାପୀ ମହିଳା ଜଣକ ସର୍ବଦା ସେହିଭଳି କଳ୍ପନା କରିଥାଆନ୍ତି, ନିଜକୁ ଜଣେ ସାମ୍ରାଜ୍ଞୀ ପରି ଭାବନ୍ତି, —ସତେ ଯେପରି ଘୋର ପାଣ୍ଡିତ୍ୟର ଅଧିକାରିଣୀ ହୋଇ ପାରିଛନ୍ତି ତଥା ଆହୁରି କେତେ କ’ଣ । କିନ୍ତୁ ବସ୍ତୁତଃ ସିଏ କେବଳ ଜଣେ ଅଳ୍ପବୁଦ୍ଧିସମ୍ପନ୍ନ । ନିତାନ୍ତ ସାଂସାରିକ ବୟସ୍କା ମହିଳା ବ୍ୟତୀତ ମୋଟେ ଆଉ କିଛି ହିଁ ନୁହନ୍ତି । ମାତ୍ର, ନାତାଲିଆ ଆଦୌ ପିଲା ନୁହନ୍ତି, —ମୋ’ କଥାକୁ ଆପଣ ଅବଶ୍ୟ ବିଶ୍ଵାସ କରନ୍ତୁ, —ସିଏ ଅନେକ ଅଧିକ ଚିନ୍ତା କରନ୍ତି, ଅଧିକ ଗଭୀର ଭାବରେ ବି ଚିନ୍ତା କରି ପାରନ୍ତି । ମୋ’ ଅପେକ୍ଷା ଏବଂ ଆପଣଙ୍କ ଅପେକ୍ଷା ଏବଂ ତାଙ୍କର ଭାଗ୍ୟଟି, ତାଙ୍କର କେଡ଼େ ନିଷ୍ଠାଯୁକ୍ତ, ଭାବପୂର୍ଣ୍ଣ ଓ ଉତ୍ସାହ ଦ୍ଵାରା ଭରପୂର ସ୍ଵଭାବଟି ଏପରି ଗୋଟିଏ ଅଭିନେତା ହାତରେ ଯାଇ ପଡ଼ିଯିବ, —ଏପରି ଗୁଡ଼ାଏ ଦେଖାଇ ହେଉଥିବା ଗୋଟିଏ କାମୁକର ହାବୁଡ଼ରେ ! ମାତ୍ର, ହୁଏତ ତାହାହିଁ ତାଙ୍କ ପାଇଁ ଲେଖା ହୋଇ ରହିଛି ।”

 

“ଜଣେ ପ୍ରଦର୍ଶନକାରୀ କାମୁକ ବ୍ୟକ୍ତି ! ରୁଡ଼ିନ୍ ସେହିପରି ଜଣେ ମନୁଷ୍ୟ ବୋଲି ଆପଣ ପ୍ରକୃତରେ ଭାବନ୍ତି ।”

 

‘‘ସିଏ ପ୍ରକୃତରେ ହିଁ ତାହା ଏବଂ ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା, ଆପଣ ନିଜେ ମୋତେ କୁହନ୍ତୁ, ଦରିଆ ମିହାଇଲୋଭ୍‌ନାଙ୍କ ଘରେ ବର୍ତ୍ତମାନ ସେ କେଉଁ ଭୂମିକାରେ ରହିଛନ୍ତି ? ଗୋଟିଏ ଦେବ ପ୍ରତିମା ହୋଇ ରହିବେ ଏବଂ ପରିବାରର ସେହି ପୃଥିବୀଟିରେ କେବଳ ଦେବବାଣୀ ହିଁ କରୁଥିବେ । ଗୃହର ସକଳ ବ୍ୟବସ୍ଥାରେ ହସ୍ତକ୍ଷେପ କରିବେ, ସେହି ଘରଟିର ଯାବତୀୟ କଥୋପକଥନ ତଥା ଟିକିନିଖି ସବୁ କିଛିରେ । ପ୍ରକୃତ ସମ୍ମାନ ଥିବା ଜଣେ ବ୍ୟକ୍ତି ସେହି ସ୍ଥିତିରେ କଦାପି ରହିବ କି ?”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ବିସ୍ମୟଭରା ଦୃଷ୍ଟିରେ ଶ୍ରୀ ଲେଜ୍‌ଝନିଓଭ୍‌ଙ୍କ ଆଡ଼କୁ ଅନାଇ ରହିଲେ । ତା’ପରେ କହିଲେ, “ଶ୍ରୀଯୁକ୍ତ ମିହାଇଲୋ ମିହାଇଲିଚ୍ ମୁଁ ଆପଣଙ୍କୁ ଆଦୌ ସେତେ ଜାଣି ନାହିଁ । ଆପଣ ତ କେତେ ଉତ୍ତେଜିତ ହୋଇ ଏହି କଥାଗୁଡ଼ିକୁ କହି ଯାଉଛନ୍ତି । ମୁଁ ଭାବୁଛି, ଏଇଟି ପଛରେ ନିଶ୍ଚୟ ଆଉକିଛି ମଧ୍ୟ ଲୁକ୍କାୟିତ ହୋଇ ରହିଛି ।”

 

“ହଁ, ହଁ, ବେଶ୍ ବୁଝି ପାରୁଛି । ନିଜର ପ୍ରକୃତ ବିଶ୍ଵାସଟିଏ ଅନୁସାରେ କୌଣସି ମହିଳାଙ୍କୁ ଯଦି କୌଣସି ସତକଥା ଯାଇ କହିବ, ତେବେ, ତୁମେ ଯେ କାହିଁକି ଖାସ୍ ଏହି ଭାବରେ ହିଁ ତାଙ୍କୁ ସେହି କଥାଟିକୁ ଯାଇ କହିଲ, ତା’ ପଛରେ ଗୋଟିଏ ବାହାରିଆ ନିତାନ୍ତ କ୍ଷୁଦ୍ର କାରଣଟିଏ ଉଦ୍‌ଭାବନ କରି ନକହିଥିବା ପର୍ଯ୍ୟନ୍ତ ସେ ଆଦୌ ଥିର ହୋଇ ରହି ପାରୁନଥିବେ ।”

 

ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ବେଶ୍ ରୁଷ୍ଟା ହୋଇ ଉଠୁଥିଲେ ।

 

“ଚମତ୍କାର, ଅତି ଚମତ୍କାର, ଶ୍ରୀ ଲେଜ୍‌ଝନିଓଭ୍ ମହାଶୟ ! ବର୍ତ୍ତମାନ ଆପଣ ଠିକ୍ ପିଗାସୋଭ୍‌ଙ୍କ ପରି ନାରୀମାନଙ୍କ ବିରୋଧରେ ଅତ୍ୟନ୍ତ ତିକ୍ତ ହୋଇ ଉଠୁଛନ୍ତି; କିନ୍ତୁ, ଆପଣ ଯାହା କହିବାର କୁହନ୍ତୁ ପଛକେ, ଆପଣଙ୍କର ପ୍ରକୃତ ଭିତରଟିକୁ ଅନୁମାନ କରି, ଆପଣ ସବୁ ବୁଝିଛନ୍ତି ଓ ସମସ୍ତଙ୍କୁ ଜାଣିଛନ୍ତି ବୋଲି ମୁଁ ମୋଟେ ସହଜରେ ବିଶ୍ଵାସ କରି ପାରୁ ନାହିଁ । ମୁଁ ଭାବୁଛି, ଆପଣ ଭୁଲରେ ହିଁ ପଡ଼ି ଯାଇଛନ୍ତି । ଆପଣଙ୍କର ଧାରଣା ଅନୁସାରେ ରୁଡ଼ିନ୍ ହେଉଛନ୍ତି ଜଣେ ନିତାନ୍ତ ଖଳ ସ୍ଵଭାବର ମଣିଷ ।”

 

ନାହିଁ, ପ୍ରକୃତ କଥାଟି ହେଉଛି, ସିଏ ସେତିକି ଖଳ ଆଦୌ ନୁହନ୍ତି । ଆପଣଙ୍କ ମନରେ ଯେଉଁ ଦୁଷ୍ଟ ବ୍ୟକ୍ତିଟିର ଆପଣ କଳ୍ପନା କରୁଛନ୍ତି, ନିଜ ମତଲବଟା ବିଷୟରେ ତ ସିଏ ଅନ୍ତତଃ ଭଲ କରି ଅବଗତ ମଧ୍ୟ ଥିଲେ । ମାତ୍ର, ଏହି ରୁଡ଼ିନ୍ ନାମକ ବ୍ୟକ୍ତିଟି, ନିଜର ସବୁ ଚତୁରତା ସତ୍ତ୍ୱେ …..”

 

“ହଁ, ହଁ, ଆପଣ କ’ଣ କହୁଛନ୍ତି, ସମ୍ପୂର୍ଣ୍ଣ କରି କହନ୍ତୁ । ଆପଣ ପ୍ରକୃତରେ ଜଣେ ଭାରି ଭୟଙ୍କର ବ୍ୟକ୍ତି, ବଡ଼ ଅନ୍ୟାୟ କରି ପାରନ୍ତି ।”

 

ଲେଜ୍‌ଝନିଓଭ୍‌ ଉଠି ଛିଡ଼ା ହେଲେ ।

 

କହିଲେ, ତେବେ ଶୁଣନ୍ତୁ ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ! ବରଂ ଆପଣ ଆପେ ଅନ୍ୟାୟ କରୁଛନ୍ତି । ମୁଁ ମୋଟେ ଅନ୍ୟାୟ କରୁନାହିଁ । ମୁଁ ଏଡ଼େ କର୍କଶ ଭାବରେ ରୁଡ଼ିନ୍‌ଙ୍କ ବିଷୟରେ ଏହି କଥାଗୁଡ଼ିକୁ କହିଲି ବୋଲି ଆପଣ ମୋ ଉପରେ ରୁଷ୍ଟ ହୋଇ ପଡ଼ିଲେ । ରୁଡ଼ିନ୍‌ଙ୍କ ସମ୍ପର୍କରେ କର୍କଶ କଥାମାନ କହିବାକୁ ମୋର ପୂର୍ଣ୍ଣ ଅଧିକାର ରହିଛି । ସେହି ଅଧିକାର ଓ ବିଶେଷ ସୁଯୋଗଟି ସକାଶେ ମୋତେ ଖୁବ୍ କ୍ଷତି ସହ୍ୟ କରିବାକୁ ପଡ଼ିଛି । ମୁଁ ରୁଡ଼ିନ୍‌ଙ୍କୁ ଉତ୍ତମ ଭାବରେ ଜାଣେ । ତାଙ୍କ ସହିତ ମୁଁ ଏକାଠି ହୋଇ ବେଶ୍ ଦୀର୍ଘକାଳ ଥିଲି । ଆପଣଙ୍କର ନିଶ୍ଚୟ ସ୍ମରଣ ହେବ ଯେ ଏକଦା ଆମର ମସ୍ନୋନଗରୀରେ ସେହି ଏକତ୍ର ରହିବା ବିଷୟରେ କେବେ ଆପଣଙ୍କୁ କହିବି ବୋଲି ପ୍ରତିଶ୍ରୁତି ଦେଇଥିଲି । ସମ୍ପୂର୍ଣ୍ଣ ସତ୍ୟ କଥା ଯେ, ବର୍ତ୍ତମାନ ମୋତେ ସେହି ପ୍ରତିଶ୍ରୁତିଟିକୁ ପାଳନ କରିବାକୁ ହିଁ ହେବ । ମାତ୍ର ମୋର କଥାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଶୁଣିବା ଲାଗି ଆପଣଙ୍କର ଧୈର୍ଯ୍ୟ ହେବ ତ ?

 

“କହନ୍ତୁ, କହନ୍ତୁ ।”

 

“ହଉ ତେବେ ।”

 

ଶ୍ରୀ ଲେଜ୍‌ଝନିଓଭ୍ ଗୃହଟି ମଧ୍ୟରେ ପଦଚାଳନା କରିବାକୁ ଲାଗିଲେ; ସେ ସତେଯେପରି ବେଶ୍ ମାପି ଚୁପି ଆପଣାର ପହୁଣ୍ଡ ଗୁଡ଼ିକୁ ପକାଇବାରେ ଲାଗିଥାନ୍ତି । ବେଳେବେଳେ ଥମ୍ବି ବି ଯାଉଥାନ୍ତି ଏବଂ ସର୍ବଦା ନିଜ ମୁଣ୍ଡଟିକୁ ତଳକୁ କରି ରଖିଥାନ୍ତି ।

 

ସିଏ କହିବାକୁ ଆରମ୍ଭ କଲେ, “ସମ୍ଭବତଃ ଆପଣ ଜାଣିଛନ୍ତି, ଅଥବା ଜାଣିବି ନାହାନ୍ତି ଯେ, ମୁଁ ନିତାନ୍ତ ପିଲାବେଳେ ହିଁ ଆପଣାର ପିତାମାତାଙ୍କୁ ହରାଇ ଥିଲି ଓ ମୋତେ ସତର ବର୍ଷ ହେବା ବେଳକୁ ମୋର ମୁରବୀ ବୋଲି ପ୍ରକୃତରେ କେହି ନଥିଲେ । ମୁଁ ମସ୍କୋ ସହରରେ ନିଜର ପିଉସୀଙ୍କ ପାଖରେ ରହୁଥିଲି ଏବଂ ଆପଣାର ଖୁସି ଅନୁସାରେ ସବୁ କରି ପାରୁଥିଲି । ବାଳକ ଅବସ୍ଥାରେ ମୋର ପ୍ରାୟ ବୁଦ୍ଧିବୃତ୍ତି କିଛି ହିଁ ନଥିଲା ଓ ନିଜ ବିଷୟରେ ଗୁଡ଼ିଏ ଦମ୍ଭପୂର୍ଣ୍ଣ ଧାରଣା ମଧ୍ୟ ଖୁବ୍ ରହିଥିଲା । ଭାରି ଦେଖାଇ ହେଉଥିଲି, ଫୁଲେଇ ହୋଇ କେତେ କ’ଣ କହିବି ଯାଉଥିଲି-। ଏବଂ ବିଶ୍ୱବିଦ୍ୟାଳୟକୁ ଆସିବାପରେ ମୋର ଯାବତୀୟ ଆଚରଣ ଗୋଟିଏ ସ୍କୁଲ ପିଲାର ଆଚରଣ ପରି ହିଁ ବୋଧ ହେଉଥିଲା ଏବଂ ମୁଁ ଏକଦା ଏକ ଦୁର୍ଗତି ମଧ୍ୟରେ ଆସି ପଡ଼ି ଯାଇଥିଲି-। କେଉଁଭଳି ଦୁର୍ଗତି, ସେହି ବିଷୟରେ ମୁଁ ଆପଣଙ୍କୁ କହିବାକୁ ଇଚ୍ଛା କରୁନାହିଁ । ସେଇଟିର ଆଦୌ କୌଣସି ଗୁରୁତ୍ଵ ମଧ୍ୟ ନାହିଁ । ମାତ୍ର ସେଇଟି ସମ୍ପର୍କରେ ଗୋଟିଏ ମିଛ କଥା କହି ଦେଇଥିଲି-। ପ୍ରକୃତରେ ଗୋଟିଏ ଅତ୍ୟନ୍ତ ଲଜ୍ଜାଜନକ ମିଛ କଥା । ମାତ୍ର ବ୍ୟାପାରଟା ଧରା ପଡ଼ିଗଲା ଏବଂ ମୋ ପାଇଁ ତାହା ଏକ ଅତ୍ୟନ୍ତ ଲଜ୍ଜାକର ଏକ ଘଟଣାରେ ପରିଣତ ହୋଇଥିଲା । ମୋ’ର ସତେଅବା ସବୁ ଅକଲ କୁଆଡ଼େ ଚାଲି ଯାଇଥିଲା ଏବଂ ମୁଁ ଗୋଟିଏ ପିଲା ପରି ଭେଁ ଭେଁ କରି କାନ୍ଦିବାକୁ ଲାଗିଲି । ଏହି ସବୁକିଛି ମୋର ଜଣେ ସାଙ୍ଗଙ୍କର ପ୍ରବୋଷ୍ଠ ଆଗରେ ହିଁ ଘଟିଥିଲା ଓ ସେଠାରେ ମୋର ବହୁ ସଂଖ୍ୟକ ସହପାଠୀ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ସମସ୍ତେ ମୋତେ ଛି ଛି କରୁଥିଲେ । ହଁ କେବଳ ଜଣକୁ; ଏବଂ ଆପଣମାନେ ଅବଶ୍ୟ ମନେ ରଖନ୍ତୁ ଯେ ମୁଁ ମୋର ଭୁଲ କାମଟାକୁ ସ୍ଵୀକାର କାହିଁକି କରୁ ନାହିଁ ବୋଲି ସିଏ ମୋତେ ପ୍ରକୃତରେ ଅଧିକ ଭର୍ତ୍ସନା କରି ବହୁ କଥା କହିଥିଲା । ମୁଁ ଭାବୁଛି ସେଇ ମୋ’ପ୍ରତି ସହାନୁଭୂତି ପ୍ରକାଶ କରିଥିଲା । ହଁ, ମୋ ହାତକୁ ଧରି ମୋତେ ସେଠାରୁ ନେଇ ଯାଇଥିଲା, ମୋତେ ସେ ନିଜର କୋଠରୀକୁ ନେଇ ଯାଇଥିଲା-।”

 

“ସିଏ କ’ଣ ଶ୍ରୀଯୁକ୍ତ ରୁଡ଼ିନ୍ ?” —ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‍ନା ପଚାରି ଥିଲେ । “ନାଇଁ, ରୁଡ଼ିନ୍ ନୁହନ୍ତି । ତାଙ୍କ ନାଆଁ ପୋକୋର୍ସ୍କି । ମାତ୍ର ଅଳପ କେତେଟା ଶବ୍ଦରେ ତାଙ୍କର ପରିଚୟ ଦେଇ ପାରିବା ମୋ ପାଇଁ ମୋଟେ ସମ୍ଭବ ନୁହେଁ । ମାତ୍ର, ତାଙ୍କ ବିଷୟରେ କିଛି କହିବାକୁ ଆରମ୍ଭ କରିବା ମାତ୍ରକେ ହିଁ, ଆଉ ଅନ୍ୟ କାହାରି କଥା କହିବାକୁ ମଧ୍ୟ ଇଚ୍ଛା ହେବ ନାହିଁ-। ହୃଦୟଟି ଅତ୍ୟନ୍ତ ଉଦାର ଓ ନିର୍ମଳ । ଏପରି ଏକ ବୁଦ୍ଧି ମତ୍ତାର ଅଧିକାରୀ ଯାହା ମୁଁ ତା’ପରେ ଆଉ କାହାରିଠାରେ ମଧ୍ୟ ଦେଖିବାକୁ ପାଇନାହିଁ । ପୋକୋର୍ସ୍କି ଗୋଟିଏ ଅତ୍ୟନ୍ତ ସାନ ଓ ନୁଆଁଣିଆ ଘରେ ରହୁଥିଲେ—ଗୋଟିଏ କାଠ ତିଆରି ପୁରୁଣା ଘରର କୋଣ ଘରଟିରେ । ଭାରି ଦରିଦ୍ର ଅବସ୍ଥା ଓ ଘରୋଇ ଟ୍ୟୁସନ କରି ଆପଣାର ଖର୍ଚ୍ଚ ଗୁଡ଼ିକୁ ତୁଲାଉ ଥିଲେ । ସାଙ୍ଗମାନଙ୍କୁ କପେ ଚା ଦେଇ ଆପ୍ୟାୟନ କରିବା ଲାଗି ମଧ୍ୟ ତାଙ୍କର ସାମର୍ଥ୍ୟ ହେଉ ନଥିଲା ଏବଂ ତାଙ୍କ କଠୋରୀଟିରେ ପଡ଼ିଥିବା ଗୋଟିଏ ମାତ୍ର ସୋଫା ଏପରି ପ୍ରକାରେ ଟଳଟଳ ହେଉଥିଲା ଯେ, ତା’ ଉପରେ ଯାଇ ବସିଯିବା ମାତ୍ରକେ ହିଁ ସତେଅବା କୌଣସି ଜାହାଜ ଉପରେ ଯାଇ ବସିଥିବା ପରି ଅନୁଭବ ହେଉଥିଲା । ତଥାପି, ଏହି ଯାବତୀୟ ଆରାମର କୌଣସି ସୁଯୋଗ ମିଳୁ ନଥିଲେ ମଧ୍ୟ ତାଙ୍କୁ ଭେଟିବା ସକାଶେ ସେଠାକୁ ବହୁ ବ୍ୟକ୍ତି ଆସୁଥିଲେ । ତାଙ୍କୁ ସମସ୍ତେ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ, ସିଏ ମଧ୍ୟ ସମସ୍ତଙ୍କର ହୃଦୟକୁ ଆକର୍ଷିତ କରି ନେଇ ପାରୁଥିଲେ । ତାଙ୍କର ସେହି ନିତାନ୍ତ ସାନ ପ୍ରାୟ କିଛି ଆରାମ ନଥିବା କୋଠରୀଟିରେ ବସିବାକୁ ଯେ କେତେ ଭଲ ଓ ସୁଖକର ବୋଧ ହେଉଥିଲା, ଆପଣ ପ୍ରକୃତରେ ବିଶ୍ଵାସ ହିଁ କରି ପାରିବେ ନାହିଁ । ତାଙ୍କରି ସେହି ରହିବା ଘରଟିରେ ହିଁ ମୁଁ ଏକଦା ଶ୍ରୀ ରୁଡ଼ିନ୍‌ଙ୍କୁ ଭେଟିଥିଲି । ସେତେବେଳକୁ ସିଏ ତାଙ୍କର ରାଜପୁରୁଷଙ୍କ ଠାରୁ ଅଲଗା ହୋଇ ସାରିଥିଲେ ।”

 

“ଏହା ପୋକୋର୍ସ୍କିଙ୍କ ଠାରେ ଏପରି ବିରଳ ଓ ଅସାଧାରଣ ପ୍ରକୃତରେ କ’ଣ ରହିଥିଲା-?” ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପଚାରିଲେ ।

 

“ମୁଁ ପ୍ରକୃତରେ କଣ କହି ଉତ୍ତର ଦେଇ ପାରିବି ? ହଁ, କବିତା ଏବଂ ସତ୍ୟ ଆମେ ସମସ୍ତେ ଏହି ଦୁଇଟି କାରଣରୁ ତାଙ୍କ ପାଖକୁ ଆକର୍ଷିତ ହେଉଥିଲୁ । ସର୍ବପ୍ରଥମେ ତାଙ୍କର ସ୍ଵଚ୍ଛ ତଥା ପ୍ରଶସ୍ତ ବୁଦ୍ଧିମତ୍ତା ନିମନ୍ତେ ସମସ୍ତଙ୍କୁ ସିଏ ସବୁବେଳେ ଏକାବେଳେକେ ପିଲାଟିଏ ପରି କେତେ ପ୍ରିୟ ଏବଂ ନିଷ୍କପଟ ଲାଗୁଥିଲେ । ଏତେଦିନ ପରେ ମଧ୍ୟ ମୁଁ ତାଙ୍କର ଉଜ୍ଜ୍ଵଳ ଏବଂ ଖିଲିଖିଲି ହସକୁ ଅତ୍ୟନ୍ତ ଉତ୍ତମରୂପେ ଶୁଣି ପାରୁଛି । ଏବଂ ତା’ ସହିତ ମଧ୍ୟ,”

 

ସିଏ ଅତ୍ୟନ୍ତ ନିଷ୍ଠାର ସହିତ

 

ପବିତ୍ର ଓ ସତଟି ପାଖରେ

 

ନିଜର ପ୍ରଦୀପଟିକୁ ଜଳାଇ ରଖିଥିଲେ ।

 

—ଆମର ଜଣେ ଅର୍ଦ୍ଧପାଗଳ ପ୍ରିୟ କବି ଯେପରି ଗୋଟିଏ କବିତା ଦ୍ଵାରା ବ୍ୟକ୍ତ କରିଛନ୍ତି ।

 

“ଏବଂ ତାଙ୍କ କଥାଗୁଡ଼ିକ କିଭଳି ଥିଲା ?” —ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପୁଣ ପଚାରିଥିଲେ ।

 

“ମନ ଲାଗି ଯାଇଥିଲେ କେଡ଼େ ଉତ୍ତମ ଭାବରେ କଥାମାନ କହୁଥିଲେ, —ତଥାପି ସେପରି ଖାସ୍ ଓ ବିଶେଷ ପରି ଆଦୌ ମନେ ହେଉନଥିଲା । ରୁଡ଼ିନ୍ ସେତେବେଳେ ମଧ୍ୟ ହୁଏତ କୋଡ଼ିଏ ଗୁଣ ଅଧିକ ବାଗ୍ମିତାର ପରିଚୟ ଦେଉଥିଲେ ।”

 

ଶ୍ରୀଯୁକ୍ତ ଲେଜ୍‌ଝୁନିଓଭ୍ ସ୍ଥିର ହୋଇ ଛିଡ଼ା ହୋଇଗଲେ ଓ ନିଜ ବାହୁ ଦ୍ଵୟକୁ ଏକତ୍ର କରି ଆଣିଥିଲେ ।

 

“ପୋକୋର୍ସ୍କି ଓ ରୁଡ଼ିନ୍ ଭିତରେ ପରସ୍ପର ଠାରୁ ଖୁବ୍ ଅଲଗା ଅଲଗା ପ୍ରକାରର ଥିଲେ-। ରୁଡ଼ିନ୍‌ଙ୍କ ଠାରେ ଦୀପ୍ତି ରହିଥିଲା, ବହୁତ ପ୍ରତିଭା ଥିଲା । ସିଏ ଅତ୍ୟନ୍ତ ଅବାରିତ ଭାବରେ ନିଜର ବକ୍ତବ୍ୟଟିକୁ ବ୍ୟକ୍ତ କରି ପାରୁଥିଲେ ଏବଂ ସମ୍ଭବତଃ ଅଧିକ ଉତ୍ସାହର ବି ପରିଚୟ ଦେଉଥିଲେ । ମାତ୍ର ତଥାପି, ପୋନୋର୍ସ୍କିଙ୍କ ତୁଳନାରେ ପ୍ରତିଭାବାନ୍ ମନେ ହେଉଥିଲେ ମଧ୍ୟ ତାଙ୍କ ତୁଳନାରେ ଅତ୍ୟନ୍ତ ଅଳପ ଏବଂ ଅକିଞ୍ଚନବତ୍ ଥିଲେ । ଯେକୌଣସି ବିଷୟ ତଥା ଧାରଣାକୁ ବନାଇ ସୁନ୍ଦର କରି କହିବାରେ ରୁଡ଼ିନ୍ ଖୁବ୍ ପ୍ରବୀଣ ଥିଲେ, ନିଜର ଯୁକ୍ତି ଗୁଡ଼ିକୁ ଉପସ୍ଥାପିତ କରିବାରେ ଖୁବ୍ ପ୍ରଖର ଥିଲେ । କିନ୍ତୁ ତାଙ୍କର ବିଚାରମାନେ ତାଙ୍କ ନିଜ ମଥାଭିତରୁ ମୋଟେ ସମ୍ଭବ ହୋଇ ଆସୁ ନଥିଲା, ସିଏ ସେଗୁଡ଼ିକୁ ସର୍ବଦା ଅନ୍ୟ କାହାଠାରୁ ମାଗି ହିଁ ଆଣୁଥିଲେ । ବିଶେଷ କରି ଶ୍ରୀଯୁକ୍ତ ପୋକୋର୍ସ୍କିଙ୍କ ଠାରୁ ହିଁ ମାଗି ଆଣୁଥିଲେ । ପୋକୋର୍ସ୍କି ଅତ୍ୟନ୍ତ ସ୍ଥିର, ଖୁବ୍ କୋମଳ ସ୍ଵଭାବର । ଏପରିକି ଦେଖିବାକୁ ବି ବେଶ୍ ଦୁର୍ବଳ ଦିଶୁଥିଲେ । ଏବଂ ପ୍ରାୟ ଅନ୍ୟମନସ୍କ ହୋଇଯିବା ଯାଏ ସେ ନାରୀମାନଙ୍କ ଦ୍ଵାରା ଆକୃଷ୍ଟ ହେଉଥିଲେ, —ପ୍ରାୟ ଏକ ଅପଚୟ ଘଟିବା ପର୍ଯ୍ୟନ୍ତ ସେଥିରୁ ବିଚ୍ୟୁତ ହେଉ ନଥିଲେ ଏବଂ କାହାରିଠାରୁ ଅପମାନ ପାଇଲେ ମଧ୍ୟ ବିଚଳିତ ହେଉ ନଥିଲେ । ଏବଂ ରୁଡ଼ିନ୍‌ଙ୍କ ଭିତରେ ସତେଅବା ନିଆଁ ହିଁ ଭରି ରହିଥିଲା, —ସାହସ ତଥା ପ୍ରାଣସଚଳତା ଥିଲା; ମାତ୍ର ହୃଦୟର ଭୂମିରେ ସିଏ ବଡ଼ ଶୀତଳ ଥିଲେ, —ପ୍ରାୟ ଜଣେ ଭୀରୁ ବୋଲି ମଧ୍ୟ କୁହାଯାଇ ପାରିବ, —ହଁ, ତାଙ୍କର ସ୍ଵାଭିମାନ ଉପରେ ଧକ୍କା ନଲାଗିଥିବା ପର୍ଯ୍ୟନ୍ତ କଦାପି କୌଣସି ସଚଳତା ଦେଖାଉ ନଥିଲେ । ଏବଂ ତା’ପରେ ତାଙ୍କୁ ଆଦୌ ରୋକି ଦେଉ ନଥିଲା, ସେ ସର୍ବଦା ହିଁ ସମ୍ପୃକ୍ତ ଅନ୍ୟମାନଙ୍କ ତୁଳନାରେ ଉପରେ ଯାଇ ରହିବାକୁ ହିଁ ଚେଷ୍ଟା କରୁଥିଲେ; ମାତ୍ର କୌଣସି ବୃହତ୍ ସତ୍ୟ ତଥା ବିଚାରର ଦ୍ଵାହି ଦେଇ ହିଁ ତାହା କରୁଥିଲେ ଏବଂ ତେଣୁ ନିର୍ବିବାଦରେ ତାଙ୍କର ବହୁତଙ୍କ ଉପରେ ଅନେକ ପ୍ରଭାବ ମଧ୍ୟ ରହିଥିଲା । ସତ କଥା କହୁଛି ତାଙ୍କୁ କେହି ହେଲେ ଶ୍ରଦ୍ଧା କରୁ ନଥିଲେ; ସମ୍ଭବତଃ ମୁଇଁ କେବଳ ଏପରି ଜଣେ ବ୍ୟକ୍ତି ଥିଲି, ଯିଏକି ତାଙ୍କ ପ୍ରତି ଆକୃଷ୍ଟ ହୋଇ ରହିଥିଲା । ସମସ୍ତେ ତାଙ୍କର ଶାସନ ତଳେ ନିଜକୁ ସମର୍ପଣ କରି ଦେଉଥିଲେ ସିନା, ମାତ୍ର ପୋକୋର୍ସ୍କିଙ୍କୁ ହିଁ ଭଲ ପାଉଥିଲେ । ରୁଡ଼ିନ୍‌ଙ୍କ ସମ୍ମୁଖରେ ଯିଏ ବି ଆସି ପହଞ୍ଚି ଯାଉଥିଲା, ତାଙ୍କ ସହିତ ଚର୍ଚ୍ଚା ଏବଂ ବିତର୍କାଦିରେ ସମ୍ପୃକ୍ତ ହୋଇ ଯିବାରେ ରୁଡ଼ିନ୍ କେବେହେଲେ ପଶ୍ଚାତ୍‌ପଦ ହେଉ ନଥିଲେ । ତାଙ୍କର ଆଦୌ ସେପରି ଅଧ୍ୟୟନ ନଥିଲା, ଯଦିଚ ଅବଶ୍ୟ ଶ୍ରୀଯୁକ୍ତ ପୋକୋର୍ସ୍କି ଏବଂ ଆମ ସମସ୍ତଙ୍କ ଠାରୁ ତାଙ୍କର ବୁଦ୍ଧି ଚାଳନାର ସାମର୍ଥ୍ୟଟିରେ ଅଧିକ ଶୃଙ୍ଖଳା ଅବଶ୍ୟ ରହିଥିଲା । ଅଦ୍ଭୁତ ସ୍ମୃତିଶକ୍ତି ଏବଂ ଅପେକ୍ଷାକୃତ ଅଳ୍ପ ବୟସ୍କ ମାନଙ୍କ ଉପରେ ସର୍ବଦା ହିଁ ତାହାର ପ୍ରଭୁତ୍ୱ ପ୍ରଭାବ ପଡ଼ି ପାରୁଥିଲା । ସେମାନେ ତ ପୂରା ସତ୍ୟଗୁଡ଼ିକର, ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଗୁଡ଼ିକର ସନ୍ଧାନରେ ହିଁ ସବୁଠାରୁ ଅଧିକ ଆଗ୍ରହ ଦେଖାଉ ଥିଲେ । ହୁଏତ, ପ୍ରମାଦଶୂନ୍ୟ ହୋଇ ନଥାଉ ପଛକେ, ତଥାପି ଗୋଟିଏ ଗୋଟିଏ ସିଦ୍ଧାନ୍ତ ଭଳି ଅବଶ୍ୟ ଲାଗୁଥିବା ଉଚିତ୍ । ଜଣେ ପୂର୍ଣ୍ଣ ନିଷ୍ଠା ଦେଖାଉଥିବା ବ୍ୟକ୍ତି ଆଦୌ ସେମାନଙ୍କର ପସନ୍ଦର ହୋଇ ପାରନ୍ତି ନାହିଁ । ତୁମେ ସେମାନଙ୍କୁ କୌଣସି ଗୋଟିଏ ସମ୍ପୂର୍ଣ୍ଣ ସତ୍ୟ ଆଣି ଦେଇ ପାରିବ ନାହିଁ ବୋଲି ସେମାନଙ୍କୁ ଯଦି କହିବ, ତେବେ ସେମାନେ ତୁମ କଥାକୁ ଆଉ ମୋଟେ କାନ ଦେବେ ନାହିଁ । ମାତ୍ର ସେମାନଙ୍କୁ ତ ତୁମେ ଧୋକା ମଧ୍ୟ ଦେଇ ପାରିବ ନାହିଁ ! ତେଣୁ, ଯେତେ ଅଧା ଏବଂ ଅପୂର୍ଣ୍ଣ ଭାବରେ ହେଉ ପଛକେ, ତୁମେ ସତ୍ୟର ଜଣେ ଅଧିକାରୀ ହୋଇ ପାରିଛ ବୋଲି ନିଜ ଭିତରେ ଅଧାଅଧି ଅବଶ୍ୟ ବିଶ୍ଵାସ ମଧ୍ୟ କରିବ । ସେହି କାରଣରୁ ହିଁ ଆମ ସମସ୍ତଙ୍କ ଉପରେ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ରୁଡ଼ିନ୍‌ଙ୍କର ଏତେବେଶି ପ୍ରଭାବ ପଡ଼ି ପାରୁଥିଲା । ଆପଣଙ୍କୁ ମୁଁ ଟିକିଏ ଆଗରୁ କହୁଥିଲି ନା ରୁଡ଼ିନ୍‌ଙ୍କର ଅଧ୍ୟୟନ ସେପରି ଆଦୌ ବିଶେଷ ପରିମାଣରେ ନଥିଲା; ମାତ୍ର ସିଏ ଦର୍ଶନ ସମ୍ପର୍କିତ ବହୁତ ପୁସ୍ତକ ପଢ଼ିଥିଲେ ଓ ତାଙ୍କର ମସ୍ତିଷ୍କଟି ମଧ୍ୟ ଏଭଳି ହୋଇ ତିଆରି ହୋଇଥିଲା ଯେ, ସେ ଯେତେବେଳେ ଯାହାକିଛି ପାଠ କରୁଥିଲେ ତତ୍‌କ୍ଷଣାତ୍ ସେଗୁଡ଼ିକରୁ ସାରାଂଶଟିକୁ ଗ୍ରହଣ କରିନେଇ ପାରୁଥିଲେ, ସିଧା ମୂଳଟି ଯାଏ ଭେଦ କରି ପାରୁଥିଲେ ଏବଂ ତାପରେ ସେଗୁଡ଼ିକରୁ ବହୁ ଦିଗର କେତେ କେତେ ସତ୍ୟାନୁମାନ ମଧ୍ୟ କରି ନେଇ ପାରୁଥିଲେ । ପରସ୍ପରର ପରବର୍ତ୍ତୀ ହୋଇ ରହିଥିବା କେତେ କେତେ ବିଚାର, —କେଡ଼େ ଚମତ୍କାର ତଥା ସମ୍ପୂର୍ଣ୍ଣ ପ୍ରାସଙ୍ଗିକବତ୍ ଦିଶି ଦିଶି ଯାଉଥିବା । ଏବଂ ତାପରେ ନିଜର ଅନ୍ତରାକାଶରେ ସତେଅବା କେତେ କେତେ ବିସ୍ତାର ବିଶିଷ୍ଟ ବହୁ ଦିଗ୍‌ବଳୟକୁ ବି ଉନ୍ମୋଚିତ କରି ଆଣୁଥିଲା । ବରଂ ଅଧିକାର ନ୍ୟାୟ ସହିତ ଏପରି ଅବଶ୍ୟ କୁହାଯାଇ ପାରିବ ଯେ, ସେତେବେଳେ ଆମର ସେହି ଗୋଷ୍ଠୀଟିରେ ଅଧିକତଃ ଏପରି ଯୁବକମାନେ ରହିଥିଲେ ଯେଉଁମାନେ କି ବିଶେଷ ପରିପୂର୍ଣ୍ଣତା ସହିତ ସେପରି କିଛି ଜ୍ଞାନ ଅର୍ଜନ କରି ନଥିଲେ । ଦର୍ଶନବିଦ୍ୟା, କଳା, ବିଜ୍ଞାନ ଏପରିକି ଖାସ୍ ଜୀବନଟା ମଧ୍ୟ ଆମ ପାଇଁ ଗୁଡ଼ାଏ ଶବ୍ଦମାତ୍ର ହୋଇ ରହିଥିଲା । ସେଗୁଡ଼ିକୁ ଆପଣ ଇଚ୍ଛା କଲେ ଶବ୍ଦ ବୋଲି ନକହି କେତେକ କେବଳ ମଥାର କଳ୍ପନା ହୋଇ ହିଁ ରହିଥିଲା ବୋଲି ମଧ୍ୟ ହୁଏତ କହିପାରନ୍ତି—କେଡ଼େ ମସ୍ତ ମସ୍ତ ସୁଦୃଶ୍ୟ କଳ୍ପନାତ୍ମାକ ଏବଂ ଭାରି ଆକର୍ଷକ । କିନ୍ତୁ ଗୋଟିକ ସହିତ ଆଉ ଗୋଟିକର ଆଦୌ କୌଣସି ସମ୍ବନ୍ଧ ନଥିଲା, —ସେଗୁଡ଼ିକ ଖୁବ୍ ଦ୍ଵୀପବତ୍ ପରସ୍ପର ଠାରୁ ବହୁଦୂର ହୋଇ ରହିଥିଲେ-। ସେହି କଳ୍ପନା ଏବଂ ବିଚାରଗୁଡ଼ିକ ମଧ୍ୟରେ ଯେ ଏନ ସଂଯୋଜନକାରୀ ସୂତ୍ର ରହିଛି ଏବଂ ଏହି ବିଶ୍ଵର ସବୁକିଛି ଯେ ଏକ ସମଗ୍ର ସତ୍ୟ ଅନୁସାରେ ଚଳୁଛି, ଆମେ ସେହି ସମ୍ପର୍କରେ ଆଦୌ କିଛି ମଧ୍ୟ ଜାଣି ନଥିଲୁ । ତେଣେ ଆମର କୌଣସି ସୂତ୍ର ମଧ୍ୟ ଲାଗିନଥିଲା । ଅବଶ୍ୟ, ଅତ୍ୟନ୍ତ ଅସ୍ପଷ୍ଟତା ସହିତ ଆମେ ପରସ୍ପର ଭିତରେ ଘୋର ଆଲୋଚନାମାନ କରୁଥାଉ ଏବଂ ନିଜ ନିଜ ନିମନ୍ତେ କିଛି ନା କିଛି ଧାରଣା କରି ପାରିବାକୁ ଉଦ୍ୟମ ବି କରୁଥାଉ । ସେହିପରି ଏକ ସମୟରେ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କର ଯାବତୀୟ କଥାକୁ ଶୁଣୁଥିବା ସମୟରେ ଆମେ ଜୀବନରେ ପ୍ରକୃତରେ ସର୍ବପ୍ରଥମ ଥର ପାଇଁ ଅନୁଭବ କଲୁ, ସତେ ଯେପରି ଏତେଦିନେ ଯାଇ ଆମେ ସେହି ସବୁକିଛିକୁ ବୁଝି ପାରିଲୁ, ସଂଯୋଗକାରୀ ସୂତ୍ରଟିଏ ସନ୍ଧାନ କରି ପାରିଲୁ, ସତେଅବା ଶେଷରେ ଆମ ସମ୍ମୁଖରେ ରହି ସବୁକିଛିକୁ ଅନ୍ତରାଳ କରି ରଖିଥିବା ଗୋଟିଏ ଫର୍ଦ୍ଦା ଆଖର ଅପସରି ହିଁ ଗଲା । ହଁ, ଖୁବ୍‍ ଜାଣିଥିଲୁ ଯେ ରୁଡ଼ିନ୍ ଆମକୁ ଗୋଟେ ମୌଳିକ କୌଣସି ବିଚାର ପ୍ରକୃତରେ ଆଣି ପ୍ରଦାନ କରୁନାହାନ୍ତି । କିନ୍ତୁ କ’ଣ ହୋଇଗଲା ସେଥିପାଇଁ । ଆମେ ତାଙ୍କଠାରୁ ଲାଭ କରୁଥିବା ସକଳ କଥାରେ ସତେଅବା ପୂର୍ଣ୍ଣ ସଙ୍ଗତି ତଥା ସମଞ୍ଜସତା ଅବଶ୍ୟ ରହିଥିଲା; ପୂର୍ବରୁ ଯାହାକିଛି ଖଣ୍ଡିତ ଓ ଛିନ୍ନ ହୋଇ ରହିଥିଲେ, ସେଗୁଡ଼ିକ ଏକ ସମଗ୍ର ମଧ୍ୟରେ ବେଶ୍ ଗୋଟିଏ ପରି ଦୃଶ୍ୟ ହୋଇ ଆସିଲେ ଏବଂ ଆମ ସାମନାରେ ଏକ ସମ୍ପୂର୍ଣ୍ଣ ଅଟ୍ଟାଳିକା ସଦୃଶ ସାକାର ହୋଇ ଆସିଲେ । ସବୁକେବଳ ଏକ ଆଲୋକରେ ପୂର୍ଣ୍ଣ ହୋଇ ରହିଥିଲେ, ଆମକୁ ପ୍ରେରଣା ଦେବାରେ ହିଁ ଲାଗିଥିଲେ ।....ଆଉ କିଛି ବି ନିରର୍ଥକ ପରି ଲାଗିଲାନାହିଁ—ଆକାରହୀନ ଅଗଠିତ ମନେ ହୋଇନଥିଲା । ସବୁକିଛି ହିଁ ସୁଚିନ୍ତିତ ଏବଂ ସୁନ୍ଦର ହୋଇ ଝଟକି ଉଠିଥିଲା । ସବୁଥିରେ ଯୁଗପତ୍ ଭାବରେ ଏକ ଅତିସ୍ପଷ୍ଟ ଅଥଚ କୌଣସି ରହସ୍ୟ ଦ୍ଵାରା ଆବୃତ ତାତ୍ପର୍ଯ୍ୟର ଉପସ୍ଥାପନା କରୁଥିଲା-। ଜୀବନର ପ୍ରତ୍ୟେକ ଅଲଗା ଅଲଗା ଘଟଣା ସତେ ଅବା କୌଣସି ସୁସମଞ୍ଜତା ମଧ୍ୟକୁ ସମାଗତ ହୋଇ ଆସିଥିଲା ଏବଂ ସତେଅବା ଏକ ପବିତ୍ରତା ପୂର୍ଣ୍ଣ ବିସ୍ମୟ ତଥା ଶ୍ରଦ୍ଧା କେତେ ନା କେତେ ମାଧୁର୍ଯ୍ୟକୁ ବହନ କରି ଆମକୁ ଏକ ଅଭୂତପୂର୍ବ ଅନୁଭବ ଆଣି ଦେଉଥିଲା । ଆମେ ଆପଣାକୁ ସତେ ଯେପରି ଏକ ଶାଶ୍ଵତ ସତ୍ୟର ଗୋଟିଏ ଗୋଟିଏ ଜୀବନ୍ତ ଆଧାର ସଦୃଶ ହିଁ ଭାବୁଥିଲୁ, ସତେ ଅବା ସେହି ସତ୍ୟର ହିଁ ଗୋଟିଏ ଗୋଟିଏ ଯନ୍ତ୍ର ରୂପେ ତିଆରି ହୋଇ ଆସିବା ନିମନ୍ତେ ନିର୍ଦ୍ଦେଶିତ ହୋଇ ରହିଥିଲୁ । ....ମାତ୍ର, ଏସବୁ କଥା ଶୁଣିଲା ବେଳକୁ ଆପଣଙ୍କୁ ହସ ମାଡ଼ୁନାହିଁ ତ-?

Unknown

 

“ନାହିଁ, ନାହିଁ, ଆଦୌ ନୁହେଁ ।” —ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ନିମ୍ନ ସ୍ଵରରେ ଉତ୍ତର ଦେଇଥିଲେ, “ଆପଣ କ’ଣ ପାଇଁ ସେପରି ବିଚାରୁଛନ୍ତି ? ଆପଣଙ୍କ କଥାକୁ ମୁଁ ସେତେ ବେଶି ବୁଝି ସିନା ପାରୁନାହିଁ, କିନ୍ତୁ ତାହାକୁ ଆଦୌ ହାସ୍ୟକର ବୋଲି ଭାବୁନାହିଁ ।”

 

“ତା’ପରେ କିଞ୍ଚିତ୍ ଅଧିକ ବିବେକ ସମ୍ପନ୍ନ ହେବାପାଇଁ ଆମକୁ ଅବଶ୍ୟ ଯଥେଷ୍ଟ ସମୟ ମିଳି ପାରିଛି,” —ଶ୍ରୀ ଲେଜ୍‌ଝନିଓଭ୍ ପୁଣି କହିଲେ, —“ସେକାଳର ସେହି କଥାଗୁଡ଼ିକ ଆମକୁ ବର୍ତ୍ତମାନ ସମ୍ଭବତଃ ବେଶ୍ ଏକ ପିଲାଳିଆମି ଭଳି ଲାଗିବ ହିଁ ଲାଗିବ.....କିନ୍ତୁ, ମୁଁ ପୁନର୍ବାର କହୁଛି, ସେତେବେଳେ ଆମେ ସମସ୍ତେ ଶ୍ରୀ ରୁଡ଼ିନ୍‌ଙ୍କ ଠାରୁ ପ୍ରକୃତରେ ବହୁତ କିଛି ଲାଭ କରିଛୁ, ପୋକୋର୍ସ୍କି ରୁଡ଼ିନ୍‌ଙ୍କ ଠାରୁ ନିଃସନ୍ଦେହ ଭାବରେ ଅନେକ ଅଧିକ ଉଚ୍ଚତର କାଟର ନିଶ୍ଚୟ ଥିଲେ । ସେ ବିଷୟରେ ଆଦୌ କୌଣସି ଦ୍ଵିରୁକ୍ତି ହିଁ ନାହିଁ । ପୋକୋର୍ସ୍କି ଆମ ସମସ୍ତଙ୍କ ଭିତରେ କେତେ ନା କେତେ ତେଜ ତଥା ବଳ ଭରି ଦେଇଥିଲେ, —ମାତ୍ର ସେ ଅନେକ ସମୟରେ ଅତ୍ୟନ୍ତ ଉଦାସ ଓ ନୀରବ ହୋଇ ରହୁଥିଲେ । ସିଏ କାତର ହୋଇ ପଡ଼ୁଥିଲେ, —ତାଙ୍କଠାରେ ସେପରି କୌଣସି ଦୃଢ଼ତା ନଥିଲା । ମାତ୍ର, ଯେତେବେଳେ ନିଜର ଡେଣାଗୁଡ଼ିକୁ ମେଲି ଦେଉଥିଲେ, —ବାପରେ ସେତେବେଳେ ସିଏ ସେହି ସୁନୀଳ ଏବଂ ବ୍ୟାପ୍ତ ଆକାଶମଣ୍ଡଳଟି ଭିତରକୁ କେତେ ନା କେତେ ଉଚ୍ଚତା ଯାଏ ଉଡ଼ି ଯାଉ ନଥିଲେ : ଅପର ପକ୍ଷରେ, ରୁଡ଼ିନ୍‌ଙ୍କ ଠାରେ ବେଶ୍ ଅନେକ ପରିମାଣରେ ଗୋଟିଏ କ୍ଷୁଦ୍ରତା ମଧ୍ୟ ଥିଲା । ଚେହେରା ଖୁବ୍ ଭବ୍ୟ ତଥା ସୁନ୍ଦର ଯେହେତୁ ଥିଲା, ସିଏ ଚମତ୍କାର ଗପ ଜମାଇ ବି ପାରୁଥିଲେ ଏବଂ ସବୁକିଛିରେ ଯେପରି ହେଉ ଟିକିଏ ହାତ ବଜାଇ ଆସିବା ସକାଶେ ବେଶ୍ ଭଲ ପାଉଥିଲେ । ସବୁ ସଜାଡ଼ି ଦେବାକୁ ଆଗଭର ରହିଥିଲେ, ସବୁକିଛିକୁ ସହଜରେ ବୁଝାଇ ଦେଇ ପାରିବା ଲାଗି ତତ୍ପର ହୋଇ ରହିଥିଲେ । ତାଙ୍କର ସେହି ଉପଦ୍ରବ ପୂର୍ଣ୍ଣ କାର୍ଯ୍ୟ କଳାପଟିର ପ୍ରକୃତରେ କୌଣସି ଶେଷ ହିଁ ନଥିଲା । ସ୍ୱଭାବରେ ବେଶ୍ ଗୋଟିଏ କୂଟନୀତିଆ ବୁଦ୍ଧି ମଧ୍ୟ ଭର୍ତ୍ତି ହୋଇ ରହିଥିଲା । ସେତେବେଳେ ମୁଁ ତାଙ୍କୁ ଯେଉଁପରି ଜାଣିଥିଲି, ଆପଣଙ୍କୁ ସେହି କଥା ହିଁ କହୁଛି । କିନ୍ତୁ, ବଡ଼ ଭାଗ୍ୟର କଥା ଯେ, ତା’ପରେ ସିଏ ଆଦୌ ବଦଳି ନାହାନ୍ତି ଓ ସେହିପରି ହିଁ ହୋଇ ରହିଛନ୍ତି । ବରଂ, ଅନ୍ୟ ପକ୍ଷରେ, ତାଙ୍କୁ ବର୍ତ୍ତମାନ ପଇଁତ୍ରିଶି ବର୍ଷ ବୟସ ହୋଇ ଯାଇଥିଲେ ତାଙ୍କ ଆଦର୍ଶମାନେ ଅପରିବର୍ତ୍ତିତ ରହିଛନ୍ତି । ସବୁ ବ୍ୟକ୍ତି କଦାପି ନିଜ ବିଷୟରେ ସେପରି କଥାଟିଏ କହି ପାରିବେ ନାହିଁ ।”

 

ଏତିକିବେଳେ ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ତାଙ୍କୁ କହିଲେ, ଆପଣ ବସି ପଡ଼ନ୍ତୁ ନା ! କ’ଣ ପାଇଁ ପେଣ୍ଡୁଲମ୍ ପରି ଏଠା ସେଠା ହେବାରେ ଲାଗିଛନ୍ତି ?”

 

“ନାଇଁ, ମୋତେ ଏଇଟି ହିଁ ଭଲ ଲାଗୁଛି”, —ଲେଜ୍‌ଝନିଓଭ୍ ଉତ୍ତର ଦେଇ କହିଥିଲେ-। “ହଁ, ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା, ମୁଁ ଯେମିତି ଆସି ପୋକୋର୍ସ୍କିଙ୍କର ଗୋଷ୍ଠୀରେ ଯୋଗ ଦେଇଥିଲି, ମୁଁ ହୁଏତ କହିପାରିବି ଯେ, ମୁଁ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଭଳି ହୋଇ ଯାଇଥିଲି; କ୍ରମେ ବିନୟୀ ହୋଇ ଶିଖିଲି ଏବଂ ସତକୁ ସତ କିଛି ଶିଖିବା ପାଇଁ ଆଗ୍ରହୀ ହୋଇଥିଲି । କିଛି ଅଧ୍ୟୟନ ଆରମ୍ଭ କରିଥିଲି, —ବେଶ୍ ଖୁସି ଲାଗିଲା, ଶ୍ରଦ୍ଧା ମଧ୍ୟ ବୃଦ୍ଧି ପାଇଥିଲା; ଗୋଟିଏ କଥାରେ କହିଲେ, ସତେ ଯେପରି କୌଣସି ଏକ ପବିତ୍ର ମନ୍ଦିରରେ ଆସି ପ୍ରବେଶ କରିଥିବା ସେହି ଅନୁଭବ କରିଥିଲି ଏବଂ ବସ୍ତୁତଃ, ମୁଁ ଯେତେବେଳେ ଆମର ସେହି ମେଳଗୁଡ଼ିକୁ ମନେ ପକାଇଥାଏ, ମୁଁ ଅବଶ୍ୟ କହିବି ଯେ ସେଗୁଡ଼ିକରେ ବହୁତ କିଛି ସୁରୁଚିସମ୍ପନ୍ନ ହୋଇ ରହିଥିଲା—ଏପରିକି ହୃଦୟଟିକୁ ସ୍ପର୍ଶ ବି କରୁଥିଲା । ଆପଣ କଳ୍ପନା କରନ୍ତୁ, ପାଞ୍ଚ ଛଅ ଜଣ ଏକାଠି ଆସି ବସୁଥିଲେ, ଗୋଟିଏ ଚର୍ବି ତିଆରି ଦୀପ ଦପ୍ ଦପ୍ ହୋଇ ଜଳିବାରେ ଲାଗିଥାଏ । ଆମକୁ ପିଇବାକୁ ଆସୁଥିବା ଚାହା ପ୍ରକୃତରେ ଏକ ଖୁବ୍ ଭୟଙ୍କର କୌଣସି ଦ୍ରବ୍ୟବତ୍ ଲାଗୁଥିଲା । ତା’ ସାଙ୍ଗକୁ ପୁଣି କୋଉ କାଳର ବାସି ଖଣ୍ଡେ ଖଣ୍ଡେ କେକ୍ । ମାତ୍ର ଆପଣ ସେତେବେଳେ ଆମର ମୁଖମଣ୍ଡଳ ଗୁଡ଼ିକୁ ଅବଶ୍ୟ ଦେଖି ଥାଆନ୍ତେ । ଆମ କଥା ଗୁଡ଼ିକୁ ମଧ୍ୟ ଶୁଣିଥାନ୍ତେ । ଆଖିରେ ଟଳମଳ ହେଉଥିବା ଭରା ଉତ୍ସାହ, ଗାଲମାନେ ରଙ୍ଗା ପଡ଼ି ଯାଇଥିବେ ଏବଂ ଛାତିଭିତରଟା ଖାଲି ଦପ୍ ଦପ୍, ଶୁଭୁଥିବ ଏବଂ ଆମେ ଈଶ୍ଵରଙ୍କ ବିଷୟରେ, ସତ୍ୟ ବିଷୟରେ ଓ ମାନବଜାତିର ଭବିଷ୍ୟ ବିଷୟରେ, କବିତା ବିଷୟରେ କେତେ କ’ଣ ଚର୍ଚ୍ଚା କରିବାରେ ଲାଗିଥିବୁ..... ବହୁ ସମୟରେ ଆମ ମୁହଁରୁ ଖୁବ୍ ସମ୍ଭବ ତୁଚ୍ଛା ଉଦ୍‌ଭଟ କଥା ଗୁଡ଼ିଏ ଉଚ୍ଚାରିତ ହୋଇ ହଁ ଆସୁଥିବ ତଥା ନାନା ନିରର୍ଥକ କଳ୍ପନା ଆମେ ଏକାବେଳେକେ ସତେ ଅବା କେଉଁ ସ୍ଵର୍ଗରାଜ୍ୟରେ ପହଞ୍ଚି ଯାଇଥିବା ପରି ଅନୁଭବ ବି କରୁଥବୁ, —କିନ୍ତୁ ସେଥିରେ ମୋଟେ କୌଣସି ଫରକ ପଡ଼ୁନଥିବ । ପୋକୋର୍ସ୍କି ଗୋଡ଼ ଉପରେ ଗୋଡ଼ ରଖି ବସିଥିବେ, ନିଜର ଶୀର୍ଣ୍ଣ ଚିବୁକଟିକୁ ନିଜ ପାପୁଲି ଉପରେ ଭରା ଦେଇ ରଖିଥିବେ ଏବଂ ତାଙ୍କର ଆଖି ଦୁଇଟିରୁ ସତେଅବା ଆଲୋକର ପ୍ରତିଫଳନ ହେଉଥିବ । ରୁଡ଼ିନ୍ ଗୃହର ମଧ୍ୟ ଭାଗରେ ଛିଡ଼ା ଅବସ୍ଥାରେ ହିଁ କହିବାରେ ଅଭ୍ୟସ୍ତ ଥିଲେ । ଭାରି ଚମତ୍କାର ଭାବରେ ସବୁକିଛି କହି ପାରୁଥିଲେ, ସତେ ଅବା ସେକାଳର ସେହି ଗ୍ରୀକ୍ ଦେଶର ଯୁବା ବୟସର ଡେମୋସ୍ଥେନିସ୍ ତରଙ୍ଗମାନେ କୂଳରେ ଆସି ପିଟି ହୋଇ ଯାଇଥିବା ସମୁଦ୍ରର ତଟଦେଶରେ ଠିଆ ହୋଇ ସମଗ୍ର ପୃଥିବୀକୁ ଉଦ୍ଦେଶ୍ୟ କରି କିଛି କହୁଥିବା ପରି ବୋଧ ହେଉଥିବ । ହଁ, ନିଜ ମସ୍ତକ ଉପରେ ବାଳଗୁଡ଼ାକ ବଡ଼ ଅବିନ୍ୟସ୍ତ ଭାବରେ ଏପାଖ ସେପାଖ ହୋଇ ପଡ଼ିଥିବା ଆମ ମେଳରେ ରହିଥିବା ସୁବୋଟିନ୍ ନାମକ ସେହି କବିଟି, —ସିଏ ମଝିରେ ମଝିରେ ହଠାତ୍ ବଡ଼ ଚିତ୍କାରଟିଏ କରି ସତେ ଅବା ନିଦ ଛାଡ଼ିନଥିଲା ପରି କ’ଣ ଗୋଟାଏ କହି ଉଠିବ, ଅଥବା ଚାଳିଶିବର୍ଷ ବୟସ୍କ ଶେଲର୍ ଜଣେ ଜର୍ମାନ୍ ପାଦ୍ରୀଙ୍କର ପୁଅ, —ସେ ଆମ ଭିତରେ ଜଣେ ଗମ୍ଭୀର କେଡ଼େବଡ଼ ଚିନ୍ତାନାୟକ ବୋଲି ଖୁବ୍ ପ୍ରସିଦ୍ଧ ବି ହୋଇ ରହିଥିଲେ ଓ ସିଏ ଅଧିକାଂଶ ସମୟରେ ଦୀର୍ଘକାଳ ସକାଶେ ନୀରବ ତଥା ପ୍ରାୟ ସର୍ବବିଧ ବିକ୍ଷୁବ୍ଧତାରୁ ଅଲଗା ପ୍ରାୟ ହୋଇ ରହୁଥିଲେ, —ସିଏ ଏକ ଖାସ୍ ଗାମ୍ଭୀର୍ଯ୍ୟ ସହିତ ଆପଣାର ଅନ୍ତର୍ମୁଦ୍ରା ଗୁଡ଼ିକର କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବିଚଳିତ ଏବଂ ନୀରବ ହିଁ ରହି ପାରୁଥିଲେ ଏବଂ ଆଦୌ ମୁହଁ ଖୋଲୁନଥିଲେ; ପୁଣି, ଆମ ଦଳଟିରେ ଆରିଷ୍ଟୋଫାବିସ୍ ବୋଲାଉଥିବା ଶ୍ରୀ ସିଟଫ୍ ନିଜ ଭିତରେ ହିଁ ନିଜକୁ ଶାନ୍ତ କରି ରଖୁଥିଲେ ଏବଂ କେବଳ ଅଳପ ଅଳପ ହସିବା ବ୍ୟତୀତ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରୁନଥିଲେ ଏବଂ ଦୁଇ ତିନିଜଣ ନୂଆ ବି ପୂର୍ଣ୍ଣ ମନୋଯୋଗ ସହିତ ସବୁକିଛି କେବଳ ଶୁଣିବାରେ ହିଁ ଲାଗିଥିଲେ, କେତେ କେତେ ଶ୍ରଦ୍ଧା ସହକାରେ । ଏବଂ ରାତିଟା ଦେହରେ ସତେଅବା ଡେଣା ଲାଗିଥିବା; ପରି ଉଡ଼ି ହିଁ ଚାଲି ଯାଉଥିଲା-। ସବୁ ଶେଷ ହୋଇ ଆସିବାବେଳକୁ ସତେଅବା ପୂର୍ବଦିଗର ଆକାଶଟି ଧୂସର ଦିଶି ଆସିବା ପରି ମଧ୍ୟ ଲାଗୁଥିଲା । ସେତେବେଳେ ଯାଇ ଆମେ ଉଠି ବାହାରକୁ ଆସୁଥିଲୁ; ଅତ୍ୟନ୍ତ ଖୁସି ଅନୁଭବ କରୁଥିଲୁ, ଆସ୍ପୃହାମାନେ ସତେଅବା କୁଆଡ଼େ ମନ କୁଆଡ଼େ ଧାବମାନ ହୋଇ ରହିଥିଲେ, ସତେଅବା କେଡ଼େ ଶାନ୍ତ ଓ କେଡ଼େ ସଂଯତ । (ସେତେବେଳେ ଆମ ସକାଶେ ଆଦୌ କୌଣସି ସୁରା-ଆପ୍ୟାୟାନର ପ୍ରୟୋଜନ ରହିଥିବା ପରି ମୋଟେ ଅନୁଭବ ହେଉ ନଥିଲା ।) ହଁ, ଗୋଟିଏ ପ୍ରକାରର ମଧୁର ଶ୍ରାନ୍ତଭାବ ହିଁ ଆମର ଅନ୍ତର୍କ୍ଷେତ୍ର ଗୁଡ଼ିକୁ ନିଶ୍ଚଳ କରି ହିଁ ରଖିଥିଲା । ଏପରିକି, ସେତେବେଳେ ଗୋଟିଏ ପ୍ରକାରର ପୂର୍ଣ୍ଣ ଆସ୍ଥାରେ ମୁଣ୍ଡ ଉପରେ ରହିଥିବା ତାରାମାନଙ୍କ ଉପରେ ଦୃଷ୍ଟିପାତ କରିବା ନିମନ୍ତେ ଇଚ୍ଛା ହେଉଥିଲା । ସେହି ତାରାମାନେ ମଧ୍ୟ ସତେ ଯେପରି ଆମଲାଗି କେତେ ଅଧିକ ପାଖ ତଥା ଅଧିକ ବୋଧଗମ୍ୟ ବି ମନେହେଉଥିଲେ । ହଁ, ସେଇଟି ବସ୍ତୁତଃ ଏକ ଗୌରବମୟ ସମୟ ହିଁ ଥିଲା ଏବଂ ସେହି କାଳଟିକୁ ଆମେ କେବଳ ବରବାଦ କରିଦେଲୁ ବୋଲି କଦାପି କହି ହେବ ନାହିଁ । କାରଣ ସେଇଟି ଆଦୌ ବରବାଦ ହୋଇ ଯାଇନାହିଁ; ଏପରିକି, ଯେଉଁମାନଙ୍କର ଜୀବନଟା ପରବର୍ତ୍ତୀ କାଳରେ କେବଳ ନାନା ପ୍ରକାରେ ନିନ୍ଦନୀୟ ଓ ମଳଯୁକ୍ତ ହୋଇ ପଡ଼ିଥିଲା, ସେମାନଙ୍କ ପାଇଁ ମଧ୍ୟ ବରବାଦ ହୋଇନାହିଁ । ପରେ ମଧ୍ୟ କେତେ କେତେ ସମୟରେ ମୋର ସେହି କଲେଜ ଦିନର କେତେ କେତେ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ନହୋଇଛି ! କାହାକୁ କାହାକୁ ଦେଖିଲେ ହୁଏତ ଖୁବ୍ ମନେହେବ ଯେ ସେହି ବ୍ୟକ୍ତିଟି ନିଶ୍ଚୟ ତଳକୁ ଖସି ଖସି ଗୋଟାଏ ପଶୁରେ ପରିଣତ ହୋଇଯାଇଛି; ତଥାପି, ମନେରଖ, ତୁମେ ତା’ ଆଗରେ ପୋକୋର୍ସ୍କିଙ୍କର କେବଳ ନାମଟିକୁ ଉଚ୍ଚାରଣ ହିଁ କରିବ ଏବଂ ଦେଖିବ ଯେ ତା’ ଭିତରର କେତେ ନା କେତେ ଉଚ୍ଚ ଭାବନା ହିଁ ସଙ୍ଗେ ସଙ୍ଗେ ଉତ୍ଥିତ ହୋଇ ଆସିବ । ଏକର ମଇଳା ଅନ୍ଧାର ଘରକୁ ଯାଇ ତୁମେ ସତେ ଯେପରି ଗୋଟିଏ ମୁଦା ଅତର ବୋତଲରୁ ଠିପିଟିକୁ ଯାଇ ଖୋଲିଦେଲ ଏବଂ ବୋତଲ ଭିତରର ବାସଟି ସଙ୍ଗେ ସଙ୍ଗେ ହିଁ ତୁମର ନାକରେ ବାଜି ତୁମକୁ ମୋହିତ ହଁ କରିଦେଲା !”

 

ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍ କହିବା ସମାପ୍ତ କଲେ । ତାଙ୍କରି ପ୍ରାୟ ବର୍ଣ୍ଣହୀନ ସ୍ଵାଭାବିକ ମୁହଁଟି ଇତି ମଧ୍ୟରେ ବେଶ୍ ଲାଲ୍ ହୋଇଯାଇଥିଲା ।

 

“ତେବେ କେଉଁ କାରଣରୁ ଶ୍ରୀ ରୁଡ଼ିନ୍‌ଙ୍କ ସହିତ ଆପଣଙ୍କର କଳହ ଲାଗିଥିଲା ?” —ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପ୍ରଶ୍ନ କଲେ । ସିଏ ପୂରା ବିସ୍ମୟପୂର୍ଣ୍ଣ ଆଖିରେ ଲେଜ୍‌ଝନିଓଭ୍‌ଙ୍କ ଆଡ଼କୁ ଚାହିଁ ରହିଥାନ୍ତି ।

 

“ତାଙ୍କ ସହିତ ମୋର କଳହ ହୋଇନାହିଁ । ମାତ୍ର, ଯେତେବେଳେ ବିଦେଶକୁ ଆସି ତାଙ୍କୁ ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିଲି, ସେତେବେଳେ ସମ୍ପର୍କ କାଟି ଦେଇଥିଲି । କିନ୍ତୁ, ମସ୍କୋରେ ମଧ୍ୟ ମୋର ତାଙ୍କ ସହିତ ନିଶ୍ଚୟ ଝଗଡ଼ା ହୋଇଥାଆନ୍ତା । ସେଠାରେ ମୋ ସହିତ ସିଏ ବଡ଼ ମନ୍ଦ ଆଚରଣ କରିଥିଲେ ।

 

“ସେଇଟି ପ୍ରକୃତରେ କ’ଣ ?”

 

“ଘଟଣାଟି ଏହିପରି ହିଁ ଘଟିଥିଲା,.... ମୁଁ କିପରି ଆପଣଙ୍କୁ ତାହା ଯଥାର୍ଥ ଭାବରେ କହି ବି ପାରିବି ? ମୋ ଚେହେରାଟିରୁ ସିନା କେହି କଥାଟିକୁ ଅନ୍ଦାଜ କରି ପାରୁନଥିବେ, କିନ୍ତୁ ମୁଁ ବହୁତ ସମୟରେ ନାନା ପ୍ରେମ ସମ୍ପର୍କରେ ଜଡ଼ିତ ହୋଇପଡ଼ୁଥିଲି ।”

 

“ଆପଣ ?”

 

“ହଁ, ମୁଁ, —ପ୍ରକୃତରେ । ସେଇଟି ବଡ଼ ବିଚିତ୍ର ଲାଗୁଥିବ, ନୁହେଁ ? ମାତ୍ର ବସ୍ତୁତଃ ଗୋଟିଏ ସତକଥା । ହଁ, ସେତେବେଳେ ମୁଁ ଜଣେ ଝିଅ ସହିତ ପ୍ରେମରେ ପଡ଼ିଗଲି । ଦେଖବାକୁ ଖୁବ୍ ସୁନ୍ଦର । କିନ୍ତୁ, ଆପଣ କାହିଁକି ସେପରି ଭାବରେ ମୋତେ ଚାହିଁ ରହିଲେ ? ଏହାଠାରୁ ଆହୁରି ଆହୁରି ଅସାଧାରଣ ଆଉ ଏକ କଥା ମଧ୍ୟ ଆପଣଙ୍କ ଆଗରେ କହିଦେଇ ପାରିବି ।”

 

“ସେହି ଆଉଗୋଟିଏଟି ବି ପୁଣି କ’ଣ ?”

 

“ହଁ, ସେଇଟି ହେଉଛି ଏହିପରି । ସେତେବେଳେ ମସ୍କୋ ସହରରେ ରହୁଥିବା ସମୟରେ ମୁଁ ପ୍ରତିଦିନ ରାତିରେ ଜଣକ ପାଖକୁ ଯାଉଥିଲି । କାହା ପାଖକୁ ଯାଉଥିଲି, ଆପଣ କଳ୍ପନା କରିପାରିବେ ? ଗୋଟିଏ ଗଜା ବୟସର ଗଛକୁ ମୋ’ ବଗିଚାର ତଳ ଆଡ଼କୁ ଯାଇ ମୁଁ ତା’ର ଓ କୃଶ ସୁନ୍ଦର ଗଣ୍ଡିଟିକୁ ଯାଇ ଆଲିଙ୍ଗନ କରୁଥିଲି ଏବଂ ଅନୁଭବ କରିବାରେ ଲାଗିଥିଲି, ସତେ ଯେପରି ମୁଁ ସମଗ୍ର ଏହି ପ୍ରକୃତିକୁ ହିଁ ଆଲିଙ୍ଗନ କରୁଛି । ସେତେବେଳେ ମୋର ସମ୍ପୂର୍ଣ୍ଣ ହୃଦୟଟା ବିଗଳିତ ହୋଇ ଯାଉଥିଲା ଏବଂ ମୋ ହୃଦୟ ସତେ ଯେପରି ସମ୍ପୂର୍ଣ୍ଣ ପ୍ରକୃତିଟି ମଧ୍ୟକୁ ସଂପ୍ରସାରିତ ହୋଇଯାଉଥିଲା, —ହଁ, ସତେ ଯେପରି ସମଗ୍ର ପ୍ରକୃତି ସହିତ ହିଁ ସମ୍ମିଳିତ ହୋଇପାରୁଥିଲା । ହଁ, ସେତେବେଳେ ମୋ’ ଭିତରଟା ସେହିପରି ହିଁ ଥିଲା । ଏବଂ ଆପଣ ପ୍ରକୃତରେ ଭାବୁଛନ୍ତି କି ମୁଁ ସେତେବେଳେ କୌଣସି କବିତା ଲେଖୁନଥିଲି ? ହଁ, ମୁଁ ସେତେବେଳେ ଜଣେ ସୁବିଖ୍ୟାତ କବିଙ୍କର ଅନୁକରଣରେ ଗୋଟିଏ ସମ୍ପୂର୍ଣ୍ଣ ନାଟକ ମଧ୍ୟ ଲେଖିପକାଇଥିଲି । ସେହି ନାଟକର ପାତ୍ରମାନଙ୍କ ମଧ୍ୟରେ ଗୋଟିଏ ଭୂତ ମଧ୍ୟ ରହିଥିଲା, ଯାହାର ଛାତିରେ ଗୁଡ଼ାଏ ରକ୍ତ ବୋଳା ହୋଇଥିଲା । ହଁ, ତା’ ନିଜର ରକ୍ତ ନୁହେଁ, —ନାହିଁ, ସମଗ୍ର ମନୁଷ୍ୟ ଜାତିର ରକ୍ତ..., ହଁ, ପ୍ରକୃତରେ ସେହିପରି, ଆପଣ ଆଦୌ ବିସ୍ମିତ ହୋଇପଡ଼ିବେ ନାହିଁ । ହଁ, ମୁଁ ପରା ଆପଣଙ୍କୁ ମୋର ପ୍ରେମରେ ପଡ଼ିବା ବିଷୟରେ କହୁଥିଲି, ଗୋଟିଏ ବାଳିକା ସହିତ ମୋର ପରିଚୟ ହୋଇଥିଲା ...”

 

“ଏବଂ ତା’ପରେ ଆପଣ ସବୁଦିନ ରାତିରେ ସେଇ ଗଛଟିକୁ ଯାଇ ଆଲିଙ୍ଗନ କରିବାର ଅଭ୍ୟାସଟିକୁ ଛାଡ଼ି ଦେଇଥିଲେ ?” ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଜାଣିବା ପାଇଁ ଇଚ୍ଛା କରିଥିଲେ ।

 

“ହଁ, ଛାଡ଼ି ଦେଇଥିଲି । ଝିଅଟି ଭାରି ସୁନ୍ଦର ଏବଂ ଉତ୍ତମ ସ୍ଵଭାବର ଥିଲା । କେତେ ନା କେତେ ଭାବ ଦ୍ଵାରା ପୂର୍ଣ୍ଣ ହୋଇ ରହିଥିବା ପରିଷ୍କାର ଆଖି ଦୁଇଟି ଏବଂ ସଂଗୀତର ଝଙ୍କାରଟିଏ ସୃଷ୍ଟି କରୁଥିବା ପରି ଏକ କଣ୍ଠସ୍ଵର ।”

 

“ଆପଣ ବଡ଼ ଚମତ୍କାର ଭାବରେ ସେହି ଝିଅଟିର ବର୍ଣ୍ଣନା କରି ପାରିଛନ୍ତି” —ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ମୁରୁକି ହସି ମନ୍ତବ୍ୟ କଲେ ।

 

ଶ୍ରୀ ଲେଜ୍‌ଝନିଓଭ୍ ତୁରନ୍ତ ଜବାବଟିଏ ଦେଇ କହିଲେ, “ଆପଣ ପ୍ରକୃତରେ ଖୁବ୍ କଡ଼ା ସମୀକ୍ଷା କରିପାରନ୍ତି । ହଁ, ଝିଅଟି ନିଜର ବୁଢ଼ା ବାପାଙ୍କ ସହିତ ରହୁଥାଏ । ... କିନ୍ତୁ, ମୁଁ ଟିକିନିଖି କରି ସବୁଯାକ କଥା କହିବି ନାହିଁ । ଆପଣଙ୍କୁ କେବଳ ଏତିକି କହିବି ଯେ, ଝିଅଟିର ଚିତ୍ତରେ ପ୍ରକୃତରେ ଖୁବ୍ ଦୟା ବି ଥିଲା; ଯଦି ତୁମେ ତାକୁ କେବେ ଅଧ କପେ ଚାହା ମାଗୁଥିଲ, ତେବେ ସେ ପ୍ରାୟ ଉଚ୍ଛୁଳି ପଡ଼ୁଥିବା ଚାହା କପେ ଆଣି ପରଷି ଦେଉଥିଲା । ତା’ ସହିତ ପ୍ରଥମ ସାକ୍ଷାତର ଦୁଇଦିନ ପରେ ମୁଁ ତ ତାକୁ ନେଇ ପାଗଳ ପରି ହୋଇଯାଇଥିଲି ଏବଂ ସାତଦିନ ହେଲା ବେଳକୁ ଆଉ ନିଜକୁ ଆଦୌ ଅଟକାଇ ରଖି ପାରିନଥିଲି । କଥାଟିକୁ ମୋଟେ ଗୋପନ ରଖି ନପାରି ରୁଡ଼ିନ୍‌ଙ୍କ ଆଗରେ ସମ୍ପୂର୍ଣ୍ଣ ଭାବରେ ଯାଇ କହି ଦେଇଥିଲି । ସେତେବେଳେ ତ ମୁଁ ତାଙ୍କର ପୂର୍ଣ୍ଣ ପ୍ରଭାବଟି ମଧ୍ୟରେ ହିଁ ରହିଥିଲି ଏବଂ ମୁଁ ଏଠାରେ ବେଶ୍ ଖୋଲି କରି ନିଶ୍ଚୟ ଆପଣଙ୍କ ଆଗରେ କହିବି ଯେ, ତାଙ୍କର ସେହି ପ୍ରଭାବଟି ଏକାଧିକ ବିଷୟରେ ମୋ ପାଇଁ ଖୁବ୍ ଉପକାରୀ ହିଁ ଥିଲା । ସେଇ ହେଉଛନ୍ତି ସର୍ବପ୍ରଥମ ବ୍ୟକ୍ତି ଯିଏକି ଆଦୌ କୌଣସି ଅବଜ୍ଞା ସହିତ ମୋ’ ସହିତ ବ୍ୟବହାର କରୁନଥିଲେ, ଓଲଟି କେତେ ନା କେତେ ଧୈର୍ଯ୍ୟ ସହିତ ମୋର ଜୀବନକୁ ଏକ ନିର୍ଦ୍ଦିଷ୍ଟ ଆକାର ଆଣି ଦେବାଲାଗି ଉଦ୍ୟମ କରୁଥିଲେ । ମୁଁ ଅତ୍ୟନ୍ତ ଭାବମୟତା ସହିତ ପୋକୋର୍ସ୍କିଙ୍କୁ ମଧ୍ୟ ଭଲ ପାଉଥିଲି ଏବଂ ତାଙ୍କ ଭିତରେ ଏତେ ଏତେ ଶୁଦ୍ଧତା ରହିଥିବାର ଲକ୍ଷ୍ୟ କରି ଗୋଟିଏ ପ୍ରକାରର ବିସ୍ମୟ ମଧ୍ୟ ଖୁବ୍ ପ୍ରକାଶ କରୁଥିଲି । କିନ୍ତୁ, ଶ୍ରୀ ରୁଡ଼ିନ୍‌ଙ୍କର ହିଁ ଅଧିକ ନିକଟକୁ ଆସିଥିଲି-। ରୁଡ଼ିନ୍ ଯେତେବେଳେ ମୋର ପ୍ରେମରେ ପଡ଼ିଥିବାର ଆଖ୍ୟାନଟି ବିଷୟରେ ଶୁଣିଥିଲେ, ସିଏ ତ ପ୍ରାୟ ଏକ ବର୍ଣ୍ଣନାତୀତ ପ୍ରକାରେ ହିଁ ଉଲ୍ଲସିତ ହୋଇ ଉଠିଲେ, ଏଥିପାଇଁ ମୋତେ ଅଭିନନ୍ଦନ ଜଣାଇଥିଲେ, ମୋତେ କୁଣ୍ଢାଇ ପକାଇଲେ ଏବଂ ମୋ’ର ସେହି ନୂତନ ସ୍ଥିତିଟିର ଯାବତୀୟ ଗୌରବ ତଥା ମହିମା ବିଷୟରେ ବିଶଦ ଭାବରେ ସୁଚିନ୍ତିତ ବହୁ କଥା ମଧ୍ୟ କହିଥିଲେ । ମୋର କାନଦୁଇଟି ତାହା ଶୁଣି ସତେ ଯେପରି ଛିଡ଼ା ହୋଇ ବି ଗଲେ ! ହଁ, ଆପଣ ଜାଣିଛନ୍ତି, ସେ କେଡ଼େ ଚମତ୍କାର ଭାବରେ ସବୁ କଥା କହିଥାଆନ୍ତି । ତାଙ୍କର ଏହି କଥାଗୁଡ଼ିକ ମୋ ଉପରେ ଏକ ଶକ୍ତିଶାଳୀ ପ୍ରଭାବ ପଡ଼ିଥିଲା । ମୁଁ ତତ୍‌କ୍ଷଣାତ୍ ନିଜ ଆଖୁଗୁଡ଼ିକ ଭିତରେ ତାହାର ଏକ ଆଶ୍ଚର୍ଯ୍ୟଜନକ ପରିଣାମ ଅନୁଭବ କରିବାକୁ ଲାଗିଲି ଏବଂ ବାହାରେ ଗମ୍ଭୀର ଭାବଟିଏ ଦେଖାଇ ହସିବା ମଧ୍ୟ ଛାଡ଼ିଦେଲି । ମୋର ମନେ ଅଛି, ସେତେବେଳେ ଯୁଆଡ଼େ ଯାଉଥିଲି, ଗୋଟାଏ ପ୍ରକାରର ଗଭୀର ଚିନ୍ତାରେ ମଗ୍ନ ହୋଇ ରହୁଥିଲି, ସତେ ଯେପରି ମୋ ଭିତରେ କୌଣସି ଖାସ୍ ସ୍ଥାନରେ ପବିତ୍ର ପାନପତ୍ରଟିଏ ରଖା ହୋଇଥିଲା ଓ ସେହି ପାତ୍ରଟିରେ ଏକ ବହୁମୂଲ୍ୟ ପାନୀୟ ମଧ୍ୟ ସଞ୍ଚିତ ହୋଇ ରହିଥିଲା । ଏବଂ କାଳେ ଟିକିଏ ହଲଚଲ ହେବା ମାତ୍ରକେ ସେଇଟି ଉଡ଼ି ତଳେ ପଡ଼ିଯିବ, ମୁଁ ସେଥିପାଇଁ ସର୍ବଦା ଭୟଭୀତ ହୋଇ ରହିଥିଲି । ...ମୋତେ ଖୁବ୍ ଖୁସି ଲାଗୁଥାଏ । ବିଶେଷ କରି ଯେତେବେଳେ ସେହି ଝିଅଟିର ଆଖିଗୁଡ଼ିକ ଭିତରେ ଏକ ଅନୁକୂଳ ଭାବ ମଧ୍ୟ ରହିଥିବା ଭଳି ଆଭାସମାନ ପାଉଥାଏ । ଶ୍ରୀଯୁକ୍ତ ରୁଡ଼ିନ୍ ମଧ୍ୟ ମୋର ପ୍ରେମିକାଙ୍କ ସହିତ ପରିଚିତ ହେବା ସକାଶେ ଇଚ୍ଛା ପ୍ରକାଶ କରିଥିଲେ ଏବଂ ତାଙ୍କ ପାଖରେ ନେଇ ରୁଡ଼ିନ୍‌ଙ୍କୁ ଉପସ୍ଥାପିତ କରିଦେବା ପାଇଁ ମୁଁ ମଧ୍ୟ ଅତ୍ୟନ୍ତ ଆଗ୍ରହୀ ହୋଇପଡ଼ିଲି ।

 

ମଝିରେ ବାଧା ଦେଲାପରି ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ସେତିକିବେଳେ କହିଥିଲେ, “ଏଥର ସବୁକଥା ବୁଝିପାରିଲି, ଭଲ କରି ବୁଝିଲି । ଶ୍ରୀ ରୁଡ଼ିନ୍ ଆସି ଆପଣ ଦୁଇଜଣକ ମଧ୍ୟରେ ଏକ ବାଧା ହୋଇ ଠିଆ ହେଲେ ଏବଂ ସେହି କାରଣରୁ ହିଁ ଆପଣ ଆଉ ତାଙ୍କୁ କ୍ଷମା ଦେଇପାରିନାହାନ୍ତି । ମୁଁ ଠିକ୍ କଥାଟା କହୁଛି ବୋଲି ବାଜି ପକାଇ ବି କହିପାରିବି ।”

 

“ମହାଶୟା ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା, କିନ୍ତୁ ଆପଣ ସେହି ବାଜିରେ ହାରି ବି ଯିବେ । ଆପଣ ଭୁଲ୍‍ କଥାଟି ହିଁ କହିଲେ । ରୁଡ଼ିନ୍ ମୋତେ ଆଦୌ ବହିଷ୍କୃତ କରି ପକାଇନଥିଲେ, ସେହି ଦିଗରେ ସିଏ କୌଣସି ଚେଷ୍ଟା ମଧ୍ୟ କରିନଥିଲେ, କିନ୍ତୁ, ତଥାପି ମୋ ସୁଖଟିକୁ ସାରି ଦେବାରେ ସେ ନିମିତ୍ତବତ୍ କାର୍ଯ୍ୟ କରିଥିଲେ । ଏବଂ ସେଥିପାଇଁ ମୋଟେ କୌଣସି ପ୍ରକାରେ ବିଚଳିତ ହୋଇ ନଥିଲେ । ସେଥିଲାଗି ତାଙ୍କୁ ଧନ୍ୟବାଦ ଜଣାଇବାକୁ ମୁଁ ହୁଏତ ବର୍ତ୍ତମାନ ଅରାଜି ହେବି ନାହିଁ, କିନ୍ତୁ ସେତେବେଳେ ତ ମୋର ପ୍ରକୃତରେ ସବୁକିଛି ପୂରା ଗୋଳମାଳ ହୋଇଯାଇଥିଲା । ମୋତେ ଆଦୌ କୌଣସି ପ୍ରକାରେ ଆହତ କରି ପକାଇବା ଲାଗି ଅବଶ୍ୟ ସେ କୌଣସି ଇଚ୍ଛା କରିନଥିଲେ—ହୁଏତ ଠିକ୍ ତାହାର ଏକାବେଳକେ ଓଲଟା କଥାଟା ହିଁ କଲେ । କିନ୍ତୁ, ସର୍ବବିଧ ଭାବପ୍ରବଣ ଆବେଗଗୁଡ଼ିକୁ ସତେଅବା କଣ୍ଟା ଫୋଡ଼ି ଅସ୍ଥିର କରିଦେବାର ତାଙ୍କର ସେହି ସର୍ବଦା ନିନ୍ଦନୀୟ ଅଭ୍ୟାସଟି ଦ୍ଵାରା—ଆପଣାର ତଥା ଅନ୍ୟ ସମସ୍ତଙ୍କର ବି ସତେ ଯେପରି ଜଣେ ବ୍ୟକ୍ତି ଏକ ସାନ ଡବା ଭିତରେ ବନ୍ଦ ହୋଇ ରହିଥିବା ଗୋଟିଏ ପ୍ରଜାପତିକୁ ଯାଇ ଫୋଡ଼ି ପକାଏ—ସିଏ ଆମ ଦୁହିଁଙ୍କ ମଧ୍ୟରେ ରହିଥିବା ସମ୍ପର୍କଗୁଡ଼ିକୁ ଆମ ଉଭୟଙ୍କୁ ହିଁ ସତେ ଅବା ଯାଉଣୁ ଆସୁଣୁ ଭଲ କରି ଓ ଆହୁରି ଭଲ କରି ବୁଝାଇ ଦେବାକୁ ତତ୍ପର ହୋଇ ଉଠିଥିଲେ, —ଆମେ ଜଣେ ଆଉ ଜଣକୁ କିଭଳି ବ୍ୟବହାରମାନ ଦେଖାଇବୁ, ଇତ୍ୟାଦି, ଇତ୍ୟାଦି, —ଏବଂ ପ୍ରାୟ ନିତାନ୍ତ ସେଚ୍ଛାଚାରୀ ପ୍ରକାରେ ଆମ ନିଜ ନିଜର ଆବେଗ ଏବଂ ଭାବନାଗୁଡ଼ିକ ବିଷୟରେ ଅତି ପରିମାଣରେ ସଚେତନ ହୋଇ ରହିବାକୁ ଆମକୁ ବାଧ୍ୟ କରିଥିଲେ । ଆମକୁ କେତେବେଳେ ପ୍ରଶଂସା କଲେ ତ ପୁଣି କେତେବେଳେ ଯାବତ ଉର୍ତ୍ସନା ବି କରିବାକୁ ଲାଗିଲେ, ଏପରିକି ଆମ ପାଖକୁ ଚିଠିମାନ ଲେଖିଲେ । ଟିକିଏ କଳ୍ପନା କରନ୍ତୁ ତ, —ଏବଂ ଏହିସବୁ କରି ସିଏ ଆମକୁ ଗୋଟାସୁଦ୍ଧା ବିକ୍ଷୁବ୍ଧ କରି ପକାଇଲେ । ସେତେବେଳେ ମୋର ପ୍ରେମିକା ସେହି ମହିଳାଙ୍କୁ ବିବାହ କରିବା ନିମନ୍ତେ ସମ୍ଭବତଃ କ୍ଵଚିତ୍ ଏକ ସମ୍ଭାବନା ରହିଥିଲା । (ସେତେବେଳେ ମୋ’ ଭିତରେ ଅନ୍ତତଃ ସେତିକି ବିଚାରଶକ୍ତି ଅବଶ୍ୟ ରହିଥିଲା); ତଥାପି, ଆମେ ସେତେବେଳେ ଅନ୍ତତଃ ଆଉ କେତେଟା ମାସ ପରସ୍ପର ସହିତ ଏକ ପ୍ରେମିକ-ପ୍ରେମିକା ସୂତ୍ରରେ ଅତିବାହିତ କରିବି ପାରିଥାନ୍ତୁ । ମାତ୍ର, ଆମ ସମ୍ପର୍କଟିରେ କ୍ରମେ ନାନା ଅପ୍ରୀତିକରତା ଆସି ପ୍ରବେଶ କରିଥିଲା, ଭୁଲ୍ ବୁଝାମଣା ବଢ଼ିଲା—ଯାବତୀୟ ପ୍ରକାରର ହିଁ ଭୁଲ୍ ବୁଝାମଣା । ଏବଂ ସେହି ରୁଡ଼ିନ୍‌ଙ୍କ ଦ୍ଵାରା ହିଁ ସବୁ ଶେଷ ହୋଇଯାଇଥିଲା : ଦିନେ, ଏକ ଚମତ୍କାର ସକାଳ ସମୟରେ, ଏହି ଘଟଣାଟି ବିଷୟରେ ଝିଅଟିର ବୁଢ଼ାବାପାଙ୍କୁ ମଧ୍ୟ ସବୁକଥା ଅବଶ୍ୟ ଜଣାଇଦେବା ଏକାନ୍ତ ଉଚିତ ହେବ ବୋଲି ଏକ ଦୃଢ଼ ବିଶ୍ୱାସ ସହିତ ରୁଡ଼ିନ୍ ତାହାକୁ ଆପଣାର ଗୋଟିଏ ପବିତ୍ର କର୍ତ୍ତବ୍ୟ ବୋଲି ବୁଝିଲେ ଏବଂ ବସ୍ତୁତଃ ସେହି ସଙ୍କଳ୍ପଟି ଅନୁସାରେ କାର୍ଯ୍ୟ ମଧ୍ୟ କଲେ ।”

 

“ଏହା ସତରେ ସମ୍ଭବ ?” —ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଚିତ୍କାର କରି ଉଠିଥିଲେ ।

 

“ହଁ, ଏବଂ ମୋ’ ସମ୍ମତି ସହିତ ହଁ ସିଏ ତାହା କରିଥିଲେ । ଆପଣ ଦେଖନ୍ତୁ ତ ! ଏବଂ ଅସଲ ଆଶ୍ଚର୍ଯ୍ୟ କଥାଟି ସେହିଠାରୁ ହି ଘଟିଥିଲା ।... ମୋର ମଥା ଭିତରଟା ସେତେବେଳେ ଯେ କିପରି ଭାବରେ ଅରାଜକ ହୋଇ ଯେ ରହିଥିଲା ମୁଁ ବର୍ତ୍ତମାନ ମଧ୍ୟ ମନେ କରିପାରୁଛି । ହଁ, ମୁଣ୍ଡଟି ଭିତରେ ବସ୍ତୁତଃ ଏକ ଘୂର୍ଣ୍ଣନ ହିଁ ଚାଲିଥିଲା । ସତେ ଯେପରି ଗୋଟାଏ ନିତାନ୍ତ ଅସ୍ପଷ୍ଟ କ୍ୟାମେରା ମୋ ଭିତରେ ଡେଇଁବାରେ ଲାଗିଥିବା ପରି ଦୃଷ୍ଟିଗୋଚର ହେଉଥିଲା । ଧଳାଗୁଡ଼ାକ କଳା ଦେଖା ଯାଉଥିଲା ଓ କଳାଗୁଡ଼ାକ ପୂରା ଧଳା ରଙ୍ଗ ହୋଇ । ମିଛଟା ସତରେ ପରିଣତ ହୋଇ ଯାଇଥିଲା ଏବଂ ତୁଚ୍ଛା ଖିଆଲଗୁଡ଼ିକ ସତେଅବା ପବିତ୍ର କର୍ତ୍ତବ୍ୟବତ୍ ମନେ ହେଉଥିଲେ । ଏପରିକି, ବର୍ତ୍ତମାନ ମଧ୍ୟ ମନେ କରିପାରିବା ମାତ୍ରକେ ମୁଁ ଘୋର ଲଜ୍ଜା ହିଁ ଅନୁଭବ କରୁଛି । ମାତ୍ର, ରୁଡ଼ିନ୍ ତ ମୋଟେ ଏପାଖ ସେପାଖ ହେଉ ନଥିଲେ, ଆଙ୍ଗୁଳେ ମଧ୍ୟ ନୁହେଁ । ସେ ଯାବତୀୟ ଭୁଲ୍ ବୁଝାମଣାର ଊର୍ଦ୍ଧ୍ୱକୁ ହିଁ ଉଠି ଯାଇଥିଲେ, ସର୍ବବିଧ ଜଟିଳତାର ଊର୍ଦ୍ଧ୍ୱକୁ । ଠିକ୍ ଯେପରି ଗୋଟିଏ ଚାତକ ପକ୍ଷୀ କୌଣସି ଗଡ଼ିଆର କେତେ ଊର୍ଦ୍ଧ୍ୱରେ ଯାଇ ଉଡ଼ିବାରେ ହିଁ ଲାଗିଥାଏ ।”

 

“ତେବେ ଆପଣ ତା’ପରେ ନିଜକୁ ସେହି ବାଳିକାଟିଠାରୁ ବିଚ୍ଛିନ୍ନ କରି ଆଣିଲେ ?” —ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ପ୍ରଶ୍ନ କରିଥିଲେ । ସତେ ଅବା ସମ୍ପୂର୍ଣ୍ଣ କୃତ୍ରିମତାରହିତ ଭାବରେ ସେ ନିଜର ମୁଣ୍ଡକୁ ଗୋଟିଏ ଆଡ଼କୁ ଢଳାଇ ରଖିଥିଲେ ଏବଂ ଭ୍ରୂଲତାଗୁଡ଼ିକୁ ମଧ୍ୟ ଉଠାଇ ଉପର ଆଡ଼କୁ ଚାହିଁଥିଲେ ।

 

“ଆମେ ବିଚ୍ଛିନ୍ନ ହୋଇଗଲୁ—ସେହି ବିଚ୍ଛିନ୍ନତାଟି ପ୍ରକୃତରେ ଖୁବ୍ ଭୟାନକ ଥିଲା; —ଅତ୍ୟନ୍ତ ନିଦାରୁଣ ଭାବରେ ଅଶୋଭନୀୟ ତଥା ଆହୁରି ଅନେକଙ୍କର ଆଖିରେ ମଧ୍ୟ ପଡ଼ିବାଭଳି । ଏପରି ଭାବରେ ବହୁତଙ୍କର ଗୋଚରକୁ ଆସିବାର କୌଣସି ଆବଶ୍ୟକତା ନଥିଲା ... ମୁଁ ନିଜେ ଖୁବ୍ ରୋଦନ କରି ଉଠିଥିଲି । ସେହି ଝିଅଟି ମଧ୍ୟ ରୋଦନ କରୁଥିଲା ଏବଂ ସେତେବେଳେ ଯେ କ’ଣ ସବୁ ଘଟୁଥିଲା, ମୁଁ ସେହି ବିଷୟରେ କିଛି ହିଁ ଜାଣି ପାରୁ ନଥିଲି । ଖୁବ୍ ଲାଗୁଥିଲା ପ୍ରକୃତରେ କେଉଁଠି ଗୋଟିଏ ବଡ଼ ଗଣ୍ଠିଟିଏ ହିଁ ପଡ଼ିଯାଇଥିଲା । ବର୍ତ୍ତମାନ ସେଇଟିକୁ କାଟିବାକୁ ପଡ଼ିଲା । ମାତ୍ର, ସେଇଟା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହିଁ ହେଲା । ଅବଶ୍ୟ ଏଇଟି ମଧ୍ୟ ଖୁବ୍ ସତ୍ୟ ଯେ, ଏହି ପୃଥିବୀରେ ସବୁକିଛି ହିଁ ଏକ ସର୍ବୋତ୍ତମ ପରିଣତିରେ ଯାଇ ପହଞ୍ଚିବ ବୋଲି ନିର୍ଦ୍ଦେଶିତ ହୋଇ ରହିଥାଏ । ଝିଅଟି ଜଣେ ଅତ୍ୟନ୍ତ ଚମତ୍କାର ବ୍ୟକ୍ତିଙ୍କୁ ବିବାହ କରିଛି ଓ ବର୍ତ୍ତମାନ ଖୁବ୍ ଭଲରେ ଅଛି ।” ତଥାପି

 

“ମାତ୍ର, ଶପଥ କରି କହନ୍ତୁ ତ, ଆପଣ ତା’ପରେ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କୁ ଆଉ କ୍ଷମା ଦେଇ ପାରିନାହାନ୍ତି !” ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ପୁଣି ଆରମ୍ଭ କଲେ ।

 

ଲେଜ୍‌ଝନିଓଭ୍ ତତ୍‌କ୍ଷଣାତ୍ ଉତ୍ତର ଦେଲେ, “ନାଇଁ, ତାଙ୍କୁ ମୁଁ ଆଦୌ କ୍ଷମା ଦେଇନାହିଁ-। କାହିଁକି ଜାଣନ୍ତି—ସିଏ ବିଦେଶ ଯାଉଥିବା ସମୟରେ ମୁଁ ଠିକ୍ ପିଲାଙ୍କ ପରି କାନ୍ଦିଥିଲି । ତଥାପି, ସତକଥା କହିଲେ, ସେତେବେଳେ ମଧ୍ୟ ମୋ ଭିତରେ ସେହି ଜୀବାଣୁଟି ଅବଶ୍ୟ ରହିଥିଲା ଏବଂ ଯେତେବେଳେ ପରେ ତାଙ୍କ ସହିତ ବିଦେଶରେ ସାକ୍ଷାତ ହେଲା ... ମୁଁ ବି ସେତେବେଳକୁ ଅଧିକ ବୟସର ହୋଇଯାଇଥିଲି ... ସେତେବେଳେ ଯାଇ ରୁଡ଼ିନ୍‌ଙ୍କୁ ମୁଁ ତାଙ୍କ ଠିକଣା ରୂପରେ ଜାଣିଥିଲି-।”

 

“ଆପଣ ତାଙ୍କ ଭିତରେ ପ୍ରକୃତରେ କ’ଣ ଦେଖିବାକୁ ପାଇଥିଲେ ?”

 

“ଆପଣ ଜାଣି ପାରିଲେନାହିଁ । ଗତ ଗୋଟିଏ ଘଣ୍ଟା ହେଲା ମୁଁ ଯାହାସବୁ ଆପଣଙ୍କୁ ଏଠି କହୁଥିଲି । କିନ୍ତୁ, ଯଥେଷ୍ଟ ହେଲାଣି, ତାଙ୍କ ବିଷୟରେ ଆମେ ଆଉ ଅଧିକ କୌଣସି ବିଷୟ ପକାଇବା ନାହିଁ । ସମ୍ଭବତଃ ସୁବୁକିଛି ପୁନର୍ବାର ସ୍ଵାଭାବିକ ହିଁ ହୋଇଯିବ । ମୁଁ ଆପଣଙ୍କୁ ଖାଲି ଏତିକି ଦର୍ଶାଇ ଦେବା ପାଇଁ ଇଚ୍ଛା କରିଥିଲି ଯେ, ଯଦି ତାଙ୍କ ବିଷୟରେ ମୁଁ ଅତ୍ୟନ୍ତ କଠୋର ଭାବରେ କିଛି ବିଚାର କରୁଥାଏ, ତାଙ୍କୁ ଜାଣିନାହିଁ ବୋଲି ମୁଁ ସେପରି ମୋଟେ କରୁନାହିଁ । ହଁ, କୁମାରୀ ନାତାଲିଆ ଆଲେକ୍‌ସିୟେଭ୍‌ନାଙ୍କ ବିଷୟରେ ମୁଁ ଆଉ ଅଧିକ କିଛି କହିବି ନାହିଁ—ମାତ୍ର, ଆପଣ ନିଜ ଭାଇଙ୍କ ଉପରେ ନିଶ୍ଚୟ ନଜର ରଖିବେ ।”

 

“ମୋ’ ଭାଇଙ୍କ ଉପରେ ! କ’ଣ ପାଇଁ ନଜର ରଖିବି ?”

 

“କଣ ପାଇଁ ? ତାଙ୍କୁ ଭଲ କରି ଟିକିଏ ଦେଖିଲେ । ଆପଣ କ’ଣ ପ୍ରକୃତରେ କିଛି ବି ଦେଖୁପାରୁନାହାନ୍ତି ?”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ତଳକୁ ମୁହଁ ପୋତି ଦେଇଥିଲେ ।

 

ତା’ପରେ ତାଙ୍କୁ ସମର୍ଥନ ଜଣାଇ ଉତ୍ତର ଦେଲେ, “ହଁ, ଆପଣ ସତକଥା କହୁଛନ୍ତି । ପୂରା ସତକଥା ଯେ ଏହି କେତେଦିନ ହେବ ମୋ ଭାଇ ପ୍ରକୃତରେ ଏକ ସ୍ଵାଭାବିକ ଅବସ୍ଥାରେ ମୋଟେ ନାହିଁ ।... ମାତ୍ର, ଆପଣ କ’ଣ ବାସ୍ତବିକ ଭାବୁଛନ୍ତି ଯେ—”

 

“ଆପଣ ବର୍ତ୍ତମାନ ଆଉ କିଛି କହନ୍ତୁ ନାହିଁ । ସିଏ ଏଣେ ଆସୁଥିବା ପରି ମନେ ହେଉଛି”, —ଲେଜ୍‌ଝନିଓଭ୍ ଫୁସ୍‌ଫୁସ୍ କରୁଥିବା ପରି ତାଙ୍କ କାନରେ କହିଥିଲେ । ‘‘କିନ୍ତୁ ନାତାଲିଆ ଆଦୌ ପିଲା ନୁହନ୍ତି । ଅବଶ୍ୟ ଠିକ୍ ଗୋଟିଏ ସାନ ପିଲା ପରି ତାଙ୍କର ଯଥେଷ୍ଟ ଅନୁଭବ ହୋଇନାହିଁ । ମୋତେ ଆପଣ ବିଶ୍ୱାସ କରନ୍ତୁ । ଆପଣ ନିଶ୍ଚୟ ଦେଖିବେ, ଦିନେ ସିଏ ଆମ ସମସ୍ତଙ୍କୁ ନିଶ୍ଚୟ ଚକିତ କରିଦେବେ ?”

 

“କେଉଁଭଳି ଚକିତ କରିବେ ?”

 

“ବୋଧହୁଏ ଏହିପରି ଭାବରେ ! ଆପଣ ଜାଣନ୍ତି ଠିକ୍ ଏହି ସ୍ଵଭାବ ରହିଥିବା ବାଳିକାମାନେ ଆତ୍ମହତ୍ୟା କରିବେ ବୋଲି ପାଣିକୁ ଡେଇଁ ପଡ଼ନ୍ତି, ବିଷ ବି ଖାଆନ୍ତି ବା ସେହିପରି ଆଉ କିଛି ବି କରିଥାନ୍ତି ? ସିଏ ପ୍ରାୟ ଖୁବ୍ ସ୍ଥିର ଥିଲା ପରି ଦେଖାଯାଆନ୍ତି ବୋଲି ଆପଣ କେବେହେଲେ ଭ୍ରମରେ ପଡ଼ିଯିବେ ନାହିଁ । ତାଙ୍କ ଭିତରେ କେତେ ନା କେତେ ହୃଦୟାବେଗ ଅତ୍ୟନ୍ତ ଗତିଶାଳୀ ହୋଇ ବିଦ୍ୟମାନ ଅଛନ୍ତି ଏବଂ ତାଙ୍କର ସ୍ୱଚରିତ୍ର ହେ ଭଗବାନ ମୁଁ ପୁଣି କ’ଣ ବି କହିବି !”

“ଥାଉ—ଆପଣ ଆଉ କିଛି ମୋଟେ କହନ୍ତୁ ନାହିଁ । ମୁଁ ଭାବୁଛି, ବର୍ତ୍ତମାନ ଆପଣ କଳ୍ପନା କରି କରି ବହୁ ଦୂରକୁ ଚାଲି ଯାଉଛନ୍ତି । ଆପଣଙ୍କ ଭଳି ଜଣେ କଫ ପ୍ରଧାନ ବ୍ୟକ୍ତିଙ୍କୁ, ମୁଁ ଭାବୁଛି ମୋ ପରି ଜଣେ ନାରୀ ମଧ୍ୟ ଏକ ଆଗ୍ନେୟଗିରି ପରି ମନେ ହୋଇପାରେ ।”

 

“ନାଇଁ, ନାଇଁ, ଆଦୌ ନୁହେଁ”, —ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍ ଉତ୍ତର ଦେଇ କହିଥିଲେ, “ଏବଂ ଚରିତ୍ର ବିଷୟରେ କହିବାକୁ ଗଲେ, ଈଶ୍ଵରଙ୍କୁ ଅନେକ ଧନ୍ୟବାଦ, ଆପଣଙ୍କର ମୋଟେ କୌଣସି ଚରିତ୍ର ନାହିଁ ।” ଏକଥାଟି କହୁଥିବା ସମୟରେ ସେ ବେଶ୍ ମୁରୁକି ମୁରୁକି ହସୁଥାନ୍ତି ।

 

“ଏହି କଥାଟି କେଡ଼େ ଅସଙ୍ଗତ କହିଲେ ।”

 

“ଏଇଟି ? ଏଇଟି ହେଉଛି ଏକ ସବୁଠାରୁ ଅଧିକ ପ୍ରଶଂସାର କଥା ! ଆପଣ ବିଶ୍ଵାସ କରନ୍ତୁ ।”

 

ସେହି ସମୟରେ ଭୋଲିନ୍ତସେଭ୍ ଗୃହଟି ମଧ୍ୟରେ ଆସି ପ୍ରବେଶ କରିଥିଲେ । ଶ୍ରୀ ଲେଜ୍‌ଝନିଓଭ୍ ଏବଂ ନିଜ ଭଉଣୀଙ୍କ ଆଡ଼େ ସେ ବେଶ୍ ସନ୍ଦେହପୂର୍ଣ୍ଣ ଭାବରେ ଅନାଉଥାଆନ୍ତି । ଏବେ ତାଙ୍କ ଚେହେରାଟି ଖୁବ୍ ପତଳା ହୋଇଯାଇଛି । ଏମାନେ ଉଭୟେ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲେ । ମାତ୍ର ସେମାନଙ୍କର ପରିହାସକୁ ସେ ସେପରି ଆଗ୍ରହ ପ୍ରକାଶ କରି କ୍ଵଚିତ୍ ଗ୍ରହଣ କରି ପାରୁଥିଲେ । ଏବଂ ଏକଦା ପିଗାସୋଭ୍ ତାଙ୍କୁ ଉଦ୍ଦେଶ୍ୟ କରି ଯେଉଁଭଳି କହିଥିଲେ, ସତେ ଯେପରି ଗୋଟିଏ ଉଦାସିଆ ଠେକୁଆ ସଦୃଶ ଦେଖାଯାଉଥିଲେ । କିନ୍ତୁ, ଏପରି ମନୁଷ୍ୟଟିଏ ଏହି ପୃଥିବୀରେ କଦାପି କେଉଁଠାରେ ମଧ୍ୟ ନଥିବ, ଯିଏକି ନିଜ ଜୀବନରେ ଆଦୌ କୌଣସି ସମୟରେ ହୁଏତ ଏହାଠାରୁ ଆହୁରି ଅଧିକ ପରିମାଣରେ ବିଷର୍ଣ୍ଣ ଦେଖାଯାଇନଥିବ । ଭୋଲିନ୍ତସେଭ୍ ଭାବୁଥିଲେ ଯେ, ନାତାଲିଆ ଏବେ ତାଙ୍କଠାରୁ ଅଧିକରୁ ଅଧିକ ଦୂରକୁ ହିଁ ଚାଲି ଯାଉଥିଲେ ଏବଂ ନାତାଲିଆଙ୍କର ମଧ୍ୟ ଏଭଳି ମନେହେଉଥିଲା, ସତେ ଯେପରି ଭୋଲିନ୍ତସେଭ୍‌ଙ୍କ ଗୋଡ଼ ତଳୁ ମାଟିଟା ଖସି ଖସି ଯିବାକୁ ମଧ୍ୟ ଆରମ୍ଭ କରିଥିଲା ।

 

—୭—

 

ତହିଁ ଆରଦିନ ରବିବାର ହୋଇଥାଏ । ସେଦିନ ନାତାଲିଆଙ୍କର ଉଠିବାରେ ବେଶ୍ ଡେରି ହୋଇ ଯାଇଥିଲା । ପୂର୍ବ ଦିନତମାମ ସିଏ ମୁଖ୍ୟତଃ ଚୁପ୍‍ ହିଁ ରହିଥିଲେ । ଆଖିରୁ ଲୁହ ବୁହାଇ ଏପରି କାନ୍ଦି ପକାଇଲେ ବୋଲି ଗୋପନରେ ଲଜ୍ଜିତ ବି ଅନୁଭବ କରୁଥିଲେ । ଏବଂ ରାତିରେ ଭଲ ନିଦ ହୋଇନଥିଲା । ଅଧା ଲୁଗା ପାଲଟି ସେ ନିଜର ପିଆନୋଟି ପାଖରେ ଯାଇ ବସିପଡ଼ିଲେ ଏବଂ କେତୋଟି ସ୍ଵର ବଜାଇବାର ଚେଷ୍ଟା କରିଥଲେ, ଅନ୍ୟମାନଙ୍କ କାନରେ ପ୍ରାୟ ନପଡ଼ିବା ପରି; —ତଦ୍ଦ୍ୱାରା କାଳେ କୁମାରୀ ବନକୋଟ୍‌ଙ୍କର ନିଦ ହୁଏତ ଭାଙ୍ଗିଯିବ । ତା’ପରେ ସେହି ବାଦ୍ୟଯନ୍ତ୍ରଟିର କାଲୁଆ ରୀଡ଼୍‌ଗୁଡ଼ିକ ଉପରେ ନିଜ କପୋଳଟିକୁ ମାଡ଼ି ଦେଇ ବେଶ୍ ଦୀର୍ଘ କାଳ ପର୍ଯ୍ୟନ୍ତ ନିଶ୍ଚଳ ହୋଇ ପଡ଼ିରହିଲେ । କେବଳ ଭାବିବାରେ ଲାଗିଥା’ନ୍ତି; —କିନ୍ତୁ ରୁଡ଼ିନ୍‌ଙ୍କ ବିଷୟରେ ନୁହେଁ, ମାତ୍ର ସିଏ ଉଦ୍ଧାର କରିଥିବା କେତୋଟି ଶବ୍ଦକୁ କେନ୍ଦ୍ର କରି ଏବଂ ଏହିପରି ଭାବରେ ଆପଣାର ଭାବନା ମଧ୍ୟରେ ବୁଡ଼ି ରହିଥିଲେ । ମଝିରେ ମଝିରେ ଭୋଲେନ୍ତସେଭ୍ ବି ମନେ ପଡ଼ି ଯାଉଥାନ୍ତି । ଭୋଲେନ୍ତ୍‌ସେଭ୍ ଯେ ତାଙ୍କୁ ଭଲ ପାଆନ୍ତି, ସେକଥା ତାଙ୍କୁ ବେଶ୍ ଜଣାଥିଲା । କିନ୍ତୁ ତାଙ୍କର ମନଟା ସତେ ଯେପରି ଗୋଟାଏ ମୂହୁର୍ତ୍ତରୁ ଅଧିକ ସମୟ ଆଦୌ ସ୍ଥିର ହୋଇ ରହୁନଥିଲା । ଏକ ବିଚିତ୍ର ପ୍ରକାରର ଉତ୍ତେଜନା ହିଁ ଅନୁଭୂତ ହେଉଥାଏ । ସକାଳ ସମୟରେ ସିଏ ବଡ଼ ତରତର ହୋଇ ଲୁଗାପଟା ପିନ୍ଧି ତଳକୁ ଆସିଥିଲେ ଏବଂ ମାଆଙ୍କୁ ସୁପ୍ରଭାତ ଜ୍ଞାପନ କରି ଗୋଟିଏ ଅନୁକୂଳ ସୁଯୋଗ ପାଇ ପାରିଥିବା ପରି ଏକୁଟିଆଟି ବଗିଚା ଭିତରକୁ ଚାଲି ଯାଇଥିଲେ... । ସେତେବେଳକୁ ବେଶ୍ ଗରମ ଲାଗି ଆସୁଥାଏ, ମଝିରେ ମଝିରେ ଅସରାଏ ଅସରାଏ ମେଘ ବରଷି ଯାଉଥିଲେ ମଧ୍ୟ ଚତୁର୍ଦ୍ଦିଗ ସୂର୍ଯ୍ୟକିରଣ ପଡ଼ି ସାଙ୍ଗେ ସାଙ୍ଗେ ଖୁବ୍ ଉଜ୍ଵଳ ବି ଦିଶୁଥାଏ । ହାଲୁକା ପାଣିବାହୀ ମେଘଖଣ୍ଡମାନ ପରିଷ୍କାର ଆକାଶଟି ଉପରେ ଭାସି ଚାଲିଯାଉଥାନ୍ତି—ମାତ୍ର ସୂର୍ଯ୍ୟଦେବଙ୍କୁ ଅତ୍ୟନ୍ତ କ୍ଵଚିତ୍ ହଁ ଢାଙ୍କି ରଖି ପାରୁଥାଆନ୍ତି ଏବଂ ତା’ପରେ ହଠାତ୍ ପସରାଏ ପସରାଏ ମେଘ ବରଷି ଯାଉଥାଏ । ଏବଂ ସେହିପରି ହଠାତ୍ ଥମି ମଧ୍ୟ ଯିବାରେ ଲାଗିଥାଏ । ବରକୋଳି ପରି ବଡ଼ ବଡ଼ ହୋଇ ବରଷି ଯାଉଥିବା ଟୋପାମାନେ ହୀରାଭଳି ଝଟକି ଉଠୁଥାଆନ୍ତି—ଏବଂ ଏକ ବିଜାରିଆ ଶବ୍ଦ କରି ବରଷିଯିବା ପରେ ସେହି ଚକ୍ ଚକ୍ ବିନ୍ଦୁଗୁଡ଼ିକ ମଧ୍ୟରୁ ସୂର୍ଯ୍ୟର ଆଲୋକ ପୁନର୍ବାର ଝଲମଲ ହୋଇ ଦିଶୁ ବି ଥାଏ । ଅତ୍ୟନ୍ତ ଖର ଭାବରେ ପବନର ଆଘାତରେ ସୁ’ ସୁ’ ହେବାରେ ଲାଗିଥିବା ଘାସ ହଠାତ୍ ଥିର ହୋଇଯାଉଥାଏ । ଏବଂ ଯୁଗପତ୍ ଭାବରେ ବୃଷାର୍ତ୍ତ ହୋଇ ରହିଥିଲା ପରି ଜଳୀୟ ବାଷ୍ପଟିକୁ ପିଇ ହିଁ ଯାଉଥାଏ । ଜଳ ଦ୍ଵାରା ଆର୍ଦ୍ର ବୃକ୍ଷରାଜି ନିସ୍ତେଜ ଭାବରେ ଆପଣା ପତ୍ରର ପୂର୍ଣ୍ଣ ଗୁଚ୍ଛଗୁଡ଼ିକୁ ହଲାଇବାରେ ଲାଗିଥାଆନ୍ତି ଏବଂ ଚଢ଼େଇକୁଳ ସଂଗୀତ କୂଜନରେ ବ୍ୟସ୍ତ ହୋଇ ରହିଥାଆନ୍ତି ଏବଂ ସେମାନଙ୍କର କିଚିରି ମିଚିରି କଥାଗୁଡ଼ିକ ସୁଅ ହୋଇ ବୋହି ଚାଲି ଯାଉଥିବା ବର୍ଷାପାଣିର ସଦ୍ୟ ଗର୍ଜନ ତଥା ମର୍ମର ସହିତ ଏକତ୍ର ମିଶ୍ରିତ ହୋଇ କାନକୁ କେଡ଼େ ସୁଖକର ଲାଗୁଥାଏ । ଧୂଳିରେ ଭର୍ତ୍ତି ରାସ୍ତାମାନେ ବାଷ୍ପ ଉଦ୍‌ଗୀରଣ କରୁଥାନ୍ତି ଏବଂ ବୃହତ୍‌ ମେଘଟୋପାମାନେ ସେଗୁଡ଼ିକ ଉପରେ ଢୁ’ ଢୁ’ ହୋଇ ଆସି ପଡ଼ୁଥିବା ଫଳରେ ବେଶ୍ ଗୋଲ୍ ଗୋଲ୍ ଦାଗରେ ଭରି ଯାଉଥାନ୍ତି । କିଛିକ୍ଷଣ ପରେ ମେଘମାନେ ଭାସି ଚାଲିଗଲେ ଏକ ମୃଦୁ ପବନ ଆସି ଏକ କମ୍ପନ ମଧ୍ୟ ସୃଷ୍ଟି କରିଥିଲା ଏବଂ ଘାସମାନେ ସତେ ଅବା ମର୍କତ ଏବଂ ସୁବର୍ଣ୍ଣ ଦ୍ଵାରା ରଞ୍ଜିତ ହୋଇ ଉଠିଥିଲେ । ପରସ୍ପର ସହିତ ଜଡ଼ି ରହିଥିବା ଆର୍ଦ୍ର ପତ୍ରମାନେ ଅଧିକ ପରିମାଣରେ ଝଟକି ଉଠିଥିଲେ ଏବଂ ଚତୁର୍ଦ୍ଦିଗରୁ ଏକ ବିଚିତ୍ର ସ୍ଵତନ୍ତ୍ର ବାସନା ହିଁ ଉଦ୍‌ଗତ ହେବାକୁ ଆରମ୍ଭ କରିଥିଲା ।

 

ନାତାଲିଆ ଆସି ଉଦ୍ୟାନ ଭିତରେ ପ୍ରବେଶ କରିବା ବେଳକୁ ଆକାଶ ପ୍ରାୟ ମେଘମୁକ୍ତ ହୋଇଯାଇଥାଏ । ଚତୁର୍ଦ୍ଦିଗରେ ସତେଅବା ଏକ ମଧୁର ମଧୁର ଭାବ ଏବଂ ଶାନ୍ତିର ବ୍ୟାପ୍ତି ! ଏପରି ଏକ ସକଳ, ଭପଶମକାରୀ ଆନନ୍ଦ ପ୍ରଦାୟକ ଶାନ୍ତି, ଯାହାର ପରିସ୍ପର୍ଶଟି ମଧ୍ୟରେ ଆସି ପ୍ରବେଶ କରିବାମାତ୍ରେ ହିଁ ଜଣେ ମନୁଷ୍ୟର ହୃଦୟ ବସ୍ତୁତଃ ଏକ ସଜ୍ଞାତୀତ ଆକାଂକ୍ଷା ତଥା ଗୁପ୍ତ ଆବେଗମୟତା ଦ୍ଵାରା ପ୍ରେରିତ ହଁ ହୋଇଯାଏ ।

 

ଗୋଟିଏ ପୋଖରୀର ଧାରେ ଧାରେ ଦଣ୍ଡାୟମାନ ଧାଡ଼ିଏ ପପ୍‍ଲାର୍ ବୃକ୍ଷର ଦୀର୍ଘ ବୀଧିକାର ମାର୍ଗ ଧରି ନାତାଲିଆ ଅଗ୍ରସର ହେବାରେ ଲାଗିଥାନ୍ତି । ହଠାତ୍ ଦେଖିଲେ ଯେ, ଶ୍ରୀଯୁକ୍ତ ରୁଡ଼ିନ୍ ମଧ୍ୟ ଆଗରେ ଛିଡ଼ା ହୋଇ ରହିଛନ୍ତି । ଏହି ମାଟିର ଗର୍ଭରୁ ହିଁ ରୁଡ଼ିନ୍ ଆସି ସେଠାରେ ଆବିର୍ଭୂତ ହୋଇଯାଇଥିଲେ କି ! ନାତାଲିଆ ହଠାତ୍ ଆଦୌ କିଛି ହେଲେ ବୁଝି ପାରିଲେ ନାହିଁ । ରୁଡ଼ିନ୍ ତାଙ୍କ ମୁହଁକୁ ହିଁ ଅନାଇ ରହିଥିଲେ ।

 

“ଏକୁଟିଆ ?” —ରୁଡ଼ିନ୍ ପ୍ରଶ୍ନ କରିଥିଲେ ।

 

“ହଁ, ଏକୁଟିଆ” । —ନାତାଲିଆ ଉତ୍ତରରେ କହିଲେ । ମାତ୍ର ମୁଁ ବର୍ତ୍ତମାନ ସିଧା ଘରକୁ ଫେରୁଥିଲି । ଘରକୁ ଫେରିବାର ସମୟ ହୋଇଗଲାଣି ।”

 

“ତେବେ ମୁଁ ମଧ୍ୟ ତୁମ ସାଙ୍ଗରେ ଯିବି ।”

 

ରୁଡ଼ିନ୍ ନାତାଲିଆଙ୍କ ସହିତ ଯିବାକୁ ଲାଗିଲେ ।

 

“ତୁମେ ବେଶ୍ ବିଷର୍ଣ୍ଣ ବୋଧ ହେଉଛ !” —ରୁଡ଼ିନ୍ ପଚାରିଥିଲେ ।

 

“ମୁଁ—ମୁଁ ଏତିକି କହିବାକୁ ଇଚ୍ଛା କରୁଥିଲି ଯେ ଆପଣ ନିଜର ସ୍ଵାଭାବିକ ସ୍ଥିତିରେ ନାହାନ୍ତି ବୋଲି ମୁଁ ଭାବୁଥିଲି ।”

 

“ହୋଇପାରେ—ମୋ’ର ଏହିପର ଅନେକ ସମୟରେ ହିଁ ହୋଇଥାଏ । ମାତ୍ର, ତୁମ ଅପେକ୍ଷା ମୋଠାରେ ସେହି ଅବସ୍ଥାଟି କମ୍ ଧର୍ତ୍ତବ୍ୟ ବୋଲି ମୋ’ର ମତ ।”

 

“କାରଣ ? ଆପଣ କ’ଣ ଭାବୁଛନ୍ତି ବିଷଣ୍ଣ ହେବାଲାଗି ମୋ ଜୀବନରେ କୌଣସି କାରଣ ନାହିଁ ?”

 

“ତୁମ ବୟସରେ ତୁମର ନିଜ ଜୀବନରେ ସର୍ବଦା ସୁଖୀ ହିଁ ରହିଥିବା ଉଚିତ୍ ।”

 

“ଡିମିଟ୍ରି ନିକୋଲାଇଚ୍ ।” —ତା’ପରେ କହିଥିଲେ ।

 

“କହ ।”

 

“ଆପଣଙ୍କର ମନେ ଅଛି—କାଲି ଆପଣ ଯେଉଁ ତୁଳନାଟି କରୁଥିଲେ—, ସେହି ଓକ୍ ବୃକ୍ଷର ?”

 

“ମୋର ମନେ ଅଛି; —କାହିଁକି ?”

 

“ନାତାଲିଆ ସତେ ଅବା ରୁଡ଼ିନ୍‌ଙ୍କର ଅଜାଣତରେ ତାଙ୍କ ଆଡ଼େ ଥରେ ଚାହିଁ ଦେଇଥିଲେ ।

 

“ଆପଣ କ’ଣ ପାଇଁ—ସେହି ତୁଳନାଟିକୁ କରି ଆପଣ ପ୍ରକୃତରେ କ’ଣ କରିବାକୁ ଇଚ୍ଛା କରୁଥିଲେ ?”

 

ରୁଡ଼ିନ୍ ନିଜର ମୁଣ୍ଡଟିକୁ ବଙ୍କା କରି ଆଣିଲେ ଏବଂ ବେଶ୍ ଦୂରକୁ ହିଁ ଆପଣାର ଦୃଷ୍ଟିକୁ ନିବଦ୍ଧ କରି ରଖିଲେ ।

 

“ନାତାଲିଆ ଆଲେକ୍‌ସିୟେଭ୍‌ନା !” ସେ ତାଙ୍କର ସେହି ନିଜସ୍ଵ ଅତ୍ୟନ୍ତ ତୀବ୍ର ତଥା ଅର୍ଥପୂର୍ଣ୍ଣ ସ୍ଵରଶୈଳୀଟି ସହିତ କହିବାକୁ ଆରମ୍ଭ କଲେ, ଯାହାକୁ ଶୁଣିଲେ ଜଣେ ଶ୍ରୋତା ତତ୍‌କ୍ଷଣାତ୍ ଅନୁମାନ କରିବାକୁ ଆରମ୍ଭ କରିବ ଯେ, ଶ୍ରୀ ରୁଡ଼ିନ୍ ପ୍ରକୃତରେ ନିଜର ହୃଦୟ ଭିତରେ ଯାହାସବୁ ଚାବି ପକାଇ ରଖୁଛନ୍ତି, ସିଏ ତାହାର ଦଶଭାଗରୁ ସମ୍ଭବତଃ ଭାଗେ ମଧ୍ୟ ପ୍ରକାଶ କରୁନାହାନ୍ତି, —“କୁମାରୀ ନାତାଲିଆ ଆଲେକ୍‌ଜାଣ୍ଡ୍ରା, ଆପଣ ଖୁବ୍ ଲକ୍ଷ୍ୟ କରିପାରିଥିବେ ଯେ, ମୋ’ ନିଜ ଅତୀତଟା ସମ୍ପର୍କରେ ମୁଁ ପ୍ରାୟ କାହାକୁ କିଛି ହେଲେ କହେ ନାହିଁ । ଏପରି କେତୋଟି ତନ୍ତ୍ରୀ ରହିଛି, ମୁଁ ଯେଉଁଗୁଡ଼ିକୁ କି ଆଦୌ ସ୍ପର୍ଶ ହିଁ କରେନାହିଁ । ମୋର ଏହି ହୃଦୟଟି, ସେଇଟି ମଧ୍ୟରେ କ’ଣ ସବୁ ଘଟିଯାଇଛି, ସେକଥା କିଏ ପ୍ରକୃତରେ କ’ଣ ପାଇଁ ଜାଣିବ ? ସେଗୁଡ଼ିକୁ ଅନ୍ୟମାନଙ୍କୁ ଅବଗତ କରାଇବା ନିମନ୍ତେ ବାହାରେ ପ୍ରକାଶ କରିବା;—ସେହି କଥାଟି ମୋତେ ସର୍ବଦା ସତେ ଅବା ଗୋଟିଏ ଆତ୍ମଦ୍ରୋହ ସଦୃଶ ମନେ ହୋଇଛି । କିନ୍ତୁ, ଆପଣଙ୍କ ପାଖରେ ମୁଁ ଆଦୌ କୌଣସି ସଙ୍କୋଚ ରଖିବାକୁ ଇଚ୍ଛା କରେ ନାହିଁ । ଆପଣଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ଵାସ ରହିଛି... । ମୁଁ କଦାପି ଆପଣଙ୍କ ପାଖରୁ ଲୁଚାଇ ରଖିବି ନାହିଁ ଓ ତେଣୁ ଅବଶ୍ୟ ସ୍ଵୀକାର କରିବି ଯେ, ମୁଁ ମଧ୍ୟ ପ୍ରେମ କରିଛି ଏବଂ ସେଥିପାଇଁ ଅନ୍ୟ ସମସ୍ତଙ୍କ ପରି ଯନ୍ତ୍ରଣା ପାଇଛି... କେବେ ଏବଂ କିପରି ପାଇଛି ? ସେସବୁ ବିଷୟରେ କିଛି କହିଲେ ଆଦୌ କୌଣସି ଲାଭ ହେବ ନାହିଁ । କିନ୍ତୁ ମୋର ହୃଦୟ ବହୁତ ଆନନ୍ଦ ଯେପରି ପାଇଛି, ସେହିପରି ଦୁଃଖ ମଧ୍ୟ ପାଇଛି...” ।

 

ରୁଡ଼ିନ୍ ଦଣ୍ଡେ ରୁକିଗଲେ ।

 

“ମୁଁ ଆପଣଙ୍କୁ କାଲି ଯେଉଁସବୁ କଥା କହିଥିଲି”, —ସେ ପୁନର୍ବାର କହିବାକୁ ଆରମ୍ଭ କଲେ “ବର୍ତ୍ତମାନର ମୋ’ ସ୍ଥିତିଟିର କ୍ଷେତ୍ରରେ ହୁଏତ ପ୍ରାୟ ସେହି କଥାଟିକୁ କୁହାଯାଇପାରିବ । କିନ୍ତୁ ତଥାପି, ସେଗୁଡ଼ିକୁ ପୁନର୍ବାର ଏକ ବର୍ଣ୍ଣନା ଦେଇ କହିବାଦ୍ୱାରା କିଛି ଲାଭ ହେବ ନାହିଁ । ମୋ’ ଜୀବନର ସେହି ଭାଗଟିର ଏକ ଶେଷ ହଁ ହୋଇଯାଇଛି । ଏବଂ କେବଳ ବାକି ରହିଛି ଯେ, ଯେତେ ନୀରସ ଓ ଅବସାଦପୂର୍ଣ୍ଣ ହେଲେ ମଧ୍ୟ ମୋତେ ମୋଡ଼ ପରେ ମୋଡ଼ ଅତିକ୍ରମ କରି ନିଜର ସେହି ଶୁଖିଲା ଧୂଳିରାସ୍ତାଟି ଉପରେ ଅବଶ୍ୟ ଯିବାକୁ ପଡ଼ିବ । ମୁଁ ସତରେ କେଉଁଠି କେବେ ଯାଇ ପହଞ୍ଚିପାରିବି—ଆଦୌ କେଉଁଠାରେ ପହଞ୍ଚିବି ତ—ସେକଥା ସେହି ପରମେଶ୍ଵର ଜାଣନ୍ତି ... ଆଉ ସେ କଥା, ବରଂ ଚାଲନ୍ତୁ ଆପଣଙ୍କ ବିଷୟରେ କିଛି କଥା ହେବା ।”

 

“ମାତ୍ର, ଡ୍ରିମିଟ୍ରି ନିକୋଲାଇଚ୍”, —ମଝିରେ ବାଧା ଦେବା ପରି ନାତାଲିଆ ତାଙ୍କୁ କହିଥିଲେ, “ଆପଣ ଆପଣାର ଜୀବନରୁ ଆଉ କିଛି ହେଲେ ଆଶା କରୁନାହାନ୍ତି, —ତାହା କେବେ ସତ ହୋଇଥିବ କି ?”

 

“ନାଇଁ, ନାଇଁ, ସେକଥା ଆଦୌ ନୁହେଁ । ମୁଁ ବହୁତ କିଛି ଆଶା କରୁଛି, କିନ୍ତୁ ମୋଟେ ନିଜ ପାଇଁ ନୁହେଁ । ...ମୁଁ କାମରେ ଲାଗିବି, —ସେହିପରି ଭାବରେ ସକ୍ରିୟ ରହିବି ଓ ସେଥିରୁ ସନ୍ତୋଷ ଲାଭ କରୁଥିବି । ମୁଁ ଆଦୌ କିଛି, କିଛି ବି ପରିତ୍ୟାଗ କରି ଚାଲି ଆସିବିନାହିଁ । ମାତ୍ର, ମୁଁ ସୁଖନାମକ ସେହି ଦ୍ରବ୍ୟଟିକୁ ପ୍ରକୃତରେ ପରିତ୍ୟାଗ କରିଛି । ମୋର ବହୁ ଆଶା, ବହୁ ସ୍ଵପ୍ନ ଏବଂ ମୋର ସୁଖଲାଭ, —ସେଗୁଡ଼ିକ ମଧ୍ୟରେ କୌଣସି ସଂଲଗ୍ନତା ନାହିଁ । ଏବଂ ପ୍ରେମ, —(ଏହି ଶବ୍ଦଟିକୁ ଉଚ୍ଚାରଣ କରୁଥିବା ସମୟରେ ଶ୍ରୀ ରୁଡ଼ିନ୍‌ଙ୍କର ଦୁଇ ସ୍କନ୍ଧରେ ଏକ କୁଞ୍ଚନ ପରିଲକ୍ଷିତ ହେଉଥିଲା) ମୋ ଜୀବନରେ ସେହି ପ୍ରେମ ପାଇଁ ଆଉ କୌଣସି ସ୍ଥାନ ନାହିଁ । ମୁଁ ସେଥିଲାଗି ଯୋଗ୍ୟ ହିଁ ନୁହେଁ । ଜଣେ ପୁରୁଷ ସହିତ ପ୍ରେମ ପାଶରେ ରହିଥିବା ଜଣେ ନାରୀ ସେହି ପୁରୁଷଠାରୁ ଅବଶ୍ୟ ସବୁକିଛି ହିଁ ଦାବି କରିବ ଏବଂ ବର୍ତ୍ତମାନ ମୁଁ ସେହି ଅର୍ଥରେ ଆପଣାକୁ କଦାପି ଦେଇ ପାରିବି ନାହିଁ । ପୁନଶ୍ଚ, ଏକ ଯୁବକ ବୟସରେ ସିନା କେହି କୌଣସି ପ୍ରେମ ହାସଲ କରିବାକୁ ହିଁ ବାହାରିଥାଏ—ମାତ୍ର ମୁଁ ତ ପ୍ରକୃତରେ ବୁଢ଼ା ମଧ୍ୟ ହୋଇଗଲିଣି । ତେବେ ମୁଁ ବର୍ତ୍ତମାନ ଆଉ କିପରି କାହାର ମନର ଭାବନାକୁ ଆକୃଷ୍ଟ କରିପାରିବି ? ମୋତେ ପରମେଶ୍ୱର ସଦୟ ହୁଅନ୍ତୁ, ଯେପରିକି ମୁଁ ମୋର ମୁଣ୍ଡଟିକୁ ନିଜ କାନ୍ଧ ଉପରେ ସ୍ଥିର କରି ରଖିପାରିବି ?

 

ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କର କଥାଗୁଡ଼ିକୁ ଶୁଣିବା ପରେ ଶ୍ରୀମତୀ ନାତାଲିଆ କହିଥିଲେ, “ମୁଁ ଅବଶ୍ୟ ବୁଝିପାରୁଛି ଯେ, ଜଣେ ମନୁଷ୍ୟ ଯେତେବେଳେ ଆପଣାକୁ ଗୋଟିଏ ଉଚ୍ଚ ଲକ୍ଷ୍ୟ ପାଖରେ ଅର୍ପିତ କରି ଦେଇଥିବ, ସେତେବେଳେ ସିଏ ନିଜ ବିଷୟରେ ଆଦୌ କିଛି ଭାବିବ ନାହିଁ; କିନ୍ତୁ ଜଣେ ନାରୀ କ’ଣ ସେହି ପ୍ରକାର ଜଣେ ପୁରୁଷଙ୍କୁ ପ୍ରକୃତରେ ବୁଝି ପାରିବ ନାହିଁ ? ମୁଁ ତ ତା’ର ଠିକ୍‌ ଓଲଟା କଥାଟିକୁ ହିଁ ଭାବୁଥିଲି । ଜଣେ ନାରୀ ବସ୍ତୁତଃ ଜଣେ ଅହଂକାମୀ ପୁରୁଷ ପାଖରୁ ହିଁ ଖୁବ ଶୀଘ୍ର ନିରାଶ ହୋଇଫେରି ଆସିବ... ତରୁଣ ମାତ୍ରକେ ସମସ୍ତେ—ଆପଣ ଯେଉଁ ଯୁବାମାନଙ୍କ ବିଷୟରେ କହୁଛନ୍ତି, —ଏମାନେ ସମସ୍ତେ ହେଉଛନ୍ତି ଜଣେ ଜଣେ ଅହଂକାମୀ—କେବଳ ନିଜକୁ ହିଁ ଲୋଡ଼ୁଥାନ୍ତି, —ଏପରିକି କାହାକୁ ଭଲ ପାଉଥିବା ସମୟରେ ସେହିପରି କରନ୍ତି-। ଆପଣ ବିଶ୍ୱାସ କରନ୍ତୁ, ଜଣେ ନାରୀ ଯେ କେବଳ ଆତ୍ମତ୍ୟାଗରୁ ସେହି ଅନ୍ୟ ଗୁଣଟି ଉପରେ ଅବଶ୍ୟ ସମୁଚିତ ମୂଲ୍ୟ ଦେଇପାରେ ତା’ ନୁହେଁ, ସିଏ ଆପେ ମଧ୍ୟ ସେହିପରି ଆତ୍ମତ୍ୟାଗ ଲାଗି ସମର୍ଥ ହୋଇପାରେ ।”

 

ସେତେବେଳେ ନାତାଲିଆଙ୍କର ଗାଲ ଦୁଇଟି ବେଶ୍ ରକ୍ତିମ ହୋଇ ଉଠିଥିଲେ, ଆଖିଗୁଡ଼ିକ ମଧ୍ୟରୁ ସତେ ଅବା ଏକ ଆଲୋକର ନିଃସରଣ ହେଉଥାଏ । ରୁଡ଼ିନ୍‌ଙ୍କ ସହିତ ତାଙ୍କର ବନ୍ଧୁତାର ସମ୍ମୁଖରେ ସେ କଦାପି ଏପରି ଗୋଟିଏ ଦୀର୍ଘ ତଥା ଉତ୍ସାହପୂର୍ଣ୍ଣ କଥାର ଅବତାରଣା କରିନଥାନ୍ତେ ।

 

ପ୍ରାୟ ଏକ ସୌଜନ୍ୟସମ୍ପନ୍ନ ଈଷତ୍ ହସକୁ ସୂଚିତ କରାଇ ଆଣି ରୁଡ଼ିନ୍ ଉତ୍ତର ଦେଲେ “ନାରୀମାନଙ୍କ ବିଷୟରେ ରହିଥିବା ମୋ’ର ମତଗୁଡ଼ିକୁ ତ ଆପଣ ଏକାଧିକ ଅବସରରେ ଶୁଣିଛନ୍ତି-। ଆପଣ ଭଲ କରି ଜାଣିଛନ୍ତି ଯେ, ମୋ’ ମତରେ କେବଳ ଜୋନ୍ ଅଫ୍ ଆର୍କ ହିଁ ଫ୍ରାନ୍ସକୁ ରକ୍ଷା କରି ପାରିଥାନ୍ତେ ... ମାତ୍ର, ସେଇଟି ମୋଟେ ଅସଲ କଥା ନୁହେଁ, ଯାହା ବିଷୟରେ କି ମୁଁ ଆପଣଙ୍କୁ କହିବାକୁ ଇଚ୍ଛା କରୁଥିଲି । ଆପଣ ତ ଜୀବନରେ ପ୍ରବେଶ କରିବାର ଦ୍ଵାରଦେଶରେ ଆସି ପାଦ ଦେଇଛନ୍ତି ।... ଆପଣଙ୍କର ଭବିଷ୍ୟଟି ବିଷୟରେ ଆଦୌ କିଛି ବି ଆଲୋଚନା କରିବା ଖୁବ୍ ମନୋରମ ଏବଂ ଲାଭଦାୟକ ମଧ୍ୟ ହୋଇପାରିବ ... ତେବେ ଶୁଣନ୍ତୁ: ମୁଁ ଆପଣଙ୍କର ଜଣେ ବନ୍ଧୁ ବୋଲି ଆପଣ ଜାଣିଛନ୍ତି । ଆପଣଙ୍କର ଯାବତୀୟ କଥାରେ ମୁଁ ପ୍ରାୟ ଆପଣଙ୍କର ଜଣେ ଭାଇ ପରି ଆଗ୍ରହୀ ହୋଇଥାଏ । ତେଣୁ, ମୁଁ ନିଶ୍ଚୟ ଆଶା କରୁଛି ଯେ, ମୋ’ର ଗୋଟିଏ ପ୍ରଶ୍ନକୁ ଶୁଣି ଆପଣ କଦାପି ମୋତେ ଜଣେ ନିତାନ୍ତ ବିବେକ ନଥିବା ମନୁଷ୍ୟ ବୋଲି ବିଚାର କରିବେ ନାହିଁ; କହିଲେ, ଆପଣଙ୍କର ହୃଦୟଟି କ’ଣ ଏବେ ମଧ୍ୟ କୌଣସି ସ୍ପର୍ଶ ପାଇପାରି ନାହିଁ-?”

 

ଶ୍ରୀମତୀ ନାତାଲିଆ ଗୋଟାସୁଦ୍ଧା ହିଁ ଉତେଜିତ ହୋଇ ଉଠିଲେ ଏବଂ କିଛି ଉତ୍ତର ଦେଇ ନଥିଲେ । ରୁଡ଼ିନ୍ ଅଟକି ଠିଆ ହୋଇଗଲେ ଏବଂ ନାତାଲିଆ ମଧ୍ୟ ।

 

“ଆପଣ ମୋ’ ଉପରେ ରାଗିଗଲେ ନାହିଁ ତ ?” —ରୁଡ଼ିନ୍ ପଚାରିଥିଲେ ।

 

“ନାହିଁ, କିନ୍ତୁ ମୁଁ ଏପରି କଥାଟିଏ ଆଶା କରିନଥିଲି—।”

 

ରୁଡ଼ିନ୍ ତା’ପରେ କହିଥିଲେ, “ନାଇଁ, ଆପଣଙ୍କର କୌଣସି ଉତ୍ତର ଦେବାର ପ୍ରୟୋଜନ ନାହିଁ । ଆପଣଙ୍କର ସେହି ଗୁପ୍ତଟିକୁ ମୁଁ ଅବଶ୍ୟ ଜାଣେ ।”

 

ନିଜର ସବୁଯାକ ବଳ ସତେ ଅବା ହଜି ଯାଇଥିବା ପରି ନାତାଲିଆ ଶ୍ରୀ ରୁଡ଼ିନ୍‌ଙ୍କୁ ଅନାଇ ରହିଥିଲେ ।

 

“ହଁ, ହଁ, କିଏ ଆପଣଙ୍କର ହୃଦୟଟିକୁ ଜୟ କରିଛି ମୁଁ ଜାଣିଛି । ଏବଂ ମୁଁ ମଧ୍ୟ ନିଶ୍ଚୟ କହିବି ଯେ ଆପଣ କଦାପି ତାଙ୍କଠାରୁ ଜଣେ ଅଧିକ ଭଲ ବ୍ୟକ୍ତିଙ୍କୁ ପାଇ ବି ନଥାନ୍ତେ । ସିଏ ହେଉଛନ୍ତି ଜଣେ ଖୁବ୍ ଉତ୍ତମ ମନୁଷ୍ୟ, —ଆପଣଙ୍କୁ ମୂଲ୍ୟ ଦେଇ ଜାଣନ୍ତି, —ଜୀବନଦ୍ୱାରା ସିଏ ପେଷି ମଧ୍ୟ ହୋଇଯାଇନାହାନ୍ତି, —ଭାରି ସରଳ ଏବଂ ଭିତରର ହୃଦୟଟା ଅତ୍ୟନ୍ତ ନିର୍ମଳ, —ସିଏ ନିଶ୍ଚୟ ଆପଣଙ୍କୁ ସୁଖ ପ୍ରଦାନ କରିବେ ।”

 

“ଆପଣ କାହା ବିଷୟରେ କହୁଛନ୍ତି, ଶ୍ରୀ ଡିମିଟ୍ରି ନିକୋଲାଇଚ୍ ?”

 

“ଆପଣ ସତରେ ଜାଣି ପାରୁନାହାନ୍ତି ? ମୁଁ ତ ଶ୍ରୀଯୁକ୍ତ ଭୋଲିନ୍ତସେଭ୍‌ଙ୍କ କଥା ହିଁ କହୁଛି । କହିଲେ, ସତ ନୁହେଁ ?

 

ଶ୍ରୀମତୀ ନାତାଲିଆ ରୁଡ଼ିନ୍‌ଙ୍କଠାରୁ ଆପଣାକୁ କିଞ୍ଚିତ୍‍ ଦୂରବର୍ତ୍ତୀ କରି ଦେଉଥିଲେ । ସିଏ ତ ପ୍ରାୟ ସମ୍ପୂର୍ଣ୍ଣ ଭାବରେ କାତର ହୋଇ ପଡ଼ିଥିଲେ ।

 

“ସିଏ ଆପଣଙ୍କୁ ଭଲ ପାଆନ୍ତିନାହିଁ, ଆପଣ ପ୍ରକୃତରେ ସେପରି କଳ୍ପନା କରୁଛନ୍ତି କି ? ସେପରି କଳ୍ପନାର ଆଦୌ କୌଣସି ଅର୍ଥ ନାହିଁ । ସିଏ ନିଜର ଆଖିକୁ ଆପଣଙ୍କଠାରୁ କେବେ ବି ଅପସରାଇ ନିଅନ୍ତି ନାହିଁ । ଆପଣଙ୍କର ସକଳ କିଛିକୁ କେଡ଼େ ଯତ୍ନଶୀଳ ଭାବରେ ନିରୀକ୍ଷଣ ମଧ୍ୟ କରନ୍ତି । ଆପଣ କହିଲେ, ପ୍ରେମକୁ କଦାପି ଗୋପନ କରି ରଖି ହୁଏ କି ? ଏବଂ ଆପଣ ମଧ୍ୟ କେତେ ପ୍ରସନ୍ନ ଓ ଭାବପୂର୍ଣ୍ଣ ଭାବରେ ତାଙ୍କୁ ଭାବନାରେ ନିମଗ୍ନ ହୋଇ ନରହନ୍ତି । ମୁଁ ତ ଯେତେଦୂର ଦେଖି ପାରୁଛି, ଆପଣଙ୍କର ମାଆଙ୍କୁ ମଧ୍ୟ ସିଏ ବେଶ୍ ଭଲ ଲାଗନ୍ତି । ତେଣୁ, ଆପଣଙ୍କର ଏହି ବାଛିବାଟା—” ।

 

“ଶ୍ରୀ ଡିମିଟ୍ରି ନିକୋଲାଇଚ୍” —ନାତାଲିଆ ମଝିଟାରେ ହିଁ କହି ଉଠିଥିଲେ, ଏବଂ ସତେଅବା ଖୁବ୍ କିଛି ଅଡ଼ୁଆରେ ଯାଇ ପଡ଼ିଯାଇଥିବା ପରି ନିଜ ହାତକୁ ପାଖରେ ଅବସ୍ଥିତ ଗୋଟିଏ ଗୁଳ୍ମ ଆଡ଼କୁ ପ୍ରସାରିତ କରି ଦେଇଥିଲେ, “ଏହି ବିଷୟରେ କିଛି କହିପାରିବା ମୋ’ ପାଇଁ ପ୍ରକୃତରେ ବଡ଼ କଷ୍ଟକର, ତଥାପି ଆପଣଙ୍କୁ ମୁଁ ନିର୍ଭର ଦେଇ କହୁଛି ଯେ ଆପଣଙ୍କର କଥାଟି ମୋଟେ ଠିକ୍ ନୁହେଁ ।”

 

“ମୋ’ କଥା ଠିକ୍ ନୁହେଁ ।” —ରୁଡ଼ିନ୍ ପୁନର୍ବାର ବ୍ୟକ୍ତ କରିଥିଲେ । “ମୁଁ ଆଦୌ ସେପରି ଭାବୁନାହିଁ, ଆପଣଙ୍କୁ ମୁଁ ବେଶିଦିନ ହେଲା ଜାଣିନାହିଁ ସତ, କିନ୍ତୁ ତଥାପି ଅତ୍ୟନ୍ତ ଭଲ କରି ବୁଝିଛି ଏବଂ ଇଆଡ଼େ ଯେଉଁ ପରିବର୍ତ୍ତନଟି ଲକ୍ଷ୍ୟ କରୁଛି, ତାହାର ଅର୍ଥ ପୁଣି କ’ଣ ? ମୁଁ ତ ସବୁକିଛିକୁ ପରିଷ୍କାର ଭାବେ ଦେଖିପାରୁଛି । ଆପଣଙ୍କ ସହିତ ମୋ’ର ପ୍ରଥମ ସାକ୍ଷାତ ସମୟରେ, ଅର୍ଥାତ୍ ଛଅ ସପ୍ତାହ ପୂର୍ବେ, ଆପଣଙ୍କୁ ଯେଭଳି ଦେଖିଥିଲି, ବର୍ତ୍ତମାନ ମଧ୍ୟ ଆପଣ ସେହିପରି ଅଛନ୍ତି, ତା ମୁଁ ଭାବୁଛି । କୁମାରୀ ନାତାଲିଆ ଆଲେକ୍‌ସିୟେଭ୍‌ନା, ଆପଣଙ୍କର ହୃଦୟ ଆଦୌ ଖୋଲା ନୁହେଁ ।”

 

“ସମ୍ଭବତଃ ନୁହେଁ” —ନାତାଲିଆ ଜବାବ ଦେଇ କହିଥିଲେ—ତାଙ୍କ ଧୀର କଥାଟିକୁ ପ୍ରାୟ ସ୍ପଷ୍ଟ ଭାବରେ ଶୁଣି ହେଉନଥିଲା । “ତଥାପି, ଆପଣ ସତକଥା କହୁନାହାନ୍ତି ।”

 

“କିପରି ?” ରୁଡ଼ିନ୍ ପଚାରିଥିଲେ ।

 

“ମୁଁ ବର୍ତ୍ତମାନ ଯାଉଛି । ଆପଣ ଆଉ ମୋତେ ଅଧିକ କିଛି ପଚାରନ୍ତୁ ନାହିଁ ।” —ନାତାଲିଆ ଉତ୍ତର ଦେଲେ । ତା’ପରେ ସବେଗ ପାଦମାନ ପକାଇ ଘରଆଡ଼େ ହିଁ ଯିବାକୁ ଲାଗିଲେ ।

 

ଆପଣା ଭିତରେ ସେ ଆପେ ମଧ୍ୟ କ’ଣ ସବୁ ବିଷୟରେ ଅତ୍ୟନ୍ତ ସଚେତନ ହୋଇ ପଡ଼ିଥିଲେ ଓ ତାହା ତାଙ୍କୁ ବେଶ୍ ଭୀତ ମଧ୍ୟ କରି ପକାଇଥିଲା ।

 

ରୁଡ଼ିନ୍ ଟାଉଟାଉ ପାଦ ପକାଇ ତାଙ୍କ ଆଗକୁ ଚାଲି ଯାଇଥିଲେ ଏବଂ ତାଙ୍କୁ ଅଟକାଇଲେ । କହିଥିଲେ, “ନାତାଲିଆ ଆଲେକ୍‌ସିୟେଭ୍‌ନା, —ଆମର ଏହି କଥୋପକଥନ କଦାପି ଏହିପରି ଭାବରେ ଶେଷ ହୋଇପାରିବ ନାହିଁ; କାରଣ ତାହା ମୋ’ ପାଇଁ ମଧ୍ୟ ଅତୀବ ମହତ୍ତ୍ୱପୂର୍ଣ୍ଣ ... ତେବେ ମୁଁ ଆପଣଙ୍କୁ କିପରି ବୁଝିବାକୁ ସମର୍ଥ ହେବି ?”

 

“ମୋତେ ଆପଣ ଯିବାକୁ ଦିଅନ୍ତୁ”, —ନାତାଲିଆ ପୁନର୍ବାର କହିଥିଲେ ।

 

“ନାତାଲିଆ ଆଲେକ୍‌ସିୟେଭ୍‌ନା, ଅବଶ୍ୟ ଟିକିଏ ଦୟା କରନ୍ତୁ ।”

 

ଶ୍ରୀଯୁକ୍ତ ରୁଡ଼ିନ୍ ଯେ ବେଶ୍ ଉତ୍ତେଜିତ ହୋଇଯାଇଥାନ୍ତି, ସେହି କଥାଟି ତାଙ୍କ ମୁହଁରୁ ବେଶ୍ ଜାଣି ହେଉଥିଲା । ସିଏ କ୍ରମେ ବିବର୍ଣ୍ଣ ହୋଇ ଆସୁଥିଲେ ।

 

“ଆପଣ ସବୁ ବୁଝିପାରନ୍ତି, ତେଣୁ ମୋତେ ଅବଶ୍ୟ ବୁଝନ୍ତୁ ।” —ନାତାଲିଆ କହିଲେ, ନିଜର ହାତକୁ ଜୋର କରି କାଢ଼ି ନେଇ ସିଏ ଚାଲି ଯିବାକୁ ଲାଗିଲେ—ଆଦୌ କୁଆଡ଼େ ଅନାଉ ନଥାନ୍ତି ।

 

“କେବଳ ପଦେ ମାତ୍ର କଥା ।” ରୁଡ଼ିନ୍ ପଛରୁ ଡାକିକରି କହିଲେ—ବେଶ୍ ବଡ଼ ପାଟିରେ ।

 

ନାତାଲିଆ ଅଟକିଲେ, ମାତ୍ର ପଛକୁ ମୁହଁ ବୁଲାଇ ଅନାଇ ନଥିଲେ ।

 

“କାଲି ସେପରି ଗୋଟିଏ ତୁଳନା କରି ମୁଁ ପ୍ରକୃତରେ କ’ଣ ସୂଚାଇବାକୁ ଇଚ୍ଛା କରୁଥିଲି, ଆପଣ ସେ କଥା ମୋତେ ପଚାରୁଥିଲେ ନା ! ତେବେ ଶୁଣନ୍ତୁ—କାରଣ ଆପଣଙ୍କୁ ମୁଁ କେବେହେଲେ ଧୋକା ଦେବି ନାହିଁ । ମୁଁ ନିଜ ବିଷୟରେ କହୁଥିଲି, ମୋ’ ଅତୀତଟି ବିଷୟରେ—ଏବଂ ଆପଣଙ୍କ ବିଷୟରେ ।”

 

“ସିଏ ପୁଣି କ’ଣ, —ମୋ’ ବିଷୟରେ ।”

 

“ହଁ, ପୁଣିଥରେ କହୁଛି, ଆପଣଙ୍କ ବିଷୟରେ । ମୁଁ ଆପଣଙ୍କୁ କଦାପି ଧୋକା ଦେବି ନାହିଁ ଏବଂ ମୁଁ ସେତେବେଳେ ଯେଉଁ ଅନୁଭବ ବିଷୟରେ କହୁଥିଲି, ବର୍ତ୍ତମାନ ଆପଣ ସେଇଟିକୁ ନିଶ୍ଚୟ ଜାଣି ମଧ୍ୟ ପାରିବେ । ସେତେବେଳେ ମୁଁ କହିଥିବା ସେହି ନୂତନ ଅନୁଭବଟି...ଏବଂ ଆଜି ପର୍ଯ୍ୟନ୍ତ ତାହାକୁ ବ୍ୟକ୍ତ କରିବା ସକାଶେ ମୋ’ର ଆଦୌ ସାହସ ହୋଇନଥାନ୍ତା... ।”

 

ନାତାଲିଆ ସଙ୍ଗେ ସଙ୍ଗେ ନିଜର ମୁହଁକୁ ଦୁଇ ହାତରେ ଲୁଚାଇ ରଖିଥିଲେ ଏବଂ ନିଜ ଘର ଅଭିମୁଖରେ ତର ତର ହୋଇ ଚାଲି ଯାଇଥିଲେ ।

 

ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କ ସହିତ କଥୋପକଥନଟି ଏପରି ଏକ ଅପ୍ରତ୍ୟାଶିତ ଉପସଂହାରରେ ଯେ ଆସି ପହଞ୍ଚିଥିଲା, ସେଥିରେ ସେ ଘୋର ବିଚଳିତ ହୋଇ ପଡ଼ିଥିଲେ । ଏତେ ଅନ୍ୟମନସ୍କ ଯେ, ଗଲାବେଳେ ବାଟରେ ଭୋଲିନ୍ତସେଭ୍‌ଙ୍କୁ ସଂଯୋଗ ବଶତଃ ଅତିକ୍ରମ କରି ଚାଲିଯାଇଥିଲେ ମଧ୍ୟ ତାଙ୍କୁ ପ୍ରକୃତରେ ମୋଟେ ଦେଖି ହିଁ ପାରିନଥିଲେ । ଭୋଲିନ୍ତସେଭ୍ ମୋଟେ ହଲଚଲ ନହୋଇ ଗୋଟିଏ ଗଛକୁ ଆଉଜି ଠିଆ ହୋଇଥିଲେ । ସିଏ ପ୍ରାୟ ପନ୍ଦର ମିନିଟ୍ ଆଗରୁ ଘରେ ଆସି ପହଞ୍ଚି ଯାଇଥିଲେ ଓ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କୁ ବୈଠକଘରେ ବସିଥିବାର ଦେଖିବାକୁ ପାଇଥିଲେ । ତାଙ୍କ ସହିତ ଅଳ୍ପ କେତେ ପଦ ଶବ୍ଦ ବିନିମୟ ପରେ ସେଠାରୁ ଅତର୍କିତ ଭାବରେ ନିଷ୍କ୍ରାନ୍ତ ହୋଇଗଲେ, —ନାତାଲିଆଙ୍କର ସନ୍ଧାନରେ । ଜଣେ ପ୍ରେମିକର ସ୍ଵଭାବ-ଅନୁମାନ ଦ୍ଵାରା ପରିଚାଳିତ ହୋଇ ଭୋଲିନ୍ତସେଭ୍ ସିଧା ହିଁ ବଗିଚା ଆଡ଼େ ଗଲେ ଏବଂ ନାତାଲିଆ ଓ ରୁଡ଼ିନ୍‌ଙ୍କୁ ଆବିଷ୍କାର କରିପାରିଲେ । ଠିକ୍ ସେହି କ୍ଷଣଟିରେ, ଯେତେବେଳେ ନାତାଲିଆ ନିଜର ହାତଟିକୁ ରୁଡ଼ିନ୍‌ଙ୍କ ହାତରୁ ଜୋର୍ କରି ବାହାର କରି ନେଉଥିଲେ । ତାଙ୍କର ଆଖିଗୁଡ଼ିକ ଉପରକୁ ସତେ ଅବା ଅନ୍ଧାରର ଗୋଟାଏ ପରସ୍ତ ମାଡ଼ି ଆସିଲା ପରି ଲାଗିଲା । ବର୍ତ୍ତମାନ ନାତାଲିଆଙ୍କୁ ଦେଖି ଗଛଟି ପାଖରୁ ରାସ୍ତାକୁ ଆସି ଆଗକୁ ପ୍ରାୟ ଦୁଇ ଖୋଜ ବାଟ ଆସିଯାଇଥିଲେ । କୁଆଡ଼େ ଏବଂ କାହିଁକି ଯେ ଯାଉଛନ୍ତି, ଆଦୌ କିଛି ହିଁ ଜାଣି ନଥିଲେ । ରୁଡ଼ିନ୍ ତାଙ୍କୁ ଦେଖିବାକୁ ପାଇଲେ । ସିଏ ପ୍ରକୃତରେ ତାଙ୍କରି ଆଡ଼େ ହିଁ ଆସୁଥିଲେ । ଉଭୟେ ଉଭୟଙ୍କର ମୁହଁକୁ ସିଧା ଅନାଇ ରହିଥିଲେ । ନିଜ ନିଜ ମସ୍ତକକୁ ନତ କରି ଆଣିଥିଲେ ଏବଂ ତା’ପରେ ନୀରବରେ ହିଁ ବାହାରି ଯାଇଥିଲେ ।

 

“ଏତିକିରେ ଏହାର ମୋଟେ କୌଣସି ସମାପ୍ତି ଘଟିବ ନାହିଁ ।” —ଦୁହେଁ ହିଁ ହୁଏତ ଭାବୁଥିଲେ ।

 

ଭୋଲିନ୍ତସେଭ୍ ଯାଉ ଯାଉ ଉଦ୍ୟାନର ଶେଷ ସୀମାଟିରେ ଯାଇ ପହଞ୍ଚି ଯାଇଥିଲେ । ନିଜ ଭିତରେ ଅତ୍ୟନ୍ତ ଦୁଃଖୀ ହୋଇରହିଥାନ୍ତି । ସତେ ଅବା କିଞ୍ଚିତ୍‍ ଅସୁସ୍ଥ ହୋଇପଡ଼ି ଥାଆନ୍ତି । ହୃଦୟ ଭିତରେ ସତେ ଅବା କ’ଣ ଗୋଟାଏ ଭାରି ବୋଝ ଲଦା ହୋଇ ରହିଥାଏ । ଏବଂ ମଝିରେ ମଝିରେ ଶରୀରର ରକ୍ତଟା ଥାଇ ଥାଇ ଭିତରୁ ଛୁରୀଟାଏ ଭୁଷି ଦେଉଥିବା ପରି ବୋଧ ବି ହେଉଥାଏ । ପୁଣି ଅଳ୍ପ ଅସରାଏ ବର୍ଷା ହୋଇଗଲା । ରୁଡ଼ିନ୍‌ ମଧ୍ୟ ନିଜ କୋଠରୀ ଉଦ୍ଦେଶ୍ୟରେ ବାହୁଡ଼ି ଆସୁଥିଲେ । ସିଏ ମଧ୍ୟ କମ୍ ବିକ୍ଷୁବ୍ଧ ହୋଇ ପଡ଼ିନଥିଲେ । ତାଙ୍କର ଭାବନାଗୁଡ଼ିକ ଭିତରେ ସତେ ଅବା ଗୋଟିଏ ଗୋଟିଏ ଚକ୍ ପରି ବୁଲିବାରେ ଲାଗିଥାନ୍ତି । ଜଣେ ତରୁଣ ଓ ସତକୁ ସତ ଅନୁଗତ ହୃଦୟ ସହିତ ଏପରି ଅପ୍ରତ୍ୟାଶିତ ଭାବରେ ପୂର୍ଣ୍ଣ ବିଶ୍ୱସନୀୟ ଏକ ସମ୍ପର୍କର ସ୍ଥାପନ ହୋଇଯିବା, —ଏହି ଘଟଣାଟି ତ ଯେକୌଣସି ବ୍ୟକ୍ତିର ଚିତ୍ତକୁ କେବଳ ଅଶାନ୍ତ ହିଁ କରି ପକାଇବ-!

 

ଖାଇବା ଟେବୁଲ୍ ଉପରେ ସେଦିନ ସତେ ଅବା ସବୁକିଛି ଗୋଳମାଳିଆ ହିଁ ହୋଇ ଯାଇଥିଲା । ଗୋଟାସୁଦ୍ଧା ବିବର୍ଣ୍ଣ ଦେଖାଯାଉଥିବା ନାତାଲିଆ ନିଜ ବସିବା ଜାଗାରେ ସ୍ଥିର ହୋଇ ବସି ପାରୁନଥାନ୍ତି । ନିଜ ଆଖିଗୁଡ଼ିକୁ ଉପରକୁ ମଧ୍ୟ କରୁନଥାନ୍ତି । ଭୋଲିନ୍ତସେଭ୍ ସବୁଦିନ ପରି ତାଙ୍କ ସେପାଖକୁ ଆସୀନ ରହିଥିଲେ ଏବଂ ମଝିରେ ମଝିରେ ତାଙ୍କ ସହିତ ସତେଅବା ବାଧା ହେଲା ପରି କଥାବାର୍ତ୍ତା ହେଉଥିଲେ । ସଂଯୋଗ ବଶତଃ ପିଗାସୋଭ୍‌ଙ୍କୁ ମଧ୍ୟ ଭୋଜନ ସକାଶେ ଶ୍ରୀମତୀ ଦରିଆଙ୍କର ଗୃହକୁ ନିମନ୍ତ୍ରଣ କରାଯାଇଥିଲା । ଖାଇବା ଟେବୁଲ୍ ଉପରେ ସେଦିନ ହୁଏତ ସେଇ ଅନ୍ୟମାନଙ୍କ ଅପେକ୍ଷା ଅଧିକ କଥା କହୁଥିଲେ । ନାନା ପ୍ରସଙ୍ଗ ମଧ୍ୟରେ ସିଏ ଏକଥାଟି ମଧ୍ୟ କହିବାକୁ ଆରମ୍ଭ କରିଥିଲେ ଯେ, କୁକୁରମାନଙ୍କ ପରି ମନୁଷ୍ୟମାନଙ୍କୁ ମଧ୍ୟ ଖଣ୍ଡି-ଲାଙ୍ଗୁଡ଼ ଏବଂ ଲମ୍ବ ଲାଙ୍ଗୁଡ଼, ଏହିପରି ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ । ମନୁଷ୍ୟମାନେ ହୁଏତ ମୂଳରୁ ହିଁ ଖଣ୍ଡି-ଲାଙ୍ଗୁଡ଼ ହୋଇ ଜନ୍ମଗ୍ରହଣ କରିଥାଆନ୍ତି ଅଥବା ଆପଣା ଦୋଷରୁ ମଧ୍ୟ ଖଣ୍ଡି-ଲାଙ୍ଗୁଡ଼ ହୁଅନ୍ତି । ଖଣ୍ଡିଲାଙ୍ଗୁଡ଼ମାନେ ବଡ଼ ଶୋଚନୀୟ ସ୍ଥିତିରେ ଥାଆନ୍ତି, କୌଣସି କିଛିରେ ହିଁ ସଫଳତା ହାସଲ କରିପାରନ୍ତି ନାହିଁ, ଏବଂ ସେମାନଙ୍କର ନିଜ ଉପରେ କୌଣସି ବିଶ୍ଵାସ ନଥାଏ । କିନ୍ତୁ, ଅନ୍ୟ ପକ୍ଷରେ, ଯେଉଁମାନଙ୍କର ଲମ୍ବା ଏବଂ ଲୋମଶ ଲାଙ୍ଗୁଳଟିଏ ରହିଥାଏ, ସେମାନେ ସବୁବେଳେ ଭାରି ଖୁସି ଥାଆନ୍ତି । ଖଣ୍ଡିଲାଙ୍ଗୁଡ଼ମାନଙ୍କ ତୁଳନାରେ ସିଏ ଏପରିକି ଅଳ୍ପ ବଳ ଏବଂ ଅଳ୍ପଯୋଗ୍ୟ ହୋଇଥାଉ ପଛକେ ମାତ୍ର, ଆପଣା ଉପରେ ବିଶ୍ଵାସ ରହିଥାଏ, —କେଡ଼େ ମୁକ୍ତ ଚିତ୍ତ ହୋଇ ସିଏ ନିଜ ଲାଙ୍ଗୁଡ଼ଟିକୁ ପ୍ରଦର୍ଶିତ କରେ ଏବଂ ଅନ୍ୟମାନେ ସର୍ବଦା ତାକୁ ପ୍ରଶଂସା ବି କରୁଥାଆନ୍ତି ଏବଂ ଏହି ବିଷୟରେ ବିସ୍ମୟ ପ୍ରକାଶ କରିବାର କାରଣ ଅବଶ୍ୟ ରହିଛି, ଅବଶ୍ୟ, ଏକଥା ମଧ୍ୟ ସତ ଯେ ସେହି ଲାଙ୍ଗୁଳଟା ମନୁଷ୍ୟ ଶରୀରର ଆଦୌ କୌଣସି କାମରେ ହିଁ ଲାଗେ ନାହିଁ । ଏହାର ପ୍ରକୃତରେ କେଉଁ ପ୍ରୟୋଜନ ରହିଛି ବୋଲି ନିଶ୍ଚୟ ସମସ୍ତେ ସ୍ଵୀକାର ମଧ୍ୟ କରିବେ-। ମାତ୍ର, ବସ୍ତୁତଃ ଆପଣାର ସେହି ଲାଙ୍ଗୁଡ଼ଟିକୁ ମାପକାଠି ରୂପେ ବ୍ୟବହାର କରି ହିଁ ଲୋକମାନେ ଆପଣାର ସାମର୍ଥ୍ୟଗୁଡ଼ିକର ବିଚାର କରିଥାନ୍ତି । ପିଗାସୋଭ୍ ସତେଅବା ଏକ ଦୀର୍ଘ ନିଃଶ୍ୱାସ ତ୍ୟାଗ କରି ଅବଶେଷରେ କହିଥିଲେ, “ମୁଁ ନିଜେ ହେଉଛି ସେହି ଖଣ୍ଡି ଲାଙ୍ଗୁଡ଼ ଶ୍ରେଣୀର ଜଣେ ବ୍ୟକ୍ତି ଏବଂ ସବୁଠାରୁ ବଡ଼ ବିରକ୍ତିଦାୟକ ଘଟଣାଟି ହେଉଛି ଯେ, ମୁଁ ଆପେ ହିଁ ନିଜ ଲାଙ୍ଗୁଡ଼ଟିକୁ ଏହିଭଳି ଖଣ୍ଡି ଆକାରର କରି ରଖିଛି ।”

 

ବେଶ୍ ବେଖାତିର ଭାବରେ ରୁଡ଼ିନ୍‌ ଏକ ମନ୍ତବ୍ୟ ଦେଇ କହିଥିଲେ, “ଅର୍ଥାତ୍, ଆପଣ କହିବାକୁ ଚାହୁଛନ୍ତି ଯାହା ଆପଣଙ୍କ ବହୁ ପୂର୍ବରୁ ଜଣେ ଫରାସୀ ବ୍ୟକ୍ତି ମଧ୍ୟ ଏକଦା କହିଥିଲେ : “ତୁମେ ନିଜକୁ ବିଶ୍ଵାସ କରି ଶିଖ, ତେବେ ଅନ୍ୟମାନେ ମଧ୍ୟ ନିଶ୍ଚୟ ତୁମକୁ ବିଶ୍ଵାସ କରିବେ । ତେଣୁ, ଏହି କଥାଟି କହିବା ପାଇଁ ଲାଙ୍ଗୁଡ଼ଟିର ପ୍ରସଙ୍ଗଟିକୁ କ’ଣ ପାଇଁ ଅଣାଗଲା ସେକଥାକୁ ମୁଁ ଆଦୌ ବୁଝିପାରୁନାହିଁ ।”

 

ସେକଥାଟି ଶୁଣି ଭୋଲିନ୍ତସେଭ୍ ସମ୍ପୂର୍ଣ୍ଣ ତୀକ୍ଷ୍ଣ ଭାବରେ କହିଥିଲେ, “ଯିଏ ଯେପରି ଭାବରେ କହିବାକୁ ଇଚ୍ଛା କରୁଛି ତାକୁ ଠିକ୍‍ ସେହିପରି ଭାବରେ ହିଁ କହିବାକୁ ସ୍ଵାଧୀନତା ଦିଆଯିବା ମଧ୍ୟ ଉଚିତ୍ । ଆମେ ବେଳେ ବେଳେ ସ୍ଵେଚ୍ଛାଚାରିତା ବିଷୟରେ ଯେପରି କହିଥାଉ—ମୋ’ ମତରେ, ଆମ ଭିତରେ ଯେଉଁ ତଥାକଥିତ ଚତୁର ମନୁଷ୍ୟମାନେ ଥାଆନ୍ତି, ସେମାନଙ୍କର ସ୍ଵେଚ୍ଛାଚାରିତାଟା ହେଉଛି ସବୁଠାରୁ ଅଧିକ ନିନ୍ଦନୀୟ !” —ଏକଥା କହୁଥିବା ସମୟରେ ତାଙ୍କର ଆଖିମାନେ ସତେ ଅବା ଦପ ଦପ ହୋଇ ଜଳିବାରେ ଲାଗି ଥାଆନ୍ତି ।

 

ଭୋଲିନ୍ତସେଭ୍‌ଙ୍କର ମୁହଁରୁ ଉଚ୍ଚାରିତ ହୋଇଥିବା ଏହି ହଠାତ୍ ଉଦ୍‌ଗାରଟିକୁ ଶୁଣି ସମସ୍ତେ ବଡ଼ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମସ୍ତେ ସମ୍ପୂର୍ଣ୍ଣ ନୀରବ ରହି ହିଁ ସେହି କଥାଗୁଡ଼ିକୁ ଶୁଣିଥିଲେ । ରୁଡ଼ିନ୍ ଭୋଲିନ୍ତସେଭ୍‌ଙ୍କ ଆଡ଼କୁ ଅନାଇବା ପାଇଁ ଚେଷ୍ଟା କଲେ, ମାତ୍ର ନିଜର ଆଖି ଗୁଡ଼ିକୁ ଆଦୌ ନିଜ ନିୟନ୍ତ୍ରଣରେ ରଖି ପାରିନଥିଲେ ଏବଂ ତେଣୁ ଆଦୌ ମୁହଁ ନଖୋଲି ସେହି ସ୍ଥାନଟିକୁ ତ୍ୟାଗ କରିଥିଲେ ।

 

“ଆରେ, ତୁମେ ମଧ୍ୟ ବିଚରା ନିଜ ଲାଙ୍ଗୁଡ଼ଟିକୁ କୁଆଡ଼େ ହଜାଇ ଆସିଛ ।” —ଶ୍ରୀ ପିଗାସୋଭ୍ ଚିନ୍ତା କରୁଥିଲେ । ଏବଂ ନାତାଲିଆଙ୍କର ହୃଦୟଟି ମଧ୍ୟ ଭୟରେ ପୂର୍ଣ୍ଣ ହୋଇ ରହିଥିଲା । ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ବେଶ୍ କୌଣସି ଗୋଲକ ଧନ୍ଦାରେ ପଡ଼ି ଯାଇଥିବା ପରି ଆପଣାର ଆଖି ଦୁଇଟିକୁ ଲମ୍ବାଇ ଦେଇ ଭୋଲିନ୍ତସେଭ୍‌ଙ୍କ ଆଡ଼କୁ କଟମଟ କରି ଅନାଇଥିଲେ । ପରିଶେଷରେ ସିଏ ହିଁ ମୁହଁ ଖୋଲିଥିଲେ । କୌଣସି ଜଣେ ମନ୍ତ୍ରୀଙ୍କର ଗୋଟିଏ ପୋଷା ଅସାଧାରଣ କୁକୁରଟିଏ ବିଷୟରେ ସେ ବେଶ୍ ବର୍ଣ୍ଣନାଟିଏ ଦେଇ ସମସ୍ତଙ୍କୁ ଶୁଣାଇବାକୁ ଲାଗିଲେ ।

 

ଭୋଜନ ପରେ ଭୋଲିନ୍ତସେଭ୍ ସେଠାରୁ ତୁରନ୍ତ ବାହାରି ଯାଇଥିଲେ । ନାତାଲିଆଙ୍କଠାରୁ ବିଦାୟ ନେଉଥିବ ସମୟରେ ସେ ସତେଅବା ଅଗତ୍ୟା ହିଁ କହିଥିଲେ !

 

“କିନ୍ତୁ ତୁମେ କାହିଁକି ଏପରି ଅପ୍ରତିଭ ହୋଇଯାଇଛ, ସତେ ଯେପରି କାହା ପାଖରେ କୌଣସି ଭୁଲ୍ କରି ପକାଉଥିବା ପରି !”

 

ନାତାଲିଆ ପ୍ରକୃତରେ ମୋଟେ କିଛି ବୁଝି ପାରିନଥିଲେ ଏବଂ ତେଣୁ ତାଙ୍କ ଆଡ଼କୁ କେବଳ ଚାହିଁ ହିଁ ରହିଥିଲେ । ଚାହା-ପାନ ପୂର୍ବରୁ ହିଁ ରୁଡ଼ିନ୍ ତାଙ୍କ ପାଖକୁ ପୁନର୍ବାର ମଧ୍ୟ ଯାଇଥିଲେ ଏବଂ ସତେଅବା କିଛି କାଗଜାଜ୍ ପରଖି ଦେଖିବା ଭଳି ଟେବୁଲ ଉପରକୁ ନଇଁପଡ଼ି ତାଙ୍କର କାନ ପାଖରେ କହିଥିଲେ :

 

“ହଁ ସବୁକିଛି ଏକ ସ୍ଵପ୍ନ ପରି ହିଁ ଘଟିଯାଇଛି, ନୁହେଁ ? ତୁମ ସହିତ ମୋ’ର ଏକ ସାକ୍ଷାତ ହେବ ଏକାନ୍ତ ଆବଶ୍ୟକ, —ତୁମ ପାଖରେ ଆଉ କେହି ବି ଉପସ୍ଥିତ ନଥିବା ସମୟରେ । ହଁ, ଗୋଟିଏ ମିନିଟ୍ ପାଇଁ ହେଲେ ମଧ୍ୟ ଚଳିବ ।” ତା’ପରେ, କୁମାରୀ ବନକୋର୍ଟ୍‍ଙ୍କୁ ଉଦ୍ଦେଶ୍ୟ କରି ସେ କହିଥିଲେ, “ଆପଣ ଯେଉଁ ଲେଖାଟି କଥା କହିଥିଲେ ମୁଁ ସେଇଟିକୁ ମଧ୍ୟ ଆଣିଛି” । ଏବଂ ପୁନର୍ବାର ନାତାଲିଆଙ୍କ ଆଡ଼କୁ ନଇଁ ପଡ଼ି ଧୀର ସ୍ଵରରେ ତାଙ୍କର କାନ ପାଖରେ “ହଁ, ଦଶଟା ପାଖାପାଖି ତୁମେ ଖୋଲାଛାତରେ ହାଇଲାକ୍ ଗଛପାଖରେ ପହଞ୍ଚିବାକୁ ଚେଷ୍ଟା କରିବ । ମୁଁ ସେଠାରେ ତୁମପାଇଁ ଅପେକ୍ଷା କରିଥିବି ।”

 

ସେଦିନ ସନ୍ଧ୍ୟାରେ ଶ୍ରୀ ପିଗାସୋଭ୍ ହିଁ ନାୟକର ଭୂମିକା ଗ୍ରହଣ କରିଥିଲେ । ରୁଡ଼ିନ୍ ପ୍ରକୃତରେ ତାଙ୍କୁ ସେଥିପାଇଁ କ୍ଷେତ୍ରଟିକୁ ଛାଡ଼ି ଦେଇଥିଲେ । ଏବଂ ନାୟକର ଭୂମିକାରେ ରହି ସେ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କୁ ପ୍ରଭୂତ ମନୋରଞ୍ଜନ ଯୋଗାଇ ଦେଇପାରିଲେ । ସର୍ବପ୍ରଥମେ ତାଙ୍କୁ ଆପଣାର ଜଣେ ପ୍ରତିବେଶୀଙ୍କର କାହାଣୀ କହିଲେ ଯିଏକି ଦୀର୍ଘ ତିରିଶବର୍ଷ କାଳ ନିଜ ପତ୍ନୀଙ୍କର ହେପାଜତରେ ପୂର୍ଣ୍ଣବଶ ହୋଇ ରହି କ୍ରମେ ଏପରି ଭୟଙ୍କର ପରିମାଣରେ ସ୍ତ୍ରୈଶ ହୋଇ ପଡ଼ିଥିଲେ ଯେ, ଦିନେ ପିଗୋସୋଭ୍ ସେଠାରେ ଉପସ୍ଥିତ ଥିଲାବେଳେ ଗୋଟିଏ କର୍ଦ୍ଦମାକ୍ତ ସ୍ଥାନକୁ ପାରିହେଉଥିବା ସମୟରେ ଅତ୍ୟନ୍ତ ଭୟ ଲଣ୍ଡଭଣ୍ଡ ଭାବରେ ନିଜର ହାତ ବଢ଼ାଇ ଦେଇ ତାଙ୍କ କୋଟ୍‌ର କୋଣଟାକୁ ଯାବୁଡ଼ି ଧରିଥିଲେ, ଠିକ୍ ଯେପରି ନାରୀମାନେ ହିଁ ଆପଣାର ପରିଧାନକୁ ହାତମୁଠାରେ ଯାବୁଡ଼ି ଧରିଥାନ୍ତି । ତା’ପରେ ସେ ବିକଳରେ ଆଉଜଣେ ବ୍ୟକ୍ତିଙ୍କ ଆଡ଼କୁ ବୁଲି ପଡ଼ିଥିଲେ, ଯିଏକି ଅତ୍ୟନ୍ତ ପରିମାଣରେ ସ୍ପର୍ଶକତାର ଥିଲେ । ହଁ, ସେହି ବ୍ୟକ୍ତି ପୁଣି ଜଣେ ବ୍ୟାଙ୍କ୍‌ ବ୍ୟବସାୟୀ ହେବାକୁ ମଧ୍ୟ ଇଚ୍ଛା କରୁଥିଲେ ।

 

କିନ୍ତୁ, ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ସମ୍ଭବତଃ ସର୍ବାଧିକ ପରିମାଣରେ ଆମୋଦିତ ଅନୁଭବ କରିଥିଲେ, ଯେତେବେଳେ ଶ୍ରୀଯୁକ୍ତ ପିଗାସୋଭ୍ ପ୍ରେମ ବିଷୟରେ ଗୋଟିଏ ଦୀର୍ଘ ଖାସ୍ ଚର୍ଚ୍ଚା ମଧ୍ୟ ଆରମ୍ଭ କରିଦେଲେ । ସେ ପ୍ରତିପାଦିତ କରିଥିଲେ ଯେ ସିଏ ମଧ୍ୟ କାହାର କବଳରେ ଏକଦା ଯାଇ ପଡ଼ିଛନ୍ତି ଏବଂ ଜଣେ ଜର୍ମାନ୍ ମହିଳା ତାଙ୍କୁ କେଡ଼େ କଅଁଳ ଗେହ୍ଲା ଏକ ନାଆଁ ବି ଦେଇ ସମ୍ବୋଧନ କରିବାକୁ ଆରମ୍ଭ କରିଦେଇଥିଲେ । ଶ୍ରୀମତୀ ଦରିଆ ତ ଖୁବ୍ ଉପଭୋଗ କରିବାରେ ଲାଗିଥାନ୍ତି, —କିନ୍ତୁ ଶ୍ରୀଯୁକ୍ତ ପିଗାସୋଭ୍‍ ପ୍ରକୃତରେ ସତ ହିଁ କହୁଥାନ୍ତି । ସିଏ ବସ୍ତୁତଃ ଆପଣାର ବିଜୟ କାହାଣୀଗୁଡ଼ିକୁ ବର୍ଣ୍ଣନା କରି ବେଶ୍ ଗର୍ବ ଅନୁଭବ କରିବାକୁ ହିଁ ଇଚ୍ଛା କରୁଥାନ୍ତି । ସେ ଦୃଢ଼ଭାବରେ କହୁଥିଲେ ଯେ, ଜଣେ ବ୍ୟକ୍ତି ପ୍ରକୃତରେ ଆପେ ବାଛିଥିବା ଯେକୌଣସି ନାରୀକୁ ପ୍ରୀତିପାଶରେ ବାନ୍ଧି ଆଣିବାରେ ନିଶ୍ଚୟ ସଫଳତା ଲାଭ କରିପାରିବ ଏବଂ ସେହି ବ୍ୟାପାରଟିର ସହଜ ଉପାୟଟି ହେଉଛି ଯେ, ତୁମେ ମାତ୍ର ଦଶଟା ଦିନ ସକାଶେ ବାରବାର ସେହି ନାରୀଙ୍କୁ କହିବାରେ ଲାଗିଥିବ ଯେ ତାଙ୍କର ଅଧରରୁ ପ୍ରକୃତରେ ଅମୃତ ହିଁ ଝରିବାରେ ଲାଗିଛି ଏବଂ ତାଙ୍କର ଆଖିଗୁଡ଼ିକ ସତକୁ ସତ କେତେ ନା କେତେ ଆନନ୍ଦ ହିଁ ପ୍ରଦାନ କରୁଛନ୍ତି । ହଁ, ପୁଣି କହୁଥିବ ଯେ, ତାଙ୍କ ପାଖରେ ତ ସମଗ୍ର ପୃଥିବୀର ନାରୀମାନେ ତୁଚ୍ଛା ଗୋଟାଏ ଗୋଟାଏ ଅଖାବସ୍ତା ସଦୃଶ ହିଁ ପ୍ରତୀତ ହେବେ । ଏବଂ ଦେଖିବ, ଏକାଦଶ ଦିନରେ ହିଁ ସିଏ ଅବଶ୍ୟ ଆପେ ଆସି କହିବେ ଯେ ତାଙ୍କ ଅଧରରୁ ବସ୍ତୁତଃ ଅଧରା ଝରୁଛି ଏବଂ ତାଙ୍କର ଆଖିଗୁଡ଼ିକ ପ୍ରକୃତରେ ଆନନ୍ଦବର୍ଷଣ ହିଁ କରୁଛନ୍ତି । ଏବଂ ସିଏ ସେତେବେଳକୁ ନିଶ୍ଚିତଭାବରେ ତୁମର ପ୍ରେମରେ ପଡ଼ି ଯାଇଥିବେ । ହଁ, ଏହି ପୃଥିବୀରେ ଯେକୌଣସି ଘଟଣା, ଅଲବତ୍ ଘଟିପାରେ ଏବଂ ତେଣୁ ପିଗାସୋଭ୍ ଯେ ସତକଥା କହୁନାହାନ୍ତି, ସେକଥା କିଏ କ’ଣ ପାଇଁ ଦାବି କରିବ ?

 

ସାଢ଼େ ନଅଟା ବାଜିବା ବେଳକୁ ହିଁ ରୁଡ଼ିନ୍ ଉଦ୍ୟାନର ସେହି ନିର୍ଦ୍ଦିଷ୍ଟ ଥାନଟିରେ ଯାଇ ପହଞ୍ଚି ଯାଇଥିଲେ । ଆକାଶର ସେହି ବିବର୍ଣ୍ଣ ଓ ବହୁଦୂର ଗଭୀରଗୁଡ଼ିକରେ ତାରାମାନଙ୍କର ଆବିର୍ଭାବ ଘଟି ସାରିଥାଏ, ଅସ୍ତାଚଳରେ ଏକ ରକ୍ତିମ ଛିଟା ତଥାପି ଝଲସି ବିଦ୍ୟମାନ ଥାଏ ଏବଂ ସେଠାରେ ଦିଗ୍‌ବଳୟଟି ମଧ୍ୟ ବେଶ୍ ଅଧିକ ଉଜ୍ଜ୍ଵଳ ଏବଂ ପରିଷ୍କାର ମଧ୍ୟ ଦିଶୁଥାଏ । ଏକ କ୍ରନ୍ଦନରତ ଭୁର୍ଜଗଛର କୃଷ୍ଣ ଶାଖାଜାଲଟି ଭିତରୁ ଗୋଟିଏ ଅର୍ଦ୍ଧବୃତ୍ତାକୃତି ଚନ୍ଦ୍ରମା ସୁନା ରଙ୍ଗର ବିକିରଣ ବି କରୁଥିଲା । ଅନ୍ୟ ବୃକ୍ଷମାନେ ସତେ ଅବା ଗୋଟିଏ ଗୋଟିଏ ଅସୁରର କରାଳମୂର୍ତ୍ତି ଧାରଣ କରି ଦଣ୍ଡାୟମାନ ରହିଥାନ୍ତି । ସତେ ଅବା ହଜାର ହଜାର ଫାଙ୍କ ଜାଗା ଏତେଗୁଡ଼ିଏ ଆଖି ଭଳି ହୁଏତ ଚାହିଁ ରହିଥାଆନ୍ତି । ଅଥବା, ସେମାନେ ଘନ ତମ୍ରିସା ମଧ୍ୟରେ ହିଁ କୁଆଡ଼େ ଯାଇ ବୁଡ଼ି ରହିଥାନ୍ତି । ଗୋଟିଏ ପତ୍ର ମଧ୍ୟ ସେତେବେଳେ ହଲୁ ନଥାଏ; ଲାଇଲାକ୍ ଓ ଆକାଶିଆ ବୃକ୍ଷଗୁଡ଼ିକର ସବା ଅଗ ଡାଳମାନେ ସତେ ଅବା ଏକ କଦୁଷ୍ଣ ବାୟୁ ବିସ୍ତାର ମଧ୍ୟକୁ ଊର୍ଦ୍ଧ୍ଵକୁ ପ୍ରସାରିତ ହୋଇ ଯାଇଥାନ୍ତି ।ସେମାନେ ସତେଅବା କ’ଣ ସବୁ ଶୁଣିବାରେ ବ୍ୟସ୍ତ ହୋଇ ବି ରହିଥିଲେ କି ? ଘରଟା ତ ଇହାଦେ ଗୋଟିଏ ତୁଚ୍ଛା କଳା ମୁଣ୍ଡିଆଟିଏ ପଡ଼ି ଦେଖା ଯାଉଥାଏ ଏବଂ ଯେଉଁଠି ଝରକାମାନ ଖୋଲା ରହିଥିଲେ ସେଠାରେ ପୁଳାଏ ପୁଳାଏ ଆଲୁଅ ଅବଶ୍ୟ ଦୃଷ୍ଟିଗୋଚର ହେଉଥାନ୍ତି । ସନ୍ଧ୍ୟାସମୟଟି ବଡ଼ ମଧୁର ଏବଂ ଶାନ୍ତ ହୋଇ ରହିଥାଏ; ମାତ୍ର, ସେହି ଶାନ୍ତିର ଗର୍ଭଟି ମଧ୍ୟରେ କାମନାର ହିଁ ଏକ ଗୁପ୍ତ ଖରଶ୍ଵାସ ମଧ୍ୟ ବେଶ୍ ଅନୁଭୂତ ହେଉଥାଏ ।

 

ରୁଡ଼ିନ୍ ଠିଆ ହୋଇ ରହିଥିଲେ । ତାଙ୍କର ବାହୁଦୁଇଟି ଛାତି ଉପରେ ହିଁ ବେଷ୍ଟିତ ହୋଇରହିଥାନ୍ତି । ତେଣେ ହୃଦୟ ଭିତରେ ଦ୍ରୁତ ସ୍ପନ୍ଦନଟିଏ ଲାଗି ରହିଥିଲା ଏବଂ ପ୍ରକୃତରେ ବେଶ୍ ଚେଷ୍ଟା କରି ସିଏ ଆପଣାର ନିଃଶ୍ଵାସକୁ ଅଟକାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ତା’ପରେ ସେ ଆଲୋକର ଧ୍ଵନିଟିକୁ ଶୁଣିବାକୁ ବି ପାଇଲେ, ହିଁ, କିଏ ତରତର ପାଦରେ ଆସୁଥିବା ପଡ଼ି ଅନୁଭବ ହେଉଥିଲା । ନାତାଲିଆ ସେହି ଉଦ୍ୟାନ ଭିତରେ ପ୍ରବେଶ କରିଥିଲେ ।

 

ରୁଡ଼ିନ୍ ମଧ୍ୟ କେଡ଼େ ବେଗରେ ତାଙ୍କ ଆଡ଼କୁ ଦଉଡ଼ିଗଲେ, ତାଙ୍କର ହାତ ଦୁଇଟିକୁ ନିଜ ହାତରେ ଧରିଲେ । ବରଫ ପରି କାଲୁଆ ଲାଗୁଥିବା ସେହି ହାତଗୁଡ଼ିକୁ ।

 

କହିଲେ, “ନାତାଲିଆ ଆଲେକ୍‌ସିୟେଭ୍‌ନା, ମୁଁ ତୁମକୁ ଭେଟିବି ବୋଲି ପ୍ରକୃତରେ ଚାହିଲି । ... କାଲି ଯାଏ ମଧ୍ୟ ଅପେକ୍ଷା କରି ପାରିଲି ନାହିଁ । ଯାହା ମୁଁ ଏତେ ଟିକିଏ ହେଲେ ମଧ୍ୟ ଭାବି ନଥିଲି, ସେହି କଥାଟିକୁ ମୋତେ କହିବାକୁ ହିଁ ପଡ଼ିବ ! —ଆଜି ସକାଳେ ମଧ୍ୟ ତାହା ଉପଲବ୍ଧି କରିନଥିଲି । ମୁଁ ତୁମକୁ ଭଲ ପାଏ, ନାତାଲିଆ”—ଭାରି ଧୀର କଣ୍ଠରେ ବେଶ୍ ଗୋଟିଏ ବୃହତ୍ ଆବେଗର ସହିତ ରୁଡ଼ିନ୍ କଥା କହୁଥିଲେ ।

 

ନାତାଲିଆଙ୍କର ହାତଗୁଡ଼ିକ ରୁଡ଼ିନ୍‌ଙ୍କର ହାତ ଭିତରେ ବେଶ୍ କମ୍ପିବାରେ ଲାଗିଥିଲେ ।

 

ରୁଡ଼ିନ୍ ପୁନରାବୃତ୍ତି କଲେ, “ମୁଁ ତୁମକୁ ଭଲପାଏ । ହଁ, ଏପର୍ଯ୍ୟନ୍ତ ମୁଁ କିପରି ଆପଣାକୁ କି ଠକି ଆସିପାରିଲି କେଜାଣି ? ଏପରି କିପରି ଘଟିପାରିଲା ଯେ ମୁଁ ତୁମକୁ ଭଲପାଏ ବୋଲି ବହୁ ଆଗରୁ ଅନ୍ଦାଜ କରି ପାରୁନଥିଲି । ଓ ତୁମେ ? ନାତାଲିଆ ଆଲେକ୍‌ସିୟେଭ୍‌ନା, ମୋତେ ତୁମେ ସତ ହିଁ କହିବ ।”

 

କୁମାରୀ ନାତାଲିଆଙ୍କ ବସ୍ତୁତଃ ନିଜ ଭିତରେ ଅଣନିଃଶ୍ଵାସୀ ହୋଇ ଗଲାପରି ଅନୁଭବ କରୁଥାଏ ।

 

“ଆପଣ ତ ଦେଖୁଛନ୍ତି, ମୁଁ ବର୍ତ୍ତମାନ ଏଠାକୁ ଆସିଛି ।” —ସେ ତଥାପି ଶେଷରେ କହିଥିଲେ, —

 

“ନାଇଁ, ତୁମେ କହ ଯେ ମୋତେ ଭଲପାଉଛ ।”

 

“ମୁଁ ଭାବୁଛି ଯେ, ହଁ, ଭଲପାଉଛି ।” —ନାତାଲିଆ ଅତ୍ୟନ୍ତ ଧୀର କଣ୍ଠରେ କହିଥିଲେ-

 

ରୁଡ଼ିନ୍ ସମ୍ଭବତଃ ଅଧିକ ଉଷ୍ମତାପୂର୍ଣ୍ଣ ଭାବରେ ନାତାଲିଆଙ୍କର ହାତକୁ ଚାପି ଧରିଥିଲେ, ଏବଂ ତାଙ୍କୁ ଆଡ଼କୁ ଆହୁରି ନିକଟ କରି ଟାଣି ଆଣିବାକୁ ପ୍ରୟାସ କରିଥିଲେ ।

 

ନାତାଲିଆ ତରବର ହେଲାପରି ଚାରିଆଡ଼କୁ ଆଖି ବୁଲାଇ ଆଣିଲେ ।

 

“ବର୍ତ୍ତମାନ ମୋତେ ଯିବାକୁ ଦିଅନ୍ତୁ—ଭାରି ଡର କାହିଁକି ଲାଗୁଛି... ଆଉ କିଏ ଏଠି କେଉଁଠାରେ ଥାଇ ଆମ କଥା ଶୁଣୁଥିବା ପରି ମନେ ହେଉଛି ! .....ଆପଣଙ୍କୁ ବହୁତ ରାଣ ଆପଣ ସତର୍କ ରହିବେ । ଭୋଲିନ୍ତସେଭ୍ ନିଶ୍ଚୟ ସନ୍ଦେହ କରୁଛନ୍ତି ।”

 

“ତୁମେ କୌଣସି ଚିନ୍ତା କରିବ ନାହିଁ । ଆଜି ତ ଦେଖିଲ, ମୁଁ ତ ତାଙ୍କ କଥାର କୌଣସି ଉତ୍ତର ହିଁ ଦେଲିନାହିଁ ।.... ସତରେ, ନାତାଲିଆ ଆଲେକ୍‌ସିୟେଭ୍‌ନା, ଭାରି ଖୁସି ଲାଗୁଛି ମୋତେ । ଆମକୁ ବର୍ତ୍ତମାନ ଆଉ କେହିହେଲେ ଅଲଗା କରିପାରିବେ ନାହିଁ ।”

 

ନାତାଲିଆ ତାଙ୍କ ଆଖିଗୁଡ଼ିକ ଅନାଇ ରହିଥିଲେ ।

 

“ମୋତେ ଯିବାକୁ ଦିଅନ୍ତୁ, ସମୟ ହୋଇଗଲାଣି ।” —ସେ ପୁଣି ଥିର୍ ଥିର୍ କହିଥିଲେ-

 

“ବାସ୍, ଆଉ ଗୋଟିଏ ମୂହୁର୍ତ୍ତ”—ରୁଡ଼ିନ୍ ଉତ୍ତର ଦେଇଥିଲେ ।

 

“ନାଇଁ, ମୋତେ ଯିବାକୁ ଦିଅନ୍ତୁ, ପ୍ରକୃତରେ ଯିବାକୁ ଦିଅନ୍ତୁ ।”

 

“ମୋତେ ଭୟ କରୁଛ କି ?”

 

“ନାଇଁ, କିନ୍ତୁ ସମୟ ହୋଇଗଲାଣି ।”

 

“ତେବେ, ଆଉଥରେ କୁହ, ଅନ୍ତତଃ ଆଉ ଗୋଟିଏ ଥର ।”

 

“ଆପଣ ବଡ଼ ସୁଖୀ ବୋଲି ତ ଆପଣ ସ୍ଵୟଂ କହୁଛନ୍ତି ।” —ନାତାଲିଆ ପ୍ରଶ୍ନ କଲେ ।

 

“ମୁଁ, ପୃଥିବୀରେ ମୋ’ ଅପେକ୍ଷା ଅଧିକ ସୁଖୀ ଆଉ କିଏ ଅଛି ? ତୁମେ କ’ଣ ଅବିଶ୍ଵାସ କରୁଛ ?”

 

ନାତାଲିଆ ନିଜ ମୁଣ୍ଡକୁ ଉପରକୁ ଉଠାଇ ଆଣିଲେ । ତାଙ୍କର ସେହି ଅଳ୍ପ ଉଜ୍ଜ୍ଵଳ ଭବ୍ୟ ଏବଂ କୋମଳ ମୁହଁଟି ପ୍ରକୃତରେ କେତେ କେତେ ଅନ୍ତରାବେଗର ପ୍ରଭାବରେ ସତେ ଅବା ପ୍ରାୟ ରୂପାନ୍ତରିତ ହୋଇଯାଇଥିଲା ଏବଂ ସେହି ବିପୁଳ ବୃକ୍ଷଟିର ରହସ୍ୟାବୃତ ଛାୟାରେ ଏବଂ ଝାପ୍‌ସା ଝାପ୍‌ସା ଆଲୋକରେ ସତେ ଯେପରି ସେହି ସାନ୍ଧ୍ୟ ଆକାଶଟିରୁ ପ୍ରତିଫଳିତ ହୋଇଆସୁଥିଲା ।

 

“ତେବେ କହୁଛି ଶୁଣନ୍ତୁ”, —ସେ କହିଥିଲେ, “ମୁଁ ଆପଣଙ୍କର ହୋଇ ହିଁ ରହିବି ।”

 

“ହେ ଭଗବାନ୍, ପ୍ରକୃତରେ ମୋ’ର କି ସୌଭାଗ୍ୟ !” —ରୁଡ଼ିନ୍ ଉଲ୍ଲସିତ ହୋଇଉଠିଥିଲେ ।

 

କିନ୍ତୁ କୁମାରୀ ନାତାଲିଆ ସେହି ଅବସରରେ ସେଠାରୁ ନିଷ୍କ୍ରାନ୍ତ ହୋଇଯାଇଥିଲେ ।

 

ସେ ଚାଲି ଯାଇଥିଲେ । ତା’ପରେ ରୁଡ଼ିନ୍ ସେଠାରେ କିଛି କ୍ଷଣ ଠିଆ ହୋଇରହିଲେ ଏବଂ ତା’ପରେ ସେହି ତରୁକୁଞ୍ଜଟି ମଧ୍ୟରୁ ବାହାରି ଚାଲି ଆସିଥିଲେ । ତାଙ୍କ ବଦନମଣ୍ଡଳ ଉପରେ ସେତେବେଳେ ଚନ୍ଦ୍ରର ଆଲୋକ ଆସି ପଡ଼ୁଥାଏ ଏବଂ ଅଧର ଉପରେ ଏକ ଦରସ୍ମିତ ବି ଉକୁଟି ଉଠୁଥାଏ ।

 

ପ୍ରାୟ ଅର୍ଦ୍ଧସ୍ଵଗତ ଭାବରେ ସେ ସମ୍ଭବତଃ କହୁଥିଲେ, “ମୁଁ ବଡ଼ ଖୁସି, ସତରେ ବହୁତ ବହୁତ ହିଁ ଖୁସି ।” ସତେ ଅବା ଆପଣ ଭିତରେ ଏକ ଦୃଢ଼ତାର ପ୍ରତ୍ୟୟ ଆଣି ଦେବାପାଇଁ ସେହି କଥାଟିର ପୁନରାବୃତ୍ତି କରୁଥିଲେ ।

 

ଆପଣାର ଦୀର୍ଘ ଶରୀରଟିକୁ ରୁଡ଼ିନ୍ ସିଧା କରିଦେଲେ, ମୁଣ୍ଡର ବାଳମାନଙ୍କୁ ହାତ ଦ୍ଵାରା ପଛଆଡ଼କୁ ସାଉଁଳାଇ ନେଲେ, —ତା’ପରେ ଉଦ୍ୟାନର ପ୍ରଧାନ ଅଂଶଟିରେ ଯାଇ ପ୍ରବେଶ କଲେ । ସେତେବେଳେ କେଡ଼େ ଉଲ୍ଲସିତ ଭାବରେ ଆପଣାର ହାତମାନଙ୍କୁ ମଧ୍ୟ ହଲାଇବାରେ ଲାଗିଥାନ୍ତି ।

 

ଠିକ୍ ସେତିକିବେଳେ ସମ୍ମୁଖରେ ଥିବା ଲାଇଲାକ୍ ବୁଦାଟିର ଡାଳଗୁଡ଼ିକ ଏପାଖକୁ ସେପାଖକୁ ହୋଇଯାଉଥିଲେ ଏବଂ ତାହାରି ମଧ୍ୟରୁ ପାଣ୍ଡାଲେଭ୍‌ସ୍କିଙ୍କର ଆବିର୍ଭାବ ଘଟିଥିଲା । ପାଣ୍ଡାଲେଭ୍‌ସ୍କି ବେଶ୍ ସତର୍କ ମୁଦ୍ରାରେ ଚତୁର୍ଦ୍ଦିଗକୁ ଆଖି ପକାଇ ଅନାଇ ଦେଖୁଥିଲେ ଏବଂ ତା’ପରେ ହାତଟିକୁ ହଲାଇ ମୁହଁ ଖୋଲିଲେ ଓ କହିଥିଲେ—ଭାରି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ କହିଥିଲେ, “ତେବେ, ଏହିପରି ଭାବରେ କଥାମାନ ଘଟୁ ବି ଛନ୍ତି । ଏସବୁ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କର ଗୋଚରକୁ ନିଶ୍ଚୟ ଆସିବା ମଧ୍ୟ ଉଚିତ୍ ।” ଏତିକି କହି ସିଏ ସେଠାରୁ ଅନ୍ତର୍ହିତ ହୋଇ ଯାଇଥିଲେ ।

 

—୮—

 

ନିଜ ଘରକୁ ଫେରି ଆସି ଭୋଲିନ୍ତସେଭ୍ ଏତେ ବେଶି ଉଦାସ ଏବଂ ବିଷଣ୍ଣ ଅନୁଭବ କରୁଥିଲେ ଯେ, ନିଜ ଭଉଣୀ ତାଙ୍କୁ ଯାହାକିଛି ପଚାରିଥିଲେ ସିଏ ଅତ୍ୟନ୍ତ ଅନ୍ୟମନସ୍କ ଭାବରେ ହିଁ ସେଗୁଡ଼ିକର ଉତ୍ତର ଦେଇଥିଲେ । ତା’ପରେ ପରେ ନିଜ କୋଠରୀକୁ ଯାଇ ଭିତରୁ କବାଟ ବନ୍ଦ କରିଦେଲେ । କିଛି ମୋଟେ ବୁଝି ନପାରି ଭଉଣୀ ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍‌ଙ୍କ ପାଖକୁ ବାର୍ତ୍ତାଟିଏ ମଧ୍ୟ ପ୍ରେରଣ କରିଥିଲେ । ସେପରି ଆବଶ୍ୟକତା ପଡ଼ିଲେ ହିଁ ସେ ତାଙ୍କର ସହାୟତା ଲୋଡ଼ି ଆସୁଥିଲେ । ପରଦିନ ଅବଶ୍ୟ ଆସି ପହଞ୍ଚିବେ ବୋଲି ଶ୍ରୀ ଲେଜ୍‌ଝନିଓଭ୍ ମଧ୍ୟ ସମ୍ବାଦ ଦେଇଥିଲେ ।

 

ମାତ୍ର, ସେଦିନ ସକାଳେ ମଧ୍ୟ ଭୋଲିନ୍ତସେଭ୍‌ଙ୍କର ମନ ଆଦୌ ସରସ ନଥିଲା । ସକାଳେ ଚାହା ପିଇସାରି ସେ ନିଜ ଜମିବାଡ଼ିର କୌଣସି ବ୍ୟାପାରଗୁଡ଼ିକୁ ତନଖି ଦେଖିବା ପାଇଁ ବାହାରିଥିଲେ । କିନ୍ତୁ, ପୁଣି କ’ଣ ଭାବି ଆଉ ବାହାରକୁ ନଯାଇ ଘରେ ହିଁ ରହିଲେ । ସୋଫା ଉପରେ ଗୋଡ଼ ହାତ ଲମ୍ବାଇ ବସିଲେ ଓ ବହିଟିଏ ଧରି ପଢ଼ିଲେ । ସାଧାରଣତଃ ସେ ଏପରି ଭାବରେ କେବେ ଆପଣାର ସମୟ ଅତିବାହିତ କରନ୍ତି ନାହିଁ । ତାଙ୍କର ପ୍ରକୃତରେ ସାହିତ୍ୟରେ ଆଦୌ କୌଣସି ରୁଚି ନଥିଲା । କବିତା ବେଳକୁ ତ ସିଏ ପ୍ରକୃତରେ ପୂରା ଆତଙ୍କିତ ହୋଇ ଉଠୁଥିଲେ । “ଇରେ ବାପରେ, ଏକଥାଟି ତ ଠିକ୍ କବିତା ପରି ଅବୋଧ୍ୟ” ବୋଲି ସେ ଅନେକ ସମୟରେ କହୁଥିଲେ ଏବଂ ଆପଣା ମତର ସମର୍ଥନରେ ସିଏ ଜଣେ ରୁଷୀୟ କବିଙ୍କ ଦ୍ଵାରା ଲିଖିତ କେତେ ପଦ କବିତାର ଉଦ୍ଧୃତି ମଧ୍ୟ କରୁଥିଲେ ।

 

ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ସେଦିନ ଭାରି ଅଶ୍ଵସ୍ତି ସହିତ ହିଁ ନିଜ ଭାଇର ମୁହଁ ଆଡ଼କୁ ଅନାଇ ଦେଖୁଥିଲେ । ମାତ୍ର କୌଣସି ପ୍ରଶ୍ନ ପଚାରି ତାଙ୍କୁ ବିବ୍ରତ କରିବାପାଇଁ ମଧ୍ୟ ତାଙ୍କର ଇଚ୍ଛା ହେଉନଥିଲା । ସେତେବେଳେ ଦାଣ୍ଡରେ ଏକ ଘୋଡ଼ାଗାଡ଼ି ଆସି ଅଟକିବା ପରି ଶବ୍ଦ ଶୁଣାଯାଉଥିଲା ।

 

“ଓହୋ, ନିଶ୍ଚୟ ଲେଜ୍‌ଝନିଓଭ୍‌ ଆସି ପହଞ୍ଚିଲେ” —ସେ ଆଶ୍ଵସ୍ତ ହୋଇ ଭାବିଲେ ।

 

ଜଣେ ପରିକର ଆସି ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କର ପହଞ୍ଚିବା ଖବର ଆଣି ଦେଇଥିଲା ।

 

ଭୋଲିନ୍ତସେଭ୍ ପାଠ କରୁଥିବା ବହିଟାକୁ ତଳେ ପକାଇଦେଲେ ଉପରକୁ ମୁଣ୍ଡ କଲେ ଓ ପଚାରିଥିଲେ “କିଏ ଆସିଲେ ।”

 

“ରୁଡ଼ିନ୍, ଡିମିଟ୍ରି ନିକୋଲାଇଚ୍” —ପରିକର ଜବାବ ଦେଇ ପୁଣି କହିଥିଲା । ଭୋଲିନ୍ତସେଭ୍ ସୋଫାରୁ ଉଠି ଛିଡ଼ା ହୋଇଗଲେ ।

 

କହିଲେ, “ଭିତରକୁ ଆସିବାକୁ କହ ।”, —ଏବଂ ତା’ପରେ ନିଜ ଭଉଣୀଙ୍କୁ ଉଦ୍ଦେଶ୍ୟ କରି, “ଅପା, —ଆପଣ ଟିକିଏ ବାହାରେ ରହିବେ । ଆମେ କେବଳ ଉଭୟେ ରହିବୁ ।”

 

“ମାତ୍ର କ’ଣ ପାଇଁ ?” ସିଏ ପଚାରିଲେ ।

 

“ହଁ, ପ୍ରକୃତରେ କାରଣଟିଏ ରହିଛି ।” ହୋଲିନ୍ତ୍‌ସେଭ୍ ଏକ ଆବେଗର ସହିତ ଉତ୍ତର ଦେଇଥିଲେ । “ତେଣୁ ମୋର ଅନୁରୋଧ ଆପଣ ବାହାରେ ରହିବେ ।”

 

ରୁଡ଼ିନ୍ ଗୃହ ମଧ୍ୟରେ ପ୍ରବେଶ କରିଥିଲେ । ଭୋଲିନ୍ତସେଭ୍ କୋଠରୀର ମଧ୍ୟ ଭାଗରେ ଠିଆ ହୋଇ ପ୍ରାୟ ଏକ ଭାବରହିତ ନମ୍ରତା—ପ୍ରଦର୍ଶନର ଭଙ୍ଗୀରେ ତାଙ୍କୁ ସ୍ଵାଗତ ଜଣାଇଲେ । ମାତ୍ର, କରମର୍ଦ୍ଦନ ସକାଶେ ଆଦୌ ହାତକୁ ପ୍ରସାରିତ କଲେ ନାହିଁ ।

 

“ହଁ, ମୁଁ ଆସିବି ବୋଲି ଆପଣ ଅବଶ୍ୟ ଆଦୌ ଆଶା କରି ନଥିବେ ।” —ପ୍ରଥମେ ରୁଡ଼ିନ୍ ହିଁ କଥା ଆରମ୍ଭ କରି କହିଲେ ଏବଂ ନିଜ ଟୋପିଟିକୁ ମୁଣ୍ଡରୁ କାଢ଼ି ସେ ଝରକା ପାଖରେ ନେଇ ରଖିଦେଲେ । ହଁ କଥା କହିବା ସମୟରେ ତାଙ୍କ ଓଠଗୁଡ଼ିକ କିଞ୍ଚିତ୍‍ କମ୍ପି ବି ଉଠୁଥିଲା । ତାଙ୍କୁ ମଧ୍ୟ ସ୍ଵାଭାବିକ ଲାଗୁନଥିଲା; କିନ୍ତୁ ସେ ନିଜର ସକଳ ଅଶ୍ଵସ୍ତିଭାବନାକୁ ଗୁପ୍ତ କରି ରଖିବା ନିମନ୍ତେ ଚେଷ୍ଟା କରୁଥାନ୍ତି ।

 

ଭୋଲିନ୍ତସେଭ୍ ଉତ୍ତର ଦେଇ କହିଥିଲେ, “ହଁ, ଆପଣ ଆସିବେ ବୋଲି ମୁଁ ପ୍ରକୃତରେ ପ୍ରତ୍ୟାଶା କରୁନଥିଲି । କାଲି ପରେ ସେପରି ଆଶା କରିବାର କୌଣସି କାରଣ ମଧ୍ୟ ନଥିଲା । ବରଂ ମୁଁ ଭାବିଥିଲି ଯେ ଆପଣ ହୁଏତ ଆଉ କାହା ହାତରେ ମୋ’ ପାଖକୁ କୌଣସି ବିଶେଷ ବାର୍ତ୍ତାଟିଏ ପଠାଇବେ ।”

 

“ମୁଁ ଆପଣଙ୍କର ଏପରି କହିବାର ଅର୍ଥଟିକୁ ଅବଶ୍ୟ ବୁଝିପାରୁଛି”, —ରୁଡ଼ିନ୍ ଉତ୍ତର ଦେଲେ, ସିଏ ଚଉକିଟିଏ ଟାଣି ନେଇ ତାହାରି ଉପରେ ଯାଇ ବସିଥିଲେ, “ଆପଣଙ୍କର ଖୋଲା ମନ ସକାଶେ ଆପଣଙ୍କ ପାଖରେ କୃତଜ୍ଞତା ହିଁ ପ୍ରକାଶ କରିବି । ଏହିପରି ହେବା ହିଁ ସର୍ବଦା ଅନେକ ଅଧିକ ଭଲ କଥା । ବର୍ତ୍ତମାନ ମୁଁ ନିଜେ ଆପଣଙ୍କ ନିକଟକୁ ଆସିଛି, ଜଣେ ସମ୍ମାନର ଯୋଗ୍ୟ ମନୁଷ୍ୟର କ୍ଷେତ୍ରରେ ମୋ’ର ପ୍ରକୃତରେ ଯେପରି କରିବା ଉଚିତ୍ ।”

 

“ଏଥର ଏଭଳି ପାରସ୍ପରିକ ପ୍ରଶଂସା-ଜ୍ଞାପନରେ ତେବେ ପୂର୍ଣ୍ଣଚ୍ଛେଦ ପଡ଼ୁ ।” —ଭୋଲିନ୍ତସେଭ୍ ମନ୍ତବ୍ୟଟିଏ କଲେ ।

 

“ହଁ, ମୁଁ କ’ଣ ପାଇଁ ଆସିଛି, ବର୍ତ୍ତମାନ ଆପଣଙ୍କୁ ବୁଝାଇ କହିବି ।”

 

“ଆମେ ତ ଉତ୍ତମରୂପେ ଜଣେ ଆଉ ଜଣକ ପାଖରେ ସୁପରିଚିତ, —ତେଣୁ ଆପଣ ନ ଆସିବେ ବା କାହିଁକି ? ପୁନଶ୍ଚ, ଆଜି ତ ଆପଣ ପ୍ରଥମଥର ପାଇଁ ଆମ ଘରକୁ ଆସି ବି ନାହାନ୍ତି ।”

 

“ହଁ, ଜଣେ ସମ୍ମାନଯୋଗ୍ୟ ବ୍ୟକ୍ତି ଆଉ ଜଣେ ସମ୍ମାନଯୋଗ୍ୟ ବ୍ୟକ୍ତି ପାଖକୁ ଆସିଲା ପରି ମୁଁ ଆଜି ଆପଣଙ୍କ ପାଖକୁ ଆସିଛି ।” —ରୁଡ଼ିନ୍ ପୁନର୍ବାର କହିଥିଲେ “ଏବଂ ଆପଣଙ୍କର ନ୍ୟାୟ ବୋଧର ବିବେକଟିକୁ ଏକ ଆବେଦନ ଜଣାଇବା ନିମନ୍ତେ ଇଚ୍ଛା ପୋଷଣ କରି ଆଜି ଆସିଛି । ….ଏବଂ ଆପଣଙ୍କଠାରେ ମୋ’ର ପୂର୍ଣ୍ଣ ଆସ୍ଥା ମଧ୍ୟ ରହିଛି ।

 

“ପ୍ରକୃତରେ କଥାଟା ମଧ୍ୟ କ’ଣ ?” —ଭୋଲିନ୍ତସେଭ୍ କହିଥିଲେ । ସିଏ ଏବେ ମଧ୍ୟ ସେହି ପୂର୍ବପରି ହିଁ ଘର ମଝିରେ ଛିଡ଼ା ହୋଇ ରହିଥିଲେ ଏବଂ ରୁଡ଼ିନ୍‌ଙ୍କ ଆଡ଼କୁ ପ୍ରାୟ ରୁଷ୍ଟ ଭାବରେ ଅନାଇ ମଧ୍ୟ ରହିଥିଲେ । ଅବଶ୍ୟ, ମଝିରେ ମଝିରେ ନିଜ ନିଶର ଅଗଟିକୁ ହାତରେ ଟାଣି ବାଗେଇ ଦେଉଥିଲେ ।

 

“ଯଦି ଆପଣ ଦୟାପୂର୍ବକ....ଆପଣଙ୍କୁ ମୁଁ ଗୋଟିଏ କଥା ବୁଝାଇ କହିବା ନିମନ୍ତେ ଅବଶ୍ୟ ଏଠାକୁ ଆସିଥିଲି, —ତଥାପି, ମୁଁ ଭାବୁଛି, ସେହି କାର୍ଯ୍ୟଟିକୁ ଯେପରି ମନ ସେପରି ଭାବରେ ଆଦୌ କରାଯାଇ ପାରିବନାହିଁ ।”

 

“କାହିଁକି କରାଯାଇ ନପାରିବ ।”

 

“ଏଥିରେ ଜଣେ ତୃତୀୟ ବ୍ୟକ୍ତି ମଧ୍ୟ ସମ୍ପୃକ୍ତ ହୋଇ ରହିଛନ୍ତି ।”

 

“କେଉଁ ତୃତୀୟ ବ୍ୟକ୍ତି ?”

 

“ସେର୍ଗେ ପାଭ୍‌ଲିଚ୍ । ଆପଣ ମୋ’ କଥା ବୁଝି ପାରୁଛନ୍ତି ?”

 

“ଡିମିଟ୍ରି ନିକୋଲାଇଚ୍, ଆପଣଙ୍କର କଥାକୁ ମୁଁ ଏତେ ଟିକିଏ ମଧ୍ୟ ବୁଝି ପାରୁନାହିଁ ।”

 

“ତେବେ ଆପଣ ବରଂ ଇଚ୍ଛା କରୁଛନ୍ତି—”

 

“ମୁଁ ବରଂ ଚାହୁଛି ଯେ ଆପଣ ମୋତେ ସିଧା କରି ସବୁ ବୁଝାଇ ଦିଅନ୍ତୁ ।” —ଭୋଲିନ୍ତସେଭ୍ ସଙ୍ଗେ ସଙ୍ଗେ କହିଥିଲେ ।

 

ବର୍ତ୍ତମାନ ସିଏ ସତକୁ ସତ ବେଶ୍ ରୁଷ୍ଟ ହୋଇ ଆସୁଥାନ୍ତି ।

 

ରୁଡ଼ିନ୍ ଏକ ଭ୍ରୂକୁଟି କରି ଅନାଇଲେ ।

 

“ତେବେ, ଆପଣ ମୋତେ ସେଥିଲାଗି ଅନୁମତି ଦିଅନ୍ତୁ... ଏଠାରେ କେବଳ ଆମେ ଦୁଇଜଣ ହିଁ ଅଛୁ .... ତେଣୁ ମୋତେ ଅବଶ୍ୟ ସିଧା କରି ଆପଣଙ୍କୁ କହିଦେବାକୁ ହେବ—ଅବଶ୍ୟ ଆପଣ ପୂର୍ବରୁ ହିଁ ଏହାର ନିଶ୍ଚୟ ଏକ ଆଭାସ ମଧ୍ୟ ପାଇଛନ୍ତି । (ଭୋଲିନ୍ତସେଭ୍‌ଙ୍କର ହୁଏତ ଧୈର୍ଯ୍ୟଚ୍ୟୁତି ଘଟୁଥିଲା ଓ ସେ ନିଜର କାନ୍ଧଗୁଡ଼ିକରେ ଏକ କୁଞ୍ଚନ ସୃଷ୍ଟି କରିଥିଲେ ।) —ମୁଁ ଆପଣଙ୍କୁ କହିବାକୁ ଆସିଛି ଯେ, ମୁଁ ନାତାଲିଆ ଆଲେକ୍‌ସିୟେଭ୍‌ନାଙ୍କୁ ଭଲପାଉଛି ଏବଂ ସିଏ ମଧ୍ୟ ମୋତେ ଭଲ ପାଆନ୍ତି ବୋଲି ବିଶ୍ଵାସ କରିବାକୁ ମୋ’ର ଏକ ଅଧିକାର ମଧ୍ୟ ରହିଛି ।”

 

ଭୋଲିନ୍ତସେଭ୍‌ଙ୍କ ମୁହଁ ଏକଥାଟିକୁ ଶୁଣି ସମ୍ପୂର୍ଣ୍ଣ ଭାବରେ ଛେତା ପଡ଼ି ଯାଇଥିଲା । ସେ କୌଣସି ଉତ୍ତର ଦେଇ ନଥିଲେ । ସେ ସଙ୍ଗେ ସଙ୍ଗେ ଝରକା ପାଖକୁ ଉଠି ଚାଲି ଯାଇଥିଲେ ଓ ଏଣେ ପିଠି କରି ଠିଆ ହୋଇ ରହିଲେ ।

 

ରୁଡ଼ିନ୍ ପୁଣି କହିଲେ, “ସେର୍ଗେ ପାଭ୍‌ଲିଚ୍, ଆପଣ ଅବଶ୍ୟ ବୁଝି ପାରିବେ ଯେ ମୁଁ ଏଥିରେ ବିଶ୍ଵାସ କରୁନଥାନ୍ତି,…”

 

ସେହି ଅଧାରୁ ହିଁ ଭୋଲିନ୍ତ୍‌ସେଭ୍‌ ଜବାବ ଦେଇ କହିଥିଲେ, “ମୁଁ ଶପଥ କରି କହୁଛି ଯେ, ଆପଣଙ୍କର କଥାରେ ମୋର ଏତେ ଟିକିଏ ହେଲେ ମଧ୍ୟ ଅବିଶ୍ଵାସ ନାହିଁ । ତେବେ, ସେହିପରି ହିଁ ହେଉ ! ଏହି ସୌଭାଗ୍ୟଟି ପାଇଁ ଆପଣଙ୍କୁ ମୁଁ ବଧାଇ ଜଣାଉଛି । ମୁଁ କେବଳ ଏହି ଗୋଟିଏ କଥାରେ ବିସ୍ମୟ ପ୍ରକାଶ କରୁଛି ଯେ, ପ୍ରକୃତରେ କୋଉ ଶଇତାନ କ’ଣ ପାଇଁ ମୋତେ ଏହି ସମ୍ବାଦଟିକୁ ଦେବାପାଇଁ ଆପଣଙ୍କୁ ଏଠାକୁ ପ୍ରେରଣ କଲା । .... ମୋ’ର ଏଥିରେ ବସ୍ତୁତଃ କ’ଣ କରିବାର ଅଛି ? ଆପଣ କାହାକୁ ଭଲ ପାଇଲେ ଅଥବା କିଏ ଆପଣଙ୍କୁ ଭଲ ପାଇବା, ସେଥିରେ ମୋ’ର ବା କ’ଣ କରିବାକୁ ଅଛି ? ମୁଁ କେବଳ ସେହି କଥାଟିକୁ ଆଦୌ ବୁଝି ପାରୁନାହିଁ-।”

 

ଭୋଲିନ୍ତସେଭ୍ ବର୍ତ୍ତମାନ ମଧ୍ୟ ସେହିପରି ଝରକା ପାଖରୁ ବାହାରକୁ ଅନାଇ ରହିଥିଲେ-। ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିବା ପଡ଼ି ଶୁଣା ଯାଉଥାଏ ।

 

ରୁଡ଼ିନ୍ ଉଠି ଛିଡ଼ା ହେଲେ ।

 

“ସେର୍ଗେ ପାଭ୍‌ଲିଚ୍—ମୁଁ ଆପଣଙ୍କ ପାଖକୁ ଆସିବାଲାଗି କାହିଁକି ସ୍ଥିର କଲି, ସେ କଥା ଆପଣଙ୍କୁ ନିଶ୍ଚୟ ଜଣାଇବି । କ’ଣ ପାଇଁ ମୁଁ ଚିନ୍ତା ବି କଲିନାହିଁ ଯେ, ଆମ ଦୁଇଜଣଙ୍କର ମନୋଭାବକୁ ଆପଣଙ୍କ ପାଖରୁ ଲୁଚାଇ ରଖିବାକୁ ମଧ୍ୟ ଖୁବ୍ ଅଧିକାର ରହିଥିଲା । ମୋ’ ଭିତରେ ଆପଣଙ୍କ ନିମନ୍ତେ ଏକ ଗଭୀର ସମ୍ମାନବୋଧ ରହିଛି, —ଏବଂ ମୁଁ ସେଇଥି ସକାଶେ ଆସିଛି; ମୁଁ ଇଚ୍ଛା କଲିନାହିଁ ଯେ, .....ଆମେ ଉଭୟେ ଆପଣଙ୍କ ଆଗରେ ସତେଅବା କୌଣସି ଏକ ନାଟକର ଭୂମିକାଟିଏ ଅଭିନୟ କରିବୁ । ନାତାଲିଆ ଆଲେକ୍‌ସିଏଭ୍‌ନାଙ୍କ ପ୍ରତି ଆପଣଙ୍କର ରହିଥିବା ପ୍ରେମଭାବଟି ମୋତେ ଖୁବ୍ ଭଲ କରି ଜଣାଥିଲା । ....ଆପଣ ବିଶ୍ଵାସ କରନ୍ତୁ, ନିଜ ବିଷୟରେ ମୋ’ର ଆଦୌ କୌଣସି ଭ୍ରମ ହିଁ ନାହିଁ, ନାତାଲିଆଙ୍କର ହୃଦୟ ମଧ୍ୟରେ ଆପଣଙ୍କର ସ୍ଥାନଟିକୁ ପୂରଣ କରିବାରେ ମୋ’ର କେତେ କମ୍ ଯୋଗ୍ୟତା ରହିଛି, ମୁଁ ସେକଥାଟି ମଧ୍ୟ ବେଶ୍ ଜାଣେ । କିନ୍ତୁ, ଯଦି ସେହିପରି ଘଟିବା ହିଁ ନିୟତିର ଇଚ୍ଛା ଥିଲା, ତେବେ ଆଦୌ କୌଣସି ଛଳ ପ୍ରଦର୍ଶନ, କପଟ କିମ୍ବା ପ୍ରବଞ୍ଚନା ଦ୍ଵାରା ସେଥିରେ ପ୍ରକୃତରେ କୌଣସି ଉନ୍ନତି ସାଧନ କରିବା ସମ୍ଭବ ହେବ କି ? ଆମ ଦୁହିଁଙ୍କ ମଧ୍ୟରେ କୌଣସି ଭଲବୁଝାମଣା ରହିଲେ କେଉଁ ଲାଭ ମଧ୍ୟ ହେବ ? ଏପରିକି, କାଲି ରାତ୍ରି ଭୋଜନ ସମୟରେ ଯେପରି ଏକ ଦୃଶ୍ୟର ଅଭିନୟ ହୋଇଛି, ସେଗୁଡ଼ିକ ପୁନର୍ବାର ସମ୍ଭବ କରିବା ଦ୍ଵାରା ମଧ୍ୟ କିପରି ବି ଲାଭ ହେବ ? ଶ୍ରୀ ସେର୍ଗେ ପାଭ୍‌ଲିଚ୍, ଆପଣ ନିଜେ କହନ୍ତୁ, ପ୍ରକୃତରେ କୌଣସି ଲାଭ ହେବ କି ?”

 

ଭୋଲିନ୍ତସେଭ୍ ଆପଣାର ଦୁଇହାତକୁ ନିଜର ବକ୍ଷସ୍ଥଳଟି ଉପରେ ଛନ୍ଦି ରଖିଥାଆନ୍ତି, ସତେ ଯେପରି ସେ ଆପଣାକୁ ସତକୁ ସତ ଆୟତ୍ତରେ ରଖିବାକୁ ଚେଷ୍ଟାଟିଏ କରୁଥାନ୍ତି ।

 

ରୁଡ଼ିନ୍ ପୁଣି କହିଲେ, “ସେର୍ଗେ ପାଭ୍‌ଲିଚ୍, ମୁଁ ଯେ ଆପଣଙ୍କୁ ପ୍ରକୃତରେ ଖୁବ୍ ବ୍ୟଥା ଦେଇଛି, ସେକଥାଟି ନିଜେ ମଧ୍ୟ ବୁଝିପାରୁଛି । ମାତ୍ର, ଆପଣ ଆମକୁ ମଧ୍ୟ ବୁଝନ୍ତୁ, ବୁଝନ୍ତୁ ଯେ ଆପଣଙ୍କୁ ଆମର ନ୍ୟାଯ୍ୟ ସମ୍ମାନଟିକୁ ପ୍ରକାଶ କରିବା ନିମନ୍ତେ ଆମ ପାଖରେ ଅନ୍ୟ କୌଣସି ଉପାୟ ନଥିଲା—ଆପଣଙ୍କର ସମ୍ମାନ ତଥା ସଚ୍ଚୋଟପଣକୁ ଯଥାର୍ଥ ମୂଲ୍ୟ ଦେବା ବିଷୟରେ ଆମେ ଅବଶ୍ୟ ଅବଗତ ଅଛୁ ବୋଲି ପ୍ରମାଣ ଦେଇ ପାରିବାକୁ ଆମର ବିକଳ୍ପ ଆଉ କିଛି ହିଁ ନଥିଲା । ଆଉ ଅନ୍ୟଜଣେ ବ୍ୟକ୍ତିଙ୍କ ଠାରେ ଏତେ ସମ୍ପୂର୍ଣ୍ଣ ଭାବରେ ଖୋଲା ହୋଇଥିଲେ ସମ୍ଭବତଃ ତାହା ଅପାତ୍ରରେ ହିଁ ପଡ଼ି ନିରର୍ଥକ ହୋଇଗଲା ବୋଲି ପରିଷ୍କାର ହୋଇ ଯାଇଥାନ୍ତା; କିନ୍ତୁ ଆପଣଙ୍କ ବେଳକୁ ତାହା ଆମର ଏକ କର୍ତ୍ତବ୍ୟ ବୋଲି ହିଁ ବୋଧ ହେଲା । ଆମର ଅନ୍ତରତମ ସତ୍ୟଟି ଯେ ଆପଣଙ୍କୁ ନିବେଦନ କରାଯାଇ ପାରିଲା, ସେକଥା ଭାବି ଆମେ ପ୍ରକୃତରେ ଖୁବ୍ ଖୁସି-।”

 

ଭୋଲିନ୍ତସେଭ୍ ସତେଅବା ବାଧ୍ୟ ହେଲା ପରି ଉଚ୍ଚ ସ୍ଵରରେ ହସି ଉଠିଥିଲେ । ଏବଂ ସେହିପରି ଉଚ୍ଚ କଣ୍ଠରେ ମଧ୍ୟ କହିଥିଲେ, “ମୋ’ ଉପରେ ଏଭଳି ଏକ ବିଶ୍ଵାସ ପ୍ରକଟ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ଅବଶ୍ୟ, ଆପଣ ସୁନିଶ୍ଚିତ ଭାବରେ ଜାଣିବେ ଯେ, ଆପଣଙ୍କର ଅନ୍ତର ଭିତରେ ରହିଥିବା କଥାଟିକୁ ଜାଣିବା ନିମନ୍ତେ ମୁଁ ଆଦୌ ଇଚ୍ଛା କରିନଥିଲି, ନିଜର ଇଚ୍ଛାଟି ଆପଣଙ୍କ ପାଖରେ କହିବା ପାଇଁ ମଧ୍ୟ ମୋର କୌଣସି ଇଚ୍ଛା ନଥିଲା । ଆପଣଙ୍କର କଥାରୁ ଜଣାପଡ଼ୁଛି ଯେ, ସେହି ଅନ୍ତର୍ଗତ ଭାବଟିକୁ ଆପଣ ସତେଯେପରି ନିଜର ଗୋଟିଏ ସମ୍ପତ୍ତି ବୋଲି ଅନୁଭବ କରୁଥିଲେ । ମାତ୍ର ଆପଣ ମୋତେ କ୍ଷମା ମଧ୍ୟ କରିବେ, —ଆପଣ ସତେଅବା ଦୁଇଜଣଙ୍କ ତରଫରୁ ଯାବତୀୟ କଥା କହୁଥିବା ପରି ଏସବୁ ଭାବନାକୁ ପ୍ରକଟ କରିଛନ୍ତି । ତାହାର କ’ଣ ଅର୍ଥ ହେଉଛି ଯେ, ମୁଁ ଅବଶ୍ୟ ଧରିନେବି ଯେ ନାତାଲିଆ ଆଲେକ୍‌ସିୟେଭ୍‌ନା ମଧ୍ୟ ଆପଣ ମୋ’ ପାଖକୁ ଆଜି ଆସିଥିବା ବିଷୟରେ ନିଶ୍ଚୟ ଜାଣିଛନ୍ତି ଏବଂ ଆପଣ କ’ଣ ପାଇଁ ଆସିଥିଲ, ସେଇଟି ମଧ୍ୟ ସେ ଜାଣନ୍ତି ?”

 

ରୁଡ଼ିନ୍ କିଞ୍ଚିତ୍‍ ଅପ୍ରସ୍ତୁତ ଅନୁଭବ କରିଥିଲେ ।

 

“ନାଇଁ ନାଇଁ, ମୋ’ର ଏହି ଅଭିପ୍ରାୟଟି ବିଷୟରେ ମୁଁ ନାତାଲିଆଙ୍କୁ ପ୍ରକୃତରେ କିଛି କହିନାହିଁ । କିନ୍ତୁ ମୁଁ ଜଣେ ଯେ, ସେ ନିଶ୍ଚୟ ମୋ’ର ଏହି; କଥାଗୁଡ଼ିକର ସମର୍ଥନ କରିବେ ।”

 

“ସେଇଟି ନିଶ୍ଚୟ ଗୋଟିଏ ଅତ୍ୟନ୍ତ ଉତ୍ତମ କଥା,” —ଦଣ୍ଡେ ଅଟକି ରହି ଶ୍ରୀଯୁକ୍ତ ଭୋଲିନ୍ତସେଭ୍ ତା’ପରେ କହିବାକୁ ଆରମ୍ଭ କରିଥିଲେ । ଝରକାର କାଚଗୁଡ଼ିକୁ ଉପରେ ନିଜ ଆଙ୍ଗୁଠିଗୁଡ଼ିକର ଚାଳନାଦ୍ଵାରା ସିଏ ଏକ ବାଦ୍ୟ ବାଜିବାର ଧ୍ୱନିଟିଏ ସୃଷ୍ଟି କରିବାରେ ଲାଗି ଥାଆନ୍ତି; “ତଥାପି ମୁଁ ଅବଶ୍ୟ କହିବି ଯେ, ଯଦି ଆପଣଙ୍କର ମୋ’ ପ୍ରତି କିଞ୍ଚିତ୍‍ କମ୍‍ ସମ୍ମାନବୋଧ ରହିଥାନ୍ତା, ତେବେ ତାହା ଅଧିକ ଭଲ ବି ହୋଇଥାନ୍ତି । ଆପଣଙ୍କର ସେହି ସମ୍ମାନବୋଧ ଉପରେ ମୁଁ ଆଦୌ କୌଣସି ଗୁରୁତ୍ଵ ହିଁ ଦିଏ ନାହିଁ । ଆପଣଙ୍କୁ ମୁଁ ବର୍ତ୍ତମାନ ପ୍ରକୃତ କଥାଟିକୁ ହିଁ କହୁଛି । ମାତ୍ର ବର୍ତ୍ତମାନ ଆପଣ ମୋ’ ଠାରୁ ବସ୍ତୁତଃ କ’ଣ ଆଶା କରୁଛନ୍ତି ?”

 

“ମୁଁ କିଛ ହିଁ ଆଶା କରୁନାହିଁ—ଅଥବା, —ନାଇଁ—ହଁ, ମୁଁ ଗୋଟିଏ କଥା ଆଶା କରୁଛି, ମୁଁ ଚାହୁଁଛି ଯେ ଆପଣ ମୋତେ କଦାପି ଜଣେ ବିଶ୍ଵାସଘାତକ କିମ୍ବା କପଟୀ ବ୍ୟକ୍ତି ବୋଲି ବିଚାର କରିବେ ନାହିଁ, —ମୋତେ ଆପଣ ବୁଝିବେ ….ମୁଁ ଆଶା କରୁଛି ଯେ ଆପଣ ମୋ’ର ଆନ୍ତରିକତା ବିଷୟରେ କୌଣସି ସନ୍ଦେହ ପୋଷଣ କରିବେ ନାହିଁ । ମୁଁ ଭାବୁଛି ଯେ, ଶ୍ରୀ ସେର୍ଗେ ପାଭ୍‌ଲିଚ୍ ଆମେ ପରସ୍ପରଠାରୁ ଜଣେ ଜଣେ ବନ୍ଧୁପରି ହିଁ ବିଦାୟ ନେବା....ମୋତେ ଆପଣ କରମର୍ଦ୍ଦନ କରିବା ସକାଶେ ନିଜର ହାତଟିକୁ ପ୍ରସାରି ଦେବେ, —ଠିକ୍ ଆଗରୁ ଯେଉଁପରି କରୁଥିଲେ ।”

 

ଏବଂ ରୁଡ଼ିନ୍ ଭୋଲିନ୍ତସେଭ୍‌ଙ୍କ ଆଡ଼କୁ ଅଗ୍ରସର ହୋଇ ଯାଇଥିଲେ ।

 

“ନାହିଁ, ନାହିଁ, ଆପଣ ମୋତେ କ୍ଷମା କରିବେ ମହାଶୟ ,” —ଭୋଲିନ୍ତସେଭ୍ ଉତ୍ତର ଦେଇଥିଲେ, —ସିଏ ବୁଲି ପଡ଼ି ବେଶ୍‍ କେତେ ପାଦ ପଛକୁ ମଧ୍ୟ ଚାଲି ଯାଇଥିଲେ । “ଆପଣଙ୍କର ଅଭିପ୍ରାୟଗୁଡ଼ିକୁ ମୁଁ ଅବଶ୍ୟ ପୂର୍ଣ୍ଣ ନ୍ୟାୟ ହିଁ ଦେବି, —ସେଗୁଡ଼ିକରେ କୌଣସି ମଳିଧୂଳି ନାହିଁ, ସେଗୁଡ଼ିକୁ ଅତ୍ୟନ୍ତ ଉଚ୍ଚ ସ୍ତରର କଥା ବୋଲି ମୁଁ ସ୍ଵୀକାର ମଧ୍ୟ କରୁଛି; କିନ୍ତୁ ଆମେ ସବୁ ଖୁବ୍ ସରଳ ଲୋକ, ଆମେ ଆମର କଥାଗୁଡ଼ିକୁ ସର୍ବଦା ସିଧା ସିଧା ହିଁ କହିଦେଉ, ସେଗୁଡ଼ିକରେ ସୁନାପୁଟ ଦେଇ କେବେହେଲେ ମଧୁର ଚକଚକ କରି ଦେଖାଇବାକୁ କୌଣସି ଚେଷ୍ଟା କରୁନାହିଁ । ଆପଣମାନଙ୍କ ପରି ମହାନ୍ ମହାନ୍ ମଥାମନଙ୍କର ଡେଣା ଫଡ଼ଫଡ଼ ଉଚ୍ଚ କଥାମାନଙ୍କୁ ଆମେ ଆଦୌ ବୁଝି ପାରୁନାହିଁ, ତେଣୁ ଆପଣମାନେ ଯାହାକୁ ସାଧୁଜନୋଚିତ ବୋଲି ବିଚାର କରନ୍ତି, ଆମେ ସେଗୁଡ଼ିକୁ ନ୍ୟାୟତଃ ଦମ୍ଭପୂର୍ଣ୍ଣ, କପଟଯୁକ୍ତ ଏବଂ ଅବିବେକମିଶ୍ରିତ ବୋଲି ହିଁ ଭାବୁ । ଯାହା ଆପଣଙ୍କୁ ସ୍ପଷ୍ଟ ଓ ସରଳ ପରି ବୋଧ ହେଉଥାଏ, ଆମକୁ ତାହା ବଡ଼ ଜଟିଳ ଓ ଅସ୍ପଷ୍ଟ ଲାଗୁଥାଏ-। ......ଆମେ ଯାହାସବୁ ଲୁଚାଇ ରଖିବାକୁ ଚେଷ୍ଟା କରୁ ଆପଣମାନେ ସେଗୁଡ଼ିକୁ ଦେଖାଇ ହେବାକୁ ଚେଷ୍ଟା କରନ୍ତି......ତେବେ କହନ୍ତୁ ତ, ଆମେ ଆପଣଙ୍କୁ ଆଉ ପ୍ରକୃତରେ କିପରି ବୁଝି ପାରିବୁ ! ତେଣୁ, ମୋତେ ଆପଣ କ୍ଷମା କରନ୍ତୁ—ଆପଣଙ୍କୁ ମୁଁ ଜଣେ ବନ୍ଧୁରୂପେ ଗ୍ରହଣ କରି ପାରୁନାହିଁ ଓ ଆପଣଙ୍କ ସହିତ କରମର୍ଦ୍ଦନ ବି କରିବି ନାହିଁ । ଏଇଟା ହୁଏତ ଗୋଟିଏ କ୍ଷୁଦ୍ରମନର ହିଁ ପରିଚୟ ଦେଉଥିବ, —ମାତ୍ର ମୁଁ ବି ତ ଗୋଟିଏ ନିତାନ୍ତ କ୍ଷୁଦ୍ର ମଣିଷ ।”

 

ରୁଡ଼ିନ୍ ନିଜ ମୁଣ୍ଡର ଟୋପିଟିକୁ ଝରକା ପାଖକୁ ଉଠାଇ ଆଣି ନିଜ ହାତରେ ଧରିଲେ ଏବଂ ଅତ୍ୟନ୍ତ ଦୁଃଖପୂର୍ଣ୍ଣ କଣ୍ଠରେ କହିଥିଲେ, “ସେର୍ଗେ ପାଭ୍‌ଲିଚ୍, ତେବେ ମୁଁ ବିଦାୟ ମାଗୁଛି ମୁଁ ପ୍ରକୃତରେ କିଛି ଭୁଲ୍ ପ୍ରତ୍ୟାଶା ନେଇ ଏଠାକୁ ଆସିଥିଲି । ମୋ’ର ଏହି ଏଠାକୁ ଆସିବାଟା ବରଂ ଏକ ବିଚିତ୍ର ପ୍ରକାରର କାର୍ଯ୍ୟ ହିଁ ଥିଲା—କିନ୍ତୁ ମୁଁ ଆଶା କରିଥିଲି ଯେ, ଆପଣ ...... (ଭୋଲିନ୍ତସେଭ୍ କ୍ରମେ ଧୈର୍ଯ୍ୟହୀନ ହୋଇ ପଡ଼ୁଛନ୍ତି ବୋଲି ବାହାରୁ ମଧ୍ୟ ଜାଣିହୋଇ ଯାଉଥିଲା-।) .....ଆପଣ ମୋତେ କ୍ଷାମା କରିବେ, —ମୁଁ ଏ ବିଷୟରେ ଆଉ କିଛି ହେଲେ କହୁନାହିଁ । ଏହି ସବୁକିଛି ବିଷୟରେ ବିଚାର କରିବା ପରେ, ମୁଁ ବେଶ୍ ଦେଖିପାରୁଛି ଯେ ଆପଣ ହିଁ ଠିକ୍ କରିଛନ୍ତି, କାରଣ ଆପଣ ଆଉ ଅନ୍ୟ କୌଣସି ପ୍ରକାରେ ହିଁ ମୋ’ ସହିତ ବ୍ୟବହାର କରି ପାରିନଥାନ୍ତେ । ମୁଁ ବିଦାୟ ନେଲି, —ତେବେ ଅନ୍ତତଃ ଆଉ ଥରକ ପାଇଁ ସର୍ବଶେଷ ଥର ପାଇଁ, ଆପଣକୁ ସୁନିଶ୍ଚିତ ଭାବରେ ଏହି ଭରସାଟିକୁ ଦେଇଯିବା ପାଇଁ ମୋତେ ଅନୁମତି ଦିଅନ୍ତୁ ଯେ, ମୋ’ ଅଭିପ୍ରାୟ ଗୁଡ଼ିକରେ ମୋତେ କେଉଁଠାରେ ହିଁ କୌଣସି ଅସାଧୁତା ନଥିଲା ... ଏବଂ ଆପଣଙ୍କର ସ୍ଵମତ ବିଷୟରେ ମଧ୍ୟ ମୋ’ର ପୂର୍ଣ୍ଣ ବିଶ୍ଵାସ ରହିଛି ।”

 

ରୁଡ଼ିନ୍ ସମ୍ଭବତଃ ଆଉ କିଛି ମଧ୍ୟ କହିବାକୁ ଯାଉଥିଲେ; ମାତ୍ର, କେବଳ ବିଦାୟର ସୂଚନାଟିଏ ଦେଇ ନିଜର ହାତ ଦୁଇଟିକୁ ସଞ୍ଚାଳିତ କରିଦେଲେ । ମଥାକୁ ଇଷତ୍ ଆନତ କରି ଆଣି ସେଠାରୁ ନିଷ୍କ୍ରାନ୍ତ ହେଲେ । ତା’ପରେ ଭୋଲିନ୍ତସେଭ୍ ମଧ୍ୟ ନିଜର ଚେୟାରଟି ଉପରେ ନଥ୍ କରି ଆସି ବସି ପଡ଼ିଲେ ଏବଂ ମୁହଁ ବୁଲାଇ କାନ୍ଥ ଉପରକୁ ଚାହିଁ ରହିଥିଲେ ।

 

“ଭିତରକୁ ଆସିବି ?” —କବାଟ ପାଖରେ ବାହାରୁ ଆଲେକଜାଣ୍ଡ୍ରା ପାଭଲୋଭ୍‌ନାଙ୍କର ଚଳା ଶୁଭିଲା ।

 

ଭୋଲିନ୍ତସେଭ୍ ଆଦୌ ସାଙ୍ଗେ ସାଙ୍ଗେ ଉତ୍ତର ଦେଇନଥିଲେ । ସେ ଆପଣାର ହାତଟିକୁ ଥରେ ନିଜ ମୁହଁ ଉପରେ ବୁଲାଇ ଆଣିଥିଲେ ଓ କହିଲେ, ଟିକିଏ ପରିବର୍ତ୍ତିତ କଣ୍ଠରେ–“ନାଇଁ, ସାଣା, ଟିକିଏ ଡେରି ହେବ ।”

 

ଅଧଘଣ୍ଟାଏ ପରେ ଶ୍ରୀମତୀ ପାଭଲୋଭ୍‌ନା ପୁନର୍ବାର କବାଟ ପାଖକୁ ଆସିଥିଲେ !

 

“ଶ୍ରୀଯୁକ୍ତ ମିହାଇଲୋ ମିହାଇଲିଚ୍ ପରା ଆସିଛନ୍ତି, —ତୁମେ ତାଙ୍କୁ ଦେଖା କରିବ ତ-?”

 

“ହଁ, କରିବି ।” —ଭୋଲିନ୍ତସେଭ୍ ଉତ୍ତର ଦେଇଥିଲେ । ତାଙ୍କୁ ଏଠାକୁ ଆସିବାଲାଗି ବାଟ କହିଦିଅ ।”

 

ଲେଜ୍‌ଝନିଓଭ୍ ଘର ଭିତରକୁ ଆସିଥିଲେ ।

 

“ବାବୁ, ତୁମ ଦେହ ଆଜି ଭଲ ନାହିଁ କି ? —ଲେଜ୍‌ଝନିଓଭ୍ ପ୍ରଶ୍ନ କରିଥିଲେ । ସୋଫା ନିକଟରେ ପଡ଼ିଥିବା ଗୋଟିଏ ଚଉକୀ ଉପରେ ସେ ଆସନ ଗ୍ରହଣ କରିଥିଲେ ।”

 

ଭୋଲିନ୍ତସେଭ୍ ଉଠି ଛିଡ଼ା ହେଲେ ଏବଂ ନିଜ କହୁଣି ଉପରେ ଭରା ଦେଇ ବେଶ୍‍ ଦୀର୍ଘ କେତେ ମୁହୂର୍ତ୍ତ ପାଇଁ ନିଜ ବନ୍ଧୁଙ୍କ ଆଡ଼କୁ ଅନାଇ ରହିଲେ ଏବଂ ତ’ପରେ ରୁଡ଼ିନ୍‌ଙ୍କ ସହିତ ତାଙ୍କର ହୋଇଥିବା କଥାଗୁଡ଼ିକୁ ତାଙ୍କ ଆଗରେ ବର୍ଣ୍ଣନା କରି କହି ଦେଇଥିଲେ । ଗୋଟିଏ ଶବ୍ଦ ମଧ୍ୟ ଛାଡ଼ି ଯାଇ ନଥିଲେ । ନାତାଲିଆଙ୍କ ପ୍ରତି ରହିଥିବା ତାଙ୍କ ନିଜର ଭାବ ସୂତ୍ରଟି ବିଷୟରେ ସେ ଶ୍ରୀ ଲେଜ୍‌ଝନିଓଭଙ୍କ ପାଖରେ ଆଗରୁ କେବେହେଲେ ହିଁ ପ୍ରକାଶ କରିନଥିଲେ । ଅବଶ୍ୟ ସ୍ପଷ୍ଟ ଅନ୍ଦାଜ କରି ପାରୁଥିଲେ ଲେଜ୍‌ଝିନଓଭ୍‌ଙ୍କୁ ସେହି କଥାଟି କଦାପି ଅଗୋଚର ନଥିଲା ।

 

“ଆରେ ତୁମ କଥା ଶୁଣି ତ ମୋତେ ପୂରା ବିସ୍ମିତ ଲାଗୁଛି ।” —ସବୁଯାକ କଥା ଶୁଣି ଶ୍ରୀ ଲେଜ୍‌ଝନିଓଭ୍ କହିଥିଲେ । “ହଁ, ତାଙ୍କଠାରୁ ଅନେକ ବିଚିତ୍ର କଥା ଅଙ୍ଗେ ନିଭାଇବାକୁ ପଡ଼ିବ ବୋଲି ମୁଁ ଖୁବ୍ ଆଶଙ୍କା ସର୍ବଦା ହିଁ କରୁଥିଲି । ମାତ୍ର, ଏହି ଘଟଣାଟି ତ—ତଥାପି ମୁଁ ତାଙ୍କୁ ଏହି ବ୍ୟାପାରଟି ମଧ୍ୟରେ ବି ବେଶ୍ କଳ୍ପନା କରି ପାରୁଛି ।”

 

ସେକଥା ଶୁଣି ଅତ୍ୟନ୍ତ ଉତ୍ତେଜିତ ଭାବରେ ଭୋଲିନ୍ତସେଭ୍ ଗୋଟିଏ ବଡ଼ ପାଟି କରି କହି ଉଠିଥିଲେ, “ମୁଁ ତ କହିବି ଯେ ଏହି ଘଟଣାଟିକୁ ପ୍ରକୃତରେ ଏକ ଘୋର ଔଦ୍ଧତ୍ୟ ବୋଲି ହିଁ କୁହାଯିବ । ହିଁ, ଶୁଣିବ, —ମୋ’ର ତ ଇଚ୍ଛା ହେଉଥିଲା ଯେ ମୁଁ ତାଙ୍କୁ ଶୁନ୍ୟେ ଶୂନ୍ୟେ ଟେକି ସେହି ଝରକା ବାଟେ ହିଁ ବାହାରକୁ ଫୋପାଡ଼ି ଦିଅନ୍ତି । ସିଏ ମୋ’ ପାଖରେ ନିଜର ବାହାଦୁରି ଦେଖାଇବାକୁ ଆସିଥିଲେ ନା ପ୍ରକୃତରେ ଭୟଭୀତ ହୋଇ ରହିଥିଲେ ? ସତରେ କହିଲ, ସେ କି ଉଦ୍ଦେଶ୍ୟ ନେଇ ଆସିଥିଲେ ? ଏପରି ଜଣେ ବ୍ୟକ୍ତି ପାଖକୁ ଆସିବା ନିମନ୍ତେ ସିଏ କିପରି ଚିନ୍ତା ବି କଲେ !”

 

ଭୋଲିନ୍ତସେଭ୍ ନିଜ ହାତ ଦୁଇଟିକୁ ମୁଣ୍ଡ ଉପରେ ଯାବ ପକାଇ ଧରି ଥାଆନ୍ତି । କିନ୍ତୁ ଆଦୌ କିଛି କହି ପାରୁନଥାନ୍ତି ।

 

ସେ ବେଶ୍ ଶାନ୍ତ ଭାବରେ ତା’ପରେ କହିଲେ, “ନାହିଁ ଭାଇ, କଥାଟି ଆଦୌ ସେପରି ନୁହେଁ, ମୋ ‘କଥାରେ ତୁମେ ବିଶ୍ଵସା କରିବନାହିଁ, ମାତ୍ର ସେ ପ୍ରକୃତରେ ଗୋଟିଏ ସାଧୁ ଉଦ୍ଦେଶ୍ୟ ସହିତ ହିଁ ଏପରି ଆଚରଣ କରିଛନ୍ତି । ହଁ, ସମ୍ପୂର୍ଣ୍ଣ ସେହିପରି ଭାବରେ । ଭାରି ଉଦାର ଏବଂ ନିଷ୍କପଟ କାର୍ଯ୍ୟଟିଏ ଏବଂ ତାହା ତାଙ୍କର ମଧୁର ବକ୍ତବ୍ୟଟି ନିମନ୍ତେ ଗୋଟିଏ ଚମତ୍କାର ସୁଯୋଗ ଇଚ୍ଛା କରନ୍ତି ଏବଂ ତାହା ନକରି ସିଏ ପ୍ରକୃତରେ ବଞ୍ଚି ମଧ୍ୟ ପାରିବେ ନାହିଁ । ହାୟ, କିନ୍ତୁ ତାଙ୍କର ସେହି କଥା କହିବା ପାଇଁ ବ୍ୟାକୁଳ ହେଉଥିବା ସେହି ଜିହ୍ଵାଟ ହିଁ ତାଙ୍କର ବଇରୀ ହୋଇ କାର୍ଯ୍ୟ କରେ ଅବଶ୍ୟ, ତାହା ତାଙ୍କର ଜଣେ ଉତ୍ତମ ପରିକର ରୂପେ ମଧ୍ୟ ସବୁବେଳେ କାମରେ ଲାଗି ପାରୁଥାଏ ।”

 

“ସିଏ କେଡ଼େ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବରେ ଆସିଲେ ଏବଂ ନିଜ କଥାଗୁଡ଼ିକୁ କହିଲେ ତୁମେ ତା’ର କଳ୍ପନା ବି କରି ପାରିବ ନାହିଁ ।”

 

“ହଁ, ସିଏ ତା’ ସବୁ ଆଦୌ ରହି ପାରିବେ ନାହିଁ । ସିଏ ତ ଆପଣାର ବୃହତ୍ କୋଟ୍‌ଟାରେ ବୋତାମ ଲଗାଉଥିବା ବେଳେ ମଧ୍ୟ ଦେଖାଇ ହୁଅନ୍ତି, ସତେଯେପରି କୌଣସି ଏକ ପବିତ୍ର କର୍ତ୍ତବ୍ୟର ହିଁ ସମ୍ପାଦନ କରୁଛନ୍ତି । ମୋ’ର ତ ଭାରି ଇଚ୍ଛା ବେଳେ ବେଳେ ହୁଏ ଯେ ତାଙ୍କୁ ଥରେ ନେଇ କୌଣସି ନିର୍ଜନ ଦ୍ଵୀପରେ ନେଇ ଛାଡ଼ିଦେଇ ଆସନ୍ତି ଏବଂ ସେଠାରେ ସିଏ କିପରି ଆଚରଣ କରୁଛନ୍ତି, ସେଇଠି କେଉଁଠି ଉଢ଼ୁଆଳରୁ ଥାଇ ଦେଖି ପାରନ୍ତି ଏବଂ ସିଏ ପୁଣି ସରଳତା ବିଷୟରେ କେଡ଼େ ଠାଣିମାଣି ହୋଇ ବି ବକ୍ତିମା କରନ୍ତି ।’’

 

“କିନ୍ତୁ, ମୋତେ କହିଲ,” —ଭୋଲିନ୍ତସେଭ୍ ପ୍ରଶ୍ନ କଲେ, “ତାହାକୁ ଆମେ କ’ଣ କହିବା, —ଦର୍ଶନ ନା ଆଉ କିଛି ?”

 

“ମୁଁ କି ଉତ୍ତର କିପରି ଦେଇପାରିବି ! କହିବାକୁ ଖୁବ୍ ଇଚ୍ଛା ହେଉଛି ଗୋଟିଏ ଦୃଷ୍ଟି ବିଚାର କଲେ ତାହା ଦର୍ଶନ ଏବଂ ଅପର ପକ୍ଷରେ, ତାହା ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଅନ୍ୟ କିଛି । ତେଣୁ, ଖାଲି ଦର୍ଶନ ଉପରେ ହିଁ ସବୁ ଦୋଷ ନେଇ ଲଦିଦେବା ଆଦୌ ଉଚିତ ହେବ ନାହିଁ ।”

 

ଭୋଲିନ୍ତସେଭ୍ ତାଙ୍କ ଆଡ଼କୁ ଅନାଇ ରହିଥିଲେ ।

 

“ତେବେ ଆପଣ କ’ଣ ଭାବୁଛନ୍ତି ଯେ ସିଏ ମିଛ କହୁଥିଲେ ?”

 

“ନାଇଁ, ବାବୁ, ସିଏ ମୋଟେ ମିଛ କହୁନଥିଲେ । କିନ୍ତୁ, ତୁମେ ତ ଦେଖିଥିବ ଏହି ବିଷୟରେ ପୂର୍ବରୁ ବହୁତ କଥା ହୋଇ ସାରିଲେଣି । ତେଣୁ, ବର୍ତ୍ତମାନ ନିଜ ପାଇପ୍ ଗୁଡ଼ିକୁ ଲଗାଇବା ଏବଂ ଶ୍ରୀମତୀ ଆଲେକ୍‍ଜାଣ୍ଡ୍ରାଙ୍କୁ ଏଠାକୁ ଆସିବାପାଇଁ କହିବା । ସିଏ ଆସି ଏଠାରେ ଆମ ସହିତ ବସିଲେ ଆମେ ବରଂ ଅଧିକ ସହଜରେ କଥାବାର୍ତ୍ତା ହୋଇପାରିବା ଓ ସହଜରେ କଥାବାର୍ତ୍ତା ବନ୍ଦ ବି କରିପାରିବା । ହଁ, ସିଏ ଆମ ପାଇଁ ଚାହା ମଧ୍ୟ କରିବେ ।”

 

“ତେବେ ଖୁବ୍ ଭଲ କଥା,” —ଭୋଲିନ୍ତସେଭ୍ ଉତ୍ତର ଦେଇଥିଲେ । ବଡ଼ ପାଟିରେ “ସାଶା, ତୁମେ ମଧ୍ୟ ଆସ ବୋଲି କହିଥିଲେ ।”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଭିତରକୁ ଆସିଲେ । ଭୋଲିନ୍ତସେଭ୍ ତାଙ୍କର ହାତମୁଠାଟିକୁ ନିଜର ହାତକୁ ନେଇ ବେଶ୍ ଉଷ୍ମଭାବରେ ଆପଣା ଓଠ ପାଖରେ ଛାପି ରଖିଲେ ।

 

ଏକ ଉତ୍କଣ୍ଠା ଜଡ଼ିତ ବିମିଶ୍ରିତ ମନେ, ମୁଦ୍ରା ସହିତ ରୁଡ଼ିନ୍ ମଧ୍ୟ ଫେରି ପୁନର୍ବାର ଆସି ପହଞ୍ଚି ଯାଇଥିଲେ । ନିଜ ଉପରେ ସତେଅବା ଟିକିଏ ବିରକ୍ତ ହୋଇ ପଡ଼ିଥିଲେ—ସମ୍ଭବତଃ ଏପରି ଅକ୍ଷମଣୀୟ ଭାବରେ ଉତ୍ତେଜିତ କାହିଁକି ହୋଇପଡ଼ିଲେ ବୋଲି ଆପଣାକୁ ଭର୍ତ୍ସନା ମଧ୍ୟ କରୁଥିଲେ । ଗୋଟିଏ ସାନ ପିଲା ପରି ଏଭଳି ଆବେଗପ୍ରବଣ କରି ପକାନ୍ତି ନା ! ଜଣେ କିଏ କେଡ଼େ ସୁନିଶ୍ଚିତ ଭାବରେ ମଧ୍ୟ କହିଛନ୍ତି ଯେ, ଗୋଟାଏ କିଛି ନିତାନ୍ତ ନିର୍ବୋଧତାପୂର୍ଣ୍ଣ କାର୍ଯ୍ୟ କାହିଁକି କରି ପକାଇଲି ବୋଲି ସଚେତନା ହୋଇ ପଡ଼ିବାଠାରୁ ବଳି ଆଉ ଅଧିକ ଦୁଃଖଦାୟକ କଥା ପ୍ରକୃତରେ ପୃଥିବୀରେ କିଛି ହିଁ ନାହିଁ !

 

ଗୋଟାଏ ପଶ୍ଚାତ୍ତାପ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କୁ ପୂରା ଗିଳି ପକାଇଥିଲା ।

 

ଆପଣା ଭିତରେ ସିଏ କ୍ଷୀଣ ଉଚ୍ଚାରଣରେ ସତେଅବା କହୁ ବି ଥିଲେ, “ମୋତେ ଏପରି କେଉଁ ଦୂରାଚାରୀ ଭୂତ ଆସି ଏହି ଦୁର୍ବୁଦ୍ଧିଟିକୁ ଦେଇଗଲା କେଜାଣି ?” ମୁଁ ପ୍ରକୃତରେ କିପରି ଯାଇ ସେହି ବ୍ୟୁହଟା ଭିତରେ ପଶିଯାଇ ପାରିଲି । କେଉଁ ପରି କ’ଣ ଭାବି କେଜାଣି । କେବଳ ଆପଣ ଔଦ୍ଧତ୍ୟଟାର ପରିଚୟ ହିଁ ଦେବାକୁ ସିନା ।”

 

କିନ୍ତୁ, ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କ ଗୃହରେ ଇତିମଧ୍ୟରେ ଏକ ଅସାଧାରଣ ଘଟଣା ଘଟିବାକୁ ଆରମ୍ଭ କରି ଦେଇଥିଲା । ଗୃହର ସ୍ଵାମିନୀଙ୍କୁ ପୁରା ସକାଳ ପ୍ରହରଟି ଆଦୌ କେଉଁଠାରେ ହେଲେ ଦେଖିବାକୁ ମିଳିଲା ନାହିଁ । ଭୋଜନ ସମୟରେ ମଧ୍ୟ ସେ ଆସି ପହଞ୍ଚି ନଥିଲେ । ପାଣ୍ଡାଲେଭ୍‌ସ୍କିଙ୍କ୍ ଠାରୁ ସମସ୍ତ ଶୁଣିବାକୁ ପାଇଲେ ଯେ ଆଜି ତାଙ୍କର ମୁଣ୍ଡ ଖୁବ୍ ବଥାଉଛି । ଏକା ସେହି ପାଣ୍ଡାଲେଭ୍‌ସ୍କିଙ୍କୁ ହିଁ ତାଙ୍କର ପ୍ରକୋଷ୍ଠଟି ମଧ୍ୟରେ ପ୍ରବେଶ କରିବାର ଆଉ କୌଣସି ସୁଯୋଗ ମିଳିଥିଲା । ରୁଡ଼ିନ୍ ସମସ୍ତ ସମୟ କ୍ଵଚିତ ନାତାଲିଆଙ୍କୁ ଦେଖି ପାରିଥିଲେ । କୁମାରୀ ବନକୋର୍ଟ୍‍ଙ୍କ ସହିତ ସିଏ ନିଜର କୋଠରୀଟିରେ ହିଁ ବସିଥିଲେ । ଏବଂ ଯେତେବେଳେ ଭୋଜନ ସମୟରେ ତାଙ୍କର ସାକ୍ଷାତ ମିଳିଲା, ସେତେବେଳେ ସିଏ ଏପରି ବିସ୍ମୟ ଭାବରେ ତାଙ୍କ ଉପରେ ଦୃଷ୍ଟିପାତ କରିଥିଲେ ଯେ ତାହାକୁ ଦେଖି ତାଙ୍କର ହୃଦୟ ଅତ୍ୟନ୍ତ କାତର ହୋଇ ଉଠିଲା । ତାଙ୍କର ମୁଖମଣ୍ଡଳ ସେତେବେଳେ ଖୁବ୍ ଅଲଗା ପ୍ରକାରର ହିଁ ଦେଖା ଯାଉଥିଲା, ସତେ ଯେପରି ପୂର୍ବଦିନଟିରୁ ତାଙ୍କର ଗୋଟାଏ ଏଡ଼େବଡ଼ ଦୁଃଖର ବୋଝ ଆସି ଲଦା ହୋଇ ହିଁ ରହିଥିଲା । ଏକ ଅତି ଅସ୍ପଷ୍ଟ ଅଘଟଣର ପୂର୍ବାନୁମାନ ଦ୍ଵାରା ରୁଡ଼ିନ୍ ମଧ୍ୟ ସତେ ଅବା କ୍ରମେ ଉତ୍ପୀଡ଼ିତ ହେବାକୁ ଆରମ୍ଭ କରିଥିଲେ । କୌଣସି ପ୍ରକାରେ ନିଜ ମନକୁ ସେଥିରୁ ଦୂରରେ ରଖିବାର ପ୍ରୟାସ ସେ ବାସିଷ୍ଟୋଫ୍‌ଙ୍କ ସହିତ କଥାବାର୍ତ୍ତରେ ବ୍ୟସ୍ତ ରହିବା ସକାଶେ ଏକ ଚେଷ୍ଟା ମଧ୍ୟ କରିଥିଲେ, —ତାଙ୍କ ସହିତ ବହୁ କଥୋପକଥନରେ ଆପଣାକୁ ମଜ୍ଜାଇ ରଖିଲେ ଏବଂ ଅଳ୍ପବୟସ୍କ ବାଳକଟିଏ ହୋଇଥିଲେ ମଧ୍ୟ ତାଙ୍କର ଉତ୍ସାହଗୁଡ଼ିକୁ ଦେଖି ମନେ ମନେ ବିସ୍ମିତ ହୋଇଥିଲେ । କେତେକେତେ ପ୍ରାୟ ଉଚ୍ଛଳ ହୋଇ ରହିଥିବା ଅନେକ ଆଶା ଏବଂ ଏବେ ମଧ୍ୟ କୌଣସି କଳଙ୍କ ଆସି ଲାଗି ନଥିବା ଏକ ବିଶ୍ଵାସ । ସନ୍ଧ୍ୟା ସମୟରେ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ପ୍ରାୟ ଦୁଇଘଣ୍ଟା ପାଇଁ ବୈଠକଘରେ ଆସି ଆବିର୍ଭୂତ ହୋଇଥିଲେ ରୁଡ଼ିନ୍‌ଙ୍କ ସହିତ ବେଶ୍ ଭଦ୍ରତାର ସହିତ ବ୍ୟବାହର କରିଥିଲେ, କିନ୍ତୁ ତଥାପି କୌଣସି ନା କୌଣସି ପ୍ରକାରେ ତାଙ୍କୁ ନିଜଠାରୁ ଦୂରବର୍ତ୍ତୀ କରି ବି ରଖିଥିଲେ । କେତେବେଳେ ମୁରୁକି ହସୁଥିଲେ ତ ଆଉ କେତେବେଳେ ଆଖିର ଭ୍ରୂଲତାଗୁଡ଼ିକୁ ଖାଡ଼ା ଠିଆକରି ବି ଦେଉଥିଲେ । ପୂରା ସମୟ ସତେ ଅବା ନାକ ସାହାଯ୍ୟରେ ହିଁ କଥା କହୁଥିଲେ, ଏବଂ ସାଧାରଣ ଦିନଗୁଡ଼ିକର ତୁଳନାରେ ଅଧିକତଃ ସଙ୍କେତର ମାଧ୍ୟମରେ । ତାଙ୍କର ହାବଭାବ ସେତେଯେପରି କୌଣସି ଦରବାରର ଜଣେ ଉଚ୍ଚ କୁଳର ମହିଳାଙ୍କର ଚେହେରାଟିଏ ଧାରଣ କରି ରହିଥିଲା, ସିଏ ରୁଡ଼ିନ୍‌ଙ୍କ ସହିତ ଆଚରଣରେ ପ୍ରାୟ କୌଣସି ଉଷ୍ମତାର ପ୍ରଦର୍ଶନ କରୁନଥିଲେ । “ଆଜି କ’ଣ ପାଇଁ ଏଭଳି ଦେଖିବାକୁ ମିଳୁଛି ?” —ରୁଡ଼ିନ୍ ମନେ ମନେ ଭାବୁଥିଲେ ଏବଂ ଶ୍ରୀମତୀ ଦରିଆଙ୍କର କେଡ଼େ ଅଭିମାନ ସହିତ ଊର୍ଦ୍ଧ୍ଵାୟିତ ହୋଇ ରହିଥିବା ମୁଣ୍ଡଟି ଆଡ଼କୁ ବେଶ୍ କଣେଇ କଣେଇ ଚାହିଁବାରେ ଲାଗିଥିଲେ ।

 

ଅବଶ୍ୟ ପ୍ରହେଳିକାଟିର ସମାଧାନ ପାଇଁ ତାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ଆଦୌ ପଡ଼ିନଥିଲା । ରାତି ବାରଟା ସମୟରେ ନିଜର ପ୍ରକୋଷ୍ଠଟିକୁ ଫେରୁଥିବା ସମୟରେ ଗୋଟିଏ ଅନ୍ଧାର ହୋଇ ରହିଥିବା ମଝିବାଟ ଦେଇ କେହି ଜଣେ ଖଣ୍ଡେ ଖଣ୍ଡେ ଲେଖା କାଗଜକୁ ତାଙ୍କ ହାତଭିତରେ ଆଣି ଗୁଞ୍ଜି ଦେଇଥିଲା । ରୁଡ଼ିନ ଚତୁର୍ଦ୍ଦିଗକୁ ଅନାଇଥିଲେ, —ଜଣେ ବାଳିକା ଖଣ୍ଡେ ଦୂରରେ ଦଉଡ଼ି ବାହାରି ଯାଉଥିବାର ଦେଖିବାକୁ ମିଳିଥିଲା । ନିଶ୍ଚୟ ନାତାଲିଆଙ୍କର ପରିଚାରିକା, —ସେ ଅନୁମାନ କଲେ । ନିଜ କୋଠାରୀରେ ପହଞ୍ଚି ସିଏ ତାଙ୍କ ପରିଚାରକଙ୍କୁ ବିଦାୟ ଦେଲେ । ଲଫାପାଟିକୁ ଚିରି ଚିଠିଟି ବାହାର କରି ନାତାଲିଆ ଲେଖାଥିବା ଏହି ଲେଖା ଧାଡ଼ି ଗୁଡ଼ିକୁ ‘ପାଠ କରିଥିଲେ—

 

“ଆପଣ କାଲି ସକାଳ ସାତଟା ସମୟରେ ଆବ୍‌ଦୁହିନ୍ ସରୋବର ପାଖକୁ ଆସିବେ, ଆଦୌ ତା’ଠାରୁ ବେଶି ବିଳମ୍ବ କରିବେ ନାହିଁ । ସେହି ଓକ୍ ଗୁଳ୍ମଗୁଡ଼ିକର ସେପାଖରେ ଥିବା ସରୋବର ପାଖକୁ ଅନ୍ୟ କୌଣସି ସମୟରେ ମୋଟେ ସମ୍ଭବ ହେବନାହିଁ । ଆମେ ଶେଷଥର ନିମନ୍ତେ ପରସ୍ପରକୁ ଭେଟିବା । ହଁ, ପ୍ରକୃତରେ ସବୁକିଛିର ଇତି ହିଁ ହୋଇଯିବ, —ଅବଶ୍ୟ ଯଦି…….. ଆସିବେ । ଆମେ ଆମ ନିଷ୍ପତ୍ତିଟିକୁ କରିବା—

 

ପୁନଶ୍ଚ, ଯଦି ମୁଁ ଆସି ପାରିବି ନାହିଁ, ତେବେ ଜାଣିବେ ଯେ ଆମ ଉଭୟଙ୍କର ଆଉ କେବେ ହେଲେ ଭେଟ ହେବନାହିଁ । ହଁ, ତା’ପରେ ମୁଁ ଆପଣଙ୍କୁ ସବୁକଥା ଅବଶ୍ୟ ଜଣାଇବି ।”

 

ହାତରେ ଧରିଥିବା ସେହି ଚିଠିଟିକୁ ରୁଡ଼ିନ୍ ଓଲଟାଇ ଧରିଲେ ଏବଂ ସେହି ବିଷୟରେ ଚିନ୍ତା କରିବାକୁ ଲାଗିଲେ । ତା’ପରେ ସେଇଟିକୁ ନିଜର ତକିଆ ତଳେ ରଖି ଦେଇଥିଲେ । ଦେହରୁ ଲୁଗାପଟା ନ ଓହ୍ଲାଇ ସିଧା ବିଛଣା ଉପରେ ଲମ୍ବି ଯାଇଥିଲେ । ବହୁତ ସମୟ ପର୍ଯ୍ୟନ୍ତ ନିଦ ହେଲାନାହିଁ ଏବଂ ତା’ ପରେ ଯାଇ ଟିକିଏ ହାଲୁକା ନିଦ ହୋଇଥିଲା ଏବଂ ପାଞ୍ଚଟା ନବାଜୁଣୁ ନିଦ ଭାଙ୍ଗିଗଲା ଓ ସେ ଉଠି ପଡ଼ିଥିଲେ ।

 

—୯—

 

ସେହି ଆବ୍‌ଦୁହିନ୍ ସରୋବର, ନାତାଲିଆ ଯେଉଁଠି ଦୁହିଁଙ୍କ ଭେଟ ହେବ ବୋଲି ସୂଚିତ କରି ଦେଇଥିଲେ, —ସେଇଟି କୋଉକାଳରୁ ଆଉ ଏକ ସରୋବରର ଅବସ୍ଥାରେ ନଥିଲା । ତିରିଶି ବର୍ଷ ପୂର୍ବେ ତାହାର ବନ୍ଧଟା ଭାଙ୍ଗି ଯାଇଥିଲା ଏବଂ ସେହି ସମୟରୁ ହିଁ ପରିତ୍ୟକ୍ତ ହୋଇ ରହି ଆସିଥିଲା । କେବଳ ଯେଉଁ ଜଳ ଥିବା ସ୍ଥାନଟି ଏବେ ସମତଳ ହୋଇ ଦିଶୁଥିଲା, ସେଠାରେ ଏକଦା ଶିଉଳି ଭର୍ତ୍ତି ହୋଇ କାଦୁଆ ଅବସ୍ଥାରେ ଥିଲା, ଏବଂ ସ୍ଥାନେ ସ୍ଥାନେ ହୁଡ଼ାର ଯେଉଁ କିଛି କିଛି ଅବଶେଷ ମଧ୍ୟ ବାରି ହେଉଥିଲା, ସେଇଥିରୁ ଯାହା ଏଠାରେ କେବେ ସରୋବାରଟିଏ ରହିଥିଲା ବୋଲି ଅନୁମାନ କରି ହେଉଥିଲା । ପାଖରେ ଗୋଟିଏ ଶସ୍ୟ-ଅମଳର ଗୃହ ଛିଡ଼ା ହୋଇ ରହି ସେହି କଥାଟିକୁ ମନେ ପକାଇ ଦେଉଥିଲେ । ସବୁବେଳେ ହିଁ ଘୁ’ ଘୁ’ ପବନର ଏକ ଅଳସ ଅନୁଭୂତି ଊପରେ ଥିବା ବୃକ୍ଷ ଦୁଇଟିରେ ସବୁଜ ଅଗ୍ରଶାଖା ଗୁଡ଼ିକ ଦେଇ ବେଶ୍ ନୀରବରେ ମର୍ମରିତ ହେବାରେ ଲାଗିଥିଲା । ଲୋକ ମୁଖରୁ କେତେ କାହାଣୀ ମଧ୍ୟ ଶୁଣା ଯାଉଥିଲା ଯେ ସେହି ସ୍ଥାନରେ ଏକଦା ଏକ ଭୟଙ୍କର ଅପରାଧର ଘଟଣା ମଧ୍ୟ ଘଟିଥିଲା । —ହଁ ଏହି ଗଛ ଦୁଇଟି ତଳେ, —ଲୋକେ କହୁଥିଲେ, ଏବଂ କାହାକୁ ମୃତ୍ୟୁଦଣ୍ଡ ନ ମିଳିବା ଯାଏ—ଦୁଇଟିଯାକ ଗଛ ସେହିପରି ଛିଡ଼ା ହୋଇଥିଲେ । ହଁ, ସେଠାରେ ଗୋଟିଏ ତୃତୀୟ ବୃକ୍ଷ ମଧ୍ୟ ଥିଲା ସେଇଟି ଥରେ ଝଡ଼ରେ ଉପୁଡ଼ି ପଡ଼ିଥିଲା ଓ ତଦ୍ଦ୍ଵାରା ଗୋଟିଏ ବାଳିକାର ପ୍ରାଣ ମଧ୍ୟ ଯାଇଥିଲା ।

 

ପୁରୁଣା ସରୋବରଟି ପାଖରେ ଥିବା ସେହି ସମୁଦାୟ ସ୍ଥାନଟିରେ ଇହାତେ କେବଳ ଭୂତମାନେ ହିଁ ରହୁଥିବେ ବୋଲି ସମସ୍ତେ ଭାବୁଥିଲେ । ଚାରିଆଡ଼ ଖାଲି ଖାଁ ଖାଁ ନିର୍ଜନ ଥାନଟିଏ ହୋଇ ପଡ଼ିଥାଏ, —ଅନ୍ଧାରୁଆ, ସେଠାକୁ ଯିବାମାତ୍ରକେ ମନଟା ପ୍ରକୃତରେ କିପରି ବି ହୋଇ ଯାଉଥିବ । ଏପରିକି ଉଜ୍ଜ୍ୱଳ ଖରାପାଗ ସମୟରେ ମଧ୍ୟ ସେହିପରି ହିଁ ଲାଗିବ । ଏପରିକି ପାଖରେ ଅବସ୍ଥିତ ମଲା ଓ ଦରମଲା ଓକ୍‌ ଗଛର ସେହି ପୁରୁଣା, ପୂରା ପୁରୁଣା ଜଙ୍ଗଲଟା ଠାରୁ ମଧ୍ୟ ଏହି ସ୍ଥାନଟି ଅଧିକ ଅନ୍ଧାରୁଆ ଏବଂ ନୀରସିଆ ଲାଗୁଥିଲା । ତଳେ ରହିଥିବା ବୁଦାବୁଦି ନିତାନ୍ତ ଅରମାଟା ମଧ୍ୟରେ ଅଳ୍ପ କେତୋଟି ପ୍ରକାଣ୍ଡ ବୃକ୍ଷ ମୁଣ୍ଡ ଉପରକୁ କରି ଛିଡ଼ା ହୋଇଥିଲେ ଏବଂ ଗୋଟାଏ ଗୋଟାଏ ଅସୁର ପରି ଦିଶୁଥିଲେ । ସବୁ ମିଶି ଗୋଟାଏ ଅତ୍ୟନ୍ତ ଭୟପ୍ରଦ ଦୃଶ୍ୟପଟ, —ଦେଖିଲେ ମନେ ହେଉଥିଲା ଯେ ଏମାନେ ପ୍ରକୃତରେ ଗୋଟିଏ ଗୋଟିଏ ଗଛ ନୁହନ୍ତି, —ସତେଅବା କେତେଜଣ ଦୃଷ୍ଟମତି ବୁଢ଼ା ମନାଭିତରେ କାହାର କୌଣସି ଅନିଷ୍ଟ ପାଞ୍ଚି ଏଠାରେ ଗୋଟିଏ ଜାଗାରେ ଆସି ଠିଆ ହୋଇଛନ୍ତି । ଗୋଟିଏ ମୋଟେ ଅଲଗା କରି ବାରି ହୋଇ ପାରୁନଥିବା ଅଣଓସାରିଆ ପଥ ତାହାରି କଡ଼ରେ ଅଙ୍କାବଙ୍କା ହୋଇ ଚାଲି ଯାଇଥାଏ । ନିତାନ୍ତ କୌଣସି ଜରୁରୀ କାରଣ ନଥିଲେ କେହି କେବେ ହେଲେ ଆବ୍‌ଦୁହିନ୍ ସରୋବର ଆଡ଼େ ଯାଉନଥିଲେ । ନାତାଲିଆ ତେଣୁ ଜାଣିଶୁଣି ଏହି ନିର୍ଜନ ସ୍ଥାନଟିକୁ ବାଛିଥିଲେ । ଦରିଆ ମିହାଇଲୋଭ୍‍ନଙ୍କର ବାସସ୍ଥାନ ଠାରୁ ଏହି ଜାଗାଟି ଅଧମାଇଲ୍‌ରୁ ଆଦୌ ବେଶି ବାଟ ନଥିଲା ।

 

ରୁଡ଼ିନ୍ ଆସି ଆବୁଦୁହିନ୍ ସରୋବରେ ପାଖରେ ପହଞ୍ଚିଲା ବେଳକୁ ସୂର୍ଯ୍ୟଦେବ ବେଶ୍ କିଛି ସମୟ ପୂର୍ବରୁ ଉଠି ସାରିଥିଲେ । କିନ୍ତୁ, ସେଦିନର ସକାଳଟିରେ ଆଦୌ କୌଣସି ଉଜ୍ଜ୍ୱଳତା ନଥିଲା । ଦୁଗ୍ଧ ରଙ୍ଗର ବହଳ ବହଳ ମେଘ ସମସ୍ତ ଆକାଶଟିକୁ ଢାଙ୍କି ରଖିଥିଲେ ଏବଂ ସେହି ସିସିରି ବଜାଇ ସତେଅବା ଚିତ୍କାର କରି ଧାଇଁ ପଳାଉଥିବା ପବନଟା ସେଗୁଡ଼ିକୁ କୁଆଡ଼େ ମନ କୁଆଡ଼େ ଭସାଇ ନେଉଥିଲା । ରୁଡ଼ିନ୍ ସେଠାରେ ପୋଖରୀ ହୁଡ଼ାରେ ପଦଚାଳନା କରିବାକୁ ଲାଗିଲେ । ଯାଉଥାନ୍ତି ଓ ଆସୁଥାନ୍ତି । ହୁଡ଼ାଟି ଯାକ ଲଟାଝଟାରେ ଭର୍ତ୍ତି ହୋଇ ରହିଥାଏ, ବିଛୁଆତି ମାଳକୁ ମାଳ । ତାଙ୍କ ମନ ଭିତରଟି ମଧ୍ୟ ଖୁବ୍ କେତେ କ’ଣରେ ଘାରିହୋଇ ରହିଥିଲା । ଏହି ନୂଆ ଅନୁଭୂତି ଓ ଆବେଗଗୁଡ଼ିକ ତାଙ୍କୁ ବେଶ୍ ଆକର୍ଷକ ବି ଲାଗୁଥାଏ, ମାତ୍ର ବେଶ୍ ଆଶ୍ଵସ୍ତ ବି କରି ପକାଇଥାଏ । ବିଶେଷ କରି କାଲି ରାତିର ସେହି କାଗଜବାର୍ତ୍ତାଟି ପାଇ ସାରିବା ପରେ । ସତେଅବା ଗୋଟାଏ କିଛି ଶେଷ ଆସନ୍ନ ହୋଇ ଆସୁଥିବା ପରି ଶ୍ରୀ ରୁଡ଼ିନ୍ ଅନୁଭବ କରୁଥାଆନ୍ତି-। ତେଣୁ ଭିତରେ ହିମ୍ମତ ଘରେ ସେ ବେଶ୍ ଅନିଶ୍ଚୟତା ମଧ୍ୟରେ ଯାଇ ପଡ଼ି ବି ଯାଇଥାନ୍ତି । କିନ୍ତୁ, ବାହାରୁ ଦେଖିଲେ ମୋଟେ କିଛି ମଧ୍ୟ କଦାପି କଳ୍ପନା କରି ହୁଅନ୍ତା ନାହିଁ । କେତେ ନା କେତେ ସ୍ଥିରଚିତ୍ତ ସଂକଳ୍ପ ସହିତ ସେ ଆପଣାର ଦୁଇ ହାତକୁ ଛାତି ଉପରେ ବେଷ୍ଟିତ କରି ଦେଇଥିଲେ ଏବଂ ଚତୁର୍ଦ୍ଦିଗକୁ ଚାହିଁବାରେ ଲାଗିଥିଲେ । ହଁ ପିଗାସୋଭ୍ ମଧ୍ୟ ତାଙ୍କ ବିଷୟରେ କେଡ଼େ ଯଥାର୍ଥ ଭାବରେ କହିଥିଲେ ଯେ, ତାଙ୍କୁ ଗୋଟିଏ ଚୀନ୍ ଦେଶର କଣ୍ଡେଇ ସହିତ ଖୁବ୍ ତୁଳନା କରାଯାଇ ପାରିବ, ଯାହାର ମୁଣ୍ଡର ଓଜନଟିକୁ ଶରୀରଟି ମୋଟେ ସହିପାରେ ନାହିଁ ଏବଂ ତେଣୁ ତାହା ସର୍ବଦା ହିଁ ଟଳଟଳ ହେବାରେ ଲାଗିଥାଏ । କିନ୍ତୁ, ଜଣେ ବ୍ୟକ୍ତିର ମୁଣ୍ଡଟି ଯେଡ଼େ ଶକ୍ତ ତଥା ସର୍ମଥ ହୋଇଥାଉ ପଛକେ, କେବଳ ତାହାରି ବଳରେ ସେ ଆଦୌ କିଛି ହେଲେ ନିର୍ଭୁଲ ଭାବରେ ଜାଣି ପାରିବ ନାହିଁ, ଏପରିକି ତା’ର ନିଜଟି ଭିତରେ ମଧ୍ୟ କ’ଣ ସବୁ ଘଟିଯାଉଛି, ସେତିକି ବିଷୟରେ ମଧ୍ୟ ଆଦୌ କିଛି କହି ପାରିବ ନାହିଁ । ରୁଡ଼ିନ୍ ସର୍ବଦା କେଡ଼େ ବୁଦ୍ଧିର ପରିଚୟ ଦିଅନ୍ତି, ସବୁ କଥାର କେତେ ନା କେତେ ଗଭୀରକୁ ପ୍ରବେଶ ମଧ୍ୟ କରି ପାରନ୍ତି, —କିନ୍ତୁ ସିଏ ପ୍ରକୃତରେ ନାତାଲିଆଙ୍କୁ ଭଲ ପାଉଛନ୍ତି କି ନାହିଁ, ସେହି କଥାଟିକୁ ମଧ୍ୟ ସେ ପୂର୍ଣ୍ଣ ସୁନିଶ୍ଚିତ ଭାବରେ ଆଦୌ କହି ପାରିବେ ନାହିଁ । ସିଏ ସତରେ ଦୁଃଖ ପାଇଛନ୍ତି, କି ଏବଂ ନାତାଲିଆଙ୍କ ସହିତ ବିଚ୍ଛେଦ ଘଟିଲେ ସେ ପ୍ରକୃତରେ କ’ଣ ଦୁଃଖ ପାଇବେ, —ଏସବୁ ବିଷୟରେ ଆଦୌ କିଛି ହିଁ କହି ପାରିବେ ନାହିଁ । ତେବେ ସିଏ ଯେତେବେଳେ ପ୍ରକୃତରେ ଖେଳଟିକୁ ଖେଳିବେ ବୋଲି କେବେ ଇଚ୍ଛା ପ୍ରକଶ କରିନାହାନ୍ତି, —କେହି ଆଉ ଜଣେ ତାଙ୍କୁ ଅନ୍ତତଃ ସେତିକି ଶିଖାଇ ଦିଅନ୍ତେ ନାହିଁ, ତେବେ ଗୋଟିଏ ନିରୀହା ବାଳିକାର ମୁଣ୍ଡଟାକୁ ଏପରି ଭାବରେ ବିଗାଡ଼ି ଦେବାକୁ ସିଏ, କ’ଣ ପାଇ ଆସି ପହଞ୍ଚି ଯାଇଥିଲେ ? ତେବେ ତାଙ୍କର ଆସିବାକୁ ଅପେକ୍ଷା କରୁଥବା ସମୟରେ ତାଙ୍କର ଭିତରଟା ଏପରି ଭୟରେ କମ୍ପି ଉଠୁଛି କାହିଁକି ? ଏହି ସବୁକିଛି ସକାଶେ କେବଳ ଏହି ଗୋଟିଏ ଉତ୍ତର ହିଁ ହୁଏତ ରହିଛି ଯେ, ଯେଉଁମାନଙ୍କର ଚିତ୍ତରେ ପ୍ରକୃତରେ ଆଦୌ କୌଣସି ଆବେଗମୟଦା ନଥାଏ, ସେହିମାନେ ହିଁ ପୃଥିବୀରେ ସବୁଠାରୁ ଅଧିକ ବ୍ୟାକୁଳତା ପ୍ରଦର୍ଶନ କରିଥାନ୍ତି ।

 

ହଁ, ରୁଡ଼ିନ୍ ହୁଡ଼ାଟି ଉପରେ ସେହିପରି ପଦଚାଳନା କରୁଥିଲେ ଏବଂ ନାତାଲିଆ ତାଙ୍କୁ ଭେଟିବା ନିମନ୍ତେ ଓଦା ଘାସରେ କୌଣସି ଅବାଟ ହୋଇ ତରବର ହୋଇ ଧାଇଁବାରେ ଲାଗିଥାନ୍ତି-। “ନାତାଲିଆ ଆଲେକ୍‌ସିୟେଭ୍‌ନା ଆପଣଙ୍କର ପଦଗୁଡ଼ିକ ପୂରା ଓଦା ହୋଇଯିବେ”, ତାଙ୍କର ପରିଚାରିକା ମାଶା ତାଙ୍କୁ ପଛକୁ ସତର୍କ କରି ଦେଉଥାନ୍ତି । ସିଏ ଯେତେ ଦଉଡ଼ିଲା ପରି ହେଉଥିଲେ ମଧ୍ୟ ତଥାପି ନାତାଲିଆଙ୍କ ପର୍ଯ୍ୟନ୍ତ ମୋଟେ ପହଞ୍ଚି ପାରୁନଥାନ୍ତି ।

 

ନାତାଲିଆ ପରିଚାରିକାର କଥାକୁ ଆଦୌ କାନ ନଦେଇ କୁଆଡ଼କୁ ନଚାହିଁ ସିଧା ଧାଇଁବାରେ ଲାଗିଥାନ୍ତି ।

 

ମାଶା ବେଶ୍ ବଡ଼ପାଟିରେ କହୁଥିଲା, “ଯଦି ସେମାନେ ଆମକୁ ଦେଖି ପାରିଥିବେ ! ଆମେ ଯେ କିପରି ଘରୁ ବାହାରି ବି ଆସିପାରିଲୁ, ସେଇଟି ବଡ଼ ଆଚମ୍ବିତ କଥା । ....ଏବଂ କୁମାରୀ ବନକୋର୍ଟ୍‍ଙ୍କର ନିଦ ମଧ୍ୟ ଭାଙ୍ଗିବାଣି ଓ ସିଏ ଉଠି ସାରିବେଣି । ......ଭାଗ୍ୟର ବିଷୟ ଯେ ଏହି ଜାଗାଟି ଘର ପାଖରୁ ଗୁଡ଼ାଏ ଦୂର ନୁହେଁ । ଦେଖିଲ, ଭଦ୍ରବ୍ୟକ୍ତି ଆଗକୁ ଆସି ସେଠି ଅପେକ୍ଷା କରି ରହିଛନ୍ତି”, —ପରିଚାରିକାଟିର ଆଖି ହଠାତ୍ ରୁଡ଼ିନ୍‌ଙ୍କର ଭବ୍ୟ ଚେହେରାଟା ଉପରେ ପଡ଼ି ଯାଇଥିଲା । ରୁଡ଼ିନ୍ ସେଠାରେ ହୁଡ଼ାଟି ଉପରେ ସତେ ଅବା ଚିତ୍ରଟିଏ ପରି ଛିଡ଼ା ହୋଇ ରହିଥିଲେ । “ମାତ୍ର, ସେଠାରେ ସିଏ ସେହି ଢିପଟା ଉପରେ କ’ଣ ପାଇଁ ଛିଡ଼ା ହୋଇଛନ୍ତି, ସିଏ ସିନା ସରୋବରର ତଳ ସମତଳଟି ଭିତରକୁ ଚାଲି ଯାଇଥାନ୍ତେ !”

 

ନାତାଲିଆ ଅଟକିଲେ ।

 

“ମାଶା, ଆଉ ଆଗକୁ ଯାଆନାହିଁ, ଏଇଠି ଏହି ପାଇନ୍‍ ଗଛଗୁଡ଼ିକ ପାଖରେ ଠିଆ ହୋଇଥା”, —ନାତାଲିଆ କହିଲେ ଏବଂ ଆପେ ସରୋବରଟି ଆଡ଼କୁ ଆଗେଇ ଯାଇଥିଲେ ।

 

ଶ୍ରୀଯୁକ୍ତ ରୁଡ଼ିନ୍ ନାତାଲିଆଙ୍କ ପାଖରେ ପହଞ୍ଚିଗଲେ ଏବଂ ସତେଅବା ଅତୀବ ଆଚମ୍ବିତ ହୋଇ ଅଧ ବାଟରେ ଅଟକି ଯାଇଥିଲେ । ନାତାଲିଆଙ୍କର ମୁଖମଣ୍ଡଳ ଉପରେ ସେ ଏପରି ଚେହେରାଟିଏ ପୂର୍ବରୁ କେବେହେଲେ ଦେଖି ନଥିଲେ । ନାତାଲିଆଙ୍କର ଭ୍ରୂଲତାଗୁଡ଼ିକ ବଡ଼ ସଙ୍କୁଚିତ ହୋଇ ଆସିଥାନ୍ତି, ଓଠ ଦୁଇଟି ଚାପିହୋଇ ରହିଥାନ୍ତି ଓ ଆଖିମାନେ ବଡ଼ କୋଠରେ ଚାହାଣିରେ ସିଧା ସାମନାକୁ ହିଁ ଚାହିଁ ରହିଥାନ୍ତି ।

 

“ଡିମିଟ୍ରି ନିକୋଲାଇଚ୍” —ନାତାଲିଆ ଆରମ୍ଭ କଲେ, “ଆମ ହାତରେ ସମୟ ଖୁବ୍ ଅଳ୍ପ । ମୁଁ କେବଳ ପାଞ୍ଚ ମିନିଟ୍ ପାଇଁ ଏଠାକୁ ଆସିଛି । ହଁ, ମୋ ମାଆ ସବୁକଥା ଜାଣି ସାରିଛନ୍ତି, ପରଦିନ ପାଣ୍ଡାଲେଭ୍‌ସ୍କି ଆମ ଦୁହିଁଙ୍କୁ ଦେଖି ପାରିଥିଲେ ଏବଂ ଆମେ ଦୁଇଜଣ ପରସ୍ପରକୁ ଭେଟିଛୁ ବୋଲି ତାଙ୍କୁ କହି ଦେଇଥିଲେ । ସିଏ ତ ମାମାଙ୍କ ଲାଗି ସର୍ବଦା ହିଁ ଗୋଇନ୍ଦାର କାମଟିକୁ କରି ଆସିଛନ୍ତି । ମାଆ ମୋତେ କାଲି ଡାକି ପଠାଇଥିଲେ ।”

 

“ହେ ଭାଗବାନ,” ରୁଡ଼ିନ୍ ଚିତ୍କାର କରି ଉଠିଥିଲେ....କେଡ଼େ ଭୟାନକ କଥାଟା ..... ତୁମର ମାଆ କ’ଣ କହିଲେ ?”

 

“ସିଏ ମୋ’ ଉପରେ ରୁଷ୍ଟ ହୋଇ ନଥିଲେ, ମୋତେ ମୋଟେ ଗାଳି ଦେଲେନାହିଁ; ମାତ୍ର, ମୋ’ର ଯଥେଷ୍ଟ ହିତାହିତ ଜ୍ଞାନ ନାହିଁ ବୋଲି ମୋତେ ଭର୍ତ୍ସନା କଲେ ।”

 

“ବାସ୍, ମାତ୍ର ସେତିକି ?”

 

“ହଁ, ଏବଂ କହିଥିଲେ ଯେ ମୋତେ ଆପଣଙ୍କର ପତ୍ନୀରୂପେ ଦେଖିବା ପୂର୍ବରୁ ମୋତେ ବରଂ ମରିଯିବାର ଦେଖିବାକୁ ସେ ଅଧିକ ପସନ୍ଦ କରିବେ ।”

 

“ଏହା କ’ଣ ପ୍ରକୃତରେ ସମ୍ଭବ ଯେ ସିଏ ସେଭଳି କହିଲେ ?”

 

“ହଁ । ଏବଂ ଏପରି ମଧ୍ୟ କହିଲେ ଯେ ଆପଣ ନିଜେ ମଧ୍ୟ ମୋତେ ବିବାହ କରିବାକୁ ଆଦୌ ଇଚ୍ଛା କରିନଥିଲେ; —ଆପଣ ମୋ’ ସହିତ କେବଳ କିଞ୍ଚିତ୍‍ ପ୍ରୀତିଖେଳ ହିଁ ଖେଳୁଥିଲେ, କାରଣ ଆପଣଙ୍କୁ ସମ୍ଭବତଃ କ’ଣ ପାଇଁ ଭାରି ନୀରସ ବୋଧ ହେଉଥିଲା । ହଁ, ତାଙ୍କର କହିବା ଅନୁସାରେ । ସେ ଆପଣଙ୍କ ଠାରୁ ଏସବୁ ଆଦୌ ଆଶା କରିନଥିଲେ । କହିଥିଲେ ଯେ, ମୋତେ ଆପଣଙ୍କ ସହିତ ଏତେବେଶି ମିଶିବାକୁ ଦେଇ ସେ ପ୍ରକୃତରେ ତାଙ୍କ ନିଜକୁ ହିଁ ଦୋଷ ଦେଲେ । ପୁନଶ୍ଚ, ସେ ବର୍ତ୍ତମାନ ଆଶା କରୁଥିଲେ ଯେ ମୋ’ର ନିଶ୍ଚୟ ସଦ୍‌ବୁଦ୍ଧି ମଧ୍ୟ ହେବ । କାରଣ ଏସବୁ କରି ତାଙ୍କୁ ମୁଁ ଖୁବ୍ ଆଚମ୍ବିତ କରିଛି । .....ଏବଂ ଆଉସବୁ କ’ଣ କହିଥିଲେ, ମୋ’ର ଆଉ ବର୍ତ୍ତମାନ ମନେ ପଡ଼ୁନାହିଁ ।”

 

ନାତାଲିଆ ଏହି କଥାଗୁଡ଼ିକୁ କହୁଥିବା ସମୟରେ ତାଙ୍କର ସ୍ଵରରେ ଆଦୌ କୌଣସି ଅବେଗର ଲେଶ ନଥିଲା ।

 

“ଏବଂ ନାତାଲିଆ, ତୁମେ ତା’ପରେ ତାଙ୍କୁ କି ଉତ୍ତର ଦେଲ ?” —ରୁଡ଼ିନ୍ ପ୍ରଶ୍ନ କରିଥିଲେ ।

 

“କ’ଣ ଉତ୍ତର ଦେଲି !” —ନାତାଲିଆ ଶବ୍ଦଗୁଡ଼ିକୁ ଦୋହରାଇ କହିଲେ । “ଏବଂ ବର୍ତ୍ତମାନ ଆପଣ କ’ଣ କରିବାକୁ ଇଚ୍ଛା କରୁଛନ୍ତି ?”

 

“ହେ ଭଗବାନ, ହେ ଭଗବାନ” ରୁଡ଼ିନ୍ ଉତ୍ତର ଦେଇଥିଲେ, —ଏଇଟି ପ୍ରକୃତରେ ଏକ ନୃଶଂସ କଥା ଏତେ ଶୀଘ୍ର ଏବଂ ଏପରି ହଠାତ୍ ଭାବରେ ଗୋଟାଏ ଆଘାତ ! .....ଏବଂ ତୁମର ମାଆ ଏବେ ମଧ୍ୟ ସେହିପରି ବୃଦ୍ଧ ଅବସ୍ଥାରେ ଅଛନ୍ତି ?”

 

“ହଁ; ଏବଂ ସିଏ ଆପଣଙ୍କ ବିଷୟରେ ଆଦୌ କିଛି ଶୁଣିବେନାହିଁ ।”

 

“ନାହିଁ, କୌଣସି ଆଶା ନାହିଁ ।”

 

“କିନ୍ତୁ ଆମେ ମଧ୍ୟ କାହିଁକି ଏତେ ଅସୁଖୀ ହେବା ? ସେଇ ପାଣ୍ଡାଲେଭ୍‌ସ୍କି ବ୍ୟକ୍ତିଟି ପ୍ରକୃତରେ ଏଡ଼େ ଘୃଣ୍ୟ ? ନାତାଲିଆ ଆଲେକ୍‌ସିୟେଭନା, ମୁଁ କ’ଣ କରିବି ବୋଲି ତୁମେ ମୋତେ ପ୍ରଶ୍ନ କରୁଛ । ମୋ’ ମୁଣ୍ଡ ଭିତରଟା ତ ବର୍ତ୍ତମାନ ଘୂରିବାରେ ହିଁ ଲାଗିଛି—ବର୍ତ୍ତମାନ ମୁଁ କିଛି ହିଁ ସ୍ଥିର କରି ପାରୁନାହିଁ । …….ମୋ’ ନିଜ ଦୁର୍ଭାଗ୍ୟ ବ୍ୟତୀତ ମୁଁ ବର୍ତ୍ତମାନ କିଛି ବି ଅନୁଭବ କରି ପାରୁନାହିଁ । ହଁ ତୁମେ ନିଜକୁ ଏପରି ନିଜ ଆୟତ୍ତରେ ରଖି ପାରୁଛ ଦେଖି ମୋତେ ପ୍ରକୃତରେ ଆଶ୍ଚର୍ଯ୍ୟ ହିଁ ଲାଗୁଛି !”

 

“ମୋ ପାଇଁ କିଛି ସ୍ଥିର କରିବାଟା ଏତେ ସହଜ ବୋଲି ଆପଣ ଭାବୁଛନ୍ତି କି ?”

 

ରୁଡ଼ିନ୍ ହୁଡ଼ାଆ ଉପରେ ପଦଚାଳନା କରିବାକୁ ଲାଗିଲେ । ନାତାଲିଆ ଆଦୌ ଆଖି ନଫେରାଇ ତାଙ୍କୁ ଅନାଇ ରହିଥିଲେ ।

 

“ତୁମ ମାଆ ତୁମକୁ କିଛି ପଚାରିଥିଲେ ?” —ରୁଡ଼ିନ୍ ଶେଷରେ କହିଥିଲେ ।

 

“ହଁ, ମୁଁ ଆପଣଙ୍କୁ ଭଲ ପାଏ କି ନାହିଁ ବୋଲି ପଚାରିଥିଲେ ।”

 

“ଏବଂ ତୁମେ....ତୁମେ କ’ଣ ଉତ୍ତର ଦେଲ ?”

 

ନାତାଲିଆ କ୍ଷଣଙ୍କ ପାଇଁ ନୀରବ ରହିଥିଲେ । “ମୁଁ ସତକଥାଟି କହି ଦେଇଥିଲି ।”

 

ନାତାଲିଆଙ୍କ ହାତରୁ ରୁଡ଼ିନ୍ ନିଜ ହାତରେ ଧରିଥିଲେ ।

 

 

“ହଁ, ସବୁବେଳେ ସବୁ କଥାରେ ତୁମେ ଉଦାର । ତୁମ ହୃଦୟଟି ପ୍ରକୃତରେ କେଡ଼େ ମହାନ୍ ! ଜଣେ ବାଳିକାର ହୃଦୟ, —ପ୍ରକୃତରେ ଏକ ଖାଣ୍ଟି ସୁନା ପରି । ମାତ୍ର, ତୁମର ମାଆ କ’ଣ ପ୍ରକୃତରେ ନିଜ ନିଷ୍ପତ୍ତିଟିକୁ ଏଡ଼େ ଅକାଟ୍ୟ ଭାବରେ ଘୋଷଣା କରି କହିଛନ୍ତି ଯେ ଆମ ଦୁହିଁଙ୍କର କଦାପି ବିବାହ ହୋଇ ପାରିବ ନାହିଁ ?”

 

“ହଁ, ସମ୍ପୂର୍ଣ୍ଣ ଅକାଟ୍ୟ ଭାବରେ । ମୁଁ ଆପଣଙ୍କୁ ଆଗକୁ ହିଁ କହିଛି । ସିଏ ତ ସମ୍ପୂର୍ଣ୍ଣ ଭାବରେ ନିଃସନ୍ଦେହ ଯେ ଆପଣ ସ୍ଵୟଂ ହିଁ ମୋତେ ବିବାହ କରିବା ପାଇଁ ମୋତେ ଭାବୁନାହାନ୍ତି !”

 

“ତେବେ ସିଏ ମୋତେ ଜଣେ ବିଶ୍ଵାସାଘାତକ ବୋଲି ବିଚାରୁଛନ୍ତି କି ? ଏପରି ଗୋଟାଏ ଅପବାଦ ପାଇବା ଭଳି ମୁଁ ପ୍ରକୃତରେ କ’ଣ କରିଛି ?” —ଏକଥା କହିସାରି ରୁଡ଼ିନ୍ ନିଜର ମୁଣ୍ଡଟିକୁ ଆପଣାର ଦୁଇ ହାତରେ ଚାପି ଧରିଥିଲେ ।

 

“ଡିମିଟ୍ରି ନିକୋଲାଇଚ୍‍,” ନାତାଲିଆ କହିଥିଲେ, “ଆମେ ସମୟଟିକୁ କେବଳ ନଷ୍ଟ କରିଦେଉଛୁ । ମନେ ରଖିଥିବେ ଯେ ମୁଁ ଶେଷଥର ପାଇଁ ଆପଣଙ୍କ ସହିତ ଏଠାକୁ ଭେଟି ଆସିଛି-। ଏଠାକୁ କାନ୍ଦିବାକୁ ଅଥବା ପଶ୍ଚାତ୍ତାପ କରିବାକୁ ମୁଁ ଆଦୌ ଆସିନଥିଲି । —ତେଣୁ, ଆପଣ ଦେଖି ମଧ୍ୟ ପାରୁଥିବେ ଯେ ମୁଁ ଆଦୌ କାନ୍ଦୁନାହିଁ—ମୁଁ ପରାମର୍ଶ ପାଇଁ ଆସିଥିଲି ।”

 

“କିନ୍ତୁ ନାତାଲିଆ ଆଲେକ୍‌ସିୟେଭ୍‌ନା, ମୁଁ କି ପରାମର୍ଶ ତୁମକୁ ଦେଇ ପାରିବି ?”

 

“କି ପରାମର୍ଶ ? ଆପଣ ଜଣେ ପୁରୁଷ । ମୁଁ ଆପଣଙ୍କ ଠାରେ ବିଶ୍ଵାସ ହିଁ ସ୍ଥାପନ କରି ଆସିଛି ଏବଂ ଶେଷ ପର୍ଯ୍ୟନ୍ତ ମଧ୍ୟ କରୁଥିବି । ମୋତେ କହନ୍ତୁ ଆପଣଙ୍କର କ’ଣ ଯୋଜନାମାନ ଅଛି, ମୋତେ କହନ୍ତୁ ।”

 

“ମୋ’ର କ’ଣ ସବୁ ଯୋଜନା......ତୁମର ମାଆ ତ ନିଶ୍ଚୟ ମୋତେ ତାଙ୍କ ଘରୁ ଚାଲିଯିବାକୁ ହିଁ କହିବେ !”

 

“ସମ୍ଭବତଃ କହିବେ । ସିଏ ମଧ୍ୟ ମୋ’ ଆଗରେ କହିଛନ୍ତି ଯେ ସେ ଆପଣଙ୍କ ସହିତ ସବୁ କିଛି ସମ୍ପର୍କକୁ ତୁଟାଇ ଦେବେ.....କିନ୍ତୁ ଆପଣ ମୋ ପ୍ରଶ୍ନର କୌଣସି ଉତ୍ତର ଦେଇ ନାହାନ୍ତି-।”

 

“କି ପ୍ରଶ୍ନ ?”

 

“ଆମେ ବର୍ତ୍ତମାନ କ’ଣ କରିବା ବୋଲି ଆପଣ ବିଚାର କରୁଛନ୍ତି ?”

 

“ଆମେ କ’ଣ କରିବା ? —ରୁଡ଼ିନ୍ ଉତ୍ତର ଦେଲେ; “ତାଙ୍କ ଇଚ୍ଛଟାକୁ ମାନିନେବା ।’’

 

“ମାନି ନେବା ?” —ନାତାଲିଆ ଖୁବ୍ ଧୀର ସ୍ଵରରେ କହିଲେ ଏବଂ ତାଙ୍କର ଓଠଦୁଇଟି ତତ୍‌କ୍ଷଣାତ୍ ବିବର୍ଣ୍ଣ ହୋଇ ଯାଇଥିଲା ।

 

“ହଁ, ନିୟତିର ବିଧାନକୁ ମାନିନେବା ।” ରୁଡ଼ିନ୍ ପୁଣି କହିଥିଲେ । “ଆଉ ଉପାୟ ବା କ’ଣ ଏହି ବ୍ୟାପାରଟି ଯେ ପ୍ରକୃତରେ କେତେ ଦୁଃଖଦାୟକ ଏବଂ କଠୋର—କେତେ ବେଶି ଅସହ୍ୟ ସେକଥା ମୁଁ ଖୁବ୍ ଭଲ ଭାବରେ ବୁଝୁଛି । କିନ୍ତୁ, ନାତାଲିଆ ଆଲେକ୍‌ସିୟେଭ୍‌ନା, ତୁମେ ଆପେ ମଧ୍ୟ ବିଚାର କର; ମୁଁ ଜଣେ ଦରିଦ୍ର ବ୍ୟକ୍ତି । ହିଁ, ଏକଥା ମଧ୍ୟ ସତ ଯେ, ମୁଁ କୌଣସି କାମ ହାତକୁ ନେଇ ପାରିବି; ମାତ୍ର ମୁଁ ଯଦି ଜଣେ ଧନୀ ବ୍ୟକ୍ତି ମଧ୍ୟ ହୋଇଥାନ୍ତି, ତଥାପି ତୁମେ ନିଜର ପରିବାରଟି ଠାରୁ ଏପରି ସମ୍ପର୍କ ତୁଟାଇ ଦେବାଟାକୁ ସହ୍ୟ କରି ପାରନ୍ତ କି ? ମାଆଙ୍କର କ୍ରୋଧଟିକୁ ମଧ୍ୟ ସହି ପାରନ୍ତ କି ? .....ନାହିଁ ନାହିଁ ନାତାଲିଆ ଆଲେକ୍‌ସିୟେଭ୍‌ନା, —ସେ ବିଷୟରେ କୌଣସି ଭାବିବାରେ ମଧ୍ୟ ଲାଭ ନାହିଁ । ତେଣୁ ଖୁବ୍ ସ୍ପଷ୍ଟ ହୋଇ ଯାଉଛି ଯେ ଆମେ ଏକତ୍ର ଆମ ଜୀବନକୁ ବଞ୍ଚିବା ଆମ ଭାଗ୍ୟରେ ହିଁ ପ୍ରକୃତରେ ନଥିଲା ଏବଂ ମୁଁ ନିଜ ପାଇଁ ଯେଉଁ ସୁଖର ମଧ୍ୟ କଳ୍ପନା କରିଥିଲି, ତାହା ମୋ ପାଇଁ ମୋଟେ ବରାଦ ହୋଇ ରହିନଥିଲା !”

 

କଥାଗୁଡ଼ିକୁ ଶୁଣିବା ମାତ୍ରକେ ନାତାଲିଆ ନିଜର ଦୁଇ ପାପୁଲିରେ ମୁହିଁଟି ଲୁଚାଇ ଦେଇଥିଲେ ଓ କାନ୍ଦିବାରେ ଲାଗିଲେ । ରୁଡ଼ିନ୍ ତାଙ୍କ ନିକଟକୁ ଅଗ୍ରସର ହୋଇ ଯାଇଥିଲେ ।

 

“ନାତାଲିଆ ଆଲେକ୍‌ସିୟେଭ୍‌ନା, —ମୋ’ର ପ୍ରିୟ ନାତାଲିଆ,” —ଅତ୍ୟନ୍ତ ଉଷ୍ମତା ସହିତ ସେ କହିଥିଲେ, ‘‘ତୁମେ ଆଦୌ କାନ୍ଦନାହିଁ, ତୁମକୁ ଭଗବାନ୍‌ଙ୍କର ରାଣ; ମୋତେ ଆଦୌ ଦୁଃଖ ଦିଅନାହିଁ, ଦମ୍ଭ ଧର ଓ ଆପଣାକୁ ସାନ୍ତ୍ୱନା ଦିଅ !”

 

ନାତାଲିଆ ମୁଣ୍ଡ ଟେକିଲେ ।

 

“ଆପଣ ମୋତେ ନିଜକୁ ସାନ୍ତ୍ଵନା ଦେବାଲାଗି କହୁଛନ୍ତି,” —ନାତାଲିଆ ଆରମ୍ଭ କଲେ, ଏବଂ ତାଙ୍କ ଆଖିରୁ ବହି ଆସୁଥିବା ଲୋତକ ପଛରୁ ଆଖିଗୁଡ଼ିକ ମଧ୍ୟ ଖୁବ୍ ଚକ୍‌ଚକ୍‌ ଦେଖା ଯାଉଥିଲା “ଆପଣା ଯେପରି ଅନୁମାନ କରୁଛନ୍ତି, ମୁଁ ଆଦୌ ସେଥିଲାଗି କାନ୍ଦୁନାହିଁ—ସେଥିପାଇଁ ମୁଁ ମୋଟେ ଦୁଃଖ ଅନୁଭବ କରୁନାହିଁ, ଦୁଃଖ ଏଇଥିପାଇଁ ଅନୁଭବ କରୁଛି ଯେ, ଆପଣଙ୍କ ପାଖରେ ମୁଁ ପ୍ରବଞ୍ଚିତ ହୋଇଛି…..କାରଣ ଆପଣଙ୍କ ପାଖକୁ ମୁଁ ପରାମର୍ଶ ନିମନ୍ତେ ଆସିଛି ଏବଂ ସେହିପରି ଏକ ମୁହୂର୍ତ୍ତରେ, —ଆପଣ ପ୍ରଥମେ ହିଁ ମୋତେ ମାନିନିଅ, ମାନିନିଅ ବୋଲି କହୁଛନ୍ତି । ତେବେ ଆପଣ ପ୍ରକୃତରେ ଏହିପରି ଭାବରେ ସ୍ଵାଧୀନତା ଏବଂ ତ୍ୟାଗ ବିଷୟରେ ଏତେ ଏତେ କଥା କହିଥାନ୍ତି ?”

 

ତାଙ୍କ ମୁହଁରୁ ଆଉ କୌଣସି କଥା ସ୍ଫୂରି ନଥିଲା

 

ଭାରି ଅଡ଼ୁଆରେ ପଡ଼ି ଯାଇଥିବା ପରି ରୁଡ଼ିନ୍ ପୁଣି ଆରମ୍ଭ କରିଥିଲେ, “କିନ୍ତୁ ନାତାଲିଆ ଆଲେକ୍‌ସିୟେଭ୍‌ନା, ତୁମେ ମନେ ରଖ ଯେ ମୋ’ କଥାରେ ଆଦୌ ଅସତ୍ୟ ହୋଇନାହିଁ, —କେବଳ ।”

 

“ଆପଣ ମୋତେ ପଚାରିଥିଲେ,” —ନାତାଲିଆ ସତେ ଯେପରି ନୂତନ ବଳ ପାଇ ପଚାରିଥିଲେ, “ମୋ’ ମାଆ ମୋତେ ଯେତେବେଳେ ସେ ବରଂ ମୋ’ର ମୃତ୍ୟୁ ହିଁ ଦେଖିବେ ସିନା ଅଥଚ ଆପଣଙ୍କ ସହିତ ମୋ’ର ବିବାହ ହେଉ ବୋଲି ଆଦୌ ଦେଖିବେନାହିଁ ବୋଲି କହିଲେ, ସେତେବେଳେ ତାଙ୍କୁ ମୁଁ କେଉଁ ଉତ୍ତର ଦେଇଥିଲି, ଆପଣ ମୋତେ ସେକଥା ପଚାରିଥିଲେ । ମୁଁ ଉତ୍ତର ଦେଇଥିଲି ଯେ, ମୁଁ ବରଂ ତା’ ପୂର୍ବରୁ ହିଁ ମରିଯିବି, କିନ୍ତୁ ଆଉ କୌଣସି ବ୍ୟକ୍ତିକୁ ଆଦୌ ବିବାହ କରିବିନାହିଁ । ଏବଂ ତାପରେ ଆପଣ ମୋତେ ମାନି ନେବାକୁ କହୁଛନ୍ତି । ହୁଏତ ମାଆ ଉଚିତ କଥା ହିଁ କହିଛନ୍ତି, —ଆଉ ଅନ୍ୟ କିଛି କରିବାକୁ ନାହିଁ ବୋଲି ଆପଣ ନୀରସ ଅନୁଭବ କରୁଛନ୍ତି ବୋଲି ଆପଣ ନିଶ୍ଚୟ ମୋ’ ସହିତ ଏହି ଖେଳଟିକୁ ଖେଳିଛନ୍ତି ।”

 

“ନାତାଲିଆ ଆଲେକ୍‌ସିୟେଭ୍‌ନା, ମୁଁ ଶପଥ କରି କହିବି, —ମୁଁ ତୁମକୁ ନିଶ୍ଚିତ ଭାବରେ ହିଁ ସବୁକଥା କହିଛି ।”

 

କିନ୍ତୁ ନାତାଲିଆ ତାଙ୍କର ଏହି କଥାରେ ମୋଟେ କାନ ଦେଇନଥିଲେ ।

 

“ଆପଣ ମୋତେ କ’ଣ ପାଇଁ ଅଟକାଇଲେ ନାହିଁ ? ଆପଣ ନିଜେ କ’ଣ ପାଇଁ —ଅଥବା ବାଧା ବିଘ୍ନ ଅବଶ୍ୟ ଆସିବ ବୋଲି ଆପଣ ଅନୁମାନ କରିପାରିଲେ ନାହିଁ କି ? ଏଭଳି କହୁଥିବାରୁ ମୁଁ ପ୍ରକୃତର ଖୁବ୍ ଲଜ୍ଜିତ—କିନ୍ତୁ ମୁଁ ଜାଣିଛି ଯେ ଏହି ସବୁକିଛି ବର୍ତ୍ତମାନ ସମାପ୍ତ ହୋଇ ଯାଇଛି ?”

 

“ନାତାଲିଆ ଆଲେକସିୟେଭ୍‍ନା ତୁମକୁ ଶାନ୍ତ ହେବାକୁ ପଡ଼ିବ”, —ରୁଡ଼ିନ୍ କହିବାକୁ ଆରମ୍ଭ କରୁଥିଲେ, “ପ୍ରକୃତରେ କ’ଣ ସବୁ ଉପାୟ ବାହାର କରିବାକୁ ହେବ, ଆମେ ଦୁହେଁ ହିଁ ସେହି ବିଷୟରେ ବିଚାର କରିବା ।”

 

“ଆପଣ ବହୁ ସମୟରେ ଆତ୍ମା-ତ୍ୟାଗ ବିଷୟରେ କହିଛନ୍ତି,” —ନାତାଲିଆ କହିବାକୁ ଆରମ୍ଭ କରି ଦେଇଥିଲେ, “କିନ୍ତୁ ଆପଣ ଜାଣିଛନ୍ତି କି, ଯଦି ଆପଣ ମୋତେ ସାଙ୍ଗେ ସାଙ୍ଗେ ‘ମୁଁ ତୁମକୁ ଭଲ ଅବଶ୍ୟ ପାଏ, କିନ୍ତୁ ତୁମକୁ ବିବାହ କରି ପାରୁନାହିଁ, ମୁଁ ଭବିଷ୍ୟତ ବିଷୟରେ କୌଣସି ପ୍ରତିଶ୍ରୁତି ଦେଇ ପାରିବି ନାହିଁ, ମୋ’ ଆଡ଼କୁ ନିଜ ହାତଟିକୁ ବଢ଼ାଇ ଦିଅ ଏବଂ ମୋ’ ସହିତ ନିଶ୍ଚୟ ଆସିଥାନ୍ତି; ଆପଣ ଜାଣିଛନ୍ତି, ସେଥିପାଇଁ ସବୁକିଛି ତ୍ୟାଗ ମଧ୍ୟ କରିଥାନ୍ତି ? ମାତ୍ର, କଥା ଏବଂ କାର୍ଯ୍ୟ ଭିତରେ ତ ସର୍ବଦା ହିଁ ବ୍ୟବଧାନ ରହି ଆସିଛି ଏବଂ ବର୍ତ୍ତମାନ ଆପଣ ଭୟଭୀତ ହୋଇ ପଡ଼ିଥିଲେ, ଠିକ୍ ଯେପରି ସେଦିନ ଭୋଜନ ସମୟରେ ଶ୍ରୀ ଭୋଲିନ୍ତସେଭ୍‌ଙ୍କ ନିକଟରେ !”

 

ଏସବୁ ଶୁଣି ରୁଡ଼ିନ୍‌ଙ୍କର ମୁଖମଣ୍ଡଳ ରଙ୍ଗା ପଡ଼ି ଯାଇଥିଲା । ଏପରି ଅପ୍ରତ୍ୟାଶିତ ଭାବରେ କେତେ ଦୃଢ଼ତା ସହିତ ନାତାଲିଆଙ୍କର କଥାଗୁଡ଼ିକୁ ଶ୍ରବଣ କରି ସେ ଅତ୍ୟନ୍ତ ଚକିତ ହିଁ ହେଲେ; ମାତ୍ର ତାଙ୍କର ଶୋଷୋକ୍ତ ଶବ୍ଦଗୁଡ଼ିକ ତାଙ୍କର ଅଭିମାନ ଉପରେ ବେଶ୍ ଆଘାତ ମଧ୍ୟ କରିଥିଲା ।

 

“ନାତାଲିଆ ଆଲେକ୍‍ସିୟେଭ୍‍ନା, ବର୍ତ୍ତମାନ ତୁମେ ଅତ୍ୟନ୍ତ କୁପିତ ହୋଇ ପଡ଼ିଛି”, —ରୁଡ଼ିନ୍ କହିବାକୁ ଆରମ୍ଭ କଲେ । “ଏପରି କହି ତୁମେ ଯେ ମୋ’ ପ୍ରାଣରେ କେତେ ଆଘାତ ଦେଉଛ, ତୁମେ ତାହା ଆଦୌ ବୁଝି ପାରିବ ନାହିଁ । ମୁଁ ଆଶା କରୁଛି ଯେ, ଏପରି ଏକ ସମୟ ନିଶ୍ଚୟ ଆସିବା, ଯେତେବେଳେ କି ତୁମେ ମୋ’ ବିଷୟରେ ନ୍ୟାୟ ବିଚାର କରିବ । ତୁମେ ବୁଝିପାରିବ ଯେ, ଯେଉଁ ସୁଖଟି ପାଇବାକୁ ହେଲେ ତୁମେ ପ୍ରତିଦାନ ସ୍ୱରୂପ ମୋତେ ଆଦୌ କୌଣସି ପ୍ରକାରରେ କିଛି ବି ଦେବାକୁ ପଡ଼ିବ ନାହିଁ ବୋଲି ତୁମେ ନିଜେ କହିଥିଲ ତାହାକୁ ଏପରି ଛାଡ଼ି ଚାଲି ଆସିବାକୁ ମୋତେ ଯେ ବର୍ତ୍ତମାନ କେତେ କ’ଣ ମୂଲ୍ୟ ଦେବାକୁ ପଡ଼ୁଛି ! ତୁମେ ଶାନ୍ତିରେ ହିଁ ରହ, —ସେଇଟି ହେଉଛି ମୋ’ ଲାଗି ଏହି ପୃଥିବୀରେ ସବୁକିଛି ଠାରୁ ହିଁ ଅଧିକ ମୂଲ୍ୟବାନ୍‍ ଏବଂ ଯଦି ମୁଁ ଏହି କ୍ଷେତ୍ରରେ ଆଦୌ ଏତେ ଟିକିଏ ମଧ୍ୟ ଫାଇଦା ନେଇଥାନ୍ତି, ତେବେ ମୋଟେ ପ୍ରକୃତରେ ସବୁ ମଣିଷଙ୍କର ତୁଳନାରେ ଜଣେ ଅଧିକ ନୀଚକାଟର ବ୍ୟକ୍ତି ବୋଲି ଅବଶ୍ୟ କୁହା ଯାଇଥାନ୍ତା ।”

 

ନାତାଲିଆ ହସ୍ତକ୍ଷେପ କଳାପରି ତା’ପରେ କହିଥିଲେ, “ବୋଧହୁଏ, ବୋଧହୁଏ, —ହଁ, ସମ୍ଭବତଃ ଆପଣ ସତ ହିଁ କହୁଛନ୍ତି । ମୁଁ ବର୍ତ୍ତମାନ କ’ଣ ସବୁ କହୁଛି, ସମ୍ଭବତଃ କିଛି ହିଁ ଜାଣି ପାରୁନାହିଁ । କିନ୍ତୁ, ଏପର୍ଯ୍ୟନ୍ତ ମୁଁ ଆପଣଙ୍କ ଉପରେ ଏକ ଅବିଚଳିତ ଆସ୍ଥା ହିଁ ରଖିଥିଲି, ଆପଣଙ୍କର ସବୁ କଥାରେ ମୁଁ ବିଶ୍ଵାସ କରୁଥିଲି । ମୋ’ର ପ୍ରାର୍ଥନା, ଭବିଷ୍ୟତରେ ଆପଣ ଯେତେବେଳେ ଯାହାକିଛି ଯାହାକୁ କହିବେ, ତାହାକୁ ନିଶ୍ଚୟ ମନେ ରଖିବେ, ମୋଟେ ସେଗୁଡ଼ିକୁ ଭୁଲି ଯିବେ ନାହିଁ, ମନ ଇଚ୍ଛା ଯୁଆଡ଼େ ମନ ସିଆଡ଼େ ଫୋପାଡ଼ି ଦେବେ ନାହିଁ । ‘ଆପଣଙ୍କୁ ମୁଁ ଭଲ ପାଏ’ ବୋଲି ଯେତେବେଳେ ଆପଣଙ୍କୁ କହିଥିଲି, ସେତେବେଳେ ମୁଁ ସେହି କଥାଟିରେ ପ୍ରକୃତ ତାତ୍ପର୍ଯ୍ୟଟିକୁ ମଧ୍ୟ ଭଲ ଭାବରେ ବୁଝିଥିଲି; ମୁଁ ଯାହାକିଛି ସ୍ଥିତି ପାଇଁ ପ୍ରସ୍ତୁତ ଥିଲି......ଆପଣ ଯେ ମୋତେ ଏକ ଶିକ୍ଷା ଦେଇଛନ୍ତି, ସେଥିପାଇଁ ମୁଁ ବର୍ତ୍ତମାନ ନିଶ୍ଚୟ ଧନ୍ୟବାଦ ବୋଲି କହିବି । —ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ !”

 

“ନାତାଲିଆ ଆଲେକ୍‌ସିୟେଭ୍‌ନା—ତୁମକୁ ଭଗବାନଙ୍କ ରାଣ ସେପରି ମୋତେ କହନା, —ତୁମ ପାଖରେ ମୋ’ର ଗୋଟିଏ ହିଁ ପ୍ରାର୍ଥନା । ତୁମଠାରୁ ଏହି ତିରସ୍କାରପୂର୍ଣ୍ଣ ଆଚରଣ, ତାହା ଆଦୌ ମୋ’ର ପ୍ରାପ୍ୟ ନୁହେଁ । ତୁମ ପାଖରେ ମୁଁ ଶପଥ ଖାଇ କହୁଛି । ଥରେ ନିଜକୁ ତୁମେ ମୋ’ ସ୍ଥିତିରେ ରଖି ଚିନ୍ତା କର । ମୁଁ ତୁମ ପାଖରେ ତଥା ମୋ’ ନିଜ ପାଖରେ ମଧ୍ୟ ଦାୟୀ । ଯଦି ମୁଁ ସମ୍ପୂର୍ଣ୍ଣ ଆନୁଗତ୍ୟ ସହିତ ତୁମକୁ ଭଲ ପାଇନଥାଏ, —ତେବେ କହିଲ ତୁମେ ମୋ’ ସହିତ ଚାଲ ଏବଂ ଆମେ କୁଆଡ଼େ ପଳାଇବା ବୋଲି ତେବେ ମୁଁ ତୁମକୁ କାହିଁକି କହି ପାରିଲି ନାହିଁ । ......ଶୀଘ୍ର ହେଉ, ବିଳମ୍ବରେ ମଧ୍ୟ ହେଉ, ତୁମର ମାଆ ଆମକୁ ଅବଶ୍ୟ କ୍ଷମା ଦେବ, —ଏବଂ ତେବେ …….. କିନ୍ତୁ, ମୋ’ ନିଜର ଶିକ୍ଷା ସମ୍ବନ୍ଧରେ ପ୍ରଥମେ କିଛି ଚିନ୍ତା କରିବା ପୂର୍ବରୁ......”

 

ରୁଡ଼ିନ୍ କଥା ବନ୍ଦ କରିଥିଲେ । ନାତାଲିଆ ତାଙ୍କ ଆଡ଼କୁ ପ୍ରାୟ ଏକ ଦୃଷ୍ଟି ହୋଇ ଅନାଇ ରହିଥାନ୍ତି ଏବଂ ତଦ୍ଦ୍ଵାରା ରୁଡ଼ିନ୍ ସମ୍ଭବତଃ କିଛି ଗୋଳମାଳରେ ପଡ଼ିଯିବାର ପରି ଅନୁଭବ କରିଥିଲେ ।

 

ନାତାଲିଆ କହିଲେ, “ଡିମିଟ୍ରି ନିକୋଲାଇଚ୍, ଆପଣ ଜଣେ ପ୍ରକୃତରେ ସଚ୍ଚୋଟ ମନୁଷ୍ୟ ବୋଲି ମୋ’ ଆଗରେ ପ୍ରମାଣ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ମୁଁ ସେଥିରେ ଆଦୌ କୌଣସି ସନ୍ଦେହ ହିଁ କରୁନାହିଁ । ଆପଣ ହିସାବ କରି ଲାଭ କ୍ଷତି ଦେଖି ଆଦୌ କିଛି ହେଲେ କାର୍ଯ୍ୟ କରି ପାରିବେ ନାହିଁ । ମାତ୍ର, ସେହି ବିଷୟରେ ମୋ’ ମନରେ କିଏ ଯଥେଷ୍ଟ ବିଶ୍ଵାସ ଜନ୍ମାଇ ବୋଲି ମୁଁ ଇଚ୍ଛା କରୁଥିଲି କି ? ମୁଁ କ’ଣ ସେଇଥିପାଇଁ ଏଠାକୁ ଆସିଥିଲି ?”

 

“ନାତାଲିଆ ଆଲେକ୍‌ସିୟେଭ୍‌ନା, ତାହା ମୁଁ ଆଦୌ ଆଶା କରି ନଥିଲି ।”

 

“ଶେଷରେ ଏବେ ଯାଇ ଆପଣ ସେହି କଥାଟିକୁ କହିଲେ ! ହଁ, ଆପଣ ମୋଟେ ଏସବୁ ଆଶା କରିନଥିଲେ । —ଆପଣ ମୋତେ ଭଲକରି ଜାଣି ନଥିଲେ, ଆପଣ ଆଦୌ ଏତେ ବେଶି ଅସହ ଅନୁଭବ କରନ୍ତୁ ନାହିଁ । ଅପାଣ ମୋତେ ଭଲ ପାଆନ୍ତି ନାହିଁ ଏବଂ ମୁଁ ମଧ୍ୟ କଦାପି ନିଜକୁ ଏପରି ଜୋର କରି ନେଇ ଲଦି ଦେଇ ପାରିବି ନାହିଁ ।

 

“ମୁଁ ତୁମକୁ ଭଲ ପାଏ” —ରୁଡ଼ିନ୍ ପ୍ରକୃତରେ ଖୁବ୍ ବ୍ୟାକୁଳ ଭାବରେ କହିଥିଲେ । ନାତାଲିଆ ନିଜକୁ ସଂବୃତ କରି ଆଣିଲେ ।

 

“ହଁ, ହୁଏତ ଭଲ ପାଆନ୍ତି; ମାତ୍ର ମୋତେ ପ୍ରକୃତରେ କିଭଳି ଭାବରେ ଭଲ ପାଆନ୍ତି ? ନିଜର କହିଥିବା ସବୁ କଥାଗୁଡ଼ିକୁ ଥରେ ମନେ ପକାନ୍ତୁ । ଡିମିଟ୍ରି ନିକୋଲାଇଚ୍, ମୋତେ ଆପଣ କହିଥିଲେ ‘ସମ୍ପୂର୍ଣ୍ଣ ସମାନତା ନଥିଲେ କୌଣସି ପ୍ରେମ ସମ୍ଭବ ହୁଏ ନାହିଁ ।’……ମୋତେ ନେଇ ଆପଣ ଖୁବ୍ ବେଶି ଉଲ୍ଲସିତ ହୋଇପଡ଼ିଛନ୍ତି । ମୁଁ ପ୍ରକୃତରେ ଆପଣଙ୍କର ମୋତେ ସମାସ୍କନ୍ଧ ହେବି ନାହିଁ । ମୋର ଶାସ୍ତି ହିଁ ପାଇବାର ଥିଲା, ଏବଂ ତେଣୁ ପ୍ରକୃତରେ ଶାସ୍ତି ପାଉଛି । ଆପଣଙ୍କର ସମ୍ମୁଖରେ ବହୁ କର୍ତ୍ତବ୍ୟ ପଡ଼ିରହିଛି ଏବଂ ସେଗୁଡ଼ିକୁ ନିଶ୍ଚୟ ଆପଣଙ୍କ ପାଇଁ ଅଧିକ ଯୋଗ୍ୟ ହେବେ । ଆଜିର ଏହି ଦିନଟିକୁ ମୁଁ କେବେହେଲେ ପାସୋରିବି ନାହିଁ ....... ବିଦାୟ ।”

 

“ତୁମେ ଚାଲି ଯାଉଛ, ନାତାଲିଆ ଆଲେକ୍‌ସିୟେଭ୍‌ନା ?”

 

ଆପଣାର ହାତଟିକୁ ସେ ତାଙ୍କ ଆଡ଼କୁ ବଢ଼ାଇ ଦେଇଥିଲେ । ନାତାଲିଆ ଅଟକି ଗଲେ-। ତାଙ୍କର ଏହି ବହୁ ଅନୁନୟଭରା କଣ୍ଠସ୍ଵରଟି ତାଙ୍କୁ ସତେଅବା ବଦଳାଇ ଦେବାକୁ ବସିଥିଲା ପରି ମନେ ହେଉଥିଲା ପରା ।

 

ନାତାଲିଆ ଅବଶେଷରେ କହିଦେଲେ, “ନାଇଁ । ମୁଁ ଅନୁଭବ କରିପାରୁଛି ଯେ ମୋ’ ଭିତରେ କିଛି ଗୋଟିଏ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି...ହଁ, ମୁଁ ଏଠାକୁ ଆସିଥିଲି, ସତେଅବା ଗୋଟିଏ ପ୍ରଳାପ କରୁଥିବାର ସ୍ଥିତିରେ ରହି ଆପଣଙ୍କ ସହିତ କଥା ହେଉଥିଲି । ମୋତେ ବର୍ତ୍ତମାନ ପୁନର୍ବାର ପ୍ରକୃତିସ୍ଥ ହେବା ଲାଗି ଚେଷ୍ଟା କରିବାକୁ ପଡ଼ିବ । ଆପଣ ତ ନିଜେ କହିଲେ ଯେ, ଏହା କେବେହେଲେ ସମ୍ଭବ ହେବନାହିଁ । ହଁ, ପ୍ରକୃତରେ ହେବନାହିଁ । ହେ, ଭଗବାନ୍‍, ମୁଁ ଯେତେବେଳେ ଏଠାକୁ ଆସିଲି, ସେତେବେଳେ ପ୍ରକୃତରେ ମନେ ମନେ ନିଜ ଘର ଓ ନିଜର ଅତୀତ ପାଖକୁ ବିଦାୟ ହିଁ ନେଇ ସାରିଥିଲି—ଏବଂ ତା’ପରେ ପୁଣି କ’ଣ ହେଲା—ଏଠାକୁ ଆସି ମୁଁ କିପରି ଜଣେ ବ୍ୟକ୍ତିଙ୍କୁ ଭେଟିଲି, ଜଣେ ଭାରୁକୁ ହିଁ ଭେଟିଲି.....ଏବଂ ଆପଣ କିପରି ଜାଣିଲେ ଯେ ମୁଁ ନିଜ ଘର ଠାରୁ ଅଲଗା ହୋଇ ଚାଲିଯିବାର ଦୁଃଖଟାକୁ ସହ୍ୟ କରି ପାରିନଥାନ୍ତି ? ଆପଣ କହିଲେ ନା, ‘ତୁମର ମାଆ ସମ୍ମତ ହେବେନାହିଁ’ —ବଡ଼ ଭୟଙ୍କର କଥାଟିଏ ହେବ । ମୁଁ ଆପଣଙ୍କ ଠାରୁ କେବଳ ଏତିକି କଥା ଶୁଣିଲି । ହିଁ, ସେହି ଆପଣଙ୍କ ଠାରୁ, ରୁଡ଼ିନ୍‌ଙ୍କ ଠାରୁ ? ନାହିଁ ! ବିଦାୟ ଆପଣଙ୍କୁ.....ହାୟ, ଯଦି ଆପଣ ମୋତେ ଭଲ ପାଉଥାଆନ୍ତି ତେବେ ମୁଁ ସେହି କଥାଟିକୁ ଏହି ଉପସ୍ଥିତ ମୁହୂର୍ତ୍ତଟିରେ ଅବଶ୍ୟ ଅନୁଭବ କରି ପାରିଥାନ୍ତି....ନାହିଁ, ନାହିଁ, ବିଦାୟ ଆପଣଙ୍କୁ !”

 

ନାତାଲିଆ ପୁଣି ବୁଲି ପଡ଼ିଲେ ଓ ସତ୍ଵର ପଦକ୍ଷେପ ସହିତ ନିଜର ପରିଚାରିକାଟି ଆଡ଼କୁ ଚାଲି ଯାଇଥିଲେ । ଇତି ମଧ୍ୟରେ ପରିଚାରିକାଟି ମଧ୍ୟ ଖୁବ୍ ଅଶ୍ଵସ୍ତ ହେବାକୁ ଆରମ୍ଭ କରି ଦେଇଥିଲା ଏବଂ ଦୀର୍ଘ ସମୟରୁ ନାତାଲିଆଙ୍କ ଆଡ଼କୁ ସଙ୍କେତ ମାନ ଦେଉଥିଲା ।

 

“ତୁମେ ହିଁ ପ୍ରକୃତରେ ଭୀତ ହୋଇ ପଡ଼ିଲ, ମୁଁ ନୁହେଁ !” —ରୁଡ଼ିନ୍ ବେଶ୍ ବଡ଼ ପାଟି କରି ନାତାଲିଆଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ।

 

ନାତାଲିଆ ତାଙ୍କ ଆଡ଼କୁ ଆଦୌ ଦୃଷ୍ଟି ଫେରାଇଲେ ନାହିଁ ଏବଂ ବିଲଗୁଡ଼ିକୁ ଦେଇ ଗୃହକୁ ଧାଇଁବାରେ ଲାଗିଥିଲେ । ଏବଂ ବେଶ୍ ସଫଳତା ସହିତ ଆପଣାର ଶୟନକକ୍ଷ ଯାଏ ଆସି ପହଞ୍ଚି ମଧ୍ୟ ଗଲେ, ମାତ୍ର, ଦୁଆର ବନ୍ଧଟି ଡେଇଁ ଘର ଭିତରେ ପ୍ରବେଶ କରିବା ମାତ୍ରକେ ହିଁ ତାଙ୍କ ଦେହ ଭିତରେ ଆଉ ଆଦୌ କୌଣସି ବଳ ନଥିଲା ପରି ତାଙ୍କୁ ଲଗିଲା ଏବଂ ସିଏ ନିଜ ପରିଚାରିକାର ଦୁଇବାହୁ ଭିତରକୁ ପ୍ରାୟ ଚେତା ନଥିବା ପରି ଢଳି ପଡ଼ିଲେ ।

 

କିନ୍ତୁ, ରୁଡ଼ିନ୍ ବେଶ୍ ଦୀର୍ଘକାଳ ବନ୍ଧଟି ଉପରେ ଛିଡ଼ା ହୋଇ ରହିଲେ । ଶେଷରେ କ’ଣ ପାଇଁ ଗୋଟାସୁଦ୍ଧା ଥରି ଉଠିଥିଲେ ଓ ଧୀର ଭାବରେ ପାଦ ପରେ ପାଦ ପକାଇ ପୂର୍ବର ସେହି କ୍ଷୁଦ୍ର ପଥଟି ଉପରେ ଆସି ପହଞ୍ଚି ତାହାରି କଡ଼େ କଡ଼େ ଅଗ୍ରସର ହେଉଥିଲେ । ଭିତରେ ସତେଅବା ଘୋର ଲଜ୍ଜା ହିଁ ଅନୁଭବ କରୁଥିଲେ, —କେଉଁଠାରେ ଖୁବ୍ ଆହତ ହୋଇ ପଡ଼ିଥିବାପରି । ମନେ ମନେ ଭାବୁଥିଲେ, “ଏହି ମାତ୍ର ସତର ବର୍ଷ ବୟସରେ ସିଏ ପ୍ରକୃତରେ ଜଣେ ଅଦ୍ଭୁତ ବାଳିକାର ସାମର୍ଥ୍ୟ ଲାଭ କରି ପାରିଛି । ନାଇଁ, ମୁଁ ସତକୁ ସତ ନାତାଲିଆକୁ ଏଯାଏ ଜାଣି ନଥିଲି । ହଁ, ଜଣେ ଅତ୍ୟନ୍ତ ଚମତ୍କାର ବାଳିକା, —ସମ୍ପୂର୍ଣ୍ଣ ଭାବରେ ବାରି ହୋଇପଡ଼ିବା ଭଳି-! ଇଚ୍ଛାଶକ୍ତିଟା ମଧ୍ୟ କି ପ୍ରବଳ …… ସିଏ ପ୍ରକୃତ କଥା ହିଁ କହୁଥିଲା । ମୁଁ ତାକୁ ଯେପରି ଭାବରେ ଭଲ ପାଇଥିଲି, ସିଏ ନିଶ୍ଚିତ ଭାବରେ ତା’ଠାରୁ ଏକ ଭିନ୍ନ ପ୍ରକାରର ଭଲ ପାଇବାର ଯୋଗ୍ୟ ବୋଲି କୁହାଯାଇପାରିବ । ମୁଁ ସତରେ ତାକୁ ଭଲ ପାଉଥିବା ପରି ଅନୁଭବ କରୁଥିଲି ?” ରୁଡ଼ିନ୍ ନିଜକୁ ମନେ ମନେ ପଚାରିଲେ, “ଏପରି ମଧ୍ୟ ହୋଇପାରେ ଯେ ମୁଁ ତା’ପ୍ରତି ଆଉ ସେପରି କୌଣସି ଭଲ ପାଇବା ଅନୁଭବ ମଧ୍ୟ କରୁନାହିଁ ? ତେଣୁ, ଏହି ସବୁକିଛି ଏହିପରି ହିଁ ଶେଷ ହେବ ବୋଲି ପୂର୍ବରୁ ହିଁ ନିଶ୍ଚିତ ଥିଲା । ହିଁ, ତା’ ଆଗରେ ମୁଁ ପ୍ରକୃତରେ କେଡ଼େ ଶୋଚନୀୟ ଅଭାଗାଟିଏ ନଥିଲି ।”

 

ଗୋଟିଏ ଘୋଡ଼ାଗାଡ଼ି ଆସି ଅଟକିବା ପରି ଏକ କ୍ଷଣ ଶବ୍ଦ ଆସି କଣରେ ବାହିଲା । ରୁଡ଼ିନ୍ ଆପଣାର ମୁଣ୍ଡ ଟେକି ଅନାଇଥିଲେ । ଲେଜ୍‌ଝିନିଓଭ୍‌ ଗାଡ଼ିଟିକୁ ଦଉଡ଼ାଇ ସେଠାରେ ଆସି ପହଞ୍ଚିଥିଲେ । ରୁଡ଼ିନ୍ ତାଙ୍କୁ ଦେଖି କିଛି କହିନଥିଲେ ଓ ମୁଣ୍ଡକୁ ଆନତ କରି ଆଣି ତାଙ୍କୁ ନିଜର ଅଭିବାଦନ ଜଣାଇଲେ । ହଠାତ୍ ତାଙ୍କ ମସ୍ତିଷ୍କକୁ କ’ଣ ଏକ ଭାବନା ଆସିଥିଲା କେଜାଣି, ସେ ରାସ୍ତାଟି ଉପରୁ ସାଙ୍ଗେ ସଙ୍ଗେ କଡ଼କୁ ଚାଲି ଯାଇଥିଲେ ଏବଂ ତା’ ପରେ ବେଶ୍ ତରତର ହୋଇ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କର ଘର ଆଡ଼କୁ ଆଗେଇ ଗଲେ ।

 

ଲେଜ୍‌ଝନିଓଭ୍ ତାଙ୍କୁ ବାଟ ଛାଡ଼ି ଦେଇଥିଲେ ଓ ପଛରୁ ତାଙ୍କ ଉପରେ ଦୃଷ୍ଟିପାତ କରୁଥିଲେ ଏବଂ ସିଏ ମଧ୍ୟ ମୁହୁର୍ତ୍ତେ ପରେ କ’ଣ ଭାବି ଘୋଡ଼ାକୁ ବୁଲାଇ ଦେଇଥିଲେ ଏବଂ ଭୋଲିନ୍ତସେଭ୍‌ଙ୍କ ସହିତ ସାକ୍ଷାତ କରିବା ଲାଗି ଅଗ୍ରସର ହେଲେ । ଭୋଲିନ୍ତସେଭ୍ ଗତକାଲି ଏହିଠାରେ ହିଁ ରାତ୍ରିଯାପାନ କରିଥିଲେ । ଭୋଲିନ୍ତସେଭ୍ ସେତେବେଳେ ଯାଏ ଉଠି ନଥିବାର ଦେଖିଲେ ଏବଂ ତାଙ୍କୁ ବିଛଣାରୁ ନଉଠାଇବାକୁ ନିର୍ଦ୍ଦେଶ ଦେଇ ଆପେ ଖୋଲା ଛାତ ଉପରକୁ ଯାଇ ବସି କିଛି ଚାହା ପାଇଁ ଅପେକ୍ଷା କଲେ ଓ ନିଜ ପାଇପ୍‌ରୁ ଧୂମପାନ କରିଥିଲେ ।

 

—୧୦—

 

ଭୋଲିନ୍ତସେଭ୍ ତହିଁ ଆରଦିନ ଉଠିଲା ବେଳକୁ ଦଶଟା ବାଜି ଯାଇଥିଲା । ଶୁଣିବାକୁ ପାଇଲେ ଯେ ଶ୍ରୀଲେଜ୍‌ଝିନଓଭ୍ ଆସି ଅପେକ୍ଷା କରିଛନ୍ତି ଏବଂ ଉପର ଛାତରେ ଯାଇ ବସିଛନ୍ତି । ଭାରି ଆଚମ୍ବିତ ହେଲେ ଏବଂ ତାଙ୍କୁ ତଳକୁ ଆସିବା ପାଇଁ କହିବାକୁ ଖବର ପଠାଇଲେ ।

 

“କ’ଣ ହେଲା କି ?” —ଭୋଲିନ୍ତସେଭ୍ ତାଙ୍କୁ ପଚାରିଥିଲେ । “ମୁଁ ଭାବିଥିଲି ଯେ ଆପଣ ଗାଡ଼ି ନେଇ ଘରକୁ ହିଁ ଚାଲି ଯାଇଛନ୍ତି ।’’

 

“ହଁ, ମୁଁ ମଧ୍ୟ ସେହିପରି ଭାବିଥିଲି, କିନ୍ତୁ ଶ୍ରୀରୁଡ଼ିନ୍‌ଙ୍କ ସହିତ ସାକ୍ଷାତ ହେଲା ମୁଁ ଦେଖିଲି ସିଏ ଏପରି ଉଦ୍‌ବିଗ୍ନ ମୁହଁଟିକୁ କରି ଗାଆଁବଣ ଆଡ଼େ ବୁଲିବାରେ ଲାଗିଛନ୍ତି । ତେଣୁ ମୁଁ ସଙ୍ଗେ ସଙ୍ଗେ ଗାଡ଼ି ବୁଲାଇ ଆଣିଥିଲି ।”

 

“ରୁଡ଼ିନ୍‌ଙ୍କୁ ଦେଖିଲେ ବୋଲି ଆପଣ ଫେରିଲେ ?”

 

“ହଁ ସମ୍ଭବତଃ ପ୍ରକୃତରେ ସେହିପରି, କେଜାଣି କାହିଁକି, —ମୁଁ ନିଜେ ବି କ’ଣ ପାଇଁ ଫେରିଲି କହି ପାରିବିନାହିଁ । ଫେରିଲି, ହୁଏତ କାରଣ ତୁମ କଥା ମନେ ପଡ଼ିଯାଇଥିଲା । ମୁଁ ତୁମକୁ ପାଖକୁ ଆସି ଭେଟିବାକୁ ଇଚ୍ଛା କଲି ଏବଂ ଘରକୁ ଫେରିବା ପାଇଁ ବର୍ତ୍ତମାନ ମୋ ପାଖରେ ଢେର ସମୟ ମଧ୍ୟ ରହିଛି ।”

 

ଶୁଣି ଭୋଲିନ୍ତସେଭ୍ ବେଶ୍ ତିକ୍ତ ମୁଦ୍ରାଟିଏ କରି ମୁରୁକି ହସିଲେ ।

 

“ବର୍ତ୍ତମାନ ଖୁବ୍ ସମ୍ଭବ ମୋ’ କଥା ନଭାବି ରୁଡ଼ିନ୍‌ଙ୍କ ବିଷୟରେ କିଛି ଆଦୌ ଭାବି ମଧ୍ୟ ହେବନାହିଁ । .....କିଏ ଅଛରେ ! “ସିଏ ବେଶ୍ ର୍କକଶ କଣ୍ଠରେ ଡାକ ଦେଲେ । “ଆମ ପାଇଁ କିଛି ଚାହା ଆଣ !”

 

ଦୁଇ ବନ୍ଧୁ ଚାହା ପିଇବାକୁ ଆରମ୍ଭ କଲେ । ଲେଜ୍‌ଝନିଓଭ୍ ଚାଷବାସ ବିଷୟରେ କେତେ କଥା ପକାଉଥାନ୍ତି—ଚାଷଘରର ଛାତରୁ କିପରି କାଗଜ ଦ୍ଵାରା ତିଆରି କରାଯାଇ ପାରିବ, ସେହି ବିଷୟରେ.....

 

ହଠାତ୍ କ’ଣ କେଉଁଠି ଘଟିଥିବା ପରି ଭୋଲିନ୍ତସେଭ୍ ବସିଥିବା ଚେୟାରଟି ଉପରୁ ଭୁସ୍ କରି ଉଠି ଛିଡ଼ା ହୋଇ ଯାଇଥିଲେ ଓ ଏପରି ଜୋରରେ ଟେବୁଲ୍ ଉପରେ ବିଧାଟାଏ ମାରିଲେ ଯେ, ଥୁଆ ହୋଇଥିବା କପ୍ ଏବଂ ପିଆଲାମାନେ କ୍ରିଙ୍ଗ୍ କରି ବାଜି ଉଠିଥିଲେ ।

 

କେଡ଼େ ବଡ଼ ପାଟିଟାଏ କରି କହିଥିଲେ, “ନାଇଁ, ମୁଁ ଆଉ ଆଦୌ ସହି ପାରିବି ନାହିଁ । ବରଂ ସେହି ତୀକ୍ଷ୍ଣବୁଦ୍ଧି ବ୍ୟକ୍ତିଙ୍କୁ ଆପେ ଯାଇ ଡାକି ଆଣିବି ଏବଂ ମୋ ଆଡ଼କୁ ଲକ୍ଷ୍ୟ କରି ଗୁଲି ମାରିବାକୁ ଆଦେଶ ଦେବି—ଯେପରିକି ଅନ୍ତତଃ ମୁଁ ମଧ୍ୟ ତାଙ୍କର ଏତେ ବିଦ୍ୟା ଭର୍ତ୍ତି ହୋଇ ରହିଥିବା ମସ୍ତିଷ୍କ ଭିତରେ ଗୋଟାଏ ଗୁଳି ପୂରାଇଦେଇ ପାରିବି !”

 

“ତୁମେ ଏସବୁ କ’ଣ କହୁଛ ! ମୋ’ ରାଣ ମୋତେ କହିବ ଟି !” ଲେଜଝନିଓଭ୍ ପ୍ରାୟ ଗୁଡ଼ୁଗୁଡ଼ୁ ହେଲାପରି ତାଙ୍କୁ କହିଥିଲେ, —“ତୁମେ ଏଭଳି ଗର୍ଜନ କଲାପରି ଏସବୁ କିପରି କହି ପାରୁଛ ! ହଉ, ମୋ’ର ଧୂମପାନ ଏତିକିରେ ରହୁ..... ତୁମର ପ୍ରକୃତରେ ହୋଇଛି କ’ଣ ?”

 

“କଥା ହେଉଛି ମୁଁ ଆଉ ତାଙ୍କର ନାଆଁଟାକୁ ଶୁଣି ଆଦୌ ଥିର ହୋଇ ରହି ପାରିବିନାହିଁ-। ମୋ’ ରକ୍ତ ପ୍ରକୃତରେ ଟକଟକ କରି ଫୁଟି ଉଠୁଛି ।"

 

“ଚୁପ୍ ରହ, ବାବୁ ଥିର ହୋଇଯାଅ । ଏପରି କହି ତୁମକୁ ଲଜ୍ଜା ଲାଗୁନାହିଁ ?’’ —ଲେଜଝନିଓଭ୍ ତା’ପରେ କହିଥିଲେ । ତା’ପରେ ନିଜ ପାଇପ୍‌ଟିକୁ ଭୂଇଁରୁ ଉଠାଇ ନେଇ କହିଲେ, “ଏସବୁ ଛାଡ଼ ! ତାଙ୍କୁ ଯାହା ଇଚ୍ଛା ତାହା ହିଁ କରିବାକୁ ଛାଡ଼ିଦିଅ ।’’

 

ଭୋଲିନ୍ତସେଭ୍ ଉତ୍ତର ଦେଇଥିଲେ, “ସିଏ ମୋତେ ଅପମାନ ଦେଇଛନ୍ତି” ! ସିଏ ବସିବା ଥାନରୁ ବାହାରି ଯାଇ ଘରଟି ଭିତରେ ପଦଚାଳନା କରିବାକୁ ଲାଗିଲେ “ହଁ, ସିଏ ମୋ’ର ଅପମାନ କରିଛନ୍ତି । ଆପଣ ଆପେ ମଧ୍ୟ ଅବଶ୍ୟ ସ୍ଵୀକାର କରିବେ । ପ୍ରଥମେ ମୁଁ ଆଦୌ ଏପରି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିନଥିଲି । ସିଏ ଆପେ ଆସି ପହଞ୍ଚିଗଲେ ଏବଂ ଅପମାନ କଲେ । ସିଏ ଏପରି କରିବେ ବୋଲି କିଏ କାହିଁକି ଆଶା କରନ୍ତା ? କିନ୍ତୁ, ବର୍ତ୍ତମାନ ମୁଁ ତାଙ୍କୁ ଦେଖାଇଦେବି ଯେ, ସିଏ ମୋତେ କଦାପି ବୋକା ବନାଇ ପାରିବେ ନାହିଁ । ....ମୁଁ ତାଙ୍କୁ ଗୁଳି କରିବି, ଠିକ୍ ଗୋଟାଏ ଚଢ଼େଇକୁ ଗୁଳି ମାରିଲା ପରି, —ସେଇ ବାଜେ ଦର୍ଶନ କରି ବୁଲୁଥିବା ଲୋକଟାକୁ ।”

 

“ହଁ, ସେଥିରେ ତୁମକୁ ଭାରି ବଡ଼ ଲାଭଟାଏ ମିଳିବ, ନାହିଁ ? ବର୍ତ୍ତମାନ ତୁମ ଭଉଣୀଙ୍କ ବିଷୟରେ ମୁଁ କୌଣସି କଥା ହେବିନାହିଁ । ବେଶ୍ ଦେଖିପାରୁଛି ଯେ ତୁମେ କ୍ରୁଦ୍ଧ ହୋଇ ପଡ଼ିଛ । ଏହି ଅବସ୍ଥାରେ ତୁମେ ତାଙ୍କ ବିଷୟରେ କିପରି କ’ଣ ବା ଚିନ୍ତା କରିପାରିବ ? ମାତ୍ର, ଜଣେ ଅନ୍ୟ ବ୍ୟକ୍ତିଙ୍କର ସନ୍ଦର୍ଭରେ, —ଭାବି କରି କହିଲ, ଦାର୍ଶନିକଙ୍କୁ ହତ୍ୟା କଲେ ତୁମେ ନିଜ ସମ୍ଭାବନାର କ୍ଷେତ୍ରରେ ତଦ୍ଦ୍ଵାରା କି ଉନ୍ନତି କରିପାରିବ ?”

 

ଭୋଲିନ୍ତସେଭ୍ ନଥ୍ କରି ଗୋଟାଏ ଚେୟାର ଉପରେ ଯାଇ ବସି ପଡ଼ିଥିଲେ ।

 

“ତେବେ ମୁଁ ଏଠୁ ଆଉ କୁଆଡ଼େ ଚାଲିଯିବି । କାରଣ, ଏଠାରେ ମୋ’ ହୃଦୟ ପ୍ରକୃତରେ ଗୋଟାସୁଦ୍ଧା ଦୁଃଖରେ ପେଷି ହିଁ ହୋଇଯାଉଛି । ମାତ୍ର, କୁଆଡ଼େ ଯିବି ?”

 

“ଚାଲିଯିବ ? ସେଇଟି ଏକ ଅନ୍ୟ କଥା ! ହଁ, ସେଥିରେ ହୁଏତ ମୁଁ ରାଜି ବି ଅଛି । ଏବଂ ମୁଁ କିଭଳି ପ୍ରସ୍ତାବଟିଏ ଦେବି ଜାଣିଛ ? ଚାଲ, ଦୁହେଁଯାକ ଯିବା, —କକେସସ୍ ପାର୍ବତ୍ୟ ଅଞ୍ଚଳକୁ—ଅଥବା ଚାଲ ଲିଟଲ୍ ରୁଷିଆ ଆଡ଼େ ଯିବା ଏବଂ ମାଲପୁଆ ଖାଇବା । ଭାରି ବଢ଼ିଆ କଥାଟିଏ, —ବୁଝି ପାରୁଛ ବାବୁ ?

 

“ହଁ, ମାତ୍ର ଭଉଣୀକୁ କାହା ପାଖରେ ଛାଡ଼ିଦେଇ ଯିବା ?”

 

“ହଁ, କିନ୍ତୁ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଆମ ସହିତ ନଆସିବେ ବା କାହିଁକି ? ମୁଁ ବାଜି ରଖି କହିବି, ଭାରି ଚମତ୍କାର ହେବ । ହଁ ତାଙ୍କର ଦେଖାଶୁଣା କରିବା କଥା କହୁଛ ! ସେଇଟି ମୋ’ କାମ । ଆମେ ଯାହାକିଛି ଦରକାର କରିବା ଯୋଗାଡ଼ କରି ପାରିବା ନିମନ୍ତେ ମୋଟେ କଷ୍ଟକର ହେବନାହିଁ । ଏବଂ ଯଦି ସିଏ ଚାହିଁବେ, ତେବେ ପ୍ରତ୍ୟହ ରାତିରେ ତାଙ୍କ ରହିବା କୋଠରୀଟିର ଝରକା ପାଖରେ ମୁଁ ଗୋଟିଏ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରିଦେଇ ପାରିବି, ତାଙ୍କ ଗାଡ଼ିଚାଳକମାନେ ଦେହରେ ଅତର ମାରି ଆସିବେ ଏବଂ ସିଏ ଯିବା ରାସ୍ତାରେ ଫୁଲ ବି ବିଛା ହୋଇଥିବ । ଏବଂ ଆମେ ଉଭୟେ ତ ସେଠାକୁ ଜଣେ ଜଣେ ନୂଆ ଆଗନ୍ତୁକ ହୋଇ ଯାଇଥିବା, ତେଣୁ ସେହିଭଳି ସମ୍ପୂର୍ଣ୍ଣ ଭାବରେ ସବୁକିଛିର ଅବଶ୍ୟ ଉପଭୋଗ କରିପାରିବା-। ଏବଂ ସେଠାରୁ ଫେରିବା ବେଳକୁ ଏଭଳି ମୋଟା ହୋଇଯାଇଥିବା ଯେ, ମୋଟେ କାହାରି ପ୍ରେମପାଲରେ ଯାଇ ପଡ଼ି ଯିବାନାହିଁ ।”

 

“ଆପଣ ସଦାବେଳେ କେବଳ ପରିହାସ ହିଁ କରନ୍ତି !”

 

“ନାଇଁ, ମୁଁ ଆଦୌ ପରିହାସ କରୁନାହିଁ । ତୁମେ ପ୍ରକୃତରେ ଭଲ ପ୍ରସ୍ତାବ ହିଁ ଦେଇଛ ।”

 

“ମୋଟେ ନୁହେଁ, ବାଜେ କଥା” —ଭୋଲିନ୍ତସେଭ୍ ପୁଣି ବଡ଼ପାଟିରେ କହିଥିଲେ, “ମୁଁ ତାଙ୍କ ସହିତ ଯୁଦ୍ଧ ହିଁ କରିବି । ମୁଁ ଯୁଦ୍ଧ କରିବାକୁ ହିଁ ଚାହୁଛି !”

 

“ପୁଣି ସେଇ କଥା ! ତୁମେ ପ୍ରକୃତରେ ବହୁତ ରାଗି ଯାଇଛ ।”

 

ଜଣେ ପରିଚାରକ ପ୍ରବେଶ କଲା । ହାତରେ ଗୋଟିଏ ଚିଠି ।

 

“କାହା ଚିଠି ?” ଲେଜ୍‌ଝ୍‌ନିଓଭ୍‌ ପଚାରିଲେ ।

 

“ରୁଡ଼ିନ୍‌ଙ୍କର । ଡିମିଟ୍ରି ନିକୋଲାଇଚ୍ । ଶ୍ରୀ ଲାସୁନ୍‌ସ୍କିଙ୍କର ଭୃତ୍ୟ ସେଇଟି ନେଇ ଆସିଥିଲା ।”

 

“ରୁଡ଼ିନ୍‌ଙ୍କ ଠାରୁ ?” ଭୋଲିନ୍ତସେଭ୍ ଆଉଥରେ ପଚାରିଲେ । “କାହା ପାଖକୁ ?”

 

“ଆପଣଙ୍କ ପାଖକୁ ।”

 

“ମୋ’ ପାଖକୁ ? ତେବେ ଦିଅ ।”

 

ଭୋଲିନ୍ତସେଭ୍ ଚିଠିଟିକୁ ନିଜ ହାତକୁ ନେଇ ଆସିଲେ । ଶୀଘ୍ର ଲଫାପାଟାକୁ ଚିରି ପତ୍ରଟି ବାହାର କଲେ ଏବଂ ପାଠ କରିଥିଲେ । ଲେଜ୍‌ଝନିଓଭ୍ ଖୁବ୍ ମନୋଯୋଗ ସହକାରେ ସବୁ ଲକ୍ଷ କରୁଥାଆନ୍ତି । ଭୋଲିନ୍ତସେଭ୍‌ଙ୍କ ମୁହଁ ଉପରେ ଏକ ବିଚିତ୍ର, ପ୍ରାୟ ଏକ ଉଲ୍ଲାସମିଶ୍ରିତ ବିସ୍ମୟ ବ୍ୟକ୍ତ ହୋଇ ଆସିଥିଲା । ସିଏ ନିଜ ଦୁଇ ହାତକୁ ନିଜର ଦୁଇ ପାର୍ଶ୍ୱକୁ ଲମ୍ବ କରି ଦେଇଥିଲେ ।

 

“କ’ଣ ଲେଖା ହୋଇଛି ?”—ଲେଜ୍‌ଝନିଓଭ୍ ପ୍ରଶ୍ନ କରିଥିଲେ ।

 

“ଆପଣ ପଢ଼ନ୍ତୁ” —ଭୋଲିନ୍ତସେଭ୍ ଧୀର ଗଳାରେ ଉତ୍ତର ଦେଲେ ଏବଂ ଚିଠିଟିକୁ ବଢ଼ାଇ ଦେଇଥିଲେ ।

 

ଲେଜ୍‌ଝନିଓଭ୍‌ ପଢ଼ିବାକୁ ଆରମ୍ଭ କଲେ । ରୁଡ଼ିନ୍ ଲେଖିଥିଲେ :

 

“ଆଜ୍ଞା,

 

“ଆଜି ମୁଁ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କର ଘରକୁ ଚାଲିଯିବି । ସବୁଦିନ ସକାଶେ-। ଆପଣଙ୍କୁ ନିଶ୍ଚୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗିବ । ବିଶେଷତଃ କାଲି ଘଟିଥିବା ଘଟଣାଟି ପରେ । ଏପରି କରିବା ପାଇଁ ମୁଁ ଖାସ୍ କାହିଁକି ବାଧ୍ୟ ହେଲି ବର୍ତ୍ତମାନ ସେହି କଥାଟିକୁ ଆପଣଙ୍କୁ ବୁଝାଇ କହି ପାରିବି ନାହିଁ କିନ୍ତୁ କୌଣସି ଏକ କାରଣରୁ ମୁଁ ଭାବୁଛି ଯେ, ଯିବା ପୂର୍ବରୁ ଆପଣଙ୍କୁ ମୋ’ର ଏହି ନିଷ୍ପତ୍ତିଟିକୁ ଜଣାଇବି । ଆପଣ ମୋତେ ଶ୍ରଦ୍ଧା କରନ୍ତି ନାହିଁ, ଏପରିକି ଜଣେ ମନ୍ଦ ବ୍ୟକ୍ତି ବୋଲି ମଧ୍ୟ ଭାବନ୍ତି । ମୁଁ ମୋଟେ ସେପରି ନୁହେଁ ବୋଲି ମଧ୍ୟ ଆପଣଙ୍କୁ ବୁଝାଇ କହିବାକୁ ମୋ’ର କୌଣସି ଇଚ୍ଛା ନାହିଁ । ସମୟ ହିଁ ସବୁକିଛି କହିଦେବ । ଆଗରୁ ହିଁ କୌଣସି ବ୍ୟକ୍ତିଙ୍କ ବିଷୟରେ ଗୋଟାଏ ନିର୍ଦ୍ଦିଷ୍ଟ ଧାରଣା କରି ନେଇଥିବା କାହାକୁ ତାଙ୍କର ଏପରି ଏକ ଧାରଣା ପୋଷଣ କରିବା ପ୍ରକୃତରେ ଯଥାର୍ଥ ନୁହେଁ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିବା ମୋ’ ମତରେ ଏକ ସମ୍ମାନଜନକ କଥା ନୁହେଁ ଏବଂ ସେଥିରେ କୌଣସି ଲାଭ ବି ନଥାଏ । ଯିଏ ମୋତେ ପ୍ରକୃତରେ ବୁଝିବା ପାଇଁ ଇଚ୍ଛା କରିବ, ସିଏ ମୋତେ କଦାପି ଦୋଷ ଦେବନାହିଁ । କିନ୍ତୁ, ଯାହାର ସେପରି କୌଣସି ଇଚ୍ଛା ନଥିବ ବା ଯଦି, ସିଏ ସେପରି କରି ପାରୁନଥିବ, ସେ ମୋତେ ତେଣୁ ଦୋଷୀ ବୋଲି କହିଲେ ମଧ୍ୟ ମୁଁ ଆଦୌ ଦୁଃଖିତ ହେବି ନାହିଁ । ମୁଁ ଆପଣଙ୍କ ବିଷୟରେ ଏକ ଭୁଲ୍ ଚିତ୍ର ଆଙ୍କି ରଖିଥିଲି । ମୋ’ ଦୃଷ୍ଟିରେ ଆପଣ ସେହି ଆଗଭଳି ହିଁ ଜଣେ ଉଦାର ଏବଂ ସମ୍ମାନାସ୍ପଦ ବ୍ୟକ୍ତି ହୋଇ ହିଁ ରହିଛନ୍ତି; କିନ୍ତୁ ମୁଁ କଳ୍ପନା କରି ପକାଇଲି ଯେ, ଆପଣ ଯେଉଁ ପାରିପାର୍ଶ୍ୱିକତା ଭିତରେ ଲାଳିତ ପାଳିତ ହୋଇ ଆସିଛନ୍ତି, ଆପଣ ତାହାର ଅଧିକ ଉଚ୍ଚ ଗୋଟିଏ ସ୍ତରକୁ ଉଠିଯିବା ପାଇଁ ନିଶ୍ଚୟ ସମର୍ଥ ହୋଇ ପାରିଛନ୍ତି । ହଁ, ସେଇଟି ମୋ’ର ଗୋଟିଏ ଭୁଲ୍ ଅନୁମାନ ଥିଲା । ସେଥିରୁ କ’ଣ ବା ହୋଇଗଲା ? ସେପରି ଘଟିବାଟା ବର୍ତ୍ତମାନ ପ୍ରଥମଥର ପାଇଁ ଘଟିଲା ନାହିଁ କିମ୍ବା ଏପରି ଯେ ସର୍ବଶେଷ ଥରଟି ସକାଶେ ଘଟିଲା, ସେକଥା ମଧ୍ୟ ନୁହେଁ । ଆପଣଙ୍କୁ ଆଉଥରେ କହୁଛି, ମୁଁ ଏଠାରୁ ଚାଲିଯାଉଛି, ମୁଁ ଆପଣଙ୍କ ପାଇଁ କେବଳ ସୁଖର କାମନା କରୁଛି । ଆଦୌ କୌଣସି କପଟ ନରଖି କହିବି ଯେ, ମୋ’ର ଏହି କାମନାଟିର ପଛରେ ମୋ’ର ମୋଟେ କୌଣସି ପ୍ରକାର ସ୍ୱାର୍ଥ ନାହିଁ । ଆପଣ ବର୍ତ୍ତମାନ ସୁଖ ହିଁ ଅନୁଭବ କରିବେ, ମୁଁ ଖୁବ୍ ଆଶା ମଧ୍ୟ କରୁଛି । ସମ୍ଭବତଃ ଗୋଟିଏ ସମୟ ଆସିବ, ଯେତେବେଳେ କି ମୋ’ ବିଷୟରେ ଆପଣଙ୍କର ମତଟିକୁ ବଦଳାଇ ଦେବେ । ଆମ ଦୁହିଁଙ୍କ ମଧ୍ୟରେ ଭବିଷ୍ୟତରେ ଆଉ କେବେହେଲେ ଭେଟ ହେବ କି ନାହିଁ, ମୁଁ ଜାଣିନାହିଁ, ମାତ୍ର ସେକଥା ଯାହା ହେଉ ପଛକେ, ମୁଁ ସର୍ବଦା ହିଁ ଆପଣଙ୍କର ଶୁଭକାମନା କରୁଥିବି ।”

 

(ଇତି)

ଡି.ରୁ.

 

ପୁନଶ୍ଚ : ଆପଣଙ୍କୁ ମୋ’ର ଦୁଇଶତ ମୁଦ୍ରା ପରିଶୋଧ କରିବାର ଥିଲା । ନିଜ ସ୍ଥାନରେ ପହଞ୍ଚି ମୁଁ ତାହାକୁ ଯଥାଶୀଘ୍ର ଆପଣଙ୍କ ନିକଟକୁ ପଠାଇଦେବି । ମୋ’ର ବିଶେଷ ଅନୁରୋଧ, ଆପଣ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କ ମୋ’ର ଆପଣଙ୍କୁ ଦେଇଥିବା ପତ୍ରଟି ବିଷୟରେ କିଛି କହିବେ ନାହିଁ ।

 

ପୁନଶ୍ଚ, ଆଉ ଗୋଟିଏ ଶେଷ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଅନୁରୋଧ ଯେ, ମୁଁ ଏଠାରୁ ଚାଲିଯାଉଥିବାରୁ ଆପଣ ନାତାଲିଆ ଆଲେକ୍‍ସିୟେଭ୍‌ନାଙ୍କୁ ମଧ୍ୟ ମୁଁ ଆପଣଙ୍କୁ ଦେଖାକରି ଆସିଥିଲି ବୋଲି ଜଣାଇବେ ନାହିଁ ।

 

“ତେବେ କହନ୍ତୁ, ଏ ବିଷୟରେ ବର୍ତ୍ତମାନ ଆପଣ କ’ଣ ଭାବୁଛନ୍ତି” —ଲେଜଝ୍‌ନିଓଭ୍‌ ଚିଠିଟିକୁ ପଢ଼ା ଶେଷ କରିବା ମାତ୍ରକେ ଭୋଲିନ୍ତସେଭ୍ ତାଙ୍କୁ ପଚାରିଥିଲେ ।

 

“ମୁଁ କ’ଣ କହିବି ?” —ଲେଜଝ୍‌ନିଓଭ ଉତ୍ତର ଦେଲେ ! “ହଁ, ଦେଖ ମୁସଲମାନ ପରି ଆଲ୍ଲା, ଆଲ୍ଲା ବୋଲି ଚିତ୍କାର କର ଏବଂ ଆଚମ୍ବିତ ହୋଇ ଆଁଟାଏ କରି ବସିଯାଅ । —ବାସ୍, ଏତିକି ବ୍ୟତୀତ ପ୍ରକୃତରେ ଆଉ କ’ଣ କରିବାର ଅଛି ? … ହଁ, ହଁ, ଗୋଟାଏ ଉତ୍ତମ ପ୍ରତିକାର ଅବଶ୍ୟ କରାଯାଇ ପାରିବ । ତଥାପି, ବଡ଼ ବିଚିତ୍ର ମଧ୍ୟ ଲାଗୁଛି । ସିଏ କହୁଛନ୍ତି ଯେ ତୁମଠାକୁ ଏପରି ଗୋଟିଏ ଚିଠି ଲେଖିବାକୁ ନିଜର କର୍ତ୍ତବ୍ୟ ବୋଲି ମନେ କରୁଛନ୍ତି ଏବଂ ସେହିପରି ଏକ କର୍ତ୍ତବ୍ୟର ଅନୁରୋଧରେ ମଧ୍ୟ ତୁମକୁ ଭେଟିବା ଲାଗି ଆସିଥିଲେ । ଏହି ଭଦ୍ରଲୋକମାନେ ସବୁବେଳେ ସବୁକଥାକୁ ଗୋଟିଏ ଗୋଟିଏ କର୍ତ୍ତବ୍ୟ ବୋଲି ହିଁ ମନେ କରନ୍ତି । ବା, —ସତେ ଯେପରି କିଛି କରଜ ରହିଥାଏ ଓ ସେମାନେ ତାହାକୁ ପରିଶୋଧ କରିବା ପାଇଁ ଆସିଥାଆନ୍ତି ।” ଚିଠିଟିର ସେହି ‘ପୁନଶ୍ଚ’ ଅଂଶଟି ଆଡ଼କୁ ମୁରୁକି ହସି ଅନାଇ ଲେଜଝ୍‌ନିଓଭ୍‌ ଉତ୍ତର ଦେଇଥିଲେ ।

 

Unknown

“ଏବଂ ପୁଣି କିଭଳି କଥାଗୁଡ଼ିକର ମାଧ୍ୟମରେ ସେ ସେହିଗୁଡ଼ିକୁ ନକହିଛନ୍ତି !” —ଭୋଲିନ୍ତସେଭ୍ ପାଟି କରି ଉଠିଥିଲେ । “ମୁଁ ପୁଣି ତାଙ୍କୁ ଭୁଲ୍ ମଧ୍ୟ ବୁଝିଥିଲି । ଆଶା ମଧ୍ୟ କରିଥିଲେ ଯେ ମୁଁ ମୋ ପରିବେଶଟିର ଊର୍ଦ୍ଧ୍ଵରେ ରହିବି । କେଡ଼େ ଅଡ଼ୁଆ-ସଡ଼ୁଆ କଥାସବୁ ! ହେ ଭଗବାନ୍—ଏଗୁଡ଼ିକ ତ କବିତା ଠାରୁ ଆହୁରି ଅଧିକ ବଙ୍କା !”

 

ଲେଜ୍‌ଝନିଓଭ୍‌ କୌଣସି ଉତ୍ତର ଦେଇନଥିଲେ । ମାତ୍ର, ତାଙ୍କ ଆଖିଗୁଡ଼ିକ ଭିତରୁ ମଧ୍ୟ ସତେଅବା କିଏ ପରିହାସ କରୁଥିବା ପରି ମୁରୁକି ମୁରୁକି ହସୁଥିଲା । ଭୋଲିନ୍ତସେଭ୍ ଉଠି ଠିଆ ହେଲେ ।

 

କହିଲେ, “ବର୍ତ୍ତମାନ ମୁଁ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କ ପାଖକୁ ଯିବାକୁ ଭାବୁଛି । ଏହିସବୁ ଯାବତୀୟ ବ୍ୟାପାରର ଅର୍ଥ କ’ଣ ଜାଣିବାକୁ ଇଚ୍ଛା କରୁଛି ।”

 

“ବର୍ତ୍ତମାନ ବାବୁ, ଟିକିଏ ଅପେକ୍ଷା କର । ଟିକିଏ ସିଏ ଏଠାରୁ ଚାଲିଯିବା ଯାଏ ଅପେକ୍ଷା କର । ଏବଂ ପୁଣି ତାଙ୍କ ପଛରେ ଲାଗିବା ଦ୍ୱାରା ଆଉ କି ଲାଭ ମିଳିବ ? ଯେତେଦୂର ମନେ ହେଉଛି, ସେ ଏଠାରୁ ଅଦୃଶ୍ୟ ହୋଇ ଅପସରି ହିଁ ଯିବେ । ତେଣୁ, ତୁମର ଆଉ ଅଧିକା ପ୍ରକୃତରେ କ’ଣ ଆବଶ୍ୟକ ? ବରଂ ଉଚିତ ହେବ, ନିଜ କୋଠରୀକୁ ଯାଇ କିଛି ସମୟ ବିଶ୍ରାମ ନିଅ । ମୁଁ ଭାବୁଛି, ରାତିଟା ଯାକ କେବଳ ଏପଟ ସେପଟ ହୋଇ ତୁମର ସମୟ ଯାଇଛି । କିନ୍ତୁ, ତୁମଲାଗି ଏହାପରେ ସବୁକଥା ଖୁବ୍ ସହଜ ବି ହୋଇଯିବ ।

 

“ଆପଣ କ’ଣ ଦେଖି ଏପରି କହୁଛନ୍ତି ?’

 

“ମୁଁ ସେହିପରି ହିଁ ଭାବୁଛି । ତେଣୁ, ବର୍ତ୍ତମାନ ଯାଇ ଟିକିଏ ଶୋଇପଡ଼ । ମୁଁ, ଯାଇ ତୁମ ଭଉଣୀଙ୍କ ସହିତ ଦେଖା କରି ଆସେ । ମୁଁ ତାଙ୍କ ପାଖରେ ଥିବି ।”

 

“ଶୋଇବା ସକାଶେ ମୋର ମୋଟେ ମନ ହେଉନାହିଁ । କ’ଣ ପାଇଁ ବିଛଣାକୁ ଯାଇ ନିଦରେ ଶୋଇ ପଡ଼ିବି ? ବରଂ, ଯାଏ ଜମିଆଡ଼େ କିଛି ବୁଲି ଆସେ ।” —ଭୋଲିନ୍ତସେଭ୍ ଏତକ କହି ବାହାରକୁ ଯିବାର କୋଟ୍‌ଟିକୁ ପିନ୍ଧିଥିଲେ ।

 

“ହଁ, ସେଇଟି ମଧ୍ୟ ଗୋଟିଏ ବେଶ୍ ଉତ୍ତମ କଥା । ତେବେ, ଯାଅ, ବିଲଆଡ଼େ କିଛି ସମୟ ବୁଲି ଆସିବ ।”

 

ଏବଂ ତା’ପରେ ଲେଜଝ୍‌ନିଓଭ୍‌ ମଧ୍ୟ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କର ନିବାସ ଆଡ଼େ ବାହାରିଲେ । ସିଏ ନିଜର ବୈଠକ ଘରେ ହିଁ ଥିଲେ । ଖୁବ୍ ଖୁସି ହୋଇ ଶ୍ରୀ ଲେଜଝ୍‌ନିଓଭ୍‌ଙ୍କୁ ସ୍ୱାଗତ କଲେ । ହଁ, ସିଏ ଆସିଲେ ଆଲେକ୍‌ଜାଣ୍ଡ୍ରା ପ୍ରକୃତରେ ସବୁବେଳେ ହିଁ ଖୁସି ହେଉଥିଲେ । ମାତ୍ର, ତାଙ୍କର ବଦନମଣ୍ଡଳଟି ତଥାପି ବିରସ ହୋଇ ରହୁଥିଲା । ପୁନଶ୍ଚ, ପୂର୍ବଦିନ ରୁଡ଼ିନ୍ ତାଙ୍କୁ ଯେଉଁ ଦେଖା କରିବାକୁ ଆସିଥିଲେ, ସେଥିରେ ସିଏ ଖୁବ୍ ଆଶ୍ୱସ୍ତ ମଧ୍ୟ ଅନୁଭବ କରୁଥିଲେ ।

 

ସେ ଶ୍ରୀଲେଜଝ୍‌ନିଓଭ୍‌ଙ୍କୁ ପଚାରିଥିଲେ, “ଆପଣ ମୋ’ ଭାଇକୁ ଦେଖିଲେ କି ? ଆଜି ସେ କିପରି ଅଛି ?”

 

“ଭଲ ଅଛି । ଜମିଆଡ଼େ ବୁଲି ଯାଇଛି ।”

 

ଆଲେକଜାଣ୍ଡ୍ରା ପାଭଲୋଭ୍‌ନା କ୍ଷଣକ ଲାଗି ଆଉ କିଛି କହିଲେ ନାହିଁ ।

 

ତା’ପରେ କଥା ଆରମ୍ଭ କରି, ଏବଂ ସତେଅବା ନିଜ ପକେଟରେ ଥିବା ରୁମାଲଟିର ଧଡ଼ିଟା ଉପରେ ମାନୋନିବିଷ୍ଟ କରି, “ଆପଣ ଜାଣିନାହାନ୍ତି ?”

 

“ରୁଡ଼ିନ୍ ଆସିଥିଲେ ?” —ଲେଜଝ୍‌ନିଓଭ୍‌ କହିଲେ, “ହଁ, ମୋତେ ଜଣାଅଛି, ସେ ବିଦାୟ ନେବାକୁ ଆସିଥିଲେ ।”

 

ଆଲେକଜାଣ୍ଡ୍ରା ପାଭଲୋଭ୍‌ନା ଉପରକୁ ମୁଣ୍ଡ ଟେକି ଅନାଇଥିଲେ ।

 

“କ’ଣ କହିଲେ, —ବିଦାୟ ନେବାକୁ ?”

 

“ହଁ, ଆପଣ ଜାଣିନାହାନ୍ତି ? ସେ ଦରିଆ ମିହାଇଲୋଭ୍‌ନାଙ୍କର ଏହି ସ୍ଥାନଟିରୁ ଚାଲି ଯିବେ ।”

 

“ଚାଲି ଯିବେ ?”

 

“ସବୁଦିନ ପାଇଁ ଚାଲିଯିବେ । ସିଏ ନିଜେ ଅନ୍ତତଃ ସେହିକଥା କହୁଛନ୍ତି ।”

 

“କିନ୍ତୁ କହିଲେ, ତାହାର କାରଣ ତଥାପି କ’ଣ ହୋଇପାରେ !”

 

“ସେଇଟି ଗୋଟିଏ ଏକାବେଳେକେ ଅନ୍ୟ କଥା । ପୂରା ବ୍ୟାଖ୍ୟା କରି କହିବା ଅସମ୍ଭବ । ସେମାନଙ୍କ ଭିତରେ ଅବଶ୍ୟ ସେପରି କିଛି ଘଟିଥିବ । ରୁଡ଼ିନ୍ ଦଉଡ଼ିଟାକୁ ନିଶ୍ଚୟ ଅତି ବେଶି ନିଜ ଆଡ଼କୁ ଟାଣିବା ପାଇଁ ମନ ବଳାଇ ପକାଇଲେ—ଏବଂ ଦଉଡ଼ିଟା ଛିଣ୍ଡିଗଲା ।”

 

“ଶ୍ରୀଯୁକ୍ତ ମିହାଇଲୋ ମିହାଇଲିଚ୍ !” —ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ସେକଥା ଶୁଣି କହିଥିଲେ, “ମୁଁ ବୁଝି ପାରୁନାହିଁ । ମୋ’ର ମନେ ହେଉଛି, ମୋତେ ଆପଣ ଥଟ୍ଟା କରୁଛନ୍ତି ।”

 

‘‘ଆଦୌ ନୁହେଁ । ମୁଁ ପ୍ରକୃତରେ କହୁଛି ଯେ ସିଏ ଏଠାରୁ ଚାଲିଯାଉଛନ୍ତି । ଏପରିକି ନିଜ ବନ୍ଧୁମାନଙ୍କୁ ମଧ୍ୟ ତାହା ଚିଠି ଲେଖି ଜଣାଇ ଦେଇଛନ୍ତି । ମୁଁ ତ ତଥାପି କହିବି ଯେ, ଗୋଟାଏ ଦୃଷ୍ଟିରୁ ବେଶ୍‌ ଭଲ ବି ହୋଇଛି; ମାତ୍ର ସିଏ ଚାଲି ଯାଉଥିବା ହେତୁ ଗୋଟିଏ ଅନ୍ୟ ଆଚମ୍ବିତକାରୀ ଉଦ୍ୟମ ଆଉ ହେବାର କୌଣସି ଅବସର ରହିବ ନାହିଁ, ମୁଁ ଯେଉଁଟି ବିଷୟରେ ଆପଣଙ୍କର ଭାଇକୁ କହିବାକୁ ଆରମ୍ଭ କରି ଦେଉଥିଲେ ।”

 

“ଅର୍ଥାତ୍ ? କେଉଁ ଉଦ୍ୟମ ?”

 

“ହଁ, କାରଣ ମୁଁ ଆପଣଙ୍କର ଭାଇକୁ ପ୍ରସ୍ତାବଟିଏ ଦେଇ କହୁଥିଲି ଯେ ଆମେ କିଛିଦିନ ପାଇଁ କୁଆଡ଼େ ଭ୍ରମଣରେ ଚାଲିଯିବା, —ତା’ ଦ୍ୱାରା ତା’ ମନଟା କିଛି ବଦଳିଯିବ, —ଏବଂ ଆପଣ ମଧ୍ୟ ଆମ ସହିତ ଯିବେ । ଆପଣଙ୍କ ଦେଖାଶୁଣା କରିବାର ଦାୟିତ୍ୱ ମୁଁ ନିଜେ ଗ୍ରହଣ କରିବି ।”

 

“ଭାରି ଚମତ୍କାର”, —ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ତତ୍‌କ୍ଷଣାତ୍‌ କହି ଉଠିଲେ, “ହଁ, ଆପଣ କେଉଁଠାରେ ମୋ’ର ସବୁକିଛି ଦେଖାଶୁଣା କରିବେ, ସେକଥା ମୁଁ ବେଶ୍‌ ଅନୁମାନ କରିପାରୁଛି । ହଁ, ମୋତେ ଆପଣ ଭୋକରେ ହିଁ ମରିବାକୁ ଛାଡ଼ିଦେବେ ।”

 

“ଆପଣ ଏପରି କହୁଛନ୍ତି ମହାଶୟା ପାଭଲୋଭ୍‌ନା, କାରଣ ମୋତେ ଆପଣ ଜାଣିନାହାନ୍ତି; ଆପଣ ମୋତେ ତୁଚ୍ଛା ଅଯୋଗ୍ୟଟାଏ, ଗୋଟାଏ କାଠଗଡ଼ ପରି ସମ୍ଭବତଃ ଭାବିଛନ୍ତି, କିନ୍ତୁ ଆପଣ ଜାଣନ୍ତି, ମୁଁ ସର୍କରାକୁ ତରଳାଇ ଦେଇପାରେ ଏବଂ ଗୋଟାଏ ପୂରା ଦିନମାନ ମଧ୍ୟ ଧାଁଧପଡ଼ କରି କାମ କରିପାରିବି !”

 

“ହଁ, ମୋ’ର ମଧ୍ୟ ଥରେ ସେହିପରି ଦେଖିବାକୁ ଇଚ୍ଛା ହେଉଛି । ସତରେ— !”

 

ଲେଜଝ୍‌ନିଓଭ୍ ହଠାତ୍ ଛିଡ଼ା ହୋଇପଡ଼ିଲେ । କହିଥିଲେ, “ତେବେ ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ମୋତେ ଆପଣ ବିବାହ କରନ୍ତୁ । ସବୁ ପ୍ରମାଣ ପାଇଯିବେ ।” ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କର ମୁହଁଟା ପୂରା କାନଯାଏ ରଙ୍ଗା ପଡ଼ିଯାଇଥିଲା ।

 

ସେ ବେଶ୍ ବିଚଳିତ ହୋଇ ପଡ଼ିଲେ ଓ କହିଲେ, “ଶ୍ରୀମିହାଇଲୋ ମିହାଇଲିଚ୍, କ’ଣ କହିଲେ ଆପଣ !”

 

ଲେଜଝ୍‌ନିଓଭ୍‌ ଉତ୍ତର ଦେଇଥିଲେ, “ମୁଁ ଯାହା କହିଲି, ସେହି କଥାଟି ତ କୋଉ କାଳରୁ ହଜାରବାର କୁହାଯିବା ସକାଶେ ମୋ ଜିଭ ଅଗରେ ହିଁ ରହିଛି । ଯାହାହେଉ, ଆଜି ମୁଁ ଶେଷରେ ତାହା କହି ବି ପାରିଲି ଏବଂ ଆପଣ ଯାହା ସର୍ବୋତ୍ତମ ବୋଲି ଭାବିବେ, ଅବଶ୍ୟ କେବଳ ସେହିପରି କରିବେ । ମାତ୍ର, ବର୍ତ୍ତମାନ ମୋତେ ଏଠାରୁ ଯିବାକୁ ପଡ଼ିବ, ଯେପରିକି ଆପଣଙ୍କର ବିଚାରରେ କୌଣସି ବାଧା ମଧ୍ୟ ସୃଷ୍ଟି ନହୁଏ । ଯଦି ଆପଣ ମୋର ପତ୍ନୀ ହେବେ…..ନାଇଁ ନାଇଁ, ମୋତେ ପ୍ରକୃତରେ ଯିବାକୁ ପଡ଼ିବ । ଯଦି କଥାଟିକୁ ଆପଣ ନିତାନ୍ତ ମନ୍ଦ ବୋଲି ନ ଭାବୁଥିବେ, ତେବେ କେବଳ କାହା ହାତରେ ମୋତେ ଡାକି ପଠାଇବେ; ତେବେ ଅବଶ୍ୟ ମୁଁ ବୁଝିପାରିବି…-।”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଲେଜଝ୍‌ନିଓଭ୍‌ଙ୍କୁ କିଛି ସମୟ ଅଟକାଇବାକୁ ଚେଷ୍ଟା କରିଥିଲେ, ମାତ୍ର ସେ ସେଠାରୁ ଶୀଘ୍ର ହିଁ ଚାଲିଗଲେ । ନିଜ ଟୋପିଟିକୁ ସାଙ୍ଗରେ ନନେଇ ସେ ଉଦ୍ୟାନ ଭିତରେ ଯାଇ ପ୍ରବେଶ କଲେ, —ଗୋଟିଏ ସାନ ଫାଟକ ଉପରେ ଆଉଜି ଠିଆ ହେଲେ ଏବଂ ଚତୁର୍ଦ୍ଦିଗକୁ ଅନାଇବାକୁ ଲାଗିଲେ ।

 

“ମିହାଇଲୋ ମିହାଇଲିଚ୍” —ତାଙ୍କ ପଛରୁ ଜଣେ ପରିଚାରିକାର କଣ୍ଠ ଶୁଣାଗଲା, “ଆପଣ ଆମ ମାଆଙ୍କ ପାଖକୁ ଆସନ୍ତୁ—ଆପଣଙ୍କୁ ଡାକି ଆଣିବା ଲାଗି ସେ ମୋତେ ପଠାଇଲେ-।”

 

ମିହାଇଲୋ ମିହାଇଲିଚ୍ ପଛକୁ ବୁଲି ପଡ଼ି ଅନାଇଲେ, ଝିଅଟିର ମୁଣ୍ଡଟିକୁ ଦୁଇହାତରେ ଚାପି ଧରିଥିଲେ । ଝିଅଟି ଗୋଟାସୁଦ୍ଧା ଆଶ୍ଚର୍ଯ୍ୟ ହିଁ ହୋଇ ଯାଇଥିଲା । ସିଏ ଝିଅର କପୋଳରେ ଚୁମ୍ବନଟିଏ ଆଙ୍କି ଦେଇଥିଲେ ଏବଂ ତା’ପରେ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କ ପାଖକୁ ଫେରି ଆସିଥିଲେ ।

 

—୧୧—

 

ଲେଜଝ୍‌ନିଓଭ୍‌ଙ୍କ ସହିତ ସାକ୍ଷାତ୍ କରି ସିଧା ଆପଣାର ନିବାସଟିକୁ ଲେଉଟି ଆସି ରୁଡ଼ିନ୍ ନିଜକୁ କୋଠରୀଟି ଭିତରେ ବନ୍ଦ କରି ରଖିଥିଲେ ଏବଂ ଦୁଇଟି ପତ୍ର ଲେଖିଥିଲେ । ଗୋଟିଏ ଭୋଲିନ୍ତସେଭ୍‌ଙ୍କ ପାଖକୁ (ପାଠକମାନଙ୍କୁ ସେଇଟି ବିଷୟରେ ଅବଗତ ଅଛି ।) ଏବଂ ଅନ୍ୟଟି ନାତାଲିଆଙ୍କୁ । ଦ୍ୱିତୀୟ ପତ୍ରଟିକୁ ଲେଖିବାରେ ପ୍ରକୃତରେ ତାଙ୍କୁ ଗୁଡ଼ାଏ ସମୟ ହିଁ ଦେବାକୁ ହୋଇଥିଲା । ବହୁତ କିଛି ଲେଖି ପୁଣି କାଟି ପକାଉଥିଲେ ଓ ବଦଳାଇ ପୁନର୍ବାର ବି ଲେଖୁଥିଲେ । ଏବଂ ଶେଷରେ ଫର୍ଦ୍ଦେ ସରୁ କାଗଜ ଉପରେ ସେଇଟିର ନକଲଟିଏ ମଧ୍ୟ ପ୍ରସ୍ତୁତ କରିଥିଲେ । ଭାଙ୍ଗି ଭୁଙ୍ଗି ସାନ କରି ପକେଟ ଭିତରେ ରଖିଲେ । ସତେଅବା ଖୁବ୍ କଷ୍ଟ ପାଉଥିବା ଭଳି ଗୋଟାଏ ମୁଖମୁଦ୍ରାରେ କୋଠରୀ ମଧ୍ୟରେ ପଦଚାଳନା କରିବାରେ ଲାଗିଲେ । ତାପରେ ଝରକା ଆଗକୁ ଯାଇ ଚଉକି ଉପରେ ବସି ରହିଲେ ନିଜ ହାତଟି ଉପରେ ଭରା ଦେଇ । ଗୋଟିଏ ଅଶ୍ରୁବିନ୍ଦୁ ଅତ୍ୟନ୍ତ ଧୀର ଭାବରେ ତାଙ୍କର ଆଖିପତା ଗୁଡ଼ିକ ଉପରେ ଆସି ଦେଖା ଦେଇଥିଲା । ରୁଡ଼ିନ୍ ଉଠି ଛିଡ଼ା ହେଲେ, ପରିଧାନଟିରେ ବୋତାମ ଲଗାଇଲ ଏବଂ ଜଣେ ଭୃତ୍ୟକୁ ଡାକି ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କୁ ବର୍ତ୍ତମାନ ଟିକିଏ ସାକ୍ଷାତ କରି ପାରିବେ କି ନାହିଁ ତାଙ୍କୁ ଯାଇ ପଚାରି ଆସିବାକୁ କହିଥିଲେ ।

 

ଭୃତ୍ୟଟି ବେଶ୍ ଶୀଘ୍ର ହିଁ ଫେରି ଆସିଲା ଓ ସମ୍ବାଦ ମଧ୍ୟ ଦେଇଥିଲା ଯେ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ବର୍ତ୍ତମାନ ତାଙ୍କୁ ଭେଟିଲେ ଖୁବ୍ ଖୁସି ହିଁ ହେବେ । ଶୁଣି ରୁଡ଼ିନ୍ ତାଙ୍କୁ ସାକ୍ଷାତ କରିବା ନିମନ୍ତେ ବାହାରି ଯାଇଥିଲେ ।

 

ଶ୍ରୀମତୀ ଦରିଆ ଆପଣାର ଅଧ୍ୟୟନ ପ୍ରକୋଷ୍ଠରେ ଆସି ତାଙ୍କୁ ଭେଟିଲେ । ସର୍ବପ୍ରଥମେ ଦୁଇମାସ ପୂର୍ବରୁ ମଧ୍ୟ ତାଙ୍କୁ ସେ ସେହିଠାରେ ହିଁ ଭେଟିଥିଲେ । କିନ୍ତୁ ଏଥର ସେ ସେଠାରେ ଏକୁଟିଆ ନୁହେଁ, ଶ୍ରୀପାଣ୍ଡାଲୋଭ୍‌ସ୍କି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବେଶ୍ ସାଧାରଣ ସବୁଦିନର ଏକ ମୁଖମୁଦ୍ରା ସହିତ, ସମ୍ପୂର୍ଣ୍ଣ ପ୍ରସନ୍ନ ତଥା ସ୍ୱଚ୍ଛ ଏବଂ ବେଶ୍‌ ସୁଯୋଗ୍ୟ ଭାବରେ ।

 

ଦରିଆ ମିହାଇଲୋଭ୍‌ନା ବେଶ୍ ସୌଜନ୍ୟପୂର୍ଣ୍ଣ ଭାବରେ ରୁଡ଼ିନ୍‌ଙ୍କର ସ୍ୱାଗତ କଲେ ଏବଂ ରୁଡ଼ିନ୍ ମଧ୍ୟ ସଂଭ୍ରମ ସହିତ ତାଙ୍କୁ ଅଭିବାଦନ ଜ୍ଞାପନ କରିଥିଲେ; କିନ୍ତୁ ଉଭୟଙ୍କର ସେହି ହସହସ ମୁହଁଗୁଡ଼ିକୁ ଦେଖି ପକାଇବା ମାତ୍ରକେ ହିଁ ଏପରିକି ଅତ୍ୟନ୍ତ କମ୍ ଅଭିଜ୍ଞତା ରହିଥିବା ଯେକୌଣସି ମନୁଷ୍ୟ ମଧ୍ୟ ଖୁବ୍ ବୁଝି ନେଇଥାଆନ୍ତା ଯେ ସେହି ଦୁହିଁଙ୍କ ମଧ୍ୟରେ ନିଶ୍ଚୟ କୌଣସି ଏକ ଅପ୍ରୀତିକର ପ୍ରକାରର ଘଟଣା ଅବଶ୍ୟ ଘଟିଛି । ସେହି ଉଭୟେ ସେଇଟିକୁ ଆଦୌ ପ୍ରକାଶ କରୁନଥିଲେ ମଧ୍ୟ ଅତ୍ୟନ୍ତ ସହଜରେ ବୁଝି ପାରିଥାନ୍ତା । ରୁଡ଼ିନ୍ ଜାଣିଥିଲେ ଯେ, ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ତାଙ୍କ ଉପରେ ରୁଷ୍ଟ ହିଁ ହୋଇପଡ଼ିଛନ୍ତି ଏବଂ ଶ୍ରୀମତୀ ଦରିଆ ମଧ୍ୟ ସନ୍ଦେହ କରୁଥିଲେ ଯେ ଇତି ମଧ୍ୟରେ ଘଟିଥିବା ସମସ୍ତ ଘଟଣା ବିଷୟରେ ରୁଡ଼ିନ୍ ସମ୍ପୂର୍ଣ୍ଣ ଭାବରେ ଅବଗତ ରହିଛନ୍ତି ।

 

ହଁ, ପାଣ୍ଡାଲୋଭସ୍କି ଆସି ତାଙ୍କୁ ସମସ୍ତ ବ୍ୟାପାରଟିକୁ କହିଦେବା ପରେ ସେ ଅତି ବିଚଳିତ ହୋଇପଡ଼ିଥିଲେ । ସେଇଟି ତାଙ୍କ ଭିତରେ ରହିଥିବା ଲୌକିକ ଗର୍ବଟିକୁ ସମ୍ପୂର୍ଣ୍ଣ ଭାବରେ ଚହଲାଇ ଦେଇଥିଲା । ଶ୍ରୀରୁଡ଼ିନ୍, ଜଣେ ମାମୁଲି ଦରିଦ୍ର ବ୍ୟକ୍ତି, ବଂଶର ମର୍ଯ୍ୟାଦା ବୋଲି କିଛି ହିଁ ନାହିଁ, —ଏବଂ ବର୍ତ୍ତମାନ ଅବଧି ସେପରି କୌଣସି ବିଶେଷତ୍ୱ ମଧ୍ୟ ଅର୍ଜନ କରିନାହାନ୍ତି, —ଏବଂ ଇତି ମଧ୍ୟରେ ତାଙ୍କର କନ୍ୟା ସହିତ ଗୁପ୍ତରେ ସାକ୍ଷାତ କରିବାର ସାହସ କରିପାରିଛନ୍ତି—ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଲାସୁନ୍‌ସ୍କିଙ୍କର କନ୍ୟା ସହିତ ।

 

“ସିଏ ଜଣେ ବଡ଼ ଚତୁର ବ୍ୟକ୍ତି, —ସତରେ ଜଣେ ବିରଳ ପ୍ରତିଭା ରହିଥିବା ବ୍ୟକ୍ତି”, ସିଏ କହିଥିଲେ, “କିନ୍ତୁ ତାହା ପ୍ରମାଣ କରି ଦେଉଛି ଯେ ଏହାପରେ ଯେକୌଣସି ବ୍ୟକ୍ତି ମଧ୍ୟ ମୋ’ର ଜାମାତା ହେବା ସକାଶେ ଆଶା ବି ପୋଷଣ କରିବା ପାଇଁ ସାହସୀ ହେବ !”

 

ତାଙ୍କର ଏହି କଥାଟିକୁ ଶ୍ରବଣ କରି ପାଣ୍ଡାଲୋଭ୍‌ସ୍କି ମଧ୍ୟ ଖିଅ ଲଗାଇ ଦେଇ କହିଥିଲେ, “ବହୁବେଳ ପର୍ଯ୍ୟନ୍ତ ତ ମୁଁ ମୋ’ ନିଜର ଆଖିଗୁଡ଼ିକୁ ବିଶ୍ୱାସ କରି ପାରୁନଥିଲି ! ଆପଣାର ପ୍ରକୃତ ସ୍ଥିତିଟାକୁ ସିଏ କିପରି ବୁଝି ପାରିଲେ ନାହିଁ, ମୋତେ ପ୍ରକୃତରେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି ।”

 

ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଭାରି ଉତ୍ତେଜିତ ହୋଇ ପଡ଼ିଥିଲେ ଏବଂ ସେଥିଲାଗି ନାତାଲିଆଙ୍କୁ ବେଶ୍‌ ଭୋଗିବାକୁ ପଡ଼ିଥିଲା ।

 

ଶ୍ରୀମତୀ ଦରିଆ ରୁଡ଼ିନ୍‌ଙ୍କୁ ବସିବାକୁ କହିଲେ । ରୁଡ଼ିନ୍ ବସିଲେ । କିନ୍ତୁ ସେହି ଆଗର ରୁଡ଼ିନ୍ ପରି ଆଦୌ ନୁହେଁ । ସେତେବେଳେ ତ ସେ ଗୃହର ମାଲିକ ହୋଇ ରହିଥିଲେ । କିନ୍ତୁ ବର୍ତ୍ତମାନ ଜଣେ ପୁରାତନ ବନ୍ଧୁ ସଦୃଶ ମଧ୍ୟ ନୁହେ । ହଁ, ଜଣେ କୁଣିଆ କିମ୍ବା ଅତିଥି ଭଳି ଏବଂ ତଥାପି ଜଣେ ଖୁବ୍ ଅନ୍ତରଙ୍ଗ ଅତିଥିଙ୍କ ପରି ମଧ୍ୟ ନୁହେଁ । ଏହି ସବୁକିଛି ସତେ ଯେପରି ମାତ୍ର ଗୋଟିଏ ମୁହୁର୍ତ୍ତରେ ହିଁ ଘଟି ଯାଇଥିଲା । …ସତେଅବା, ପାଣିଟା ହିଁ ଟାଣ ବରଫରେ ରୂପାନ୍ତରିତ ହୋଇଯାଇଥିଲା ।

 

“ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା, ମୁଁ ଆଜି ଆସିଛି” —ରୁଡ଼ିନ୍ କହିବାକୁ ଆରମ୍ଭ କରିଥିଲେ “ଆପଣଙ୍କର ଆତିଥ୍ୟ ନିମନ୍ତେ ଆପଣଙ୍କୁ ଧନ୍ୟବାଦ ବୋଲି କହିବାକୁ । ଆଜି ମୋ’ସାନ ମାହାଲଟିରୁ କିଛି ସମ୍ବାଦ ଆସିଲା ଏବଂ ତେଣୁ ମୋର ଆଜି ହିଁ ଏଠାରୁ ଯିବାଟା ଅତ୍ୟାବଶ୍ୟକ ହୋଇ ପଡ଼ିଛି ।”

 

ଦରିଆ ମିହାଇଲୋଭ୍‌ନା ରୁଡ଼ିନ୍‌ଙ୍କ ମୁହଁକୁ ଅନାଇ ରହିଲେ । ତାଙ୍କର ଆଖିଗୁଡ଼ିକରୁ ସତେଅବା ପଲକ ହିଁ ପଡ଼ୁନଥିଲା !

 

ସିଏ ମନେ ମନେ ଭାବୁଥିଲେ, “ସିଏ ନିଶ୍ଚୟ ମୁଁ ସବୁକଥା ଶୁଣିବାକୁ ପାଇଛି ବୋଲି ଆଗରୁ ଜାଣିଛନ୍ତି । ହଁ, ସେଥିରେ ମୋଟେ କୌଣସି ସନ୍ଦେହ ହିଁ ନାହିଁ ଯେ ସିଏ ମୋ’ ବିଷୟରେ କିଛି ଶଙ୍କା ମଧ୍ୟ ପୋଷଣ କରିଛନ୍ତି । ତାଙ୍କୁ ଯେପରି ଜଣେ ବ୍ୟକ୍ତିକୁ ଆଦୌ କୌଣସି ଅପ୍ରୀତିକର ବର୍ଣ୍ଣନା ଦେବାକୁ ନପଡେ, ସେଥିପାଇଁ ଏଭଳି କହୁଛନ୍ତି । ବେଶ୍‌ଭଲ ବି ହୋଇଛି । ବୁଦ୍ଧିମାନ୍ ବ୍ୟକ୍ତିମାନେ ତ ଚିରକାଳ ସେହିପରି କରିଥାଆନ୍ତି ।”

 

“ସତରେ ? —ଶ୍ରୀମତୀ ଦରିଆ ବେଶ୍ ବଡ଼ ପାଟିରେ ପ୍ରଶ୍ନ କରିଥିଲେ । “କେଡ଼େ ବଡ଼ ନିରାଶାର କଥାଟିଏ କହିଲେ ! ତେବେ ଆଉ କ’ଣ ବା କରାଯାଇ ପାରିବ ! ତେବେ ଆଶାଟିଏ ରହିଲା ଯେ ଏ ବର୍ଷ ଶୀତଋତୁରେ ମସ୍କୋରେ ଆପଣଙ୍କ ସାଙ୍ଗରେ ଦେଖାହେବ । ଆମେ ମଧ୍ୟ ଏଠାରୁ ଅଳ୍ପ କେତେଦିନ ପରେ ଚାଲିଯିବୁ ।”

 

“ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା, ଅବଶ୍ୟ ମୁଁ ଆପେ ଜାଣିନାହିଁ ମୁଁ ପ୍ରକୃତରେ ମସ୍କୋ ଯାଇପାରିବି କି ନାହିଁ, କିନ୍ତୁ, ଯଦି ଯାଇପାରେ ତେବେ ଆପଣଙ୍କୁ ସେଠାରେ ‌ଯାଇ ଦେଖା କରିବା ମୋ’ର ଏକ କର୍ତ୍ତବ୍ୟ ବୋଲି ମୁଁ ଅବଶ୍ୟ ଜାଣିବି ।”

 

“ଆରେ ବାପରେ” —କଥାଟିକୁ ଶୁଣି ପାଣ୍ଡାଲେଭ୍‌ସ୍କି ଭାବୁଥାନ୍ତି, “ବାବୁ, ତୁମେ ତ ମାତ୍ର ଅଳ୍ପ କେତେଟା ଦିନ ତଳେ ନିଜକୁ ଏହି ଘରର ମାଲିକ ବୋଲି ହିଁ ଭାବୁଥିଲ; ଏବଂ ବର୍ତ୍ତମାନ ତୁମକୁ ପୁଣି ଏହିପରି ଭାବରେ କଥା କହିବାକୁ ବି ପଡ଼ିଲା !”

 

‘‘ତେବେ ମୁଁ ଅନୁମାନ କରିବି ଯେ ଆପଣ ନିଜ ମାହାଲରୁ କିଛି ଭାରି ଖରାପ ଖବର ନିଶ୍ଚୟ ପାଇଛନ୍ତି !” —ସିଏ ମୁହଁ ଖୋଲି କହିଥିଲେ, ସବୁଦିନ ପରି ତାଙ୍କର ସେହି ସ୍ୱାଭାବିକ ସହଜତାଟି ସହିତ ।

 

“ହିଁ,” —ରୁଡ଼ିନ୍ ଶୁଷ୍କ ଭାବରେ ଜବାବ ଦେଇଥିଲେ ।

 

“କ’ଣ ଫସଲ ଭଲ ହୋଇନାହିଁ ?”

 

“ନାଇଁ, ନାଇଁ, ଆଉ କିଛି ।” —ରୁଡ଼ିନ୍ ଜବାବ ଦେଲେ ଓ ପୁଣି କହିଥିଲେ, “ଆପଣ ମୋତେ ବିଶ୍ୱାସ କରନ୍ତୁ, ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା, ଆପଣଙ୍କର ଏଠାରେ ମୋର ଯେଉଁ ସମୟଟି କଟିଛି, ସେଇଟିକୁ ମୁଁ କେବେହେଲେ ଭୁଲିବି ନାହିଁ ।”

 

“ଏବଂ ମୁଁ ମଧ୍ୟ, ଶ୍ରୀ ଡିମିଟ୍ରି ନିକୋଲାଇଚ୍, ମୁଁ ମଧ୍ୟ କେଡ଼େ ହୃଷ୍ଟଚିତ୍ତ ହୋଇ ଆପଣଙ୍କ ସହିତ ମୋ’ର ଏହି ପରିଚୟଟିକୁ ଅବଶ୍ୟ ମନେ ପକାଉଥିବି । ଏଠାରୁ କେତେବେଳେ ଯିବାକୁ ହେବ ?”

 

“ଆଜି, ଭୋଜନ ପରେ ।”

 

“ଏତେ ଶୀଘ୍ର ! …..ତେବେ ମୁଁ ଆପଣଙ୍କ ସକାଶେ ଏକ ସଫଳ ଯାତ୍ରାର କାମନା କରୁଛି । କିନ୍ତୁ, ସେଠାରେ ବ୍ୟସ୍ତ ରହିବା ହେତୁ ଯଦି ଦୀର୍ଘ ସମୟ ରହିବାକୁ ନପଡ଼େ, ତେବେ ପୁନର୍ବାର ଏଠାକୁ ଫେରି ଆସିବାକୁ ସମ୍ଭବତଃ ଚେଷ୍ଟା କରିବେ ।”

 

“ସମ୍ଭବତଃ କୌଣସି ସମୟ ପାଇବି ନାହିଁ,” ରୁଡ଼ିନ୍ ଉତ୍ତର ଦେଲେ ଏବଂ ଆସନରୁ ଉଠି ଠିଆ ହୋଇଥିଲେ । ତା’ପରେ କହିଲେ, “ଆପଣ କିଛି ମନେ କରିବେ ନାହିଁ, ମୁଁ ହଠାତ୍ ଆପଣଙ୍କ ଠାରୁ ଧାର କରିଥିବା ପଇସାକୁ ବର୍ତ୍ତମାନ ଦେଇ ପାରିବିନାହିଁ; ମାତ୍ର ସେଠାରେ ଯାଇ ପହଞ୍ଚିବା ମାତ୍ରକେ—”

 

“ଏହାର ଆଦୌ କୌଣସି ଅର୍ଥ ହିଁ ନାହିଁ ଡିମିଟ୍ରି ନିକୋଲାଇଚ,” —ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ସେଇ ଅଧାରୁ ହସ୍ତକ୍ଷେପ କରି ଉତ୍ତର ଦେଇଥିଲେ, “ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଏପରି କହିବାକୁ ଆପଣଙ୍କୁ କୌଣସି ସଙ୍କୋଚ ଲାଗୁନାହିଁ । …..ଦେଖ ତ, କେଇଟା ବାଜିଲା ?” ସେ ଜାଣିବାକୁ ଇଚ୍ଛା କରିଥିଲେ ।

 

ପାଣ୍ଡାଲେଭ୍‌ସ୍କି ନିଜ କୋଟ୍ ପକେଟରୁ ସୁନା ଏବଂ ଏନମେଲ୍ ଦେଇ ତିଆରି ହୋଇଥିବା ଗୋଟିଏ ଘଡ଼ି ବାହାର କରି ନିଘା କରି ଅନାଇ ଦେଖିଥିଲେ—ନିଜର ମଣ୍ଡଦିଆ ଧଳା କଲର ଉପରେ ନିଜର ଗୋଲାପୀ ରଙ୍ଗର ଗାଲଟିକୁ ମାଡ଼ି ଦେଇ ।

 

ଜଣାଇଥିଲେ ଯେ ଦୁଇଟା ବାଜି ତେତିଶ ମିନିଟ୍ ହୋଇଛି ।

 

“ତେବେ ବର୍ତ୍ତମାନ ଲୁଗାପଟା, ପିନ୍ଧିବାକୁ ହେବ ।” —ଦରିଆ ମିହାଇଲୋଭ୍‌ନା କହିଥିଲେ ।

 

“ତେବେ ଶ୍ରୀ ଡିମିଟ୍ରି ନିକୋଲାଇଚ୍, ବର୍ତ୍ତମାନ ପାଇଁ ବିଦାୟ ବୋଲି କହୁଛି !”

 

ରୁଡ଼ିନ୍ ଉଠି ଛିଡ଼ା ହେଲେ । ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କ ସହିତ ତାଙ୍କର ଏହି ପୂର୍ଣ୍ଣ କଥାବାର୍ତ୍ତାଟିରେ ଏକ ବିଶେଷ ଲକ୍ଷଣ ଅବଶ୍ୟ ରହିଥିଲା । ମଞ୍ଚର ଅଭିନେତାଗଣ ହିଁ ସଚରାଚର ପ୍ରାୟ ଏହିପରି ଭାବରେ ନିଜର କହିବା ଅଂଶଟିର ପୁନରାବୃତ୍ତି କରନ୍ତି । ଏବଂ ସରକାରୀ କୂଟନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାମାନେ ମଧ୍ୟ ଏହିପରି ଅତ୍ୟନ୍ତ ସାବଧାନତା ସହିତ ଶବ୍ଦମାନଙ୍କର ପ୍ରୟୋଗ କରି ପରସ୍ପର ସହିତ କଥା ହୁଅନ୍ତି ।

 

ରୁଡ଼ିନ୍ ବିଦାୟ ନେଇ ଚାଲି ଯାଇଥିଲେ । ନିଜ ଅଭିଜ୍ଞତାରୁ ସେ ଇତିମଧ୍ୟରେ ଖୁବ୍ ଜାଣି ଯାଇଥିଲେ ଯେ ଯଦି ଏହି ପୃଥିବୀର ନରନାରୀମାନେ ସେମାନଙ୍କର ପରେ ଆଉ ଆଦୌ କୌଣସି କାମରେ ଲାଗିବା ପରି ମନେ ହେଉନଥିବା ଜଣେ ବ୍ୟକ୍ତି ସହିତ କେବେହେଲେ ଅପଡ଼ ହୁଅନ୍ତି ନାହିଁ; ସେହି ବ୍ୟକ୍ତିକୁ ତୁଚ୍ଛା ରହିଯିବାକୁ ହିଁ ଦେଇଥାଆନ୍ତି । ଖେଳ ସରିଗଲେ ହାତରେ ପିନ୍ଧା ହୋଇଥିବା ସେହି ମୋଜାଟା ପରି, ଅଥବା ମିଠାଇ ବନ୍ଧା ହୋଇଥିବା ସେହି କାଗଜଟା ପରି ତଥା ପୁରସ୍କାର ପାଇ ନଥିବା ଖଣ୍ଡେ ଲଟେରି ଟିକେଟ୍ ପରି ।

 

ସିଏ ଖୁବ୍ ଶୀଘ୍ର ନିଜର ଜିନିଷଗୁଡ଼ିକୁ ବନ୍ଧାବନ୍ଧି କରି ନେଇଥିଲେ ଏବଂ ସେଠାରୁ ବାହାରିବାର ସମୟଟିକୁ ପ୍ରାୟ ଅଧୀର ହୋଇ ଅପେକ୍ଷା ହିଁ କରୁଥିଲେ । ସିଏ ଏଠାରୁ ଚାଲି ଯାଉଛନ୍ତି ଜାଣି ଗୃହର ପ୍ରତ୍ୟେକ ବ୍ୟକ୍ତି ଖୁବ୍ ବିସ୍ମୟ ପ୍ରକାଶ କରୁଥିଲେ । ଏପରିକି ଗୃହର ପରିକରମାନେ ମଧ୍ୟ ମୋଟେ କିଛି ବୁଝି ପାରୁନଥିଲା ପରି ମୁହଁ କରି ତାଙ୍କ ଆଡ଼କୁ ଅନାଉଥିଲେ । ବାସିସ୍ଟୋଫ୍‍ ନିଜର ତଦଜନିତ ଦୁଃଖଟିକୁ ଲୁଚାଇ ରଖିବା ଲାଗି କୌଣସି ଚେଷ୍ଟା କରୁନଥିଲେ । ନାତାଲିଆ ସ୍ପଷ୍ଟତଃ ରୁଡ଼ିନ୍‌ଙ୍କର ସାମନାକୁ ଆସିବାକୁ ଯଥାସମ୍ଭବ ଏଡ଼ି ରହିବାକୁ ଚେଷ୍ଟା କରୁଥିଲେ-। ତାଙ୍କର ଆଖିରୁ ଦୂରରେ ଦୂରରେ ହିଁ ରହୁଥିଲେ । ଅବଶ୍ୟ, ରୁଡ଼ିନ୍ ସିଏ ନାତାଲିଆଙ୍କ ପାଖକୁ ଲେଖିଥିବା ଚିଠିଟିକୁ ତାଙ୍କ ହାତ ଭିତରେ ନେଇ ଗୁଞ୍ଜି ଦେବାକୁ ବେଶ୍ ସଫଳ ହୋଇପାରିଥିଲେ-। ଭୋଜନ ଶେଷ ହେବା ପରେ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ତାଙ୍କ ଆଗରେ ପୁନର୍ବାର ବ୍ୟକ୍ତ କରିଥିଲେ ଯେ, ସେମାନେ ଏଠାଛାଡ଼ି ମସ୍କୋ ଯିବା ପୂର୍ବରୁ ତାଙ୍କ ସହିତ ନିଶ୍ଚୟ ଦେଖା ହେବ-। କିନ୍ତୁ, ରୁଡ଼ିନ୍ ସେ କଥା ଶୁଣି କୌଣସି ଜବାବ ଦେଇନଥିଲେ । ଅନ୍ୟମାନଙ୍କ ଅପେକ୍ଷା ପାଣ୍ଡାଲେଭ୍‌ସ୍କି ହିଁ ରୁଡ଼ିନ୍‌ଙ୍କ ସହିତ ବରଂ ଅଧିକ କଥା ହେଉଥିଲେ । ଅବଶ୍ୟ ରୁଡ଼ିନ୍ ଏକାଧିକ ଥର ହୁଏତ ଏପରି ଅନୁଭବ କରୁଥିଲେ ଯେ, ସୁଯୋଗ ପାଇଲେ ସିଏ ଯାଇ ପାଣ୍ଡାଲେଭ୍‌ସ୍କିଙ୍କୁ ଯାଇ ମାଡ଼ି ବସନ୍ତେ ଏବଂ ତାଙ୍କର ଗୋଲାପଫୁଲିଆ ମୁହଁଟା ଉପରେ ଗୋଟାଏ ଚଟକଣା ବସାଇ ଦିଅନ୍ତେ । କୁମାରୀ ବନକୋର୍ଟ୍‍ ବି ନିଜର ଦୁଇଆଖି ଭିତରେ ଏକ ବିଚିତ୍ର ପ୍ରକାରର ଲୁଚି ଲୁଚି ରହିବାକୁ ଚେଷ୍ଟା କରୁଥିବା ଭାବ ବ୍ୟକ୍ତ କରି ଅନେକ ସମୟରେ ରୁଡ଼ିନ୍‌ଙ୍କ ଆଡ଼କୁ ଅନାଇ ପକାଉଥିଲେ । ହଁ, ବହୁ କ୍ଷେତ୍ରରେ ବୟସ ହୋଇ ଯାଇଥିବା ଏବଂ ଶିକାର ବେଳେ ସାଥିରେ ଥିବା ବଡ଼ ବଡ଼ ରୁମ ଥିବା ଚେଙ୍ଗା କୁକୁରମାନେ ଯେଉଁଭଳି ହାବଭାବ କରନ୍ତି, ଅନେକ ପରିମାଣରେ ସେହିପରି ।

 

“ଆ-ହା, —ତେବେ ତୁମେ ଧରା ହିଁ ପଡ଼ିଗଲ” —ସେ ସତେଅବା ମନେ ମନେ କହୁଥିବା ପରି ମନେ ହେଉଥିଲା ।

 

ଶେଷରେ ଆସି ଛଅଟା ବାଜିଲା ଏବଂ ରୁଡ଼ିନ୍‌ଙ୍କର ଗାଡ଼ିଟିକୁ ଅଗଣାକୁ ଅଣା ଯାଇଥିଲା । ରୁଡ଼ିନ୍ ବେଶ୍ ତରବର ହୋଇ ସଭିଙ୍କ ପାଖରୁ ବିଦାୟ ନେବାକୁ ଆରମ୍ଭ କଲେ । ନିଜ ଭିତରେ ସିଏ ସତେଅବା ଖୁବ୍ ଘିନ୍‌ଘିନା କ’ଣ ଗୋଟାଏ ଭାବ ଅନୁଭବ କରୁଥାଆନ୍ତି । ଏପରି ଭାବରେ ଏହିଘରୁ ବିଦାୟ ନେଇ ଯିବାକୁ ହେବ ବୋଲି ସିଏ ଆଗରୁ କେବେ ଭାବିନଥିଲେ । ବୋଧ ହେଉଥିଲା, ସତେଯେପରି ସେମାନେ ତାଙ୍କୁ ଏଠୁ ଯାଅ ବୋଲି କହି ନିକାଲି ହିଁ ଦେଉଥିଲେ-। “ଏହି ସବୁକିଛି କରିବା ନିମନ୍ତେ ପ୍ରକୃତରେ ଗୋଟିଏ କେଡ଼େ ବିଚିତ୍ର ପଦ୍ଧତି ଏବଂ ଏପରି ତରତର ହେବାଲାଗି କ’ଣ ବା କାରଣ ମଧ୍ୟ ଥିଲା ! ତଥାପି, ଏହିପରି କରିବାଟା ହୁଏତ ସବୁଠାରୁ ଅଧିକ ଉଚିତ୍‌ ହୋଇଛି ।” ବାଧ୍ୟ ହୋଇ ହସୁଥିବାରୁ ଏକ ମୁଦ୍ରାରେ ଏଣିକି ତେଣିକି ଅନାଇ ଅଭିବାଦନ ଜ୍ଞାପନ କରୁଥିବା ସମୟରେ ରୁଡ଼ିନ୍ ଏହିପରି ହିଁ ଭାବୁଥିଲେ । ରୁଡ଼ିନ୍ ଶେଷଥର ପାଇଁ ନାତାଲିଆଙ୍କ ଆଡ଼କୁ ଦୃଷ୍ଟିପାତ କରିଥିଲେ ଏବଂ ତାଙ୍କର ହୃଦୟରେ ସେତେବେଳେ କ’ଣ ଗୋଟାଏ ସ୍ପନ୍ଦିତ ହୋଇ ଉଠିଥିଲା; ଏକ ବିରସ ଓ ଭର୍ତ୍ସନାପୂର୍ଣ୍ଣ ବିଦାୟ ଦେଉଥିବା ପରି ନାତାଲିଆଙ୍କର ଆଖିଦୁଇଟି ମଧ୍ୟ ତାଙ୍କ ଉପରେ ନିବେଶିତ ହୋଇ ରହିଥିଲେ ।

 

ସୋପାନଗୁଡ଼ିକୁ ଓହ୍ଲାଇ ରୁଡ଼ିନ୍ ଦ୍ରୃତ ପଦକ୍ଷେପରେ ତଳକୁ ଚାଲି ଆସିଥିଲେ ଓ ଖପ୍ କରି ଗାଡ଼ିରେ ଯାଇ ବସିଗଲେ । ପରବର୍ତ୍ତୀ ରହଣିସ୍ଥାନ ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ଯିବାପାଇଁ ବାସିସ୍ଟୋଫ୍ ତାଙ୍କୁ ଜବାବ ଦେଇଥିଲେ ଏବଂ ସିଏ ମଧ୍ୟ ଆସି ରୁଡ଼ିନ୍‌ଙ୍କ ପାଖରେ ଆସନ ଗ୍ରହଣ କଲେ ।

 

ଗାଡ଼ି ଅଗଣାଟି ଭିତରୁ ବାହାରି ଦୁଇ ପାର୍ଶ୍ୱରେ ବୃକ୍ଷମାନେ ରହିଥିବା ଚଉଡ଼ା ରାସ୍ତାଉପରକୁ ଆସିବା ସଙ୍ଗେ ସଙ୍ଗେ ରୁଡ଼ିନ୍ ଆରମ୍ଭ କଲେ, “ତୁମର ମନେ ଅଛି, ଉପନ୍ୟାସର ‘ଡନ୍ କିହୋଟ୍’ ସାମନ୍ତାଶୀଙ୍କର ପ୍ରାଙ୍ଗଣଟି ଭିତରୁ ବାହାରକୁ ଆସୁଥିବା ସମୟରେ ତାଙ୍କ ସଙ୍ଗୀକୁ କ’ଣ କହିଛନ୍ତି ? ସିଏ କହିଛନ୍ତି, ‘ବନ୍ଧୁ ସାଙ୍କୋ, ସ୍ୱାଧୀନତା ହେଉଛି ପ୍ରତ୍ୟେକ ମନୁଷ୍ୟର ଗୋଟିଏ ବହୁମୂଲ୍ୟ ସମ୍ପଦ ଏବଂ ପରମେଶ୍ୱର ଯାହାକୁ ଖାଇବା ସକାଶେ ଖଣ୍ଡେ ରୁଟି ଦେଇଛନ୍ତି ଓ ଶୁଝିବା ସକାଶେ ଯାହାର କରଜ ବୋଲି କିଛି ନାହିଁ, ସେହି ବ୍ୟକ୍ତିଟି ପ୍ରକୃତରେ ଭାରି ସୁଖି ।’ ଏବଂ ସେତେବେଳେ ଡନ୍ କିହୋଟ୍ ଯେପରି ଅନୁଭବ କରିଥିଲେ, ବର୍ତ୍ତମାନ ମୁଁ ଠିକ୍ ସେହିପରି ହିଁ ଅନୁଭବ କରୁଛି । ବାବୁ ବାସିସ୍ଟୋଫ୍, ଭଗବାନ୍ କରନ୍ତୁ ଦୁଃଖ ମଧ୍ୟ ଦିନେ ନା ଦିନେ ଠିକ୍ ଏହିପରି ଅନୁଭବ କରିବ ।”

 

ବାସିସ୍ଟୋଫ୍ ରୁଡ଼ିନ୍‌ଙ୍କର ହାତକୁ ନିଜ ହାତରେ ଚାପି ଧରିଲେ ଏବଂ ନିର୍ମଳ ମନର ସେହି ତରୁଣ ବାଳକଟିର ହୃଦୟ କ’ଣ ଗୋଟାଏ ତୀବ୍ର ଆବେଗରେ ତତ୍‌କ୍ଷଣାତ୍ ଆନ୍ଦୋଳିତ ହୋଇ ଉଠିଥିଲା । ସେମାନେ ପରବର୍ତ୍ତୀ ରହଣିଥାନଟିରେ ଯାଇ ପହଞ୍ଚିବା ଯାଏ ରୁଡ଼ିନ୍ ତାଙ୍କୁ ଜଣେ ମନୁଷ୍ୟର ପ୍ରାପ୍ୟ ସମ୍ମାନଟି ବିଷୟରେ ନାନା କଥା କହୁଥିଲେ, ଯଥାର୍ଥ ସ୍ୱାଧୀନତାର ପ୍ରକୃତ ଅର୍ଥ ବିଷୟରେ ମଧ୍ୟ କହୁଥିଲେ । ସେ ପ୍ରକୃତରେ ଅତ୍ୟନ୍ତ ଭବ୍ୟ ଭାବରେ, ପୂର୍ଣ୍ଣ ଉତ୍ସାହରେ ତଥା ଯଥୋଚିତ ଗୁରୁତ୍ୱ ସହିତ ନିଜର କଥାଗୁଡ଼ିକୁ କହିବାରେ ଲାଗିଥିଲେ, ଏବଂ ଯେତେବେଳେ ଗାଡ଼ି ଉଚିତ୍ ସ୍ଥାନଟିରେ ଆସି ପହଞ୍ଚିଥିଲା ଏବଂ ତେଣୁ ପରସ୍ପର ଠାରୁ ବିଦାୟ ନେବାର ମୁହୂର୍ତ୍ତଟି ମଧ୍ୟ ଉପସ୍ଥିତ ହୋଇଥିଲା, ବାସିସ୍ଟୋଫ୍ ଆଉ ଅଧିକ କାଳ ଆଦୌ ଧୈର୍ଯ୍ୟ ଧରି ରହିପାରିନଥିଲେ ଏବଂ ରୁଡ଼ିନ୍‌ଙ୍କର ଗଳାଟି ଉପରେ ନେଇ ଆପଣାକୁ ଲୋଟାଇ ଦେଇଥିଲେ । ଭୋ’ ଭୋ’ ହୋଇ କାନ୍ଦିବାରେ ଲାଗିଲେ । ରୁଡ଼ିନ୍‌ଙ୍କର ଆଖିରୁ ମଧ୍ୟ ଅଶ୍ରୁ ଝରି ଆସିଲା । କିନ୍ତୁ, ବିସାସ୍ଟୋଫ୍‌ଙ୍କ ଠାରୁ ବର୍ତ୍ତମାନ ବିଦାୟ ନେବାକୁ ପଡ଼ିବ ବୋଲି ରୁଡ଼ିନ୍ ମୋଟେ କାନ୍ଦୁନଥିଲେ । ସିଏ ଅତ୍ୟନ୍ତ କ୍ଷତବିକ୍ଷତ ହୋଇ ପଡ଼ିଥିବା ଆପଣାର ଅଭିମାନଟି ଦ୍ୱାରା ସନ୍ତାପିତ ହୋଇ ଅଶ୍ରୁମୋଚନ କରୁଥିଲେ ।

 

ଏଣେ ନାତାଲିଆ ଆପଣାର କୋଠରୀଟିକୁ ବାହୁଡ଼ି ଯାଇଥିଲେ ଏବଂ ସେଠାରେ ରୁଡ଼ିନ୍‌ଙ୍କର ଲେଖା ଚିଠିଟିକୁ ପାଠ କରିଥିଲେ ।

 

ରୁଡ଼ିନ୍ ତାଙ୍କ ପାଖକୁ ଲେଖିଥିଲେ, “ଏ ପ୍ରିୟ ନାତାଲିଆ ଆଲେକ୍‌ସିୟେଭ୍‌ନା,

 

ମୁଁ ଏଠାରୁ ଚାଲି ଯିବାପାଇଁ ସ୍ଥିର କରିଛି । ମୋ’ ପାଇଁ ସେହିଟି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ମୋତେ ଯାଅ ବୋଲି ସିଧା କୁହାଯିବା ପୂର୍ବରୁ ହିଁ ମୁଁ ଚାଲିଯିବା ପାଇଁ ଠିକ୍ କଲି । ମୁଁ ଏଠାରୁ ଚାଲିଯିବା ପରେ ସବୁଯାକ ଅସୁବିଧାର ସମାପ୍ତି ଘଟିବ ଏବଂ ତା’ ପରେ କ୍ୱଚିତ୍ କେହି ଜଣେ ମଧ୍ୟ ଥିବ, ଯିଏକି ମୁଁ ଚାଲିଯାଇଛି ବୋଲି ଦୁଃଖ ପ୍ରକାଶ କରିବ । ମୁଁ ବା ଆଉ ଅଲଗା କ’ଣ ପ୍ରତ୍ୟାଶା କରି ଥାଆନ୍ତି ? ....ସର୍ବଦା ଏହିପରି ହିଁ ଘଟେ, କିନ୍ତୁ ତେବେ ମୁଁ ତୁମକୁ ଚିଠିଟିଏ ମଧ୍ୟ କାହିଁକି ଲେଖୁଛି ?

 

“ମୁଁ ସମ୍ଭବତଃ ସବୁଦିନ ସକାଶେ ତୁମ ପାଖରୁ ଚାଲି ଯାଉଛି; ଏବଂ ତୁମର ମୋତେ ମନେ ପକାଇବା ନିମନ୍ତେ ଯେତିକି କାରଣ ପ୍ରକୃତରେ ରହିଛି, ସେତିକି ଅପେକ୍ଷା ତୁମେ ମୋତେ ଅଧିକ ଅନୁଚିତ୍ ଭାବରେ ଯଦି ସ୍ମରଣ କରିବ, ତେବେ ସେହି ଦୁଃଖଟି ପ୍ରକୃତରେ ମୋ ପାଇଁ ଅସହନୀୟ ହିଁ ହୋଇଯିବ । ଏବଂ ସେଇଥିପାଇଁ ମୁଁ ତୁମପାଖକୁ ଏହି ଚିଠିଟିକୁ ଲେଖୁଛି । ମୁଁ ଯାହା କରିଛି, ତାହା ଯଥାର୍ଥ ବୋଲି ଦାବି କରିବାକୁ ମୁଁ କଦାପି ଇଚ୍ଛା କରୁନାହିଁ ଅଥବା ଏହି ସବୁକିଛି ନିମନ୍ତେ କେବଳ ମୋତେ ଛାଡ଼ିଦେଲେ ଅନ୍ୟ କାହାରିକୁ ଦୋଷୀ କରିବା ଲାଗି ମୋ’ର କୌଣସି ଅଭିଳାଷ ମଧ୍ୟ ନାହିଁ । ମୁଁ ଯଥାସମ୍ଭବ ନିଜକୁ ହିଁ ସ୍ପଷ୍ଟ କରିଦେବାକୁ ଇଚ୍ଛା କରୁଛି । …ବିଗତ ଏହି କେତୋଟି ଦିନରେ ଯାହାକିଛି ଘଟିଛି, ସେସବୁ ପ୍ରକୃତରେ କେଡ଼େ ଅପ୍ରତ୍ୟାଶିତ ଓ କେଡ଼େ ଦ୍ରୁତ ବେଗରେ ଘଟି ନଯାଇଛି …

 

“ଆଜିର ଆମର ଏହି କଥିପକଥନଟି ମୋ’ ଲାଗି ଗୋଟିଏ ଅତ୍ୟନ୍ତ ସ୍ମରଣୀୟ ଶିକ୍ଷାଲାଭ ହୋଇ ନିଶ୍ଚୟ ରହିବ । ହଁ, ତୁମେ ଠିକ୍ ହିଁ କହିଛ, ମୁଁ ତୁମକୁ ଜାଣିନଥିଲି । ଏବଂ ମୁଁ ଭାବିନେଲି ଯେ ତୁମକୁ ଜାଣିଛି । ମୋ’ର ଜୀବନଯାକ ମୁଁ ଯାବତୀୟ ପ୍ରକାରର ମନୁଷ୍ୟଙ୍କ ସହିତ କାରବାର ହୋଇଛି, ବହୁ ମହିଳା ଏବଂ ଯୁବତୀଙ୍କର ସମ୍ପର୍କରେ ଆସିଛି, ମାତ୍ର ତୁମର ସଂପର୍କରେ ଆସି ପ୍ରକୃତରେ ପ୍ରଥମଥର ପାଇଁ ଏକ ସମ୍ପୂର୍ଣ୍ଣ ନିଷ୍କପଟ ଏବଂ ସଚ୍ଚୋଟ ଆତ୍ମା ସହିତ ମୋ’ର ପରିଚୟ ହେଲାଭଳି ମୋତେ ଲାଗିଥିଲା । ମୋ’ର ଏପରି ଅଭିଜ୍ଞତାଟିଏ ଆଗରୁ ଆଦୌ ସେତେ ବେଶି ହୋଇନଥିଲା ଏବଂ ତୁମକୁ କିପରି ଉପଯୁକ୍ତ ଏକ ମହତ୍ତ୍ୱ ଦେଇ ଯେ ବୁଝିବି, ସେହି କଥାଟି ମୋତେ ପ୍ରକୃତରେ ଜଣା ନଥିଲା । ପରିଚୟର ପ୍ରଥମ ଦିବସଟିରୁ ହିଁ ମୁ ତୁମ ଆଡ଼କୁ ଆକର୍ଷିତ ହୋଇ ଯିବାପରି ଅନୁଭବ କରିଥିଲି ଏବଂ ତୁମେ ମଧ୍ୟ ଅବଶ୍ୟ ତାହା ଲକ୍ଷ୍ୟ କରି ପାରିଥିବ । ତୁମ ସହିତ ଘଣ୍ଟା ପରେ ଘଣ୍ଟା ବିତାଇଥିଲି, ଏବଂ ତେଣୁ ଜାଣିବାର ପାଠଟିକୁ ଶିଖି ପାରିନଥିଲି । ହଁ, ତୁମକୁ ଜାଣିବା ସକାଶେ କ୍ୱଚିତ୍ ପ୍ରୟାସ ବି କରୁଥିଲି—ଏବଂ ତୁମକୁ ଭଲ ପାଉଛି ବୋଲି କଳ୍ପନା କରୁଥିଲି । ମୋ’ର ସେହି ପାପଟି ହେତୁ ହିଁ ବର୍ତ୍ତମାନ ମୋତେ ଶାସ୍ତି ମିଳିଲା ।

 

“ଏକଦା ପୂର୍ବେ ମଧ୍ୟ ମୁଁ ଜଣେ ନାରୀକୁ ଭଲ ପାଇଥିଲି ଏବଂ ସିଏ ମଧ୍ୟ ମୋତେ ଭଲ ପାଉଥିଲେ । ତାଙ୍କ ଲାଗି ମୋ’ର ଅନୁଭବଟି ବେଶ୍ ଜଟିଳ ହୋଇ ରହିଥିବା ପରି ଲାଗୁଥିଲା । ତାଙ୍କର ମୋ’ ବିଷୟରେ ଅନୁଭବଗୁଡ଼ିକ ମଧ୍ୟ ସେହିପରି ଜଟିଳ ଥିଲା । କିନ୍ତୁ, ସିଏ ସ୍ୱୟଂ ସରଳ ନଥିବାରୁ ତାଙ୍କୁ ବରଂ ଏହି ବ୍ୟାପାରଟିରେ ସବୁକିଛି ସତେଅବା ଅଧିକ ଅନୁକୂଳ ବୋଧ ହେଉଥିଲା-। ସେ ମୋ’ ଆଗରେ ତେଣୁ ସତ୍ୟକଥାଟି ମଧ୍ୟ କହୁନଥିଲେ ଏବଂ ଯେତେବେଳେ କହିଲେ, ସେତେବେଳେ ମୁଁ ମଧ୍ୟ ତାହାକୁ ସତ୍ୟ ବୋଲି ସ୍ୱୀକାର କରିନଥିଲି … ହଁ, ଶେଷରେ ସ୍ୱୀକାର କରିନେଲା ବେଳକୁ ପ୍ରକୃତରେ ଖୁବ୍ ବିଳମ୍ବ ହୋଇ ଯାଇଥିଲା । …..ଯାହାସବୁ ଘଟି ଯାଇଥାଏ, ସେଗୁଡ଼ିକୁ ଆଦୌ ପୁନର୍ବାର ସାଉଁଟି ଆଣି ହୁଏନାହିଁ …..ହଁ, ଆମର ଦୁଇଟିଯାକ ଜୀବନ ସମ୍ଭବତଃ କେବେ ଗୋଟିଏ ହୋଇ ଯାଇଥିଲେ,…କିନ୍ତୁ ସେମାନେ ବର୍ତ୍ତମାନ ଆଉ କଦାପି ଗୋଟାଏ ହୋଇ ପାରିବେ ନାହିଁ । ମୁଁ ତୁମ ପାଖରେ କିଭଳି ପ୍ରମାଣ କରିଦେଇ ପାରିବି ଯେ ମୁଁ ଏକଦା ଏକ ପ୍ରକୃତ ଭଲ ପାଇବା ସହିତ ତୁମକୁ ଭଲ ପାଇ ପାରିଥିଲି ! ହୃଦୟର ଭଲ ପାଇବା ସହିତ, କୌଣସି ହଠାତ୍ କଳ୍ପନାରେ ପଡ଼ିଯାଇ ଆଦୌ ନୁହେଁ ! ସେପରି ଗୋଟିଏ ଭଲ ପାଇବା ନିମନ୍ତେ ମୋ’ର ସତକୁ ସତ ଏକ ସାମର୍ଥ୍ୟ ରହିଛି କି ନାହିଁ, ସେକଥାଟିକୁ ମୁଁ ନିଜେ ମଧ୍ୟ ଯେତେବେଳେ ଜାଣି ନଥିଲି ?

 

“ପ୍ରକୃତି ମୋତେ ବହୁତ କିଛି ଆଣି ଦେଇଛି । ମୁଁ ସେହି କଥାଟିକୁ ଜାଣିଛି ଏବଂ କୌଣସି ମିଥ୍ୟାନମ୍ରତା ଦେଖାଇ ମୁଁ ସେଇଟିକୁ କଦାପି ଲୁଚାଇ ରଖିବାପାଇଁ ଇଚ୍ଛା କରିବି ନାହିଁ; ବିଶେଷ କରି ଏପରି ଗୋଟିଏ ଏଡ଼େ ତିକ୍ତ ମୁହୂର୍ତ୍ତରେ; ହଁ ମୋ’ ପାଇଁ ଏକ ଅପମାନପୂର୍ଣ୍ଣ ମୁହୂର୍ତ୍ତରେ …..ହଁ, ପ୍ରକୃତି ମୋତେ ବହୁତ କିଛି ଦେଇଛି, କିନ୍ତୁ ମୋ’ର ସାମର୍ଥ୍ୟଗୁଡ଼ିକର ଯୋଗ୍ୟ ମୁଁ ଆଦୌ କିଛି ହିଁ କରି ପାରିବି ନାହିଁ ଏବଂ ମରିବି । ମୋ’ ପଶ୍ଚାତରେ ପ୍ରକୃତରେ କୌଣସି ସାମାନ୍ୟ ଚିହ୍ନ ହିଁ ରହିନଥିବ । ମୋ’ର ଏହି ଯାବତୀୟ ସମ୍ପତ୍ତି କେବଳ ଏହିପରି ଆଳସ୍ୟରେ ପଡ଼ି ବରବାଦ ହୋଇଯିବ । ମଁ ଯେଉଁସବୁ ମଞ୍ଜିକୁ ବୁଣି ବୁଣି ଚାଲିଥାଏ, ମୁଁ ସେଗୁଡ଼ିକର ଆଦୌ କୌଣସି ଫଳ ଫଳୁଥିବାର ଦେଖିବାକୁ ହିଁ ପାଏନାହିଁ । ମୋ’ର ନିଶ୍ଚୟ କିଛି ଅଭାବ ରହିଛି । ପ୍ରକୃତରେ କ’ଣ ଅଭାବ ରହିଛି, ନିଜେ ମଧ୍ୟ ଆଦୌ କହି ପାରିବି ନାହିଁ । ଅତ୍ୟନ୍ତ ନିଶ୍ଚିତ ଭାବରେ ମୋ’ ଠାରେ ଏପରି କିଛିର ଅଭାବ ରହିଛି, ଯାହା ନଥିଲେ ମନୁଷ୍ୟମାନଙ୍କର ହୃଦୟକୁ ଆଦୌ ଗତିଶୀଳ କରିହୁଏ ନାହିଁ, —କିମ୍ବା ଜଣେ ନାରୀର ହୃଦୟକୁ ସମ୍ପୂର୍ଣ୍ଣ ଭାବରେ ଅଧିକାର କରିବା ସମ୍ଭବ ହୋଇ ପାରେନାହିଁ । ଏବଂ କେବଳ ମନୁଷ୍ୟମାନଙ୍କର ମନରେ ଆନ୍ଦୋଳନଟାଏ ଆଣିଦେବା, ସେଇଟି ପ୍ରକୃତରେ ଗୋଟିଏ ଅତ୍ୟନ୍ତ ନିରର୍ଥକ ବ୍ୟାପାର, —ତାହା ହୁଏତ ଏପରି ଗୋଟିଏ ସାମ୍ରାଜ୍ୟର ଅଧିକାରୀ ହେବା, ଯାହାଦ୍ୱାରା ଆଦୌ କୌଣସି ଲାଭ ହୋଇ ପାରେନାହିଁ । ମୋ’ ଭାଗ୍ୟଟା ପ୍ରକୃତରେ ଭାରି ବିଚିତ୍ର, ପ୍ରାୟ ବହୁ ବିଡ଼ମ୍ବନା ଦ୍ୱାରା ପୂର୍ଣ୍ଣ ହୋଇ ରହିଥିବା କ’ଣ ପଦାର୍ଥଟିଏ । ହଁ, ମୁଁ କେତେ ଉତ୍ସାହ ସହିତ ଏବଂ କେଡ଼େ ସମ୍ପୂର୍ଣ୍ଣ ଭାବରେ କୌଣସି ଗୋଟିଏ ଆଦର୍ଶ ନିମନ୍ତେ ନିଜକୁ ସମର୍ପିତ କରି ରଖିବାକୁ ଇଚ୍ଛା କରି ଆସୁଛି, —ମାତ୍ର ତଥାପି ଅସମର୍ଥ ହୋଇ ରହିଛି । ସେଇଟିକୁ ଆଦୌ କରି ପାରୁନାହିଁ । ମନେ ହେଉଛି, ନିଶ୍ଚୟ ଅବଶେଷରେ କୌଣସି ନା କୌଣସି ନିତ୍ୟାନ୍ତ ନିର୍ବୋଧତାପୂର୍ଣ୍ଣ କ’ଣଟିଏ ନିମନ୍ତେ ନିଜକୁ ଯାଇ ଉତ୍ସର୍ଗ କରି ପକାଇବି, —ଏବଂ ସମ୍ଭବତଃ ସେଥିରେ ମୋ’ ନିଜର କୌଣସି ବିଶ୍ୱାସ ମଧ୍ୟ ନଥିବ । …..ହାୟ, ମୋ’ର ଏହି ପଇଁତିରିଶ ବର୍ଷ ବୟସରେ ମୁଁ ତଥାପି କ’ଣଟିଏ ପାଇଁ ପ୍ରସ୍ତୁତ ହେବାରେ ହିଁ ଲାଗିଛି ! …

 

“ନିଜ ବିଷୟରେ ମୁଁ ଏପରି ସବୁ ଖୋଲିଦେଇ ଆଗରୁ କାହାରି ଆଗରେ ବି ଏତେ କଥା କହିନାହିଁ, —ଏଇଟି ହେଉଛି ମୋ’ର ନିଜ ବିଷୟରେ ଏକ ସ୍ୱୀକାରୋକ୍ତି ।

 

“ମାତ୍ର, ମୋ’ ବିଷୟରେ ମୁଁ ଆଉ କିଛି ହେଲେ କହିବି ନାହିଁ । ମୁଁ ଚାହୁଁଛି ଯେ ତୁମ ସହିତ କିଛି କଥା ହେବି, ତୁମକୁ ହୁଏତ କିଛି ପରାମର୍ଶ ଦେବି; ପରେ ମୁଁ ହୁଏତ ତୁମର ଆଦୌ କୌଣସି କାମରେ ଆସିବି ନାହିଁ । ତୁମର ବୟସ ଏବେ ମଧ୍ୟ ବେଶି ହୋଇନାହିଁ । କିନ୍ତୁ ଯେପର୍ଯ୍ୟନ୍ତ ବଞ୍ଚିଛ ସେପର୍ଯ୍ୟନ୍ତ ସକଳ କ୍ଷେତ୍ରରେ ହୃଦୟର ବୋଲମାନଙ୍କୁ ହିଁ ମାନିବ । ଆପଣାର ହୃଦୟକୁ ତୁମେ କେବେହେଲେ ମନର ଅନୁସରଣିଆ କରି ରଖିବ ନାହିଁ, ଅନ୍ୟମାନଙ୍କର ମନର ବି ବୋଲକରା ହେବନାହିଁ । ମୋ’ର ଏହି କଥାଟିରେ ବିଶ୍ୱାସ ରଖିଥିବ ଯେ, ତୁମର ଜୀବନ ଯେତେ ଅଧିକ ସରଳ ତଥା ସ୍ୱଳ୍ପ ପରିଧିଯୁକ୍ତ ବୃତ୍ତଟିଏ ମଧ୍ୟରେ ବାଡ଼ ଦିଆହୋଇ ରହିବ, ତୁମଲାଗି ତାହା ଅଧିକ ହିଁ ଉତ୍ତମ ହେବ । ବଡ଼ କଥା ହେଉଛି ଯେ, ତୁମେ ଆପଣା ଜୀବନରୂପୀ ଆୟତନଟିର ବାହୁଗୁଡ଼ିକରେ ଆଦୌ ଭଳି ଭଳି ସଂଖ୍ୟାବୃଦ୍ଧି କରିବାରେ ଆଗ୍ରହ ରଖିବ ନାହିଁ । ତୁମ ଜୀବନର ସବୁଯାକ ପର୍ଯ୍ୟାୟ ଯେପରି ନିଜର ଉଚିତ୍ ସମୟ ଗୁଡ଼ିକରେ ପରିପୂର୍ଣ୍ଣତା ମଧ୍ୟ ହାସଲ କରିବେ, ତୁମେ ସେଥିପ୍ରତି ସର୍ବଦା ଦୃଷ୍ଟି ରଖିଥିବ । ‘ସେଇ ପ୍ରକୃତରେ ସୁଖୀ ଏବଂ ଭାଗ୍ୟବାନ୍, ଯିଏ ଆପଣାର ଯୌବନକାଳରେ ସେହି ଯୌବନଟିକୁ ପରିପୂର୍ଣ୍ଣ ଭାବରେ ବଞ୍ଚି ପାରିଛି ।’ କିନ୍ତୁ ମୁଁ ଖୁବ୍ ଜାଣୁଛି ଯେ, ଏହି ପରାମର୍ଶଟି ତୁମ ଅପେକ୍ଷା ବରଂ ମୋ’ ନିଜର ଜୀବନକ୍ଷେତ୍ରରେ ହିଁ ଅଧିକ ପ୍ରଯୁଜ୍ୟୁ ବୋଲି କୁହାଯାଇ ପାରିବ ।

 

“ନାତାଲିଆ ଆଲେକ୍‌ସିୟେଭ୍‌ନା, ମୁଁ ସମ୍ପୂର୍ଣ୍ଣ ଭାବରେ ଅବଶ୍ୟ ସ୍ୱୀକାର କରିବି ଯେ, ମୁଁ ବର୍ତ୍ତମାନ ନିଜକୁ ଅତ୍ୟନ୍ତ ଅସୁଖୀ ପରି ଅନୁଭବ କରୁଛି । ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କର ମନରେ ମୁଁ ଯେଉଁ ଧାରଣାଟିକୁ ଜାଗୃତ କରି ଆଣିଥିଲି, ତାହାର ସ୍ୱଭାବଟି ସଂପର୍କରେ ମୋ’ ମନରେ ଆଦୌ କୌଣସି ଭ୍ରମ ନାହିଁ । ମାତ୍ର, ମୁଁ ଆଶା ମଧ୍ୟ କରି ପକାଇଥିଲି ଯେ, ମୁଁ ଅସ୍ଥାୟୀ ଭାବରେ ହୋଇଥିଲେ ମଧ୍ୟ ଏଠାରେ ଶେଷରେ ପ୍ରକୃତରେ ନିଜର ଘରପରି ଏକ ସ୍ଥାନ ଅବଶ୍ୟ ପାଇ ପାରିଛି … ଏବଂ ବର୍ତ୍ତମାନ ତ ମୋତେ ପୁନର୍ବାର ଏହି ବହୁବନ୍ଧୁର ପୃଥିବୀଟି ମଧ୍ୟରେ ଆପଣା ଭାଗ୍ୟର ପରୀକ୍ଷା କରିବାକୁ ହିଁ ପଡ଼ିବ । ତୁମ ସହିତ ଯାବତୀୟ କଥୋପକଥନ, ତୁମର ଉପସ୍ଥିତି, ତୁମର ସେହି ସଦାସ୍ଥିର ତଥା ବୁଦ୍ଧିଦୀପ୍ତ ମୁଖମୁଦ୍ରା, —ଏସବୁକୁ ମୁଁ ଆଉ କେଉଁଠାରେ କିପରି ମଧ୍ୟ ପାଇବି ? …..ହଁ, ମୁଁ ବସ୍ତୁତଃ ଆପଣାକୁ ତ ଦୋଷ ଦେବି; ମାତ୍ର ତଥାପି ସ୍ୱୀକାର କରିବି ଯେ, ଭାଗ୍ୟ ନିଶ୍ଚୟ ମୋତେ ଖେଳନାଟିଏ ପରି ବ୍ୟବହାର କରି ଏପରି ଗୋଟିଏ ନିଷ୍ଠୁର ପରିହାସର ଅବତାରଣା କରିବାକୁ ମନ ହିଁ କରିଛି । ମୁଁ ତୁମକୁ ଭଲ ପାଉଛି ବୋଲି ଗୋଟିଏ ସପ୍ତାହ ପୂର୍ବରୁ ଆପେ ମଧ୍ୟ କୌଣସି ଆଭାସ ପାଉନଥିଲି । ଗତ ପଅରିଦିନ, ଉଦ୍ୟାନ ଭିତରେ ସେହି ସନ୍ଧ୍ୟା ସମୟରେ ମୁଁ ତ ତୁମରି ଓଠଗୁଡ଼ିକରୁ ହିଁ ସେହି ଘଟଣାଟିକୁ ସର୍ବପ୍ରଥମେ ଶୁଣିବାକୁ ପାଇଲି, …ମାତ୍ର, ସେତେବେଳେ ତୁମ କ’ଣ ସବୁ କହିଥିଲ, ସେଗୁଡ଼ିକୁ ତୁମର ମନେ ପକାଇଦେବା ଦ୍ୱାରା ଆଉ କ’ଣ ବା ଲାଭ ହେବ ? ଏବଂ ବର୍ତ୍ତମାନ ମୁଁ ଏଠାରୁ ବିଦାୟ ନେଇ ଚାଲିଯାଉଛି । ହଁ, ଗୋଟିଏ ଅକୀର୍ତ୍ତି ମୁଣ୍ଡାଇ ଚାଲି ଯାଉଛି । ତୁମ ପାଖରେ ସେହି ନିର୍ଦ୍ଦୟ କଥାଗୁଡ଼ିକୁ କହିଦେଇ ଯାଉଛି, ଏବଂ ମନରେ କୌଣସି ଆଶା ହିଁ ନାହି । …ଏବଂ ତୁମକୁ ନେଇ ଏହି ସବୁଟି ପାଇଁ ଯେ ମୁଁ ଦୋଷୀ ଅବଶ୍ୟ ହେବି, ସେକଥା ତୁମେ ପ୍ରକୃତରେ ଜାଣିନାହଁ । …ବଡ଼ ଦୁର୍ବଳ ଭାବରେ ସବୁକିଛି ଫିଟାଇ କହିପକାଏ । କିନ୍ତୁ, ଏହି କଥାଟି ମଧ୍ୟ ମୁଁ କ’ଣ ପାଇଁ କହୁଛି ! ଆଜି ମୁଁ ସବୁଦିନ ପାଇଁ ହିଁ ତୁମପାଖରୁ ଚାଲି ଯାଉଛି ।”

 

(ଏହାପରେ, ରୁଡ଼ିନ୍‌ ସେ ଭୋଲିନ୍ତସେଭ୍‌ଙ୍କ ସହିତ ସାକ୍ଷାତ କରିଛନ୍ତି ବୋଲି ନାତାଲିଆଙ୍କୁ ବର୍ଣ୍ଣନା କରି ଲେଖିଥିଲେ; ମାତ୍ର ପୁଣି ତାଙ୍କ ମନକୁ କ’ଣ ସବୁ ଆସିଲା କେଜାଣି, ସେହି ଅଂଶଟିକୁ ପୂରା ନିଭାଇ ଦେଲେ ଏବଂ ଭୋଲିନ୍ତସେଭ୍‌ଙ୍କ ପାଖକୁ ଦେଇଥିବା ଚିଠିର ଦ୍ୱିତୀୟ ‘ପୁନଶ୍ଚ’ଟିକୁ ନାତାଲିଆଙ୍କୁ ଲିଖିତ ଏହି ଚିଠିରେ ମଧ୍ୟ ଟିପି ଦେଇଥିଲେ ।)

 

“ଏଥର ମୁଁ ଏହି ପୃଥିବୀପୃଷ୍ଠରେ ଏକାକୀ ହୋଇ ରହିବି ଏବଂ ଆଜି ସକାଳେ ତୁମେ ଯେପରି ଏକ ତିକ୍ତ ବ୍ୟଙ୍ଗଭାବ ସହିତ ମୋତେ କହିଛ, ମୋ’ ନିମନ୍ତେ ଅଧିକ ଅନୁକୂଳ ଅନ୍ୟ ରୁଚିମାନଙ୍କରେ ହିଁ ମନ ଦେବି । ହାୟ, ଯଦି ମୁଁ ପ୍ରକୃତରେ ସେଗୁଡ଼ିକରେ ମନୋନିବେଶ କରି ପାରୁଥାଆନ୍ତି, ଯଦି ପରିଶେଷରେ ମୋ’ ନିଜର ଜଡ଼ତାଟିକୁ ଜୟ କରି ପାରନ୍ତି …କିନ୍ତୁ ଆଦୌ ହୋଇ ପାରିବନାହିଁ ! ମୁଁ ଚିରକାଳ ଯେପରି ରହି ଆସିଛି, ଶେଷଯାଏ ସେହିପରି ଏକ ଅସମ୍ପୂର୍ଣ୍ଣ ଜୀବ ହୋଇ ହିଁ ରହିବି … ସର୍ବପ୍ରଥମ ପ୍ରତିବନ୍ଧକଟି ହେଉଛି, …ଏବଂ ମୋ’ର ସବୁଯାକ ହିମ୍ମତ ସତେଅବା ମୋତେ ପରିତ୍ୟାଗ କରି ଚାଲିଯିବ । ତୁମକୁ ନେଇ ଏହି ଯାହାକିଛି ଘଟିଲା, ସେଇଟି ମୋତେ ପ୍ରକୃତରେ ଦେଖାଇଗଲା ଯେ, ଯଦି ମୁଁ ମୋ’ ଭବିଷ୍ୟତର କାର୍ଯ୍ୟ, ମୋ’ ଜୀବନର ପ୍ରକୃତ ଆହ୍ୱାନଟିର ଜବାବ ଦେଇ ମୋ’ର ଏହି ପ୍ରଣୟ ଇତ୍ୟାଦିର ପାଶରେ ଯାଇ ପଡ଼ିବାର ଘଟଣାଗୁଡ଼ିକୁ ତ୍ୟାଗ କରି ପାରିଥାନ୍ତି, —ମାତ୍ର ସେଥିପାଇଁ ଯଥାର୍ଥ ଦାୟିତ୍ୱଗୁଡ଼ିକୁ ବହନ କରିବାରେ ମୋ’ ଭିତରେ ଭୟଟା ହିଁ ମୋତେ ଅସମର୍ଥ କରି ରଖିଲା, —ତୁମ ସହିତ ମୋ’ର ଏହି ଘଟିଥିବା ଘଟଣାଟି ମୋତେ ସେହି ସତ୍ୟଟିକୁ ହିଁ ଦର୍ଶାଇ ଦେଇଛି । ତେଣୁ, ମୁଁ ପ୍ରକୃତରେ ହିଁ ତୁମର ଅଯୋଗ୍ୟ ବୋଲି ପ୍ରମାଣିତ ହେଲି । ମୋ’ର ବସ୍ତୁତଃ ସେହି ଯୋଗ୍ୟତାଟି ନାହିଁ ଯେ ତୁମେ ମୋ ଲାଗି ନିଜର ପୃଥିବୀଟାରୁ ନିଜକୁ ଛିନ୍ନ କରି ଆଣିବ । ଏବଂ …ଏସବୁ ଯେ ଏପରି ଘଟିଲା, ତାହା ସତକୁ ସତ ସର୍ବୋତ୍ତମ ବୋଲି ହିଁ ଘଟିଲା । ଏହି ଘଟଣାଟି ସମ୍ଭବତଃ ମୋତେ ଅଧିକ ବଳଯୁକ୍ତ ହେବାରେ ସହାୟତା କରିବ, ମୋତେ ଶୁଦ୍ଧତର କରିନେବ ।

 

“ମୁଁ ତୁମର କେବଳ ସୁଖ ହିଁ କାମନା କରୁଛି । ବିଦାୟ ତୁମକୁ ! ସମୟ ସମୟରେ ମୋ’ ବିଷୟରେ ମଧ୍ୟ ଭାବିବ । ଏବଂ ଆଶା ରଖୁଛି ଯେ, ତୁମେ ବେଳେ ବେଳେ ମୋ’ କଥା ନିଶ୍ଚୟ ଶୁଣିବାକୁ ପାଇବ ।

 

‘ରୁଡ଼ିନ୍’

 

ରୁଡ଼ିନ୍‌ଙ୍କର ଏହି ଚିଠିଟି ନାତାଲିଆଙ୍କର ହାତରୁ ତାଙ୍କର କ୍ରୋଡ଼ ଉପରକୁ ଖସି ପଡ଼ିଥିଲା । ସେ ମୋଟେ ହଲଚଲ ନହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଇଠାରେ ହିଁ ବସି ରହିଥିଲେ-। ଆଖିଦୁଇଟି ମଧ୍ୟ ଚଟାଣ ଉପରେ ଥିର ହୋଇ ରହିଥିଲେ । ସମ୍ଭାବ୍ୟ ଅନ୍ୟ ଯାବତୀୟ ଯୁକ୍ତି ତୁଳନାରେ ଏହି ଚିଠି ହିଁ ଅଧିକ ସ୍ପଷ୍ଟ ଭାବରେ ପ୍ରମାଣ କରି ଦେଉଥିଲା ପରି ଲାଗୁଥିଲା ଯେ, ଯେତେବେଳେ ସକାଳେ ରୁଡ଼ିନ୍ ବିଦାୟ ନେଇ ଯାଉଥିବା ସମୟରେ ସିଏ ପ୍ରାୟ ସତେଅବା ଭିତରୁ କାହାର ତାଡ଼ନା ଦ୍ୱାରା ବାଧ୍ୟ ହୋଇ ରୁଡ଼ିନ୍ ତାଙ୍କୁ ପ୍ରକୃତରେ ଭଲ ପାଆନ୍ତିନାହିଁ ବୋଲି ଅନୁଭବ କରି ହଠାତ୍ କାନ୍ଦି ଉଠିଥିଲେ, ସେତେବେଳେ ସିଏ ସମ୍ପୂର୍ଣ୍ଣ ଠିକ୍ ହିଁ କରିଥିଲେ । ମାତ୍ର, ତଦ୍ଦ୍ୱାରା ତାଙ୍କ ପାଇଁ ସବୁକୁଛି ଯେ ଅଧିକ ସହଜ ହୋଇଗଲା, ସେକଥା ନୁହେଁ । ସିଏ ସମ୍ପୂର୍ଣ୍ଣ ଥିରଟି ହୋଇ ବସିଥାନ୍ତି । ଏବଂ ଲାଗୁଥାଏ, ସତେ ଯେପରି ହୁଏତ ଆଲୋକର କ୍ଷୀଣ ରେଖାଟିଏ ମଧ୍ୟ ନଥିବା ଘନ ଅନ୍ଧକାରର ଲହରୀମାନେ ତାଙ୍କର ମୁଣ୍ଡ ଉପରେ ଆସି ସ୍ତୂପୀକୃତ ହୋଇଯିବାରେ ଲାଗିଥାନ୍ତି, ଏବଂ ସିଏ ଅତ୍ୟନ୍ତ ଶୀତଜର୍ଜର ତଥା ବାକ୍‌ଶକ୍ତି ହୀନ ଭାବରେ ତାହାର କେଉଁ ସୁଦୂର ଗଭୀର ମଧ୍ୟରେ ଯାଇ ପଡ଼ି ରହିଥାନ୍ତି । ହଁ, ନିଜର ସର୍ବପ୍ରଥମ ମୋହଭଙ୍ଗିଟି ବସ୍ତୁତଃ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ବଡ଼ ଯନ୍ତ୍ରଣାଦାୟକ ହିଁ ହୁଏ, ମାତ୍ର ଏକ ଆଦୌ କୌଣସି ଆତ୍ମ-ପ୍ରବଞ୍ଚନାକୁ ଅବକାଶ ଦେଇନଥିବା ଏବଂ ସର୍ବବିଧ ତୁଚ୍ଛତ ତଥା ଅତିରଞ୍ଜନ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାତ ହୋଇ ରହିଥିବା ଗୋଟିଏ ସହଜ ଓ ନିଷ୍ପାପ ହୃଦୟ ନିମନ୍ତେ ତାହା ପ୍ରାୟ ଅସହ୍ୟ ହିଁ ହୋଇ ପଡ଼ିଥିଲା । ନାତାଲିଆଙ୍କର ନିଜ ପିଲାଦିନ କଥା ମନେ ପଡ଼ୁଥାଏ । ସଂଧ୍ୟା ସମୟରେ ବାହାରେ ବୁଲୁଥିବା ସମୟରେ ସିଏ ସର୍ବଦା ହିଁ ଅସ୍ତ ହେବାକୁ ଯାଉଥିବା ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଅଗ୍ରସର ହେଉଥିଲେ । ସେହି ଦିଗରେ ତଥାପି ଆଲୋକ ରହିଥିଲା । ସିଏ ପଛଦିଗର ଆକାଶଟା ଆଡ଼କୁ କେବେ ଯାଉନଥିଲେ । ବର୍ତ୍ତମାନ ତ ତାଙ୍କର ସମ୍ମୁଖରେ ଥିବା ନିଜ ଜୀବନଟା କେବଳ ଅନ୍ଧକାର ଦ୍ୱାରା ହିଁ ଆଚ୍ଛନ୍ନ ହୋଇ ରହିଥିଲା; ସତେଯେପରି ବର୍ତ୍ତମାନ ସିଏ ସବୁଦିନ ପାଇଁ ହିଁ ଆଲୁଅଟାକୁ ପଛ କରି ବାଟ ଚାଲିବାକୁ ବାଧ୍ୟ ହେବେ !

 

ନାତାଲିଆଙ୍କର ଆଖିଗୁଡ଼ିକରୁ ଲୁହ ବୋହିବାକୁ ଲାଗିଲା । ଆଖିରୁ କିଛି ଲୁହ ବୋହିଗଲେ ଯେ ସବୁବେଳେ ସବୁ ହାଲୁକା ହୋଇଯାଏ, ସେକଥା ସତ ନୁହେଁ । ଅଶ୍ରୁ ବୋହିଯିବା ଦ୍ୱାରା ତ କେବଳ ସେତିକିବେଳେ ସାନ୍ତ୍ୱନା ମିଳେ ଏବଂ ତେଣୁ ହିତକର ମନେ ହୁଏ, ଯେତେବେଳେ କି ତାହା ଛାତି ଭିତରେ ଦୀର୍ଘକାଳ ରୁଦ୍ଧ ହୋଇ ରହିବା ପରେ ଶେଷକୁ ବାହାରକୁ ବୋହି ଆସିବା ଆରମ୍ଭ କରେ, —ପ୍ରଥମେ ପ୍ରଥମେ ଅତ୍ୟନ୍ତ ତୀବ୍ର ବେଗରେ ଏବଂ ତାପରେ ଅପେକ୍ଷାକୃତ ଅଧିକ ସହଜତା ସହିତ, ଅଧିକ କୋମଳ ଭାବରେ; —ଦୁଃଖର ସେହି ଅବ୍ୟକ୍ତ ଯନ୍ତ୍ରଣାଟାରେ ଲୁହଗୁଡ଼ିକ ବୋହିଯିବା ପରେ ସତକୁ ସତ ବହୁତ ଉପଶମ ହିଁ ହୁଏ ……କିନ୍ତୁ ବେଳେବେଳେ ସେମାନେ ବେଶ୍ ଭାବଶୂନ୍ୟ ଭାବରେ, ସତେ ଅବା ବେଶ୍ କୃପଣତା ଦେଖାଉଥିବା ଭଳି ମଧ୍ୟ କୁହନ୍ତି, ସତେଅବା କୌଣସି ଏକ ପଥର ପରି ଅଚଳ ତଥା କେଡ଼େ କ୍ଳାନ୍ତି ଆଣି ଦେଉଥିବା କୌଣସି ଓଜନ ତଳେ ଚାପି ହୋଇ ରହିଥିବା ହୃଦୟଟାରୁ ଠୋପା ଠୋପା ହୋଇ ଅତ୍ୟନ୍ତ ନିଷ୍ପ୍ରାଣ କ’ଣ ଟିଏ ପରି ନିଗିଡ଼ି ବାହାରି ଆସନ୍ତି । ଆଦୌ ସାନ୍ତ୍ୱନା ଦେଇ ପାରନ୍ତିନାହିଁ । ହଁ, ସେହି କାନ୍ଦିବାଟା ହେଉଛି ସତେ ଅବା କୌଣସି ଦାରିଦ୍ର୍ୟଜନିତ କାନ୍ଦିବା ଏବଂ ଯେଉଁବ୍ୟକ୍ତିର ଚକ୍ଷୁରୁ ସେପରି ଏକ ଲୁହ କେବେହେଲେ ବୋହିନାହିଁ, ହୁଏତ ଜାଣିବାକୁ ହେବ ଯେ ସିଏ ଦୁଃଖ ପ୍ରକୃତରେ କ’ଣ ବୋଲି କେବେ ଅନୁଭବ ମଧ୍ୟ କରିନାହିଁ । ନାତାଲିଆ ସେଦିନ ସେହି ଲୁହଗୁଡ଼ିକୁ ହିଁ ଅଙ୍ଗେ ନିଭାଉଥିଲେ ।

 

ଦୁଇଟି ଘଣ୍ଟା ଅତିବାହିତ ହୋଇଗଲା, ନାତାଲିଆ ଆପଣାକୁ ପ୍ରକୃତିସ୍ଥ କରି ଆଣିଲେ, ଉଠି ପଡ଼ିଲେ, ଆଖି ଦୁଇଟିକୁ ମଳି ସଚେତନ କରିନେଲେ ଏବଂ ମହମବତୀଟିଏ ଜଳାଇ ତାହାରି ନିଆଁରେ ରୁଡ଼ିନ୍‌ଙ୍କର ଚିଠିଟିକୁ ପୂରା ଜଳାଇ ଦେଇଥିଲେ । ତା’ପରେ ପାଉଁଶ ଗୁଡ଼ିକୁ ସେ ଝରକା ବାଟ ଦେଇ ବାହାରକୁ ପକାଇ ଦେଇଥିଲେ । ତା’ପରେ ଗୋଟିଏ ବହିର ପୃଷ୍ଠାଗୁଡ଼ିକୁ ଓଲଟାଇବାକୁ ଆରମ୍ଭ କଲେ । ଗୋଟିଏ କବିତା ବହିର । ଯେତେବେଳେ ଯେଉଁ ପୃଷ୍ଠାଟି ବାହରୁଥାଏ, ସିଏ ତାହାର ପ୍ରଥମ କେତେଟା ଧାଡ଼ିକୁ ପଢ଼ି ବି ଦେଉଥାଆନ୍ତି ।

 

ନାତାଲିଆ ପଢ଼ିବା ବନ୍ଦ କରି ଦେଇଥିଲେ ଏବଂ ତା’ପରେ ପ୍ରାୟ ଆବେଗହୀନ ହସଟିଏ ହସି ସେ ଦର୍ପଣ ଉପରେ ନିଜର ମୁହଁଟିକୁ ଚାହିଁ ଦେଖିଥିଲେ । ହଁ, ଖୁବ୍ ଧୀର ଭାବରେ ନିଜର ମୁଣ୍ଡଟିକୁ ହଲାଇଲେ ଏବଂ ତା’ପରେ ଉଠି ବୈଠକ କକ୍ଷଟି ଆଡ଼େ ବାହାରିଗଲେ ।

 

ତାଙ୍କୁ ଦେଖିବା ମାତ୍ରକେ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ତାଙ୍କୁ ନିଜର ଅଧ୍ୟୟନ ପ୍ରକୋଷ୍ଠକୁ ଡାକି ନେଇ ଯାଇଥିଲେ, ତାଙ୍କୁ ନିଜ ପାଖରେ ବସିବା ନିମନ୍ତେ କହିଲେ ଏବଂ ବେଶ୍ ଗେଲ କଲାପରି ତାଙ୍କର ଗାଲଟିକୁ ତୋରି ଦେଇଥିଲେ । ଏବଂ ସେହି ସମୟରେ ସେ ଖୁବ୍ ମନୋଯୋଗ ସହିତ, —ପ୍ରାୟ ଉତ୍‌କଣ୍ଠିତ ଭାବରେ ନାତାଲିଆଙ୍କର ଆଖିଗୁଡ଼ିକୁ ବି ଅନାଇ ଦେଖୁଥିଲେ । ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଗୋପନରେ ହେଲେ ମଧ୍ୟ ବେଶ୍ ଅଡ଼ୁଆରେ ପଡ଼ି ଯାଇଥିଲେ; ସର୍ବପ୍ରଥମ ଥର ପାଇଁ ହୃଦୟଙ୍ଗମ କରିବାକୁ ଲାଗିଲେ ସେ ନିଜର କନ୍ୟାଟିକୁ ସମ୍ଭବତଃ ଏବେ ମଧ୍ୟ ଠିକ୍ କରି ମୋଟେ ବୁଝିନାହାନ୍ତି । ରୁଡ଼ିନ୍‌ଙ୍କ ସହିତ ନିଜ ଝିଅର ସାକ୍ଷାତ ହୋଇଛି ବୋଲି ପାଣ୍ଡାଲେଭ୍‌ସ୍କିଙ୍କ ଠାରୁ ଶୁଣିବା ପରେ ସିଏ ପ୍ରକୃତରେ ଯେତେ ଅସନ୍ତୁଷ୍ଟ ନହୋଇଥିଲେ, ବରଂ ତା’ ଠାରୁ ଅଧିକ ପରିମାଣରେ ଏକ ବିସ୍ମୟ ହିଁ ପ୍ରକାଶ କରିଥିଲେ ଏବଂ ବୁଦ୍ଧିସଂପନ୍ନା ନାତାଲିଆ କିପରି ଯେ ସେପରି ଗୋଟିଏ ପ୍ରସଙ୍ଗ ମଧ୍ୟକୁ ନିଜର ପାଦଟି ପକାଇଲେ, ସେଥିରେ ବେଶ୍ ଆଶ୍ଚର୍ଯ୍ୟ ହିଁ ହୋଇପଡ଼ିଥିଲେ । କିନ୍ତୁ, ଯେତେବେଳେ ଝିଅକୁ ଡାକି ପଠାଇଲେ ଏବଂ ତାଙ୍କ ପ୍ରତି କିଞ୍ଚିତ୍ ଭର୍ତ୍ସନା ମଧ୍ୟ କଲେ, —ସାରା ମହାଦେଶରେ ସୁପରିଚିତ ଜଣେ ସମ୍ଭ୍ରାନ୍ତ ମହିଳାଙ୍କ ଠାରୁ ଜଣେ ଯାହା ପ୍ରତ୍ୟାଶା କରିବ, ସେଭଳି ଆଦୌ ନୁହେଁ, ବେଶ୍‌ କେତେ ବଡ଼ ପାଟି କରି ନିତାନ୍ତ ଅଶ୍ଳୀଳ ଭାବରେ ଗାଳି ଦେଇଥିଲେ, —ସେତେବେଳେ ନାତାଲିଆ କେତେ ଦୃଢ଼ତାର ସହିତ ତାଙ୍କ କଥାଗୁଡ଼ିକର ଜବାବ ମଧ୍ୟ ଦେଲେ ଏବଂ ତାଙ୍କର ଚାହାଣି ତଥା ଅଙ୍ଗଚାଳନା ଗୁଡ଼ିକରୁ ଯେଉଁ ସଂକଳ୍ପଟି ଖୁବ୍ ପ୍ରକଟ ହେଉଥିଲା, ସେଇଟି ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କୁ ପ୍ରକୃତରେ ଖୁବ୍ ଭ୍ରମ ଭିତରେ ନେଇ ପକାଇ ଦେଉଥିଲା, ଏପରିକି ତାଙ୍କ ମନରେ ବହୁତ ଆଶଙ୍କାର କାରଣ ମଧ୍ୟ ହୋଇଥିଲା ।

 

ଏବଂ ରୁଡ଼ିନ୍ ଯେ ଏପରି ହଠାତ୍ ଏବଂ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ବୋଧଗମ୍ୟ ନହେଉଥିବା ପରି ସେଠାରୁ ଚାଲିଗଲେ, ତଦ୍ଦ୍ୱାରା ଶ୍ରୀମତୀ ଦରିଆଙ୍କର ଦୃଦୟ ଭିତରୁ ପ୍ରକୃତରେ କେତେ ବଡ଼ ଗୋଟିଏ ବୋଝ୍ ଉତୁରିଗଲା ପରି ଅବଶ୍ୟ ଲାଗିଥିଲା ସିନା, ମାତ୍ର ସିଏ ତ କେତେ କ’ଣ ଅଶ୍ରୁବର୍ଷଣ ଏବଂ ଉନ୍ମତ୍ତ ନାଟ୍ୟାଭିନୟର ଆଶଙ୍କା ମଧ୍ୟ କରିଥିଲେ … । ପୁନଶ୍ଚ, ବର୍ତ୍ତମାନ ବାହାର ହାବଭାବ ମଧ୍ୟରେ ନାତାଲିଆ ଏପରି ଶାନ୍ତ ତଥା ସ୍ୱାଭାବିକ ମନେ ହେଉଥିବାର ଦେଖି ସିଏ ପ୍ରକୃତରେ ନିଜର ଅନୁମାନ ଗୁଡ଼ିକର କ୍ଷେତ୍ରରେ ବେଶ୍ ଚକିତ ହୋଇ ପଡ଼ିଲେ ।

 

“ଝିଅ,” —ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ଆରମ୍ଭ କରି ପଚାରିଲେ, “ଆଜି ତୁ କିପରି ଅଛୁ କହିଲୁ !” ଶୁଣି ନାତାଲିଆ ନିଜ ମାଆଙ୍କ ଆଡ଼କୁ ଅନାଇଲେ । “ସିଏ ତ ଗଲେଣି, —ତୁ ନିଜେ ମଧ୍ୟ ଦେଖିଲୁ …ତୋର ଯିଏ ହିରୋ ହୋଇ ରହିଥିଲେ । ତୁ ଜାଣୁ ସିଏ ଏତେ ଶୀଘ୍ର ଚାଲିଯିବା ପାଇଁ କାହିଁକି ଠିକ୍ କଲେ ?”

 

ନାତାଲିଆ ଧୀର ଗଳାରେ ଉତ୍ତର ଦେଇଥିଲେ, “ମାଆ, ମୁଁ ରାଣ ପକାଇ କହୁଛି ତୁମେ ଯଦି ମୋ’ ଆଗରେ ତାଙ୍କ କଥା ନପକାଇବ, ତେବେ ମୋ ତୁଣ୍ଡରୁ ମଧ୍ୟ ତାଙ୍କ ନାଆଁ ଥରେ ମଧ୍ୟ ଶୁଣିବାକୁ ପାଇବନାହିଁ ।”

 

“ତେବେ ତୁ ବୁଝୁଛୁ ତ ତୁ କେଡ଼େ ଅରୋଚକ ଭାବରେ ମୋ’ ସହିତ ବ୍ୟବହାର କରିଥିଲୁ !”

 

ନାତାଲିଆ ତଳକୁ ମୁହଁ କଲେ ଓ ପୁନର୍ବାର କହିଲେ,

 

“ତୁମେ ତାଙ୍କ ନାଆଁକୁ ମୋ’ଠାରୁ ଆଉ କେବେହେଲେ ଶୁଣିବନାହିଁ ।”

 

ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା କିଞ୍ଚିତ୍ ହସିଲା ପରି ହୋଇ ଉତ୍ତର ଦେଲେ, “ତେବେ ହେଲା ! ମୁଁ’ ତୋ’ କଥାରେ ନିଶ୍ଚୟ ବିଶ୍ୱାସ କରିବି । କିନ୍ତୁ ଗତ ପଅରଦିନ, ତୋ’ର ମନେ ଅଛି କିପରି—ନାଇଁ ନାଇଁ, ଆମେ ମୋଟେ ଆଉ ସେକଥା ପକାଇବା ନାହିଁ । ସେସବୁର ସମାପ୍ତି ହିଁ ଘଟିଛି, କୁଆଡ଼େ ପଛରେ ଯାଇ ରହିଲାଣି ଏବଂ ଭୁଲି ହୋଇ ଗଲାଣି, ନୁହେଁ କି ? ଆ, ତୋତେ ମୁଁ ବର୍ତ୍ତମାନ ପ୍ରକୃତରେ ବୁଝୁଛି । କିନ୍ତୁ ସେତେବେଳେ ତ ମୁଁ ମୋର ସଙ୍କଟରେ ହିଁ ପଡ଼ି ଯାଇଥିଲି । ତେଣୁ, ଗୋଟିଏ ଭଲ ବୁଦ୍ଧି ରହିଥିବା ଝିଅ ପରି ମୋତେ ଚୁମାଟିଏ ଦେ’ !”

 

ନାତାଲିଆ ନିଜ ମାଆଁଙ୍କ ହାତକୁ ନିଜ ଓଠ ପର୍ଯ୍ୟନ୍ତ ଉତ୍ତୋଳିତ କରିନେଲେ ଓ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ନିଜ କନ୍ୟାର ଝୁଙ୍କି ପଡ଼ିଥିବା ମୁଣ୍ଡଟି ଉପରେ ଏକ ଚୁମ୍ବନ ମଧ୍ୟ ଆଙ୍କି ଦେଇଥିଲେ ।

 

ତା’ପରେ କହିଲେ, “ମୋ ପରାମର୍ଶ ତୁ ସବୁବେଳେ ଶୁଣିବୁ । କଦାପି ଭୁଲିବୁନାହିଁ ଯେ ତୁ ଲାମୁନ୍‌ସ୍କି ବଂଶରେ ଜନ୍ମିଛୁ ଏବଂ ତୁ ହେଉଛୁ ମୋ’ର ଝିଅ । ଏବଂ ତୋତେ ସୁଖରେ ବି ରହିବାକୁ ହେବ । ହଉ, ବର୍ତ୍ତମାନ ଯଦି କୁଆଡ଼େ ଯିବୁ, ତେବେ ଯା’ ।”

 

ନାତାଲିଆ ଆଉ କିଛି ନକହି ସେଠାରୁ ନିଷ୍କ୍ରାନ୍ତ ହେଲେ । ସିଏ ଚାଲି ଯାଉଥିବା ସମୟରେ ମାଆ ଶ୍ରୀମତୀ ମିହାଇଲୋଭ୍‌ନା ତାଙ୍କ ଆଡ଼କୁ ଅନାଇ ରହିଥାଆନ୍ତି । ଭାବୁଥିଲେ, “ଏ ଝିଅ ଠିକ୍ ମୋ’ ଭଳି, —ତା’ ମାଆ ଭଳି । ସିଏ ମଧ୍ୟ ମୋ’ରି ପରି ନାନା ଆବେଗରେ ବଣା ହେଲାପରି କୁଆଡ଼େ ନା କୁଆଡ଼େ ଚାଲିଯିବ, କିନ୍ତୁ ନିଜ ମାଆକୁ ତଥାପି ଛାଡ଼ି ପାରିବନାହିଁ ।” ସିଏ ତା’ ପରେ ସତକୁ ସତ ଅତୀତର କେତେ କେତେ ସ୍ମରଣରେ ଆପଣାକୁ ନେଇ ମଜ୍ଜିତ କରି ଦେଇଥିଲେ, —ସେହି ବହୁ ଦୂର ଅତୀତର ସ୍ମୃତିରେ ।

 

ତା’ପରେ କୁମାରୀ ବନକୋର୍ଟ୍‍ଙ୍କୁ ଡକାଇ ପଠାଇଲେ ଏବଂ ବହୁତ ସମୟ ପର୍ଯ୍ୟନ୍ତ ସେହିଠାରେ ହିଁ କ’ଣ ସବୁ କଥାବାର୍ତ୍ତା କରୁଥିଲେ ।

 

କୁମାରୀ ବନକୋର୍ଟ୍‍ ଚାଲିଯିବା ପରେ ପାଣ୍ଡାଲେଭ୍‌ସ୍କିଙ୍କୁ ଡାକି ପଠାଇଥିଲେ । ଯେକୌଣସି ପ୍ରକାରେ ହେଉ ପଛକେ, ସେ ରୁଡ଼ିନ୍‌ଙ୍କର ସେଠାରୁ ଚାଲି ଯିବାର ପ୍ରକୃତ କାରଣ ଜାଣିବା ଲାଗି ଇଚ୍ଛା କରୁଥିଲେ ।... କିନ୍ତୁ ପାଣ୍ଡାଲେଭ୍‌ସ୍କି ହିଁ ତାଙ୍କୁ ସନ୍ତୁଷ୍ଟ କରିବାରେ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇ ପାରିଥିଲେ । ସିଏ ତ ଖାସ୍ ସେଇଟି ସକାଶେ ହିଁ ତାଙ୍କ ଘରେ ଥିଲେ ।

 

ତହିଁ ଆରଦିନ ଭୋଲିନ୍ତ୍‌ସେଭ୍‌ ଏବଂ ତାଙ୍କର ଭଗ୍ନୀ ଭୋଜନକୁ ନିମନ୍ତ୍ରିତ ହୋଇ ଆସିଥିଲେ । ଶ୍ରୀମତୀ ଦରିଆ ମିହାଇଲୋଭ୍‌ନା ସବୁବେଳେ ହିଁ ତାଙ୍କ ବିଷୟରେ ପ୍ରୀତ ଓ ପ୍ରସନ୍ନ ହୋଇ ରହୁଥିଲେ, ସର୍ବଦା ହିଁ ତାଙ୍କୁ ଖୁବ୍ ସୌଜନ୍ୟ ପ୍ରଦର୍ଶନ କରୁଥିଲେ । ନାତାଲିଆ ଏପରି ଛଟପଟ ହେଲା ପରି ଅନୁଭବ କରୁଥିଲେ ଯେ, ବେଳେ ବେଳେ ଆଉ ଆଦୌ ସହି ହେବନାହିଁ ବୋଲି ତାଙ୍କର ଅନୁଭବ ହେଉଥିଲା । ମାତ୍ର, ଭୋଲିନ୍ତସେଭ୍ ତାଙ୍କୁ ସର୍ବଦା ହିଁ ଅତ୍ୟନ୍ତ ଶ୍ରଦ୍ଧାବାନ୍ ବୋଲି ମନେ ହେଉଥିଲେ ଓ ଏତେ ସଙ୍କୋଚର ସହିତ ବ୍ୟବହାର କରୁଥିଲେ ଯେ, ଶ୍ରୀମତୀ ଦରିଆଙ୍କର ଚିତ୍ତରେ ତାଙ୍କ ଲାଗି କେବଳ କୃତଜ୍ଞତା ହିଁ ଭରି ରହିଥିଲା । ଏହିପରି ଭାବରେ ଦିନଟି ବେଶ୍‍ ନିଶ୍ଚଳ ଭାବରେ ହିଁ ବିତି ଯାଇଥିଲା; ବରଂ ନୀରସିଆ ହୋଇ କଟିଥିଲା ବୋଲି କୁହାଯିବ । ମାତ୍ର, ପରସ୍ପରଠାରୁ ବିଦା ହେବା ସମୟରେ ସମସ୍ତେ ଅନୁଭବ କରୁଥିଲେ ଯେ, ସେମାନେ ସମସ୍ତେ ନିଜ ଜୀବନର ସେହି ପୁରାତନ ସାଧାରଣ ଗୁଳାଟି ମଧ୍ୟରେ ଆସି ଅବଶ୍ୟ ପଡ଼ି ଯାଇଛନ୍ତି ଏବଂ ସେଇଟି, ସେଇଟି ହିଁ ପ୍ରକୃତରେ କେଡ଼େ ବଡ଼ କଥାଟିଏ ବୋଲି ଅବଶ୍ୟ ସ୍ଵୀକାର କରିବାକୁ ହେବ ।

 

ହଁ, ସବୁକିଛି ଆପଣାର ସେହି ପୁରାତନ ଚେହେରାଟି ଭିତରକୁ ଫେରି ଆସିଲା । କେବଳ ନାତାଲିଆଙ୍କୁ ବାଦ୍ ଦେଇ । ଶେଷରେ ଟିକିଏ ଏକାକୀ ହୋଇ ରହିବାର ଏକ ଅବସର ଲାଭ କରି ସେ ତା’ପରେ ବେଶ୍ ଆୟାସର ସହିତ ହିଁ ନିଜକୁ ନେଇ ବିଛଣା ଉପରେ ଲମ୍ବାଇ ଦେଇ ପାରିଥିଲେ ଏବଂ ନିତାନ୍ତ କ୍ଳାନ୍ତ ଏବଂ ବଳରହିତ ଭାବରେ ତକିଆ ଉପରେ ଆପଣାର ମୁହଁଟିକୁ ମାଡ଼ିଦେଇ ପଡ଼ି ରହିଲେ । ଏହି ଜୀବନଟା ପ୍ରକୃତରେ ବଡ଼ ସହାନୁଭୂତିଶୂନ୍ୟ ପ୍ରାୟ ଲାଗୁଥାଏ, —ଏଡ଼େ ଘୃଣ୍ୟ ଓ ଦୁର୍ଗନ୍ଧ ପରିପୂର୍ଣ୍ଣ ମନେ ହେଉଥାଏ, —ନିଜକୁ ନେଇ ସତେଅବା ବଡ଼ ଲଜ୍ଜିତ ହିଁ ଲାଗୁଥାଏ, —ନିଜର ଭଲ ପାଇବା ଏବଂ ନିଜର ଦୁଃଖତାକୁ ନେଇ—ଏତେ ବେଦନାଦାୟକ ଯେ, ସେ ସତେଅବା ସେହି ମୁହୂର୍ତ୍ତରେ ହିଁ; ପୃଥିବୀରୁ ବିଦାୟ ନେଇ ଚାଲିଯିବାକୁ ହିଁ ଇଚ୍ଛା କରୁଥାଆନ୍ତି । ...ସତେ ଯେପରି ଆହୁରି ଅନେକ ଅନେକ ଦୁଃଖପୂର୍ଣ୍ଣ ଦିନମାନେ ତାଙ୍କ ପାଇଁ ଅପେକ୍ଷା କରି ରହିଥିଲେ; —ହଁ, କେତେ କେତେ ବିନିଦ୍ର ରାତ୍ରି ଏବଂ ଯନ୍ତ୍ରଣାଦାୟକ ବହୁ ବହୁ ଆବେଗ ! ମାତ୍ର ଏବେ ତ ତଥାପି ବୟସ ଅଳ୍ପ—ଜୀବନଟାତ ମାତ୍ର ଆରମ୍ଭ ହିଁ ହେଉଛି ଏବଂ ଶୀଘ୍ର ଅଥବା ବିଳମ୍ବ ଯେପରି ହେଉ ପଛକେ, ଜୀବନ ତାଙ୍କଠାରୁ ତା’ ନିଜ ଆଡ଼ୁ ହିଁ କେତେ କେତେ ଦାବି କରି ଆସି ପହଞ୍ଚିଯିବ । ଏବଂ ଜଣେ ବ୍ୟକ୍ତି ଉପରେ ଯେଡେ ବଡ଼ ମାଡ଼ଟାଏ ଆସି ପଡ଼ିଥାଉ ପଛକେ, —ଏପରି ନିଷ୍ଠୁର ଶବ୍ଦ ବ୍ୟବହାର କରିବାକୁ ପଡ଼ୁଛି ବୋଲି ସମସ୍ତେ ଅବଶ୍ୟ କ୍ଷମା କରନ୍ତି, —ସିଏ ତଥାପି ଅବଶ୍ୟ ଆହାର ଗ୍ରହଣ କରିବ ଅଥବା ଆଜି ନହେଲେ ଅନ୍ତତଃ କାଲି କରିବ ଏବଂ ତାହାକୁ ସାନ୍ତ୍ଵନାଲାଭର ପ୍ରଥମ ସୋପାନ ବୋଲି ମଧ୍ୟ କହିବାକୁ ହେବ ।

 

ନାତାଲିଆ ଭୟଙ୍କର ଭାବରେ କଷ୍ଟରେ ଛଟପଟ ହେଉଥିଲେ, —ଜୀବନରେ ପ୍ରଥମ ଥର ... ମାତ୍ର ସେହି ପ୍ରଥମ ଦୁଃଖ ଏବଂ ଯନ୍ତ୍ରଣା ସହ୍ୟ କରିବା, —ହୁଏତ ଜୀବନର ପ୍ରଥମ ଭଲ ପାଇବା ପରି ପ୍ରକୃତରେ ଦ୍ଵିତୀୟ ଥର ନିମନ୍ତେ ସଚରାଚର ଆସିନଥାଏ—ଏବଂ ସେଥିପାଇଁ ପରମେଶ୍ଵରଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ ।

 

—୧୨—

 

ପ୍ରାୟ ଦୁଇବର୍ଷ ଯିବାପରେ । ମଇ ମାସର ପ୍ରଥମ କେତୋଟି ଦିନ । ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲେଭ୍‌ନା—ବର୍ତ୍ତମାନ ସିଏ ଆଭି ଲିପିନ୍ ହୋଇ ନାହାନ୍ତି, ମାତ୍ର ଲେଜଝନିଓଭ୍ ହୋଇ ଯାଇଛନ୍ତି, ନିଜ ନିବାସଗୃହର ଉପର ଛାତରେ ଆସୀନ ଥିଲେ । ଇତି ମଧ୍ୟରେ, ପ୍ରାୟ ବର୍ଷକରୁ ଅଧିକ ଦିନ ହେବ, ଶ୍ରୀଯୁକ୍ତ ମିହାଇଲୋ ମିହାଇଲଚ୍‌ଙ୍କ ସହିତ ତାଙ୍କର ବିବାହ ହୋଇଯାଇଛି । ସିଏ ସବୁଦିନ ପରି ସେହିପରି ଆକର୍ଷକ ଦେଖା ଯାଉଛନ୍ତି, ଅବଶ୍ୟ ବର୍ତ୍ତମାନ ପୂର୍ବାପେକ୍ଷା କିଞ୍ଚିତ୍‍ ହୃଷ୍ଟପୁଷ୍ଟ ଯାହା ଦେଖା ଯାଉଛନ୍ତି । ସେହି ଉପର ଛାତଟିର ସାମନାରେ, ଯେଉଁ ସ୍ଥାନଟିରୁ ବଗିଚା ଭିତରକୁ କେତେଗୁଡ଼ିଏ ପାହାଚ ଲମ୍ବ ହୋଇ ତଳକୁ ଚାଲିଯାଇଛି, ଜଣେ ପରିଚାରକ ପଦଚାଳନା କରିବାରେ ଲାଗିଛି । ତା’ କାଖରେ ସାନ ଶିଶୁଟିଏ, —ଗାଲଗୁଡ଼ିକ ଗୋଲାପ ଫୁଲ ପରି କେଡ଼େ ଛନଛନ ଦିଶୁଛି । ସିଏ ଗୋଟିଏ ଧଳା କୋଟ୍ ପିନ୍ଧିଥାଏ, ମୁଣ୍ଡରେ ଧଳା ଟୋପିଟିଏ ମଧ୍ୟ ଦେଇଥାଏ । ଆଲେକ୍‌ଜାଣ୍ଡ୍ରା ପାଭଲେଭ୍‌ନା ତା’ ଉପରେ ସତେ ହିଁ ନଜର ରଖିଥାନ୍ତି । ଶିଶୁଟି କାନ୍ଦୁ ନଥିଲା, ମାତ୍ର ବେଶ୍ କନକନ ହୋଇ ଚତୁର୍ଦ୍ଦିଗକୁ ଚାହିଁବାରେ ଲାଗିଥିଲା । ସିଏ ନିଶ୍ଚୟ ଏବେଠାରୁ ହିଁ ମିହାଇଲୋ ମିହାଇଲିଚ୍‌ଙ୍କର ଗୋଟିଏ ଯୋଗ୍ୟ ସନ୍ତାନ ବୋଲି ପ୍ରମାଣ ଦେଉଥିଲା ।

 

ସେହି ବାହାର ଛାତଟି ଉପରେ, ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କ ପାଖରେ ଆମର ସେହି ପୂର୍ବର ମିତ୍ର ପିଗାସୋଭ୍ ମଧ୍ୟ ବସିଥାନ୍ତି । ପୂର୍ବରୁ ଆମେ ତାଙ୍କୁ ଦେଖିଥିବାର ତୁଳନାରେ ବେଶ୍ ଦୃଶ୍ୟମାନ ଭାବରେ ତାଙ୍କ ମୁଣ୍ଡର ଚୁଳଗୁଡ଼ିକ ପାଚି ଆସିଥାଆନ୍ତି, ଅଣ୍ଟାମଧ୍ୟ ଟିକିଏ ନଇଁ ପଡ଼ିଥିଲା, ଦେହଟି ମଧ୍ୟ ପତଳା ହୋଇ ଯାଇଥିଲା । କଥା କହିବାବେଳେ ଟିକିଏ ଧଇଁସଇଁ ହୋଇ ଯାଉଥାନ୍ତି । ହଁ, ଗୋଟିଏ ଛାମୁଦାନ୍ତ ବି ପଡ଼ି ଯାଇଛି । ପୁନଶ୍ଚ, କଥା କହୁଥିବା ସମୟରେ, ଧଇଁସଇଁ ହେଉଥିବାରୁ ତାଙ୍କର ଶବ୍ଦଗୁଡ଼ିକ ମଧ୍ୟ ପ୍ରାୟ ଆହୁରି ଅଧିକ ଖଦଡ଼ା ମଧ୍ୟ ଶୁଣା ଯାଉଥିଲା...ଏହି କେତୋଟି ବର୍ଷରେ ତାଙ୍କର ବିଦ୍ଵେଷ ଭାବଟି ମଧ୍ୟ ମୋଟେ ଊଣାହୋଇ ଯାଇନଥିଲା, ମାତ୍ର ତାଙ୍କର ବିଦ୍ରୂପମାନେ ଆଉ ଆଗପରି ମୋଟେ ସେତେ ସଜୀବ ବୋଧ ହେଉନଥିଲେ । ପୁନଶ୍ଚ, ଏବେ କ’ଣ ପାଇଁ ସେହି ଗୋଟିଏ କଥାକୁ ବାରମ୍ବାର ବି କହୁଥିଲେ । ମିହାଇଲୋ ମିହାଇଲିଚ୍ ଘରେ ନଥାନ୍ତି, ଚାହା ପିଇବା ବେଳକୁ ଆସି ପହଞ୍ଚିଯିବେ ବୋଲି ସମସ୍ତେ ଆଶା କରୁଥାନ୍ତି, ସୂର୍ଯ୍ୟ ଅସ୍ତ ହୋଇ ଗଲେଣି, ଯେଉଁ ଥାନରେ ଟିକିଏ ଆଗରୁ ଡୁବିଗଲେ, ସେଠାରେ କିଛି ଝାପ୍‌ସା ସୁନେଲି ଏବଂ ଲେମ୍ବୁ ରଙ୍ଗ ଦୂର ଦିଗ୍‌ବଳୟଟି ଉପରେ ସମ୍ପ୍ରସାରିତ ହୋଇ ରହିଥାଏ ଏବଂ ଆକାଶମଣ୍ଡଳର ବିପରୀତ ଅଂଶରେ ତଳ ଭାଗଟିରେ କପୋତପକ୍ଷୀ ରଙ୍ଗର ପ୍ରସାରଟିଏ ଦୃଷ୍ଟିଗୋଚର ହେଉଥାଏ । ଏବଂ ଉପର ଭାଗଟି ରକ୍ତାଭ ଲାଇଲାକ୍ ରଙ୍ଗର । ମୁଣ୍ଡ ଉପରେ ହାଲୁକା ହାଲୁକା ମେଘ ସତେଅବା ପତଳାରୁ ଆହୁରି ପତଳା ହୋଇ ଅଦୃଶ୍ୟ ହୋଇ ଯାଉଥିଲେ । ଆଗକୁ ଢେର କିଛିଦିନ ପାଗ ଚମତ୍କାର ରହିବ ବୋଲି ସର୍ବବିଧ ଆଭାସ ହିଁ ମିଳି ଯାଉଥିଲା ।

 

ଶ୍ରୀଯୁକ୍ତ ପିଗାସୋଭ୍ ଅଚାନକ ଖିଁ ଖିଁ ହୋଇ ହସିବାକୁ ଆରମ୍ଭ କଲେ ।

 

“କ’ଣ ହେଲା ଆପଣଙ୍କର, ଶ୍ରୀଯୁକ୍ତ ଆଫ୍ରିକାନ୍ ସେମେନିଚ୍ ?” —ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ଜାଣିବାକୁ ଚାହୁଁଥିଲେ ।

 

“ଜାଣନ୍ତି, —କାଲି ମୁଁ ଜଣେ ଚାଷୀ, ବ୍ୟକ୍ତି ନିଜର ପତ୍ନୀକୁ—ସେହି ପତ୍ନୀ ବଡ଼ ଚବର ଚବର ହେଉଥିଲେ, ‘ଏଥର ଚବର ଚବର ବନ୍ଦ କର’ ବୋଲି କହୁଥିବାର ଶୁଣିବାକୁ ପାଇଥିଲି, ସେହି ଅବସରଟିକୁ ମୁଁ ଖୁବ୍ ଉପଭୋଗ ମଧ୍ୟ କରିଥିଲି । ଏବଂ ଆପଣ ଯାହା କହନ୍ତୁ ପଛକେ, ଜଣେ ସ୍ତ୍ରୀଲୋକ ପ୍ରକୃତରେ କେଉଁ ବିଷୟରେ ବା କ’ଣ କହିପାରିବ ? ଆପଣ ତ ଜାଣନ୍ତି, ମୁଁ କେବେହେଲେ ଏବର ମେଳଗୁଡ଼ିକ ବିଷୟରେ କିଛି କହେନାହିଁ । ଆମର ପୂର୍ବପୁରୁଷମାନେ ନିଶ୍ଚୟ ଅଧିକ ସମଝଦାର ଥିଲେ । ସେମାନଙ୍କ କାହାଣୀଗୁଡ଼ିକର ସୌନ୍ଦର୍ଯ୍ୟଟି ନିଜ ଆଖିର ଭ୍ରୂଲତା ଉପରେ ତାରକାଟିଏ ଥାପି ଦେଇ ଝରକା ପାଖରେ ଯାଇ ବସିଥାଏ ଏବଂ କେବେହେଲେ ଗୋଟିଏ ଅକ୍ଷର ବି ଉଚ୍ଚାରଣ କରେନାହିଁ । ଏବଂ ସର୍ବଦା ସେହିପରି ହିଁ ହେବା ଉଚିତ । ଆପଣ ଏ ବିଷୟରେ ଚିନ୍ତା କଲେ !—ଗତ ପଅରିଦିନ ଆମ ବଡ଼କର୍ତ୍ତାଙ୍କର ପତ୍ନୀ—ସିଏ ସମ୍ଭବତଃ ମୋ’ ମୁଣ୍ଡଟିକୁ ଲକ୍ଷ୍ୟ କରି ଗୋଟିଏ ପିସ୍ତଲରୁ ଗୁଳି ବି ଚଳାଇ ଦେଇଥାନ୍ତେ !—ହଁ, ସିଏ ମୋତେ କହୁଥିଲେ ତାଙ୍କୁ ମୋ’ର ଢଙ୍ଗଗୁଡ଼ିକ ମୋଟେ ଭଲ ଲାଗୁନାହିଁ । ହଁ, ମୋ’ ଢଙ୍ଗଗୁଡ଼ିକ : ଆପଣ କହିଲେ, ଯଦି ପ୍ରକୃତରେ କୌଣସି ହିତାକାଂକ୍ଷୀ ଅଧ୍ୟାଦେଶ ଦ୍ଵାରା ଆପଣା ଜିହ୍ଵାଟି ଦ୍ଵାରା ସିଏ ହଠାତ୍ ଆଦୌ କହିବାପାଇଁ ସମର୍ଥ ନ ହୁଅନ୍ତେ, ତେବେ ତାଙ୍କ ନିଜ ପାଇଁ ଓ ସମସ୍ତଙ୍କ ପାଇଁ ତାହା ପ୍ରକୃତରେ ଅଧିକ ଉତ୍ତମ ହୁଅନ୍ତା କି ନାହିଁ ?”

 

“ବୁଝିଲି, ସତେ ଆପଣ ସବୁ ସମୟରେ ହିଁ ଠିକ୍ ଏହିଭଳି, ଶ୍ରୀଯୁକ୍ତ ଆଫ୍ରିକାନ୍ ସେମେନିଚ୍, —ଆପଣ ସର୍ବଦା ହିଁ ଆମ ବିଚରାମାନଙ୍କୁ ଆକ୍ରମଣ କରୁଥାଆନ୍ତି… ଆପଣ କ’ଣ ବୁଝି ପାରନ୍ତିନାହିଁ ଯେ ଏଇଟି ହେଉଛି ଗୋଟିଏ ପ୍ରକାରର ଦୁର୍ଭାଗ୍ୟ, —ପ୍ରକୃତରେ ବୁଝି ପାରନ୍ତିନାହିଁ ? ମୁଁ ଆପଣଙ୍କ ଲାଗି ଖୁବ୍ ଦୁଃଖିତ ।”

 

“ଦୁର୍ଭାଗ୍ୟ, ଆପଣ କ’ଣ ପାଇଁ ସେକଥା କହୁଛନ୍ତି ? ପ୍ରଥମତଃ, ମୋ’ ମତରେ, ପୃଥିବୀରେ ବସ୍ତୁତଃ ତିନିଗୋଟି ଦୁର୍ଭାଗ୍ୟ ରହିଛି; କାଲୁଆ କୋଣସି ଘରେ ଶୀତଋତୁ ସମୟରେ ରହିବାକୁ ବାଧ୍ୟ ହେବା, ଗ୍ରୀଷ୍ମ ଋତୁରେ ଗୋଡ଼କୁ କଷ୍ଟ ହେଉଥିବା ଜୋତାଗୁଡ଼ିକୁ ପିନ୍ଧିବା ଏବଂ ଗୋଟିଏ ରାତିରେ ଏପରି ଏକ ଘରେ ରାତ୍ରି କଟାଇବା, ଯେଉଁଠାରେ କି ସାନ ପିଲାଟିଏ କେବଳ କାନ୍ଦିବାରେ ଲାଗିଥିବ, ଯାହାଠାରୁ କି ତୁମେ ଏଇଟା ବା ସେଇଟା ଉପାୟ କରି ନିଷ୍କୃତି ପାଇ ପାରିବନାହିଁ । ଏବଂ ଆଉଗୋଟିଏ କଥା ହେଲା, ବର୍ତ୍ତମାନ ମୁଁ ସବୁ ମନୁଷ୍ୟଙ୍କ ତୁଳନାରେ ବସ୍ତୁତଃ ଅଧିକ ଶାନ୍ତିପ୍ରିୟ ମଧ୍ୟ ହୋଇଯାଇଛି । ହଁ, ମୁଁ ତ ସେହି ଦୃଷ୍ଟିରୁ ପ୍ରକୃତରେ ସମସ୍ତଙ୍କ ପାଇଁ ଗୋଟିଏ ମଡେଲ ହୋଇ ମଧ୍ୟ ରହିବି । ଆପଣ ତ ଜାଣନ୍ତି, ମୁଁ କିପରି ସମୁଚିତ ଭାବରେ ଲୋକମାନଙ୍କ ସହିତ ବ୍ୟବହାର କରେ !”

 

“ହଁ, ହଁ, ଖୁବ୍ ସମୁଚିତ ଭାବରେ, —ଏକାବେଳେକେ ଚମତ୍କାର ଭାବରେ ! ହଁ, ଏଇତ କାଲି ହିଁ ଏଲେନା ଆଣ୍ଟୋନୋଭ୍‌ନା ଆପଣଙ୍କ ବିଷୟରେ ମୋ’ପାଖରେ ଅଭିଯୋଗ କରୁଥିଲେ !”

 

“ଆଚ୍ଛା, ଏବଂ ସିଏ ଆପଣଙ୍କୁ କ’ଣ କହିଥିଲେ ମୁଁ ଜାଣି ପାରେ କି ?”

 

“ମୋତେ ସେ କହିଲେ ଯେ, ଥରେ ଗୋଟା ସକାଳଓଳି ସାରା ଆପଣ ସିଏ ପଚାରୁଥିବା କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ । କେବଳ ‘କ’ଣ’, ‘କ’ଣ’ ବୋଲି କହୁଥିଲେ । ଏବଂ ସର୍ବଦା ସେହି ଗୋଟିଏ ପ୍ରକାରର ଚିଁ, ଚିଁ ଚୁଁ ଚୁଁ ଗଳାରେ ।”

 

ପିଗାସୋଭ୍ ହସିଦେଲେ ।

 

“କିନ୍ତୁ ସେଇଟି ତ ଗୋଟିଏ ବେଶ୍ ଆମୋଦଦାୟକ ଧାରଣା, ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା, —ଆପଣ ମଧ୍ୟ ଅବଶ୍ୟ ସ୍ଵୀକାର କରିବେ ।”

 

“ହଁ, ହଁ, ସମ୍ପୂର୍ଣ୍ଣ ଭାବରେ ବହୁତ ପ୍ରଶଂସା ପାଇବା ପରି । ଆଫ୍ରିକାନ୍ ସେମେନିଚ୍, ଆପଣ ସତକୁ ସତ ଏପରି ହୃଦୟହୀନ ଭାବରେ ଜଣେ ଭଦ୍ର ମହିଳାଙ୍କ ପ୍ରତି ବ୍ୟବହାର କରି ପାରିବେ କି ?

 

“କ’ଣ ହେଲା ! ଆପଣ ଏଲେନା ଆଣ୍ଟୋନୋଭ୍‌ନାଙ୍କୁ ଜଣେ ଭଦ୍ର ମହିଳା ପରି ଦେଖନ୍ତି କି ?”

 

“ତେବେ ଆପଣ ପୁଣି କ’ଣ ପରି ଦେଖନ୍ତି ?”

 

“ମୁଁ, ଗୋଟାଏ ଢୋଲବାଇଦ ପରି, ନିତାନ୍ତ ମାମୁଲି ବାଦ୍ୟଟିଏ, ଯାହାକୁ କି ଯେକୌଣସି ବ୍ୟକ୍ତି କେତୋଟି କାଠି ସାହାଯ୍ୟରେ ବଜାଇ ପାରିବ ।”

 

“ଆଚ୍ଛା !” —ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ତାଙ୍କୁ ରୋକୀ ଆଣିଲେ । ସିଏ ବରଂ ଆଉକିଛି ପ୍ରସଙ୍ଗ ପକାଇବାକୁ ଇଚ୍ଛା କରୁଥିଲେ: “କେତେ ଲୋକ କହନ୍ତି ଯେ ଆପଣଙ୍କୁ ପ୍ରକୃତରେ ଅଭିନନ୍ଦନ ହିଁ ଜଣାଇବା ଉଚିତ ।”

 

“ମୋତେ ? କ’ଣ ପାଇଁ ?”

 

“ଆପଣଙ୍କର ମୋକଦ୍ଦମାଟି ତୁଟି ଯାଇପାରିଲା ବୋଲି । ବର୍ତ୍ତମାନ ତ ସେହି ଗହୀର ଟି ଆପଣଙ୍କର ସମ୍ପତ୍ତି ।”

 

“ହଁ, ସତ କଥା, ସେଇଟା ବର୍ତ୍ତମାନ ମୋ’ର ସମ୍ପତ୍ତି !”

 

“ଆପଣ ଏତେ ବର୍ଷ ହେଲା ସେଇଥିପାଇଁ କଚେରୀରେ ଲଢ଼ି ଆସୁଥିଲେ, —ଏବଂ ତଥାପି ଲାଗୁଛି ଏବେ ମଧ୍ୟ ଆପଣ କ’ଣ ପାଇଁ ଅସନ୍ତୁଷ୍ଟ ହୋଇ ରହିଛନ୍ତି !”

 

ସେକଥା ଶୁଣିବାପରେ ପିଗାସୋଭ୍ ଧୀର ଭାବରେ ଉତ୍ତର ଦେଇଥିଲେ, “ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା, ମୁଁ ଆପଣଙ୍କୁ ପୂରା ନିଶ୍ଚିତ ଭାବରେ କହୁଛି, ଯଦି କୌଣସି ଏକ ସୌଭାଗ୍ୟ ବିଳମ୍ବ କରି ଆପଣଙ୍କ ପାଖକୁ ଆସିବ, ତେବେ ତା’ଠାରୁ ବଳି ଆଉ ଅଧିକ ଅଶୁଭ ଓ କ୍ଷତିକାରକ ପ୍ରକୃତରେ ଆଉ କ’ଣ ଅଛି କହିଲେ ! ଯେତେ ଯାହାହେଉ ପଛକେ, ଆପଣ ତଦ୍ଦ୍ଵାରା କଦାପି ଆଉ ଆନନ୍ଦ ଅନୁଭବ କରି ପାରିବେ ନାହିଁ ଏବଂ ସେହି କ୍ଷେତ୍ରରେ, କ’ଣ ପାଇଁ ଏତେ ଡେରି ହେଲା ବୋଲି ଭଗବାନଙ୍କଠାରେ ଅଭିଯୋଗ କରିବାର ଏବଂ ଭର୍ତ୍ସନା କରିବାର ସେହି ବହୁମୂଲ୍ୟ ଅଧିକାରଟିରୁ ମଧ୍ୟ ଆପଣ ବଞ୍ଚିତ ହୋଇ ରହିବେ । ପୂରା ସତକଥା ମହାଶୟା, —ଏହି ବିଳମ୍ବରେ ଆସିଥିବା ସୌଭାଗ୍ୟଟି ପ୍ରକୃତରେ ଏକ ନିତାନ୍ତ ନିର୍ଦ୍ଦୟତାପୂର୍ଣ୍ଣ କୌଶଳ, ଗୋଟିଏ ଅପମାନ !”

 

ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା କେବଳ ନିଜ କାନ୍ଧ ଦୁଇଟିକୁ କୁଞ୍ଚିତ କରି ଦେଇଥିଲେ !

 

ପରିଚାରକକୁ ଡାକି କହିଲେ, “ଆରେ, ଛୁଆକୁ ଶୁଆଇବାର ବେଳ ହୋଇଯିବଣି । ତାକୁ ମୋ’ ପାଖରେ ଦେଇଯାଅ ।”

 

ଏହାପରେ ଶ୍ରୀମତୀ ପାଭଲୋଭ୍‌ନା ନିଜ ଛୁଆଟିକୁ ନେଇ ବ୍ୟସ୍ତ ରହିଲେ । ସେହି ବାହାର ଛାତରେ ଆଉ ଜଣେ ଆସି ପହଞ୍ଚିବାର ଦେଖି ତାଙ୍କ ଉଦ୍ଦେଶ୍ୟରେ କ’ଣ ସବୁ କ୍ଷୀଣ ଆବାଜରେ କହି ସେଠାରୁ ଉଠି ଚାଲି ବି ଯାଇଥିଲେ ।

 

ଉଦ୍ୟାନଟିକୁ ଲମ୍ବ ପଟେ ସମାନ୍ତର କରି ଚାଲି ଯାଇଥିବା ରାସ୍ତାରେ ହଠାତ୍ ଅନତିଦୂରରେ ଶ୍ରୀ ମିହାଇଲୋ ମିହାଇଲିଚ୍‍ ତାଙ୍କର ଦ୍ରୂତଗାମୀ ଘୋଡ଼ାଗାଡ଼ିଟିରେ ଆସୁଥିବାର ଦୃଷ୍ଟିଗୋଚର ହୋଇଥିଲା । ଦୁଇଟା ବୃହଦାକାର ପୋଷା କୁକୁର ଘୋଡ଼ାଟାର ଆଗେ ଆଗେ ଦଉଡ଼ିବାରେ ଲାଗିଥାଆନ୍ତି । ଗୋଟିଏ ହଳଦିଆ ଏବଂ ଆଉ ଗୋଟିଏ ଧୂସର ରଙ୍ଗର । ଉଭୟେ ଏହି ଖୁବ୍ ଅଳ୍ପଦିନ ହେଲା ଆସିଥାନ୍ତି । ସେମାନଙ୍କର ସର୍ବଦା ହିଁ ଝଗଡ଼ା ଲାଗେ ଏବଂ ତଥାପି କେହି କାହାରି ସଙ୍ଗଟିକୁ ମୋଟେ ଛାଡ଼ି ପାରୁନାହାନ୍ତି । ଆଉଗୋଟିଏ ବେଶି ବୟସର ଚେପ୍‌ଟାମୁହାଁ ବାଙ୍ଗରିଆ କୁକୁର ସେମାନଙ୍କୁ ଭେଟିବ ବୋଲି ଫାଟକ ଦେଇ ବାହାରକୁ ବାହାରି ଗଲା । ସତେ ଅବା ଭୁକିବ ବୋଲି ପାଟିକୁ ଆଁ କଲା କିନ୍ତୁ କେଡ଼େ ବଡ଼ ହାଇଟାଏ ମାରି ବୁଲି ପଡ଼ିଥିଲା ଓ ଏକ ବନ୍ଧୁଭାବ ପ୍ରଦର୍ଶନ କରୁଥିବା ପରି ଲାଙ୍ଗୁଳଟିକୁ ହଲାଉଥିଲା ।

 

“ଆସ ଦେଖିବ ସାଶା”, —କିଞ୍ଚିତ୍‍ ଦୂରରୁ ଲେଜ୍‌ଝନିଓଭ୍‌ ବଡ଼ ପାଟିରେ ନିଜ ପତ୍ନୀଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, “ଦେଖ, ମୁଁ କାହାକୁ ତୁମଲାଗି ଘରକୁ ଡାକି ଆଣିଛି !”

 

ନିଜ ସ୍ଵାମୀଙ୍କ ପିଠି ପଟକୁ ବସିଥିବା ବ୍ୟକ୍ତିଙ୍କୁ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଦୂରରୁ ଦେଖି ହଠାତ୍ ଚିହ୍ନି ପାରିନଥିଲେ ।

 

“ଆରେ, ଶ୍ରୀ ବାସିସ୍ଟୋଫ୍ ଆଜି ଆସିଛି !” —ଶେଷରେ ସେ ଉଲ୍ଲସିତ ହୋଇ କହି ଉଠିଲେ ।

 

ଲେଜ୍‌ଝନିଓଭ୍‌ ଉତ୍ତର ଦେଇଥିଲେ, “ହଁ, ଠିକ୍ ଚିହ୍ନିଲ; ଏବଂ ସିଏ ତ କେତେ ବଢ଼ିଆ ଖବରଟିଏ ମଧ୍ୟ ନେଇ ଆସିଛନ୍ତି । କିନ୍ତୁ ଟିକିଏ ଅପେକ୍ଷା କର, ତାଙ୍କ ମୁହଁରୁ ସିଧା ଜାଣିବାକୁ ପାଇବ ।”

 

ଗାଡ଼ିଟି ଦୁଆର ଭିତରକୁ ଆସି ଯାଇଥିଲା ।

 

ଅଳ୍ପ କେତେ କ୍ଷଣ ପରେ ବାସିସ୍ଟୋଫ୍‌ଙ୍କୁ ସାଙ୍ଗରେ ନେଇ ସେ ବାହାର ଛାତକୁ ଆସି ଯାଇଥିଲେ । ପତ୍ନୀଙ୍କୁ ଆଲିଙ୍ଗନ କରୁକରୁ ଖୁବ୍ ବଡ଼ପାଟିରେ କହିଲେ, “ସୁସମ୍ବାଦ, ସେଭେଝା ବିବାହ ହେବାକୁ ଯାଉଛନ୍ତି ।”

 

ବେଶ୍ ଉତ୍ତେଜିତ ହୋଇ ଯାଉଥିବା ପରି ଆଲେକଜାଣ୍ଡ୍ରା ପାଭଲୋଭ୍‌ନା ପଚାରିଥିଲେ, “କାହା ସହିତ ?”

 

ନାତାଲିଆ ସହିତ, ଆଉ କାହା ସହିତ ହୋଇଥାନ୍ତା ? ଆମ ବନ୍ଧୁ ମସ୍କୋରୁ ସେହି ସମ୍ବାଦଟିକୁ ନେଇ ଆସିଛନ୍ତି, ଏବଂ ତୁମ ପାଇଁ ଗୋଟିଏ ଚିଠି ମଧ୍ୟ ଅଛି ।”

 

“ଇରେ ଛୁଆ, କିଛି ଜାଣିଲୁ”, —ସେ ତା’ପରେ କହିଲେ ଓ ନିଜର ଛୁଆପୁଅକୁ କାଖକୁ ନେଇ ଯାଇଥିଲେ, “ତୋ’ ମାମୁଁ ବିବାହ କରିବାକୁ ଯାଉଛନ୍ତି ବୋଲି ତୁ ଶୁଣି ପାରିଲୁ ? ଦେଖିଲ, ସିଏ ତଥାପି କେଡ଼େ ଉଦାସୀନ ହୋଇ ରହିଛି, —ପୂରା ଦାଗୀଟାଏ, —କେବଳ ଆଖି ମିଟିମିଟି କରୁଛି !”

 

“ତାକୁ ନିଦ ମାଡ଼ି ଆସିଲାଣି ।” —ପରିଚାରକ କହିଲା ।

 

ବାସିସ୍ଟୋଫ୍ କହିଥିଲେ, —ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କର ନିକଟକୁ ଯାଇ, “ହଁ, ମୁଁ ଆଜି ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କର ଗୋଟିଏ କାମରେ ମସ୍କୋରୁ ଆସି ପହଞ୍ଚିଲି, —ଏଠା ସମ୍ପତ୍ତିମାହାଲଟିର ହିସାବ ଇତ୍ୟାଦି ଦେଖିବା ଲାଗି । ହଁ, ଏଇଟି ଆପଣଙ୍କର ଚିଠି ।”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ତତ୍‌କ୍ଷଣାତ୍ ନିଜ ଭାଇ ଦେଇଥିବା ଚିଠିଟିକୁ ଖୋଲିଥିଲେ । ମାତ୍ର ଅଳ୍ପ କେତୋଟି ଧାଡ଼ିର ଚିଠି । ଆନନ୍ଦଦାୟକ ଏହି ସମ୍ବାଦଟିକୁ ଦେବା ସକାଶେ ସେ ପ୍ରଥମେ ଭଉଣୀଙ୍କ ପାଖକୁ ଲେଖିଥିଲେ ଯେ, ସିଏ ନିଜଆଡ଼ୁ ନାତାଲିଆଙ୍କୁ ଏକ ପ୍ରସ୍ତାବ ଦେଲେ । ଏବଂ ତାଙ୍କର ସମ୍ମତି ଲାଭ କରିଥିଲେ । ହଁ, ଶ୍ରୀମତୀ ଦରିଆ ମିହାଇଲୋଭ୍‍ନା ମଧ୍ୟ ସମ୍ମତି ଦେଲେ । ସିଏ ପରବର୍ତ୍ତୀ ଡାକରେ ବାକି ସବୁକିଛି ଲେଖିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସମସ୍ତଙ୍କ ନିମନ୍ତେ ଆଲିଙ୍ଗନ ତଥା ଚୁମ୍ବନ ମଧ୍ୟ ପ୍ରେରଣ କରିଥିଲେ । ଖୁବ୍ ସ୍ପଷ୍ଟ ଭାବରେ ଜାଣି ହେଉଥିଲା ଯେ ସେ ନିଜର ଏକ ଉତ୍ତେଜିତ ଅବସ୍ଥାରେ ହିଁ ଚିଠିଟିକୁ ଲେଖି ପଠାଇଥିଲେ ।

 

ଚାହା ଆସିଲା । ବାସିସ୍ଟୋଫ୍ ଆସନ ଗ୍ରହଣ କରିଥିଲେ । ତାଙ୍କ ଉପରେ ପ୍ରଶ୍ନ ପରେ ପ୍ରଶ୍ନମାନ ଆସି ଅଜାଡ଼ି ହୋଇ ପଡ଼ୁଥାଆନ୍ତି । ସିଏ ବହନ କରି ଆଣିଥିବା ସମ୍ବାଦଟିରେ ସମସ୍ତେ ହିଁ ଆନନ୍ଦିତ ହୋଇଗଲେ, —ଏପରିକି ପିଗାସୋଭ୍ ମଧ୍ୟ ।

ଅନ୍ୟ ସମସ୍ତଙ୍କ ଭିତରେ ଶ୍ରୀଯୁକ୍ତ ଲେଜ୍‌ଝନିଓଭ୍‌ ମଧ୍ୟ କହିଥିଲେ, “ମୋତେ ଅନୁଗ୍ରହ କରି କହିଲେ, “ଆମେ ତ କର୍ଟାଜିନ୍ ବୋଲି ଆଉଜଣେ ବ୍ୟକ୍ତିଙ୍କ ବିଷୟରେ ଏକ ଜନରବ ଶୁଣୁଥିଲୁ-। ମୋ’ର ମନେ ହେଉଛି, ସେଇଟିର କୌଣସି ଆଧାର ନଥିଲା ।”

କର୍ଟାଜିନ୍‍ ଜଣେ ଖୁବ୍ ସୁନ୍ଦର ଚେହେରାର ଯୁବକ ଥିଲେ, ସମ୍ଭ୍ରାନ୍ତ ସମାଜରେ ସିଂହତୁଲ୍ୟ ସମ୍ମାନ ପାଉଥିଲେ । ସମଧିକ ପରିମାଣରେ କେତେ ଦମ୍ଭ ତଥା ମହତ୍ତ୍ଵ ରହିଥିବା ଜଣେ ବ୍ୟକ୍ତି । ଆଚରଣରେ ସାଧାରଣ ପ୍ରତିଷ୍ଠା ଏବଂ ମାନମର୍ଯ୍ୟାଦାର ପରିଚୟ ଦେଇ ପାରୁଥିଲେ; —ସତେ ଯେପରି ବାସ୍ତବ କ୍ଷେତ୍ରରେ ସିଏ ପ୍ରକୃତ ମଣିଷ ଭଳି କେଉଁଠାରେ ନଥିଲେ, କିନ୍ତୁ ସାଧାରଣଙ୍କର ଅର୍ଥବ୍ୟୟ ଦ୍ଵାରା ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ପ୍ରତିଷ୍ଠିତ ହୋଇ ସାରିଥିଲା ।

“ନାଇଁ, ନାଇଁ, ଜନବରଟି ଆଦୌ ନିରାଧାର ନୁହେଁ,” —ଈଷତ୍ ହସି ବାସିସ୍ଟୋଫ୍ ଉତ୍ତର ଦେଇ କହିଥିଲେ, “ଦରିଆ ମିହାଇଲୋଭ୍‌ନା ମଧ୍ୟ ନିଜେ ସେହି ପ୍ରସ୍ତାବଟିର ବେଶ୍ ସମକ୍ଷରେ ଥିଲେ । ମାତ୍ର ନାତାଲିଆ ଆଲେକ୍‌ସିୟେଭ୍‌ନା ସେହି ପ୍ରସ୍ତାବଟିରେ କାନବି ଦେଲେନାହିଁ-।”

“ମୁଁ ତାଙ୍କୁ ଜାଣେ” —ପିଗାସୋଭ୍ ପ୍ରକାଶ କଲେ, “ସିଏ ହେଉଚି ପୂର୍ଣ୍ଣମାତ୍ରାରେ ନକଲି, ଦୁଇଜଣ ଜଣେ ଅପଦାର୍ଥ ବୋଲି ମଧ୍ୟ କୁହାଯିବ । ଯଦି ସବୁ ମନୁଷ୍ୟ ତାଙ୍କ ପରି ହୋଇ ଥାଆନ୍ତେ, ତେବେ ସେହି ପଲଟା ମଧ୍ୟରୁ ଏପରିକି ଜଣକୁ ମଧ୍ୟ ସତକୁ ସତ ଜୀବନଟିଏ ବଞ୍ଚିବା ନିମନ୍ତେ ରାଜି କରାଇବାକୁ ଅପର୍ଯ୍ୟାପ୍ତ ପରିମାଣର ଅର୍ଥର ପ୍ରୟୋଜନ ହେଉଥାନ୍ତା, —ଏକଥା ମୁଁ ବାଜି ରଖାଇ କହିପାରିବି ।”

ଶୁଣି, ବାସିସ୍ଟୋଫ୍ ମଧ୍ୟ କହିଥିଲେ, ଖୁବ୍ ସମ୍ଭବ ସେହିପରି । କିନ୍ତୁ ସମ୍ଭ୍ରାନ୍ତ ସମାଜରେ ତାଙ୍କର ଖୁବ୍ ପ୍ରାୟ ଆଗଧାଡ଼ିର ଏକ ଭୂମିକା ମଧ୍ୟ ରହିଛି ।”

“କିନ୍ତୁ ଏଠାରେ ତାଙ୍କ କଥା ଏତେ କାହିଁକି ପଡ଼ିବ ?”—ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ବେଶ୍ ବଡ଼ ପାଟି କରି କହିଲେ, “ସିଏ ତାଙ୍କ ଜାଗାରେ ଶାନ୍ତିରେ ରହନ୍ତୁ ! ମୋ’ ଭାଇ ବିଷୟରେ ଏହି ସମ୍ବାଦକୁ ଶୁଣି ମୋତେ ପ୍ରକୃତରେ କେଡ଼େ ଖୁସି ନଲାଗୁଛି ! ଏବଂ ନାତାଲିଆ, ସିଏ ବି ଖୁସି ଓ ପ୍ରଫୁଲ୍ଲ ଅଛି ତ ?”

“ହଁ, ସିଏ ବେଶ୍ ସ୍ଥିର ଅଛନ୍ତି । ସିଏ ତ ସବୁବେଳେ ହିଁ ସେହିପରି, ଆପଣ ତ ତାଙ୍କୁ ଜାଣିଛନ୍ତି, —ତଥାପି ବାହାରକୁ ମନ ମାନିଥିବା ପରି ଲାଗୁଛନ୍ତି ।”

ଏହିପରି ବହୁ ବନ୍ଧୁତାପୂର୍ଣ୍ଣ ଓ ପ୍ରସନ୍ନତା ଯୁକ୍ତ କଥାବାର୍ତ୍ତାରେ ସେହି ସଞ୍ଜବେଳଟା ଅତିବାହିତ ହୋଇ ଯାଇଥିଲା । ଶେଷକୁ ସମସ୍ତେ ଯାଇ ଭୋଜନରେ ବସିଲେ ।

“ହଁ, ହଁ, ଗୋଟାଏ କଥା ମନେ ପଡ଼ିଗଲା,” —ଲେଜ୍‌ଝନିଓଭ ବାସିସ୍ଟୋଫ୍‌ଙ୍କୁ ପଚାରିଥିଲେ, —ସେତେବେଳେ ସିଏ ତାଙ୍କ ପାତ୍ରରେ କିଛି ତରଳ ଭୋଜ୍ୟ ଦ୍ରବ୍ୟ ନେଇ ଢାଳି ଦେଉଥିଲେ, “ବାବୁ ତୁମେ ଜାଣିଛ ବର୍ତ୍ତମାନ ରୁଡ଼ିନ୍ କେଉଁଠାରେ ଅଛନ୍ତି ?”

“ମୁଁ ନିଶ୍ଚିତ କରି ବର୍ତ୍ତମାନ କିଛି ଜାଣିନାହିଁ । ସିଏ ଗତ ଶୀତଋତୁରେ ମସ୍କୋ ଆସିଥିଲେ, କିନ୍ତୁ ଖୁବ୍ ଅଳପଦିନ ପାଇଁ । ଏବଂ ତା’ପରେ ଏକ ପରିବାର ସହିତ ସିମ୍‌ବିରସ୍କ ଚାଲିଗଲେ । ବେଶ୍ କେତେଦିନ ହେବ ଚିଠି ଦ୍ଵାରା ତାଙ୍କ ସହିତ ମୋ’ର ଏକ ସମ୍ପର୍କ ମଧ୍ୟ ରହିଛି । ତାଙ୍କର ଏଇ ଶେଷ ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ସେ ସେଠାରୁ ମଧ୍ୟ ଅନ୍ୟତ୍ର ଚାଲି ଯାଉଛନ୍ତି; ଅବଶ୍ୟ କେଉଁଠାକୁ ଯାଉଛନ୍ତି, ସେ ବିଷୟରେ କିଛି ଲେଖିନଥିଲେ, —ଏବଂ ତା’ପରେ ମୁଁ ତାଙ୍କର କୌଣସି ସମ୍ବାଦ ପାଇ ପାରିନାହିଁ ।”

ପିଗାସୋଭ୍ କହିଥିଲେ, “ସିଏ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ସିଏ କୌଣସି ସ୍ଥାନରେ ଅବଶ୍ୟ ଅଛନ୍ତି, ଏବଂ ଉପଦେଶମାନ ପ୍ରଚାର କରୁଛନ୍ତି । ଭଦ୍ରଲୋକଙ୍କୁ ଅବଶ୍ୟ ସର୍ବଦାହିଁ ଜଣେ ଦୁଇଜଣ ସମର୍ଥକ ସର୍ବତ୍ର ମିଳିଯିବେ, ଯେଉଁମାନେ କି ତାଙ୍କର କଥାମାନଙ୍କୁ ଗଦ୍‌ଗଦ୍ ହୋଇ ଶୁଣୁଥିବେ ଏବଂ ତାଙ୍କୁ ପଇସା ଉଧାର ଦେଉଥିବେ । ଆପଣମାନେ ଦେଖିବେ, ସିଏ ପରିଶେଷରେ ହୁଏତ କୌଣସି ସୁଦୂର ଅଜ୍ଞାତ ସ୍ଥାନରେ ହିଁ ମୃତ୍ୟୁ ବରଣ କରିବେ, ହଁ ସମ୍ଭବତଃ ଜଣେ ବୃଦ୍ଧା ନାରୀର ବାହୁ ମଧ୍ୟରେ ରହିଥିବେ, ଯିଏ ଖୁବ୍ ବିଶ୍ଵାସ କରୁଥିବେ ଯେ, ତାଙ୍କ ଭଳି ଏଡ଼େ ପ୍ରତିଭାବନ ବ୍ୟକ୍ତି ପୃଥିବୀରେ କୌଣସିଠାରେ ମଧ୍ୟ ନାହାଁନ୍ତି ।”

କଥାଟିକୁ ଶୁଣି ଶ୍ରୀ ବାସିସ୍ଟୋଫ୍ ଆପତ୍ତି କଲାପରି କହିଲେ, “ଆପଣ ବଡ଼ କର୍କଶ ହୋଇ ତାଙ୍କ ବିଷୟରେ କହୁଛନ୍ତି ।” ସିଏ ମନେ ମନେ ଖୁବ୍ ଅପ୍ରସନ୍ନ ହୋଇ ଯାଇଥିଲେ ।

“ମୁଁ କର୍କଶ ହୋଇ କିଛି ବି କହୁନାହିଁ,” —ପିଗାସୋଭ୍ ଉତ୍ତର ଦେଲେ, “ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ କଥାଟି ହିଁ କହୁଛି । ମୋ’ ମତରେ ସିଏ ଗୋଟିଏ ଏପରି ଲୋକ, ଯିଏକି ନିକିଟି ନିକିଟି ଜୀରାରୁ ଶିରା କାଢ଼ି ଅନର୍ଗଳ ଭାବରେ କଥା କହି ଜାଣନ୍ତି । ମୁଁ କହିବାକୁ ଭୁଲି ଯାଇଛି ଯେ, ବର୍ତ୍ତମାନ ସେ ଲେଜ୍‌ଝନିଓଭ୍‌ଙ୍କ ଆଡ଼କୁ ବୁଲି ପଡ଼ି କହୁଥିଲେ, “ମୁଁ ସେହି ତେର୍ଲାହୋଭ ନାମକ ଜଣେ ବ୍ୟକ୍ତି ସହିତ ପରିଚିତ ହୋଇଛି, ଯାହାଙ୍କ ସହିତ ରୁଡ଼ିନ୍ ବିଦେଶ ଭ୍ରମଣକୁ ଯାଇଥିଲେ । ହଁ, ହଁ, ସେହି ବ୍ୟକ୍ତି ମୋତେ ରୁଡ଼ିନ୍‌ଙ୍କ ବିଷୟରେ କ’ଣ କହିଲେ ଜାଣନ୍ତି—ଆପଣମାନେ କଳ୍ପନା କରି ପାରିବେ ନାହିଁ, —ଶୁଣିଲେ ନିଶ୍ଚୟ ଠୋ’ ଠୋ’ ହୋଇ ହସି ଉଠିବେ; —ରୁଡ଼ିନ୍‌ଙ୍କ ବିଷୟରେ ଗୋଟିଏ ଉଲ୍ଲେଖଯୋଗ୍ୟ କଥା ହେଉଚି ଯେ, ତାଙ୍କର ସବୁଯାକ ବନ୍ଧୁ ଓ ପ୍ରଶଂସକମାନେ ଶେଷରେ ତାଙ୍କର ଜଣେ ଜଣେ ଶତ୍ରୁରେ ହିଁ ପରିଣତ ହୋଇଯାଆନ୍ତି ।”

“ମୋ’ର ଅତ୍ୟନ୍ତ ବିନୀତ ଅନୁରୋଧ ଯେ ଆପଣ ମୋତେ ସେହି ବନ୍ଧୁମାନଙ୍କ ମଧ୍ୟରେ ଜଣେ ବୋଲି ଗଣନା କରିବେନାହିଁ ।” —ଶ୍ରୀଯୁକ୍ତ ବାସିସ୍ଟୋଫ୍‍ କୋମଳ ଭାବରେ କହିଦେଲେ ।

“ହଁ, ଆପଣଟି, —ସେଇଟି ଗୋଟିଏ ଭିନ୍ନ କଥା ! ମୁଁ ଆପଣଙ୍କ ବିଷୟରେ କହୁନଥିଲି-।”

“କିନ୍ତୁ, ଶ୍ରୀଯୁକ୍ତ ତେର୍ଲାହୋଭ୍‍ ଆପଣଙ୍କୁ କ’ଣ କହିଲେ ?” —ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ପ୍ରଶ୍ନ କଲେ ।

“ହଁ, ସେ ମୋତେ ଗୁଡ଼ିଏ କଥା କହିଲେ । ସବୁକଥା ମୋ’ର ମନେ ବି ନାହିଁ । କିନ୍ତୁ, ସବୁଟି ଭିତରେ ସବୁଠାରୁ ଉତ୍ତମ କଥାଟି ହେଉଛି ଯେ, ରୁଡ଼ିନ୍‌ଙ୍କ ସମ୍ପର୍କରେ ଘଟିଥିବା ଏକ ଘଟଣାର ଏକ ଖାସ୍ କାହାଣୀଟିଏ ମଧ୍ୟ ରହିଛି । ରୁଡ଼ିନ୍ ତ ଅବିଚ୍ଛିନ୍ନ ଭାବରେ ବୃଦ୍ଧିଲାଭ କରିବାରେ ଲାଗିଥିଲା । ହଁ, ଏହି ମାର୍କାର ଭଦ୍ରବ୍ୟକ୍ତିମାନେ ପ୍ରକୃତରେ ସତତ ବୃଦ୍ଧିଲାଭ କରିଥାଆନ୍ତି । ଅନ୍ୟ ଲୋକେ ତ ତୁଚ୍ଛା ଶୁଅନ୍ତି ଏବଂ ଭୋଜନ କରନ୍ତି । ମାତ୍ର ସେମାନେ ତ ସେହି ବୃଦ୍ଧିଲାଭର କେବଳ ମଧ୍ୟାନ୍ତର ମାନଙ୍କରେ ହିଁ ଯେକୌଣସି ପ୍ରକାରେ ମୁହୂର୍ତ୍ତେ ଶୋଇପଡ଼ନ୍ତି ତଥା ଭୋଜନ କରନ୍ତି ! ସାର ନୁହେଁ କି ଶ୍ରୀଯୁକ୍ତ ବାସିସ୍ଟୋଫ୍‍ ? (ବାସିସ୍ଟୋଫ୍ କୌଣସି ଉତ୍ତର ଦେଇନଥିଲେ ।) ଏବଂ ତେଣୁ, ରୁଡ଼ିନ୍ ସେହିପରି ସତତ ବିକଶିତ ହେବାରେ ଲାଗିଥିବା ସମୟରେ ଏକଦା ଏହି ସିଦ୍ଧାନ୍ତରେ ଯାଇ ଉପନୀତ ହୋଇଥିଲେ ଯେ ସିଏ ଅଧ୍ୟୟନ କରିଥିବା ଦର୍ଶନଟି ସାହାଯ୍ୟରେ, —ତାଙ୍କ ଲାଗି କାହାକୁ ଭଲ ପାଇବା ମଧ୍ୟ ଅବଶ୍ୟ ଉଚିତ ହେବ । ତେଣୁ, ତା’ପରେ ଏପରି ଜଣେ ପ୍ରେମିକାର ସନ୍ଧାନ କରିବାକୁ ଲାଗିଲେ ଯିଏକି ଏହି ବିସ୍ମୟକାରୀ ନିଷ୍ପତ୍ତିଟିର ଯୋଗ୍ୟ ମଧ୍ୟ ହୋଇଥିବ । ହଁ, ଭାଗ୍ୟ ମଧ୍ୟ ତାଙ୍କର ଅନୁକୂଳ ହୋଇଥିଲା । ସିଏ ଜଣେ ଅତ୍ୟନ୍ତ ସୁନ୍ଦର ଫରାସୀ ବସ୍ତ୍ର ପ୍ରସ୍ତୁତକାରୀଙ୍କର ପରିଚୟରେ ଆସିଥିଲେ । ହଁ, ରାଇନ୍ ନଦୀ କୂଳରେ ଅବସ୍ଥିତ ଗୋଟିଏ ଜର୍ମାନ ସହରରେ ସେହି ଘଟଣାଟି ଘଟିଲା । ଏଥର ମନୋଯୋଗ ସହକାରେ ଶୁଣିବା ଉଚିତ; ରୁଡ଼ିନ୍ ସେହି ମହିଳାଙ୍କ ପାଖକୁ ଯିବା ଓ ତାଙ୍କୁ ସାକ୍ଷାତ୍ କରିବା ଆରମ୍ଭ କଲେ, —ତାଙ୍କ ପାଖକୁ ନାନା ପ୍ରକାରର ପୁସ୍ତକ ମଧ୍ୟ ନେଇ ଯାଉଥିଲେ । ତାଙ୍କ ସହିତ ପ୍ରକୃତି ଓ ଦାର୍ଶନିକ ହେଗେଲ୍‌ଙ୍କ ବିଷୟରେ କଥା ହେଉଥିଲେ । ଏହା ଫଳରେ ସେହି ବସ୍ତ୍ର ପ୍ରସ୍ତିତକାରିଣୀଙ୍କର ଯେଉଁ ଅବସ୍ଥା ହେଲା ଆପଣମାନେ କଳ୍ପନା କରି ପାରୁଛନ୍ତି ? ସିଏ ରୁଡ଼ିନ୍‌ଙ୍କୁ ଭ୍ରମରେ ଜଣେ ଏ ଜ୍ୟୋତିଷଶାସ୍ତ୍ରବିତ୍ ବୋଲି ମନେ କରିଥିଲେ । ଆପଣମାନେ ତ ଜାଣନ୍ତି ଯେ ରୁଡ଼ିନ୍ ନିଜ ଚେହେରାରେ ମଧ୍ୟ ଦେଖିବାକୁ ଆଦୌ ସେତେ ବେଶି ମନ୍ଦ ବି ନୁହଁନ୍ତି—ଅବଶ୍ୟ ଜଣେ ବିଦେଶୀ ରୁଷିଆର ଅଧିବାସୀ । ସିଏ ସେହି ମହିଳାଙ୍କୁ ବେଶ୍ ପସନ୍ଦ ମଧ୍ୟ କରିବାକୁ ଲାଗିଲେ । ଏବଂ ଆଖର ତାଙ୍କୁ ସ୍ଥିରୀକୃତ ଜାଗାମାନଙ୍କୁ ନିମନ୍ତ୍ରଣ କରିବା ଆରମ୍ଭ କରି ଦେଇଥିଲେ । ବେଶ୍‍ କବିମାନଙ୍କର ମନକୁ ପାଇବା ଭଳି ସ୍ଥାନମାନଙ୍କୁ ଡାକି ନେଲେ; ତାଙ୍କ ସହିତ ନୌକାବିହାର କରି ଯିବାକୁ ଭାବିଲେ । ଫରାସୀ ମହିଳା ମଧ୍ୟ ସମ୍ମତ ମଧ୍ୟ ହେଲେ, ସିଏ ଆପଣାର ସବୁଠାରୁ ସୁନ୍ଦର ପରିଧାନରେ ନିଜକୁ ସୁସଜ୍ଜିତ କରିଥିଲେ ଏବଂ ଗୋଟିଏ ନୌକାରେ ରୁଡ଼ିନ୍‌ଙ୍କ ସହିତ ଏକତ୍ର ବସିଲେ । ଏହିପରି ଭାବରେ ସେମାନେ ଦୁଇଟି ଘଣ୍ଟା ଅତିବାହିତ କରିଥିଲେ । ସେତେବେଳେ ଶ୍ରୀଯୁକ୍ତ ରୁଡ଼ିନ୍ କ’ଣ ସବୁ କରୁଥିଲେ ବୋଲି ଆପଣମାନେ ଭାବୁଛନ୍ତି ? ନିଜ ହାତପାପୁଲିରେ ସେ ସେହି ଫରାସୀ ନାରୀଙ୍କର ମସ୍ତକକୁ ଥାପଡ଼େଇବାରେ ଲାଗିଥିଲେ, —ଖୁବ୍ ଭାବନାଗମ୍ଭୀର ଭାବରେ ଆକାଶ ଆଡ଼େ ଚାହିଁ ଦେଖୁଥିଲେ ଏବଂ ବାର ବାର ସେହି ଗୋଟିଏ କଥାକୁ କହିବାରେ ଲାଗିଥିଲେ ଯେ, ସେ ସେହି ମହିଳାଙ୍କ ବିଷୟରେ ଜଣେ ବାପାର କୋମଳତା ଦେଇ ବହୁତ କିଛି ଅନୁଭବ କରୁଥିଲେ । ମହିଳା ତାହା ଫଳରେ ଖୁବ୍ କ୍ରୋଧରେ ହିଁ ନିଜ ଘରକୁ ଫେରିଗଲେ । ସେହି ଘଟଣାଟିକୁ ମହିଳା ନିଜେ ହିଁ ତେର୍ଲାହୋଭ୍‌ଙ୍କୁ ପରେ ବର୍ଣ୍ଣନା କରି କହିଛନ୍ତି । ବୁଝନ୍ତୁ, ରୁଡ଼ିନ୍ ହେଉଛନ୍ତି ବସ୍ତୁତଃ ସେହିପରି ଜଣେ ବ୍ୟକ୍ତି !”

ଏବଂ କଥାଟିକୁ ସାରି ପିଗାସୋଭ୍‌ ଠୋ’ ଠୋ’ ହସି ଉଠିଥିଲେ ।

ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କର ବିରକ୍ତିର ସୀମା ହିଁ ରହିଲାନାହିଁ, ସେ ଗର୍ଜି ଉଠିଲା ପରି କହିଥିଲେ, “ଆପଣ ଜଣେ ପକ୍କା ସର୍ବନିନ୍ଦୁକ ମନୁଷ୍ୟ ! କିନ୍ତୁ, ମୋ’ର ତ ଅଧିକରୁ ଅଧିକ ଦୃଢ଼ ବିଶ୍ଵାସ ହେବାରେ ଲାଗିଛି ଯେ, ଯେଉଁ ବ୍ୟକ୍ତିମାନେ ଶ୍ରୀରୁଡ଼ିନ୍‌ଙ୍କୁ ଏପରି ଭାବେ ଆକ୍ରମଣ କରନ୍ତି, ସେମାନେ ରୁଡ଼ିନ୍ କାହାର କୌଣସି ଅନିଷ୍ଟ କରନ୍ତି କଦାପି କହିପାରିବେ ନାହିଁ !”

“କିଛି ଅନିଷ୍ଟ କରନ୍ତି ନାହିଁ ? ଏବଂ ମୁଁ ତ ଅବଶ୍ୟ ଦୃଷ୍ଟାନ୍ତ ଦେଇ କହିବି ଯେ, ସର୍ବବିଧ ଅବସରରେ ଅନ୍ୟମାନଙ୍କ ଉପରେ ଲଦି ହୋଇ ରହି ଏହି ଜୀବନ ବଞ୍ଚିବା, ପଇସା ଧାର କରିବା....କହିଲେ ଶ୍ରୀଯୁକ୍ତ ମିହାଲୋଇ ମିହାଇଲିଚ୍‍, ରୁଡ଼ିନ୍ ଆପଣଙ୍କ ଠାରୁ ମଧ୍ୟ ପଇସା ଧାର ନେଇଥିଲେ, ନେଇ ନଥିଲେ ?”

“ଶୁଣନ୍ତୁ, ଶ୍ରୀମାନ ଆଫ୍ରିକାନ୍ ସେମେନିଚ୍,” —ଲେଜ୍‌ଝନିଓଭ୍‌ ଉତ୍ତର ଦେଇଥିଲେ, ଏବଂ ତାଙ୍କର ମୁଖଟି ବେଶ୍ ଗମ୍ଭୀର ହୋଇ ଉଠୁଥିଲା, “ଶୁଣନ୍ତୁ ଆପଣ ଜାଣନ୍ତି ଏବଂ ମୋ’ର ପତ୍ନୀ ମଧ୍ୟ ଜାଣିଛନ୍ତି ଯେ, ଏହି ଶେଷଥର ଯେତେବେଳେ ମୋ’ର ରୁଡ଼ିନ୍‌ଙ୍କ ସହିତ ସାକ୍ଷାତ ହୋଇଥିଲା, ସେତେବେଳେ ମୁଁ ସେପରି ସ୍ଵତନ୍ତ୍ର ଭାବରେ ତାଙ୍କ ପ୍ରତି କୌଣସି ଆକର୍ଷଣ ଅନୁଭବ କଲିନାହିଁ । ଏପରିକି, ତାଙ୍କୁ କେତେକ ପରିମାଣରେ ଭର୍ତ୍ସନା ମଧ୍ୟ କରିଥିଲି । ତାହାରି ପୃଷ୍ଠଭୂମିରେ (ଲେଜ୍‌ଝନିଓଭ୍‌ ଗ୍ଳାସ ଗୁଡ଼ିକରେ ସୁରା ଭରି ଦେଉଥିଲେ) ବର୍ତ୍ତମାନ ମୁଁ ଆପଣଙ୍କୁ ଏହିପରି ହିଁ ପ୍ରସ୍ତାବଟିଏ ଦେଇ କହିବି, ଆମେ ସମସ୍ତେ ମାତ୍ର କେତେ ମୁହୂର୍ତ୍ତ ପୂର୍ବେ ମୋ’ର ଜଣେ ପ୍ରିୟ ସେ ତାଙ୍କର ସ୍ୱାସ୍ଥ୍ୟ ଓ କଲ୍ୟାଣ କାମନା କରି ତଥା ତାଙ୍କର ଭାବୀ ପତ୍ନୀଙ୍କ ଲାଗି ମଧ୍ୟ ଶୁଭ ମନାସି ସୁରାଗ୍ରହଣ କରିଛୁ; ଏବଂ ବର୍ତ୍ତମାନ ମୁଁ ପ୍ରସ୍ତାବ କରୁଛି ଯେ ଆପଣ ଡିମିଟ୍ରି ରୁଡ଼ିନ୍‌ଙ୍କର ସ୍ୱାସ୍ଥ୍ୟ ଏବଂ ଶୁଭ କାମନା କରି ସୁରା ପାନ କରନ୍ତୁ ।”

ସେକଥା ଶୁଣି ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଓ ପିଗାସୋଭ୍ ଦୁହେଁ ହିଁ ଖୁବ୍ ଆଚମ୍ବିତ ହୋଇ ଲେଜ୍‌ଝନିଓଭ୍‌ଙ୍କ ମୁହଁକୁ ଚାହିଁ ରହିଥିଲେ, ମାତ୍ର ବାସିସ୍ଟୋଫ୍ ଉଜ୍ଵଳ ଏଡ଼େ ଏଡ଼େ ଆଖି କରି ନିଜ ଜାଗାଟିରେ ଆସୀନ ରହିଥିଲେ । ଖୁବ୍ ମନଖୁସିରେ ଗୋଟାସୁଦ୍ଧା ଶରୀରରେ ଏକ କମ୍ପନ ଅନୁଭବ କରୁଥିଲେ ଏବଂ ତାଙ୍କର ମୁହଁଟି ମଧ୍ୟ ବେଶ୍ ରକ୍ତିମ ହୋଇ ଉଠିଥିଲା ।

“ରୁଡ଼ିନ୍‌ଙ୍କୁ ମୁଁ ଭଲ ଭାବରେ ଜାଣେ,” —ଲେଜ୍‌ଝନିଓଭ୍‌ ପୁଣି କହିବାକୁ ଆରମ୍ଭ କଲେ, “ତାଙ୍କ ଭୁଲଗୁଡ଼ିକ ବିଷୟରେ ମୁଁ ସର୍ବଦା ସଜ୍ଞାନ ବି ରହିଛି । ଏବଂ ସେସବୁ ସମ୍ଭବତଃ ଅଧିକ ସୁସ୍ପଷ୍ଟ ହୋଇ ଆଖିରେ ଆସି ପଡ଼ିଯାଆନ୍ତି, କାରଣ ସିଏ ସ୍ଵୟଂ କେବେହେଲେ ଏକ କ୍ଷୁଦ୍ର ସ୍ତରରେ ନଥାନ୍ତି ।”

“ରୁଡ଼ିନ୍‌ଙ୍କର ଏକ ଚରିତ୍ରବତ୍ତା ରହିଛି, ବିଶେଷ ପ୍ରତିଭା ମଧ୍ୟ”, —ବାସିସ୍ଟୋଫ୍ ମଧ୍ୟ କେଡ଼େ ପାଟିରେ କହିଥିଲେ ।

ଏହାପରେ ସବୁକିଛିର ଉତ୍ତର ଦେଉଥିବା ପରି ଲେଜ୍‌ଝନିଓଭ୍‌ କହିଥିଲେ, “ହଁ, ଏକ ତୀକ୍ଷ୍ମ ପ୍ରତିଭା ଖୁବ୍ ସମ୍ଭବ ଅଛି । ମାତ୍ର, ଚରିତ୍ର ବେଳକୁ ସେହି କଥାଟି ଆଦୌ କହି ହେବନାହିଁ, ସେଇଟି ହିଁ ଶ୍ରୀ ରୁଡ଼ିନ୍‌ଙ୍କର ଗୋଟିଏ ଦୁର୍ଭାଗ୍ୟ, —ତାଙ୍କ ଭିତରେ ଚରିତ୍ର ବୋଲି କିଛି ହିଁ ନାହିଁ, କିନ୍ତୁ, ବର୍ତ୍ତମାନ ସେକଥା ପଡ଼ିନାହିଁ । ତାଙ୍କ ଠାରେ ଯାହା ଭଲ ଓ ଯାହା ବିରଳ, ମୁଁ ବର୍ତ୍ତମାନ ସେହି ବିଷୟରେ କିଛି କହିବାକୁ ଇଚ୍ଛା କରୁଛି । ତାଙ୍କ ଭିତରେ ଉତ୍ସାହ ପୂର୍ଣ୍ଣ ହୋଇ ରହିଛି, ଏବଂ ମୋ’ କଥାରେ ଆପଣମାନେ ବିଶ୍ଵାସ କରନ୍ତୁ, —ମୁଁ ତ ଗୋଟାଏ ନିପଟ ଭାବଶୂନ୍ୟ ବ୍ୟକ୍ତି, —ସେହି ଉତ୍ସାହ ହେଉଛି ବସ୍ତୁତଃ ଆମର ଏହି ସମୟଟିର ସବୁଠାରୁ ଅଧିକ ମୂଲ୍ୟବାନ୍ ଗୁଣଟିଏ । ଆମେସବୁ କ୍ରମେ ନିତାନ୍ତ ଅସହନୀୟ ଭାବରେ ବୁଦ୍ଧିସର୍ବସ୍ଵ ହୋଇ ଯାଇଛୁ, ଭୟଙ୍କର ଭାବରେ ଉଦାସୀନ ଏବଂ ନାନା ଆଳସ୍ୟ ହେତୁ ନିଷ୍କ୍ରିୟ ହୋଇ ପଡ଼ିଛୁ, —ସତେଅବା ଶୋଇ ରହିଛୁ, ଅସମ୍ଭବ ପ୍ରକାରେ ଶୀତଳ ହୋଇ ଯାଇଛୁ; ତେଣୁ ସେହି ଖାସ୍ ମଣିଷଟିକୁ ଅଶେଷ ଅଶେଷ ଧନ୍ୟବାଦ, ଯିଏକି ଆମର ପ୍ରକୃତରେ ନିଦ୍ରାଭଙ୍ଗ କରାଇବ, ଆମକୁ ଏକ ଉଷ୍ମତା ମଧ୍ୟ ଆଣିଦେବ-। ହଁ, ଏହା ଅତ୍ୟାବଶ୍ୟକ; କାରଣ ସମୟ ବହୁତ ଗଡ଼ିଗଲାଣି । ସାଶା, ତୁମର ମନେ ଅଛି, ଥରେ ଯେତେବେଳେ ମୁଁ ରୁଡ଼ିନ୍‌ଙ୍କ ବିଷୟରେ କିଛି କହୁଥିଲି, ସେତେବେଳେ ମୁଁ ତାଙ୍କର ଶୀତଳତା ନିମନ୍ତେ ତାଙ୍କୁ ଦୋଷ ବି ଦେଉଥିଲି । ହଁ, ସେତେବେଳେ ମୁଁ ଯଥାର୍ଥରେ ସେପରି କହୁଥିଲି, କିନ୍ତୁ ସମ୍ପୂର୍ଣ୍ଣ ସତ କଥାଟି ତଥାପି କହୁନଥିଲି । ଶୀତଳତାଟି ରୁଡ଼ିନ୍‍ଙ୍କ ରକ୍ତ ଭିତରେ ଅଛି, ସେଇଟି ଆଦୌ ତାଙ୍କ ଦୋଷ ନୁହେଁ । ହଁ, ରକ୍ତରେ ଶୀତଳତା ରହିଛି, କିନ୍ତୁ ମସ୍ତିଷ୍କରେ ନୁହେଁ । ରୁଡ଼ିନ୍‍ ମୋଟେ ଅଭିନୟ କରନ୍ତି ନାହିଁ ନ । ମୁଁ ଯେପରି କହୁଥିଲି ସେ କେବେହେଲେ ଧୋକା ଦିଅନ୍ତି ନାହିଁ-। ଆଦୌ ବଦ୍‍ମାସ ନୁହଁନ୍ତି : ହଁ, ଅନ୍ୟମାନଙ୍କ ଠାରୁ ପଇସା ନେଇ ଚଳନ୍ତି, କିନ୍ତୁ ଆଦୌ ଗୋଟାଏ ଠକ ପରି ତାହା କରନ୍ତି ନାହିଁ । ଠିକ୍ ଯେକୌଣସି ସାନ ବାଳକଟିଏ ପରି କରନ୍ତି-। ...ହଁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଦିନେ ହୁଏତ କୌଣସି ସ୍ଥାନରେ ସିଏ ଘୋର ଦାରିଦ୍ର୍ୟ ଓ ଅଭାବ ମଧ୍ୟରେ ମୃତ୍ୟୁର ସମ୍ମୁଖୀନ ହେବେ, ମାତ୍ର ସେଥିପାଇଁ କ’ଣ ଆମର ତାଙ୍କୁ ଉଦ୍ଦେଶ୍ୟ କରି ବୋଲୁଅ ଓ ପଥର ପକାଇବା କଦାପି ଉଚିତ୍‍ ହେବ ? ରୁଡ଼ିନ୍‍ କେବେହେଲେ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବରେ କୌଣସି କାମ କରନ୍ତି ନାହିଁ, — ତାଙ୍କ ଭିତରେ ଯଥେଷ୍ଟ ପ୍ରାଣଶକ୍ତିର ହିଁ ଅଭାବ ରହିଥାଏ । ବୀରତ୍ୱ ନଥାଏ । ତା’ବୋଲି କିଏ କ’ଣ ପାଇଁ କହିବ ଯେ, ସିଏ ପ୍ରକୃତରେ ଆଦୌ କୌଣସି କାମରେ ବି ଲାଗି ପାରିଲେ ନାହିଁ ? ଏବଂ ତାଙ୍କର କଥାଗୁଡ଼ିକ ମଧ୍ୟ ତରୁଣ କେତେ କେତେ ହୃଦୟରେ ଆଦୌ କୌଣସି ଉତ୍ତମ ବୀଜ ବୁଣିଦେଇ ନାହାନ୍ତି ? ପ୍ରକୃତି ପ୍ରକୃତରେ ତାଙ୍କ ପାଇଁ ଆଦୌ କୌଣସି କାର୍ଯ୍ୟସାଧନ କରିବାର ଶକ୍ତିକୁ ବାରଣ କରି ରଖିନାହିଁ, ଆପଣାର ବିଚାର ତଥା କଳ୍ପନାଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା ନିମନ୍ତେ ଆଦୌ କୌଣସି ସାମର୍ଥ୍ୟ ପ୍ରଦାନ କରିନାହିଁ ? ବସ୍ତୁତଃ, ମୁଁ ମଧ୍ୟ, ସେହି ପ୍ରଥମ କାଳରେ ତାଙ୍କରି ଠାରୁ ହିଁ ସେହି ଗୁଣଗୁଡ଼ିକୁ ଆହରଣ କରିଛି.....ରୁଡ଼ିନ୍ ମୋ’ର ଯୌବନ ସମୟରେ ମୋ’ଲାଗି ଯାହାସବୁ ପ୍ରକୃତରେ କରିଛନ୍ତି, ସାଶା ସେହି ସମସ୍ତ ବିଷୟ ଜାଣିଛନ୍ତି । ମୋ’ର ମନେ ପଡ଼ୁଛି, ମୁଁ ଏକଥାଟି ମଧ୍ୟ କହିଥିଲି ଯେ, ରୁଡ଼ିନ୍ ଯାହାସବୁ କହିଛନ୍ତି, ଲୋକମାନଙ୍କ ଉପରେ ସେଗୁଡ଼ିକର ପ୍ରଭାବ ଅବଶ୍ୟ ପଡ଼ି ପାରିନାହିଁ; କିନ୍ତୁ, ସେତେବେଳେ ମୁଁ ପ୍ରକୃତରେ ମୋ’ରି ପରି ବ୍ୟକ୍ତିମାନଙ୍କୁ ନଜରରେ ରଖି ହିଁ ସେପରି କହୁଥିଲି । ମୋ’ର ଏହି ବୟସର, ସେହି ବ୍ୟକ୍ତିଗଣ ଯେଉଁମାନେ କି ନିଜର ଜୀବନଟିକୁ ବଞ୍ଚି ସାରିଲେଣି, ଏବଂ ଜୀବନଦ୍ଵାରା ବେଶ୍ ମଣ ବି ହୋଇ ସାରିଛନ୍ତି । ତେଣୁ ଜଣେ ବ୍ୟକ୍ତି କେତେ ଉତ୍ସାହ ସହିତ କହିଥିବା କଥାଗୁଡ଼ିକ ବିଷୟରେ ଯଦି ଆମେ ଅନୁଚିତ ଭାବରେ ଟିପ୍ପଣୀଟିଏ କାଟି ନିଜ ମନକୁ ବୋଧ ଦେଇ ରହିଯିବା, ତେବେ କେବଳ ଆମଲାଗି ହିଁ ସେହି ମନ୍ତବ୍ୟଟିରେ କୌଣସି ସାମଞ୍ଜସ୍ୟତା ଆଦୌ ରହିବ ନାହିଁ । କିନ୍ତୁ, ଖୁବ୍ ସୁଖର ବିଷୟ ଯେ, ଜଣେ ତରୁଣ ବ୍ୟକ୍ତିର ମନଟି ଆଦୌ ସେପରି ଅତିରିକ୍ତ ଭାବରେ ବିଶୋଧିତ ହୋଇନଥିବ, ମୋଟେ ସେପରି ସୁପ୍ରଶିକ୍ଷିତ ହୋଇ ନଥିବ । ସିଏ ଶୁଣୁଥିବା କଥାଗୁଡ଼ିକର ମୂଳ ସାରଟି ଯଦି ତାକୁ ଭଲ ଲାଗିବ, ତେବେ ସିଏ କଥାଟି କୁହା ଯାଉଥିବାର ଢଙ୍ଗଟି ଉପରେ ହିଁ ଗୁରୁତ୍ଵ ଦେବାକୁ ଇଚ୍ଛା କରିବ ? ସିଏ ସ୍ଵୟଂ ହିଁ କଥାଟିକୁ ଏକ ନିଜସ୍ୱ ସ୍ଵରଶୈଳୀ ପ୍ରଦାନ କରିବ ।”

“ସାଧୁ, ସାଧୁ”, —ବାସିସ୍ଟୋଫ୍ କହି ଉଠିଲେ, “ଆପଣ କେଡ଼େ ଯଥାର୍ଥ ପ୍ରକାରେ କଥାଗୁଡ଼ିକୁ କହିପାରିଲେ ! ଏବଂ ଶ୍ରୀଯୁକ୍ତ ରୁଡ଼ିନ୍‌ଙ୍କର କଥାଗୁଡ଼ିକର ପ୍ରଭାବ ବିଷୟରେ କହିବାକୁ ଗଲେ, ମୁଁ ଆଦୌ କୌଣସି ସଙ୍କୋଚର ଅବକାଶ ନରଖି କହିବି ଯେ, ସିଏ ତୁମକୁ କିପରି ପ୍ରଭାବିତ କରାଯାଇ ପାରିବ, ମାତ୍ର, ସେତିକି କଥା ହିଁ ଯେ ଜାଣିଥିଲେ ସେକଥା ନୁହେଁ, ସିଏ ତୁମକୁ ଉତ୍ତୋଳିତ କରି ନେଉଥିଲେ, ତୁମକୁ କଦାପି ଯେଉଁଠି ସେଇଠି ଅଟକି ରହିଯିବାକୁ ଦେଉନଥିଲେ, —ସିଏ ତୁମକୁ ଏକାବେଳେକେ ତୁମର ଗଭୀରତା ଗୁଡ଼ିକ ଯାଏ ପ୍ରେରିତ କରି ନେଉଥିଲେ ଏବଂ ତୁମ ଭିତରେ ନିଆଁ ଜଳାଇ ଦେଉଥିଲେ ।”

ବର୍ତ୍ତମାନ ଲେଜ୍‌ଝନିଓଭ୍‌ ପୁନର୍ବାର କହିଲେ ଏବଂ ପିଗାସୋଭ୍‌ଙ୍କ ଆଡ଼କୁ ଦୃଷ୍ଟି ଫେରାଇ, —“ଶୁଣିଲେ ଆପଣ, ଆପଣ ଆଉ କ’ଣ ଅଧିକ ପ୍ରମାଣ ପାଇବାକୁ ଇଚ୍ଛା କରିବେ ? ଆପଣ ପରା ଦର୍ଶନଶାସ୍ତ୍ରକୁ ଆକ୍ରମଣ କରୁଛନ୍ତି; ଦର୍ଶନ ସମ୍ବନ୍ଧରେ କହିବାକୁ ଯାଇ ସତେଅବା ଅଧିକରୁ ଅଧିକ ଅଶ୍ରଦ୍ଧାସୂଚକ ତିରସ୍କାର ପୂର୍ଣ୍ଣ ଶବ୍ଦ ହୁଏତ ଖୋଜି ପାଉନାହାନ୍ତି । ମୁଁ ନିଜେ ମଧ୍ୟ ଦର୍ଶନ ଆଡ଼କୁ କେବେ ଖୁବ୍ ଗୁଡ଼ାଏ ଆକର୍ଷଣ ଅନୁଭବ କରିନାହିଁ ଏବଂ ଦର୍ଶନ ବିଷୟରେ ଅତ୍ୟନ୍ତ ଅଳ୍ପ ଜାଣିଛି । କିନ୍ତୁ ଆମେ ପ୍ରଧାନତଃ ଯେଉଁସବୁ ଦୁର୍ଭାଗ୍ୟ ଭିତରେ ଛଟପଟ ହେଉ, ସେମାନେ କ’ଣ ଦର୍ଶନ ହେତୁ ଆସନ୍ତି ? ରୁଷିଆ ଦେହସାର କୌଣସି ଅଧିବାସୀ କେବେହେଲେ କୌଣସି ଦର୍ଶନସମ୍ବନ୍ଧିତ ସୂକ୍ଷ୍ମାତିସୂକ୍ଷ୍ମତା ଦ୍ଵାରା ଆପଣାକୁ ସଂକ୍ରାମିତ କରିବାକୁ ଇଚ୍ଛା ହିଁ କରିବ ନାହିଁ । ସେଗୁଡ଼ିକ ତାକୁ ତୁଚ୍ଛା ଅର୍ଥହୀନ ହିଁ ବୋଧ ହେବ । ସେପରି ନକରିବାକୁ ତା’ ଭିତରେ ଏକ ସାମାନ୍ୟ ସାଧାରଣ ବିବେକଟିଏ ବୋଧ ହେବ । ସେପରି ନକରିବାକୁ ତା’ ଭିତରେ ଏକ ସାମାନ୍ୟ ସାଧାରଣ ବିବେକଟିଏ ସର୍ବଦା ହିଁ ରହିଥିବ । କିନ୍ତୁ, ତା’ ବୋଲି ଯେ ସତ୍ୟ ତଥା ଜ୍ଞାନ ଲାଭ କରିବାକୁ ଇଚ୍ଛା କରୁଥିବା ସବୁକିଛି ନିଷ୍ଠାପର ଉଦ୍ୟମ ଉପରେ ଦର୍ଶନର ଦ୍ଵାହି ଦେଇ ଆକ୍ରମଣ ହେବାକୁ ବାଟ ଛାଡ଼ିଦେବା, ସେ କଥାଟି ମଧ୍ୟ କଦାପି ଉଚିତ ହେବନାହିଁ । ରୁଡ଼ିନ୍‌ଙ୍କର ଏକ ଦୁର୍ଭାଗ୍ୟ ଯେ ସିଏ ରୁଷିଆ ଦେଶକୁ ବୁଝି ପାରିନାହାନ୍ତି ଏବଂ ସେଇଟି ପ୍ରକୃତରେ ଗୋଟିଏ ଅତ୍ୟନ୍ତ ବଡ଼ ଦୁର୍ଭାଗ୍ୟ । ଆମେ କେହି ଜଣେ ହେଲେ ବି ରୁଷିଆ ପାଇଁ ଅପରିହାର୍ଯ୍ୟ ନୋହୁ, ମାତ୍ର ଆମ ଭିତରୁ କେହି ଜଣେ ମଧ୍ୟ ଋଷିଆକୁ ବାଦ୍ ଦେଇ କିଛି କରି ପାରିବ ନାହିଁ । ଯିଏ କରିପାରିବ ବୋଲି ବିଚାରୁଛି, ତାକୁ ପ୍ରକୃତରେ ଧିକ୍ ବୋଲି କହିବାକୁ ଭେବ । ଏବଂ, ସେପରି ଜଣେ ମନୁଷ୍ୟକୁ ତ ଦୁଇଥର ହିଁ ଧିକ ବୋଲି କୁହାଯିବ ଯିଏକି ରୁଷିଆକୁ ବାଦ୍ ଦେଇ ଏଠାରେ କ୍ରିୟାଶୀଳ ହୋଇ ରହିଛି ! ହଁ, ବିଶ୍ଵଜନୀନତା, ସିଏ ତ ସମ୍ପୂର୍ଣ୍ଣ ଭାବରେ ପୂରା ୟାଡ଼ୁସାଡ଼ୁ ଗୋଟାଏ କଥା ମାତ୍ର; ଏବଂ ଯିଏ ନିଜକୁ ତାହାର ସମର୍ଥକ ବୋଲି କହନ୍ତି; —ସିଏ ମିଥ୍ୟା ହିଁ କହୁଛି ! ସିଏ ଜଣେ ମିଥ୍ୟାବାଦୀ ଠାରୁ ମଧ୍ୟ ଆହୁରି କିଛି ନିକୃଷ୍ଟ ସ୍ତରର । ତେଣୁ ଏହି ଅପରିହାର୍ଯ୍ୟ ଜାତୀୟ ପରିଚୟତି ବ୍ୟତୀତ, କୌଣସି କଳା, କୌଣସି ସତ୍ୟ, —ହଁ, ଗୋଟେ କିଛିହେଲେ ସମ୍ଭବ ହୋଇ ପାରିବନାହିଁ, ନିଜର ଗୋଟିଏ ବ୍ୟକ୍ତି ପରିଚୟ ବ୍ୟତୀତ ତୁମର କୌଣସି ଆଦର୍ଶ ଅଭିବ୍ୟକ୍ତି ସମ୍ଭବ ହେବ ନାହିଁ । ସେଇଟି ନଥିଲେ ତୁମେ ହୁଏତ କେବଳ ଏକ ଅସଭ୍ୟ ଚେହେରାଟିକୁ ହିଁ ଦେଖାଇ ହେଉଥିବ । କିନ୍ତୁ ମୁଁ ପୁଣିଥରେ ମଧ୍ୟ କହିବି, ଏହା ମୋଟେ ରୁଡ଼ିନ୍‌ଙ୍କର ଦୋଷ ନୁହେଁ, ଏଇଟି ତାଙ୍କ ଭାଗ୍ୟର ଦୋଷ । ତାଙ୍କର ସେହି ନିର୍ଦ୍ଦୟ ଏବଂ ସୁଖଶୂନ୍ୟ ଭାଗ୍ୟଟିର । ଏବଂ ସେଇଟି ସକାଶେ ଆମେ ତାଙ୍କୁ ଆଦୌ ଦୋଷୀ କରିବା ନାହିଁ । ପୁନଶ୍ଚ, ଆମ ଭିତରେ କ’ଣ ପାଇଁ ରୁଡ଼ିନ୍‌ମାନେ ଆବିର୍ଭୂତ ହୁଅନ୍ତି, ତାହାର କାରଣ ଅନୁସନ୍ଧାନ କରି ବସିଲେ ତ ଆମକୁ ଆହୁରି ଅନେକ ଦୂରଯାଏ ଯିବାକୁ ପଡ଼ିବ । ମାତ୍ର, ଯାହାକିଛି ତାଙ୍କ ଭିତରେ ଭଲ ଏବଂ ସ୍ଵାଗତଯୋଗ୍ୟ, ଆମେ ସେଇଟି ନିମନ୍ତେ ଚାଲନ୍ତୁ ତାଙ୍କ ପାଖରେ କୃତଜ୍ଞ ହୋଇ ରହିବା । ତାଙ୍କ ପ୍ରତି ଅବିଚାର କରିବା ଠାରୁ ବରଂ ତାହା ଅଧିକ ସୁଖକର ହେବ । ତାଙ୍କର ଶାସ୍ତିବିଧାନ କରିବା ଆଦୌ ଆମର କାର୍ଯ୍ୟ ନୁହେଁ ଏବଂ ତାହାର ଆଦୌ ପ୍ରୟୋଜନ ନାହିଁ । ସିଏ ଯେତିକି ଶାସ୍ତି ଭୋଗ କରିବା କଥା, ସିଏ ତ ଆପଣାକୁ ତା’ଠାରୁ ଅନେକ ଅଧିକ ନିର୍ଦ୍ଦୟ ଭାବରେ ଶାସ୍ତି ଦେଇ ସାରିଛନ୍ତି । ଏବଂ ଭଗବାନ ମଧ୍ୟ କରନ୍ତୁ ଯେ, ତାଙ୍କୁ ଭୋଗ କରିବାକୁ ହେଉଥିବା ଦୁଃଖଟି ତାଙ୍କ ମଧ୍ୟରେ ରହିଥିବା ସକଳ ହାନିକୁ ପ୍ରକୃତରେ ପୋଛି ମଧ୍ୟ ନିଅନ୍ତା କେବଳ ଯାହାକିଛି ଉତ୍ତମ, ସେତିକି ରହୁ । ମୁଁ ତାଙ୍କରି ଶୁଭ କାମନା କରୁଛି, ମୋ’ର ସର୍ବୋତ୍ତମ ବର୍ଷମାନଙ୍କର ସେହି ସାଥୀଙ୍କର ଶୁଭକାମନା କରୁଛି । ଯୌବନର ତାହାର ଯାବତୀୟ ସ୍ଵପ୍ନ ତଥା ଉଦ୍ୟମର, ବିଶ୍ଵାସ ଏବଂ କପଟଶୂନ୍ୟଟାର ଶୁଭ ମନାସୁଛି; ସେହି ସବୁକିଛିର ଶୁଭକାମନା କରୁଛି, ଯାହା ଆମର କୋଡ଼ିଏ ବର୍ଷ ବୟସରେ ଅମାର ହୃଦୟ ମଧ୍ୟରେ କେତେ ନା କେତେ କେତେ ସ୍ପନ୍ଦନ ରୂପେ ଅନୁଭୂତ ହେବାକୁ ଆସି ପହଞ୍ଚି ଯାଇଥାଏ । ଆମେ ସମସ୍ତେ ତାହକୁ ହିଁ ସର୍ବୋତ୍କୃଷ୍ଟ ବୋଲି ଜାଣୁ, ଏବଂ ତାହାକୁ ହିଁ ନିଜ ଜୀବନରେ ସର୍ବୋତ୍କୃଷ୍ଟ ବୋଲି ଅବଶ୍ୟ ଜାଣିବା-। ....ମୁଁ ସେହି ସ୍ଵର୍ଣ୍ଣିମ ସମୟଟିର ଜୟ ବୋଲି କହି ଏହି ସୁରାକୁ ପାନ କରୁଛି, —ରୁଷିଆର ସ୍ୱାସ୍ଥ୍ୟ ମନାସି ସୁରାପାନ କରୁଛି !”

ସମସ୍ତେ ଆପଣା ଆପଣାର ଗ୍ଳାସଗୁଡ଼ିକ ଦ୍ଵାରା ଲେଜ୍‌ଝନିଓଭ୍‌ଙ୍କ ଗ୍ଳାସଟିକୁ ସ୍ପର୍ଶ କରିଥିଲେ । ବାସିସ୍ଟୋଫ୍ ଆପଣାର ଉତ୍ସାହଟି ଦ୍ଵାରା ଚାଳିତ ହୋଇ ସେହିପରି କରିବା ସମୟରେ ନିଜର ଗ୍ଳାସଟିକୁ ଅନ୍ୟମାନଙ୍କର ଗ୍ଳାସଗୁଡ଼ିକ ସହିତ ଢୁ ଢା’ କରି ବଜାଇ ପ୍ରାୟ ଫଟାଇ ମଧ୍ୟ ଦେଇଥିଲେ ଓ ପ୍ରାୟ ଗୋଟିଏ ଢୋକରେ ହିଁ ପାନୀୟଟିକୁ ପିଇ ନିଃଶେଷ କରିଦେଲେ । ଶ୍ରୀମତୀ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଲେଜ୍‌ଝନିଓଭ୍‌ଙ୍କର ହାତଟିକୁ ଚାପି ଦେଇଥିଲେ ।

“ବାଃ, ଶ୍ରୀଯୁକ୍ତ ମିହାଇଲୋ ମିହାଇଲିଚ୍, “ମୁଁ ତ କଳ୍ପନା କରିନଥିଲି ଯେ ଆପଣ ବି ଏପରି ଜଣେ ବ୍ୟକ୍ତି ହୋଇପାରନ୍ତି,” —ପିଗାସୋଭ୍ ମନ୍ତବ୍ୟଟିଏ କଲେ’, “ଏହା ତ ସେହି ରୁଡ଼ିନ୍‌ଙ୍କର ବକ୍ତୃତା ଭଳି ହିଁ ଲାଗୁଥିଲା, ଏବଂ ମୁଁ ମଧ୍ୟ ଅତ୍ୟନ୍ତ ଅଭିଭୂତ ହୋଇ ପଡ଼ିଲି” ।

“ମୁଁ ଆଦୌ ଜଣେ ବକ୍ତା ନୁହେଁ,” ଶ୍ରୀଲେଜ୍‍ଝନିଓଭ୍‍ ଜବାବ ଦେଇଥିଲେ, —ବେଶ କିଞ୍ଚିତ୍‍ ବିରକ୍ତି ମିଶ୍ରିତ ଭାବରେ, “ମାତ୍ର ଆପଣଙ୍କୁ ଅଭିଭୂତ କରି ପାରିବା, —ତାହାତ ସମ୍ପୂର୍ଣ୍ଣ ଭାବରେ କାଠିକର ପାଠ ବୋଲି ମୋ’ର ମନେ ହେଉଛି । କିନ୍ତୁ ରୁଡ଼ିନ୍‌ଙ୍କ ବିଷୟରେ ଚର୍ଚ୍ଚା ଏହିଠାରେ ହିଁ ଶେଷ ହେଉ, ଚାଲନ୍ତୁ ଆଉ କିଛି ବିଷୟରେ ଆମେ କଥାବାର୍ତ୍ତା ହେବା । ସେହି ବାବୁଟି, —କ’ଣ ତାଙ୍କର ନାଆଁ କହିଲେ, ପାଣ୍ଡାଲେଭ୍‌ସ୍କି ନା ? ସିଏ ଏବେ ମଧ୍ୟ ଶ୍ରୀମତୀ ଦରିଆ ମିହାଇଲୋଭ୍‌ନାଙ୍କ ଘରେ ରହୁଛନ୍ତି” —ଶ୍ରୀ ବାସିସ୍ଟୋଫ୍‌ଙ୍କ ଆଡ଼କୁ ନିଜର ମୁହଁ ବୁଲାଇ ଦେଇ ସିଏ ପଚାରିଥିଲେ ।

“ହଁ, ରହୁଛନ୍ତି, ଏବେ ମଧ୍ୟ ସେଠାରେ ଅଛନ୍ତି । ଶ୍ରୀମତୀ ଦରିଆ ତାଙ୍କ ସକାଶେ ଗୋଟିଏ ବେଶ୍ ଲାଭଜନକ ସ୍ଥାନଟିଏ ଜୁଟାଇ ଦେଇଛନ୍ତି ।”

ଲେଜ୍‌ଝନିଓଭ୍ ମୁରୁକି ହସିଲେ ।

“ସେପରି ମଣିଷ ଜଣେ କଦାପି ଅଭାବ ହେତୁ ମୃତ୍ୟୁର ସମ୍ମୁଖୀନ ହେବ ନାହିଁ, ଆପଣ ଅବଶ୍ୟ ନିଶ୍ଚିତ ହୋଇ ରହିପାରନ୍ତି ।”

ଭୋଜନ ସମାପ୍ତ ହେଲା, ଅତିଥିବୃନ୍ଦ ବିଦାୟ ଗ୍ରହଣ କରିଥିଲେ । ଶେଷକୁ ଯେତେବେଳେ ସିଏ ନିଜର ସ୍ଵାମୀଙ୍କ ସହିତ ରହିଗଲେ, ସେତେବେଳେ ଆଲେକଜାଣ୍ଡ୍ରା ପାଭଲୋଭ୍‍ନା ତାଙ୍କ ଆଡ଼କୁ ଏକ ଈଷତ୍ ହସ ହସି ଅନାଇଲେ ।

“ମିଶା, ଆଜିର ଏହି ସନ୍ଧ୍ୟାଟିରେ ତୁମେ କେଡ଼େ ଚମତ୍କାର ଭାବରେ ଆପଣାର ପରିଚୟ ଦେଇ ପାରିଲା !” —ତାଙ୍କର କପୋଳ ଉପରଟିକୁ ଥାପଡ଼େଇ ଥାପଡ଼େଇ ସିଏ କହିଥିଲେ, “କେଡ଼େ ବୁଦ୍ଧିମତା ତଥା ଭବ୍ୟତା ସହିତ ସବୁକିଛି କହିଲା ! ମାତ୍ର, ଅବଶ୍ୟ ସ୍ଵୀକାର କରିବ ଯେ ରୁଡ଼ିନ୍‌ଙ୍କର ପ୍ରଶଂସା କରୁଥିବା ସମୟରେ ତୁମେ କିଞ୍ଚିତ୍‍ ଅତିରଞ୍ଜିତ ମଧ୍ୟ କରୁଥିଲ । ପୂର୍ବେ ତାଙ୍କ ବିଷୟରେ ଭର୍ତ୍ସନାପୂର୍ଣ୍ଣ କଥାମାନ କହି ଯେଉଁପରି ଅତିରଞ୍ଜନ କରୁଥିଲ, ଠିକ୍ ସେହିଭଳି ।

“ଜଣେ ବ୍ୟକ୍ତି ଦୁର୍ଦ୍ଦିନ ଭିତରେ ଗତି କରୁଥିବା ସମୟରେ ତାଙ୍କ ପ୍ରତି ଏପରି ଆଘାତମାନ ପ୍ରୟୋଗ କରାଯାଉଥିବ, ମୁଁ ସେତିପାଇଁ କାହାକୁ ବାଟ ଛାଡ଼ି ଦେବିନାହିଁ । ଏବଂ ମୁଁ ମଧ୍ୟ କିଞ୍ଚିତ୍‍ ଭୟ କରୁଥିଲି ଯେ, ସେହି ସମୟରେ ରୁଡ଼ିନ୍ ତୁମକୁ ବି ବେଶ୍ ପ୍ରଭାବିତ କରୁଥିଲେ ।”

 

‘ନାଇଁ”, ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ସତେଅବା ଗୋଟିଏ ପିଲା ଭଳି ଉତ୍ତର ଦେଇ କହିଲେ, “ସିଏ ସବୁବେଳେ-ବହୁତ ଜ୍ଞାନୀ ବୋଲି ଲାଗୁଥିଲେ । ତାଙ୍କୁ ମୁଁ ଭୟ ବି କରୁଥିଲି ଏବଂ ସିଏ ଉପସ୍ଥିତ ଥିବା ସମୟରେ କ’ଣ କିପରି କହିବି ବୋଲି ଆଦୌ ଜାଣି ପାରୁନଥିଲି । କିନ୍ତୁ, ରୁଡ଼ିନ୍‌ଙ୍କୁ ଉପହାସ କରି ଆଜି ପିଗାସୋଭ୍ ଭାରି କୁତ୍ସିତ ଆଚରଣ ଦେଖାଇଲେ ନାହିଁ କି ?”

 

ଲେଜ୍‌ଝନିଓଭ୍ ଉତ୍ତର ଦେଇ କହିଲେ, “ପିଗାସୋଭ୍ ? ମୁଁ ସେଇଥିପାଇଁ ଏପରି ବିଶେଷ ସହାନୁଭୂତି ପ୍ରକାଶ କରି ରୁଡ଼ିନ୍‌ଙ୍କ ଲାଗି ଏତେ ସବୁ କଥା କହିଲି । ସିଏ ପୁଣି ରୁଡ଼ିନ୍‌ଙ୍କ ଗୋଟିଏ ସଞ୍ଜ ବୋଲି କହିବେ । ଏବଂ ସ୍ଵୟଂ ପିଗାସୋଭ୍ ଯେଉଁପରି ଭୂମିକାଟିଏ ଅଭିନୟ କରନ୍ତି, ତାହାକୁ ତ ଆହୁରି ଶହେ ଗୁଣ ଖରାପ ବୋଲି କୁହାଯିବ । ତାଙ୍କର ନିଜର ଏକ ସମ୍ପତ୍ତି ରହିଛି; ସିଏ ତ ସମସ୍ତଙ୍କ ଆଡ଼କୁ ସର୍ବଦା ନାକଟେକି ବୁଲୁଥାଆନ୍ତି, କିନ୍ତୁ ଏଣେ ଦେଖୁଥିବ, କିପରି ଧନୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଗହଣରେ ଗୁଞ୍ଜି ହେବାକୁ ଭଲ ବି ପାଆନ୍ତି ! ତୁମେ ଜାଣିଛ, ଏହି ଯେଉଁ ମନୁଷ୍ୟଟି ଏତେ ଏତେ ଅସୂୟା ସହିତ ସବୁକଥା ତଥା ସବୁ ମନୁଷ୍ୟଙ୍କର ନିନ୍ଦା କରିବାରେ ଲାଗିଥାଏ, ଏବଂ ଦର୍ଶନ ଓ ନାରୀମାନଙ୍କ ପ୍ରତି ନିତାନ୍ତ ଅସହିଷ୍ଣୁ ହୋଇପଡ଼େ, ତୁମେ ଜାଣିଛ, ସିଏ ଯେତେବେଳେ ଗୋଟିଏ ଚାକିରିରେ ନିଯୁକ୍ତ ହୋଇ ରହିଥିଲେ, ସିଏ ଖୁବ୍ ଲାଞ୍ଚ ନେଉଥିଲେ ଓ ସେହିଭଳି ଆହୁରି କେତେ କ’ଣରେ ଲିପ୍ତ ହୋଇ ରହିଥିଲେ ! ହଁ, ସିଏ ପ୍ରକୃତରେ ଜଣେ ସେହି ପ୍ରକାରର ବ୍ୟକ୍ତି !”

 

ବିସ୍ମିତ ହୋଇ ପଡ଼ିଥିବା ପରି ଏକ ଉଚ୍ଚ କଣ୍ଠରେ ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ସେକଥା ଶୁଣି କହିଥିଲେ, “ସତ କଥା ଏସବୁ ? ମୁଁ ତ କଳ୍ପନା ହିଁ କରି ପାରିନଥାନ୍ତି !” ଏବଂ ତା’ପରେ କିଛି ସମୟ ନୀରବ ରହି, “ତୁମକୁ ବର୍ତ୍ତମାନ ଗୋଟିଏ କଥା ପଚାରିବି—”

 

“କ’ଣ ପଚାରିବି ?”

 

“ମୋ’ ଭାଇ ନାତାଲିଆଙ୍କ ସହିତ ସଂସାର କରି ସୁଖରେ ରହିବ ତ ? ତୁମେ କ’ଣ ଭାବୁଛ” ?

Unknown

 

“ମୁଁ କିପରି କ’ଣ କହିପାରିବି ? ଖୁବ୍ ସମ୍ଭବ ରହିବ । ଅବଶ୍ୟ, ନାତାଲିଆ ଆଗରେ ରହିବେ ..... ଆମ ଦୁହିଁଙ୍କ ମଧ୍ୟରେ ପ୍ରକୃତ କଥାଟିକୁ ଗୁପ୍ତ ରଖିବାର ଆଦୌ କୌଣସି କାରଣ ନାହିଁ-। ....ନାତାଲିଆ ତୁମ ଭାଇ ତୁଳନାରେ ଅଧିକ ବୁଦ୍ଧିମାନ, କିନ୍ତୁ ତୁମର ଭାଇ ମଧ୍ୟ ଚମତ୍କାର ମନୁଷ୍ୟ ଏବଂ ନାତାଲିଆଙ୍କୁ ହୃଦୟ ଦେଇ ଭଲ ପାଆନ୍ତି । ଏହାପରେ ଆଉ କ’ଣ ଦରକାର ? ତୁମେ ଦେଖୁନ, ଆମେ ଦୁହେଁ ଜଣେ ଆଉଜଣକୁ ଭଲ ପାଉଛୁ ଏବଂ ଖୁସିରେ ଅଛୁ । ନୁହେଁ କି-?”

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନା ଈଷତ୍ ହସି ସ୍ଵାମୀଙ୍କର ହାତକୁ ଚାପି ଧରିଥିଲେ ।

 

ଆଲେକ୍‌ଜାଣ୍ଡ୍ରା ପାଭଲୋଭ୍‌ନାଙ୍କ ଗୃହରେ ଏସବୁ ଘଟଣା ଘଟିଥିବାର ସେହି ଗୋଟିଏ ଦିନରେ ହିଁ, ରୁଷିଆର ସୁଦୂର ଆଉ ଏକ ଜିଲ୍ଲାରେ ଗୋଟିଏ ଅତ୍ୟନ୍ତ ଜୀର୍ଣ୍ଣ, ଉପରେ ପ୍ରାୟ ଭଲ କରି ଢଙ୍କା ହୋଇନଥିବା ଗୋଟିଏ ଗାଡ଼ି ସେହି ପ୍ରବଳ ଗ୍ରୀଷ୍ମର ଅସକ୍ୟ ତାତିଭିତରେ ବଡ଼ ରାସ୍ତାଟା ଉପରେ ଧକଡ଼ ଧକଡ଼ ହୋଇ ଚାଲି ଯାଉଥିଲା, ସେହି ଗ୍ରାମାଞ୍ଚଳର ହିଁ ତିନୋଟି ଘୋଡ଼ା ଗାଡ଼ିଟିରେ ଯୋଚା ହୋଇଥିଲେ । ଆଗ ଜାଗାଟିରେ ବାଳମାନେ ପ୍ରାୟ ପାଚିଯାଇଥିବା ଜଣେ କୃଷକ ଆସୀନ ରହିଥିଲେ;—ଗୋଟିଏ ପୁରୁଣା ଓ ଫାଟି ଯାଇଥିବା ଜ୍ୟାକେଟ ପିନ୍ଧିଥିଲେ, ଗୋଡ଼ଗୁଡ଼ିକୁ ବଙ୍କା କରି ଆଗରେ ଥିବା ପଟାଟି ଉପରକୁ ଲମ୍ବାଇ ଦେଇଥିଲେ । ଦଉଡ଼ିରେ ତିଆରି ଲଗାମଗୁଡ଼ିକୁ ଟାଣି ପକାଉଥିଲେ ଏବଂ ପାଞ୍ଚଣଟାକୁ ନହ ନହ କରିବାରେ ଲାଗିଥିଲେ । ଗାଡ଼ିଟି ଭିତରେ ଗୋଟିଏ ଟଳଟଳ ହେବାରେ ଲାଗିଥିବା ସୁଟକେଶ ଉପରେ ଜଣେ ଡେଙ୍ଗା ମଣିଷ ମଧ୍ୟ ବସିଥିଲେ; ମୁଣ୍ଡରେ ଟୋପି, ଦେହ ଉପରେ ଧୂଳିବସା ପୁରୁଣା କୋଟ୍ ପରିଧାନ କରିଛନ୍ତି । ହଁ, ସିଏ ରୁଡ଼ିନ୍ । ମୁଣ୍ଡଟି ଆଗକୁ ଢଳି ଆସିଥାଏ, ଟୋପିର ଆଗପାଖଟା ତାଙ୍କର ଆଖିଉପରକୁ ଢାଙ୍କି ବି ରଖିଥାଏ । ଗାଡ଼ି ଚାଲୁଥିବାର ଧକଡ଼ ଚକଡ଼ରେ ତାଙ୍କର ଦିହଟି ବେଶ୍ ଏପାଖ ସେପାଖ ହେବାରେ ଲାଗିଥାଏ । ମାତ୍ର ତାଙ୍କ ନିଜର ସତେଅବା ପ୍ରାୟ ଚେତା ନଥିବା ପରି ମାନେ ବି ହେଉଥାଏ, —ସତେ ଯେପରି ସିଏ ପ୍ରକୃତରେ ନିଦ୍ରାମଗ୍ନ ହୋଇ ହିଁ ରହିଥାନ୍ତି । ଶେଷରେ ତାଙ୍କର ନିଦ ଭାଙ୍ଗି ଯାଇଥିଲା ଓ ଆଗରେ ବସିଥିବା କୃଷକଙ୍କୁ ସେ ପଚାରିଥିଲେ,

 

“ଆମେ ଆଗରେ ଥିବା କୌଣସି ରହଣି ଜାଗାରେ ଯାଇ କେତେବେଳେ ପହଞ୍ଚିବା ?”

 

“ଏଇ ପାହାଡ଼ଟିକୁ ଉଠିଗଲେ, ବାପା !” —କୃଷକ ଉତ୍ତର ଦେଇଥିଲେ । ଏବଂ ସିଏ ଲଗାମଟାକୁ ପୁନର୍ବାର ଏକ ବିଶେଷ ଜୋର୍ ଦେଇ ଟାଣି ବି ଦେଇଥିଲେ । “ବାସ୍, ପ୍ରାୟ ଦେଢ଼ ମାଇଲ୍ ବାଟ, ବେଶି ନୁହେଁ । .....ଆସ, ଏଠାନେ ଆସ, ଚାରିଆଡ଼କୁ ଅନାଅ....ମୁଁ ତୁମକୁ ଶିଖାଇ ଦେବି ।” —ଚେଁ ଚେଁ ସ୍ଵରରେ ପୁନର୍ବାର କହିଲେ ଓ ଡାହାଣ ପଟ ଘୋଡ଼ାଟି ଉପରେ ପୁଣି ପାଞ୍ଚଣ ବସାଇ ଦେଲେ ।

 

ରୁଡ଼ିନ୍ ମନ୍ତବ୍ୟ କରି କହିଥିଲେ, “ଆପଣ ଖୁବ୍ ୟାଡ଼ୁସାଡ଼ୁ କରି ଗାଡ଼ିଟାକୁ ଚଳାଉଛନ୍ତି । ଆମେ ଦୁହେଁତ ସେହି ସହଳ ସକାଳ ପହରରୁ ବାହରିଲୁଣି ଏବଂ ଏପର୍ଯ୍ୟନ୍ତ ମଧ୍ୟ ସେହି ଜାଗାଟିରେ ପହଞ୍ଚି ପାରିଲୁନାହିଁ । ଆପଣ କିଛି ଗୀତ ମଧ୍ୟ ଗାଇ ପାରିଥାନ୍ତେ ।”

 

“ଆଚ୍ଛା, ତୁମର ବାପ କୋଉଭଳି ଗୀତ ଶୁଣିବାକୁ ଇଚ୍ଛା ହେଉଛି ? ଆପେ ତ ଦେଖୁଛ, ଏହି ଘୋଡ଼ାମାନେ ଗାଡ଼ିଟିକୁ ଟାଣି ଆଣି ହାଲିଆ ହୋଇଗଲେଣି । ତା’ ଉପରେ ପୁଣି ଏହି ଦାରୁଣ ଗ୍ରୀଷ୍ମଟା; ନାଇଁ, ମୁଁ ଆଦୌ କିଛି ଗାଇ ପାରିବିନାହିଁ । ମୁଁ ପୁଣି ଜଣେ ନିତିଦିନିଆ ଗାଡ଼ି ଚଳାଇବାବାଲା ବି ନୁହେଁ ..... ହେ, ଚାଲି ଯୌଥଯିବା ବାଙ୍ଗରା ବାବୁଜଣକ !” କୃଷକ ଉଚ୍ଚ କଣ୍ଠରେ ଜଣେ ବାଟୋଇଙ୍କୁ ଡାକି କରି କହିଲେ । ହଁ, ଜଣେ ଆଗଆଡ଼ୁ ଚାଲି ଚାଲି ଆସୁଥିଲେ, ଯିଏକି ଏକ ମାଟିଆ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ ସ କାଠଖୋଳପାରେ ତିଆରି ଯାହାଙ୍କ ଜୋତାଗୁଡ଼ିକ ଗୋଇଠି ପାଖରୁ ପ୍ରାୟ ଘୋରି ହଗୋଇ ଯାଇଥିଲା । “ଆରେ ବାବୁ, ଟିକିଏ କଡ଼କୁ ହୋଇଯାଉନା ।”

 

ବାଙ୍ଗରା ମଣିଷଟି ମଧ୍ୟ ଜବାବ୍ ଦେଇଥିଲା, “ଖୁବ୍ ଭଲ ଗାଡ଼ି ଚଲାଳି ଜଣେ !” ଏବଂ ତା’ପରେ ଅଟକି ଠିଆ ହୋଇ ଯାଇଥିଲା । “ଶଳା ମସ୍କୋରୁ ଆସିଥିବୁ”, —ଭର୍ତ୍ସନାପୂର୍ଣ୍ଣ ଭଙ୍ଗୀରେ ସେ ତା’ପରେ କହିଥିଲା, ଏବଂ ମୁଣ୍ଡଟିକୁ ହଲାଇ ଦେଇ ନିଜ ବାଟରେ ଚାଲି ଯାଇଥିଲା ।

 

“ବାପ, ତୋ’ର କ’ଣ ମନ ହେଉଛି କହୁନୁ,” —କୃଷକଟି ମଝିରେ ଯୋଚା ହୋଇଥିବା ଗୋଟିଏ ଘୋଡ଼ାକୁ କହୁଥାଏ ଏବଂ ଅଡ଼ାଇ ନେଉଥାଏ ।

 

ବଡ଼ ହାଲିଆ ହୋଇ ପଡ଼ିଥିବା ଘୋଡ଼ାମାନେ ଶେଷକୁ ଯେକୌଣସି ପ୍ରକାରେ ଗାଡ଼ିଟାକୁ ରହଣି ଜାଗାରେ ନେଇ ପହଞ୍ଚାଇ ଦେଇଥିଲେ । ରୁଡ଼ିନ୍ ଗାଡ଼ିଟି ଭିତରୁ ଓହ୍ଲାଇ ପଡ଼ି କଚୁଆନ୍‌କୁ ତା’ର ପ୍ରାପ୍ୟଟିକୁ ଦେଇ ଦେଇଥିଲେ । କୃଷକଟି ତାଙ୍କୁ କୌଣସି ମାନ୍ୟ ଦେଖାଇଲା ନାହିଁ, ବରଂ ବହୁତ ସମୟ ପର୍ଯ୍ୟନ୍ତ ମୁଦ୍ରାଗୁଡ଼ିକୁ ନିଜର ପାପୁଲି ଉପରେ ଏପାଖ ସେପାଖ କରିବାରେ ହିଁ ଲାଗିଥିଲା । ହଁ, ସେଥିରେ ତା’ ପିଇବା ବାବଦକୁ ନିତାନ୍ତ ଅଳପ ପଇସା ହିଁ ଥିଲା । ରୁଡ଼ିନ ସ୍ଵୟଂ ସୁଟକେଶଟିକୁ ଧରି ବାହାରି ଯାଇଥିଲେ ।

 

ରୁଷିଆର ବହୁତ ଜାଗାକୁ ଯାଇଥିବା ମୋ’ର ଜଣେ ବନ୍ଧୁ ତାଙ୍କ ସମୟରେ ବହୁବାର କହୁଥିଲେ ଯେ, ଯଦି କୌଣସି ରହଣି-ଜାଗାରେ କାନ୍ଥମାନଙ୍କ ଉପରେ ଟଙ୍ଗା ହୋଇଥିବା ଛବିଗୁଡ଼ିକରେ ‘କକେସସ୍‌ର ବନ୍ଦୀ’ ନାମକ ପୁସ୍ତକରୁ ଛବିମାନ ଦିଆଯାଇଥାଏ ଅଥବା ରୁଷିଆର ସେନାପତି ମାନଙ୍କର ଚିତ୍ର ରହିଥାଏ, ତେବେ ସେଥିରୁ ଜାଣିବ ଯେ ସେହି ରହଣିଥାନରୁ ଆହୁରି ଆଗକୁ ଯିବାପାଇଁ ତୁମକୁ ଘୋଡ଼ାମାନେ ବେଶ୍ ଶୀଘ୍ର ହିଁ ମିଳିଯିବେ ଏବଂ ଯଦି ଛବିଗୁଡ଼ିକରେ ଜର୍ମାନୀରେ ସେହି ପ୍ରସିଦ୍ଧ ଜୁଆଖେଳାଳି ଜର୍ଜର ଚିତ୍ର ରହିଥାଏ, ତେବେ ସେଠାରୁ ବାହାରିବାରେ ନିଶ୍ଚୟ ଡେରି ହେବ । ତେବେ ଜଣେ ବାଟୋଇକୁ ଢେର ସମୟ ସେଠାରୁ ଅଟକିବାକୁ ପଡ଼ିବ ଏବଂ ସେହି ଜୁଆଖେଳାଳିଙ୍କର ଯୌବନକାଳର ମୁଣ୍ଡ ବାଳ, ଧଳାକୋଟ୍ ଏବଂ ଦେହକୁ ଖୁବ୍ ସାନ ହେଉଥିବା ଟ୍ରାଉଜରମାନଙ୍କୁ ଦେଖି ଉପଭୋଗ କରିବାର ସୁଯୋଗଟିଏ ନିଶ୍ଚୟ ମିଳିଯିବ । ପୁନଶ୍ଚ, ତାଙ୍କର ସେହି କ୍ରୋଧପୂର୍ଣ୍ଣ ଶରୀରମୁଦ୍ରା, ତାଙ୍କ ବୁଢ଼ାବେଳେ ସିଏ କିପରି ନିଜର ପୁଅକୁ ହତ୍ୟା କରିଥିଲେ, —ହଁ, ଗୋଟିଏ ଚଉକିକୁ ନେଇ ପୁଅ ଉପରେ ପିଟି ଦେଇଥିଲେ ଏବଂ ତଦ୍ଦ୍ଵାରା ତା’ର ପ୍ରାଣବାୟୁ ପ୍ରକୃତରେ ଉଡ଼ିଯାଇଥିଲା ।

 

ଏବଂ ଏହି ସବୁକିଛି ଘଟଣା ଗୋଟିଏ ନିତାନ୍ତ ଅଣଓସାରିଆ ପାହାଚଶ୍ରେଣୀ ରହିଥିବା ଏକ କୁଟୀର ମଧ୍ୟରେ ହିଁ ଘଟିଥିଲା । ଏବଂ ରୁଡ଼ିନ୍ ସେଠାକୁ ଯାଇ ଯେଉଁ କୋଠରୀଟିରେ ପ୍ରବେଶ କଲେ, ସେଠାରେ କାନ୍ଥଉପରେ ପ୍ରକୃତରେ ଏହି ଚିତ୍ରମାନ ହିଁ ଟଙ୍ଗା ହୋଇ ରହିଥିଲେ । ସିଏ ଡାକିବାରୁ ସ୍ଥାନଟିର ପରିଚାଳକ ଆସି ପହଞ୍ଚିଥିଲେ । ସିଏ ଏହି ମାତ୍ର ଅଳ୍ପ ସମୟ ପୂର୍ବରୁ ହିଁ ଶଯ୍ୟାତ୍ୟାଗ କରିଥିଲେ । (ପ୍ରସଙ୍ଗକ୍ରମେ ସମ୍ଭବତଃ ଏପରି ପ୍ରଶ୍ନଟିଏ ପଚରାଯାଇ ପାରିବ ଯେ, ଏପରି ଜଣେ ଭିନ୍ନ ପ୍ରକାରର ଜଣେ ପରିଚାଳକଙ୍କୁ କେହି ଆଦୌ କେବେ ମଧ୍ୟ ଭେଟିଛି, ଯିଏକି ବସ୍ତୁତଃ ଶୋଇନଥିଲେ ଏବଂ ଏହି ଅଳ୍ପ ସମୟ ପୂର୍ବେ ଶଯ୍ୟାତ୍ୟାଗ କଲେ !) ଏବଂ ରୁଡ଼ିନ୍ ଆଦୌ କିଛି ପଚାରିବା ଯାଏ ମୋଟେ ଅପେକ୍ଷା ନକରି ସେ ଆପଣାର ସେହି ନିଦ ବାଲୁବାଲୁ ସ୍ଵରରେ ଜଣାଇ ଦେଇଥିଲେ ଯେ, ବର୍ତ୍ତମାନ ସାଙ୍ଗେ ସାଙ୍ଗେ କୌଣସି ଘୋଡ଼ା ଦେଇ ହେବନାହିଁ ।

 

“ଘୋଡ଼ା ମିଳିବେ ନାହିଁ ଆପଣ ପ୍ରକୃତରେ କିପରି କହିବେ,” —ରୁଡ଼ିନ୍ କହିଥିଲେ, “ମୁଁ ଏଠାରୁ କେଉଁଠାକୁ ଯିବି, ଆପଣ ତ ମୋ’ ଠାରୁ ସେ ବିଷୟରେ କିଛି ଶୁଣିନାହାନ୍ତି ? ମୁଁ ତ ଗାଆଁରୁ ଘୋଡ଼ା ନେଇ ଏଠାକୁ ଆସିଥିଲି !”

 

“କୌଣସି ଜାଗାକୁ ଯିବାପାଇଁ ବର୍ତ୍ତମାନ ଆମପାଖରେ ଘୋଡ଼ା ନାହାନ୍ତି”, –ପରିଚାଳକ ମହାଶୟ ଉତ୍ତର ଦେଇଥିଲେ । “କିନ୍ତୁ, ଆପଣ କେଉଁଠାକୁ ଯିବେ ?”

 

“ମୁଁ ସ୍କ—” ।

 

“ନାଇଁ, ଆମ ହାତରେ ମୋଟେ ଘୋଡ଼ା ନାହାନ୍ତି, “—ପରିଚାଳକ ପୁନର୍ବାର କହିଲେ ଏବଂ ସେଠାରୁ ଚାଲି ଯାଇଥିଲେ ।

 

ରୁଡ଼ିନ୍‌ଙ୍କୁ ବିରକ୍ତ ଲାଗିଲା । ତା’ପରେ ଝରକା ପାଖକୁ ଯାଇ ସେ ନିଜର ଟୋପିଟିକୁ ମୁଣ୍ଡରୁ କାଢ଼ି ଝରକା ପାଖରେ ନେଇ ରଖିଦେଲେ । ତାଙ୍କର ଚେହେରାରେ ଇତି ମଧ୍ୟରେ ଆଦୌ ସେଭଳି କିଛି ପରିବର୍ତ୍ତନ ହୋଇନାହିଁ । ହଁ, ଗତ ଦୁଇବର୍ଷ ଭିତରେ ଅବଶ୍ୟ ଟିକିଏ ହଳଦିଆ ଦିଶୁଛନ୍ତି । ମୁଣ୍ଡର ବାଳରେ ସୂତାଏ ସୂତାଏ ବେଶ୍ ରୂପା ପରି ଧଳା ଚକଚକ ଦେଖାଯାଉଛି । ଏବଂ ଆଖିଗୁଡ଼ିକ ଯଦିଓ ସେହି ପୂର୍ବପରି ଭବ୍ୟ ଏବଂ ଉଜ୍ଜ୍ଵଳ ଦେଖା ଯାଉଛନ୍ତି, ତଥାପି ସେଗୁଡ଼ିକର ଜ୍ୟୋତି କିଛି ପରିମାଣର କ୍ଷୀଣ ହୋଇ ଯାଇଥିବା ପରି ବୋଧ ହେଉଛି । ତାଙ୍କର ଅଧର ଏବଂ କାନମୁଣ୍ଡା ଉପରେ ସରୁସରୁ ଗାର ପଡ଼ିଯାଇଛି, —ନାନା ଅବସରର ତିକ୍ତ ତଥା ଅଶାନ୍ତ ବହୁ ଆବେଗଜନିତ ବିକ୍ଷୋଭର ସୂଚନା ହିଁ ଦେଇଯାଉଛି । ପରିଧାନଗୁଡ଼ିକ ସତେଅବା କୋଉକାଳର ଓ ଏକାନ୍ତ ଅବିନ୍ୟସ୍ତ ଏବଂ ଦେହ ଉପରେ ଆଦୌ କୌଣସି ସୂତାବସ୍ତ୍ର ଦୃଷ୍ଟିଗୋଚର ହେଉ ନଥିଲା-। ତାଙ୍କ ଜୀବନର ସର୍ବୋତ୍ତମ ଦିନଗୁଡ଼ିକ ସୁନିଶ୍ଚିତ ଭାବରେ ଅତିବାହିତ ହିଁ ହୋଇ ଯାଇଥିଲେ । ବଗିଚାର ମାଳିମାନେ ଯେପରି କହି ଥାଆନ୍ତି; ସିଏ ଇତିମଧ୍ୟରେ ମଞ୍ଜି ଧରି ଯାଇଛନ୍ତି-

 

କାନ୍ଥ ଗୁଡ଼ିକରେ କେତେ କ’ଣ ଲେଖାମାନ ରହିଥିଲା ଓ ରୁଡ଼ିନ୍ ସେଗୁଡ଼ିକୁ ପଢ଼ିବାକୁ ଆରମ୍ଭ ଦେଇଥିଲେ । ନିଶ୍ଚୟ କ୍ଳାନ୍ତ ପଥିକମାନେ କ’ଣ ସବୁ ନାନା ସମୟରେ ଗାରେଇ ପକାଇ ଥାଆନ୍ତି, ହଠାତ୍ ଦ୍ଵାରଟି ଖୋଲି ଯାଇଥିଲା ଏବଂ ପରିଚାଳକ ଗୃହ ଭିତରକୁ ଆସିଲେ ।

 

“ସ୍କ-ଯିବାକୁ କୌଣସି ଘୋଡ଼ା ନାହାନ୍ତି, —ଢେର ସମୟ ପର୍ଯ୍ୟନ୍ତ ତେଣେ ଯିବାକୁ ଘୋଡ଼ା ମୋଟେ ମିଳିବେ ନାହିଁ । କିନ୍ତୁ କିଛି ଘୋଡ଼ା ଭ୍-ଯିବାକୁ ପ୍ରସ୍ତୁତ ହେଉଛନ୍ତି ।”

 

“ଭ୍—ଯିବାପାଇଁ ?” ରୁଡ଼ିନ୍ କହିଲେ କିନ୍ତୁ ସେଇଟିତ ଆଦୌ ମୋ’ ରାସ୍ତାରେ ପଡ଼ିବ ନାହିଁ । ମୁଁ ପେନ୍‌ମ ଯିବି ଏବଂ ମୋ’ର ଧାରଣା, ଭ୍-ତ ତାମ୍ବଫ୍‌ର ରାସ୍ତାରେ ପଡ଼େ ।”

 

“କ’ଣ ହେଲା ସେଉଠୁ ?” ତୁମେ ତ ଟାମ୍ବୋଫ୍‌ର ସେଠାକୁ ଯାଇପାରିବ । ଏବଂ ଭ୍-ରୁ ତେଣୁ ତୁମେ ଆଦୌ ଆପଣାର ମାର୍ଗବାହାର ହୋଇଯିବ ନାହିଁ ।

 

ରୁଡ଼ିନ୍ କ୍ଷଣକ ନିମନ୍ତେ କିଞ୍ଚିତ୍‍ ଚିନ୍ତା କରିଥିଲେ ।

 

ଶେଷରେ କହିଲେ, “ତେବେ ଠିକ୍ ଅଛି, ତେବେ ସେମାନଙ୍କୁ ଆପଣ ଘୋଡ଼ା ଯୋଚିବା ସକାଶେ କହନ୍ତୁ । ମୋ’ପାଇଁ ଏକା କଥା ହିଁ ହେବ । ମୁଁ ଟାମ୍ବୋଫ୍ ଯିବି ।”

 

ଘୋଡ଼ାମାନେ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଗଲେ । ରୁଡ଼ିନ୍ ନିଜର ସୁଟକେଶ୍ ନିଜେ ହାତରେ ଧରି ଗାଡ଼ିଉପରକୁ ଯାଇ ବସିଥିଲେ, ଆପଣାର ଆସନଟିଏ ଗ୍ରହଣ କଲେ । ତାଙ୍କ ମୁଣ୍ଡଟା ମଧ୍ୟ ଠିକ୍ ଆଗଭଳି ସାମନାକୁ ଝୁଙ୍କି କରି ରହିଥାଏ । ବେଶ୍ ବକ୍ର ହୋଇ ଆସିଥିବା ତାଙ୍କର ସେହି ଚେହେରାଟିରେ ସ୍ପଷ୍ଟତଃ ଏକ ଅସହାୟତା ତଥା ବେଶ୍ କାରୁଣ୍ୟପୂର୍ଣ୍ଣ ପରାଭବବୋଧର ସ୍ଵୀକୃତି ପରିଲକ୍ଷିତ ହୋଇ ଯାଉଥିଲା....ଏବଂ ତାଙ୍କ ଗାଡ଼ିରେ ଯୋଚା ହୋଇଥିବା ତିନୋଟି ଯାକ ଘୋଡ଼ା ଧୀର ଧୀର ଟାପୁଶବ୍ଦରେ ଅଗ୍ରସର ହୋଇ ବାହାରିଗଲେ ।

 

ଉପସଂହାର

 

ପୁଣି ଆହୁରି କେତେ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲା ।

 

ଶରତ ଋତୁର ଗୋଟିଏ କାଲୁଆ ଦିନ—ସ୍-ନାମକ ଏକ ସରକାରୀ ସାନ ସହରର ଗୋଟିଏ ମୁଖ୍ୟ ହୋଟେଲର ଦୁଆର ପାହାଚ ପାଖରେ ପଥିକମାନଙ୍କୁ ନେବା ଆଣିବା କରୁଥିବା ଗାଡ଼ିଟିଏ ଆସି ଅଟକିଥିଲା । ଜଣେ ଉଚ୍ଚ ହାଇମାରି ଭିଡ଼ି ମୋଡ଼ି ହେଉଥିବା ଭଦ୍ରବ୍ୟକ୍ତି ଗାଡ଼ିରୁ ଓହ୍ଲାଇଥିଲେ । ବୟସ ଖୁବ୍ ବେଶି ହୋଇନାହିଁ, ମାତ୍ର ଯେଉଁପରି ଚେହେରାଟିଏ ଥିଲେ ସାଧାରଣତଃ ଲୋକମାନେ ଜଣେ ବ୍ୟକ୍ତିଙ୍କୁ ଅବଶ୍ୟ ଜଣେ ସମ୍ମାନସ୍ପଦ ବ୍ୟକ୍ତି ହୋଇଥିବେ ବୋଲି ଧାରଣା କରି ଥାଆନ୍ତି, ତାଙ୍କ ତାଙ୍କ ଚେହେରାଟି ସତେଅବା ପ୍ରାୟ ସେହିଭଳି ଆକୃତିଟିଏ ଧାରଣ କରି ଆସିବା ପରି ବୟସ ହୋଇ ଯାଇଥିଲା । ସିଏ ସିଡ଼ିବାଟରେ ଉଠି ଉପର ମହଲାକୁ ଗଲେ ଏବଂ ଗୋଟିଏ ପ୍ରଶସ୍ତ ବାରଣ୍ଡାର ଦ୍ଵାରଦେଶରେ ପହଞ୍ଚି ଯାଇଥିଲେ । ସାମନାରେ କୌଣସି ଲୋକକୁ ଦେଖି ନ ପାରିବାରୁ ସିଏ ବଡ଼ ପାଟିରେ ତାଙ୍କର ଗୋଟିଏ କୋଠରୀ ଆବଶ୍ୟକ ବୋଲି ସୂଚାଇ ଦେଇଥିଲେ । ହଠାତ୍ ସେଇଠି କୌଣସି ଠାରେ ଦୁଆର ଖୋଲିବାର ଆବାଜ ହେଲା ଏବଂ ଜଣେ ଦୀର୍ଘାକୃତି ପରିଚାରକ ଗୋଟିଏ ଅଳ୍ପୋଚ୍ଚ ପରଦାର ପାଶ୍ଚାତ୍‌ପଟରୁ ଲମ୍ଫପ୍ରଦାନ କଲାପରି ବାହାରି ଆସିଥିଲା । ଟାଉ ଟାଉ କରି ପଦଚାଳନା କରି ସେଠାରେ ଆସି ଠିଆ ହୋଇଥିଲା । ସେହି ଅଧା-ଅନ୍ଧାରିଆ ବାରଣ୍ଡାଟିରେ ତା’ର ପିଠିଟା ବେଶ୍ ଉଜ୍ଜ୍ଵଳ ଦେଖା ଯାଉଥିଲା ଏବଂ ଜାମାର ହାତଗୁଡ଼ାକ ଉପରକୁ ମୁହଁ କରି ମୋଡ଼ି ହୋଇ ରହିଥିଲେ । ପଥିକ ଜଣକ ସେଇଠାରେ ଗୋଟିଏ କୋଠରୀ ମଧ୍ୟକୁ ପଶିଗଲେ ଏବଂ ଅବିଳମ୍ବେ ସୋଫା ଉପରେ ତାଙ୍କ କୋଟ୍ ଏବଂ ସ୍କାର୍ଫ୍‌ଟିକୁ ପକାଇଦେଇ ତାହାରି ଉପରେ ଯାଇ ବସି ପଡ଼ିଥିଲେ । ସିଏ ନିଜ ହାତରେ ମୁଠାଗୁଡ଼ିକୁ ଦୁଇ ଆଣ୍ଠୁ ଉପରେ ଭରା ଦେଇ ରଖି ଆଗ ଚାରିଆଡ଼କୁ ଆଖି ଆଣିଥିଲେ, —ସତେ ଯେପରି ଏପର୍ଯ୍ୟନ୍ତ ମଧ୍ୟ ନିଦ୍ରାଳୁ ହୋଇ ରହିଛନ୍ତି । ତା’ପରେ ତାଙ୍କ ପାଇଁ ନିଯୁକ୍ତ ଭୃତ୍ୟଟିକୁ ଆସିବାଲାଗି ଆଦେଶ ଦେଲେ-। ହୋଟେଲ୍ ପରିଚର୍ଯ୍ୟାକାରୀଟି ମସ୍ତକ ନୁଆଁଇ ସେଠାରୁ ନିଷ୍କ୍ରାନ୍ତ ହୋଇ ଯାଇଥିଲା । ସେହି ପଥିକ ହେଉଛନ୍ତି ପ୍ରକୃତରେ ଲେଜ୍‌ଝନିଓଭ୍ । ସିଏ ଗ୍ରାମାଞ୍ଚଳରୁ ଏହି ସହରକୁ ଆସିଥିଲେ, କିଛି ଲୋକସଂଗ୍ରହ କରିବା ଉଦ୍ଦେଶ୍ୟରେ ।

 

ତାଙ୍କର ପରିଚର୍ଯ୍ୟା ପାଇଁ ଯେଉଁ ଭୃତ୍ୟଟି ଆସି ପହଞ୍ଚିଲା, ତା’ ମୁଣ୍ଡର ବାଳଗୁଡ଼ିକ ବେଶ୍‍ କୁଞ୍ଚୁ କୁଞ୍ଚୁ ଦିଶୁଥିଲା, ଏହି ଯୁବକ-ବୟସରେ ଗାଲମାନେ ବି ବେଶ୍ ଗୋଲାପୀ ବର୍ଣ୍ଣ ଧାରଣ କରିଥିଲେ । ପରିଧାନ ଗୋଟିଏ ଧୂସର ରଙ୍ଗର କୋଟ୍ ବେଙ୍ଗ ଅଣ୍ଟା ଚାରିପାଖରେ ନୀଳ ରଙ୍ଗର ଦୋପଟ୍ଟା ଗୋଟିଏ । ପାଦରେ ନରମା ଜୋତା । ସିଏ ଘର ଭିତରକୁ ଆସିଥିଲା ।

 

ଲେଜ୍‌ଝନିଓଭ୍‌ ତାକୁ ଉଦ୍ଦେଶ୍ୟ କରି କହିଲେ, —“ତେବେ ଶୁଣ, ବାଳକ, ତୁମେ ନିଶ୍ଚୟ ଖୁବ୍ ଭୟ କରୁଥିଲେ ଯେ ମୋ’ ଗାଡ଼ିରୁ ହୁଏତ ଚକଟାଏ ହୁଗୁଳି ବାହାରି ଯାଇଥିବ ।”

 

ଭୃତ୍ୟ ବାଳକଟିର କଲର ଉପରେ ତା’ ମୁହଁର ଈଷତ୍‍ ହସଟିଏ ଫୁଟି ଉଠୁଥିଲା । ସିଏ କହିଲା, “ଚକା ନହୁଗୁଳିବାର କାରଣଟିଏ ପୁଣି କ’ଣ ହୋଇଥିବ ?”

 

“ଏଠାରେ କେହି ନାହାନ୍ତି କି !” —ବାହାର ବାରଣ୍ଡା ଆଡ଼ୁ କାହାର ଆବାଜ ଶୁଭିଲା । ଲେଜ୍‌ଝନିଓଭ୍ କିଏ ଡାକୁଛି ବୋଲି ଜାଣିବାକୁ କାନ ଡେରିଲେ ।

 

“ଏଠାରେ କିଏ ଅଛ କହୁନା କାହିଁକି ?” —ପୁଣି ବାହାରୁ ଶୁଭିଲା ।

 

ଲେଜ୍‌ଝନିଓଭ୍‌ ଉଠି ଠିଆ ହେଲେ ଏବଂ ଦୁଆର ଯାଏ ଯାଇ ସେଇଟିକୁ ତତ୍‌କ୍ଷଣାତ୍ ଖୋଲି ଦେଇଥିଲେ ।

 

ତାଙ୍କ ସମ୍ମୁଖରେ ଜଣେ ବେଶ୍ ଡେଙ୍ଗା ବ୍ୟକ୍ତି ଠିଆ ହୋଇଥିଲେ । ଖୁବ୍ ନଇଁ ପଡ଼ିଲେଣି, ବାଳକମାନେ ପୂରା ଧୂସର ପାଲଟି ଯାଇଛନ୍ତି—ଦେହରେ ଲତାମାନଙ୍କର କମ୍ ପଡ଼ିଥିବା ଗୋଟିଏ କୋଟ୍ ପିନ୍ଧିଛନ୍ତି ବେଙ୍ଗ ସେଥିରେ ପିତଳ ବୋତାମସବୁ ଲାଗିଛନ୍ତି ।

 

ଚିହ୍ନିଲେ । “ରୁଡ଼ିନ୍”, —ଭାରି ଆବେଗପୂର୍ଣ୍ଣ ଏକ ଆବାଜରେ ସିଏ ଚିତ୍କାର କରି କହିଲେ ।

 

ରୁଡ଼ିନ୍ ବୋଲି ଅନାଇଲେ । ହଠାତ୍ ଲେଜ୍‌ଝନିଓଭ୍‌ଙ୍କର ଚେହେରାଟିକୁ ପୂରା ବାରି ପାରିନଥିଲେ । କାରଣ ଲେଜ୍‌ଝନିଓଭ୍‌ ପ୍ରକୃତରେ ଆଲୁଅ ଆଡ଼କୁ ପିଠି କରି ଛିଡ଼ା ହୋଇଥାନ୍ତି । ଏବଂ ରୁଡ଼ିନ୍‌ଙ୍କ ଆଡ଼କୁ ବିମୂଢ଼ ହୋଇ ଅନାଇ ରହିଥାନ୍ତି ।

 

“ତୁମେ ମୋତେ ଚିହ୍ନି ପାରୁନାହଁ ?” —ଲେଜ୍‌ଝନିଓଭ୍ କହିଲେ ।

 

“ମିହାଇଲୋ ମିହାଇଲିଚ୍ !” —ରୁଡ଼ିନ୍ ଚିତ୍କାର କରି ଉଠିଲେ ଏବଂ ନିଜର ହାତଗୁଡ଼ିକୁ ତାଙ୍କ ଆଡ଼କୁ ପ୍ରସାରିତ କରି ଦେଇଥିଲେ । କିନ୍ତୁ, ସତେଅବା କୌଣସି ଗୋଳମାଳରେ ପଡ଼ି ସେଗୁଡ଼ିକୁ ପୁଣି ଫେରାଇ ଆଣିଲେ । ଲେଜ୍‌ଝନିଓଭ୍ ତରତର ହୋଇ ସେଗୁଡ଼ିକୁ ପୁନର୍ବାର ନିଜର ହାତଦୁଇଟି ମଧ୍ୟକୁ ଜଡ଼ିତ କରି ନେଇଥିଲେ ।

 

“ଆସ, ଭିତରକୁ ଆସ,” —ସେ ରୁଡ଼ିନ୍‌ଙ୍କୁ ଉଦ୍ଦେଶ୍ୟ କରି କହିଲେ । କହି ରୁଡ଼ିନ୍‌ଙ୍କୁ ଘର ଭିତରକୁ ଟାଣି ନେଇ ଆସିଥିଲେ ।

 

‘‘ତୁମେ କେତେ ବଦଳି ଯାଇଛ,” —କିଛି ସମୟ ନୀରବ ରହିବା ପରେ ଲେଜ୍‌ଝନିଓଭ୍ ପୁନର୍ବାର ସେହିପରି ଚିତ୍କାର କଲାଭଳି ହିଁ କହିଥିଲେ । ତା’ପରେ ପୁଣି ପ୍ରାୟ ଅଜଣାତରେ ସ୍ଵରଟିକୁ ନୀଚା କରି ଆଣିଥିଲେ ।

 

“ହଁ, ସମସ୍ତେ କହୁଛନ୍ତି,” —ରୁଡ଼ିନ୍ ଉତ୍ତର ଦେଲେ । କୋଠରୀଟି ଭିତରେ ତାଙ୍କର ଆଖିଗୁଡ଼ିକ ଇତସ୍ତତଃ ହେବାରେ ଲାଗି ରହିଥାନ୍ତି । “ଏହି ଏତେଗୁଡ଼ିଏ ବର୍ଷ... ମାତ୍ର ତୁମେ ଖୁବ୍ ବେଶି ମୋଟେ ବଦଳିନାହିଁ ! ଏବଂ ତୁମର ପତ୍ନୀ ଆଲେକ୍‌ଜାଣ୍ଡ୍ରା, —ସିଏ କିପରି ଅଛନ୍ତି ?”

 

“ସିଏ ଖୁବ୍ ଭଲ ଅଛନ୍ତି, —ଧନ୍ୟବାଦ । ମାତ୍ର ତୁମେ କ’ଣ ପାଇଁ ଏଠାକୁ ଆସିଛ ?”

 

“ସେଇଟି ଗୋଟିଏ ଖୁବ୍ ଲମ୍ବା କାହାଣୀ । ଏକାବେଳେକେ ସତ କଥା କହିବାକୁ ଗଲେ ମୁଁ ଦୈବାତ୍ ଏଠି ଆସି ପହଞ୍ଚି ଯାଇଛି । ମୁଁ ଜଣେ ବନ୍ଧୁଙ୍କୁ ଖୋଜୁଥିଲି । ମାତ୍ର, କେଡ଼େ ଖୁସି ଲାଗୁଛି....”

 

“ଆଜି ଭୋଜନ କରିବାପାଇଁ କେଉଁଠାକୁ ଯିବ ?”

 

“ଏପର୍ଯ୍ୟନ୍ତ ଠିକ୍ କରିନାହିଁ । ଗୋଟାଏ କୋଉ ରେସ୍ତେରାଁକୁ ଚାଲିଯିବି । ମୋତେ ତ ଆଜି ଏଠାରୁ ଅନ୍ୟତ୍ର ଯିବାକୁ ପଡ଼ିବ ।”

 

“ନିହାତି ଯିବାକୁ ପଡ଼ିବ ?”

 

ରୁଡ଼ିନ୍ ଅର୍ଥପୂର୍ଣ୍ଣ ଭାବରେ ଈଷତ୍‍ ହସିଥିଲେ ।

 

“ହଁ, ଯିବାକୁ ହେବ । ସେମାନେ ମୋତେ ମୋ’ନିଜ ଜାଗାକୁ ପଠାଇ ଦେଉଛନ୍ତି । ମୋ’ ଘରକୁ ।”

 

‘‘ଆଜି ମୋ’ ସହିତ ଭୋଜନ କରିବ ।’’

 

ଏତେବେଳେ ଯାଇ ରୁଡ଼ିନ୍ ଲେଜ୍‌ଝନିଓଭ୍‌ଙ୍କ ମୁହଁକୁ ସିଧା ହୋଇ ଚାହିଁଲେ । ପଚାରିଲେ, “ତୁମେ ମୋତେ ଆଜି ତୁମ ସହିତ ଖାଇବାପାଇଁ ଡାକୁଛ ?”

 

“ହଁ, ଡାକୁଛି । ପୂର୍ବର ସେହି ସମୟଟି ପାଇଁ ବେଙ୍ଗ ଏକ ପୂରାତନ ବନ୍ଧୁତା ପାଇଁ । ଯିବତ ? ତୁମ ସାକ୍ଷାତ ହେବ ବୋଲି ମୁଁ ଆଦୌ ଆଶା କରିନଥିଲି । ଏବଂ ପୁଣି କେବେ ଆମ ଦୁହିଁଙ୍କ ମଧ୍ୟରେ ଯେ ଦେଖା ହେବ, ସେକଥା କେବଳ ଭଗବାନ ହିଁ ଜାଣନ୍ତି । ତେଣୁ, ମୁଁ କଦାପି ଏପରି ଭାବରେ ବିଦାୟ ଦେଇ ପାରିବିନାହିଁ ।”

 

“ଆଚ୍ଛା, ତାହାହିଁ ହେଉ । ମୁଁ ରାଜି ।”

 

ଲେଜ୍‌ଝନିଓଭ୍ ରୁଡ଼ିନ୍‌ଙ୍କର ହାତକୁ ଚାପି ଧରିଲେ ଏବଂ ନିଜ ପରିଚାରକକୁ ଡାକି ଭୋଜନର ବରାଦ ଦେଲେ; ପୁନଶ୍ଚ, ବରଫ ଦିଅ । ବୋତଲେ ମଦ ମଧ୍ୟ ଆଣିବାପାଇଁ କହିଥିଲେ-

 

ଭୋଜନ ସମୟରେ, ସତେଅବା ଉଭୟଙ୍କର ରାଜି ରହିଥିବା ପରି, ଲେଜ୍‌ଝନିଓଭ୍ ଏବଂ ରୁଡ଼ିନ୍, ସେମାନଙ୍କର ଛାତ୍ର-ସମୟର ଦିନଗୁଡ଼ିକ ବିଷୟରେ ହିଁ ଚର୍ଚ୍ଚା ଆରମ୍ଭ କରି ଦେଇଥିଲେ । କେତେ କେତେ କଥା, କେତେ କେତେ ବନ୍ଧୁମାନଙ୍କର କଥା, —ମୃତ ତଥା ଜୀବିତ ବହୁ ବନ୍ଧୁଙ୍କ ବିଷୟରେ । ପ୍ରଥମ ଅବସ୍ଥାରେ ରୁଡ଼ିନ୍ କିଞ୍ଚିତ୍ ଆଗ୍ରହର ସହିତ କଥା ହୋଇଥିଲେ, ମାତ୍ର ବେଶ୍ କେତେ ଗିଲାସ ସୁରା ପେଟରେ ଯାଇ ପଡ଼ିବା ପରେ ତାଙ୍କର ରକ୍ତଟା ମଧ୍ୟ ଅଧିକ ଗରମ ହୋଇ ଯାଇଥିଲା । ଶେଷରେ ପରିଚାଳକ ଆସି ଶେଷ ଭୋଜନପାତ୍ରଟିକୁ ଉଠାଇ ନେଇଗଲା । ଲେଜ୍‌ଝନିଓଭ୍ ଉଠି ଛିଡ଼ା ହୋଇଥିଲେ, ଦରଜା ବନ୍ଦ କଲେ ଏବଂ ପୁନରାୟ ଟେବୁଲ୍‌କୁ ଫେରି ଆସିଲେ । ରୁଡ଼ିନ୍‌ଙ୍କୁ ସାମନା କରି ବସିଲେ ଏବଂ କୌଣସି କଥା ନକହି ନିଜର ହାତଦୁଇଟି ଉପରେ ଚିବୁକଟିକୁ ନେଇ ରଖିଦେଲେ ।

 

ଏବଂ କହିଲେ, “ଏଥର ତୁମେ କହ, ବିଗତ ଆମର ସର୍ବଶେଷ ସାକ୍ଷାତଟି ପରେ ଇତିମଧ୍ୟରେ କ’ଣ ସବୁ ଘଟଣା ଘଟିଛି !”

 

ରୁଡ଼ିନ୍ ଲେଜ୍‌ଝନିଓଭ୍‌ଙ୍କ ଆଡ଼କୁ ଅନାଇ ରହିଲେ ।

 

“ହେ ଭଗବାନ !” —ଲେଜ୍‌ଝନିଓଭ୍ ମନରେ ଭାବୁଥାନ୍ତି, “ରୁଡ଼ିନ୍ ପ୍ରକୃତରେ କେତେ ବଦଳି ଯାଇଛନ୍ତି ! ବିଚରା ରୁଡ଼ିନ୍ ।”

 

ସେହି ବାଟରହଣି ସ୍ଥାନଟିରେ ରୁଡ଼ିନ୍‌ଙ୍କ ସହିତ ଆମର ଯେଉଁ ଭେଟ ହୋଇଥିଲା, ସିଏ ତା’ପରେ ପ୍ରାୟ ସେପରି କିଛି ଆଦୌ ବଦଳିଯାଇ ନଥିଲେ । ହଁ, ବୃଦ୍ଧାବସ୍ଥା ନିକଟ ହୋଇ ଆସୁଥିବାର କେତେ ଲକ୍ଷଣ ଅବଶ୍ୟ ପ୍ରକଟ ହେଉଛି, —କିନ୍ତୁ ସେଗୁଡ଼ିକର ଅଭିବ୍ୟକ୍ତି କିଞ୍ଚିତ୍ ଅଲଗା ପ୍ରକାରେ ପ୍ରକାଶ ପାଉଛି । ଏବେ ତାଙ୍କ ଆଖିଗୁଡ଼ିକର ଚାହାଣି ବଦଳି ଯାଇଛି, ତାଙ୍କର ସମୁଦାୟ ସତ୍ତାଟି, ଅଙ୍ଗ-ସଂଚାଳନ, —ଏକଦା ଏଗୁଡ଼ିକ କେଡ଼େ ଧୀର ହିଁ ଥିଲେ, ଏହି ସବୁ କିଛି ବେଶ୍ ଅସମ୍ବନ୍ଧ ହୋଇଯାଇଛି, —ସେଗୁଡ଼ିକରେ ଖୁବ୍‌ ବେଶି ସଂଲଗ୍ନତା ଦେଖିବାକୁ ମିଳୁନାହିଁ । ସତେ ଯେପରି ଭିତରେ କେଉଁଠାରେ କ’ଣ ପେଷି ହୋଇ ଯାଇଥିବା ପରି ତାଙ୍କ କଥା ଗୁଡ଼ିକ ଅତ୍ୟନ୍ତ ଶକ୍ତିହୀନ ହୋଇ ପଡ଼ିଛି । ଏହି ସବୁକିଛିରୁ ଅନୁମିତ ହେବ ଯେ, ସିଏ ନିଶ୍ଚୟ ଖୁବ୍ ଅବସନ୍ନ ହୋଇ ଯାଇଛନ୍ତି । କ’ଣଟିଏ ହୁଏତ ମୂକ ହୋଇଯାଇଛି, ସତେଅବା ଏକ ନୈରାଶ୍ୟଭାବ ବେଶ୍ ପ୍ରଚ୍ଛନ୍ନ ହୋଇ ରହିଯାଇଛି । ଏକଦା ତାଙ୍କର ସାଧାରଣ ଆଚରଣଟିରେ ସେ କାଳର ଯୌବନସୁଲଭ ଧାରାଟି ଅନୁସାରେ ଯେଉଁ ଅର୍ଦ୍ଧଛନ୍ନ ଉଦାସଭାବଟିର ପରିଚୟ ମିଳୁଥିଲା, ଏଇଟି ତା’ଠାରୁ ସତେଅବା ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଅଲଗା ଧରଣର । କାରଣ, ସେହି ଯୌବନ ସମୟରେ ସେହି ବୟସର ସମସ୍ତଙ୍କ ଠାରେ ହିଁ କେତେ ପ୍ରାଞ୍ଜଳ ହୋଇ ରହିଥାଏ ।

 

“ମୋ ଜୀବନରେ ଯାହା ଯାହା ଘଟିଛି, ତୁମ ଆଗରେ ସବୁ କହିବି ?” —ରୁଡ଼ିନ୍ ଉତ୍ତର ଦେଇ କହିଥିଲେ । “ସବୁଯାକ ମୋଟେ କହି ପାରିବିନାହିଁ । କହିବାର କିଛି ପ୍ରୟୋଜନ ବି ନାହିଁ । ମୋ’ର ସବୁକିଛି ଜୀର୍ଣ୍ଣ ଓଁ ଖଣ୍ଡ ଖଣ୍ଡ ହୋଇଯାଇଛି । ଇତିମଧ୍ୟରେ ମୁଁ କେତେ କୁଆଡ଼େ କେବଳ ଭ୍ରମି ବୁଲିଛି, —ନିଜ ଭାବନାରେ ଏବଂ ଶରୀରରେ । କେତେ କେତେ ଥାନରେ ଯାଇ ବନ୍ଧୁତା ସ୍ଥାପନ କରିଛି; ଏବଂ ହେ ଭଗବାନ ! କେତେ କେତେ ବସ୍ତୁରୁ ତଥା କେତେ କେତେ ମନୁଷ୍ୟଙ୍କ ଠାରୁ ମୋ’ର ପ୍ରତ୍ୟୟ ତୁଟି ନଯାଇଛି ! ହଁ, କେତେ ନା କେତେ ।” —ରୁଡ଼ିନ୍ କହୁଥିଲେ; ଏବଂ ବେଶ୍ ଲକ୍ଷ୍ୟ କରି ପାରୁଥିଲେ ଯେ ଲେଜ୍‌ଝନିଓଭ୍ ମଧ୍ୟ କ୍ରମେ ଗୋଟିଏ ପ୍ରକାର ଖାସ୍ ସହାନୁଭୂତି ସହିତ ତାଙ୍କ ମୁହଁକୁ ଅନାଇ ରହିବାରେ ଲାଗିଥିଲେ । “ମୋ’ ନିଜ ମୁହଁରୁ ବାହାରିଥିବା କଥାସବୁ ଆଖର ମୋ’ନିଜ ଭିତରେ ମଧ୍ୟ କେତେ କେତେ ଘୃଣାର ଯୋଗ୍ୟ ନହୋଇଛନ୍ତି । ହଁ, ମୋ’ ନିଜ ମୁହଁରୁ ଉଚ୍ଚାରିତ କଥାଗୁଡ଼ିକ ନୁହନ୍ତି, ମାତ୍ର ଯେଉଁମାନେ ମୋ’ ମତମାନଙ୍କୁ ଗ୍ରହଣ କରି ନେଉଥିଲେ, ସେଇମାନଙ୍କର ମୁଖରୁ ଉଚ୍ଚାରିତ କଥା ଗୁଡ଼ିକ । ହଁ, କେତେ କେତେଥର କୌଣସି ସାନ ପିଲାର ବଦଖିଆଲୀ କଥାଗୁଡ଼ିକ ସ୍ତରରୁ ପାଞ୍ଚଣମାଡ଼ ଖାଉଥିବା ସମୟରେ ନିଜ ଲାଙ୍ଗୁଡ଼ଟି ଦ୍ଵାରା ତଥାପି ପ୍ରହାର କରିବାକୁ ଇଚ୍ଛା କରୁଥିବା ଗୋଟାଏ ଘୋଡ଼ାର ସମ୍ପୂର୍ଣ୍ଣ ଢିଲା ଉଦାସୀନଭାବ ପର୍ଯ୍ୟନ୍ତ ଚିତ୍ରଣ ବାଢ଼ିଦେଇ ସେମାନେ ମୋ’ର ଉପସ୍ଥାପନା ନକରିଛନ୍ତି ! ....ହଁ, ବେଳେବେଳେ କେତେ ନା କେତେ ଖୁସି ମଧ୍ୟ ହୋଇଛି, କେତେକେତେ ଆଶା ବି ପୋଷଣ କରିଛି, —କେତେକେତେ ଶତ୍ରୁଙ୍କୁ ସୃଷ୍ଟି କରିଛି ଏବଂ ବୃଥା ମୁଣ୍ଡ ନୁଆଇଁବାକୁ ମଧ୍ୟ ବାଧ୍ୟ ହୋଇଛି । ପୁନଶ୍ଚ, କେତେକେତେ ଅବସରରେ ଗୋଟାଏ ଈଗଲ ପକ୍ଷୀ ସଦୃଶ କୁଆଡ଼େ ଉଡ଼ିଯାଇ ପାରିଛି ଏବଂ ପୁନର୍ବାର ସତେଅବା କାହାର ଗୋଡ଼ତଳେ ଖୋଳପାଟା ଦଳି ହୋଇ ଯାଇଥିବା ସେହି ଗେଣ୍ଡାଟି ପରି ଘୁଷୁରି ଘୁଷୁରି ବାହୁଡ଼ି ଆସିଛି ! .....ହଁ, ପ୍ରକୃତରେ କେତେ କୁଆଡ଼େ ନଯାଇଛି ଏବଂ କେତେ କେତେ ରାସ୍ତା ନଭ୍ରମିଛି । ଏବଂ ସେହି ରାସ୍ତାମାନେ ଯେ ସମ୍ପୂର୍ଣ୍ଣ ଭାବରେ ମଇଳାରେ ହିଁ ଭର୍ତ୍ତି ହୋଇ ରହିଥିଲେ, ଅନେକ ସମୟରେ କେବଳ ତାହାହିଁ ଆବିଷ୍କାର କରିଛି ।” କିଞ୍ଚିତ୍‍ ଅନ୍ୟ ଆଡ଼କୁ ଆଖି ବୁଲାଇ ନେଇ ରୁଡ଼ିନ୍ ପୁଣି ଆରମ୍ଭ କଲେ, “ତୁମେ ଜାଣିଛ, ଲେଜ୍‌ଝନିଓଭ୍....”, କିନ୍ତୁ ଲେଜ୍‌ଝନିଓଭ୍ ସତେ ଅବା ମଝିରେ ବାଧା ଦେଲା ପରି କହିଥିଲେ, “ଆମେ ଦୁହେଁ ଏକଦା ପରସ୍ପରକୁ ‘ଡିମିଟ୍ରି’ ଏବଂ ‘ମିହାଇଲ୍’ ବୋଲି ସମ୍ବୋଧନ କରୁଥିଲେ, ତୁମର ମନେ ଅଛି ? ବର୍ତ୍ତମାନ ଚାଲ ଆମର ସେହି ତରିକାଟିକୁ ଫେରିଯିବା । ....ତୁମେ ରାଜି ? ଚାଲ ସେହି ଦିବସଗୁଡ଼ିକ ସ୍ମରଣ କରି ଆଉ ଢୋକେ !”

 

ରୁଡ଼ିନ୍ ଚମକି ଉଠିବା ପରି ଅନୁଭବ କରିଥିଲେ ଏବଂ ଟିକିଏ ସଚେତନ ହୋଇ ଯାଇଥିଲେ । ଏବଂ ତାଙ୍କର ଆଖିଭିତରେ ଏପରି ଏକ ଆଲୋକରେଖା ଆବିର୍ଭୂତ ହୋଇ ଆସିବାପରି ଲାଗିଲା ଯାହାକୁ କଦାପି କୌଣସି ଶବ୍ଦ ଦେଇ ବ୍ୟକ୍ତ ହେବନାହିଁ ।

 

“ହଁ, ପ୍ରକୃତରେ ସେହି ଦିନଗୁଡ଼ିକର ସ୍ମୃତିରେ”, —ସିଏ ଉତ୍ତର ଦେଲେ, “ଭାଇ, ତୁମକୁ ପ୍ରକୃତରେ ଧନ୍ୟବାଦ ଦେବି —ହଁ, ଆମେ ସେହି ଦିନଗୁଡ଼ିକୁ ସ୍ମରଣ କରି ଆଉଥରେ ସୁରାପାନ କରିବା ।”

 

ଲେଜ୍‌ଝନିଓଭ୍ ଓ ରୁଡ଼ିନ୍ ଉଭୟଙ୍କର ଗିଲାସରୁ ସୁରା ଶେଷ ହୋଇ ଯାଇଥିଲା ।

 

“ତୁମକୁ ଜଣା ଅଛି ମିହାଇଲ୍,” —କିଞ୍ଚିତ୍‍ ହସି ଏବଂ ସେହି ନୂଆ ସମ୍ବୋଧନଟି ଉପରେ ଜୋର ଦେଇ ରୁଡ଼ିନ୍ ପୁନର୍ବାର ଆରମ୍ଭ କଲେ, “ମୋ’ ଭିତରେ ଗୋଟାଏ ପୋକ ପ୍ରକୃତରେ ଘରକରି ରହିଛି, ଯିଏକି ମୋତେ ଅନୁକ୍ଷଣ କାମୁଡ଼ି ଧରିଛି ଏବଂ ଉତ୍ପୀଡ଼ିତ କରିବାରେ ଲାଗିଛି ଏବଂ ଶେଷ ଯାଏ ବି ମୋତେ ମୁହୂର୍ତ୍ତେ ଶାନ୍ତି ଦେବାକୁ ରାଜି ହେଉନାହିଁ । କେତେ କେତେ ବ୍ୟକ୍ତିଙ୍କ ସହିତ ମୋ’ର ସଂଘାତ ଘଟାଉଛି—ସେହି ଲୋକମାନେ ମୋ’ର ପ୍ରଭାବରେ ଆସି ପଡ଼ି ଯାଉଛନ୍ତି, କିନ୍ତୁ ପରେ... ?

 

ରୁଡ଼ିନ୍ ନିଜ ହାତଟିକୁ ଶୂନ୍ୟରେ ବୁଲାଇ ଆଣିଥିଲେ ।

 

“ମିହାଇଲ୍ ତୁମଠାରୁ ବିଦାୟ ନେଇ ଆସିବା ପରେ ମୁଁ ଇତିମଧ୍ୟରେ ବହୁତ କିଛି ଦେଖିଛି, ବହୁତ ବହୁତ ପରିବର୍ତ୍ତନକୁ ଅଙ୍ଗେ ନିଭାଇଛି ... ଜୀବନଟିଏ ବଞ୍ଚିବାକୁ ଆରମ୍ଭ କରିଛି, ସମ୍ଭବତଃ କୋଡ଼ିଏ କୋଡ଼ିଏ ବାର କ’ଣ ନା କ’ଣଟିଏ ନୂଆ ଆରମ୍ଭ କରିଛି .... ଏବଂ ଏଠାରେ, ତୁମେ ଅବଶ୍ୟ ଦେଖିପାରୁଛ !”

 

“ତୁମ ଭିତରେ କୌଣସି ସ୍ଥିରତା ନଥିଲା”, —ଲେଜ୍‌ଝନିଓଭ୍ କହିଥିଲେ, ସତେ ଯେପରି ଆପଣାକୁ ଉଦ୍ଦେଶ୍ୟ କରି ସିଏ କଥାଟିକୁ କହୁଥିଲେ ।

 

“ହଁ, ତୁମେ ଯେପରି କହୁଛ, ମୋ’ର ସେହି ସ୍ଥିରତାଟିର ଅଭାବ ଥିଲା । ମୁଁ କେବେହେଲେ କିଛି ତିଆରି କରି ଦେଖାଇ ଦେଇ ପାରିଲି ନାହିଁ । କିନ୍ତୁ, ବନ୍ଧୁ, ଯେତେବେଳେ ନିଜ ଗୋଡ଼ତଳର ସେହି ଭୂମିଟିକୁ ହିଁ ପ୍ରଥମେ ତିଆରି କରିବାକୁ ରହିଥାଏ, ଯେତେବେଳେ ଆପଣାର ମୂଳଦୁଆଟିକୁ ଆପଣାକୁ ହିଁ ନିର୍ମାଣ କରି ଆଣିବାକୁ ହେଉଥାଏ, ସେତେବେଳେ କିଛି ଗଢ଼ି ଦେଖାଇ ଦେବା ପ୍ରକୃତରେ କଷ୍ଟକର ହୁଏ । ମୋ’ର ସବୁକିଛି ଦୁଃସାହସ, ନିର୍ଭୁଲ ଭାବରେ କହିଲେ ମୋ’ର ସବୁ କିଛି ବିଫଳତା, —ମୁଁ ସେଗୁଡ଼ିକର କାହାଣୀଗୁଡ଼ିକୁ ତୁମ ଆଗରେ ବର୍ଣ୍ଣନା କରି ମୋଟେ କହିବି ନାହିଁ । କେବଳ ଦୁଇ ତିନୋଟି ଘଟଣା ବିଷୟରେ କିଛି କହିବି, —ମୋ ଜୀବନର କେତୋଟି ଘଟଣା, ଯେତେବେଳେ ପ୍ରାୟ ଖୁବ୍ ଲାଗୁଥିଲା ଯେ ସଫଳତା ମୋ’ ଦୁଆର ପାଖକୁ ଆସି ସତେଅବା ଅପେକ୍ଷା କରିଛି, ଅଥବା—ବରଂ ଯେତେବେଳେ ମୁଁ ସଫଳତା ନିଶ୍ଚୟ ମିଳିଲା ବୋଲି ଆଶା କରିବାକୁ ଆରମ୍ଭ କରିଥିଲି, —ହଁ, ଏହି ଦୁଇଟି ଯାକକୁ କେବେହେଲେ କଦାପି ଗୋଟିଏ ପ୍ରକାରର ବୋଲି ନକହି ହେବନାହିଁ ।”

 

ରୁଡ଼ିନ୍ ନିଜ ମୁଣ୍ଡର କ୍ରମେ ପତଳା ହୋଇ ଆସୁଥିବା ଧୂସର କେଶଗୁଚ୍ଛ ମାନନଙ୍କୁ ପଛକୁ ସାଉଁଳେଇ ନେଇଥିଲେ, —ଠିକ୍ ସେହି ସେକାଳର ଭଙ୍ଗୀରେ, ଯେତେବେଳେ ବି ସେଗୁଡ଼ିକ ତାଙ୍କ ମୁଣ୍ଡଟି ଉପରେ ଘନ ହୋଇ ବଢ଼ିଥିଲେ ଓ ଗୋଟିଏ ହେଲେ ଗୁଚ୍ଛ ଧୂସର ଦେଖା ଯାଉନଥିଲେ ।

 

“ମିହାଇଲ୍‍, ମୁଁ ଅବଶ୍ୟ କହିବି ଯେ,” ସିଏ ପୁଣି ଆରମ୍ଭ କରିଥିଲେ “ମସ୍କୋରେ ରହୁଥିବା ସମୟରେ ମୁଁ ଜଣେ ବେଶ୍ ବିଚିତ୍ର ବିଚିତ୍ର ବ୍ୟକ୍ତିଙ୍କର ପରିଚୟରେ ଆସିଥିଲି । ଖୁବ୍ ବିତ୍ତଶାଳୀ ଏବଂ ବହୁ ସ୍ଥାବର ସମ୍ପତ୍ତିର ଅଧିକାରୀ । ତାଙ୍କର ଯେଉଁ ଗୋଟିଏ ଝୁଙ୍କକୁ ସିଏ ସର୍ବାଗ୍ର ସ୍ଥାନ ଦେଉଥିଲେ, ତାହା ହେଉଛି ବିଜ୍ଞାନ ପ୍ରତି ତାଙ୍କର ସମତିଶୟ ଏକ ପ୍ରୀତି, ବିଶ୍ଵ-ବିଜ୍ଞାନ ପ୍ରତି । ଏହି ପ୍ରବଳ ବାସନାଟି ତାଙ୍କର କିପରି ଯେ ଆସିଥିଲା, ସେଇଟି ସମ୍ପର୍କରେ ମୁଁ ଏବେ ମଧ୍ୟ ନିଶ୍ଚିତ କରି କିଛି ଜାଣି ପାରିନାହିଁ । ପ୍ରାୟ ଗୋଟିଏ ଗାଈ ଉପରେ ବସିବାକୁ ରହିଥିବା ଆସନଟିଏ ପରି ସେହି ଝୁଙ୍କଟା ତାଙ୍କୁ ବେଶ୍ ସମ୍ପୂର୍ଣ୍ଣ ଭାବରେ ଖାପ ଖାଇ ଯାଉଥିଲା । ଆପଣା ମନଃସ୍ତରରେ ସେହି ଉଚ୍ଚତାଟିକୁ ସର୍ବଦା ବଜାୟ ରଖିବାରେ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା । ତାଙ୍କ ଭିତରେ ସତେ ଯେପରି ଆଦୌ କୌଣସି ବାକ୍‌ଶକ୍ତି ମଧ୍ୟ ରହୁନଥିଲା ଏବଂ ସେ କେବଳ ଅର୍ଥପୂର୍ଣ୍ଣ ଭାବରେ ଆପଣାର ଆଖିଡ଼ୋଳା ଗୁଡ଼ିକୁ ବୁଲାଇବାରେ ଲାଗୁଥିଲେ ଏବଂ ସେହିପରି ଖୁବ୍ ଅର୍ଥପୂର୍ଣ୍ଣ ଭାବରେ ନିଜ ମୁଣ୍ଡଟିକୁ ହଲାଇ ବି ଦେଉଥିଲେ । ଭାଇ, ମୁଁ ଆଗରୁ କେବେହେଲେ ତାଙ୍କଠାରୁ ଅଧିକ ନିକୃଷ୍ଟ ଏବଂ କମ୍ ପ୍ରତିଭାଯୁକ୍ତ ବ୍ୟକ୍ତିଙ୍କୁ କେବେହେଲେ ଭେଟି ନଥିଲି । ....ହଁ, ସେହି ସ୍ମୋଲେନ୍‌ସ୍କ ପ୍ରଦେଶରେ ସେହିଭଳି ଅନେକ ଅଞ୍ଚଳ ରହିଛି—କେବଳ ବାଲି ଓ ଜାଗାଏ ଜାଗା ଅରାଏ ଅରାଏ ଘାସବୁଦା । ଏବଂ ସେହି ଘାସକୁ କୌଣସି ପଶୁ ଖାଇବେ ବି ନାହିଁ । ସେହି ବ୍ୟକ୍ତି କେତେ କେତେ କାର୍ଯ୍ୟରେ ହାତ ଦେଲେ କିନ୍ତୁ ତାଙ୍କୁ କୌଣସି ଗୋଟିଏରେ ସଫଳତା ମିଳିଲା ନାହିଁ । ସତେଅବା ସବୁକିଛି ତାଙ୍କର ତୁଚ୍ଛା ହାତଛଡ଼ା ହୋଇଯିବା ପରି ମନେ ହେଉଥାଏ । ତଥାପି ସିଏ ସର୍ବଦା ନଛୋଡ଼ବନ୍ଦା ହୋଇ କ’ଣ ନା କ’ଣ ଗୋଟିଏ ସାଧ୍ୟ କରି ଅବଶ୍ୟ ଦେଖାଇବେ ବୋଲି ଖୁବ୍ ଲାଗିଥାଆନ୍ତି । ସରଳ ବହୁକିଛିକୁ ଜଟିଳ କରି ଦେଉଥାନ୍ତା । ଯଦି କିଛି ବି ତାଙ୍କର ବ୍ୟବସ୍ଥାଗୁଡ଼ିକ ଉପରେ ନିର୍ଭର କରି ରହିଥାନ୍ତା, ତେବେ ତାଙ୍କ ଲୋକମାନଙ୍କୁ ସମ୍ଭବତଃ ଗୋଡ଼ ଉପରକୁ ଏବଂ ମୁଣ୍ଡ ତଳକୁ କରି ଖଦୀର ସନ୍ଧାନ କରିବାକୁ ପଡ଼ିଥାନ୍ତା । ସେ ଆପଣାକୁ ସର୍ବଦା ହିଁ କର୍ମରତ କରି ରଖିଥିଲେ, ସର୍ବଦା କିଛି କିଛି ଲେଖୁଥିଲେ ଏବଂ ପ୍ରାୟ ଅକ୍ଳାନ୍ତ ଭାବରେ ଅଧ୍ୟୟନ କରୁଥିଲେ । ଆପଣାର ଏକ ଅଦମ୍ୟ ଅଧ୍ୟବସାୟ ସହିତ ସେ ନିଜକୁ ବିଜ୍ଞାନ ପାଇଁ ଉତ୍ସର୍ଗୀକୃତ କରି ରଖିଥିଲେ, ହଁ, ଏକ ଭୟଙ୍କର ଧୈର୍ଯ୍ୟ ସହିତ । ତାଙ୍କର ଚିତ୍ତ ପ୍ରକୃତରେ ଅମାପ ଦାମ୍ଭିକତା ଦ୍ଵାରା ପୂର୍ଣ୍ଣ ହୋଇ ରହିଥିଲା । ଇଚ୍ଛାଶକ୍ତି ମଧ୍ୟ ଲୁହା ଭଳି ଟାଣ ଥିଲା । ଏକାକୀ ବାସ କରୁଥିଲେ ଏବଂ ଜଣେ ଅତ୍ୟନ୍ତ ଖିଆଲୀ ବ୍ୟକ୍ତି ବୋଲି ଖ୍ୟାତି ଅର୍ଜନ କରିଥିଲେ । ମୁଁ ତାଙ୍କୁ ଜଣେ ବନ୍ଧୁରୂପେ ଗ୍ରହଣ କରି ନେଇଥିଲି....

 

ଏବଂ ସିଏ ମଧ୍ୟ ମୋତେ ଶ୍ରଦ୍ଧା କରୁଥିଲେ । ମାତ୍ର, ଅବଶ୍ୟ ସ୍ଵୀକାର କରି କହିବି ଯେ, ମୁଁ ତାଙ୍କୁ ଅଚିରେ ହିଁ ଆବିଷ୍କାର କରି ପାରିଥିଲି । ମାତ୍ର, ତାଙ୍କର ଉତ୍ସାହ ମୋ’ଲାଗି ତଥାପି ଖୁବ୍ ଆକର୍ଷଣୀୟ ହୋଇ ରହିଥିଲା । ପୁନଶ୍ଚ, ତାଙ୍କ ପାଖରେ ଏତେ ଏତେ ସମ୍ପଦ ମଧ୍ୟ ରହିଛି, ତେଣୁ ତାଙ୍କର ସହଯୋଗରେ ନିଶ୍ଚୟ ବହୁତ ଭଲ କାର୍ଯ୍ୟ ବି କରିଦେଇ ହେବ, ପ୍ରକୃତରେ ବହୁତ ଉପଯୋଗୀ ଅନେକ କିଛି ସମ୍ଭବ ହେବ....ମୁଁ ତାଙ୍କରି ଗୃହରେ ରହିଥିଲି ଓ ତାଙ୍କ ସହିତ ଗ୍ରାମାଞ୍ଚଳମାନଙ୍କୁ ଯାଉଥିଲି । ଭାଇ, ମୋ’ ଯୋଜନାମାନ ମଧ୍ୟ ଖୁବ୍ ବିସ୍ତୃତ ଥିଲା । ମୁଁ ତ କେତେ କ’ଣ ସଂସ୍କାରର ସ୍ଵପ୍ନ ଦେଖୁଥିଲି, କେତେ କ’ଣ ସମ୍ପୂର୍ଣ୍ଣ ନୂଆ ପଦକ୍ଷେପ ଗୁଡ଼ିକର !”

 

“ଠିକ୍ ଲାମୁନ୍‍ସ୍କି ପରିବାର ସହିତ ରହୁଥିବା ବେଳଟି ପରି—ତୁମର ମନେ ପଡ଼ୁଛି, ଡିମିଟ୍ରି ?” —ଲେଜ୍‌ଝନିଓଭ୍ କହିଲେ, —ଏବଂ ବେଶ୍ କିଞ୍ଚିତ୍‍ ରୁଷ୍ଟ ଭାବଯୁକ୍ତ ହୋଇ ମୁରୁକି ମୁରୁକି ହସୁଥିଲେ ।

 

“ହଁ, ସତ, ମାତ୍ର, ସେତେବେଳେ ଆପଣାର ହୃଦୟ ଭିତରେ ମୁଁ ଖୁବ୍ ଉତ୍ତମ ଭାବରେ ଜାଣିଥିଲି ଯେ ମୋର ସେହିସବୁ କଥାରୁ ଆଦୌ କୌଣସି ଫଳ ମଧ୍ୟ ଫଳିବ ନାହିଁ .....କିନ୍ତୁ ଏଥର, ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଅନ୍ୟଭଳି କର୍ମକ୍ଷେତ୍ର ମୋ’ ସମ୍ମୁଖରେ ବିସ୍ତାରିତ ହୋଇ ରହିଥିଲା । ..... ମୁଁ କୃଷି ବିଷୟକ ବହୁ ପୁସ୍ତକ ନିଜ ପାଖରେ ରଖିଥିଲି; ପ୍ରକୃତ କଥା କହିବାକୁ ଗଲେ, ସେଗୁଡ଼ିକରୁ ଗୋଟିକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପାଠ କରିନଥିଲି ... ଏବଂ କାର୍ଯ୍ୟଟିକୁ ଆରମ୍ଭ କରିଦେଲି । ପ୍ରଥମେ ମୋ’ର ପ୍ରତ୍ୟାଶା ଅନୁସାରେ କାର୍ଯ୍ୟମାନେ ମୋଟେ ଆଗେଇ ନଥିଲେ, କିନ୍ତୁ କିଛିଦିନ ପରେ ସବୁକିଛି ଗୋଟିଏ ପ୍ରକାରେ ଠିକ୍ ଚାଲିଥିବା ପରି ବୋଧ ହେଲା । ମୋ’ର ସେହି ନୂତନ ବନ୍ଧୁ ସବୁ ଅବଶ୍ୟ ଦେଖୁଥିଲେ, କିନ୍ତୁ କେବେ କିଛି ହିଁ କହୁନଥିଲେ । ମୋ’ କାର୍ଯ୍ୟରେ କୌଣସି ହସ୍ତକ୍ଷେପ କରୁନଥିଲେ, ଅନ୍ତତଃ ଆଖିରେ ପଡ଼ିବା ଭଳି କୌଣସି ହସ୍ତକ୍ଷେପ କରୁନଥିଲେ । ସିଏ ମୋ’ର ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରି ନେଉଥିଲେ ଏବଂ ସେଗୁଡ଼ିକୁ କାର୍ଯ୍ୟକାରୀ କରାଉଥିଲେ; ତଥାପି ପ୍ରାୟ ଏକ ଅନମନୀୟ ଉଦାସୀନତା ସହିତ, —ତାଙ୍କ ଭିତରେ ଏସବୁ ସମ୍ପର୍କରେ ବିଶ୍ଵାସର ଏକ ଅଭାବ ପ୍ରଚ୍ଛନ୍ନ ହୋଇ ରହିଥିଲା ଏବଂ ସବୁକିଛିକୁ ସିଏ ପ୍ରାୟ ନିଜର ପସନ୍ଦ ଅନୁସାରେ ହିଁ ଅନ୍ୟଆଡ଼େ ମୋଡ଼ି ନେଇ ଯାଉଥିଲେ । ଆପଣାର ପ୍ରତ୍ୟେକ ବିଚାର ଓ ଭାବନାକୁ ଖୁବ୍‍ ଅଗ୍ରାଧିକାର ଦେଉଥିଲେ ଅବଶ୍ୟ ସେପରି କରିବା ତାଙ୍କ ପାଇଁ ବେଶ୍ କଷ୍ଟକର ହିଁ ଥିଲା, —ପ୍ରାୟ କୌଣସି ମାଈ ଚଢ଼େଇ ଖଣ୍ଡେ ଘାସ ଉପରେ ବସି ରହିଥିବା ପରି । ହଁ, ଯେପରି ସେହି ଚଢ଼େଇ କେବଳ ସେଇଟି ଉପରେ ଖାଲି ବସି ହିଁ ରହିଥାଏ, ଡେଣାମାନଙ୍କୁ ଖୁମ୍ପି ପ୍ରସ୍ତୁତ କରୁଥାଏ-। ଏବଂ ଉଡ଼ିଯିବ ବୋଲି ତିଆରି ହେଉଥାଏ ! ଏବଂ ହଠାତ୍ ରହିଯାଏ ଏବଂ ପୁନର୍ବାର ସେହିପରି କରିବାକୁ ଆରମ୍ଭ କରୁଥାଏ । ମୁଁ ଏସବୁ ଉପମାମାନ ଦେଇ କହୁଛି ବୋଲି ତୁମେ ମୋଟେ ଆଶ୍ଚର୍ଯ୍ୟ ହୋଇ ଯାଅନାହିଁ, କାରଣ ସେତେବେଳେ ପ୍ରକୃତରେ ଏହିପରି କେତେ ତୁଳନା ହିଁ ମୋ’ କଳ୍ପନା ଭିତରକୁ ବାରବାର ଆସୁଥିଲେ । ହଁ ମୁଁ ଏହିପରି ଭାବରେ ଦୁଇବର୍ଷ କାଳ ସେଠାରେ ସଂଘର୍ଷ କରିଥିଲି । ମୋ’ର ସକଳ ଉଦ୍ୟମ ସତ୍ତ୍ୱେ ଖୁବ୍ ଆଗେଇ ନଥିଲା । କ୍ରମେ ବେଶ୍ ପରିଶ୍ରାନ୍ତ ମଧ୍ୟ ଲାଗିଲା । ମୋ’ର ସେହି ବନ୍ଧୁ ମୋତେ ଖୁବ୍ ବିରକ୍ତ କରି ଦେଉଥିଲେ । କ୍ରମଶଃ ମୁଁ ତାଙ୍କୁ ବିଦ୍ରୂପ କରିବାକୁ ଆରମ୍ଭ କଲି ଏବଂ ସତେଅବା ପକ୍ଷୀପର ବିଛା ହୋଇଥିବା ବିଛଣା ପରି ମୋତେ ସିଏ ମାଡ଼ି ଦଳି ଦେଉଥିଲେ । ଏହି କାର୍ଯ୍ୟଟିରେ ତାଙ୍କ ବିଶ୍ଵାସର ଅଭାବଟି କ୍ରମେ ଏକ ନୀରବ ମନୋମାଳିନ୍ୟରେ ପରିଣତ ହୋଇଗଲା, ହଁ, ଏକ ଶତ୍ରୁତାର ଭାବ ଆମ ଉଭୟଙ୍କୁ ହିଁ ଅଧିକାର କରିନେଲା । କ୍ରମେ ଆମେ ଆଦୌ କୌଣସି ବିଷୟରେ କ୍ଵଚିତ୍ କଥାବାର୍ତ୍ତା ମଧ୍ୟ କରିପାରିଲୁ । ସିଏ ବେଶ୍ ନୀରବ, ସ୍ଥିର ଅଥଚ ଅବିରତ ଭାବରେ ମୋତେ ଏପରି ଦର୍ଶାଇଦେବା ଲାଗି ଚେଷ୍ଟା କରିଥିଲେ ଯେ, ସିଏ ଆଦୌ ମୋ’ କଥାର ଅଧୀନ ହୋଇ ରହି ନାହାନ୍ତି; ତେଣୁ ମୋ’ର ବ୍ୟବସ୍ଥାଗୁଡ଼ିକୁ ହୁଏତ ବାଦ୍ ଦିଆଗଲା ବା ସମ୍ପୂର୍ଣ୍ଣ ଭାବରେ ଅନ୍ୟ ପ୍ରକାରେ ମଧ୍ୟ କରି ଦିଆଗଲା । ଶେଷରେ ମୁଁ ମଧ୍ୟ ବୁଝିପାରିଲି ଯେ ମୁଁ ଏହି ସମ୍ଭ୍ରାନ୍ତ ଭୂମିମାଲିକଙ୍କର ଗୃହରେ କେବଳ ଜଣେ ତୋଷାମଦକାରୀର ଭୂମିକା ଗ୍ରହଣ କରି ରହିଛି, —ତାଙ୍କୁ ହୁଏତ ବେଶ୍ ବୌଦ୍ଧିକ ମନୋରଞ୍ଜନ ହିଁ ଯୋଗାଇ ଦେଉଛି । ଏଠାରେ ଏହି ସମୟଟା କେବଳ ସମୟ ଏବଂ ଶକ୍ତି ନଷ୍ଟ କଲି ଅଥଚ ତଦ୍ଦ୍ଵାରା ଆଦୌ କିଛି ଫଳ ମଧ୍ୟ ଫଳିଲା ନାହିଁ ବୋଲି ମୋତେ ଭାରି ବିରକ୍ତିକର ମଧ୍ୟ ଲାଗିଲା । ସବୁଠାରୁ ଅଧିକ ବିରକ୍ତ ଏଭଳି ଅନୁଭବ କରିବାରୁ ଲାଗିଥିଲା ଯେ, ମୁଁ ସତକୁ ସତ କେଡ଼େ କ’ଣରେ ବାରମ୍ବାର ହାତ ଦେଲି ଏବଂ କେତେ କେତେ ପ୍ରତ୍ୟାଶା ମଧ୍ୟ କଲି, ଅଥଚ ସବୁଠାରେ କେବଳ ପ୍ରତାରିତ ହିଁ ହେଉଛି । ମୁଁ ଏକଥା ବି ଖୁବ୍ ଭଲ ଭାବରେ ଜାଣିଥିଲି ଯେ, ଯଦି ଏଠାରୁ ଚାଲିଯିବି, ତେବେ ମୋତେ ବହୁତ କିଛିରୁ ଅବଶ୍ୟ ବଞ୍ଚିତ ହେବାକୁ ପଡ଼ିବ । ତଥାପି ଆଉ ଧୈର୍ଯ୍ୟ ରହିଲା ନାହିଁ ଏବଂ ଦିନେ ଆପଣାର ଆଖି ଆଗରେ ହିଁ ଗୋଟିଏ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ତଥା ଅସହନୀୟ ଘଟଣାକୁ ଅଙ୍ଗେ ନିଭାଇବା ପରେ ମୁଁ ସେହି ବ୍ୟକ୍ତିଙ୍କ ସହିତ ଏକ କଳହରେ ଲିପ୍ତ ହୋଇ ଯାଇଥିଲି । ଏହି ଘଟଣାରେ ମୋ’ର ସେହି ପ୍ରତିପକ୍ଷୀ ବନ୍ଧୁଟି ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ବି ରହିଥିଲେ । ହଁ, ମୁଁ ଝଗଡ଼ା କଲି ଓ ସେଠାରୁ ଚାଲି ଯାଇଥିଲି । ଖୁବ୍ ପାଣ୍ଡିତ୍ୟର ଆଡ଼ମ୍ବର ଦେଖାଇ ହେଉଥିବା ସେହି ବିଚିତ୍ର ବ୍ୟକ୍ତିଙ୍କୁ ପରିତ୍ୟାଗ କଲି, ଯିଏ କି ଆମ ଏଠିକାର ଦେଶୀ ଚୂନା ଓ ଜର୍ମାନୀ ଦେଶର ଗୁଡ଼ ଦେଇ ଏକାଠି ତିଆରି ହୋଇଥିଲେ ।”

 

“ଅର୍ଥାତ୍, ଡିମିଟ୍ରି, ତୁମେ ତଦ୍ଦ୍ଵାରା ନିଜର ଦୈନିକ ଅନ୍ନକୁ ମଧ୍ୟ ହରାଇ ବସିଲ,” ଲେଜ୍‌ଝନିଓଭ୍ କହିଲେ; ନିଜର ଦୁଇ ହାତକୁ ସିଏ ରୁଡ଼ିନ୍‌ଙ୍କର କାନ୍ଧ ଉପରେ ନେଇ ଘେରାଇ ଦେଇଥିଲେ ।

 

“ହଁ, ଏବଂ ତା’ପରେ ମୁଁ ପୁନର୍ବାର ଏଠି ସେଠି ହୋଇ ବୁଲିଲି । ହାତଟା ପୂରା ଖାଲି ଓ ପାଖରେ ଗୋଟିଏ ମଧ୍ୟ ପଇସା ନଥିଲା । ଯେଉଁଠି ବି କିଞ୍ଚିତ୍ ଆଶା ରହିଥିବା ପରି ଲାଗୁଥିଲା, ସେଠାକୁ ଧାଇଁ ଯାଉଥିଲି । କିନ୍ତୁ, ବର୍ତ୍ତମାନ ଆଉ ଟିକିଏ ପିଆ ହେଉ !”

 

“ପୁଣି ଥରେ, ତୁମର ସ୍ୱାସ୍ଥ୍ୟର କାମନା କରି” —ଲେଜ୍‌ଝନିଓଭ୍ ଛିଡ଼ା ହୋଇଗଲେ ଓ ରୁଡ଼ିନ୍‌ଙ୍କର କପୋଳରେ ଚୁମ୍ବନଟିଏ ଦେଲେ । “ହଁ, ତୁମର ସ୍ୱାସ୍ଥ୍ୟ ଏବଂ ସୁଦିନର କାମନା କରି ଏବଂ ଗୋକୋରସ୍କିଙ୍କୁ ମନେ ପକାଇ । କିପରି ଦରିଦ୍ର ହୋଇ ବୁଲିବାକୁ ହୁଏ, ସେକଥା ସିଏ ମଧ୍ୟ ଜାଣିଥିଲେ ।”

 

“ହଁ, ସେଇଟି ମୋ’ର ଏକ ନମ୍ବର ଦୁଃସାହସଟିର କାହାଣୀ,” —କିଛି ସମୟ ଅଟକିବା ପରେ ରୁଡ଼ିନ୍ ଆରମ୍ଭ କରିଥିଲେ, —“ତା’ ହେଲେ କହିବି ?”

 

“ହଁ, ହଁ, କୁହ, ଅବଶ୍ୟ କହିବ !”

 

“ହଁ, ମାତ୍ର, ଏବେ ଆଉ ଏତେ କଥା କହିବା ସକାଶେ ମୋଟେ ଆଗ୍ରହ ଆସୁନାହିଁ । ଭାଇ, କଥାଗୁଡ଼ାକୁ କହି କହି ମୁଁ ଭାରି କ୍ଳାନ୍ତ ବି ହୋଇଗଲିଣି । .... ତଥାପି, ଯେତେବେଳେ ତୁମେ ଆଗ୍ରହ ପ୍ରକାଶ କରୁଛ । ... ଆହୁରି କେତେକ ଜାଗା ଘୂରି ବୁଲିସାରିବା ପରେ, —ହଁ, ହଁ, ଏକଦା ସେହି କ୍ରମରେ ମୁଁ ଜଣେ ଜଣେ ଖୁବ୍ ଉଦାରମନା ବିଖ୍ୟାତ ବ୍ୟକ୍ତିଙ୍କର ସେକ୍ରେଟରି ମଧ୍ୟ ହୋଇଥିଲି, ମୁଁ ହୁଏତ ତୁମକୁ ସେହି କଥାଟି ମଧ୍ୟ ବେଶ୍ କହିପାରିବି, —ସେଇଟିର ମଧ୍ୟ ଶେଷକୁ କିଭଳି ପରିଣାମ ହେଲା, —କିନ୍ତୁ ସେଥିପାଇଁ ପ୍ରକୃତରେ ବହୁତ ସମୟ ବି ଲାଗିବ । ... ନାନା ପ୍ରକାର ସ୍ଥାନ ହୋଇ ହୋଇ, ମୁଁ ଶେଷକୁ ହସନାହିଁ, —ହଁ ଏଥର ପ୍ରକୃତରେ ଜଣେ ପୂରା ବାସ୍ତବବାଦୀ ମନୁଷ୍ୟ ହେବି ବୋଲି ସ୍ଥିର କରିନେଲି ଏବଂ ସେଇଟି ଲାଗି ମଧ୍ୟ ସେହିପରି ଭାବରେ ଗୋଟିଏ ସୁଯୋଗ ଆସିଥିଲା । ମୁଁ କୁର୍ବିୟେଭ୍ ନାମକ ଜନୈକ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲି । ଏକଦା ଲୋକେ ତାଙ୍କୁ ଉତ୍ତମ ରୂପେ ଜାଣିଥିଲେ ଏବଂ ତାଙ୍କ ବିଷୟରେ ବହୁତ କଥାବାର୍ତ୍ତା କରୁଥିଲେ ।”

 

“କିନ୍ତୁ ମୁଁ ଏପରି ଜଣେ ବ୍ୟକ୍ତିଙ୍କର ନାଆଁ କେବେ ବି ଶୁଣିନାହିଁ, ମାତ୍ର ଡିମିଟ୍ରି, ପ୍ରକୃତ କଥା କହିବାକୁ ଗଲେ, ତୁମ ପରି ଜଣେ ଏତେ ବୁଦ୍ଧିମାନ ବ୍ୟକ୍ତି—ଏପରି କିପରି ହୋଇ ପାରିଲା ଯେ, ବୃତ୍ତିରେ ଜଣେ ବ୍ୟବସାୟୀ ହେବାକୁ ସ୍ଥିର କରି ସଫଳତା ଅର୍ଜନ କରିବାର କାର୍ଯ୍ୟଟି ତୁମ ସଦୃଶ ଜଣେ ଲୋକଦ୍ଵାରା ଆଦୌ ସମ୍ଭବ ହିଁ ହେବ ନାହିଁ !”

 

“ହଁ, ଭାଇ, ସେକଥାଟିକୁ ମୁଁ ମଧ୍ୟ ଖୁବ୍ ଭଲ ଭାବରେ ଜାଣିଥିଲି । କିନ୍ତୁ, ମୋ’ ଲାଗି ପ୍ରକୃତରେ କେଉଁ ବୃତ୍ତିଟି ଉଦ୍ଦିଷ୍ଟ ହୋଇ ରହିଥିଲା ? ମାତ୍ର, ଯଦି ତୁମେ ସେହି କୁର୍ବିୟେଭ୍‌ଙ୍କୁ ଦେଖି ଥାଆନ୍ତ ! ମୋ’ର ଏକାନ୍ତ ନିବେଦନ ଯେ ତୁମେ ତାଙ୍କୁ କଦାପି ଜଣେ ମଥାରେ ମୋଟେ କିଛି ନଥିବା ବ୍ୟକ୍ତି ବୋଲି ଆଦୌ କଳ୍ପନା କରିବ ନାହିଁ । ସମସ୍ତେ ପରା କହନ୍ତି ଯେ ଏକଦା ମୋ’ର ଖୁବ୍ ଚମତ୍କାର ବାଗ୍ମିତାଶକ୍ତି ରହିଥିଲା ! କିନ୍ତୁ ମୁଁ ତାଙ୍କ ଆଗରେ ଆଦୌ କିଛି ବି ହେବି ନାହିଁ । ସିଏ କେତେ କେତେ ବିଦ୍ୟାରେ ପ୍ରବୀଣ ଥିଲେ ଏବଂ କେତେ ଜ୍ଞାନର ଅଧିକାରୀ ଥିଲେ । ଅତ୍ୟନ୍ତ ବୁଦ୍ଧି କୁଶଳ ସୃଜନଶୀଳ ଭାବରେ ବୁଦ୍ଧିଯୁକ୍ତ । ବ୍ୟବସାୟ ତଥା ବାଣିଜ୍ୟ କାରବାରରେ ପ୍ରକୃତରେ ଧୁରନ୍ଧର । ତାଙ୍କର ମସ୍ତିଷ୍କଟାରେ ସତେଅବା କେତେ ସାହସିକତା ପୂର୍ଣ୍ଣ ତଥା ଅକଳ୍ପନୀୟ ଯୋଜନା ସକଳ ଭରପୂର ହୋଇ ରହିଥିଲେ । ମୁଁ ଏହିଭଳି ଜଣେ ବ୍ୟକ୍ତିଙ୍କ ସହିତ ଯାଇ ଯୋଗ ଦେଲି ଏବଂ ଆମେ ଏକତ୍ର ସାଧାରଣ ଜନଗଣଙ୍କ ପାଇଁ ଖୁବ୍ ଉପଯୋଗୀ କୌଣସି କାର୍ଯ୍ୟରେ ଆମର ସାମର୍ଥ୍ୟମାନଙ୍କୁ ଖଟାଇବୁ ସ୍ଥିର କରିଥିଲୁ ।”

 

“କିଭଳି କାର୍ଯ୍ୟଟିଏ ?”

 

ରୁଡ଼ିନ୍ ଆଖିପତା ଗୁଡ଼ିକୁ ତଳକୁ କରି ଆଣିଥିଲେ ।

 

“ମିହାଇଲ୍ ଶୁଣିଲେ ତୁମକୁ ପ୍ରକୃତରେ ହସ ଲାଗିବ ।”

 

“ହସ କାହିଁକି ଲାଗିବ ? ନାଇଁ, ମୁଁ ଆଦୌ ହସିବି ନାହିଁ ।”

 

“ଆମେ—ପ୍ରଦେଶରେ ଗୋଟିଏ ନଦୀକୁ ସୁନାବ୍ୟା କରିବା ସକାଶେ ନିଷ୍ପତ୍ତି କରିଥିଲୁ-।” ରୁଡ଼ିନ୍ କହିଥିଲେ ଏବଂ ବେଶ୍ ଅଶ୍ଵସ୍ତିକର ଭାବରେ ମୁରୁକି ହସୁଥିଲେ ।

 

“ଆଚ୍ଛା, ତେବେ ସେହି କୁର୍ବିୟେଭ୍‌ଙ୍କ ପାଖରେ ବହୁତ ପୁଞ୍ଜି ରହିଥିଲା ?”

 

“ନାହିଁ, ସିଏ ମୋ’ଠାରୁ ବରଂ ଅଧିକ ହିଁ ଦରିଦ୍ର ଥିଲେ ।” —ରୁଡ଼ିନ୍ ଉତ୍ତର ଦେଇ କହିଲେ ଏବଂ ଧୂସର କେଶଦ୍ଵାରା ପୂର୍ଣ୍ଣ ତାଙ୍କର ମଥାଟା ତାଙ୍କ ଛାତି ଭିତରକୁ ଢଳି ପଡ଼ିଥିଲା ।

 

ଲେଜ୍‌ଝନିଓଭ୍ ହସି ପକାଇଲେ । ମାତ୍ର, ହଠାତ୍ କ’ଣ ପାଇଁ ଅଟକି ଯାଇଥିଲେ ଏବଂ ରୁଡ଼ିନ୍‍ଙ୍କର ହାତଟିକୁ ଧରି ପକାଇଥିଲେ ।

 

“ଭାଇ, ତୁମେ ମୋତେ କ୍ଷମା କରିବ, ମୋ’ର ଏକାନ୍ତ ଅନୁରୋଧ !” —ସେ କହିଥିଲେ-। “ମାତ୍ର ମୁଁ ସେଭଳି କଥାଟିଏ ଆଦୌ ପ୍ରତ୍ୟାଶା କରୁନଥିଲି । ଆଚ୍ଛା, ତେବେ ବର୍ତ୍ତମାନ ଆଶା କରାଯିବ ଯେ, ତୁମର ସେହି କଳ୍ପିତ ଉଦ୍ୟମଟି କାଗଜ ଉପରୁ ଆଉ ଅଧିକ ଆଗକୁ ଯାଇ ପାରିନଥିଲା ।”

 

“ନାଇଁ, ସେପରି ନୁହେଁ । ଅବଶ୍ୟ ଏକ ଆରମ୍ଭ ହୋଇଥିଲା । କାର୍ଯ୍ୟ କରିବା ନିମନ୍ତେ କିଛି ଲୋକ ନିଯୁକ୍ତ ହେଲେ । ମାତ୍ର ତା’ପରେ ଏକାଧିକ ପ୍ରତିବନ୍ଧକ ମଧ୍ୟ ଆସିଥିଲା । ପ୍ରଥମତଃ, ମିଲ୍‌ର ମାଲିକମାନେ ଆଦୌ ପ୍ରସନ୍ନ ମନରେ ଆମ ସହିତ ସାକ୍ଷାତ କରି କଥା ପକାଇବାକୁ ଇଚ୍ଛା କରିନଥିଲେ ଏବଂ ତା’ଠାରୁ ଆହୁରି ଅଧିକ ବଡ଼ ବାଧାଟି ହେଉଛି, ଉପଯୁକ୍ତ ମେସିନ୍ ଇତ୍ୟାଦି ନଥିବାରୁ ଆମେ ନଦୀର ଜଳସ୍ରୋତଟିକୁ ଅନ୍ୟ ବାଟରେ ନେଇ ଯାଇ ପାରିନଥିଲୁ । ଆମ ପାଖରେ ସେସବୁ ମେସିନ୍ ସକାଶେ ଯଥେଷ୍ଟ ଅର୍ଥ ନଥିଲା । ଛଅମାସ ପର୍ଯ୍ୟନ୍ତ ଆମେ କଚ୍ଚା ମାଟି ଘର ମାନଙ୍କରେ ବାସ ହିଁ କରୁଥିଲୁ । କୁର୍ବିୟେଭ୍‌ଙ୍କୁ ଶୁଖିଲା ପାଉଁରୁଟି ହିଁ ଖାଇବାକୁ ହେଉଥିଲା ଏବଂ ମୋ’ ପାଖରେ ମଧ୍ୟ ଖାଇବା ନିମନ୍ତେ ଗୁଡ଼ାଏ ସମ୍ବଳ ନଥିଲା । ମାତ୍ର, ସେହି ହେତୁ ମୁଁ ଆଦୌ କୌଣସି ଅଭିଯୋଗ କରୁନାହିଁ । ହଁ, ସେହି ସ୍ଥାନଟିର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ ଥିଲା । ଆମେ ମଧ୍ୟ ଅବିଶ୍ରାନ୍ତ ଭାବରେ ସଂଘର୍ଷ ପରେ ସଂଘର୍ଷ କରୁଥିଲୁ । ବଣିକମାନଙ୍କୁ ବହୁବାର ନିବେଦନ କରୁଥିଲୁ । ବଣିକମାନଙ୍କୁ ବହୁବାର ନିବେଦନ କରୁଥିଲୁ । ପତ୍ର ଲେଖୁଥିଲୁ ଏବଂ ବିଜ୍ଞପ୍ତିମାନ ଦେଉଥିଲୁ । ଏହିପରି ଭାବରେ ମୋ’ ପାଖରେ ଯାହା ପଇସା ଥିଲା, ସେହି ଯୋଜନାଟିରେ ସବୁ ଖରଚ ହୋଇ ଯାଇଥିଲା ।”

 

“ମାତ୍ର,” —ଲେଜ୍‌ଝନିଓଭ୍ ଏକ ମନ୍ତବ୍ୟ ଦେଇ କହିଥିଲେ, “ଡିମିଟ୍ରି, ତୁମ ପାଖରେ ରହିଥିବା ସର୍ବଶେଷ କପର୍ଦ୍ଦକଟି ମଧ୍ୟ ଖର୍ଚ୍ଚ ହୋଇଯିବା, ତୁମ କ୍ଷେତ୍ରରେ ତାହା କଦାପି ବିଚିତ୍ର ହେବ ନାହିଁ ।”

 

“ନାଇଁ, ମୋ’ ପାଇଁ ତାହା ଆଦୌ କଷ୍ଟକର ହୋଇନଥିଲା ।”

 

ରୁଡ଼ିନ୍ ଖିଡ଼ିକି ବାହାରକୁ ଅନାଇ ଦେଖୁଥିଲେ ।

 

“କିନ୍ତୁ ସେହି ଯୋଜନାଟି ଆଦୌ ଏକ ଖରାପ ଯୋଜନା ନଥିଲା, ଏବଂ ସେଇଟି ଦ୍ଵାରା ପ୍ରକୃତରେ ବହୁତ ବହୁତ କଲ୍ୟାଣ ସାଧିତ ହୋଇଥାନ୍ତା ।”

 

“ଏବଂ ତା’ପରେ କୁର୍ବିୟେଭ୍ କେଉଁଆଡ଼େ ଯାଇଥିଲେ ?” —ଲେଜ୍‌ଝନିଓଭ୍ ପ୍ରଶ୍ନ କରିଥିଲେ ।

 

“କୁର୍ବିୟେଭ୍ ? ବର୍ତ୍ତମାନ ସେ ସାଇବେରିଆରେ ସେଠାରେ ସୁନାଖଣିରୁ ସୁନା ବାହାର କରୁଛନ୍ତି । ଦେଖିବ, ତାହା ସାହାଯ୍ୟରେ ସିଏ ନିଜପାଇଁ ଅନେକ ଉନ୍ନତି ନିଶ୍ଚୟ ଅର୍ଜନ କରିବେ । ଖୁବ୍ ସଫଳତା ଲାଭ କରୁଥିବେ ।”

 

“କିନ୍ତୁ ମନେ ହେଉଛି ତୁମେ ସେତେବେଳେ ମଧ୍ୟ ନିଜର ଅବସ୍ଥାରେ ହୁଏତ ସେପରି ଉନ୍ନତି ସମ୍ଭବ କରିନଥିବ ।”

 

“ମାତ୍ର, ସେଥିପାଇଁ ପ୍ରକୃତରେ ଆଉ ଆଉ କିଏ କ’ଣ କରିବ ? ମାତ୍ର, ମୁଁ ଖୁବ୍ ଜାଣେ ଯେ, ତୁମ ଆଖିରେ ମୁଁ ସବୁଦିନେ ତ ଏହିପରି ଜଣେ ଚପଳ ଓ ଅସ୍ଥିରମନା ମନୁଷ୍ୟ ହୋଇ ରହିଥିଲି ।”

 

“ତୁମେ ଆଉ ସେପରି କିଛି କହ ନାହିଁ । ହଁ, ଏପରି ଗୋଟିଏ ସମୟ ଅବଶ୍ୟ ଥିଲା, ଯେତେବେଳେ ମୁଁ ତୁମର ଦୁର୍ବଳ ପାଖଟିକୁ ଦେଖୁଥିଲି । କିନ୍ତୁ, ବର୍ତ୍ତମାନ, ତୁମେ ମୋତେ ବିଶ୍ଵାସ କର, ମୁଁ ତମର ପ୍ରକୃତ ମୂଲ୍ୟଟିକୁ ମଧ୍ୟ ଇତି ମଧ୍ୟରେ ଚିହ୍ନି ନେଇ ପାରିଛି । ତୁମେ ଆପଣାଲାଗି କଦାପି କୌଣସି ଉଚ୍ଚ ପଦ ଅଥବା ସ୍ଥାନଟିଏ କରିଦେବାକୁ ଇଚ୍ଛା କରିବ ନାହିଁ ଏବଂ ଡିମିଟ୍ରି ସେଥିଲାଗି ମୁଁ ତୁମକୁ ଶ୍ରଦ୍ଧା ହିଁ କରୁଛି;—ପ୍ରକୃତରେ ଶ୍ରଦ୍ଧା କରୁଛି ।”

 

ରୁଡ଼ିନ୍ ବେଶ୍ ମନ୍ଦ ହସଟିଏ ହସିଦେଲେ ।

 

“ସତରେ ?”

 

“ଏବଂ ସେଥିପାଇଁ ତୁମକୁ ସମ୍ମାନ ମଧ୍ୟ କରୁଛି ।” —ଲେଜ୍‌ଝନିଓଭ୍ ପୁନର୍ବାର କହିଥିଲେ । “ମୋତେ ତୁମେ ବୁଝି ପାରୁଛ ତ ?”

 

କିଛି ସମୟ ସକାଶେ ଉଭୟେ ନୀରବ ରହିଥିଲେ ।

 

“ଏଥର ତିନି ନମ୍ବର କାହାଣୀଟିକୁ ତୁମେ ଶୁଣିବ ?” —ରୁଡ଼ିନ୍ ପଚାରିଲେ ।

 

“ହଁ କହ, ଅବଶ୍ୟ ଶୁଣିବି !”

 

“ହଁ, ତୃତୀୟ ଏବଂ ସର୍ବଶେଷ ! ଏହି ଇହାଦେ ମାତ୍ର ମୁଁ ସେହି ତୃତୀୟଟିରୁ ମୁକ୍ତ ହୋଇ ବାହାରି ଆସି ପାରିଛି । କିନ୍ତୁ ତୁମକୁ ଏସବୁ ଶୁଣି ବିଜାର ଲାଗୁନାହିଁ ତ ?”

 

“ନାହିଁ । ତୁମେ କହିଯାଅ ।”

 

ରୁଡ଼ିନ୍ ଆରମ୍ଭ କଲେ, “ଥରେ ଗୋଟିଏ ଅବସରରେ ଗୋଟାଏ ଖିଆଲ ଆସି ପଶିଲା ଯେ, —ହଁ, ଏପରି ଅବସରମାନ ତ ମୋତେ ସବୁବେଳେ ହିଁ ମିଳୁଥିଲା, —ହଁ, ଖିଆଲଟା ହେଲା ଯେ, ମୋ’ ଭିତରେ ଯଥେଷ୍ଟ ଜ୍ଞାନ ରହିଛି, କେଡ଼େ ଭଲ ଅଭିପ୍ରାୟମାନେ ମଧ୍ୟ ରହିଛନ୍ତି । ମୁଁ ଭାବୁଛି, ମୋ’ର ଅଭିପ୍ରାୟଗୁଡ଼ିକ ଭଲ ବୋଲି କହିବାକୁ ତୁମେ ମଧ୍ୟ ଆଦୌ ଅରାଜି ହେବ ନାହିଁ ।”

 

“ନାହିଁ, ମୁଁ ସେପରି କେବେ ଅନୁଭବ କରିନାହିଁ ।”

 

“ଆଉ ଯାବତୀୟ ଦିଗରେ ମୁଁ ଅଳ୍ପେ ବହୁତେ ବିଫଳ ହିଁ ହୋଇଥିଲି.... ତେବେ ମୁଁ ଜଣେ ଶିକ୍ଷାଦାତା ହେବି ନାହିଁ କାହିଁକି, —ସାଧା ସରଳ ଭାଷାରେ ଜଣେ ଶିକ୍ଷକ ବୋଲି ମଧ୍ୟ କୁହାଯିବ.... ଜୀବନଟାକୁ ଏପରି ନଷ୍ଟ କରିଦେବା ଅପେକ୍ଷା.......”

 

ରୁଡ଼ିନ୍ କହିବା ବନ୍ଦ କଲେ ଏବଂ ଗୋଟିଏ ଦୀର୍ଘନିଶ୍ଵାସ ପକାଇଥିଲେ ।

 

“ହଁ, ନିଜ ଜୀବନଟିକୁ ବୃଥା କଟାଇଦେବା ଅପେକ୍ଷା, ମୁଁ ଯାହାକିଛି ଜାଣିଛି, ସେଗୁଡ଼ିକୁ ଅନ୍ୟ ବ୍ୟକ୍ତିମାନଙ୍କୁ ପ୍ରଦାନ କରିବାକୁ ଚେଷ୍ଟା କରିବା ପ୍ରକୃତରେ ବେଶ୍ ଉତ୍ତମ ହୁଅନ୍ତା ନାହିଁ ? ମୋ’ର ଏହି ଲବ୍ଧ ଜ୍ଞାନରୁ ସେମାନେ ତ ନିଜର ଉପଯୋଗୀ ହେଲା ଭଳି ଅନ୍ତତଃ କିଛି ମଧ୍ୟ ପାଆନ୍ତେ ! ମୋ’ର ଅନ୍ୟ ଅନେକଙ୍କର ତୁଳନାରେ ନିଶ୍ଚିତ ଭାବରେ ଅଧିକ ସାମର୍ଥ୍ୟ ମଧ୍ୟ ରହିଛି । ମୁଁ ଭାଷାରେ ମଧ୍ୟ ଏକ ଉଲ୍ଲେଖଯୋଗ୍ୟ ପ୍ରବୀଣତା ହାସଲ କରିଛି । ଏହିପରି ମୁଁ ଏହି ନୂତନ କାର୍ଯ୍ୟଟିରେ ମନୋନିବେଶ କରିବାକୁ ପ୍ରାୟ ସଂକଳ୍ପଟିଏ କରି ନେଇଥିଲି । ହଁ, ଏକ ନିଯୁକ୍ତି ପାଇବାରେ ଅବଶ୍ୟ ଅସୁବିଧା ହୋଇଥିଲା । କାରଣ ମୁଁ ଘରୋଇ ଶିକ୍ଷାଦାନ ଦିଗରେ ଆଗ୍ରହୀ ନଥିଲି । ପୁନଶ୍ଚ ତଳ ସ୍କୁଲମାନଙ୍କରେ ମଧ୍ୟ ମୁଁ କିଛି କରିପାରିବି ବୋଲି ସମ୍ଭାବନା ନଥିଲା । ଶେଷକୁ ଏଠାରେ ଗୋଟିଏ ଉଚ୍ଚତର ବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଗଲି-।”

 

“ଅଧ୍ୟାପକ କେଉଁ ବିଷୟରେ ?” —ଲେଜ୍‌ଝନିଓଭ୍ ଜାଣିବାକୁ ଚାହିଥିଲେ ।

 

“ସାହିତ୍ୟର ଅଧ୍ୟାପକ, ଏବଂ ତୁମକୁ ନିଶ୍ଚୟ କହିପାରିବି ଯେ, ଏଇଟି ପରି ଏତେ ଉତ୍ସାହ ସହିତ ମୁଁ କେଉଁଠି ହେଲେ ଆଗରୁ କାର୍ଯ୍ୟ ଆରମ୍ଭ କରିନଥିଲି । ନିଜର ଶିକ୍ଷାଦାନ ଦ୍ଵାରା ମୁଁ ମୋ’ର ତରୁଣ ଛାତ୍ରମାନଙ୍କ ଉପରେ ଅବଶ୍ୟ ଏକ ପ୍ରଭାବ ପକାଇ ପାରିବି ବୋଲି ଭାବିବା ମାତ୍ରକେ ହିଁ ମୁଁ ବହୁତ ପ୍ରେରଣା ଲାଭ କରୁଥିଲି । ମୋ’ର ପ୍ରଥମ ଅଧ୍ୟାପନାଟି ନିମନ୍ତେ ଦୀର୍ଘ ତିନି ସପ୍ତାହ ଧରି ଯୋଜନା ମଧ୍ୟ କରିଥିଲି ।”

 

“ସେହିଟି ଡିମିଟ୍ରି ତୁମ ପାଖରେ ଅଛି ?” —ଲେଜ୍‌ଝନିଓଭ୍ ମଝିରେ ପ୍ରଶ୍ନ କରିଥିଲେ ।

 

“ନାହିଁ, କେଉଁଠି ହଜାଇ ମଧ୍ୟ ଦେଲି । ବେଶ୍‍ ଉତ୍ତମ ଭାବରେ ଆରମ୍ଭ ହେଲା ଏବଂ ସମସ୍ତେ ପସନ୍ଦ ମଧ୍ୟ କରିଥିଲେ । ବର୍ତ୍ତମାନ ମଧ୍ୟ ମୋତେ ମୋ’ର ଶ୍ରୋତାମାନଙ୍କର ମୁହଁ ଜଳଜଳ ଦିଶିଯାଉଛି । —କେଡ଼େ କମନୀୟ ସେହି ତରୁଣ ମୁହଁଗୁଡ଼ିକ—ସମ୍ପୂର୍ଣ୍ଣ ନିଷ୍କପଟ ଆନ୍ତରିକତା ସହିତ ସେମାନେ ମନୋଯୋଗ ସହକାରେ ସହାନୁଭୂତି ସହିତ ଗୋଟିଏ ଗୋଟିଏ ମୁଖାମୁଦ୍ରାରେ ମୋ’ର କଥାଗୁଡ଼ିକୁ ଶୁଣିବାରେ ଲାଗିଥିଲେ । ଏପରିକି ଆଚମ୍ବିତ ମଧ୍ୟ ହେଉଥାନ୍ତି । ମୁଁ ମୋ’ ଆସ୍ଥାନଟି ଉପରେ ଠିଆ ହୋଇ ଖୁବ୍ ଉଦ୍ଦୀପନାରେ ହିଁ ମୋ’ର ବକ୍ତୃତାଟିକୁ ପାଠ କଲି । ଭାବିଥିଲି ଯେ ଏଥିରେ ଘଣ୍ଟାକରୁ ଅଧିକ ସମୟ ନିଶ୍ଚୟ ଚାଲିଯିବ, —କିନ୍ତୁ ମାତ୍ର କୋଡ଼ିଏ ମିନିଟରେ ହିଁ ସେଇଟା ଶେଷ ହୋଇଗଲା । ସେଠାରେ ଜଣେ ପରୀକ୍ଷକ ମଧ୍ୟ ଉପବିଷ୍ଟ ଥିଲେ, —ଜଣେ ଭାବହୀନ ଖୁବ୍ ବୟସ୍କ ବ୍ୟକ୍ତିଟିଏ—ଆଖିରେ ରୂପାରେ ଚଷମା ଲଗାଇଥିଲେ ଏବଂ ମୁଣ୍ଡରେ ସାନ ପର୍ଚୁଲାଟିଏ ବି ବାନ୍ଧିଥିଲେ । ସିଏ ବେଳେବେଳେ ମୋ’ ଆଡ଼େ ଦୃଷ୍ଟିପାତ କରିବାରେ ବି ଲାଗି ଥାଆନ୍ତି । ମୋ’ କାର୍ଯ୍ୟଟି ସରିବାରୁ ସେ ନିଜର ଆସନରୁ ଲମ୍ଫ ପ୍ରଦାନ କରିବା ବାଗିର ଉଠି ଛିଡ଼ା ହୋଇଗଲେ ଓ ମୋତେ ଉଦ୍ଦେଶ୍ୟ କରି କହିଲେ, “ଭଲ ସିନା ହେଲା, ମାତ୍ର ବରଂ ସେମାନଙ୍କ ମଥାର ଉପରେ ଉପରେ ହିଁ ଚାଲିଗଲା । ଖୁବ୍ ଅସ୍ପଷ୍ଟ ହୋଇଗଲା ଓ ଖାସ୍ ବିଷୟଟି ଉପରେ ଅତି କମ୍ କଥା କୁହାଗଲା ।” କିନ୍ତୁ, —ପିଲାମାନଙ୍କର ଆଖିଗୁଡ଼ିକରୁ ବେଶ୍ ଜାଣିହେଲା ଯେ, ସେମାନେ ମୋ’ର କଥାଗୁଡ଼ିକୁ ନିଶ୍ଚିତ ଭାବରେ ବୁଝି ପାରିଛନ୍ତି, —ହଁ, ସେମାନେ ପ୍ରକୃତରେ ସବୁ ହିଁ ବୁଝିଥିଲେ । ହଁ ରେ, ସେହି ହେତୁ ତ ତାରୁଣ୍ୟର ସେହି ବୟସଟା ପ୍ରକୃତରେ ଏଡ଼େ ମହାର୍ଘ ! ହଁ, ମୁଁ ତା’ପରେ ଆଉ ଗୋଟିଏ ଲିଖିତ ଭାଷଣ ମଧ୍ୟ ଦେଲି, ଏବଂ ଗୋଟିଏ ତୃତୀୟ ମଧ୍ୟ । ଏବଂ ତା’ପରେ ଲିଖିତ ନୁହେଁ, ସିଧା ମୁହଁରୁ ।”

 

“ଏବଂ ସଫଳ ମଧ୍ୟ ହେଲ,” —ଲେଜ୍‌ଝନିଓଭ୍ ପଚାରିଥିଲେ ।

 

“ହଁ, ଏକ ବଡ଼ ସଫଳତା ମିଳିଲା । ମୋ’ ଭିତରେ ଯାହାସବୁ ରହିଥିଲା, ମୁଁ ସବୁକିଛିକୁ ମୋ’ର ଶ୍ରୋତାମାନଙ୍କୁ ପ୍ରଦାନ କରି ଦେଉଥାଏ । ସେମାନଙ୍କ ମଧ୍ୟରେ ଦୁଇ ତିନିଜଣ ଅତ୍ୟନ୍ତ ବିଚକ୍ଷଣ ବାଳକ ଥିଲେ, —ଏବଂ ଅନ୍ୟମାନେ ମୋ’ କଥାଗୁଡ଼ିକୁ ସେପରି ବେଶି କିଛି ବୁଝୁନଥିଲେ-। ପୁନଶ୍ଚ, ଏକଥା ମଧ୍ୟ ସ୍ଵୀକାର କରିବି ଯେ, ଯେଉଁମାନେ ମୋ’ କଥାଗୁଡ଼ିକୁ ପ୍ରକୃତରେ ବୁଝୁଥିଲେ, ସେମାନେ ଆପଣାର ନାନା ପ୍ରଶ୍ନ ଦ୍ଵାରା ମୋତେ ବେଶ୍ ଅଡ଼ୁଆରେ ବି ପକାଇ ଦେଉଥିଲେ । କିନ୍ତୁ ମୁଁ ଆଦୌ ହଟି ଯାଉନଥିଲି । ମୋତେ ସେମାନେ ସମସ୍ତେ ଭଲ ପାଉଥିଲେ ଏବଂ ପରୀକ୍ଷାରେ ମୁଁ ସେମାନଙ୍କୁ ପୂରା ନମ୍ବର ମଧ୍ୟ ଦେଲି । କିନ୍ତୁ, ତା’ପରେ ମୋ’ ବିରୋଧରେ ପ୍ରାୟ ଷଡ଼ଯନ୍ତ୍ର ପରି କିଛି ହେଲା, —ନାଇଁ ନାଇଁ, ଏକ ଷଡ଼ଯନ୍ତ୍ର ବୋଲି କଦାପି ହେବ ନାହିଁ । ସହଜ ଘଟଣାଟି ହେଲା ଯେ, ମୁଁ ଆଦୌ ମୋ’ର ଯଥାର୍ଥ ଥାନଟିରେ ନଥିଲି । ଅନ୍ୟମାନଙ୍କ ନିମନ୍ତେ ବାଧା ପ୍ରାୟ ହେଲି ଏବଂ ସେମାନେ ମୋ’ ଲାଗି ବାଧା ହୋଇ ଆସି ଠିଆ ହୋଇଥିଲେ । ମୁଁ ବିଦ୍ୟାଳୟର ପିଲାମାନଙ୍କୁ ଯେଉଁଭଳି ଧାରାରେ ଶିକ୍ଷାଦାନ କରିଥିଲି, ସେପରି ଧାରାରେ ପ୍ରକୃତରେ ଆଦୌ ପ୍ରତ୍ୟହ ହିଁ ଦିଆଯାଏ ନାହିଁ; ଏପରିକି ଛାତ୍ରମାନଙ୍କୁ ମଧ୍ୟ ଦିଆଯାଉ ନଥିଲା ଏବଂ ସେମାନେ ମୋ’ର ବକ୍ତବ୍ୟଗୁଡ଼ିକରୁ ପ୍ରକୃତରେ ନିତାନ୍ତ ଅଳ୍ପ ହିଁ ଗ୍ରହଣ କରି ପାରୁଥିଲେ । .... ମୋତେ ମଧ୍ୟ ତଥ୍ୟଗୁଡ଼ିକ ଯଥେଷ୍ଟ ପରିମାଣରେ ଜଣା ନଥିଲା ଏବଂ ମୋତେ ଯେତିକି ପରିସର ସେଠାରେ ପ୍ରାପ୍ତ ହେଉଥିଲା, ତାହା ଖୁବ୍ ସୀମିତ ଥିଲା ଓ ତେଣୁ ମୋତେ ସନ୍ତୋଷ ଦେଇ ପାରୁନଥିଲା । ତୁମେ ତ ଖୁବ୍ ଭଲ ଭାବରେ ଜାଣିଛ ଯେ ସେଇଟି ସବୁବେଳେ ହିଁ ମୋ’ର ଗୋଟିଏ ଦୁର୍ବଳତା ପରି ରହିଆସିଛି । ମୁଁ ସମ୍ପୂର୍ଣ୍ଣ ଭାବରେ ମୌଳିକ ନାନା ସଂସ୍କାର ହେବା ଉଚିତ ବୋଲି ଅନୁଭବ କରୁଥିଲି ଏବଂ ମୁଁ ତୁମକୁ ଦୃଢ଼ ଭାବରେ ବି କହିବି ଯେ, ଏଗୁଡ଼ିକ ପ୍ରକୃତରେ ଗୋଟିଏ ଗୋଟିଏ ଅତ୍ୟାବଶ୍ୟକ ସଂସ୍କାର ଓ ସେଗୁଡ଼ିକୁ ଖୁବ୍ ସହଜରେ କାର୍ଯ୍ୟକାରୀ କରିହେବ । ସେହି ପ୍ରସ୍ତାବଗୁଡ଼ିକ ସହିତ ମୁଁ ଆମ ପ୍ରଧାନ ନିର୍ଦ୍ଦେଶକଙ୍କ ପାଖକୁ ଯାଇ ବୁଝାଇ ଦେବା ନିମନ୍ତେ ମଧ୍ୟ ଆଶା କରୁଥିଲି । ସିଏ ଜଣେ ଉତ୍ତମ ବ୍ୟକ୍ତି ଏବଂ ଜଣେ ସାଧୁ ମନୁଷ୍ୟ ମଧ୍ୟ । ଏବଂ ପ୍ରଥମ ଅବସ୍ଥାରେ ତାଙ୍କ ଉପରେ ମୋ’ର କିଛି ପ୍ରଭାବ ମଧ୍ୟ ଥିଲା ଏବଂ ତାଙ୍କର ପତ୍ନୀ ମୋତେ ଏହି କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଭାଇ, ତାଙ୍କ ଭଳି ଜଣେ ନାରୀ ମୁଁ ମୋ’ ଜୀବନଯାକ କେବେ ଦେଖି ନଥିବି । ବୟସ ଅନ୍ଦାଜ ଚାଳିଶ ହେବ । ମାତ୍ର ସେ ଭଲ ଉପରେ ବିଶ୍ଵାସ କରୁଥିଲେ ଏବଂ ସତେଅବା ଜଣେ ପନ୍ଦର ଜଣେ ପନ୍ଦର ବର୍ଷର ବାଳିକାର ଆଗ୍ରହ ସହିତ ଯାହାକିଛି ଉଚିତ୍‍ ତଥା ବିଶୁଦ୍ଧ ଉପରେ ତାଙ୍କରି ଶ୍ରଦ୍ଧା ରହିଥିଲା । ପୁନଶ୍ଚ ଯେକୌଣସି ବ୍ୟକ୍ତି ଆଗରେ ମଧ୍ୟ ଆପଣାର ବିଶ୍ଵାସଗୁଡ଼ିକୁ ସିଧା ପ୍ରକଟ କରିଦେବାକୁ ମଧ୍ୟ ସେ କୌଣସି ଭୟ କରୁନଥିଲେ । ତାଙ୍କରି ସେହି ଉତ୍ସାହପୂର୍ଣ୍ଣତା ତଥା ଭଲପଣକୁ ମୁଁ ଆଦୌ ପାସୋରି ପାରିବି ନାହିଁ । ତାଙ୍କର ପରାମର୍ଶ ଅନୁସାରେ ମୁଁ ଗୋଟିଏ ଯୋଜନା ପ୍ରସ୍ତୁତ କରିଥିଲି......କିନ୍ତୁ, ମୋ’ର ସେହି ପ୍ରଭାବଟିର ଚେରଟିକୁ ବେଶ୍ ଗୁପ୍ତ ଭାବରେ ନଷ୍ଟ କରି ଦିଆଗଲା ଏବଂ ମୋ’ କଥାଗୁଡ଼ିକର ତାଙ୍କ ଆଗରେ ଅନ୍ୟଭଳି ଅର୍ଥମାନ କରାଯାଇଥିଲା । ଗଣିତର ମୁଖ୍ୟ ଅଧ୍ୟାପକ ହିଁ ମୋ’ର ଏକ ନମ୍ବର ଶତ୍ରୁ ପାଲଟି ଯାଇଥିଲେ । ଜଣେ କିଞ୍ଚିତ୍ ଚିଡ଼ା ପ୍ରକୃତିର ପିତୃପ୍ରଧାନ ବ୍ୟକ୍ତି, ଯିଏ କି ମୋଟେ କୌଣସିଥିରେ ବିଶ୍ୱାସ କରୁନଥିଲେ, —ହଁ, ପ୍ରାୟ ଆମ ପିଗାସୋଭ୍‍ଙ୍କ ସ୍ୱଭାବର, କିନ୍ତୁ ପିଗାସୋଭ୍‍ଙ୍କ ଠାରୁ ଅଧିକ ପାରିବାର । ....ହଁ, ହଁ, ପିଗାସୋଭ୍ କିପରି ଅଛନ୍ତି, ସେ ବଞ୍ଚିଛନ୍ତି ?”

 

“ହଁ, ହଁ, ବଞ୍ଚିଛନ୍ତି । କଳ୍ପନା କଲ, ସିଏ ଜଣେ କୃଷକ ମହିଳାଙ୍କୁ ବିବାହ କରିଛନ୍ତି ଓ ଲୋକେ କହୁଛନ୍ତି, ପ୍ରତିଦିନ ହିଁ ସେହି ମହିଳାଙ୍କ ଠାରୁ ମାଡ଼ ଖାଉଛନ୍ତି ।”

 

“ଠିକ୍ ତାଙ୍କରି ଲାଖି । ଏବଂ ନାତାଲିଆ ଆଲେକ୍‌ସିୟେଭ୍‌ନା—ସିଏ ଭଲ ଅଛନ୍ତି ?

 

“ହଁ ।”

 

“ସୁଖରେ ଅଛନ୍ତି ?”

 

“ହଁ ।”

 

ରୁଡ଼ିନ୍ କିଛି କାଳ ନୀରବ ରହିଥିଲେ ।

 

“ମୁଁ ତୁମକୁ କେଉଁ ବିଷୟରେ କହୁଥିଲି ଟି ! ....ହଁ, ହଁ, ସେହି ଗଣିତ ଅଧ୍ୟାପକଙ୍କ ବିଷୟରେ । ସିଏ ମୋତେ ଗୋଟାସୁଦ୍ଧା ଘୃଣା କରୁଥିଲେ । ମୋ’ର କ୍ଳାସରେ ଦେଉଥିବା ଭାଷଣ ଗୁଡ଼ିକୁ ସିଏ ଏକ ଆତସବାଜିର ଚମତ୍କାର ସହିତ ତୁଳନା କରୁଥିଲେ । ମୋ’ ଦ୍ଵାରା ଉଚ୍ଚାରିତ ହୋଇଥିବା ପ୍ରାୟ ପ୍ରତ୍ୟେକ ଶବ୍ଦକୁ ଆକ୍ରମଣ କଲାପରି ଯାଇ ମାଡ଼ି ବସୁଥିଲେ, ଯେଉଁ ଗୁଡ଼ିକ ତାଙ୍କୁ ସମ୍ପୂର୍ଣ୍ଣ ସ୍ପଷ୍ଟ ବୋଲି ବୋଧ ହେଉନଥିଲା । ଏପରିକି ଥରେ ଷୋଡ଼ଶ ଶତାବ୍ଦୀର ଏକ ପୁରାତନ ସ୍ମାରକ ବିଷୟରେ ମୋତେ ବେଶ୍ ଭ୍ରମରେ ମଧ୍ୟ ପକାଇ ଦେଇଥିଲେ....କିନ୍ତୁ, ଯେଉଁଟିକୁ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯିବ, ସେଇଟି ହେଉଛି ଯେ, ସିଏ ମୋ’ର ଅଭିପ୍ରାୟଗୁଡ଼ିକ ବିଷୟରେ ମଧ୍ୟ ସନ୍ଦେହ ବ୍ୟକ୍ତ କରିଥିଲେ, ମୋ’ର ସର୍ବଶେଷ ସାବୁନ୍‌ ଫେଣର ଫୋଟକାଟା ସତେ ଯେପରି ତାଙ୍କ ଉପରେ ତୀର ପରି ଯାଇ ବାଜିଲା ଏବଂ ଫାଟି ଯାଇଥିଲା । ପରିଦର୍ଶକ ମହାଶୟ, ଯାହାଙ୍କ ସହିତ ମୁଁ ମୂଳରୁ ହିଁ ସେତେ କାରବାର ହୋଇ ନଥିଲି, ସିଏ ଆମ ନିର୍ଦ୍ଦେଶକଙ୍କୁ ହିଁ ମୋ’ ବିରୋଧରେ ଲଗାଇ ଦେଇଥିଲେ । ଗୋଟିଏ ବେଶ୍ ଗଣ୍ଡଗୋଳ ଆରମ୍ଭ ହୋଇଗଲା । ମୁଁ ଆଦୌ ପରାଜୟ ସ୍ଵୀକାର କରିବାକୁ ଇଚ୍ଛା କରିନଥିଲି । ଖୁବ୍ ଉତ୍ତେଜିତ ହୋଇଗଲି । ଘଟଣାଟି କର୍ତ୍ତାମାନଙ୍କର ନଜରକୁ ମଧ୍ୟ ଆସିଲା । ମୋତେ ଇସ୍ତଫା ଦେବାପାଇଁ ବାଧ୍ୟ କରାଯାଇଥିଲା । କିନ୍ତୁ ମୁଁ ସେତିକିରେ ବି ଆଦୌ ଅଟକି ଗଲି ନାହିଁ । ସେମାନେ ଯେ ମୋତେ ଆଦୌ ସେପରି ଭାବରେ କରି ପାରିବେ ନାହିଁ, ମୁଁ ସେହି କଥାଟିକୁ ସାବ୍ୟସ୍ତ କରିଦେବା ପାଇଁ ଇଚ୍ଛା କରୁଥିଲି । ....କିନ୍ତୁ ମୋତେ ଯେପରି ଇଚ୍ଛା କଲେ ସେମାନେ ସେହିପରି ହିଁ ବ୍ୟବହାର କରି ପାରିଲେ । .....ବର୍ତ୍ତମାନ ତେଣୁ ମୋତେ ଅଗତ୍ୟା ସହର ଛାଡ଼ି ଚାଲିଯିବାକୁ ହେବ ।”

 

ତା’ପରେ ଦୁହେଁ ନୀରବ ରହିଲେ । ଦୁଇ ବନ୍ଧୁଙ୍କର ମୁଣ୍ଡ ଗୁଡ଼ିକ ତଳ ଆଡ଼କୁ ଅବନତ ହୋଇ ରହିଥିଲା ।

 

ତା’ପରେ ରୁଡ଼ିନ୍ ହିଁ ଆରମ୍ଭ କରିଥିଲେ ।

 

“ହଁ ଭାଇ, ବର୍ତ୍ତମାନ ମୁଁ ନିଶ୍ଚୟ କହିପାରିବି ଯେ, ଆମ ଦେଶର ଜଣେ ସାହିତ୍ୟକାରଙ୍କ ଭାଷାରେ, ହେ ମୋର ଯୌବନ-ସମୟ ତୁମେହିଁ ମୋତେ ମାର୍ଗରୁ ବାହାର କରି ଏପାଖକୁ ସେପାଖକୁ ନେଇ ଯାଇଛ, —ଏବଂ ଶେଷକୁ ତ ମୁଁ ଦେଖିପାରୁଛି ଯେ ମୋ’ ଜୀବନରେ ଭୂମି ବୋଲି ଆଉ କିଛି ବି ନାହିଁ, —ତେବେ ମୁଁ ଚାଲିବି ଆଉ କାହା ଉପରେ ? ଏବଂ ତଥାପି ଏପରି ମଧ୍ୟ ହୋଇପାରିବ ଯେ, ମୁଁ ପ୍ରକୃତରେ କେଉଁଟିପାଇଁ ମଧ୍ୟ ଯୋଗ୍ୟ ହୋଇ ପାରିଲି ନାହିଁ ଏବଂ ସେହି କାରଣରୁ ଏହି ପୃଥିବୀରେ ମୋ’ ନିମନ୍ତେ ଆଉ କିଛି ବି କାମ ରହିଲା ନାହିଁ । ମୁଁ ବହୁ ସମୟରେ ଆପଣାକୁ ଏହି ପ୍ରଶ୍ନଟିକୁ ପଚାରିଛି ଏବଂ ନିଜ ନିଘାରେ ନିଜକୁ ଯେତେ ସାନ ଏବଂ ଅଳପ କରି ଦେଖିବାକୁ ଚେଷ୍ଟାକଲେ ମଧ୍ୟ ମୁଁ ତଥାପି ମୋ’ ଭିତରେ ଏଭଳି ଏକାଧିକ ସାମର୍ଥ୍ୟ ଅବଶ୍ୟ ରହିଛନ୍ତି ବୋଲି ପରିଷ୍କାର ଭାବରେ ଅନୁଭବ କରୁଥିଲି, ଯେଉଁଗୁଡ଼ିକୁ କି ପ୍ରତ୍ୟେକ ମନୁଷ୍ୟବ୍ୟକ୍ତି ଆଦୌ ଲାଭ କରି ନାହାନ୍ତି । ତେବେ ଏହି ସାମର୍ଥ୍ୟଗୁଡ଼ିକରେ ମୋଟେ କୌଣସି ଫଳ ଫଳି ପାରିଲା ନାହିଁ କ’ଣ ପାଇଁ ? ଏବଂ ମିହାଇଲ୍ ମୋଟେ ବର୍ତ୍ତମାନ ଅଧିକ କିଛି କହିବାକୁ ମଧ୍ୟ ଦିଅ । ଯେତେବେଳେ ମୁଁ ରାମ ସହିତ ବାହାରେ ଅନ୍ୟ ଦେଶମାନଙ୍କରେ ଥିଲି ସେତେବେଳେ ମୁଁ ଅତିବେଶି ଦମ୍ଭ କରୁଥିଲି ଏବଂ ମୋ’ ଭିତରେ କେତେ ଭୁଲ୍ ଧାରଣା ବି ପୂରି ରହିଥିଲେ । .... ସେତେବେଳେ ମୁଁ ବସ୍ତୁତଃ କ’ଣ ସତକୁ ସତ ଚାହୁଥିଲି ନିଜେ ତାହା ବୁଝିନଥିଲି । ମୁଁ ତ ତୁଚ୍ଛା ଶବ୍ଦମାନଙ୍କୁ ନେଇ ବଞ୍ଚୁଥିଲି ଏବଂ ନାନା ମରୀଚିକାରେ ବିଶ୍ଵାସ କରୁଥିଲି । କିନ୍ତୁ ବର୍ତ୍ତମାନ, ମୁଁ ସତରେ କହିବି, ଅନୁଭବ କରୁଥିବା ମୋ’ର ସବୁକିଛି ବାସନାକୁ ମୁଁ ସବୁ ମଣିଷଙ୍କୁ ଅବଶ୍ୟ କହିଦେଇ ପାରନ୍ତି; ମୋ’ର ବର୍ତ୍ତମାନ ଲୁଚାଇ ରଖିବାକୁ କିଛି ହିଁ ନାହିଁ । ସର୍ବବିଧ ଅର୍ଥରେ, ମୁଁ ପ୍ରକୃତରେ ଉତ୍ତମ ଅଭିପ୍ରାୟଗୁଡ଼ିକୁ ହିଁ ବହନ କରି ରହିଥିବା ଜଣେ ବ୍ୟକ୍ତି । ଆପଣାକୁ ପୂରା ଆନତ କରି ଆଣି ପାରିଛି । ସର୍ବବିଧ ପରିସ୍ଥିତିରେ ମଧ୍ୟ ଆପଣାକୁ ଖାପ, ଖୁଆଇ ନେବାପାଇଁ ପ୍ରସ୍ତୁତ ଅଛି । ବର୍ତ୍ତମାନ ମୁଁ ଖୁବ୍ ଅଳ୍ପ ମଧ୍ୟ ଚାହୁଛି, —ମୋ’ର ସମ୍ପୂର୍ଣ୍ଣ ନିକଟବର୍ତ୍ତୀ ହୋଇ ଯେତିକି ଭଲ ରହିଛି, ମୁଁ ସେତିକିରେ ହିଁ ସମ୍ପୃକ୍ତ ହୋଇ ରହିବାକୁ ଇଚ୍ଛା କରୁଛି । ଯେତେ କମ୍ ହେଉ ପଛକେ, କିଛି କାମରେ ଆସିବାକୁ ହିଁ ଚାହୁଁଛି ଏବଂ ତେବେ ମଧ୍ୟ ସଫଳ ହୋଇ ପାରୁନାହିଁ । କହିଲ, ସେପରି କ’ଣ ପାଇଁ ହେଉଛି ? ଅନ୍ୟ ମନୁଷ୍ୟମାନଙ୍କ ପରି ବଞ୍ଚିବାକୁ ଓ କାମ କରିବାକୁ ପ୍ରକୃତରେ ବାଧା ସୃଷ୍ଟି କରିବାରେ ଲାଗିଛି ? ......କେବଳ ବର୍ତ୍ତମାନ ପାଇଁ ଏହି ସ୍ଵପ୍ନମାନ ଦେଖୁଛି-। ମାତ୍ର, ଯେମିତି ଗୋଟିଏ ନିର୍ଦ୍ଦିଷ୍ଟ ପଦରେ ନିଯୁକ୍ତ ହୋଇ ଯାଉଛି, ସେତେବେଳେ ଭାଗ୍ୟ ମୋ’ଠାରୁ କାଠିଗୁଡ଼ିକୁ ସତେ ଯେପରି ଛଡ଼ାଇ ନେଇଯାଉଛି । ହଁ, ବର୍ତ୍ତମାନ ତ ମୋର ସେହି ଭାଗ୍ୟ ପ୍ରତି ବେଶ୍ ଭୟ ବି ଜାତ ହେଲାଣି । ....ଏପରି କ’ଣ ପାଇଁ ହେଉଛି ? ଏହି ପ୍ରହେଳିକାଟିକୁ ମୋତେ ତୁମେ ବୁଝାଇ ଦିଅନ୍ତ ନାହଁ ।”

 

“ହଁ, ଏକ ପ୍ରହେଳିକା !” —ଲେଜ୍‌ଝନିଓଭ୍ ପୁନରାବୃତ୍ତି କରିଥିଲେ । “ହଁ, ସେଇଟି ପ୍ରକୃତରେ ସତ, ତୁମେ ପ୍ରକୃତରେ ମୋ’ ପାଇଁ ସର୍ବଦା ଏକ ପ୍ରହେଳିକା ହୋଇ ରହିଛ । ଏପରିକି ସେହି ତାରୁଣ୍ୟର ସମୟଟିରେ ମଧ୍ୟ, ଯେତେବେଳେ ହାଲୁକା ପିଲାଳିଆ ଭାବରେ କିଛି କଥା ହୋଇ ସାରିବା ପରେ, ତୁମେ ହଠାତ୍ ଏପରି ଆହୁରି କିଛି କହିବାକୁ ଆରମ୍ଭ କରୁଥିଲ, ସତେଯେପରି ତୁମର ହୃଦୟ ଭିତରେ କ’ଣଟିଏ ତୁମକୁ ବିଦ୍ଧ କରି ରଖିଛି ଏବଂ ତା’ପରେ ତୁମେ ପୁନର୍ବାର କିଛି କହିବାକୁ ଆରମ୍ଭ ମଧ୍ୟ କରୁଥିଲ..... । ମୁଁ ଭାବୁଛି, ତୁମେ ମୁଁ କହୁଥିବା ଏହି କଥାଟିକୁ ନିଶ୍ଚୟ ବୁଝିପାରୁଛ.....“ମୁଁ ସେତେବେଳେ ମଧ୍ୟ ସେଇଟିକୁ ବୁଝି ପାରୁନଥିଲି ଏବଂ ସେଇଥିଲାଗି ତୁମଠାରୁ କ୍ରମେ ଦୂରଛଡ଼ା ପରି ରହି ଯାଉଥିଲି । .....ରୁଡ଼ିନ୍, ତୁମର ଏତେ ଶକ୍ତି, —ଆଦର୍ଶ ନିମନ୍ତେ ଏଭଳି ଅବିଶ୍ରାନ୍ତ ଏକ ଉଦ୍ୟମ ।”

 

“ଶବ୍ଦ—ଭାଇ, କେବଳ ଶବ୍ଦ ! ଦେଖିଲ ତ, କିଛି ବି ସମ୍ଭବ ହେଲା ନାହିଁ !” —ରୁଡ଼ିନ୍ ପ୍ରାୟ ବିହ୍ଵଳତା ସହିତ ଉତ୍ତର ଦେଇଥିଲେ ।

 

“କିଛି ହେଲା ନାହିଁ । କିନ୍ତୁ କ’ଣ କରିବାକୁ ବା ଅଛି ?”

 

“କ’ଣ କରିବାକୁ ଅଛି ! କୌଣସି ବୃଦ୍ଧା ଅନ୍ଧୁଣୀ ମହିଳା ଏବଂ ତାଙ୍କ ପୂରା ପରିବାରଟିକୁ ନିଜ କାମରେ ଖଟାଇ ରଖିବାରେ ଲାଗିଥିବା, —ଯେପରି, ତୁମର ମନେ ପଡ଼ୁଛି, ପ୍ରିଆଝେଣ୍ଟ୍‌ସୋଭ୍ ସେତେବେଳେ କରୁଥିଲେ……କିଛି ନା କିଛି କରିବାର ତାହାହିଁ ହେଉଛି ଅର୍ଥ ।”

 

“ହଁ—ଗୋଟିଏ ଉତ୍ତମ ଶବ୍ଦ ବି ଉଚ୍ଚାରଣ କରିବା—ସେଇଟି ମଧ୍ୟ ଅବଶ୍ୟ କିଛି କରିବା-।”

 

ରୁଡ଼ିନ୍ ତା’ପରେ କିଛି ନକହି ଲେଜ୍‌ଝନିଓଭ୍‌ଙ୍କ ଆଡ଼େ ଅନାଇଥିଲେ ଏବଂ ନିଜର ମୁଣ୍ଡଟିକୁ ଥିରି କରି ହଲାଇ ଦେଇଥିଲେ ।

 

ଲେଜ୍‌ଝନିଓଭ୍ କ’ଣ ଚାହୁଥିଲେ ଏବଂ ନିଜ ହାତଟିକୁ ଆପଣାର ମୁହଁ ଉପରେ ବୁଲାଇ ଆଣିଲେ ।

 

“ତେବେ ବର୍ତ୍ତମାନ ତୁମେ ନିଜର ସେହି ଗ୍ରାମାଞ୍ଚଳରେ ଥିବା ଘରକୁ ଚାଲି ଯାଉଛ,” —ଶେଷକୁ ପଚାରିଥିଲେ ।

 

“ହଁ ।”

 

“ସେଠାରେ ତୁମର କିଛି ସମ୍ପତ୍ତି ବି ବାକି ରହିଛି ?”

 

“ହଁ, ମୋ’ ଲାଗି କିଛି ବାକି ରହିଛି । ଅଢ଼େଇ ଜଣ ମନୁଷ୍ୟାତ୍ମା । ଏପରି ଗୋଟିଏ କ’ଣ ଜାଗାଟିଏ, ଯେଉଁଠାରେ ମରି ହେବ । ବର୍ତ୍ତମାନ ତୁମେ ଚିନ୍ତା କରୁଥିବ । ରୁଡ଼ିନ୍ ବର୍ତ୍ତମାନ ମଧ୍ୟ ସେହି ଚମତ୍କାର ଶବ୍ଦଗୁଡ଼ିକ ବ୍ୟତିରେକେ କଦାପି ଚଳି ପାରିବ ନାହିଁ !” ହଁ, ଏହି ଶବ୍ଦଗୁଡ଼ିକ ହିଁ ମୋତେ ବରବାଦ କରି ଦେଇଛନ୍ତି । ମୋତେ ପଳ ପଳ କରି ଉପଭୋଗ କରିଛନ୍ତି ଏବଂ ଏହି ଶେଷଟା ଯାଏ ମଧ୍ୟ ମୁଁ କଦାପି ସେଗୁଡ଼ିକରୁ ମୁକ୍ତ ହୋଇ ପାରିବି ନାହିଁ । ମାତ୍ର, ମୁଁ ଯାହାସବୁ କହିଲି, ସେଗୁଡ଼ିକ ଆଦୌ କେବଳ କେତେଗୁଡ଼ିଏ ଶବ୍ଦ ହିଁ ନଥିଲେ । ଭାଇ, ମୁଣ୍ଡର ଏହି ପାଚିଲା ବାଳ, ମୁହଁ ଉପରର ରେଖାଗୁଡ଼ିକ, ଏହି ଖଦଡ଼ା କହୁଣି ଦୁଇଟି ବି—ସେମାନେ ମୋଟେ କେବଳ ଶବ୍ଦ ନୁହନ୍ତି । ତୁମେ ସବୁଦିନେ ମୋ’ ପ୍ରତି ନିର୍ଦ୍ଦୟ ହିଁ ଆସିଛ ମିହାଇଲ୍ ଏବଂ ତୁମେ ଯଥାର୍ଥ କାର୍ଯ୍ୟଟିକୁ ଅବଶ୍ୟ କରିଛ । ମାତ୍ର, ବର୍ତ୍ତମାନର ଏହି ସମୟଟା ଆଦୌ ନିର୍ଦ୍ଦୟ ହେବାର ସମୟ ନୁହେଁ । ବର୍ତ୍ତମାନ ତ ସବୁକିଛି ସାରିଛି; ହଁ, ଦୀପରେ ଆଉ କୌଣସି ତେଲ ନାହିଁ । ପୁନଶ୍ଚ, ସ୍ଵୟଂ ଦୀପଟି ମଧ୍ୟ ଭାଙ୍ଗି ସାରିଲାଣି ଏବଂ ସଳିତାଟି ନିଭିବ ବୋଲି ଧୂଆଁ ବାହାରିବାକୁ ଆରମ୍ଭ କଲାଣି । ଭାଇ ଲେଜ୍‌ଝନିଓଭ୍ ବର୍ତ୍ତମାନ ମୃତ୍ୟୁହିଁ ଆସି ସବୁକିଛିକୁ ସମାଧାନ କରିଦେବା ଉଚିତ ହେବ ।”

 

ଲେଜ୍‌ଝନିଓଭ୍ ସତେଅବା ଡିଆଁ ମାରିବାପରି ହୋଇ ବସିବାଥାନରୁ ଉଠି ପଡ଼ିଲେ ଏବଂ ଖୁବ୍ ବଡ଼ ପାଟିରେ କହିଲେ :

 

“ରୁଡ଼ିନ୍, ମୋତେ ତୁମେ କ’ଣ ପାଇଁ ଏପରି କଥାଗୁଡ଼ିକ କହୁଛ ? ଏସବୁ କଥାକୁ ମୋତେ କହିବାକୁ ତୁମେ କିପରି ବା ଉଚିତ ବୋଲି ଭାବୁଛ ? ମୁଁ କ’ଣ ସେହିଭଳି ହିଁ ବିଚାର କରିବି ଏବଂ ମୁଁ ମଧ୍ୟ ପ୍ରକୃତରେ ଜଣେ କିପରି ବ୍ୟକ୍ତି ମଧ୍ୟ ହୋଇଥିବି । ଯଦି ତୁମର ସେହି ପଶି ଯାଇଥିବା ଗାଲ ଏବଂ କପୋଳର ଦାଗଗୁଡ଼ିକୁ ଦେଖି ମୋ’ର ମନ ଭିତରେ ‘ତୁଚ୍ଛା ଗୁଡ଼ାଏ ଶବ୍ଦ’ ହିଁ ଆସି ମୋତେ ଅଧିକାର କରିନେବେ ? ଡିମିଟ୍ରି, ମୁଁ ତୁମ ବିଷୟରେ ପ୍ରକୃତରେ କ’ଣ ଭାବୁଛି, ତୁମେ ସେକଥା ଜାଣିବା ଲାଗି ଇଚ୍ଛା କରୁଛ କି ? ତେବେ ଶୁଣି, ମୁଁ ଭାବୁଛି ଯେ, ମୋ ଆଗରେ ଏପରି ଜଣେ ବ୍ୟକ୍ତି ବସିଛନ୍ତି, ଯିଏ କି ଆପଣାର ସାମର୍ଥ୍ୟଗୁଡ଼ିକ ବଳରେ ପ୍ରକୃତରେ କେତେ କ’ଣ ହାସଲ କରିବି ପାରିନଥାନ୍ତେ, ତାଙ୍କୁ ଇତି ମଧ୍ୟରେ ଏହି ପୃଥିବୀର କେତେ କେତେ ସୁଯୋଗ ମଧ୍ୟ ପ୍ରାପ୍ତ ହୋଇ ନଥାନ୍ତା, —ହଁ, ଯଦି ସିଏ ଇଚ୍ଛା କରି ଥାଆନ୍ତେ ! ..... ଏବଂ ଏଠି ତାଙ୍କୁ ମୁଁ ଜଣେ ଭୋକିଲା ଏବଂ ଗୃହହୀନ ବ୍ୟକ୍ତିଭାବେ ଦେଖୁଛି !”

 

“ମୁଁ ସମ୍ଭବତଃ ତୁମ ଭିତରେ ଏକ ଅନୁକମ୍ପା ଉଚ୍ଚ ଜାଗୃତ କରି ଆଣୁଛି,” —ପ୍ରାୟ ରୁଦ୍ଧ ହୋଇ ଆସୁଥିବା କଣ୍ଠରେ ରୁଡ଼ିନ୍ ଅସ୍ପଷ୍ଟ ଭାବରେ ଉତ୍ତର ଦେଲେ ।

 

“ନାହିଁ, ନାହିଁ; ତୁମେ ଭୁଲ କରୁଛ । ତୁମେ ମୋ’ ଭିତରେ ଏକ ସମ୍ମାନର ଭାବନାକୁ ହିଁ ଜାଗୃତ କରି ଆଣୁଛ ! —ହଁ, ମୁଁ ପ୍ରକୃତରେ ସେହିପରି ଅନୁଭବ କରୁଛି ! ସେହି ଜମିମାଲିକଙ୍କ ପାଖରେ ବର୍ଷ ବର୍ଷ ଅତିବାହିତ କରିବାରୁ ତୁମକୁ କିଏ ନିବୃତ୍ତ କଲା—ସିଏ ତୁମର ଜଣେ ବନ୍ଧୁ ଥିଲେ ଏବଂ ମୋ’ର ତ ପୂରା ବିଶ୍ଵାସ ହେଉଛି ଯେ, ଯଦି ତୁମେ ତାଙ୍କୁ କେବଳ ପ୍ରସନ୍ନ କରି ରଖିଥାନ୍ତ ତେବେ ସେ ତୁମ ନିମନ୍ତେ ସବୁ ବ୍ୟବସ୍ଥା ନିଶ୍ଚୟ କରି ଦେଇଥାଆନ୍ତେ ଏବଂ ତୁମେ ସେହି ବିଦ୍ୟାଳୟଟିରେ ମଧ୍ୟ ସେଠା ବ୍ୟକ୍ତିମାନଙ୍କର ମନ ନେଇ ରହି ପାରିଲ ନାହିଁ, ତୁମେ କ’ଣ ପାଇଁ, ପ୍ରକୃତରେ ତୁମେ ଜଣେ ବିଚିତ୍ର ମନୁଷ୍ୟ, —ଆପଣାର ଯାହାକିଛି ବିଚାରଗୁଡ଼ିକୁ ନେଇ କୌଣସି କର୍ମସ୍ଥାନରେ ଯାଇ ପ୍ରବେଶ କଲ, ସେହି ପ୍ରାୟ ଅବଶ୍ୟମ୍ଭାବୀ ଭାବରେ ଏକା ପରି ନିଜର ବ୍ୟକ୍ତିଗତ ସକଳ ବ୍ୟକ୍ତିଗତ ଲାଭ ତଥା ସ୍ଵାର୍ଥଗୁଡ଼ିକୁ ଛାଡ଼ିଦେଇ ଶେଷରେ ସେସବୁ ସ୍ଥାନରୁ ଚାଲି ଆସିଲ; ସବୁ ସ୍ଥାନରେ କେବଳ ଏକ ଉତ୍ତମ ଭୂମି ପରିବେଶ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହିଁ ତିଷ୍ଠି ରହିବାକୁ ମନା କରିଦେଲ, —ସେଠାରେ ରହିବା ଦ୍ଵାରା ତୁମ ପାଇଁ ହୁଏତ ଯେତେ ଯାହା ଲାଭ କାରକ ହୋଇଥିଲେ ମଧ୍ୟ ?”

 

“ଆରେ, ମୁଁ ବୋଧହୁଏ ସେହିପରି ଖଣ୍ଡେ ସତତ ଗଡ଼ି ଗଡ଼ି ଚାଲି ଯାଉଥିବା ପଥର ହେବାପାଇଁ ଜନ୍ମ ହିଁ ହୋଇଥିଲି,” —ରୁଡ଼ିନ୍ ଉତ୍ତର ଦେଇଥିଲେ; ତାଙ୍କର ଅଧର ଉପରେ ଏକ କ୍ଳାନ୍ତ ହସର ରେଖା ପରିସ୍ଫୁଟ ହୋଇ ଉଠୁଥିଲା, “ମୁଁ କେଉଁଠାରେ ବି ଆପଣାକୁ ଅଟକାଇ ରଖିପାରେ ନାହିଁ ।”

 

“ଅବଶ୍ୟ ସତ୍ୟ, ମାତ୍ର, ତୁମେ ଅଟକି ପାରନାହିଁ, କାରଣ ତୁମ ଭିତରେ ରହିଥିବା ଏକ ପୋକ ଆସି କାମୁଡ଼ି ଦିଏ, —ପ୍ରଥମେ ଟିକିଏ ଆଗରୁ ତୁମେ ମୋତେ ସେକଥା କହୁଥିଲ ନା ! ନାଇଁ, ନାଇଁ, ଗୋଟିଏ ପୋକ ନୁହେଁ, ମୋଟେ ଅସ୍ଥିରତା ଜନିତ ଏକ ମନୋଭାବ ନୁହେଁ । ତାହା ହେଉଛି ସତ୍ୟକୁ ହିଁ ଭଲ ପାଉଥିବାର ଗୋଟିଏ ଅଗ୍ନି, ଯାହାକି ତୁମ ଭିତରେ ସର୍ବଦା ପ୍ରଜ୍ଜ୍ଵଳିତ ହୋଇ ରହିଛି ଏବଂ ଏଥିରେ ଆଦୌ କୌଣସି ସଂଶୟ ନାହିଁ ଯେ, ତୁମର ସବୁଯାକ ବିଫଳତା ସତ୍ତ୍ୱେ, ଯେଉଁମାନେ ଆପଣାକୁ କେବେ ହେଲେ ଜଣେ ଅହଙ୍କାରୀ ବୋଲି ବିଚାର କରନ୍ତି ନାହିଁ ଓ ସମ୍ଭବତଃ ତୁମକୁ ହିଁ ଜଣେ ଧୋକା ହିଁ ଦେଉଥିବା ମନୁଷ୍ୟ ବୋଲି କହିବାକୁ ସାହସ କରନ୍ତି, ସେଭଳି ବହୁସଂଖ୍ୟକ ବ୍ୟକ୍ତିଙ୍କର ତୁଳନାରେ ଏହି ଅଗ୍ନି ତୁମ ଭିତରେ ପ୍ରକୃତରେ ଅଧିକ ତପ୍ତ ହୋଇ ଜଳୁଥାଏ । ହଁ, ଯଦି ତୁମ ସ୍ଥାନରେ ମୁଁ ରହିଥାଆନ୍ତି, ମୁଁ ତ ତେବେ କୋଉ ଦିନୁଁ ହିଁ ମୋ’ ଭିତରର ସେହି ପୋକଟିର ମୁହଁକୁ ନୀରବ ହିଁ କରି ଦେଇଥାନ୍ତି ଏବଂ ସବୁକିଛିକୁ ନତ ଭାବରେ ମାନି ବି ନେଇଥାନ୍ତି । ଅଥଚ ଦେଖୁଛ, ଏଇଟି ଦ୍ଵାରା ଏତେ ଏତେର ସମ୍ମୁଖୀନ ହୋଇଥିଲେ ମଧ୍ୟ ତୁମେ ସେଥିଲାଗି ଆଦୌ କୌଣସି ପ୍ରକାର ଦ୍ଵେଷ ଭାବର ତଥାପି ଶିକାର ହୋଇନାହଁ । ଡିମିଟ୍ରି, ମୁଁ ଆଜି ଖୁବ୍ ସୁନିଶ୍ଚିତ ଯେ ଜଣେ ନିତ୍ୟ-ଉତ୍ସାହପୂର୍ଣ୍ଣ ବାଳକ ପରି ତୁମେ କୌଣସି ଏକ ନୂଆ କାର୍ଯ୍ୟ ଖୁବ୍ ସୁନିଶ୍ଚିତ ଯେ ଜଣେ ନିତ୍ୟ-ଉତ୍ସାହପୂର୍ଣ୍ଣ ବାଳକ ପରି ତୁମେ କୌଣସି ଏକ ନୂଆ କାର୍ଯ୍ୟ ଆରମ୍ଭ କରିବା ସକାଶେ ପ୍ରସ୍ତୁତ ହୋଇ ଗଲଣି ।”

 

“ନାହିଁ, ଭାଇ, ଆଉ ମୋଟେ ନୁହେଁ । ମୁଁ ଖୁବ୍ କ୍ଳାନ୍ତ ବର୍ତ୍ତମାନ,” —ରୁଡ଼ିନ୍ କହିଲେ, “ହଁ, ମୋ’ ପାଇଁ ଯଥେଷ୍ଟ ବି ହୋଇଯାଇଛି ।”

 

“କ୍ଳାନ୍ତ ହୋଇ ପଡ଼ିଛ ! ଆରେ ବାବୁ, ଆଉ କେହି ହୋଇଥିଲେ କେତେ ନା କେତେ କାଳରୁ ମରି ସାରନ୍ତାଣି । ମୃତ୍ୟୁରେ ହିଁ ସବୁକିଛିର ସମାଧାନ ହୋଇଯାଏ ବୋଲି ତୁମେ କହୁଥିଲ ନା ? କିନ୍ତୁ, ତୁମେ କ’ଣ ଚିନ୍ତା କରୁନାହଁ, ଜୀବନ ମଧ୍ୟ ସର୍ବଦା ଏକ ସମାଧାନ ସମ୍ଭବ କରି ଆଣିନଥାଏ କି ? ଜଣେ ବ୍ୟକ୍ତି, ଯିଏକି ନିଜର ଏକ ଜୀବନଟିକୁ ବଞ୍ଚିଛି ଏବଂ ଅନ୍ୟମାନଙ୍କ ପ୍ରତି ଆଦୌ ସହନଶୀଳ ହୋଇନାହିଁ, ସେପରି ବ୍ୟକ୍ତିଟିଏ ସ୍ଵୟଂ ମଧ୍ୟ ଅନ୍ୟମାନଙ୍କ ଠାରୁ ସହନଶୀଳତା ଲାଭ କରିବାକୁ ମୋଟେ ଯୋଗ୍ୟ ହୁଏନାହିଁ । ଏବଂ ସିଏ ମଧ୍ୟ ସହନଶୀଳତା ଆବଶ୍ୟକ କରେନାହିଁ ବୋଲି କିଏ ପ୍ରକୃତରେ କହି ପାରିବ ? ତୁମେ ଯାହାକିଛି ପାରିଛ, ତାହା ଅବଶ୍ୟ କରି ପାରିଛ; —ଯେତେ ଯାଏ ସମ୍ଭବ ହୋଇଛି, ଡିମିଟ୍ରି, ତୁମେ ଅବଶ୍ୟ ସଂଘର୍ଷ କରିଛ.....ତେବେ ଆଉ ଅଧିକ କ’ଣ ହୋଇ ଥାଆନ୍ତା ? ଆମ ପ୍ରତ୍ୟେକଙ୍କର ପଥ ଅଲଗା ଅଲଗା ହେବାକୁ ନିଶ୍ଚୟ ବାଧ୍ୟ ହେବେ ।

 

“ହଁ, ତୁମେ ପ୍ରକୃତରେ ମୋ’ଠାରୁ ପୂରା ଅଲଗା—” ଏକ ଦୀର୍ଘ ନିଶ୍ଵାସ ପକାଇ ରୁଡ଼ିନ୍ କହିଥିଲେ ।

 

“ଆମର ପଥଗୁଡ଼ିକ ଅଲଗା ଅଲଗା ହୋଇ ପଡ଼ିଥିଲେ” —ଲେଜ୍‌ଝନିଓଭ୍ ପୁଣି କହିଥିଲେ । ହଁ, ସମ୍ଭବତଃ ପ୍ରକୃତରେ ଠିକ୍ ସେହିପରି, କାରଣ, —ଧନ୍ୟବାଦ ମୋ’ର ଏହି ସ୍ଥିତିଟିକୁ, ମୋ ଭିତରେ ରହିଥିବା ଶୀତଳ ରକ୍ତକୁ ଏବଂ ଅନ୍ୟାନ୍ୟ ସବୁକିଛି ଅନୁକୂଳ ପରିସ୍ଥିତିକୁ । ମୋତେ ଆପଣାର ଏହି ନିଜ ଘରଟି ମଧ୍ୟରେ ଆବଦ୍ଧ ହୋଇ ରହିବାର ଜଣେ ବ୍ୟକ୍ତି ନହେବା ସକାଶେ ମୋତେ ମୋଟେ କିଛି ବି ଆସି ବାଧା ଦେଲାନାହିଁ । ହଁ, ମୁଁ ଯୋଡ଼ହସ୍ତ ହୋଇ ଖାଲି ଦେଖଣାହାରିଟିଏ ହୋଇ ହିଁ ରହିଲି । କିନ୍ତୁ, ତୁମକୁ ଏହି ବୃହତ୍ତର ପୃଥିବୀଟି ମଧ୍ୟରେ ଯାଇ ପ୍ରବେଶ କରିବାକୁ ହେଲା । ନିଜ କମିଜ୍‌ର ହାତଗୁଡ଼ିକୁ ଉପରକୁ ମୋଡ଼ି ଆଣି କର୍ମରତ ରହି ଶ୍ରମ କରିବାକୁ ହେଲା । ହଁ, ଆମର ପଥମାନେ ଭିନ୍ନ ହୋଇ ରହିଲେ, —ଏବଂ ତଥାପି ଦେଖିଲ, ଆମେ ପରସ୍ପରର ପ୍ରକୃତରେ କେତେ ନିକଟବର୍ତ୍ତୀ ହୋଇ ରହିଛୁ ! ଆମେ ପ୍ରାୟ ସେହି ଗୋଟିଏ ଭାଷାରେ କଥା ହୋଇ ପାରୁଛୁ, —ମାତ୍ର ଅଧା ସଙ୍କେତର ସାହାଯ୍ୟରେ ପରସ୍ପରକୁ ବୁଝି ପାରୁଛୁ ଏବଂ ସେହି ଏକା ବିଚାରଗୁଡ଼ିକ ଦ୍ଵାରୀ ହିଁ ବଡ଼ ହୋଇ ଆସିଛୁ । ହଁ, ଭାଇ, ବର୍ତ୍ତମାନ ତ ସେସବୁର ସତେ ଅବା ଆଉ କୌଣସି ଅବଶେଷ ରହିଲାନାହିଁ ଏବଂ ଆମେ ଆମ ଧାତୁର ଶେଷ ମାତ୍ର କେତେଜଣ ପ୍ରତିନିଧି ହୋଇ ହିଁ ରହିଛୁ । ହଁ, ସେହି ପୁରାତନ ଦିବସଗୁଡ଼ିକରେ ଆମ ଆଗରେ ଏତେ ଏତେ ଜୀବନ ତଥାପି ବିସ୍ତୀର୍ଣ୍ଣ ହୋଇ ରହିଥିଲା : ଏବଂ ସେତେବେଳେ ଆମେ ସେହି କାରଣରୁ ହିଁ ପରସ୍ପରଠାରୁ ଭିନ୍ନ ଭିନ୍ନ ମତ ପୋଷଣ କରୁଥିଲୁ ଓ କେତେ କଳହ ମଧ୍ୟ କରୁଥିଲୁ; କିନ୍ତୁ ବର୍ତ୍ତମାନ, ଆମ ଚତୁର୍ଦ୍ଦିଗରେ ଯେତେବେଳେ ସେହି ସମୟର ପଂକ୍ତିଗୁଡ଼ିକର ସଂଖ୍ୟା ହ୍ରାସ ହୋଇ ଆସୁଛି, ଯେତେବେଳେ ଆମ ପଛେ ପଛେ ଆସୁଥିବା କନିଷ୍ଠ ପୀଢ଼ିଟି ଆମଠାରୁ ଭିନ୍ନ ଅନ୍ୟ ବହୁ ପ୍ରକାରର ମତ ପୋଷଣ କରି ଆମର ସମ୍ମୁଖରେ ଆସି ଛିଡ଼ା ବି ହେଲାଣି, ସେତେବେଳେ ଆମେ ପରସ୍ପର ଅବଶ୍ୟ ନିକଟବର୍ତ୍ତୀ ହୋଇ ରହିବା । ଡିମିଟ୍ରି, ଆସ । ବର୍ତ୍ତମାନ ଆମେ ଆମର ପାନପତ୍ର ଗୁଡ଼ିକୁ ପରସ୍ପର ସହିତ ସ୍ପର୍ଶ କରାଇ ଆଣିବା ଏବଂ ଆଗର ଆମ ସେଇ ସଙ୍ଗୀତଟିକୁ ମଧ୍ୟ ପୁନର୍ବାର ଗାଇବା ।”

 

ଦୁଇ ବନ୍ଧୁଙ୍କର ଗ୍ଳାସ ଦୁଇଟି ଏକ ଆରେକୁ ସଶବ୍ଦ ସ୍ପର୍ଶ କରିଥିଲେ ଏବଂ ଦୁହେଁ ଗଡ଼ଗଡ଼ ସ୍ଵରରେ ସେହି ଅତିବାହିତ ଛାତ୍ର ଥିବା କାଳତିରେ ଗୀତଟିକୁ ଗାନ କରିଥିଲେ । ସ୍ଵରଟା ଖୁବ୍ ବେତାଳିଆ ହେଉଥିଲା ସିନା, କିନ୍ତୁ ରୁଷୀୟ ଶୈଳୀଟି ମଧ୍ୟ ପୂରାଭାବେ ରହିଥିଲା ।

 

ଲେଜ୍‌ଝନିଓଭ୍ ପୁନର୍ବାର କହିବାକୁ ଆରମ୍ଭ କଲେ, “ତେବେ ତୁମେ ବର୍ତ୍ତମାନ ତୁମର ନିଜ ଅଞ୍ଚଳଟିକୁ ଫେରି ଯାଉଛ । ମୁଁ ଖୁବ୍ ଭଲ ଭାବରେ ଜାଣିଛି ଯେ ତୁମେ ସେଠାରେ ମଧ୍ୟ ଦୀର୍ଘ ସମୟ ଆଦୌ ରହି ପାରିବନାହିଁ—ଏବଂ କେଉଁଠି ଏବଂ କିଭଳି ଯେ ତୁମ ଜୀବନର ସମାପ୍ତି ଘଟିବ, ସେହି କଥାଟିକୁ ମୁଁ ତ କଳ୍ପନା ହିଁ କରି ପାରୁନାହିଁ । .....କିନ୍ତୁ, କଦାପି ଭୁଲନାହିଁ, ଡିମିଟ୍ରି, ତୁମର ଜୀବନରେ ଯାହାକିଛି ଯେତେବେଳେ ଘଟୁ ପଛକେ, ନିଜର ବୋଲି କହିବାକୁ ସର୍ବଦା ଗୋଟିଏ ଥାନ ତଥାପି ସୁନିଶ୍ଚିତ ଭାବରେ ରହିଛି, ଏପରି ଗୋଟିଏ ଆଶ୍ରୟ, ଯେଉଁଠାରେ କି ତୁମେ ଆପଣାକୁ ନିଶ୍ଚିନ୍ତ ହୋଇ ରଖିପାରିବ । ଏବଂ ସେଇଟି ହେଉଛି ମୋ’ ଘର—ହେ ବୃଦ୍ଧ ବ୍ୟକ୍ତିଟି, ତୁମେ ମୋ’ କଥାଟି ଶୁଣି ପାରୁଛ ଟି ! ହଁ, ଏକ ଭାବନାର ମଧ୍ୟ ନିଜର ପୁରାତନ ସିପାହୀବର୍ଗ ନିଶ୍ଚୟ ରହିଥାନ୍ତି ଏବଂ ସେମାନଙ୍କର ମଧ୍ୟ ଘରଟିଏ ରହିଥିବା ଏକାନ୍ତ ଆବଶ୍ୟକ ।”

 

ରୁଡ଼ିନ୍ ଉଠି ଠିଆ ହେଲେ ।

 

କହିଲେ, “ଆଚ୍ଛା ଭାଇ, ତୁମକୁ ଅନେକ ଧନ୍ୟବାଦ । ତୁମର ଏହି କଥାଟିକୁ କେବେହେଲେ ଭୁଲି ଯିବିନାହିଁ । ଅବଶ୍ୟ, ପ୍ରକୃତ ସତକଥାଟି ହେଉଛି ଯେ ଏହିପରି ଘରଟିଏ ପାଇବାକୁ ମୋ’ର କୌଣସି ଯୋଗ୍ୟତା ହିଁ ନାହିଁ । ନିଜର ସମ୍ପୂର୍ଣ୍ଣ ଜୀବନଟାକୁ ହିଁ ମୁଁ ବରବାଦ କରି ଦେଇଛି ଏବଂ ସେହି ବିଚାରଟିର ମଧ୍ୟ, —ଯେପରି ପ୍ରକୃତରେ ଉଚିତ ଥିଲା, ଆଦୌ ପରିଚର୍ଯ୍ୟା କରିନାହିଁ ।”

 

ଲେଜ୍‌ଝନିଓଭ୍ ଉତ୍ତର ଦେଇ କହିଲେ, “ତୁମେ ମୋଟେ ସେକଥା କହନାହିଁ ଓ ଚୁପ୍ ରହିଯାଅ । ଜଣେ ମଣିଷକୁ ପ୍ରକୃତି ଯେଉଁ ପ୍ରକାରେ ତିଆରି କରିଥାଏ, ସିଏ ପ୍ରକୃତରେ ତାହାହିଁ ହୋଇ ରହେ । ଏବଂ ତେଣୁ ତା’ଠାରୁ ଆହୁରି ଅଧିକ କରି କିଛି ଦାବି କରିବା ମୋଟେ ଉଚିତ ନୁହେଁ । ତୁମେ ନିଜକୁ ଜଣେ ଯାଯାବର ହୋଇ ବୁଲୁଥିବା ଜଣେ ଇହୁଦୀ ବୋଲି କହିଛ ନା ! ... କିନ୍ତୁ ତୁମେ କିପରି ଜାଣିଲ ଯେ—ହଁ, ଏହିପରି ଅଖଣ୍ଡ ଭାବରେ ଭ୍ରମି ବୁଲିବା ହିଁ ତୁମପାଇଁ ଉଚିତ ବୋଲି ବରାଦ ହୋଇ ରହିଥିଲା, —ସମ୍ଭବତଃ, ସେହି ପ୍ରକାରେ ହିଁ ତୁମେ କୌଣସି ଗୋଟିଏ ଉଚ୍ଚତମ ସ୍ୱନିୟତିର ଅଭୀଷ୍ଟକୁ ପୂର୍ଣ୍ଣ କରିବାରେ ଲାଗିଛ, —ଏବଂ ସେଇଟି ବିଷୟରେ ତୁମକୁ ଆଦୌ କିଛି ହେଲେ ବି ଜଣା ନାହିଁ । ସାଧାରଣ ଲୋକସଂଜ୍ଞାଟି ସବୁକାଳେ କହି ଆସୁଛି ଯେ ଆମେ ସମସ୍ତେ ସେହି ଈଶ୍ଵରଙ୍କର ହାତରେ ରହିଛୁ; ତେବେ ତୁମେ ବାହାରିଲ ଡିମିଟ୍ରି !” —ରୁଡ଼ିନ୍ ତାଙ୍କ ଟୋପିଟିକୁ ଉଠାଇ ହାତରେ ଧରୁଥିବାର ଦେଖି ଲେଜ୍‌ଝନିଓଭ୍ ତାଙ୍କୁ ଉଦ୍ଦେଶ୍ୟ କରି କହିଥିଲେ । “ରାତିଟା ମଧ୍ୟ ଏଠାରେ ରହି ଯିବନାହିଁ ?”

 

“ହଁ, ମୁଁ ଯାଉଛି ମିହାଇଲ୍ । ବିଦାୟ ଏବଂ ବହୁତ ଧନ୍ୟବାଦ ... ବେଶ୍ ଦୁଃଖଦ ଭାବରେ ହିଁ ମୋ’ ଜୀବନର ଅବସାନ ଘଟିବ !”

 

“କେବଳ ଈଶ୍ଵର ହିଁ ସେକଥା ଜାଣନ୍ତି... ତେବେ ଯିବାଲାଗି ସଂକଳ୍ପ କରି ସାରିଛ ?”

 

ହଁ, ମୁଁ ଯାଉଛି, ବିଦାୟ ମିହାଇଲ୍ । ଏବଂ ମୋ ବିଷୟରେ ଆଦୌ କୌଣସି ଅକଲ୍ୟାଣର କଥା ମନକୁ ଆଣିବନାହିଁ ।”

 

“ହଁ, ତୁମେ ମଧ୍ୟ ମୋ’ ବିଷୟରେ କୌଣସି ଅକଲ୍ୟାଣକୁ ନିଜ ମନରେ ସ୍ଥାନ ଦେବନାହିଁ । ଏବଂ ମୁଁ ଯାହାସବୁ କହିଲି, ସେଗୁଡ଼ିକୁ ଭୁଲିବନାହିଁ ।”

 

ଦୁଇ ବନ୍ଧୁ ପରସ୍ପରକୁ ଆଲିଙ୍ଗନ କରିଥିଲେ । ରୁଡ଼ିନ୍ ବେଶ୍ ତରତର ଭାବରେ ଆପଣାକୁ ସେଠାରୁ ନିଷ୍ଟ୍ରାନ୍ତ କରି ନେଇଥିଲେ ।

 

ଲେଜ୍‌ଝନିଓଭ୍ ତା’ପରେ ସେହି ଘରଟି ଭିତରେ ହିଁ ବେଶ୍ ଅନେକ ସମୟ ଯାଏ ପଦଚାଳନା କଲେ । ଝରକା ପାଖରେ ଆସି ପହଞ୍ଚି ଯାଉଥିବା ସମୟରେ କ’ଣ ସବୁ ଭାବିବାରେ ଲାଗିଥିଲେ ଓ ସତେ ଅବା ଅଧେ ଶୁଣା ଯାଉଥିବା ପରି କ’ଣ ସବୁ କହିବାରେ ବି ଲାଗିଥିଲେ । “ବିଚରା ରୁଡ଼ିନ୍” ବୋଲି କହୁଥିଲେ । ତା’ପରେ ଟେବୁଲ ପାଖରେ ବସି ପଡ଼ି ନିଜ ପତ୍ନୀଙ୍କ ନିକଟକୁ ଗୋଟିଏ ଚିଠି ଲେଖିଲେ ।

 

କିନ୍ତୁ ଇତିମଧ୍ୟରେ ବାହାରେ ବେଶ୍ ଏକ ଖର ପବନ ବହିବା ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ତାହାର ସେହି ସୁ’ ସୁ’ ଗର୍ଜନଟା ସତେଅବା କୌଣସି ଅଶୁଭର ସଙ୍କେତ ଆଣି ଦେଲାପରି ବିଳାପ କରିବାରେ ଲାଗିଥିଲା । ଝରକାର କାଚମାନେ ରଡ଼ ରଡ଼ ଶବ୍ଦ କରି କମ୍ପି ଉଠୁ ଥାଆନ୍ତି । ଏହିପରି ଭାବରେ ସନ୍ଧ୍ୟା ବୁଡ଼ିଲା ଓ ଶରତକାଳର ଦୀର୍ଘ ରାତ୍ରିଟି ଆସି ପହଞ୍ଚିଗଲା । ଯେଉଁ ମଣିଷଟି ଏପରି ଏକ ରାତ୍ରିରେ ତା’ ନିଜ ଗୃହର ଆଶ୍ରୟଟି ମଧ୍ୟରେ ଥିବ, ସିଏ ତ କେତେ ଚିନ୍ତାମୁକ୍ତ ହୋଇ ନିଶ୍ଚୟ ରହିଥିବ । ବେଶ୍‍ ନିରାପଦରେ ଥିବ ଓ ଉଷୁମ ମଧ୍ୟ ଲାଗିବ । ...ଏବଂ, ଯେଉଁମାନେ ଗୃହହୀନ ଭାବରେ ବାହାରେ ରହି ଯାଇଥିବେ ଏବଂ ଭ୍ରମିବାରେ ଲାଗିଥିବେ, କେବଳ ଭଗବାନ ହିଁ.... ସିନା ସେମାନଙ୍କୁ ଆଦୌ ସହାୟତା ଦେଇ ପାରିବେ !

 

୧୮୪୮ ମସିହା ଜୁଲାଇ ମାସ ୨୬ ତାରିଖର ଏକ ପ୍ରାୟ ହୁଳା ବାହାରି ଯାଉଥିବା ଅପରାହଣ ସମୟରେ ପାରିସ୍ ସହରରେ ଯେତେବେଳେ ଜାତୀୟ ଆନ୍ଦୋଳନକାରୀ ମାନଙ୍କର ବିଦ୍ରୋହକୁ ଦବାଇ ଦିଆଯାଇ ସାରିଥିଲା, ସେତେବେଳେ ସେହି ରାଜଧାନୀର ପୋଂବୁର୍ଗ ସାଁତ୍ ଆନ୍ତୋଆନ୍ ଅଞ୍ଚଳର ଗୋଟିଏ ଅଣଓସାରିଆ ସାନ ରାସ୍ତାରେ ଏକ ସୈନ୍ୟବାହିନୀ ଗୋଟିଏ ପ୍ରତିରୋଧକାରୀ ସ୍ଥାନକୁ ଦାଖଲ କରି ନେଉଥିଲେ । ବନ୍ଧୁକଦ୍ଵାରା କିଛି ଗୁଳି ଚଳାଇ ସେହି ପ୍ରତିରୋଧର ଗାରକୁ ଭାଙ୍ଗି ଦିଆ ଯାଇଥିଲା ଏବଂ ଯେଉଁମାନେ ତଥାପି ବଞ୍ଚି ପାରିଥିଲେ, ସେମାନେ ମଧ୍ୟ ନିଜପଟୁ ଆଦୌ କୌଣସି ପ୍ରତିରୋଧ କରିବା ବନ୍ଦ କରି ଦେଇଥିଲେ । ବର୍ତ୍ତମାନ ସେମାନେ ତ କେବଳ ନିଜର ନିରାପଦ ବିଷୟରେ ଚିନ୍ତା କରୁଥିଲେ । ଏବଂ ଠିକ୍ ସେତିକିବେଳେ ସହସା ସେହି ପ୍ରତିରୋଧ ରେଖାଟିର ଉପରକୁ ଚଢ଼ି ଯାଇ ଏବଂ ଓଲଟି ପଡ଼ିଥିବା ଗୋଟିଏ ବସ୍‌ର ଛାତ ଉପରକୁ ଉଠିଯାଉଥିବା ଜଣେ ଦୀର୍ଘକାୟ ବ୍ୟକ୍ତିଙ୍କୁ ଆବିର୍ଭୂତ ହେବାର ଦେଖା ଯାଇଥିଲା । ଗୋଟିଏ ପୁରୁଣା ଓଭରକୋଟ୍ ପିନ୍ଧିଥିଲେ, —ତାଙ୍କ ଅଣ୍ଟା ଚାରିପାଖରେ ନାଲିରଙ୍ଗର ଏକ ଚାଦର ଗୁଡ଼ିଆ ହୋଇ ରହିଥାଏ, ଅଧା ପାଚି ଆସିଥିବା ଅବିନ୍ୟସ୍ତ ବାଳଟା ଉପରେ ତୃଣରେ ତିଆରି ଟୋପିଟାଏ, ସିଏ ଗୋଟିଏ ନାଲି ପତାକାଟାଏ ଧରିଥିଲେ ଏବଂ ଅନ୍ୟ ହାତଟିରେ ଦନ୍ଥଡ଼ା ବଙ୍କା ଖଣ୍ଡାଟିଏ । ଏବଂ ଉପରକୁ ଉଠିଯାଇ ସେ ନିଜର ସେହି ତୀକ୍ଷ୍ମ କଣ୍ଠସ୍ଵରରେ କେଡ଼େ ପାଟିରେ ଧ୍ୱନିଟିଏ ମଧ୍ୟ ଦେଇଥିଲେ । ସେତେବେଳେ ହାତରେ ଥିବା ପତାକା ଏବଂ ତରବାରୀଟିକୁ ଊର୍ଦ୍ଧ୍ଵଆଡ଼କୁ ଟେକି ମଧ୍ୟ ରଖିଥିଲେ । ଅପରପଟୁ ବନ୍ଧୁକଧାରୀ ଜଣେ ସୈନିକ ତାଙ୍କୁ ଲକ୍ଷ୍ୟ କରି ବନ୍ଧୁକ ଉଠାଇ ଏକ ଗୁଳି ମାରିଥିଲା । ଏବଂ ସେହି ଦୀର୍ଘକାୟ ବ୍ୟକ୍ତିଙ୍କର ହାତରୁ ତତ୍‌କ୍ଷଣାତ୍ ପତାକାଟି ତଳକୁ ଖସି ପଡ଼ିଥିଲା ଏବଂ ସିଏ ପ୍ରାୟ ଗୋଟିଏ ଅଖାବସ୍ତା ପରି ତଳେ ଆସି ପଡ଼ି ଯାଇଥିଲେ । ଏବଂ ମୁହଁଟି ପୂରା ମାଟିଆଡ଼କୁ ହୋଇ ରହିଥିଲା, ସତେ ଯେପରି ସିଏ କାହାର, ଗୋଡ଼ତଳେ ଯାଇ ପଡ଼ିଯାଇଥିଲେ । ବନ୍ଧୁକର ଗୁଳିଟା ତାଙ୍କର ହୃଦୟକୁ ଭେଦ କରି ପିଠିପଟେ ବାହାରି ଯାଇଥିଲା ।

 

“ଦେଖ”, —ପ୍ରାଣ ନେଇ ସେଠାରୁ ପଳାଇ ଯାଉଥିବା ଜଣେ ବିପ୍ଳବୀ ସାଙ୍ଗର ଆଉଜଣଙ୍କୁ କହିଥିଲେ,

 

‘‘ପୋଲାଣ୍ଡ ଆଡ଼ୁ ଆସିଥିବା ସେହି ସାଥୀଜଣକ ପ୍ରାଣ ବିସର୍ଜନ କଲେ !”

 

“ତୁମେ ଶୀଘ୍ର ଚାଲିଆସ,” —ଆରଜଣକ ଉତ୍ତର ଦେଇ କହିଥିଲେ ଏବଂ ଉଭୟେ ଗୋଟିଏ ଗୃହର ତଳଭାଗକୁ ପଳାଇ ଗଲେ, ଗୃହଟିର ସବୁ ଝରକା ବନ୍ଦ ଥିଲା ଏବଂ କାନ୍ଥଟା ଯାକ ବି ବାରୁଦ ଓ ବହୁ ସ୍ଥାନରେ ଚିହ୍ନିତ ହୋଇ ରହିଥିଲା ।

 

ପୋଲାଣ୍ଡ ଆଡ଼ୁ ଆସିଥିବା ସେହି ବ୍ୟକ୍ତି ପ୍ରକୃତରେ ଡିମିଟ୍ରି ରୁଡ଼ିନ୍‌ଙ୍କ ବ୍ୟତୀତ ଆଉ କେହି ନଥିଲେ ।

Image